ଗୁଜରାଟ: ଗୁଜରାଟ ମେହସାଣାରେ ମାଟି ଧସି ୭ ଶ୍ରମିକ ମୃତ। ନିର୍ମାଣ କାମ ଚାଲିଥିବାବେଳେ ମାଟି ଧସି ଶ୍ରମିକଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ମେହସାଣା ଜିଲ୍ଲା ଜସାଲପୁର ଗାଁରେ ଘଟିଛି ଏ ଅଘଟଣ ନିର୍ମାଣ ଲାଗି ବଡ଼ ଗାତ ଖୋଳାଯାଉଥିବାବେଳେ ମାଟି ଧସିଯାଇଥିଲା। ମଧ୍ଯାହ୍ନ ସମୟରେ ଘଟିଛି ଏ ଅଘଟଣ। ଏକ ଫ୍ଯାକ୍ଟ୍ରିର ଭୂତଳ ଟ୍ଯାଙ୍କ ନିର୍ମାଣ ଲାଗି ଗାତ ଖୋଳା ଯାଉଥିବାବେଳେ ଧସିଥିଲା ମାଟି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। ମାଟି ତଳେ ଆଉ କିଛି ଶ୍ରମିକ ଦବି ରହିଥିବା ସନ୍ଦେହ କରାଯାଉଛି । ଏକ ଘରୋଇ କମ୍ପାନୀର ନେତୃତ୍ଵରେ ଏହି ମାଟି ଖୋଳାକାମ ହେଉଥିଲା । ଜେସିବି ସହାୟତାରେ ମାଟି ତଳେ ଦବି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ନିର୍ମାଣ କାମ ସମୟରେ ସୁରକ୍ଷା ମାପଦଣ୍ଡର ଉଲ୍ଲଂଘନ କରି କମ୍ପାନୀ ଏହି ନିର୍ମାଣ କାମ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମାଟି ତଳେ ଆଉ କିଛି ଶ୍ରମିକ ଦବି ରହିଥିବା ସନ୍ଦେହ କରାଯାଉଛି। ଘଟଣାର ତନାଘନା ଆରମ୍ଭ କରିଛି ପୋଲିସ। ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାଇ ଖେଳିଯାଇଛି ।
୧୪ରେ ଜମ୍ମୁ ଓ କାଶ୍ମୀରର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା
ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୧୪ରେ ଜମ୍ମୁ ଓ କାଶ୍ମୀରର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ ନ୍ଯାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା। ଗତ ଶୁକ୍ରବାର ଜମ୍ମୁ ଓ କାଶ୍ମୀରରେ ସରକାର ଗଠନ ନେଇ ଉପରାଜ୍ୟପାଳଙ୍କୁ ଭେଟିଥିଲେ JKNC ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା। ଶ୍ରୀନଗରରେ ଉପରାଜ୍ୟପାଳଙ୍କୁ ଭେଟି ୫୫ ବିଧାୟକଙ୍କ ସମର୍ଥନ ଥିବା ନେଇ ଦାବି ଉପସ୍ଥାପନ କରିଥିଲେ ଉମର। ଜେକେଏନସିର ୪୨ ବିଧାୟକଙ୍କ ସହ କଂଗ୍ରେସ, ଆମ ଆଦମୀ ପାର୍ଟି, ସିପିଆଇ ଓ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ଉମର। ଜମ୍ମୁ କାଶ୍ମୀରରେ କଂଗ୍ରେସକୁ ୬ ଆସନ ମିଳିଛି। ଆମ ଆଦମୀ ପାର୍ଟି ଡୋଡା ଆସନ ଜିତିବା ସହ ଜାମ୍ମୁ କାଶ୍ମୀରରେ ଖାତା ଖୋଲିଛି। ଏହାସହ ଅନ୍ୟ ୪ ସ୍ଵାଧୀନ ପ୍ରାର୍ଥୀଙ୍କ ସମର୍ଥନ ଥିବା କହିଛନ୍ତି ଓମାର ଅବଦୁଲ୍ଲା। ଜାମ୍ମୁ କାଶ୍ମୀରକୁ ପୁଣିଥରେ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ ଓମାର ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ସାମିଲ ହେଲେ ଏ.ଆର. ରହମାନ
ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ସାମିଲ ହେଲେ ପ୍ରସିଦ୍ଧ ସଂଗୀତଜ୍ଞ ଏ.ଆର. ରହମାନ। ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କ ଲାଗି ଏକ ୩୦ ମିନିଟର ପରଫର୍ମାନ୍ସ ଭିଡିଓ ପ୍ରସ୍ତୁତ କରିଛନ୍ତି ରହମାନ। ଏହା ସହ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଭୂମିକା ନିର୍ବାହ କ୍ଷେତ୍ରରେ ରହମାନ ହେଉଛନ୍ତି ପ୍ରଥମ ଦକ୍ଷିଣ ଏସୀୟ ସଂଗୀତଜ୍ଞ। ଆସନ୍ତା ନଭେମ୍ବର ୫ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାବେଳେ ରହମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଛି। କମଳା ହାରିସ ଯଦି ବିଜୟୀ ହୁଅନ୍ତି ତେବେ ସେ ହେବେ ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଓ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି। ଏହି ନିର୍ବାଚନରେ ଏସୀୟ ଆମେରିକୀୟ ଓ ପ୍ରଶାନ୍ତ ମହାସାଗରୀୟ ଦ୍ବୀପପୁଞ୍ଜ ବା ଏଏପିଆଇର ଭୋଟରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ। ଏହା ସହ କମଳା ହାରିସ ଭାରତୀୟ ଆମେରିକୀୟଙ୍କ ଭୋଟ ପାଇବାରେ ଲହମାନଙ୍କ ଭୂମିକା ପ୍ରମୁଖ ହେବ ବୋଲି ଆଶା କରାଯାଉଛି।
ବିଜେପି ଆତଙ୍କବାଦୀଙ୍କ ପାର୍ଟି : ମଲ୍ଲିକାର୍ଜୁନ ଖଡ଼ଗେ
ନନ୍ଦିଘୋଷ ବ୍ୟୁରୋ : କଂଗ୍ରେସକୁ ଅର୍ବାନ ନକ୍ସଲଙ୍କ ଏକ ଗ୍ୟାଙ୍ଗ୍ ଚଳାଉଛନ୍ତି ବୋଲି ହୋଇଥିବା ଅଭିଯୋଗ ପ୍ରସଙ୍ଗ। ଜବାବ ରଖିଲେ ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସେ କହିଛନ୍ତି, ପ୍ରଗତିଶୀଳ ଲୋକଙ୍କୁ ଏବେ ଅର୍ବାନ ନକ୍ସଲ କୁହାଯାଉଛି। କଂଗ୍ରେସକୁ ଏପରି କହିବା ଏକ ଅଭ୍ୟାସ। ବିଜେପି ଆତଙ୍କବାଦୀଙ୍କ ପାର୍ଟି। ଲୋକଙ୍କୁ ସେମାନେ ପିଟି ପିଟି ମାରି ଦିଅନ୍ତି। ଦଳିତଙ୍କ ଉପରେ ପରିସ୍ରା କରନ୍ତି। ଆଦିବାସୀଙ୍କ ଉପରେ ଅତ୍ୟାଚାର କରନ୍ତି, ଦୁଷ୍କର୍ମ କରନ୍ତି। ଏପରି କାମ କରୁଥିବା ଲୋକଙ୍କୁ ସମର୍ଥନ କରନ୍ତି। କିନ୍ତୁ ଅନ୍ୟମାନଙ୍କୁ ଦାୟୀ କରି ନିନ୍ଦା କରନ୍ତି। ଖଡ଼ଗେ କହିଛନ୍ତି, କଂଗ୍ରେସକୁ ସମାଲୋଚନା କରିବାର ଅଧିକାର କାହାର ନାହିଁ। ଯେଉଁଠି ବିଜେପି ସରକାର ଅଛି, ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର କରାଯାଉଛି।
ଆମେରିକାରେ ନିର୍ବାଚନ ପ୍ରଚାର ତାତି, ମଧ୍ଯପ୍ରାଚ୍ଯ ଯୁଦ୍ଧ, ଅର୍ଥନୀତି, ଅପରାଧ ମୁଖ୍ଯ ପ୍ରସଙ୍ଗ
ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ନିର୍ବାଚନ ପ୍ରଚାର ତାତି। ମଧ୍ଯପ୍ରାଚ୍ଯ ଯୁଦ୍ଧ, ଅର୍ଥନୀତି, ବେକାରୀ, ଅନ୍ତରାଷ୍ଟ୍ରୀୟ ନୀତି, ଅପରାଧ ହୋଇଛି ମୁଖ୍ଯ ପ୍ରସଙ୍ଗ । ସେପଟେ ପ୍ରଚାର ମଧ୍ଯରେ ବୋମା ଫୁଟାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଅରୋରାରେ ଆୟୋଜିତ ସଭାରେ ସେ କହିଛନ୍ତି- ଆମେରିକୀୟଙ୍କୁ ହତ୍ଯା କରୁଥିବା ପ୍ରବାସୀ ନାଗରିକଙ୍କୁ ମୃତ୍ଯୁଦଣ୍ଡ ଦେବାକୁ ଦାବି କରିଛନ୍ତି ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଆମେରିକାରେ ପ୍ରବାସୀ ବିରୋଧୀ ସ୍ବର ଦୃଢୀଭୂତ ହେଉଥିବାବେଳେ ଟ୍ରମ୍ପଙ୍କ ଆହ୍ବାନ ବିତର୍କର ଝଡ ସୃଷ୍ଟି କରିଛି । ଭେନିଜୁଏଲାର ଗ୍ଯାଙ୍ଗ ଟ୍ରେନ ଡି ଆରାଗୁଆକୁ ଟାର୍ଗେଟ କରି ଟ୍ରମ୍ପ କହିଛନ୍ତି- ସେ ଯଦି କ୍ଷମତାକୁ ଆସନ୍ତି ତେବେ ଅପରେସ ଅରୋରା ଆରମ୍ଭ କରାଯାଇ ଏହି ଗ୍ଯାଙ୍ଗକୁ ବିନାଶ କରାଯିବ । ଦେଶରେ ବେଆଇନ ଅନୁପ୍ରବେଶ ସମସ୍ଯା ଏବେ ଉତ୍କଟ ହୋଇଛି । ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କୁ ଟକ୍କର ଦେବା ଲାଗି ଟ୍ରମ୍ପ ଖେଳିଛନ୍ତି ପ୍ରବାସୀ କାର୍ଡ । ପୂର୍ବରୁ ଯୌନଗତ କାରଣରୁ ମହିଳା ଓ ଶିଶୁଙ୍କ ବେଆଇନ ଚାଲାଣ କ୍ଷେତ୍ରରେ ଦୋଷୀ ସାବ୍ଯସ୍ତ ଅପରାଧୀଙ୍କୁ ମୃତ୍ଯୁଦଣ୍ଡ ନେଇ ପ୍ରସ୍ତାବ ଦେଇଥିଲେ ଟ୍ରମ୍ପ । ବର୍ତ୍ତମାନ ଆମେରିକାର ଅର୍ଦ୍ଧାଧିକ ପ୍ରଜାତନ୍ତ୍ରରେ ମୃତ୍ଯୁଦଣ୍ଡ ନିଷିଦ୍ଧ ହୋଇଛି ବୋଲି କହିଛି ମୃତ୍ଯୁଦଣ୍ଡ ସୂଚନା କେନ୍ଦ୍ର । ସେପଟେ ଯଦି ମୃତ୍ଯୁଦଣ୍ଡ ବ୍ଯବସ୍ଥା ସାମଗ୍ରିକ ଭାବେ ଲାଗୁ ହୁଏ ତେବେ ଆମେରିକୀୟ କଂଗ୍ରେସରେ ଏହା ଆଇନ ଭାବେ ଗୃହୀତ ହେବାର ଆବଶ୍ଯକତା ରହିଛି ।
ବିଶ୍ଵର ସବୁଠୁ ବଡ଼ ମରୁଭୂମିରେ ଭୟଙ୍କର ବନ୍ୟା
ନନ୍ଦିଘୋଷ ବ୍ୟୁରୋ : ମରୁଭୂମିରେ ବନ୍ୟା। ବିଶ୍ଵର ସବୁଠୁ ବଡ଼ ମରୁଭୂମିରେ ଭୟଙ୍କର ବନ୍ୟା। ଆଫ୍ରିକାର ସାହାରା ମରୁଭୂମିରେ ଏହି ବନ୍ୟା ହୋଇଛି। ଦକ୍ଷିଣ ମରୋକ୍କୋରେ ଦୁଇ ଦିନ ଧରି ଭୟଙ୍କର ଭାବେ ଲଗାଣ ବର୍ଷା ହୋଇଥିଲା। ଏହା ଫଳରେ ସୃଷ୍ଟି ହୋଇଛି ବନ୍ୟା। ମରୋକ୍କୋର ପାଣିପାଗ ବିଭାଗର ସୂଚନା ଅନୁସାରେ ୫୦ ବର୍ଷ ପରେ ସାହାରାରେ ବର୍ଷା ସହିତ ବନ୍ୟା ହୋଇଛି। ମାତ୍ର ୨୪ ଘଣ୍ଟାରେ ୧୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥିଲା। ଏତିକି ବର୍ଷା ପୁରା ବର୍ଷରେ ହୋଇ ନ ଥାଏ। ତେଣୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାର ପୁରା ଅଞ୍ଚଳରେ ଦୀର୍ଘମିଆଦୀ ପ୍ରଭାବ ପକାଇବ ବୋଲି କୁହାଯାଇଛି। ଆର୍ଦ୍ରତା ରହିଥିବାରୁ ଆଗରୁ ଝଡ଼ ବର୍ଷା ବି ହୋଇପାରେ। ନାସାର ସାଟେଲାଇଟ୍ ଚିତ୍ର ରୁ ଜଣା ପଡ଼ିଛି,ବହୁ ସ୍ଥାନରେ ଜମା ହୋଇଛି ପାଣି। ଏପରିକି ତାଳ ଗଛର ଅଧାଅଧି ପାଣିରେ ବୁଡ଼ି ଯାଇଥିଲା। ଆଫ୍ରିକାର ଉତ୍ତର, କେନ୍ଦ୍ରୀୟ ଓ ପଶ୍ଚିମ ଅଞ୍ଚଳରେ ୯୦ ଲକ୍ଷ ବର୍ଗ କିଲୋମିଟରରେ ସାହାରା ମରୁଭୂମି ରହିଛି। ଏବେ ଯେଉଁ ବନ୍ୟା ସୃଷ୍ଟି ହୋଇଛି, ଏହାର ପ୍ରଭାବରେ ଆଗରୁ ନିୟମିତ ଭାବେ ଏହି ଅଞ୍ଚଳରେ ଝଡ଼ ତୋଫାନ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶଙ୍କା କରିଛନ୍ତି।
ପରିବା ଦୋକାନୀଙ୍କ ଉପରେ ମାଡିଗଲା କାର
ସୁନ୍ଦରଗଡ଼ : ପରିବା ଦୋକାନୀଙ୍କ ଉପରେ ମାଡିଗଲା କାର । ଘଟଣାସ୍ଥଳରେ ଦୋକାନୀଙ୍କ ମୃତ୍ୟୁ ଘଟିଥିବା ବେଳେ କାର ଚାଳକ ଫେରାର ହୋଇଛନ୍ତି । ମୃତକ ହେଲେ ରାଉରକେଲା ଫଟା ପାଇପ ଅଞ୍ଚଳର ପରିବା ଦୋକାନୀ ପ୍ରଦୀପ ମୁଖୀ । ଆଜି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଗମଲେଇ ସାପ୍ତାହିକ ବଜାରକୁ ପରିବା ବିକ୍ରି କରିବାକୁ ଆସିଥିଲେ। ପରିବା ବିକ୍ରି କରୁଥିବା ସମୟରେ ଏକ କାର ତାଙ୍କ ଉପରେ ଚଢିଯାଇଥିଲା । କାର ଚାଳକ ମଳୟ ନାଏକ ତାଙ୍କୁ ନିକଟସ୍ଥ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ । ମଳୟ ନାଏକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି
୧୭ରେ ହରିୟାଣାରେ ଶପଥ ଗ୍ରହଣ
ଚଣ୍ଡୀଗଡ଼ : ଆସନ୍ତା ୧୭ ତାରିଖରେ ହରିୟାଣାରେ ବିଜେପି ଗଠନ କରିବ ନୂଆ ସରକାର। ନାଏବ ସିଂହ ସୈନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବରେ ମୋଦି ମଧ୍ୟ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏଥର ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଲଗାତର ତୃତୀୟ ଥର ପାଇଁ ହରିୟାଣାରେ ବହୁମତ ହାସଲ କରିଛି ବିଜେପି। ସବୁ ଏକଜିଟ୍ ପୋଲ କହିଥିଲେ, କଂଗ୍ରେସ ଜିତି ସରକାର ଗଠନ କରିବ। କିନ୍ତୁ କଂଗ୍ରେସ ହାରିଛି ଓ ବିଜେପି ଜିତିିଛି। ଗତ ଥରର ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି ମୁଖ୍ୟମନ୍ତ୍ରୀ ହେବେ। ପଞ୍ଚକୁଲାରେ ହେବ ଶପଥ ଗ୍ରହଣ ଉତ୍ସବ। ଏବେଠୁ ଅଙ୍କ କଷା ଆରମ୍ଭ ହୋଇଗଲାଣି, ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି, ଶପଥ ନେବା ପରେ ନୂଆ ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି ସ୍ଥିର କରିବେ, ୧୦୦ ଦିନରେ କଣ କଣ କରାଯିବ, ତାର ଏଜେଣ୍ଡା କରାଯିବ।
ମଧ୍ଯପ୍ରାଚ୍ଯ ଯୁଦ୍ଧକୁ ନେଇ ପଡ଼ୋଶୀ ଆରବ ରାଷ୍ଟ୍ରଙ୍କୁ ଇରାନର ନାଲିଆଖି
ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରାଚ୍ଯ ଯୁଦ୍ଧକୁ ନେଇ ପଡ଼ୋଶୀ ଆରବ ରାଷ୍ଟ୍ର ଓ ଆମେରିକୀୟ ସହଯୋଗୀ ରାଷ୍ଟ୍ରଙ୍କୁ ଇରାନର ନାଲି ଆଖି। ଯୁଦ୍ଧରେ ଇସ୍ରାଏଲକୁ ସହାୟତା କଲେ ପଡିବ ମହଙ୍ଗା। ଇସ୍ରାଏଲକୁ ସହଯୋଗ ଲାଗି ଏହି ଦେଶଗୁଡିକର ଆକାଶପଥ ଓ ସ୍ଥଳଭାଗ ଯଦି ବ୍ଯବହୃତ ହୁଏ ତେବେ ଏଥିଲାଗି ମୂଲ୍ଯ ଦେବାକୁ ପଡିବ ବୋଲି ଚେତାବନୀ ଦେଇଛି ଇରାନ। ଏହି ରାଷ୍ଟ୍ରଗୁଡିକର କୂଟନୈତିକ ପ୍ରତିଷ୍ଠାନ ଜରିଆରେ ଇରାନ ଦେଇଛି ଚେତାବନୀ। ଯେଉଁ ରାଷ୍ଟ୍ରଗୁଡିକ ବିରୋଧରେ ଇରାନ ଚେତାବନୀ ଜାରି କରିଛି ସେହି ରାଷ୍ଟ୍ରଗୁଡିକ ହେଲେ ସାଉଦିଆରବ, ସଂଯୁକ୍ତ ଆରବ ଏମିରେଟସ, ଜୋର୍ଡାନ ଓ କତର। ଏହି ରାଷ୍ଟ୍ରଗୁଡିକ ସାଧାରଣତଃ ଆମେରିକୀୟ ବାହିନୀ ଲାଗି କାର୍ଯ୍ୟ କରିଥାନ୍ତି। କିଛିଦିନ ତଳେ ଇସ୍ରାଏଲ ଉପରେ ଇରାନର ମିସାଇଲ ଆକ୍ରମଣକୁ ନେଇ ସାରା ମଧ୍ଯପ୍ରାଚ୍ଯରେ ସ୍ଥିତି ହୋଇଥିଲା ଅଶାନ୍ତ। ଇରାନ ଉପରେ ପ୍ରତିଶୋଧ ନେବାକୁ ଇସ୍ରାଏଲ କରିଥିଲା ଘୋଷଣା। ଏପରିକି ଇରାନର ଆଣବିକ ପ୍ରତିଷ୍ଠାନଗୁଡିକ ଉପରେ ବି ଇସ୍ରାଏଲ ହମଲା କରିବାର ଆଶଙ୍କା ଏବେ ବି ବଳବତ୍ତର ରହିଛି। ସେପଟେ ମଧ୍ଯପ୍ରାଚ୍ଯ ସଙ୍କଟ ମଧ୍ଯକୁ ନ ଟାଣିବା ଲାଗି ଏହି ସବୁ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟରେ ଅନୁରୋଧ କରିଥିବା ସୂଚନା ମିଳିଛି। ଇରାନ ବିରୋଧରେ ସାମରିକ ଭିତ୍ତିଭୂମି ବ୍ଯବହାର ନ କରିବା ଏବଂ ଏୟାରସ୍ପେସକୁ ବ୍ଯବହାର ନ କରିବା ଲାଗି ବି ସେମାନେ କରିଛନ୍ତି ଅନୁରୋଧ। ଏହି ରାଷ୍ଟ୍ରଗୁଡିକ ଆଶଙ୍କା କରୁଛନ୍ତି ଯେ ଯଦି ସେମାନେ ଇରାନର ଚେତାବନୀକୁ ଅବମାନନା କରିବେ ତେବେ ସେମାନଙ୍କର ତୈଳ ଭିତ୍ତିଭୂମିଗୁଡିକୁ ଇରାନ ଟାର୍ଗେଟ କରିବ। ତେଣେ ଇରାନର ତୈଳ ଓ ପେଟ୍ରୋକେମିକାଲ ଶିଳ୍ପ ଉପରେ କଟକଣା ଲଗାଇଛି ଆମେରିକା।
ମୋହନ ଯାଦବ ସରକାରଙ୍କ ବିରୋଧରେ ବିଜେପି ବିଧାୟକଙ୍କ ବିଦ୍ରୋହ
ଭୋପାଳ : ମଧ୍ଯପ୍ରଦେଶ ବିଜେପିରେ ତୀବ୍ର ଗୋଷ୍ଠୀ କନ୍ଦଳ । ମୋହନ ଯାଦବ ସରକାରଙ୍କ ବିରୋଧରେ ବହୁ ବିଜେପି ବିଧାୟକଙ୍କ ବିଦ୍ରୋହ ଏବେ ଦଳ ଓ ସରକାର ଲାଗି ଚିନ୍ତାର କାରଣ ହୋଇଛି । ଇସ୍ତଫା, ସୋସିଆଲ ମିଡିଆରେ ଆରୋପ-ପ୍ରତ୍ଯାରୋପ, ଜାତିଭିତ୍ତିକ ଶାସନ ବ୍ଯବସ୍ଥାକୁ ନେଇ ସମାଲୋଚନା ଆଦି ଭିତରେ ସଙ୍କଟ ଭିତରକୁ ଚାଲିଯାଇଛି ଦଳ । ୩ ପୂର୍ବତନ ମନ୍ତ୍ରୀ ଓ ୩ ବିଧାୟକ ଏବେ ଦଳ ଲାଗି ସାଜିଛନ୍ତି ଘାତକ । ରାଜ୍ଯ ସରକାରଙ୍କ ପରିଚାଳନା ବ୍ଯବସ୍ଥା ଓ ନେତୃତ୍ବକୁ ନେଇ ଚାଲିଛି ବିଦ୍ରୋହ । ଗତ ଗୁରୁବାର ଦେଓରି ବିଧାୟକ ବ୍ରିଜ ବିହାରୀ ପାଟେରିଆ ଇସ୍ତଫା ଦେଇ ନିଜ ଇସ୍ତଫା ପତ୍ରକୁ ବାଚସ୍ପତିଙ୍କୁ ନିକଟକୁ ପଠାଇଥିଲେ । ସର୍ପାଘାତଜନିତ ଏକ ମୃତ୍ଯୁ ମାମଲାରେ ବ୍ରିଜ ବିହାରୀ ଦେଇଥିବା ଏକ ଏଫଆଇଆରକୁ ପୋଲିସ ନ ରଖିବା ପ୍ରତିବାଦରେ ସେ ଇସ୍ତଫା ଦେଇଥିଲେ । ପରେ ସେ କିନ୍ତୁ ନିଜ ଇସ୍ତଫା ପତ୍ର ପ୍ରତ୍ଯାହାର କରି ନେଇଥିଲେ । ସେହିପରି ମାଉଗଞ୍ଜ ବିଧାୟକ ପ୍ରଦୀପ ପଟେଲ ବି ଇସ୍ତଫା ଦେଇଥିଲେ । ତେବେ ଇସ୍ତଫାର ଦିନକ ପୂର୍ବରୁ ସେ ଏସପିଙ୍କ ଦ୍ବାରସ୍ଥ ହେବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା । ମଦମାଫିଆଙ୍କୁ ପୋଲିସ ସୁରକ୍ଷା ଦେଉଛି ବୋଲି ସେ ଅଭିଯୋଗ କରିଥିଲେ । ତେଣେ ପ୍ରଦୀପଙ୍କୁ ସମର୍ଥନ କରି ରାଜ୍ଯ ସରକାରଙ୍କ ଉପରେ ବର୍ଷିଥିଲେ ପୂର୍ବତନ ମନ୍ତ୍ରୀ ତଥା ପାଟନ ଏମଏଲଏ ଅଜୟ ବିଷ୍ଣୋଇ । ସେହିପରି ମଦର ପ୍ରସାର ନେଇ ସରକାରଙ୍କ ବିରୋଧରେ ବର୍ଷିଥିଲେ ନରିୟାଓ୍ବାଲି ବିଧାୟକ । ଅନ୍ଯଜଣେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ପାଠକ ବି ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି । ସେ କହିଛନ୍ତି ତାଙ୍କ ନିରାପତ୍ତା ବିପନ୍ନ ହୋଇଛି ଏବଂ ତାଙ୍କର ଆଧାର କାର୍ଡକୁ ଜାଲିଆତି କରାଯାଇଛି । ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ଗଢ଼ାକୋଟା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗୋପାଳ ଭାର୍ଗବ ବି କହିଛନ୍ତି- ବର୍ତ୍ତମାନ ଦୁଷ୍କର୍ମ ସଂଖ୍ଯା ବଢିଛି । ଲୋକମାନେ ରାବଣ ପୋଡି କରିବାର ଯଥାର୍ଥତା କେତେ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପିରେ ଏହି ସ୍ଥିତିକୁ ନେଇ ସମାଲୋଚନା କରିଛି କଂଗ୍ରେସ । ସେପଟେ ରାଜ୍ଯ ବିଜେପିରେ ସେପରି କୌଣସି ସଙ୍କଟ ହୋଇନାହିଁ ବୋଲି କହିଛନ୍ତି ସଭାପତି ଭି.ଡି. ଶର୍ମା ।

