spot_img
Home Blog Page 1585

ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ  ମାଡ଼ ମାରିବା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶରେ ପରେ ତଦନ୍ତ ଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ ।  କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଭରତପୁର ଥାନାକୁ ଯାଇ ମାମଲା ସମ୍ପର୍କିତ କାଗଜପତ୍ର ନିଜ ଅଧୀନକୁ ନେଇଛି କ୍ରାଇମବ୍ରାଞ୍ଚ । ଥାନା ଅଧିକାରୀଙ୍କ ସମେତ ଘଟଣା ଦିନ ଉପସ୍ଥିତ ଥିବା ଡିସିଓଙ୍କୁ ପଚରାଉଚରା କରାଯାଇଛି ।

ଓଡିଶା ଅବସରପ୍ରାପ୍ତ ସେନା ସଂଘର ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ବାହାରି ଆସୁଥିଲେ । ରାସ୍ତାରେ ଏକ କାରକୁ ଓଭରଟେକ କରିବା ପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଏହି ସମୟରେ ଥାନାରେ ଡିସିଓ ନଥିବାବେଳେ ଜଣେ ପୁରୁଷ କନଷ୍ଟେବଳ ବସିଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବା ପରେ ସେ ଶୁଣି ନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହୋଇଥିଲା । ପରେ ପାଟ୍ରେଲିଂ କରୁଥିବା ଭ୍ଯାନ ଆସି ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

କାହିଁକି ତାଙ୍କୁ ହାଜତରେ ରଖାଗଲା ବୋଲି ପ୍ରଶ୍ନ କରିବାରୁ ବାନ୍ଧବୀଙ୍କୁ ପୋଲିସ ଏକ ରୁମକୁ ନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ସେମାନଙ୍କୁ ପ୍ରଥମେ ଏମ୍ସ ଓ ପରେ କ୍ଯାପିଟାଲ ହସ୍ପିଟାଲକ ନେଇ ଚିକିତ୍ସା କରାଇଥିଲା । ସେମାନେ ଗୁରୁତର ଥିଲେ ମଧ୍ୟ ତାଙ୍କର କିଛି ହୋଇନାହିଁ ବୋଲି ପୋଲିସ ଦର୍ଶାଇଛି । ପୋଲିସ ମିଛ ମାମଲା ରୁଜୁ କରିଥିବା କହିଛି ଓଡିଶା ଅବସରପ୍ରାପ୍ତ ସେନା ସଂଘ । ଏଣୁ ନିରପେକ୍ଷ ଭାବେ ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି ହୋଇଛି ।

ପୂର୍ବରୁ ବି ସେନା ଅଧିକାରୀଙ୍କ ଉପରେ ପୋଲିସ ଆକ୍ରମଣର ନଜିର ରହିଛି । କିନ୍ତୁ ଏ କ୍ଷେତ୍ରରେ ସରକାର ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି । ଗତ ରଥଯାତ୍ରା ସମୟରେ ଓଡ଼ିଆ ଏଏସଓଙ୍କୁ ରାଜ୍ଯପାଳଙ୍କ ପୁଅ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସାରା ରାଜ୍ଯରେ ପ୍ରତିବାଦର ସ୍ବର ଉଠିଥିବାବେଳେ ଏଯାଏଁ ପୋଲିସ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିନି । ଯାହାକୁ ନେଇ ପୋଲିସ ଉପରେ ଅସନ୍ତୋଷ ବଢିବାରେ ଲାଗିଛି । ଖୋଦ ପୋଲିସ ଯଦି ଆକ୍ରମଣ କରିବ ତେବେ କାହା ଉପରେ ଭରସା ରହିବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ଵର ଜନତା ମଇଦାନରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ସେ ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ହିତାଧୀକାରୀଙ୍କୁ ଅନୁଦାନ ରାଶି ପ୍ରଦାନ କରିଛନ୍ତି । ଏହାଦ୍ଵାରା ଆଜି ପ୍ରଥମ କିସ୍ତିରେ ହିତାଧିକାରୀଙ୍କୁ ମିଳିଛି ୫ ହଜାର ଲେଖାଏଁ ଟଙ୍କା । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟିଏଲ୍ ମାଧ୍ୟମରେ ଏହି ଟଙ୍କା ଯାଇଛି ।

ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ୫ ବର୍ଷରେ ୧୦ଟି କିସ୍ତିରେ ମିଳିବ ମୋଟ ୫୦ ହଜାର ଟଙ୍କା । ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମୋଦି କହିଛନ୍ତି, ମୋଟ ୧ କୋଟି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେମାନେ ଯେଉଁ ଅର୍ଥ ରାଶି ପାଇବେ, ସେଥିରେ ରୋଜଗାରର ନୂଆ ଉପାୟ କରିପାରିବେ । ପିଲାଙ୍କ ପାଠ ପଢ଼ାରେ କିମ୍ବା ନିଜ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ । ସୁଭଦ୍ରା ଯୋଜନାକୁ ଡିଜିଟାଲ କରେନସିରେ ମଧ୍ୟ ଯୋଡ଼ା ଯାଇଛି । ମୋଦି କହିଛନ୍ତି, ମାଆ ସୁଭଦ୍ରାଙ୍କ ନିକଟରେ ମୋର ପ୍ରାର୍ଥନା, ମାଆ ଭଉଣୀଙ୍କୁ ସଶକ୍ତ କରୁ ସୁଭଦ୍ରା ଯୋଜନା ।

ସୁଭଦ୍ରା ଯୋଜନାରେ ଗତକାଲି ସୁଦ୍ଧା ୭୨ ଲକ୍ଷରୁ ଅଧିକ ମହିଳା ପଞ୍ଜିକରଣ କରିଛନ୍ତି । ଆଜି ପ୍ରଥମ କିସ୍ତିରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ୧୨ ଶହ ୫୦ କୋଟିରୁ ଅଧିକ ଟଙ୍କା ଯାଇଛି । ଜନତା ମଇଦାନରେ ସୁଭଦ୍ରା ଯୋଜନା ସହିତ ଉଭୟ ପିଏମ୍ ଆବାସର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟ ନିର୍ଦ୍ଦେଶ ପତ୍ର, ଅନେକ ରେଳ ପ୍ରକଳ୍ପ ଓ କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ କୋର୍ଟର ଉନ୍ମୋଚନ କରିଛନ୍ତି ମୋଦି ।

ଆପଣ ଅଧିକ ସମୟ ବସିରହୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ !

ନନ୍ଦିଘୋଷ ବ୍ୟୁରୋ: ଆପଣ ଅଧିକ ସମୟ ବସିରହୁଛନ୍ତି କି ? ହେଇଯାଆନ୍ତୁ ସାବଧାନ ନହେଲେ ଭୋଗିବେ ଏସବୁ ସମସ୍ୟା । ଗୋଟିଏ ଜାଗାରେ ବସି କାମ କରିବା ଅତି ସହଜ ମନେ ହେଉଥିଲେବି ଏହି ଅଭ୍ୟାସ ଲୋକମାନଙ୍କୁ ଭୟଙ୍କର ସମସ୍ୟା ଆଡକୁ ଠେଲିଦେଇଥାଏ । ଗୋଟିଏ ଜାଗାରେ ବସି କାମ କରିବା ଦ୍ବାରା ପେଟ ବଢିବା ସହ ଚର୍ବି ବଢିବା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଆପଣ ଗୋଟିଏ ସ୍ଥାନରେ ବସି କାମ କରୁଛନ୍ତି ତାହେଲେ ଗ୍ଲୁଟିୟସ୍ ମିଡିଅସ୍ ଟେଣ୍ଡିନୋସିସ୍ ବା ‘Dead Butt Syndrome’ ସମସ୍ୟା ହେବାର ସବୁଠାରୁ ଅଧିକ ଆଶଙ୍କା ରହିଥାଏ ।  ଦୀର୍ଘ ସମୟ ବସିବା ଦ୍ୱାରା ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଅଧିକ ସମୟ ବସିବା ଯୋଗୁଁ ଗ୍ଲୁଟେଲ ମାଂସପେଶୀ ଦୁର୍ବଳ କିମ୍ବା ନିଷ୍କ୍ରିୟ ହୋଇଯିବା ସମସ୍ୟାକୁ Dead Butt Syndrome କୁହାଯାଏ । ଅଧିକ ସମୟ ବସିବା ଦ୍ୱାରା ଅଣ୍ଟା ବିନ୍ଧା କିମ୍ବା ଅନ୍ୟାନ୍ୟ ରୋଗ ମଧ୍ୟ ସୃଷ୍ଟି କରିପାରେ ।  ଯେତେବେଳେ ଏହି ମାଂସପେଶୀଗୁଡ଼ିକ ନିଷ୍କ୍ରିୟ କିମ୍ବା ଦୁର୍ବଳ ହୋଇଯାଆନ୍ତି,ଏହା ଶରୀରରେ ଅସନ୍ତୁଳନ ସୃଷ୍ଟି କରିପାରେ, ଯାହା ଲୋୟର ବ୍ୟାକ୍ ଏବଂ ନିତମ୍ବ ଭଳି ଅନ୍ୟାନ୍ୟ ସ୍ଥାନରେ ସମସ୍ୟା ସୃଷ୍ଟି କରିଥାଏ । ଏହାଦ୍ୱାରା ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ।

ମାଂସପେଶୀ ଦୁର୍ବଳ : ଦୀର୍ଘ ସମୟ ଧରି ବସିବା ସମୟରେ ଗ୍ଲୁଟେଲ୍ ମାଂସପେଶୀ ସକ୍ରିୟ ହୋଇ ରହିନଥାନ୍ତି ।  ଯାହା ମାଂସପେଶୀକୁ ଦୁର୍ବଳ କରାଇଥାଏ । ଏହି କାରଣରୁ ପିଠିରେ ଯନ୍ତ୍ରଣା, ଏବଂ ଶାରୀରିକ କାର୍ୟ୍ୟକଳାପ କରିବାର କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ ।

କୁଜା ହେଇଯିବା : ଅଧିକ ସମୟ ବସିବା ମଣିଷକୁ କୁଜା କରିଦେଇଥାଏ । ଏହା ପିଠି ଏବଂ ବେକରେ ଯନ୍ତ୍ରଣା ଦେଇଥାଏ । ସମୟ ସହିତ, ଖରାପ ସ୍ଥିତି ମାଂସପେଶୀ-ଜନିତ ସମସ୍ୟା ସୃଷ୍ଟି କରିପାରେ ଏବଂ କ୍ରୋନିକ ଯନ୍ତ୍ରଣା ହୁଏ ।

ଇମ୍ୟୁନିଟି ସିଷ୍ଟମ: ବେଳେ ବେଳେ ଅଧିକ କାମ ଚାପରେ ଆମେ ବ୍ରେକ୍ ନେବା ପାଇଁ ଭୁଲି ଯାଇଥାଉ । ତେଣୁ ଦୀର୍ଘ ସମୟଧରି ଗୋଟିଏ ସ୍ଥାନରେ ବସିବା ଯୋଗୁଁ ଶରୀରର କୋଷ ଗୁଡ଼ିକ ଦୁର୍ବଳ ହେବା ସହ ଇମ୍ୟୁନ୍ ସିଷ୍ଟମକୁ ପ୍ରଭାବିତ କରିଥାଏ ।

ମେଦବହୁଳତା: ସାଧାରଣତଃ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସିବା ଦ୍ୱାରା ମେଦବହୁଳତା ବୃଦ୍ଧି ପାଇଥାଏ । ଶରୀରରେ ଅତ୍ୟାଧିକ କ୍ୟାଲୋରୀ ବର୍ଣ୍ଣ ହୋଇନଥାଏ ଏବଂ ବ୍ୟକ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଏ ।

ଦୀର୍ଘ ସମୟ ଧରି ବସିବା ଦ୍ୱାରା ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇପାରେ । ଡିପ୍ ଭେନ୍ ଥ୍ରମ୍ବୋସିସ୍ (DVT) ପରି ଅବସ୍ଥା ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଖରାପ ରକ୍ତ ସଞ୍ଚାଳନ ଏକ ବସିବା ଜୀବନଶୈଳୀର ବ୍ୟାପକ ସ୍ୱାସ୍ଥ୍ୟ ସମସ୍ୟା, ମେଦ ବହୁଳତା ଏବଂ ହୃଦରୋଗ ମଧ୍ୟ ସହାୟକ ହୋଇପାରେ ।

ଆରଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ଯା ଘଟଣା, ମୃତା ଛାତ୍ରୀଙ୍କ ନାମ ହଟାଇବା ଲାଗି ୱିକିପିଡିଆକୁ ନିର୍ଦ୍ଦେଶ

କୋଲକତା:  ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ଯା ଘଟଣା। ସିବିଆଇ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ। ଏହି ମାମଲାକୁ ନେଇ ସିବିଆଇର ଷ୍ଟାଟସ ରିପୋର୍ଟ ଅତି କଦର୍ଯ୍ୟ ଓ ଦୁର୍ଭାଗ୍ଯଜନକ ବୋଲି କହିଛନ୍ତି କୋର୍ଟ। ଦୁଷ୍କର୍ମ ଓ ହତ୍ଯା ମାମଲାର ତଦନ୍ତ ନେଇ ସୁପ୍ରିମକୋର୍ଟରେ ସିବିଆଇ ଦାଖଲ କରିଥିଲା ସାନି ଷ୍ଟାଟସ ରିପୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ କହିଛନ୍ତି- ସିବିଆଇର ଷ୍ଟାଟସ ରିପୋର୍ଟ ଅତ୍ଯନ୍ତ କଦର୍ଯ୍ୟ। ଏହି ରିପୋର୍ଟକୁ ନେଇ କୋର୍ଟ ଖୁବ୍ ଅସୁଖୀ ଅଛନ୍ତି। ଏହା ସହ ମୃତା ଛାତ୍ରୀଙ୍କ ନାମ ହଟାଇବା ଲାଗି ୱିକିପିଡିଆକୁ ଦେଇଛନ୍ତି ନିର୍ଦ୍ଦେଶ। ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମୋକଦ୍ଦମା ପରିଚାଳନା କରୁଛନ୍ତି।

ବର୍ତ୍ତମାନ ସୁଦ୍ଧା ସିବିଆଇ ଯାହା ଅଗ୍ରଗତି କରିଛି ତାହା ପ୍ରକାଶ କରିବା ଅନୁଚିତ ବୋଲି କହିଛନ୍ତି କୋର୍ଟ। ସେପଟେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ସରକାରୀ ହସ୍ପିଟାଲଗୁଡିକରେ ମହିଳା ଡାକ୍ତରମାନଙ୍କୁ ରାତ୍ରୀକାଳୀନ ଡ୍ଯୁଟି ନଦେବାକୁ ରାଜ୍ଯ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ସମାଲୋଚନା କରିଛନ୍ତି କୋର୍ଟ। କିପରି ଆପଣ କହିପାରିବେ ଯେ ମହିଳାମାନେ ରାତ୍ରୀରେ କାମ କରିପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। ମହିଳା ଡାକ୍ତରଙ୍କ ଲାଗି ଏହି ସୀମା କାହିଁକି। ସେମାନେ କୌଣସି ରିହାତି ଚାହାଁନ୍ତି ନାହିଁ। ଏକା ସିଫ୍ଟରେ ବି ମହିଳାମାନେ କାମ କରିପାରିବେ ବୋଲି କହିଛନ୍ତି ଅଦାଲତ।

ସୋସିଆଲ ମିଡିଆ ପୋଷ୍ଟ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଲେ ସଲମାନ

ନନ୍ଦିଘୋଷ ବ୍ୟୁରୋ: ଗତକିଛିଦିନ ଧରି ସଲମାନ ଖାନଙ୍କ ଆମେରିକା କନସର୍ଟକୁ ଚର୍ଚ୍ଚା ହେଉଛି ।  କୁହାଯାଉଛି କି ଚଳିତବର୍ଷ ସଲମାନ ଖାନ ଆମେରିକାରେ ଏକ କନସର୍ଟ କରିବେ । କିନ୍ତୁ ନିକଟରେ ସଲମାନ ଖାନ ଏବଂ ତାଙ୍କ ଟିମ୍ ଏହି ଖବରକୁ ଗୁଜବ ବୋଲି କହିଛନ୍ତି ଏବଂ ପ୍ରଂଶସକଙ୍କୁ ଏଭଳି ଠକାମୀର ଶିକାର ନହେବାକୁ ସତର୍କ କରାଇଛନ୍ତି  । ସଲମାନ ଖାନ ଏହି ଟୁରକୁ ସଂମ୍ପୂର୍ଣ ମିଛ ବୋଲି କହିଛନ୍ତି । ଏବଂ ଚଳିତବର୍ଷ ଆମେରିକାରେ ତାଙ୍କର କୌଣସି ଇଭେଣ୍ଟର ଯୋଜନା ନାହିଁ ବୋଲି  ସୂଚନା ଦେଇଛନ୍ତି । ସେ କହିଛନ୍ତି ଯଦି ଆପଣଙ୍କ ପାଖକୁ ଏହି ବିଷୟରେ କଲ କିମ୍ଭା ଇମେଲ ଯାଏ ତାହେଲେ ଏହା  ଉପରେ ବିଶ୍ବାସ କରନ୍ତୁ ନାହିଁ  ।

ବାସ୍ତବରେ, କିଛି ଦିନ ପୂର୍ବରୁ ଏକ ପୋଷ୍ଟ ଭାଇରାଲ ହୋଇଥିଲା ଯେଉଁଥିରେ ଲେଖାଥିଲା ଯେ ସଲମାନ ଖାନ ୫ଅକ୍ଟୋବରରେ ଆମେରିକାର ଆର୍ଲିଙ୍ଗଟନ୍ ଥିଏଟରରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଗୁଜବକୁ ବନ୍ଦ କରିବା ପାଇଁ ସଲମାନ ଖାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ ସେ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ନାମ ବ୍ୟବହାର କରି ଠକେଇ କରାଯାଉଛି। ଏହି ପୋଷ୍ଟକୁ ତାଙ୍କ ଟିମ୍ ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ପ୍ରଶଂସକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ଏହି ବିଜ୍ଞପ୍ତି ଦିଆଯାଇଛି, ଯାହାଫଳରେ କେହି ଟୁର୍ ଟିକେଟ୍ ସ୍କାମରେ ଫସିବେ ନାହିଁ।

ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

 

ପୋଷ୍ଟରେ ଏହା ଉଲ୍ଲେଖ କରାଯାଇଥିଲା କି  ସଲମାନ ଖାନଙ୍କର ୨୦୨୪ ମସିହାରେ ଆମେରିକାରେ କୌଣସି କାର୍ଯ୍ୟକ୍ରମ କରିବାର ଯୋଜନା ନାହିଁ । ଯଦି ଆପଣଙ୍କ ପାଖକୁ ସଲମାନଙ୍କ କୌଣସି କାର୍ଯ୍ୟକ୍ରମ ନେଇ କଲ୍, ଇମେଲ ବା କୌଣସି ବିଜ୍ଞାପନ ଆସୁଛି ତାହେଲେ ଏହାକୁ ବିଶ୍ବାସ କରନ୍ତୁ ନାହିଁ । ଯଦି କୌଣସି ବ୍ୟକ୍ତି ତାଙ୍କ ନାମର ଅପବ୍ୟବହାର କରୁଛନ୍ତି ତେବେ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମ୍ୟାନେଜର ଏହି ପୋଷ୍ଟ ବିଷୟରେ ଚେତାବନୀ ଦେଇଛନ୍ତି

ସଲମାନ ଖାନଙ୍କ ମ୍ୟାନେଜର ଜୋର୍ଡି ପଟେଲ ମଧ୍ୟ ଏହି ପୋଷ୍ଟ ଭାଇରାଲ ହେବା ବିଷୟରେ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ସେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଷ୍ଟୋରୀ ସେୟାର କରିଥିଲେ ଯେଉଁଥିରେ ସେ ସେହି ପୋଷ୍ଟର ଏକ ଫଟୋ ରଖିଥିଲେ ଏବଂ ଏହା ସହିତ ‘ସ୍କାମ ଆଲର୍ଟ’ ଲେଖିଥିଲେ | ସେ ଆହୁରି ମଧ୍ୟ ଲେଖିଛନ୍ତି, “ଏହି ଟିକେଟ୍ କିଣନ୍ତୁ ନାହିଁ କାରଣ ସଲମାନ ଖାନ ୨୦୨୪ରେ ଆମେରିକା ଯିବେ ନାହିଁ।” ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ”ସିକନ୍ଦର”ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ସେ ଅନ୍ୟାନ୍ୟ ଅନେକ ପ୍ରୋଜେକ୍ଟରେ ମଧ୍ୟ ବ୍ୟସ୍ତ ଅଛନ୍ତି | ‘ସିକନ୍ଦର’ ଏକ ସମ୍ପୂର୍ଣ୍ଣ ଆକ୍ସନ୍ ଫିଲ୍ମ ହେବାକୁ ଯାଉଛି, ଯେଉଁଥି ପାଇଁ ସଲମାନ ଖାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

 

ଆସନ୍ତା ୨୫ ବର୍ଷରେ ଡ୍ରଗ-ରେଜିଷ୍ଟାଣ୍ଟ ସୁପରବଗ ନେବ ୪ କୋଟି ଜୀବନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୫ ବର୍ଷରେ ଡ୍ରଗ-ରେଜିଷ୍ଟାଣ୍ଟ ସୁପରବଗ ନେବ ୪ କୋଟି ଲୋକଙ୍କ ଜୀବନ । ଏବଠାରୁ ଏଥିଲାଗି ସତର୍କ ରହିବା ଲାଗି ଆହ୍ବାନ ଦିଆଯାଇଛି । ଔଷଧ ପ୍ରତିରୋଧକ ସୁପରବଗ ଅର୍ଥାତ ବ୍ଯାକ୍ଟେରିଆର ବିଭିନ୍ନ ପ୍ରଜାତି, ଭାଇରସ, ଅନ୍ଯାନ୍ଯ ଜୀବାଣୁ କ୍ରମଶଃ ଆଣ୍ଟିବୋୟୋଟିକ ପ୍ରତିରୋଧକ ହେବାରେ ଲାଗିଛନ୍ତି । ଫଳରେ ସେମାନଙ୍କ ମୁକାବିଲା କରିବା କଷ୍ଟସାଧ୍ଯ ହେବ । ଏହି କାରଣରୁ ବିଶ୍ବ ସ୍ବାସ୍ଥ୍ୟ ସମସ୍ଯା ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ସର୍ଭେରୁ ଜଣାଯାଇଛି ୧୯୯୦ରୁ ୨୦୨୧ ମଧ୍ଯରେ ସୁପରବଗ ତଥା ଆଣ୍ଟିମୋଇକ୍ରୋବିୟାଲ ରେଜିଷ୍ଟାନ୍ସ- ଏଏମଆରଙ୍କ ଯୋଗୁ ବିଶ୍ବରେ ପ୍ରତିବର୍ଷ ପ୍ରାଣ ହରାଇଛନ୍ତି ୧୦ ଲକ୍ଷରୁ ଅଧିକ ଲୋକ ।

ଲାନସେଟ ଜର୍ଣ୍ଣାଲର ଏହି ରିପୋର୍ଟ ବିଶ୍ବରେ ଚିନ୍ତାର କାରଣ ହୋଇଛି । ଗତ ତିନି ଦଶନ୍ଧିରେ ସୁପରବଗଙ୍କ ଯୋଗୁ ଯେତିକି ଲୋକଙ୍କ ମୃତ୍ଯୁ ଘଟିଛି ତାହାର ଅର୍ଦ୍ଧାଧିକ ହେଉଛନ୍ତି ୫ ବର୍ଷରୁ କମ୍ ବୟସର ଶିଶୁ । ପିଲାଙ୍କ ମଧ୍ଯରେ ସୁପରବଗ୍ ଦେଖାଗଲେ ସେମାନଙ୍କୁ ଚିକିତ୍ସା କରିବା ବି କଷ୍ଟସାଧ୍ଯ ହେଉଛି । ଗତ ତିନି ଦଶନ୍ଧିରେ ବି ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ମୃତ୍ଯୁ ସଂଖ୍ଯା ୮୦ ପ୍ରତିଶତରୁ ଅଧିକ ରହିଛି । ସୁପରବଗଙ୍କ ମୁକାବିଲା କ୍ଷେତ୍ରରେ ବୟସ୍କଙ୍କ ସାମର୍ଥ୍ଯ କମ୍ ହେତୁ ସେମାନଙ୍କ ମୃତ୍ଯୁହାର ବୃଦ୍ଧି ପାଉଛି । କେବଳ ୨୦୨୧ରେ ଆଣ୍ଟିବାୟୋଟିକ ପ୍ରତିରୋଧକ କ୍ଷମତା ହାସଲ କରିଥିବା ଷ୍ଟାଫ୍ ବ୍ଯାକ୍ଟେରିଆ ଏମଆରଏସଏ ଯୋଗୁ ପ୍ରାଣ ହରାଇଥିଲେ ୧ ଲକ୍ଷ ୩୦ ହଜାର ଲୋକ । ୨୦୫୦ ସୁଦ୍ଧା ଏଏମଆର ବ୍ଯାକ୍ଟେରିଆ କାରଣରୁ ମୃତ୍ଯୁ ସଂଖ୍ଯା ୬୭ ପ୍ରତିଶତ ବୃଦ୍ଧି ପାଇବ । ଅର୍ଥାତ ବିଶ୍ବରେ ଏଏମଆର ପ୍ରତିବର୍ଷ ୨୦ ଲକ୍ଷ ଲୋକଙ୍କ ଜୀବନ ନେବ ।

ପରେ ଏହି ହାର ବାର୍ଷିକ ୭୫ ପ୍ରତିଶତ ବୃଦ୍ଧି ପାଇବ ଯଦ୍ଦ୍ବାରା ବାର୍ଷିକ ୮୨ ଲକ୍ଷ ଲୋକଙ୍କ ଜୀବନ ନେବାର କାରଣ ହେବ । ଯଦି ଆଣ୍ଟିମାଇକ୍ରୋବିୟାଲ ଡ୍ରଗ୍ସର ବିକାଶ ହୁଏ ତେବେ ୨୦୫୦ ସୁଦ୍ଧା ୯ କୋଟି ୨୦ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଲାନସେଟ କହିଛି । ୨୨ ପ୍ରକାର ବ୍ଯାକ୍ଟେରିଆ ଓ ଭୂତାଣୁ, ୮୪ ପ୍ରକାର ମିଶ୍ରିତ ଔଷଧ ଓ ୧୧ ପ୍ରକାର ସଂକ୍ରାମକ ଲକ୍ଷଣକୁ ନେଇ ଏହି ଗବେଷଣା କରାଯାଇଥିଲା । ୨୦୪ ଦେଶର ୫୨ କୋଟି ଲୋକଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ଆସନ୍ତା ୨୬ରେ ଏଏମଆର ମୁକାବିଲା ଲାଗି ହେବାକୁ ଯାଉଥିବା ଜାତିସଂଘ ବୈଠକ ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇଛି । କେବଳ ମଣିଷ କ୍ଷେତ୍ରରେ ନୁହେଁ ଜୀବଜନ୍ତୁ ଓ ବୃକ୍ଷ କ୍ଷେତ୍ରରେ ବି ଏହି ସମସ୍ଯା ଦେଖାଯାଉଛି ।

ପୁରୀରେ ପୂର୍ବ ଶତୃତାରୁ ବୋମାମାଡ଼, ବାପ ଓ ପୁଅ ଗୁରୁତର ଆହତ

ପୁରୀ: ପୁରୀରେ ପୂର୍ବ ଶତୃତାରୁ ବୋମାମାଡ଼ । ଜେଲରୁ ଫେରି ଘର ଉପରକୁ ବୋମା ଫିଙ୍ଗିଲେ ଅଭିଯୁକ୍ତ । ବାପପୁଅଙ୍କୁ ଧାରୁଆ ଅସ୍ତ୍ରରେ କଲେ ଆକ୍ରମଣ । ବଳିଆପଣ୍ଡା ଥାନା ନାଲି ପଡ଼ିଆ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଆକ୍ରମଣର ଶିକାର ହୋଇଛନ୍ତି ବାପା ସନ୍ଦୀପ ସାନିୟାଲ ଓ ପୁଅ ମୃତ୍ୟୁଞ୍ଜୟ ସାନିୟାଲ । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଛି।

ଅଭିଯୋଗ ଅନୁସାରେ, ଦୁର୍ବୃତ୍ତମାନେ ବିଭିନ୍ନ ସମୟରେ ସନ୍ଦୀପ ସାନିୟଲଙ୍କ ଘର ପାଖରେ ଖଟି କରିବା ସହ ନିଶା ସେବନ କରୁଥିଲେ । ଏହାକୁ ନେଇ ବଳିଆ ପଣ୍ଡା ଥାନାରେ ସନ୍ଦୀପ କିଛି ଦିନ ପୂର୍ବରୁ ଅଭିଯୋଗ କରିବାପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଜେଲରୁ ଫେରିବା ପରେ ଅଭିଯୁକ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରିରଖିଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

ଗାଡକଣରେ ଘର ବାଣ୍ଟିଲେ, କ୍ଷୀରି ଖାଇଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ଓଡ଼ିଶାରୁ ଦେଶବାସୀଙ୍କୁ ଏକାଧିକ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ ପହଞ୍ଚିବା ପରେ  ବିମାନ ବନ୍ଦରରୁ ସିଧା ଗାଡ଼କଣ ଅଭିମୁଖେ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେଠାରେ ହିତାଧିୀକାରୀମାନଙ୍କ ସହ ଆଲୋଚନା କରିବା ପରେ ଗାଡ଼କଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଲେ । ଗାଡ଼କଣରେ ପିଏମ ଆବାସ ଯୋଜନାର କିସ୍ତି ବାଣ୍ଟିଛନ୍ତି । ହିତାଧିକାରୀଙ୍କୁ ଘର ଚାବି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତର୍ଯାମୀଙ୍କ ଘରେ ଠାକୁର ପୂଜା କରିବା ସହ କ୍ଷୀରି ଖାଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ଥାନୀୟ ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଅନ୍ତର୍ଯ୍ୟାମୀଙ୍କ ସହ ହାତ ମିଳାଇଥିଲେ ମୋଦି ।

ଏହାସହ ଗୋଠପାଟଣା ସ୍ପୋର୍ଟସ ଭ୍ୟାଲିର ବି ଶିଳାନ୍ୟାସ କରିବେ ମୋଦି। ପରେ ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବା ସହ ୨୬ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ। ଏହାବାଦ୍ ଦେଶ ଉଦ୍ଦେଶ୍ୟରେ ୨୮ଶହ କୋଟିର ରେଳ ପ୍ରକଳ୍ପ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ। ସେହିପରି ୧ ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।

 

ଆପ ନେତ୍ରୀ ଆତିଶୀ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଆପ ନେତ୍ରୀ ଆତିଶୀ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ। ଆପ୍ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ମନ୍ତ୍ରିମଣ୍ଡଳରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିଛନ୍ତି ଆତିଶୀ। ଶିକ୍ଷା, ମହିଳା ଓ ଶିଶୁ ବିକାଶ, ସଂସ୍କୃତି, ପର୍ଯ୍ୟଟନ, ପୂର୍ତ୍ତମନ୍ତ୍ରୀ ଅଛନ୍ତି ଆତିଶୀ। ଆତିଶୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ଅରବିନ୍ଦ କେଜରିୱାଲ। ଗତ ସେପ୍ଟେମ୍ବର ୧୫ରେ କେଜରିୱାଲ ଇସ୍ତଫା ଘୋଷଣା କରିବା ପରେ ଆତିଶୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ଦିଲ୍ଲୀ ସରକାରଙ୍କ ୧୪ଟି ବିଭାଗର ଦାୟିତ୍ବ ତୁଲାଉଥିଲେ ଆତିଶୀ। ମୁଖ୍ଯମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀ ଜେଲରେ ଥିବାବେଳେ ଆତିଶୀ ତୁଲାଉଥିଲେ ଦାୟିତ୍ବ । ଶେଷରେ ଆତିଶୀଙ୍କ ଧୈର୍ଯ୍ଯ, ତ୍ୟାଗ ଓ ଦାୟିତ୍ବବୋଧକୁ ମିଳିଛି ପୁରସ୍କାର।

କିଏ ଏହି ଆତିଶୀ ମାର୍ଲେନା ସିଂ ?

ଆତିଶୀ ମାର୍ଲେନା ସିଂ ଆତିଶୀ ନାମରେ ବେଶ୍ ପରିଚିତ । ୧୯୮୧ ଜୁନ ୮ରେ ଆତିଶୀଙ୍କ ଜନ୍ମ । ଦିଲ୍ଲୀ କାଲକାଜି ଆସନରୁ ବିଜୟୀ ହୋଇଛନ୍ତି ଆତିଶୀ । ଆପର ରାଜନୈତିକ ବ୍ଯାପାର କମିଟି ସଦସ୍ଯ ଅଛନ୍ତି ଆତିଶୀ । ଆତିଶୀଙ୍କ ବାପା ଦିଲ୍ଲୀ ବିଶ୍ବବିଦ୍ୟାଳୟ ପ୍ରଫେସର ବିଜୟ ସିଂ । ମାର୍କସ ଓ ଲେନିନଙ୍କ ନାମକୁ ଆଧାର କରି ଦିଆଯାଇଥିଲା ମାର୍ଲେନା ନାମ । ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଶିକ୍ଷାଲାଭ କରିଥିଲେ ଆତିଶୀ ।ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଶିକ୍ଷାଲାଭ କରିଛନ୍ତି ଆତିଶୀ । ମଧ୍ଯପ୍ରଦେଶର ଖଣ୍ଡୱାରେ ଜଳ ସତ୍ଯାଗ୍ରହରେ ଅଂଶଗ୍ରହଣ କରିଥିଲେ ଆତିଶୀ ।ଦିଲ୍ଲୀର ବହୁ ସମସ୍ଯାଜନିତ ଆନ୍ଦୋଳନର ନେତୃତ୍ବ ନେଇଛନ୍ତି ।

କାହିଁକି ଆତିଶୀଙ୍କ ନାଁରେ ମୋହର ?

କେଜରିୱାଲଙ୍କ ଗିରଫଦାରୀ ପରେ ଦିଲ୍ଲୀ ସରକାରଙ୍କ ପ୍ରମୁଖ ଦାୟିତ୍ବ ନେଇଥିଲେ ।ଏକାଦିକ୍ରମ ୧୪ଟି ବିଭାଗ ସମ୍ଭାଳିବାର ରହିଛି ଅଭିଜ୍ଞତା । ରାଜନୀତିରେ ବେଶ୍ ଅଭିଜ୍ଞ ଆପ୍ ନେତ୍ରୀ ଆତିଶୀ । କେଜରିୱାଲ ଓ ସିସୋଦିଆଙ୍କ ଗିରଫ ପରେ ସମ୍ଭାଳିଥିଲେ ଦାୟିତ୍ବ । ଲୋକସଭା ନିର୍ବାଚନରେ ବେଶ୍ ଚର୍ଚ୍ଚାରେ ଥିଲେ ଆତିଶୀ । ଦିଲ୍ଲୀରେ ଜଳ ଯୋଗାଣ ଲାଗି ଅନଶନ କରି ରହିଥିଲେ ଚର୍ଚ୍ଚାରେ । ଶିକ୍ଷା, ଅର୍ଥ ପରି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିଛନ୍ତି ଆତିଶୀ । ଅକ୍ସଫୋର୍ଡ ସମେତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନର କରିଛନ୍ତି ଶିକ୍ଷାଲାଭ । ଜୈବିକ ଚାଷରେ ବେଶ ଅଭିଜ୍ଞତା ହାସଲ କରିଛନ୍ତି ଆତିଶୀ । ଆପ୍ ଗଠନ ପରଠାରୁ ଦଳରେ ସାମିଲ ଥିଲେ ଆତିଶୀ

ଇରାନୀ ସର୍ବୋଚ୍ଚ ଧାର୍ମିକ ନେତା ଖାମେନେଇଙ୍କୁ ଭାରତର ଉତ୍ତର,ପ୍ରଥମେ ନିଜ ରେକର୍ଡ ଦେଖ

ନନ୍ଦିଘୋଷ ବ୍ୟୁରୋ: ଇରାନର ସୁପ୍ରିମ ଲିଡରଙ୍କୁ ଭାରତର କଡା ଜବାବ୍ । ସେ ଭାରତ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଭାରତ କ୍ଷୋଭ ପ୍ରକାଶ କରିଛି । ପ୍ରଥରେ ନିଜ ରେକର୍ଡ ଦେଖିବାକୁ ଭାରତ ଅଲି ଖାମେନେଇଙ୍କୁ ଚେତାବନୀ ଦେଇଛି । ଇରାନର ସୁପ୍ରିମ୍ ଲିଡର ଅୟାତୁଲ୍ଲା ଅଲି ଖାମେନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ମୁସଲିମଙ୍କ ଅଧିକାରର ଉଲ୍ଲଂଘନ କରୁଥିବା ଦେଶ ଗୁଡିକ ମଧ୍ୟରେ ଭାରତକୁ ଖାମେନେଇ ସାମିଲ କରିଛନ୍ତି । ଭାରତ ଉପରେ ମୁସଲିମ୍ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି ଖାମେନେଇ । ଖାମେନେଇନିଙ୍କ ଏହି ଟିପ୍ପଣୀ ନିଜ ଉପରେ ଭାରୀ ପଡିଛି । କାରଣ ବର୍ତ୍ତମାନ ଇରାନ ନିଜେ ସୁନି ମୁସଲମାନ ଏବଂ ଜାତିଗତ ଅଳ୍ପସଂଖ୍ୟକ ଦମନକୁ ନେଇ ଲଗାତାର ଅନ୍ତରାଷ୍ଟ୍ରୀୟ ସ୍ତରରେ ସମାଲୋଚନର ସାମନା କରୁଛି ।

ଇରାନର ସୁପ୍ରିମ୍ ଲିଡର ଅୟାତୁଲ୍ଲା ଅଲି ଖାମେନେଇ ସୋସିଆଲ ମିଡିଆ X ରେ ପୋଷ୍ଟ କରି ଭାରତକୁ ଗାଜା ଏବଂ ମିଆଁମାର ସହିତ ତୁଳନା କରିଛନ୍ତି । ଯେଉଁଠାରେ ମୁସଲିମଙ୍କୁ ଉତ୍ପୀଡନର ସାମନା କରିବାକୁ ପଡ଼ୁଛି । ଏହାସହ ସେ ସାରା ଦୁନିଆର ସମୁଲମାନଙ୍କୁ ପୀଡ଼ିତ ମୁସଲମାନଙ୍କ ସୁରକ୍ଷା ପାଇଁ ଏକଜୁଟ୍ ହେବା ପାଇଁ ମଧ୍ୟ ଅପିଲ୍ କରିଛନ୍ତି ।

ଲିଡର ଅୟାତୁଲ୍ଲା ଅଲି ଖାମେନେଇ ବୟାନ ଉପରେ କଡା ଜବାବ ଦେଇଛି ଭାରତ । ଏହାର ଜବାବ ଦେଇ ଭାରତର ବିଦେଶ ମନ୍ତ୍ରାଳୟ ଲେଖିଛି ଯେ, ‘ଆମେ ଇରାନର ସର୍ବୋଚ୍ଚ ନେତା ଦ୍ୱାରା ଭାରତରେ ଅଳ୍ପସଂଖ୍ୟକଙ୍କ ବିଷୟରେ କରାଯାଇଥିବା ଟିପ୍ପଣୀକୁ କଡ଼ା ନିନ୍ଦା କରୁଛୁ । ଏହା ଭୁଲ ସୂଚନା ଉପରେ ଆଧାରିତ ଏବଂ ଗ୍ରହଣୀୟ ନୁହେଁ । ସଂଖ୍ୟାଲଘୁଙ୍କ ଉପରେ ଟିପ୍ପଣୀ କରୁଥିବା ଦେଶକୁ ପରାମର୍ଶ ଦିଆଯାଉଛି ଯେ ସେ ଅନ୍ୟ ଉପରେ କୌଣସି ଟିପ୍ପଣୀ କରିବା ପୂର୍ବରୁ ନିଜ ରେକର୍ଡ ଦେଖୁ ।’

ଭାରତର ମୁସଲମାନଙ୍କୁ ନେଇ ଟିପ୍ପଣୀ ଇରାନର ସୁପ୍ରିମ ଲିଡରଙ୍କ ଦ୍ୱାରା ପ୍ରଥମ ନୁହେଁ । ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସେ କାଶ୍ମୀର ମୁସଲମାନଙ୍କ ସ୍ଥିତି ଉପରେ ମଧ୍ୟ ସେ ଟିପ୍ପଣୀ କରିଥିଲେ । ଖାମେନେଇ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କାଶ୍ମୀରକୁ ନେଇ ନିଆଯାଉଥିବା ନିଷ୍ପତ୍ତିରେ ମୁସଲମାନ ଭୟଭୀତ ଅଛନ୍ତି । କୂଟନୈତିକ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତ ଏବଂ ଇରାନ ମଧ୍ୟରେ ସମ୍ପର୍କ ମଜଭୁତ ରହିଛି । ଏହା ସହିତ ଅନ୍ୟ ରାଷ୍ଟ୍ରଗୁଡିକୁ ମଧ୍ୟ ଭାରତ ସମାଲୋଚନା କରିଛି ଯେଉଁମାନେ ଭାରତରେ ମୁସଲମାନଙ୍କର ସଂଖ୍ୟାଲଘୁ ନେଇ ଟିପ୍ପଣୀ ଦେଇଛନ୍ତି । ଯେଉଁମାନେ ଏହି ପ୍ରସଙ୍ଗ ଉପରେ ମତ ରଖୁଛନ୍ତି ସେମାନଙ୍କୁ ପ୍ରଥମେ ନିଜ ରେକର୍ଡ ଦେଖିବାକୁ ଭାରତ ପରାମର୍ଶ ଦେଇଛି ।