spot_img
Home Blog Page 1582

ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ଭାସିଗଲେ ୩, ଜଣେ ନାବାଳକ ମୃତ

ବାଲେଶ୍ବର: ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଜଣ ନାବାଳକ । ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର । ଅନ୍ଯ ୨ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ସର୍ଦ୍ଦାରସାହି ଗାଁରେ ଘଟିଛି ଏହି ଅଘଟଣ ।

ସୁବାସ ରଣାଙ୍କ ସାନପୁଅ ତାପସ ରଣା ଏବଂ ତାଙ୍କର ଦୁଇସାଙ୍ଗ ମଧ୍ଯାହ୍ନରେ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀର ଜଳସ୍ରୋତ ବଢୁଥିବା ସହିତ ପ୍ରବଳ ସୁଅରେ ସମସ୍ତେ ଭାସି ଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।

ଜଣେ ନାବାଳକର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କାନପୁର ଟେଷ୍ଟ ମ୍ୟାଚରେ ବାଂଲାଦେଶୀ ଫ୍ୟାନ୍ସଙ୍କୁ ମାଡ ଅଭିଯୋଗ

କାନପୁର: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଜଣେ ବାଂଲାଦେଶ ପ୍ରଶଂସକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏହା ପରେ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା।

‘ରବି ଟାଇଗର’ ନାମରେ ଜଣାଶୁଣା ଏହି ବ୍ୟକ୍ତି ବାଂଲାଦେଶ କ୍ରିକେଟ୍ ଦଳର ଜଣେ ବଡ ପ୍ରଶଂସକ। ସେ ନିଜ ଦଳକୁ ସମର୍ଥନ କରିବା ପାଇଁ ପ୍ରତ୍ୟେକ ମ୍ୟାଚରେ ସେ ପହଞ୍ଚି  ଯାଆନ୍ତି  । ରିପୋର୍ଟ ଅନୁଯାୟୀ, କାନପୁରରେ ସେ ବାଂଲାଦେଶୀ ଟିମର ପତାକା ଉଡାଇବା ସହ ତାଙ୍କ ଦଳକୁ ସମର୍ଥନ କରିବା ପାଇଁ ସ୍ଲୋଗାନ ଦେଉଥିଲେ। ଏହାପରେ କିଛି ସ୍ଥାନୀୟ ପ୍ରଶଂସକଙ୍କ ସହ ତାଙ୍କୁ ସଂଘର୍ଷ କରିବାକୁ ପଡିଥିଲା ।

ଏହି ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ସୁରକ୍ଷାକର୍ମୀମାନେ ତୁରନ୍ତ ଏ ବିଷୟରେ ଜାଣି ତାଙ୍କୁ ଡାକ୍ତରଖାନା ନେଇଥିଲେ।

 

ରିପୋର୍ଟ ଅନୁସାରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ବାଂଲାଦେଶୀ ପ୍ରଶଂସକ ଏବଂ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ବାଂଲାଦେଶର ଏହି ପ୍ରଶଂସକ ଗ୍ରୀନ୍ ପାର୍କ ଷ୍ଟାଡିୟମର ବାଲକୋନିରେ ବସିଥିଲେ ଏବଂ ତାଙ୍କ ଦଳକୁ ସମର୍ଥନ କରି ସ୍ଲୋଗାନ ମଧ୍ୟ ଦେଇଥିଲେ।

ଏହାପରେ ତଳ ଆସନରେ ବସିଥିବା କିଛି ସ୍ଥାନୀୟ ପ୍ରଶଂସକଙ୍କ ସହ ତାଙ୍କର ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହା ପରେ ସେମାନେ ତାଙ୍କୁ ମାଡ ମାରିଥିଲେ । ଡାକ୍ତରଖାନା ନିଆଯାଉଥିବା ବେଳେ ବାଂଲାଦେଶୀ ପ୍ରଶଂସକ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଅଣ୍ଟା ଓ ପେଟରେ ଆକ୍ରମଣ ହୋଇଛି।

ଗ୍ରୀନ୍ ପାର୍କ ଷ୍ଟାଡିୟମ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ବାଂଲାଦେଶୀ ପ୍ରଶଂସକଙ୍କ ଆକ୍ରମଣ ଅଭିଯୋଗକୁ ନିଶ୍ଚିତ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ଏଥିସହ ଏହି ଘଟଣାର ଗଭୀର ଅନୁସନ୍ଧାନ କରାଯିବ।

 

ଚାଭାରେ ବିକ୍କି କୌଶଲଙ୍କ ସହ ନାଚିଲେ ୭୦୦ ଡାନ୍ସର

ମୁମ୍ବାଇ: ବିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ‘ଚାଭା’ର ଟିଜର ରିଲିଜ ପରେ ଉତ୍ସାହିତ ଫ୍ୟାନ୍ସ  । ଏହି ଚଳଚ୍ଚିତ୍ରର ଅଫିସିଆଲ୍ ଟିଜର ଅଗଷ୍ଟ ୧୯ରେ ମୁକ୍ତିଲାଭ କରିଛି ​​ । ‘ଚାଭା’ର ଅପଡେଟ୍‌ ଆସିବା ପରେ ଦର୍ଶକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି  । କୁହାଯାଉଛି ଯେ ‘ଚାଭା’ରେ ଏକ ଗୀତ ରହିଛି, ଯେଉଁ ଗୀତର ସୁଟିଂ ପାଇଁ ୭୦୦ ନୃତ୍ୟଶିଳ୍ପୀଙ୍କୁ ବ୍ୟବହାର କରାଯାଇଛି ।

 

ଛତ୍ରପତି ସମ୍ୱାଜୀ ମହାରାଜ ୧୭ ଶତାବ୍ଦୀର ଜଣେ ମରାଠା ଯୋଦ୍ଧା ଥିଲେ। ଏହି ଚଳଚ୍ଚିତ୍ରଟି ସାମ୍ବାଜୀ ଏବଂ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ କାହାଣୀ ଉପରେ ଆଧାରିତ | ‘ଚାଭା’ରେ ରଶ୍ମିକା ମନ୍ଦାନା ସମ୍ୱାଜୀ ମହାରାଜଙ୍କ ପତ୍ନୀ’ ୟସୁବାଇ ‘ଭୂମିକାରେ ଅଭିନୟ କରୁଛନ୍ତି। ଲକ୍ଷ୍ମଣ ଉଟେକର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଚଳଚ୍ଚିତ୍ରଟି ହେଉଛି ତାଙ୍କର ପ୍ରଥମ ଐତିହାସିକ ଡ୍ରାମା ଯାହା ମରାଠା ରାଜା ସମ୍ୱାଜୀ ମହାରାଜଙ୍କ ଉପରେ ଆଧାରିତ  । ବିକି କୌଶଲଙ୍କ ଲୁକ୍ ଏବଂ ସେଟ୍କୁ ଟିଜରରେ ବହୁତ ପ୍ରଶଂସା କରିଛନ୍ତି ଦର୍ଶକ ।

 

ଚାଭା’ କାହାଣୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ୧୬୧୮ ମସିହାରେ ଯେତେବେଳେ ସମ୍ୱାଜୀ ମହାରାଜଙ୍କ ରାଜ୍ୟାଭିଷେକ ହୋଇଥିଲା।ଏକ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ମେ ମାସରେ ଏହି ଦୃଶ୍ୟ ପାଇଁ ଏକ ଗୀତ ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ ବିକି ଓ ରଶ୍ମିକାଙ୍କ ସହ ପ୍ରାୟ ୭୦୦ ନୃତ୍ୟଶିଳ୍ପୀ ସାମିଲ ହୋଇଥିଲେ। ସୂଚନାନୁସାରେ, ଏହି ଗୀତ ପାଇଁ ଫିଲ୍ମ ସିଟିରେ ରାଇଗଡ ଦୁର୍ଗ ପରି ଏକ ଚମତ୍କାର ସେଟ୍ ପ୍ରସ୍ତୁତ କରାଯାଇଥିଲା। ଡିଜାଇନର୍ ସୁବ୍ରତ ଚକ୍ରବର୍ତ୍ତୀ ଏବଂ ଅମିତ ରୟଙ୍କ ଦ୍ୱାରା ଏହି ସେଟ୍ ପ୍ରସ୍ତୁତ କରାଯାଇଥିଲା ।|

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ଗାଦିଚ୍ଯୁତ ପଛରେ କାହାର ଥିଲା ହାତ ?

ଢାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଗାଦିଚ୍ଯୁତ ପଛରେ କାହାର ଥିଲା ହାତ। କାହା ଲାଗି ସାରା ବାଂଲାଦେଶରେ ଲାଗିଥିଲା ନିଆଁ। ଏହି ପ୍ରଶ୍ନ ଏବେ ବି ସାରା ବିଶ୍ବରୁ ଦୂର ହୋଇ ନଥିବାବେଳେ ଖୋଦ ଅନ୍ତରୀଣ ସରକାରର ମୁଖ୍ଯ ପ୍ରଫେସର ମହମ୍ମଦ ୟୁନୁସ କରିଛନ୍ତି ବଡ ଖୁଲାସା। ସେ କହିଛନ୍ତି ଏହି ଐତିହାସିକ ଆନ୍ଦୋଳନର ବ୍ରେନ ଥିଲେ ମହଫୁଜ ଆଲାମ। ଜାତିସଂଘ ସାଧାରଣ ଆସେମ୍ବ୍ଲି ଅଧିବେଶନ ପରିପ୍ରେକ୍ଷୀରେ ଆୟୋଜିତ କ୍ଲିଣ୍ଟନ ଗ୍ଲୋବାଲ ଇନିସିଏଟିଭରେ ଯୋଗ ଦେଇ ସେ ଦେଶରେ ଦେଖାଦେଇଥିବା ଛାତ୍ର ଆନ୍ଦୋଳନକୁ ପ୍ରଶଂସା କରିଛନ୍ତି । ମନସୁନ ରିଭଲ୍ଯୁସନ ନାମରେ ପରିଗଣିତ ହୋଇଥିବା ଛାତ୍ର ଆନ୍ଦୋଳନ ୧୬ ବର୍ଷର ଶେଖ ହସିନା ସରକାରକୁ ଗାଦିଚ୍ୟୁୁତ କରିବାରେ ସକ୍ଷମ ହୋଇଥିଲା ବୋଲି କହିଛନ୍ତି ୟୁନୁସ। ଛାତ୍ର ଆନ୍ଦୋଳନ କାଳରେ ନିଜ ଜୀବନକୁ ବିପନ୍ନ କରି ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ତେବେ ଏହି ଐତିହାସିକ ଛାତ୍ର ଆନ୍ଦୋଳନ ମୂଳରେ ତାଙ୍କର ସ୍ବତନ୍ତ୍ର ସହକାରୀ ମହଫୁଜ ଆଲାମ ହିଁ ମୁଖ୍ଯ ଭୂମିକା ନେଇଥିଲେ ବୋଲି କହିଛନ୍ତି ୟୁନୁସ । ଯଦିଓ ଏହାକୁ ଆଲାମ ଅଗ୍ରାହ୍ଯ କରିଆସୁଛନ୍ତି ତଥାପି ସେ ହିଁ ଆନ୍ଦୋଳନର ବ୍ରେନ ଥିଲେ ବୋଲି ସେ କହିଛନ୍ତି । ତେବେ ସରକାର ବିରୋଧରେ ହୋଇଥିବା ଜାଗରଣ ଆକସ୍ମିକ ନଥିଲା ବରଂ କ୍ରମାଗତ ଅସନ୍ତୋଷର ଫଳ ଥିଲା ବୋଲି ସେ କହିଛନ୍ତି । ବିବାଦୀୟ ସଂରକ୍ଷଣ ନୀତି ବିରୋଧରେ ବାଂଲାଦେଶର ଛାତ୍ରଆନ୍ଦୋଳନ ଗତ ଜୁଲାଇରେ ଆରମ୍ଭ ହୋଇଥିଲା। ଶେଖ ହସିନାଙ୍କ ଇସ୍ତଫା ପରେ ଥମିଥିଲା ଆନ୍ଦୋଳନ । ଅନ୍ତରୀଣ ସରକାରର ମୁଖ୍ଯ ହେବା ପରେ ୟୁନୁସଙ୍କ ସହଯୋଗୀ ଭାବେ ଆଲାମଙ୍କୁ ନିଯୁକ୍ତ ଦିଆଯାଇଥିଲା।

 ଉତ୍ତରପ୍ରଦେଶ : ହାଥରସର ଏକ ସ୍କୁଲରେ ଶିଶୁ ବଳି

ହାଥରସ୍ :  ଏବେ ବି ସମାଜରେ ସତେଜ ରହିଛି ଅନ୍ଧବିଶ୍ବାସ । ପୁଣି ଚର୍ଚ୍ଚାରେ ଉତ୍ତରପ୍ରଦେଶ ହାଥରସ। ଏକ ସ୍କୁଲର ଉତ୍ତରୋତ୍ତର ବିକାଶ ଓ ଖ୍ଯାତି ଲାଗି ଏକ ଦ୍ବିତୀୟ ଶ୍ରେଣୀ ଛାତ୍ରକୁ ବଳି ଦିଆଯାଇଛି । ସ୍କୁଲର ଛାତ୍ରାବାସରେ ଗତ ସେପ୍ଟେମ୍ବର ୨୨ ତାରିଖରେ ତିନି ଜଣ ବ୍ଯକ୍ତି ଶିଶୁର ତଣ୍ଟି ଚିପି ହତ୍ଯା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ଯରେ ଅଛନ୍ତି ସ୍କୁଲର ମାଲିକ ଯଶୋଧନ ସିଂ, ପୁଅ ତଥା ସ୍କୁଲ ନିର୍ଦ୍ଦେଶକ ଦୀନେଶ ବାଘେର ଓ ୩ ଜଣ ଶିକ୍ଷକ।  ପୋଲିସ ଅନୁସାରେ ଗତ ସେପ୍ଟେମ୍ବର ୬ରେ ଅନ୍ଯ ଏକ ଶିଶୁକୁ ବଳି ଦେବା ଲାଗି ଯୋଜନା କରିଥିଲେ । ମାତ୍ର ତାହା ସଫଳ ହୋଇ ନଥିଲା । ପିଲାଟି ଚିତ୍କାର କରି ଦୌଡି ଚାଲିଯିବାରୁ ସେମାନଙ୍କ ଉଦ୍ଯମ ବିଫଳ ହୋଇଥିଲା ।

ପରେ ମେଡିକାଲରେ ପରୀକ୍ଷା ପରେ ତାର ବେକକୁ ଚିପା ଯାଇଥିବା ସଙ୍କେତ ମିଳିଥିଲା । ଗତ ୨୨ ତାରିଖରେ ପୁଣି ଥରେ ଅଭିଯୁକ୍ତମାନେ ଏହି ଉଦ୍ଯମ କରିଥିଲେ। ସ୍କୁଲ ନିକଟରେ ଥିବା ଏକ ନଳକୂଅ ପାଖରୁ ସେମାନେ ଏକ ଶିଶୁକୁ ନେଇଯାଇଥିଲେ । ମାତ୍ର ନେବାବେଳେ ଶିଶୁଟି ଚିତ୍କାର କରିବାରୁ ସେମାନେ ସ୍କୁଲ ଭିତରେ ଶିଶୁର ତଣ୍ଟି ଚିପି ହତ୍ଯା କରିଥିଲେ । ନଳକୂଅ ନିକଟରେ କିଛି ପୂଜା ସାମଗ୍ରୀ ଦେଖିବାକୁ ମିଳିଥିଲା । ଆର୍ଥିକ ସମସ୍ଯାରୁ ମୁକ୍ତି ପାଇବା ଲାଗି ଅଭିଯୁକ୍ତମାନେ ଶିଶୁକୁ ହତ୍ଯା କରିଥିଲେ ବୋଲି ପୋଲିସ କହିଛି । ଶିଶୁର ମୃତଦେହ ନିର୍ଦ୍ଦେଶକଙ୍କ କାରରୁ ଜବତ ହୋଇଥିଲା ।

ଶ୍ରୀମନ୍ଦିର ମହାପ୍ରସାଦର ହେବ ମାନ ପରୀକ୍ଷା

ପୁରୀ : ଶ୍ରୀମନ୍ଦିର ଅବଢ଼ାର ହେବ ମାନ ପରୀକ୍ଷଣ । ମହାପ୍ରସାଦର ହେବ ମାନ ପରୀକ୍ଷା । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢ଼ା ବାହାରିବା ପରେ ମାନ ପରୀକ୍ଷଣ କରାଯିବ । ଏଥିପାଇଁ ଶ୍ରୀମନ୍ଦିରରେ ଫୁଡ ଇନ୍ସପେକ୍ଟର ନିୟୋଜିତ ହେବେ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅବଢ଼ାର ଶୁଦ୍ଧତା ରଖିବା ପାଇଁ ଫୁଡ ଇନ୍ସପେକ୍ଟର ତଦାରଖ କରିବେ । ମାନ ପରୀକ୍ଷଣ ଦ୍ବାରା ଭକ୍ତ ଆଶ୍ୱସ୍ତ ରହିବା ସହ ଅବଢାରେ ଅଶୁଦ୍ଧତା ରହିବ ନାହିଁ ବୋଲି ଆଇନମନ୍ତ୍ରୀ କହିଛନ୍ତି । ଦୁଇ ଦିନ ତଳେ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ମଧ୍ଯ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ମହାପ୍ରସାଦ, ଶୁଖିଲା ଭୋଗ ଓ ଦୀପରେ ନକଲି ଘିଅ ବ୍ଯବହାର ହେଉଥିବା ଆଶଙ୍କା କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଜଣେ ଆଇନଜୀବୀ । ଏହାପରେ ଶ୍ରୀମନ୍ଦିରରେ ବ୍ଯବହାର ହେଉଥିବା ଘିଅକୁ ଜଣେ ଫୁଡ ସେଫ୍ଟି ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯିବ ବୋଲି କହିଥିଲେ ।

କଳାହାଣ୍ଡି ଜିଲ୍ଲାରେ ବେଦାନ୍ତର ‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ

କଳାହାଣ୍ଡି : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ମାଣିକେଶ୍ଵରୀ ହାଇସ୍କୁଲ ଓ ସରସ୍ବତୀ ଶିଶୁ ମନ୍ଦିରରେ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ‘ସ୍ୱର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏକ ପ୍ରାଚୀନ ଆୟୁର୍ବେଦିକ ଅଭ୍ୟାସ ସ୍ବର୍ଣ୍ଣ ପ୍ରାଶନରେ ଶିଶୁମାନଙ୍କୁ ମହୁ ଏବଂ ଘିଅରେ ମିଶ୍ରିତ ସୁବର୍ଣ୍ଣ କଣିକା ଦିଆଯାଏ । ଏହି ମିଶ୍ରଣ ସ୍ମରଣଶକ୍ତି ବୃଦ୍ଧି, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ସାମଗ୍ରିକ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଗୁରୁତ୍ଵପୂର୍ଣ ଅଭିବୃଦ୍ଧି ପର୍ଯ୍ୟାୟରେ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବ ବୋଲି ବିଶ୍ଵାସ କରାଯାଏ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ (ଡିଏଏମ୍ଓ) ଡାକ୍ତର ଅଯୋଧାନାଥ ବେହେରା, କଳାହାଣ୍ଡି ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ (ଏଏମ୍‌ଓ) ଡାକ୍ତର ଅକ୍ଷୟ କାଣ୍ଡ, ଡାକ୍ତର ଚନ୍ଦ୍ରଭାନୁ ଓ ବାନ୍ତର ରାଜକୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସରକାର, ଆୟୁଷ ମନ୍ତ୍ରଣାଳୟର ସଚିବ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ତତ୍ତ୍ବାବଧାନରେ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଆଉ ଦୁଇଟି ଜିଲ୍ଲା ରାୟଗଡ଼ା ଓ କୋରାପୁଟକୁ ସହାୟତା ଯୋଗାଇଦେବାକୁ ଯୋଜନା କରିଛି ।


ବେଦାନ୍ତ ଆଲୁମିନିୟମର ସିଓଓ ସୁନାଲ ଗୁପ୍ତା କହିଛନ୍ତି, ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ସହ ଆମର ସହଯୋଗ ମାଧ୍ୟମରେ ଆମେ ଗୋଷ୍ଠିଗୁଡିକର ସାମଗ୍ରିକ ବିକାଶ ପାଇଁ ପ୍ରଚଳିତ ସରକାରୀ ଯୋଜନାଗୁଡ଼ିକୁ ସମ୍ପ୍ରସାରଣ ଏବଂ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖୁଛୁ । ‘ସ୍ବର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ ସାମୂହିକ ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ଶିଶୁ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆମର ସମର୍ପଣକୁ ପ୍ରତିଫଳିତ କରେ । ବେଦାନ୍ତ ଆଲୁମିନିୟମର ବଢାଇଟ୍‌ ମାଇନ୍ସର ସିଓଓ ନୀତିନ କୁମାର ତିଓ୍ବାରୀ କହିଛନ୍ତି ଯେ ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ସହ ଆମର ଭାଗିଦାରୀ ମାଧ୍ୟମରେ ଆମେ ୨୦୨୪ ସୁଦ୍ଧା କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ାରେ ଶିଶୁଠାରୁ ଆରମ୍ଭ କରି ୧୨ ବର୍ଷ ବୟସ ପର୍ଯ୍ୟନ୍ତ ୩୦,୦୦୦ ଶିଶୁଙ୍କୁ ଉପକୃତ କରିବା ପାଇଁ ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖୁଛୁ ।

ଏହି ଅବସରରେ ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ ଡାକ୍ତର ଅଯୋଧାନାଥ ବେହେରା କହିଥିଲେ ଯେ ସ୍ୱର୍ଣ୍ଣ ପ୍ରାଶନ ଏକ ସମୟ ପରୀକ୍ଷିତ ଆୟୁର୍ବେଦିକ ଅଭ୍ୟାସ ଏବଂ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଓ ଜ୍ଞାନ ଶକ୍ତି ବୃଦ୍ଧିରେ ଏହାର ଉପକାରିତା ଭଲ ଭାବରେ ଲିଖିତ । ଅବହେଳିତ ଅଞ୍ଚଳରେ ଏଭଳି ପ୍ରଭାବଶାଳୀ ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ବେଦାନ୍ତ ଆଲୁମିନିୟମର ସହଯୋଗ ପ୍ରଶଂସନୀୟ । ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରି କହିଲେ, ବେଦାନ୍ତ କେବଳ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବୃଦ୍ଧି କରୁନାହିଁ ବରଂ ପାରମ୍ପରିକ ସୁସ୍ଥତା ପ୍ରଣାଳୀ ବିଷୟରେ ସଚେତନ କରୁଛି । ଶିକ୍ଷା, ସ୍ବାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତି କ୍ଷେତ୍ରରେ ରଣନୈତିକ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିଶ୍ରୁତିବଦ୍ଧ । ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପରିବର୍ତନ ଦିଗରେ ସକ୍ରିୟ ଭାବେ ଯୋଗଦାନ ଦେଇଆସୁଛି ।

ପଞ୍ଜାବ ପଟିଆଲା ରାଜୀବ ଗାନ୍ଧି ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଆନ୍ଦୋଳନ

ପଟିଆଲା : ପଞ୍ଜାବ ପଟିଆଲା ସ୍ଥିତ ରାଜୀବ ଗାନ୍ଧି ‘ନ୍ଯାସନାଲ ୟୁନିଭର୍ସିଟି ଅଫ ଲ’ ବା ଆରଜିଏନୟୁଏଲରେ ଥମୁନି ଆନ୍ଦୋଳନ। କୁଳପତିଙ୍କ ଇସ୍ତଫା ଦାବିରେ ଗତ ୫ଦିନ ଧରି ଚାଲିଛି ଛାତ୍ରୀ ଆନ୍ଦୋଳନ। ଛାତ୍ରୀନିବାସରେ କୁଳପତିଙ୍କ ପ୍ରବେଶକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ଛାତ୍ରୀ। ହଷ୍ଟେଲରେ ପ୍ରବେଶ କରି ଛାତ୍ରୀଙ୍କ ପ୍ରାଇଭେସୀ କ୍ଷୁର୍ଣ୍ଣ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେପଟେ ଏହି ଅଭିଯୋଗକୁ କୁଳପତି ଖଣ୍ଡନ କରିଥିଲେ ବି ଦବି ନାହାନ୍ତି ଆନ୍ଦୋଳନକାରୀ। ଛାତ୍ରଛାତ୍ରୀମାନେ ଆଡମିନିଷ୍ଟ୍ରେଟିଭ ବ୍ଲକ ସମ୍ମୁଖରେ ଧାରଣା ଦେଇଥିବାବେଳେ ଅନିର୍ଦ୍ଦିଷ୍ଟ କାଳ ଲାଗି ବିଶ୍ବବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। କୁଳପତିଙ୍କ ଇସ୍ତଫା ଦାବି ଜୋର ଧରିଛି ।

ଏହି ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏହାକୁ ଏକ ଲଜ୍ଜାଜନକ ଘଟଣା କହିଛନ୍ତି। ଘଟଣାରେ ଜାତୀୟ ମହିଳା କମିଶନର ହସ୍ତକ୍ଷେପ ଦାବି କରିଛନ୍ତି ପ୍ରିୟଙ୍କା। କିଛିଦିନ ତଳେ କୁଳପତି ଜୟ ଶଙ୍କର ସିଂ ଅଚାନକ ଛାତ୍ରୀନିବାସରେ ପ୍ରବେଶ କରି ଯାଞ୍ଚ କରିଥିଲେ। ଏପରିକି ଛାତ୍ରୀଙ୍କ ପୋଷାକ ପରିଧାନ ସମ୍ପର୍କରେ ପ୍ରଶ୍ନ କରିଥିବା ଅଭିଯୋଗ ହୋଇଥିଲା। କୁଳପତି ହଷ୍ଟେଲରେ ପ୍ରବେଶ କରିବା ବେଳେ ତାଙ୍କ ସହ ହଷ୍ଟେଲ ୱାର୍ଡେନ ଓ କୌଣସି ମହିଳା ଗାର୍ଡ ସାମିଲ ନଥିଲେ। ସେପଟେ କୁଳପତି କହିଛନ୍ତି- ଛାତ୍ରୀମାନେ ସେମାନଙ୍କ ସମସ୍ଯା ନେଇ ଅଭିଯୋଗ କରିବାରୁ ସେ ଘଟଣାର ଯାଞ୍ଚ ଲାଗି ହଷ୍ଟେଲ ଭିତରକୁ ଯାଇଥିଲେ। ଛାତ୍ରୀମାନେ ସେମାନଙ୍କ ରୁମରେ ଆଲମିରା ଓ ଅଦରକାରୀ ଜିନିଷ ରଖିଥିବା ଅଭିଯୋଗ ହୋଇଥିଲା। ତାଙ୍କ ସହ ମହିଳା ଚିଫ ୱାର୍ଡେନ ଓ ମହିଳା ସିକ୍ଯୁରିଟି ଗାର୍ଡ ବି ଥିଲେ ବୋଲି କହିଛନ୍ତି କୁଳପତି।

ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ଯ ବିଚାରପତି ତଥା ବିଶ୍ବବିଦ୍ୟାଳୟର କୁଳାଧିପତିଙ୍କୁ ହଷ୍ଟେଲ ସମସ୍ଯା ପ୍ରସଙ୍ଗରେ ରିପୋର୍ଟ ଦିଆଯାଇଛି ବୋଲି ସେ କହିଛନ୍ତି। ଘଟଣା ସମ୍ପର୍କରେ ପଞ୍ଜାବ ମହିଳା କମିଶନ ଅଧ୍ୟକ୍ଷା ରାଜ ଲାଲି ଗିଲ୍ ମଧ୍ଯ ଆନ୍ଦୋଳନରତ ଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏକ କମିଟି ଗଠନ କରାଯିବ ବୋଲି କହିଛନ୍ତି ଗିଲ୍ । ପଞ୍ଜାବ ଶିକ୍ଷା ମନ୍ତ୍ରୀ ହରଜୋତ ସିଂ ବେଇନ୍ସ ରେଜିଷ୍ଟ୍ରାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି।

୯ ରାଜ୍ୟକୁ ଗହମ ଯୋଗାଣ ବୃଦ୍ଧି ,ରାଜ୍ଯକୁ ମିଳିବ ୩୫ ଲକ୍ଷ ମେଟ୍ରିକ ଟନ୍ ଗହମ

ଭୁବନେଶ୍ବର : ବିଭିନ୍ନ ରାଜ୍ଯକୁ ମିଳିବ ୩୫ ଲକ୍ଷ ମେଟ୍ରିକ ଟନ ଗହମ । ଏଥିପାଇଁ ଖାଦ୍ୟସୁରକ୍ଷା ଆଇନରେ ସଂଶୋଧନ କରାଯାଇଛି । ଗହମ ଚାଉଳ ଯୋଗାଣ ଅନୁପାତରେ ସଂଶୋଧନ କରି ରାଜ୍ଯକୁ ଗହମ ଯୋଗାଇବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶା ସମେତ ୯ ରାଜ୍ୟକୁ ଗହମ ଯୋଗାଣ ବୃଦ୍ଧି କରାଯାଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଗୁଜୁରାଟ, ମହାରାଷ୍ଟ୍ର,ତାମିଲନାଡୁ, ଉତ୍ତରପ୍ରଦେଶ, ଝାଡଖଣ୍ଡ,ବିହାର ଓ ମଧ୍ୟପ୍ରଦେଶକୁ ମିଳିବ ଗହମ । ଅକ୍ଟୋବର ୨୩ ତାରିଖ ଭିତରେ ରାଜ୍ୟ ଗୁଡିକ ଗହମ ଉଠାଇପାରିବେ ।

ଝାଡାବାନ୍ତିରୁ ମୁକ୍ତି ପାଇବା ପାଇଁ ରାତି ଅଧରେ ହୋମ ଯଜ୍ଞ

ବଲାଙ୍ଗୀର : ଝାଡାବାନ୍ତିରୁ ମୁକ୍ତି ପାଇବା ପାଇଁ ପୂଜାପାଠ। ରାତି ଅଧରେ ହୋମ କରି ରୋଗ ଦୂର କରିବାକୁ ପ୍ରୟାସ। ବଲାଙ୍ଗିର ବଙ୍ଗୋମୁଣ୍ଡା ଜାମତରାରେ ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି। ଶତାଧିକ ଲୋକେ ଏକାଠି ହୋଇ ପୂଜା କରିଛନ୍ତି । ଗାଁରେ ଦୀର୍ଘ ଦିନ ହେବ ଝାଡ଼ାବାନ୍ତି ଆତଙ୍କ ଲାଗିରହିଛି । ଅନେକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତଥାପି ରୋଗ ବ୍ୟାଧି ଦୂର କରିବା ପାଇଁ ପୂଜା ପାଠର ଆଶ୍ରା ନେଇଛନ୍ତି ଲୋକେ । ଗାଁର ଅନେକ ଆକ୍ରାନ୍ତ ବିଭିନ୍ନ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସିନ୍ଧେକେଲା ସିଏଚସିରେ ନୁଆ ଆକ୍ରାନ୍ତ ୩ ଓ ଜାମତରା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ୨ ଜଣ ନୂଆ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୩ରେ ରହିଛି । ଆଗରୁ ଟିଟିଲାଗଡ଼, କଣ୍ଟାବାଞ୍ଜି, ଭବାନୀପାଟଣା, ବଲାଙ୍ଗୀର, ବିଷମକଟକ , ରାୟପୁର ଆଦି ସ୍ଥାନରେ ମଧ୍ୟ ବହୁ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଗାଁରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ଯା ଦିନକୁ ଦିନ ବଢୁଥିବାରୁ ଏବେ ପୂଜା ପାଠ ଉପରେ ଲୋକଙ୍କ ଭରସା।