spot_img
Home Blog Page 1583

ଲୋକସଭା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ

ଭୁବନେଶ୍ବର : ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ନୂଆ ସରକାର ଗଠନ ପରେ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀକୁ ଗୁରୁତ୍ୱ ଦିଆଯାଉଛି । ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଜିଲ୍ଲାପାଳ ସମ୍ମିଳନୀର ଶୁଭାରମ୍ଭ ହୋଇଛି । ଏହି ସମ୍ମିଳନୀରେ ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ, ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ, ଗୃହ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ଉନ୍ନୟନ ମୂଳକ କାମ, ସରକାରଙ୍କ ଯୋଜନାର ସଠିକ ରୂପାୟନ, ବିପର୍ଯ୍ୟୟ ପରିଚାଳନା , ସୀମା ବିବାଦ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।

କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ଏମର୍ଜେନ୍ସିଂ ପାସ୍ ନ ହେବାର କାରଣ କି ଇନ୍ଦିରାଙ୍କ ପ୍ରଶଂସା !

ନୂଆଦିଲ୍ଲୀ : ବଲିଉଡ୍ କୁଇନ୍ କଙ୍ଗନା ରାଣାୱତ ଜଣେ ବିଜେପି ସାଂସଦ। କେନ୍ଦ୍ରରେ ମଧ୍ୟ ବିଜେପି ସରକାରର ଶାସନ ଚାଲିଛି । ଏହା ସତ୍ତ୍ବେ ମଧ୍ୟ ରାଣାଓ୍ବତଙ୍କ ଫିଲ୍ମ  ଏମର୍ଜେନ୍ସିଂକୁ  ସେନ୍ସର ବୋର୍ଡ ଅଫ୍ କମିଟି ପାସ୍ କରୁନାହାଁନ୍ତି । ପରିସ୍ଥିତି ଏପରି ଯେ କଙ୍ଗନାଙ୍କୁ ବାରମ୍ବାର କୋର୍ଟ ଦୈାଡିବାକୁ ପଡୁଛି । ନିୟମ ଅନୁଯାୟୀ ସେନ୍ସର ବୋର୍ଡ ଫିଲ୍ମଟିର କିଛି ସିନ୍ କାଟି ମୁକ୍ତ କରିବାକୁ ପ୍ରସ୍ତୁତ ଅଛି । ଫିଲ୍ମ ଏମର୍ଜେନ୍ସିଂ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର । ଯେଉଁଭଳି ଭାବରେ କଙ୍ଗନା ବିଜେପିର ପ୍ରତିପକ୍ଷଙ୍କ ଉପରେ ନିଆଁ ଲଗାଉଛନ୍ତି, ଲାଗୁଥିଲା ଯେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ କାର୍ଯ୍ୟକୁ ଦୃଷ୍ଟିରେ ରଖି ଫିଲ୍ମଟି ତିଆରି ହୋଇଥାଇପାରେ। ଅର୍ଥାତ୍ ଫିଲ୍ମରେ ଇନ୍ଦିରା ଗାନ୍ଧୀ ନିଶ୍ଚୟ ବଦନାମ ହୋଇଥିବେ  । କିନ୍ତୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇନ୍ଦିରା ଗାନ୍ଧୀଙ୍କୁ ଏହି ଫିଲ୍ମରେ ବହୁତ ପ୍ରଶଂସା କରାଯାଇଛି ।

ସାଧାରଣତଃ ବର୍ତ୍ତମାନ ପର୍ଯ୍ୟନ୍ତ କୁହାଯାଉଥିଲା ଯେ ଶିଖମାନଙ୍କ ଆପତ୍ତି କାରଣରୁ ଫିଲ୍ମ ଏମର୍ଜେନ୍ସିଂ ରିଲିଜରେ ବିଳମ୍ବ ହେଉଛି । କିନ୍ତୁ ବର୍ତ୍ତମାନ ଏହି ରିପୋର୍ଟ ପରେ ଲାଗୁଛି ଯେ ଫିଲ୍ମଟି ରିଲିଜ ହେବାରେ ବାଧା ସୃଷ୍ଟି ହେବାର କାରଣ ହେଉଛି ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସହାନୁଭୂତି ସୃଷ୍ଟି କରିବା । ସେପ୍ଟେମ୍ବର ୬ ରେ ଏହି ଫିଲ୍ମ ରିଲିଜ ହେବାକୁ ଥିଲା ବେଳେ, ସେନସର ବୋର୍ଡର ଆପତ୍ତି ଯୋଗୁଁ ଫିଲ୍ମଟି ବିଳମ୍ବ ହୋଇଛି । ପ୍ରକାଶ ଥାଉକି, ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି) ଗୁରୁବାର ବମ୍ବେ ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ରିଲିଜ୍ ହେବା ପୂର୍ବରୁ କଙ୍ଗନା ରାଣାୱତଙ୍କ ଫିଲ୍ମ ଏମର୍ଜେନ୍ସିଂର କିଛି ଦୃଶ୍ୟ  କଟାଯିବା ଦରକାର  ।

ଏହି ଚଳଚ୍ଚିତ୍ରଟି ଇନ୍ଦିରା ଗାନ୍ଧୀଙ୍କ ପ୍ରତି ସହାନୁଭୂତି ସୃଷ୍ଟି କରିଛି 

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାଓ୍ବତଙ୍କ  ଫିଲ୍ମ ଏମର୍ଜେନ୍ସିଂ ।  ତେବେ ଏହି ଚଳଚ୍ଚିତ୍ରର ଲେଖକ ତଥା ଅଭିନେତା ଜଣେ ବିଜେପି ନେତା ହୋଇଥିବାରୁ ଏହା ସ୍ପଷ୍ଟ ଯେ ଲୋକମାନେ ଭାବୁଛନ୍ତି ଯେ ଏହି ଚଳଚ୍ଚିତ୍ରରେ କେବଳ ଇନ୍ଦିରା ଗାନ୍ଧୀଙ୍କ ଜୀବନର ନକାରାତ୍ମକ ଦିଗ ଦେଖାଯାଇଥାନ୍ତା । କିନ୍ତୁ ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟରେ ଐତିହାସିକ ମଖଖାନ୍ ଲାଲ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ କଂଗ୍ରେସ ମଧ୍ୟ ଏହାଠାରୁ ଭଲ ଚଳଚ୍ଚିତ୍ର ନିର୍ମାଣ କରିପାରି ନଥାନ୍ତା । ପ୍ରଫେସର ଲାଲ କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ତଥ୍ୟଗୁଡିକ କୈାଣସି ପରିବର୍ତ୍ତନ କରାଯାଇ ନାହିଁ ଏବଂ  ଫିଲ୍ମଟି ଦେଖିବା ପରେ ଲୋକଙ୍କର  ଇନ୍ଦିରା ଗାନ୍ଧୀଙ୍କ ପ୍ରତି ସହାନୁଭୂତି ବଢିବ । ସୂଚନାଯୋଗ୍ୟ ଯେ ଏହି ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ। କିମ୍ବା ଏହି ଚଳଚ୍ଚିତ୍ରର କୈାଣସି ପ୍ରେସ୍ ସମୀକ୍ଷା ହୋଇନାହିଁ  ।

ଅନ୍ଧବିଶ୍ବାସର ଜଘନ୍ଯ ପରିଣତି , ଦୁଇ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିଲେ ଉତ୍ତ୍ଯକ୍ତ ଲୋକେ

ନୂଆପଡା : ଅନ୍ଧବିଶ୍ବାସର ଜଘନ୍ଯ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଦୁଇ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିଲେ ଉତ୍ତ୍ଯକ୍ତ ଲୋକେ । ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅଞ୍ଚଳରେ ଘଟିଛି ଏଭଳି ବର୍ବର କାଣ୍ଡ । ଗୁଣି ସନ୍ଦେହରେ ଡୁମେରପଦର ଗାଁର ଦୁଇ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିବା ସହ ମୁହଁରେ ଲଙ୍କାଗୁଣ୍ଡ ମାରିଥିଲେ ଦୁର୍ବୃତ୍ତ । ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି ଡୁମେରପଦର ଗାଁର ୬୫ ବର୍ଷୀୟ ଭୋଜରାମ ରଣା ଓ ୬୦ ବର୍ଷୀୟ ଗୋବର୍ଦ୍ଧନ ରଣା । ଅଭିଯୋଗ ଅନୁସାରେ ଡୋଟୋ ଗାଁର ଲଳିତ ରଣାଙ୍କ ଝିଅଙ୍କର ସ୍ବାସ୍ଥ୍ଯବସ୍ଥା ଖରାପ ଥିଲା । ଯେତେ ଚିକିତ୍ସା କରିଥିଲେ ବି ଝିଅଟି ସୁସ୍ଥ ହୋଇନଥିଲା । ଏଣୁ କେହି ଗୁଣି କରିଥିବା ପରିବାର ଲୋକ ସନ୍ଦେହ କରିଥିଲେ । ଦୁଇଦିନ ତଳେ ଗାଁରେ ବୈଠକ କରି ଭୋଜରାମ ଓ ଗୋବର୍ଦ୍ଧନଙ୍କୁ ଡକାଇଥିଲେ । କିନ୍ତୁ ଉଭୟ ବୈଠକକୁ ଆସି ନଥିଲେ । ଏହାକୁ ନେଇ ଲଳିତଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଥିଲେ । ବୁଧବାର ରାତିରେ କିଛି ଯୁବକ ଭୋଜରାମ ଓ ଗୋବର୍ଦ୍ଧନଙ୍କ ଘରେ ପଶି ନିସ୍ତୁକ ମାଡ଼ ମାରିଥିଲେ । ପରେ ମୁଣ୍ଡରେ ବିଷ୍ଠା ଢାଳିବା ସହ ମୁହଁରେ ଲଙ୍କାଗୁଣ୍ଡ ବୋଳିଦେଇଥିଲେ । ଘଟଣାକୁ ନେଇ ସାରା ରାଜ୍ଯରେ ଚାଞ୍ଚଲ୍ଯ ଖେଳିଯାଇଥିବାବେଳେ ଥାନାରେ ଅଭିଯୋଗ ହୋଇଛି । ପୋଲିସ ୯ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ

ବାରିପଦା :  ଟ୍ରାଙ୍କୁଲାଇଜ ହେଲା ନରହନ୍ତା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀରେ ମାତିଥିବା ଗୋଠଛଡ଼ା ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରି କପିଳାଶ ଥଇଥାନ କେନ୍ଦ୍ରକୁ ଅଣାଯାଇଛି । ଏହି ଦନ୍ତା ଆକ୍ରମଣରେ ୩ ଦିନରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୨୪ ତାରିଖ ରାତିରେ ଝାଡ଼ଖଣ୍ଡରୁ ଓଡ଼ିଶା ସୀମାରେ ପଶିଥିଲା ଏହି ଦନ୍ତା । ସୀମାନ୍ତବର୍ତ୍ତୀ ଶୁଳିଆପଦା ବ୍ଲକରେ ବ୍ୟାପକ ଫସଲ ଉଜାଡ଼ିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରିଥିଲା । ଗତକାଲି ରାତିରେ ଦନ୍ତାଟି ବାରିପଦା ବ୍ଲକ୍ ବିସିପୁର ପଞ୍ଚାୟତ ବାଦଲସାହି ନିକଟରେ ବୁଲୁଥିବାବେଳେ ବନବିଭାଗ ଟ୍ରାଙ୍କୁଲାଇଜ୍ କରିଥିଲା । ପରେ ହାତୀଟି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା । ପ୍ରାୟ ଘଣ୍ଟାଏ ପରେ ନିଶ୍ଚେତକ ପ୍ରଭାବରେ ହାତୀଟି ଅଚେତ ହୋଇଯାଇଥିଲା । ବନ ବିଭାଗ ଏକ ଗାଡ଼ିରେ ତାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା । ନିଶ୍ଚେତକ ପ୍ରଭାବ କମିବାପରେ ତାକୁ କାବୁ କରିବା ପାଇଁ ଆସାମରୁ ତାଲିମପ୍ରାପ୍ତ ମାହୁନ୍ତଙ୍କୁ ନିୟୋଜିତ କରାଯିବ ।

ପଞ୍ଜାବରେ ସୁନୀଲ ଜାଖରଙ୍କ ଇସ୍ତଫା ବିଜେପି ପାଇଁ ପଡିବ କି ଭାରି ?

ଚଣ୍ଡୀଗଡ :  ପଞ୍ଜାବରେ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା । ବିଜେପିର ରାଜ୍ୟ ସଭାପତି ସୁନୀଲ ଜାଖର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ସୁନୀଲ ଜାଖରଙ୍କ ଇସ୍ତଫା ଗ୍ରହଣ କରିନାହାଁନ୍ତି ହାଇକମାଣ୍ଡ ।

ଗତ କିଛି ମାସ ମଧ୍ୟରେ , ଜାଖର ରାଜ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକଠାରୁ ନିଜକୁ ଦୂରେଇ ରଖୁଥିଲେ  । ତେବେ ଏବେ ଇସ୍ତଫା ନେଇ ସୁନୀଲ ଜାଖର ନୀରବତା ବଜାୟ ରଖିଛନ୍ତି । କୁହାଯାଉଥିଲା ଯେ ଲୋକସଭା ନିର୍ବାଚନରେ ​​ହାରିବା ସତ୍ତ୍ୱେ ରାବଣୀତ ସିଂ ବିଟୁଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯିବା ପାଇଁ ଜାଖର ରାଗିଛନ୍ତି । ବିଜେପି ବିଟୁକୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇଛି ।

ସୂଚନାନୁସାରେ , ୨୦୨୪ ଲୋକସଭା ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ପଞ୍ଜାବ ବିଜେପିରେ ଏକ ବଡ ପରିବର୍ତ୍ତନ ହୋଇଥିଲା । ତା’ପରେ ଦଳ ପଞ୍ଜାବ ୟୁନିଟର ଦାୟିତ୍ବ ପୂର୍ବତନ କଂଗ୍ରେସ ନେତା ସୁନୀଲ ଜାଖରଙ୍କୁ ଦେଇଥିଲା । ପଞ୍ଜାବ କଂଗ୍ରେସର ଅନ୍ୟତମ ପ୍ରମୁଖ ନେତା ଜାଖର ପଞ୍ଜାବ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ପରାଜୟ ପରେ ମେ ୨୦୨୨ ରେ ବିଜେପିରେ ଯୋଗ ଦେଇଥିଲେ । ସେ ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ । ଅତୀତରେ ଜାଖର ଦୁଇଥର ଆବୋହରରୁ ବିଧାୟକ ଏବଂ ଥରେ ଗୁରୁଦାସପୁର ନିର୍ବାଚନମଣ୍ଡଳୀରୁ ସାଂସଦ ରହିଛନ୍ତି । ଜାଖର ମଧ୍ୟ ୨୦୨୧ ପର୍ଯ୍ୟନ୍ତ ଚାରି ବର୍ଷ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ କରିଥିଲେ ।

ଆଜି ଖଣ୍ଡପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍

ଖଣ୍ଡପଡା : ଆଜି ଖଣ୍ଡପଡାରେ ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ । ୧୭ ତାରିଖରେ ଅନୁଷ୍ଠିତ ହେବାର ଥିଲା । ତେବେ ସେଦିନ ନିର୍ବାଚନ ଅଧିକାରୀ ଅନୁପସ୍ଥିତ ରହିବାରୁ ଏହାକୁ ସ୍ଥଗିତ ରଖି ଆଜି ଅନାସ୍ଥା ଭୋଟ କରାଯିବାକୁ ଜିଲ୍ଲାପାଳ ଘୋଷଣା କରିଥିଲେ । ଆଜି ଦିନ ୧୧ଟା ସମୟରେ ଅନାସ୍ଥା ଭୋଟ୍ ଗ୍ରହଣ କରାଯିବା ନେଇ ଏନଏସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ଗତ ନିର୍ବାଚନରେ ଖଣ୍ଡପଡ଼ା ଏନଏସିର ମୋଟ ୧୩ଟି ୱାର୍ଡ ଭିତରୁ ବିଜେଡିର ୮, ବିଜେପିରୁ ଜଣେ ଏବଂ ୪ ଜଣ ସ୍ବାଧୀନ କାଉନସିଲର ଜିତିଥିଲେ । ଏନଏସି ଅଧ୍ୟକ୍ଷା ଆରତୀ ପ୍ରଧାନ କାଉନସିଲରମାନଙ୍କୁ ଅଣଦେଖା କରିବା ସହ ବିଭିନ୍ନ ଅନିୟମିତତା କରୁଥିବା ଅଭିଯୋଗରେ ଅନାସ୍ଥା ପ୍ରସ୍ତାବ ପାଇଁ ଗତ ଅଗଷ୍ଟ ୧ ତାରିଖରେ ନୟାଗଡ଼ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ଉପାଧ୍ୟକ୍ଷ ମିହିର ମିଶ୍ରଙ୍କ ସମେତ ୮ ଜଣ କାଉନସିଲର । ସେପ୍ଟେମ୍ବର ୧୭ରେ ଏନ୍ଏସିରେ ଅନାସ୍ଥା ଭୋଟ୍ କରାଯିବ ବୋଲି ସତ୍ୟପାଠ ଦାଖଲ କରିଥିଲା ନୟାଗଡ଼ ଜିଲ୍ଲା ପ୍ରଶାସନ ।

ପୂର୍ବତନ ସେନା ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର :  ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରୁ ପୂର୍ବତନ ସେନା ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଖୋର୍ଦ୍ଧା ବାଣପୁର ଅଞ୍ଚଳର ଅନୀଲ ଛୋଟରାୟ । ଗତକାଲି ସନ୍ଧ୍ଯାରେ ପୋଲିସ ମୃତଦେହ ଉଦ୍ଧାର କରିଛି । ଅନୀଲ ସ୍ତ୍ରୀ ଓ ପିଲାଙ୍କ ସହ ନୟାପଲ୍ଲୀ ନୂଆସାହିରେ ରହୁଥିଲେ । ଘରେ କେହି ନଥିବାବେଳେ ଗତକାଲି ପୋଲିସ କବାଟ ଭାଙ୍ଗି ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ଅନୀଲଙ୍କୁ ହତ୍ଯା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ ଓ ଭାଇ । ସାଇଣ୍ଟିଫିକ ଟିମ୍ ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି ।

ଆଜିଠୁ କାନପୁରରେ ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ

ନୂଆଦିଲ୍ଲୀ :  ଆଜିଠୁ ଭାରତ-ବାଂଲାଦେଶ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ । କାନପୁରରେ ସକାଳ ସାଢେ ୯ଟାରୁ ଆରମ୍ଭ ହେବ ଖେଳ । ଚେନ୍ନାଇରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ୨୮୦ ରନରେ ଜିତିବା ପରେ ଭାରତୀୟ ଖେଳାଳି ଜୋସରେ ଅଛନ୍ତି । ଶୃଙ୍ଖଳାରେ କ୍ଲିନ୍ ସୁଇପ୍ ବିଜୟ ହାସଲ କରିବା ସହ ଲଗାତାର ତୃତୀୟ ବର୍ଷ ପାଇଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପର ଫାଇନାଲ୍ ଖେଳିବାକୁ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ଯାଚ ଗୁରୁତ୍ବପୂର୍ଣ୍ଣ । କାନପୁର ପିଚ୍ ଉଭୟ ଦଳ ପାଇଁ ନୂଆ ଆହ୍ବାନ ସାଜିବ । ଏଣୁ ଦୁଇଦଳ ରଣନୀତି ପରିବର୍ତ୍ତନ କରିପାରନ୍ତି । ଯଶପ୍ରୀତ ବୁମରାଙ୍କୁ ମ୍ଯାଚରେ ବିଶ୍ରାମ ଦିଆଯାଇପାରେ । ତିନି ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ ରୋହିତ ବାହିନୀ । ଅକ୍ଷର ପଟେଲ କିମ୍ବା କୁଲଦୀପ ଯାଦବଙ୍କ ଭିତରୁ ଜଣେ ଖେଳିପାରନ୍ତି । ଏପଟେ ବାଂଲାଦେଶ ବାଉନ୍ସବ୍ୟାକ କରିବା ଉଦ୍ଦେଶ୍ୟରେ ରହିଛି । ଚେନ୍ନାଇ ଟେଷ୍ଟରେ ଭାରତର ଦମଦାର ବିଜୟ ହାସଲ କରିଥିଲା । ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରି ୨ ମ୍ଯାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।

ଲେବାନନ ଉପରେ ଇସ୍ରାଏଲର ଭୀଷଣ ଆକ୍ରମଣ

ଇସ୍ରାଏଲ୍ : ଲେବାନନ ଉପରେ ଇସ୍ରାଏଲର ପୁଣି ଭୀଷଣ ହମଲା। ରାଜଧାନୀ ବେରୁତ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲର ସେନା ଆଇଡିଏଫ୍। ଆକ୍ରମଣରେ ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହିଜବୁଲ୍ଲାର ଡ୍ରୋନ ୟୁନିଟ୍ ମୁଖ୍ୟ ମହମ୍ମଦ ସରୁରକୁ ଟାର୍ଗେଟ କରାଯାଇଥିଲା। ଆକ୍ରମଣରେ ମହମ୍ମଦ ସରୁରୁର ମୃତ୍ଯୁ ହୋଇଥିବା ଜଣାପଡ଼ିଛି । ଏହି ଆକ୍ରମଣ ବେରୁତର ଦକ୍ଷିଣର ଥିବା ଦହିହ ଅଂଚଳର ଏକ ବହୁତଳ କୋଠାର ସ୍ଵତନ୍ତ୍ର ମହଲାକୁ ଟାର୍ଗେଟ କରି କରାଯାଇଥିଲା । ଏହି ମହଲାରେ ହିଜବୁଲ୍ଲାର ଡ୍ରୋନ କମାଣ୍ଡର ଲୁଚିକି ରହିଥିବା କହିଛି ଇସ୍ରାଏଲ। ଆକ୍ରମଣ ସଫଳ ହୋଇଥିବା ଇସ୍ରାଏଲ ଆର୍ମି ରେଡିଓ ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣରେ ଆଉ ୪ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଏହି ବିଲ୍ଡିଂ ଉପରକୁ ୩ଟି ଅଲଗା ଅଲଗା ମିସାଇଲ ଆକ୍ରମଣ ହୋଇଥିଲା। ବେରୁତର ଦହିହ ଅଂଚଳ ହିଜବୁଲ୍ଲାର ଗଡ଼ ରୂପେ ପରିଗଣିତ ହେଉଛି। ଇସ୍ରାଏଲ ଆକ୍ରମଣର ମଧ୍ୟ କଡ଼ା ଜବାବ ଦେଇଛି ଲେବାନନ। ଇସ୍ରାଏଲ ଉପରେ ଏକାଧିକ ରକେଟ ମାଡ଼ କରିଛି ଲେବାନନ। ଇସ୍ରାଏଲର ମାଉଣ୍ଟ ମେରୋନ ଅଂଚଳରେ ରକେଟ ହମଲା ହୋଇଥିଲା। ପାଖାପାଖି ୪୦ ରକେଟକୁ ଠାବ କରିଥିଲା ଇସ୍ରାଏଲ ସେନା। ଗତ ମଙ୍ଗଳବାର ଦିନ ବେରୁତର ଏହି ଅଂଚଳରେ ହିଜବୁଲ୍ଲାର ରକେଟ୍ ହମଲା ମୁଖ୍ୟ ମହମ୍ମଦ କବିସିଙ୍କୁ ନିପାତ କରିଥିଲା ଆଇଡିଏଫ୍। ଗତ ଶୁକ୍ରବାର ଦିନ ହିଜବୁଲ୍ଲାର ଆତଙ୍କୀ ଅପରେସନ ମୁଖ୍ୟ ଇବ୍ରାହିମ ଅକିଲର ମୃତ୍ୟୁ ହୋଇଥିଲା।

ଆଜିଠୁ ନର୍ସଙ୍କ କାର୍ଯ୍ଯବନ୍ଦ ଆନ୍ଦୋଳନ

ଭୁବନେଶ୍ବର : ଆଜିଠୁ ଅଚଳ ହୋଇଯିବ ନର୍ସିଂ ସେବା । ସାରା ରାଜ୍ଯରେ ଆଜିଠୁ ନର୍ସଙ୍କ କାର୍ଯ୍ଯବନ୍ଦ ଆନ୍ଦୋଳନ । ଗତ ଦୁଇଦିନ ଆନ୍ଦୋଳନ କରିଥିଲେ ବି ଜରୁରୀକାଳୀନ ସେବା ଯୋଗାଉଥିଲେ ନର୍ସ । ହେଲେ ସରକାର ଦାବି ନଶୁଣିବାରୁ ଆଜିଠୁ ସମ୍ପୂର୍ଣ୍ଣ କାର୍ଯ୍ଯବନ୍ଦ ଆନ୍ଦୋଳନ କରୁଛନ୍ତି । ବିକ୍ଷୋଭରେ ପ୍ରାୟ ୧୫ ହଜାର ନର୍ସ ସାମିଲ ହୋଇଛନ୍ତି । ୧୦ ଦଫା ଦାବି ନେଇ ନର୍ସିଂ ସଂଘ ସରକାରଙ୍କୁ ପୂର୍ବରୁ ମାସେ ସମୟ ସୀମା ଦେଇଥିଲା । ମାତ୍ର କୌଣସି ପଦକ୍ଷେପ ନିଆଗଲା ନାହିଁ । ଏହାପରେ ନର୍ସିଂ ସଂଘ ଗତ ବୁଧବାରଠୁ ଆନ୍ଦୋଳନକୁ ଓହ୍ଲାଇଛି । ନର୍ସମାନେ ପ୍ରଥମ ଦୁଇଦିନ ଓପିଡି ସେବା ବନ୍ଦ କରି କେବଳ ଜରୁରୀକାଳୀନ ସେବା ଯୋଗାଇଥିଲେ । ଦୁଇଦିନରେ ଦାବି ପୂରଣ ନହେଲେ କାର୍ଯ୍ଯବନ୍ଦ ଆନ୍ଦୋଳନ ପାଇଁ ଧମକ ଦେଇଥିଲେ । ହେଲେ ଏକାଧିକ ଥର ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା । ନର୍ସଙ୍କ କାର୍ଯ୍ଯବନ୍ଦ ଆନ୍ଦୋଳନ ଫଳରେ ରାଜ୍ଯରେ ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ତୁରନ୍ତ ଆପୋଶ ବୁଝାବଣାରେ ମାମଲାର ସମାଧାନ ପାଇଁ ଗତକାଲି ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ସହ ସମସ୍ତ ଆର୍ଥିକ ସହାୟତା ଦାବି କରିଛି ସଂଘ । ଏହାସହ ବରିଷ୍ଠତା ଭିତ୍ତିରେ ପଦୋନ୍ନତି, CHO ପଦବୀରୁ ଫେରାଇ ଆଣି କ୍ୟାଡ଼ର ପୋଷ୍ଟ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସର ମାନଙ୍କୁ ସ୍ଥାୟୀ, ଠିକା ସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜନ ହୋଇଥିବା ଆଦେଶ ପ୍ରତିହାର ପରି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ନର୍ସି କର୍ମଚାରୀ ସଂଘ ।