spot_img
Home Blog Page 1584

ଅବ୍ୟବସ୍ଥା ଭିତରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ସରୁନି ମହିଳାଙ୍କ ଯନ୍ତ୍ରଣା

ଭୁବନେଶ୍ବର: ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ନିଜ ଜନ୍ମଦିନରେ ଏହି ଯୋଜାନାର ଶୁଭାରମ୍ଭ କରିଛନ୍ତି । କିନ୍ତୁ କାର୍ଯ୍ୟକ୍ରମରେ ବିଭ୍ରାଟ କିଛି କମ୍ ନଥିଲା । ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ଦିନରୁ ଯେଉଁ ବିଭ୍ରାଟ, ଆଜି ବି ସେହି ଅବ୍ୟବସ୍ଥା । ସାରା ରାଜ୍ୟରେ ମହିଳା ହନ୍ତସନ୍ତ ହୋଇଛନ୍ତି ।

ସୁଭଦ୍ରା କାର୍ଯ୍ୟକ୍ରମକୁ ଆସି ଝିପିଝିପି ବର୍ଷାରେ ଭିଜିଲେ ଶହ ଶହ ମହିଳା । କାରଣ ବର୍ଷାରୁ ରକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇ ନଥିଲା । ବାଧ୍ୟ ହୋଇ ଚେୟାର ରଖି ମୁଣ୍ଡ ଗୁଞ୍ଜିବାକୁ ସେମାନେ ଚେଷ୍ଟା କରିଥିଲେ । ହଟହଟା ହୋଇଥିଲେ ମହିଳା । କଟକ ବାଙ୍କୀ ଡମପଡ଼ାରେ ଅବସ୍ଥା ଖରାପ । ବସିବାକୁ ବି ବ୍ୟବସ୍ଥା କରାଯାଇ ନଥିଲା । କିଏ ଖରାରେ ଠିଆ ହୋଇଥିଲା ତ ଆଉ କିଏ ତଳେ ବସିଥିଲା । ତ ଆଉ କିଏ ଟେଣ୍ଟ ବାଉଁଶ ଉପରେ ବସିବାକୁ ବାଧ୍ୟ ହୋଇଥିଲା । ଏସଏସଜି ମହିଳାଙ୍କୁ ତ ଡାକିଥିଲେ, କିନ୍ତୁ ବସିବା ପାଇଁ ବି ବ୍ୟବସ୍ଥା ହୋଇ ନଥିଲା । ଏହାକୁ ନେଇ ମହିଳାଙ୍କ ମଧ୍ୟରେ ଦେଖା ଦେଇଥିଲା ଅସନ୍ତୋଷ ।

କେନ୍ଦ୍ରାପଡ଼ା ସାଲେପୁରରେ ପୂରା କାର୍ଯ୍ଯକ୍ରମ ଫ୍ଲପ । ସେଠାରେ ଥିଲେ ହାତ ଗଣତି କିଛି ସରକାରୀ କର୍ମଚାରୀ । ଖାଲି ପଡ଼ିଥିଲା ଚେୟାର । ବହୁ ମହିଳା ମୁହଁ ଫେରାଇ ପଳାଇ ଯାଇଥିଲେ । ଏପରିକି ମୋଦିଙ୍କ ଭାଷଣ ଶୁଣିବାକୁ ସେମାନେ ପ୍ରସ୍ତୁତ ନ ଥିଲେ ।

ଜଗତସିଂହପୁରରେ ମଧ୍ୟ ସେହି  ଅବସ୍ଥା । କାଦୁଅ ପଚ ପଚ ରାସ୍ତାରେ ଆସିଲେ ମହିଳା, ହେଲେ ବସିବାକୁ ମିଳିଲାନି ଚୌକି । ଭୀଷଣ ଖରାରେ ଖାଇବା ଜାଗାରେ ହୋଇଥିଲା ଠେଲାପେଲା । ଏହାକୁ ନେଇ ମହିଳାମାନେ ପ୍ରକାଶ କରିଥିଲେ ଅସନ୍ତୋଷ । ଆଜି ଏମିତି ବହୁ ଜାଗାରେ ଦେଖିବାକୁ ମିଳିଥିଲା ବିଭ୍ରାଟ । ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ଜନ୍ମଦିନରେ ସୁଭଦ୍ରା ସହ ଏକାଧିକ ପ୍ରକଳ୍ପ ଭେଟି ଦେଲେ ମୋଦି

ଭୁବନେଶ୍ବର: ସେପ୍ଟେମ୍ବର ୧୭ ତାରିଖ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଜି ନିଜ ଜନ୍ମଦିନରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ରେଳପଥ, ରାଜପଥ କ୍ଷେତ୍ରରେ ଓଡ଼ିଶାକୁ ନୂଆ ପ୍ରକଳ୍ପ ଦେବା ସହ ସାରା ଦେଶ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଆବାସ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାମନ୍ତ୍ରୀ ଗାଡ଼କଣ ଯାଇଥିଲେ । ସେଠାରେ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରି ଗୃହ ପ୍ରବେଶ କରାଇଥିଲେ । ଏହାସହ ଜନ୍ମଦିନରେ ଆଦିବାସୀ ମହିଳାଙ୍କ ହାତରୁ କ୍ଷୀରି ଖାଇ ନିଜ ମାଆଙ୍କ କଥା ମନେ ପକାଇଥିଲେ ।

ଏହାପରେ ଜନତା ମଇଦାନଠାରେ ଆୟୋଜିତ ସଭାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଫଳରେ ୨୫ ଲକ୍ଷ ହିତାଧିକାରୀ ଆଜି ପ୍ରଥମ କିସ୍ତିରେ ପାଇଛନ୍ତି ୫ ହଜାର ଲେଖାଏଁ ଟଙ୍କା । ସୁଭଦ୍ରା ଯୋଜନା ଶୁଭାରମ୍ଭ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅନ୍ନପୂର୍ଣ୍ଣା ଦେବୀଙ୍କ ସମେତ ରାଜ୍ୟର ୫ ମହିଳା ସାଂସଦ ଉପସ୍ଥିତ ଥିଲେ । ଏହି ଯୋଜନା ମହିଳାମାନଙ୍କୁ ସ୍ବାବଲମ୍ବୀ କରିବ ବୋଲି ପ୍ରଧାନମନ୍ତ୍ରୀ ଓ ଅନ୍ୟ ଅତିଥିମାନେ କହିଥିଲେ ।

ଏହି ଅବସରରେ ରେଳପଥ ଓ ରାଜପଥ ନିର୍ମାଣ ପାଇଁ ରାଜ୍ୟବାସୀଙ୍କୁ ୩ ହଜାର ୯୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶବ୍ୟାପୀ ୩ କୋଟି ଲୋକଙ୍କୁ ଘର ଦେବାକୁ ଆବାସ ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ୧୧ଟାରେ ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ପାରମ୍ପରିକ ବାଦ୍ୟନୃତ୍ୟରେ ଲୋକେ ସ୍ବାଗତ କରିବା ପରେ ଗାଡ଼କଣ ଅଭିମୁଖେ ଯାଇଥିଲେ ମୋଦି । ସେଠାରେ ଆବାସ ଯୋଜନାର ୨୦ ହିତାଧିକାରୀଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ଗୃହ ପ୍ରବେଶ ବି କରାଇଥିଲେ । ଗାଡ଼କଣରେ ଆଦିବାସୀ ମହିଳାଙ୍କ ହାତରୁ କ୍ଷୀରି ଖାଇ ଜନ୍ମଦିନ ପାଲନ କରିଥିଲେ ।

ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ଯୋଗ ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ମନ୍ତ୍ରୀ, ବିଜେପି ବିଧାୟକ, ସାଂସଦ ମାନେ ଯୋଗ ଦେଇଥିଲେ ।

୮ ମାସ ଶିଶୁକନ୍ୟାର ଅସ୍ବାଭାବିକ ଭାବେ ଫୁଲୁଛି ମୁଣ୍ଡ, ଯନ୍ତ୍ରଣାରେ ହେଉଛି ଛଟପଟ

ଅନୁଗୁଳ: ୮ ମାସ ଶିଶୁକନ୍ୟା । ଅସ୍ବାଭାବିକ ଭାବେ ଫୁଲିଛି ମୁଣ୍ଡ । ଝିଅର ଚିକିତ୍ସା କରିବାକୁ ମୂଲ ଲାଗି ପରିବାର ଚଳାଉ ଥିବା ଦିବ୍ୟାଙ୍ଗ ବାପା ଅସମର୍ଥ । ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିପାରୁନାହାନ୍ତି ବାପାମାଆ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବସନ୍ତପୁର ଗାଁରେ । ଝିଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।

ଦୁଃଖର କଳା ବାଦଲ ବସନ୍ତପୁର ଗାଁର ଚିତ୍ତରଞ୍ଜନଙ୍କ ପରିବାରକୁ ଢାଙ୍କି ଦେଇଛି । ପତ୍ନୀ ଗିନି ନାଏକଙ୍କ ସହ ୩ ସନ୍ତାନଙ୍କୁ ନେଇ ଚିତ୍ତରଞ୍ଜନଙ୍କ ପରିବାର । ଚିତ୍ତରଞ୍ଜନ ଜଣେ ଦିବ୍ଯାଙ୍ଗ ହୋଇଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ । ମୂଲ ଲାଗି ଯାହା ଆଣନ୍ତି ସେଥିରେ କଷ୍ଟେ ମଷ୍ଟେ ଚଳେ ତାଙ୍କ ତେଲ, ଲୁଣର ସଂସାର । ଏତେ କଷ୍ଟ ଦେବା ପରେ ବି ଯେମିତି ଦଇବର ମନ ଶାନ୍ତି ହୋଇ ନଥିଲା । ମାତ୍ର ୮ ମାସର କୁନି ଝିଅ ଉପରେ ପଡ଼ିଥିଲା ଯନ୍ତ୍ରଣାର ଲାଠି । ଅଜଣା ରୋଗରେ ପୀଡିତ ହୋଇ ହଠାତ ଝିଅର ମୁଣ୍ଡ ଫୁଲିବାକୁ ଲାଗିଲା । ଚିକିତ୍ସା ନିମନ୍ତେ ଡାକ୍ତର କଟକ ବଡ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ । ହେଲେ ଅର୍ଥ ଅଭାବରୁ କଟକରେ ଚିକିତ୍ସା କରାଇବା ପରିବାର ଲୋକେ ଅସମର୍ଥ । ଏପଟେ ଚିକିତ୍ସା ଅଭାବରୁ ଶିଶୁର ମୁଣ୍ଡ ଅଧିକରୁ ଅଧିକ ଫୁଲିବାରେ ଲାଗିଛି । ତେଣୁ ଚିକିତ୍ସା ନିମନ୍ତେ ସହାୟତା ଯୋଗାଇ ଦେବାକୁ ଶିଶୁ କନ୍ୟାର ମାଆବାପା ଏବଂ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଏହାରି ମଧ୍ୟରେ ଝିଅର ଚିକିତ୍ସା ପାଇଁ ଧାର ଉଧାର କରି ପରିବାର ଏବେ ନିଶହାୟ ହୋଇ ଗଲାଣି । ଚିକିତ୍ସା ହୋଇପାରୁ ନଥିବାରୁ ରୋଗ ବଢିବାରେ ଲାଗିଛି । କୁନି ଝିଅର ଏଭଳି ଅବସ୍ଥା ଯୋଗୁଁ ପୂରା ପରିବାର ଚିନ୍ତାରେ ରହିଛନ୍ତି । ଖବର ପାଇବା ପରେ ଚିତ୍ତରଞ୍ଜନଙ୍କ ପରିବାରକୁ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମୁରା କହିଛନ୍ତି ।

ଗରିବ ଅସହାୟ ଲୋକଙ୍କ ନିକଟରେ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ରହିଥିବା ବେଳେ ଏହି ଯୋଜନା ସଠିକ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଯାହା ଫଳରେ ଲୋକମାନେ ସ୍ବାସ୍ଥ୍ୟସେବା ନପାଇ ଦୟନୀୟ ସ୍ଥିତିରେ ରହିବା ସହ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି । ସ୍ବାସ୍ଥ୍ୟସେବାକୁ ଅଧିକ ତ୍ବରାନ୍ବିତ କରି ସବୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସାଧାରଣରେ ଦାବି ହେଉଛି ।

ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ଡାର, ଯାଞ୍ଚ କରିବ ଏଏସଆଇ

ପୁରୀ: ଆସନ୍ତାକାଲି ପୁଣି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏଏସଆଇ ପକ୍ଷରୁ ଆସନ୍ତାକାଲି ରତ୍ନଭଣ୍ଡାରର କରାଯିବ ପ୍ରାରମ୍ଭିକ ନିରୀକ୍ଷଣ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବ ।

ଏଏସଆଇର  ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ କାର୍ଯ୍ୟ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା  ଅନୁସାରେ ଏହା ଅନୁଷ୍ଠିତ ହେବ । ଆସନ୍ତାକାଲି ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବ । ଏହାପରେ ଅନାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇ ଦ୍ବିତୀୟ ଭୋଗ ମଣ୍ଡପ ପରେ ରତ୍ନଭଣ୍ଡାର ନିରୀକ୍ଷଣ କାର୍ଯ୍ୟ କରାଯିବ । ଦିନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କିଣିବାକୁ ଥିବା ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମ ଝାଟ, ଚଳିବନି ବୁଲଡୋଜର ଶାସନ

ନୂଆଦିଲ୍ଲୀ: ବୁଲଡୋଜର ଆକ୍ସନ ଚଳିବ ନାହିଁ । ତୁରନ୍ତ ଏହାକୁ ବନ୍ଦ କର । କାହାରି ଘରଦ୍ଵାର ଉପରେ ବୁଲଡୋଜର ଚଲାଇ ପ୍ରଶାସନ ମନଇଚ୍ଛା ଭଙ୍ଗା ଭଙ୍ଗି କରିପାରିବ ନାହିଁ । ଆଜି ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅକ୍ଟୋବର ୧ ଯାଏଁ ସାରା ଦେଶରେ ଏହି କଟକଣା ଜାରି ରହିବ । ସେହିଦିନ ହେବ ମାମଲାର ପରବର୍ତ୍ତୀ ଶୁଣାଣି । କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରି ସୁପ୍ରିମକୋର୍ଟ କହିଛନ୍ତି, ପରବର୍ତ୍ତୀ ଶୁଣାଣି ଯାଏଁ ଅପେକ୍ଷା କଲେ ଆକାଶ ଛିଡ଼ି ପଡ଼ିବ ନାହିଁ । ବୁଲଡୋଜର ଲଗାଇ କାହାର ଘରଦ୍ଵାର ଭାଙ୍ଗିବା ଘଟଣାକୁ ବଢ଼େଇ ଚଢ଼େଇ ପ୍ରଶଂସା ନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି ।

କୋର୍ଟ କହିଛନ୍ତି, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆମର ବିନା ଅନୁମତିରେ କାହାରି ଘର ପ୍ରଶାସନ ଭାଙ୍ଗି ପାରିବ ନାହିଁ । ଏପରିକି ନିର୍ବାଚନ କମିଶନଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ତାଗିଦ କରାଯାଇଛି । ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି, ଅପରାଧରେ ସମ୍ପୃକ୍ତ ହେବାର ଅର୍ଥ ନୁହେଁ, ତାର ଘରକୁ ଭଙ୍ଗା ଯିବ ।

ଦିଲ୍ଲୀର ଏକ ଗଣ୍ଡଗୋଳ ମାମଲାର ଅଭିଯୁକ୍ତଙ୍କ ଘରକୁ ପ୍ରଶାସନ ଭାଙ୍ଗି ଦେଇଥିବାରୁ ଏହାର ପ୍ରତିବାଦରେ ସେମାନେ ସୁପ୍ରିମକୋର୍ଟ ଯାଇଥିଲେ। ତା’ର ଶୁଣାଣି କରି ଏପରି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ସୁପ୍ରିମକୋର୍ଟ । ଦେଶରେ କିଛି ଦିନ ହେଲାଣି ଏହି ବୁଲଡୋଜର ଆକ୍ସନ ଚାଲିଛି । କିଏ ଯଦି କୌଣସି ଅପରାଧରେ ସଂପୃକ୍ତ ବୋଲି ଅଭିଯୋଗ ଆସୁଛି, ପ୍ରଶାସନ ପ୍ରଥମେ ବୁଲଡୋଜର ଲଗାଇ ତା’ର ଘର ଭାଙ୍ଗି ଦେଉଛି ।

ପ୍ରଥମେ ଏହି ଟ୍ରେଣ୍ଡ ଆରମ୍ଭ କରିଥିଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେଣୁ ଯୋଗୀଙ୍କୁ ବୁଲଡୋଜର୍ ବାବା ବୋଲି ତାଙ୍କର ସମର୍ଥକ କହନ୍ତି । ଏହି ଟ୍ରେଣ୍ଡ ଅନ୍ୟ ରାଜ୍ୟକୁ ବି ବ୍ୟାପିଲାଣି । ବିଶେଷ କରି ସଂଖ୍ୟାଲଘୁ ସଂପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ବି ଅଭିଯୋଗ ଆସିଛି । ଯାହାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ ।

ଗୁଣ୍ଡାଙ୍କ ମୁଣ୍ଡରେ ବିଜେପି ନେତାଙ୍କ ହାତ, ପୋଲିସ ଚୁପ୍

ଟିଟିଲାଗଡ଼: ବିଜେପି ସରକାରକୁ ଆସିବା ପରଠାରୁ ବିଗିଡି ଯାଇଛି ଆଇନଶୃଙ୍ଖଳା ପରିସ୍ଥିତି । ବଢି ଚାଲିଛି ବିଜେପି ନେତା ଓ କର୍ମୀଙ୍କ ଉତ୍ପାତ । ଇନ୍ଦ୍ରଚନ୍ଦ୍ର କିଛି ମାନୁନାହାନ୍ତି ବିଜେପି ଗୁଣ୍ଡା । ଯାହାକୁ ପାରୁଛନ୍ତି କରୁଛନ୍ତି ଆକ୍ରମଣ । ଗୁଣ୍ଡାଙ୍କ ଉପରେ ବଡ଼ ବଡ଼ ନେତାଙ୍କ ଆଶୀର୍ବାଦ ରହିଥିବାରୁ ଏତଲା ପରେ ବି ପୋଲିସ ପାଟି ଖୋଲୁନି । ଯାହାର ପ୍ରମାଣ ହେଉଛି ଗତକାଲି ରାତିରେ ଟିଟିଲାଗଡ଼ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ଼ ଘଟଣା ।

ଡାକ୍ତରଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ନେଇ ଅଭିଯୋଗ ଆସିଛି । ଜଣେ ରୋଗୀଙ୍କ ମୃତ୍ଯୁକୁ ନେଇ ଡାକ୍ତର ଗୌରବ ପଣ୍ଡାଙ୍କୁ ମାଡ ମାରିଛନ୍ତି ଜଣେ ବିଜେପି କର୍ମୀ । ଟିଟିଲାଗଡ଼ ଥାନାରେ ଡାକ୍ତରଙ୍କ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜରେ ଡାକ୍ତର ଗୌରବ ପଣ୍ଡାଙ୍କୁ ବିଜେପି କର୍ମୀ ଟାଣି ନେଇ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି । ତା’ପରେ ବି ଟିଟିଲାଗଡ଼ ପୋଲିସ ତଦନ୍ତ ଆଳରେ ସମୟ ଗଡ଼ାଇ ଚାଲିଛି ।

ଗତକାଲି ରାତିରେ ଟିଟିଲାଗଡ ସର୍ଗିଗୁଡାର ବିରଞ୍ଚି ସାହୁ ନାମକ ଜଣେ ବିଜେପି କର୍ମୀଙ୍କ ହୃଦଘାତ ପରେ ଟିଟିଲାଗଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ସେଠାରେ ତାଙ୍କର ମୃତ୍ଯୁ ଘଟିଥିଲା । କାର୍ଯ୍ୟରତ ଡାକ୍ତର ଗୌରବ ପଣ୍ଡା ଓ ଡାକ୍ତର ପ୍ରଶାନ୍ତ ତ୍ରିପାଠୀ ବିରଞ୍ଚିଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ କିଛି ବିଜେପି କର୍ମୀ ମେଡିକାଲରେ ପହଞ୍ଚିଥିଲେ । ଡାକ୍ତରଙ୍କ କାର୍ଯ୍ୟରେ ଅବହେଳା ଅଭିଯୋଗ ଆଣି ସେମାନେ ମେଡିକାଲରେ ହୋହଲ୍ଲା କରିଥିଲେ । ଖୋଦ୍ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମେଡିକାଲରେ ଉପସ୍ଥିତ ଥିବା ବେଳେ ବିଜେପି କର୍ମୀମାନେ କାର୍ଯ୍ୟରତ ଡାକ୍ତର ଗୌରବ ପଣ୍ଡା ଓ ପ୍ରଶାନ୍ତ ତ୍ରିପାଠୀଙ୍କୁ ଟାଣି ନେଇ ଆକ୍ରମଣ କରିଥିଲେ I କଲର ଧରି ଟାଣିବା ସହିତ ମୁଥ ମାରିଥିଲେ ବୋଲି ଅଭିଯୋଗ ହୋଇଛି ।

ବିରଞ୍ଚି ସାହୁ ଜଣେ ବିଜେପିର ବରିଷ୍ଠ କର୍ମୀ ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମଧ୍ୟ ଏହି ସମୟରେ ଡାକ୍ତରଖାନାରେ ଉପସ୍ଥିତ ଥିଲେ । ବିଧାୟକଙ୍କ ଉପସ୍ଥିତିରେ ସମର୍ଥକମାନେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମରିଥିବା ଏକ ଭିଜୁଆଲ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ଆକ୍ରମଣ କରିଥିବା ଅଭିଯୋଗ ନେଇ ଆଜି ଟିଟିଲାଗଡ ଥାନାରେ ଏତଲା ଦେଇଛନ୍ତି ମାଡ ଖାଇଥିବା ୨ ଡାକ୍ତର ।

ଟିଟିଲାଗଡ ମେଡିକାଲରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଡାକ୍ତରମାନେ ନିଜକୁ ସୁରକ୍ଷିତ ମନେ କରୁ ନଥିବା ଅଭିଯୋଗ ହୋଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବାସ୍ଥ୍ୟକର୍ମୀ ଦାବି କରିଛନ୍ତି  I ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭକ୍ତପ୍ରସାଦ ଗୁରୁ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଘଟଣା ପରେ ଡାକ୍ତରମାନେ ଭୟଭୀତ ଥିବା କହିଛନ୍ତି ।

ଚୋରା ମଦ କିଣା ବିକାକୁ ନେଇ ଖଣ୍ଡଯୁଦ୍ଧ: ଜଣେ ବେପାରୀ ଆହତ, ଆଉ ଜଣଙ୍କୁ ବାନ୍ଧିଲା ପୋଲିସ

ପାଟକୁରା: ଗଣେଶ ଭସାଣରେ ମଦ କିଣା ବିକାକୁ ନେଇ ଦୁଇ ମଦ ବେପାରୀଙ୍କ ଭିତରେ ଖଣ୍ଡ ଯୁଦ୍ଧ । ପାଟକୁରା ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଆକ୍ରମଣ ପ୍ରତି ଆକ୍ରମଣରେ ଜଣେ ବେପାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ପାଟକୁରା ବାମରା ଗାଁର ମଦ ବ୍ଯବସାୟୀ ରମେଶ ଚନ୍ଦ୍ର ବେହେରା ଓ ନିକଟସ୍ଥ ସରତୋଲା ଗାଁର ଗଣେଶ ପଲେଇ ଚୋରା ମଦ ବେପାର କରୁଥିଲେ । ଦୁହିଁଙ୍କ ଭିତରେ ଚୋରା ମଦ ବିକିବାର ପ୍ରତିଯୋଗିତା ହୁଏ । ଏନେଇ କଥା କଟାକଟି ପରେ, ରମେଶ ଗଣେଶଙ୍କୁ ଏକ ଲୁହା ରଡ, ଠେଙ୍ଗା ଓ ଭୁଜାଲି ସାହାଯ୍ୟରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଗଣେଶଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ରମେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସ୍ଥଗିତ ରହିଲା ଖଣ୍ଡପଡ଼ା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ନିର୍ବାଚନ, ପ୍ରତିବାଦରେ ବିଜେଡି କାଉନସିଲରଙ୍କ ଧାରଣା

ନୟାଗଡ଼: ଖଣ୍ଡପଡ଼ା ଅଧ୍ୟକ୍ଷା ଅନାସ୍ଥା ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସ୍ଥଗିତ ରହିଲା । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ଅନୁପସ୍ଥିତ ରହିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

ମୋଟ ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ଅଧ୍ୟକ୍ଷାଙ୍କ ବିରୋଧରେ ମତଦାନ ପାଇଁ ବିଜେଡି ଶିବିରରେ ୯ ଜଣ କାଉନସିଲର ରହିଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ କାଉନସିଲର ମାନେ ଖଣ୍ଡପଡ଼ା ଏନଏସିରେ ପହଞ୍ଚିଥିଲେ । ମାତ୍ର ନିର୍ବାଚନ ଅଧିକାରୀ ଅନୁପସ୍ଥିତ ଥିଲେ । ଜାଣିଶୁଣି ନିର୍ବାଚନ ଅଧିକାରୀଙ୍କୁ ଅନ୍ୟତ୍ର ପଠାଯାଇଥିବା ଅଭିଯୋଗ ହୋଇଛି । ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଏନଏସି କାର୍ଯ୍ୟାଳୟ ଛାଡ଼ିବୁ ନାହିଁ ବୋଲି କାଉନସିଲରମାନେ ଜିଦ୍ ଧରି ଧାରଣାରେ ବସିଥିଲେ । ପରେ ଉପଜିଲ୍ଲାପାଳ ଆସି ବୁଝାଶୁଝା କରିବା ପରେ ଧାରଣା ହଟିଥିଲା ।

ମୋଦିଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ଭାବେ ପାଳନ କଲା ଯୁବ କଂଗ୍ରେସ

ଭୁବନେଶ୍ବର: ସେପ୍ଟେମ୍ବର ୧୭ ତାରିଖ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଆବାସ ଯୋଜନର ପ୍ରଥମ କିସ୍ତି ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି । ତେବେ ମୋଦିଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ଭାବେ ପାଳନ କରିବା ସହ ତାଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିଛି ଯୁବ କଂଗ୍ରେସ ।

ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଆଜି ମୋଦିଙ୍କ ଗସ୍ତକୁ ବିରୋଧ କରାଯାଇଛି । ଦୁଇ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି ମୋଦି । ଏହାସହ ସୁଭଦ୍ରା ଯୋଜନାର ଆନନ୍ଦକୁ ଦରଦାମର ଯନ୍ତ୍ରଣା ଟପିଗଲା ବୋଲି ଅଭିଯୋଗ କରି ଆଜି ରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ । ଶହ ଶହ ଯୁବ କଂଗ୍ରେସ କର୍ମୀ ରାଜମହଲ ଛକ ଓ ଗାନ୍ଧୀ ମାର୍ଗରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ ।

ବିଶ୍ବକର୍ମା ଭସାଣ ବେଳେ ବୁଡ଼ିଗଲେ ଦୁଇ ଆଇଆଇଟି ଛାତ୍ର

ବାରିପଦା: ଗଣେଶ ଭସାଣ ଅଘଟଣ ମନରୁ ନଯାଉନୁ, ବିଶ୍ବକର୍ମା ଭସାଣରେ ସମାନ ଘଟଣା । ବିଶ୍ବକର୍ମା ଭସାଣ ବେଳେ ବୁଡ଼ି ଦୁଇ ଆଇଆଇଟି ଛାତ୍ରଙ୍କ ମୃତ୍ୟୁ । ଏମିତି ଘଟଣା ଘଟିଛି ବାରିପଦା ଉପକଣ୍ଠ କାଠପାଳ ବନ୍ଧରେ ।

ଗତକାଲି ଗୋପୀନାଥ ଶିଳ୍ପ ତାଲିମ କେନ୍ଦ୍ରରେ ବିଶ୍ବକର୍ମା ପୂଜା ବହୁ ଧୂମଧାମରେ ପାଳନ କରାଯାଇଥିଲା । ଆଜି ମୂର୍ତ୍ତି ବିସର୍ଜନ ପାଇଁ କାଠପାଳ ବନ୍ଧକୁ ଛାତ୍ରମାନେ ଆସିଥିଲେ । ବିସର୍ଜନ କରିବା ବେଳେ ଦୁଇ ଜଣ ଛାତ୍ର ବୁଡ଼ାଯାଇ ନିଖୋଜ ହୋଇଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କର ମୃତଦେହ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ, ଗଣେଶ ଭସାଣ ବେଳେ ରାଜ୍ୟର ଏକାଧିକ ସ୍ଥାନର ସମାନ ଅଭିଯୋଗ ଆସିଥିଲା । ନଦୀରେ ବୁଡି କାହାର ଗୀବନ ଯାଇଥିଲା ତ କେଉଁଠି ପୋଖରୀରେ । ବାରମ୍ବାର ଏମିତି ଘଟଣା ଘଟୁଥିଲେ ବି ଠାକୁର ବିସର୍ଜନ ବେଳେ ରହୁନି ସଚେତନତା । ଅସାବଧାନତା ହେଉ କି ଅନ୍ୟ କିଛି କାରଣ ବାରମ୍ବାର ଏମିତି ଜୀବନ ଯିବା ଚିନ୍ତା ସୃଷ୍ଟି କରିଛି ।