ନନ୍ଦିଘୋଷ ବ୍ୟୁରୋ: ଅର୍ଥନୀତିରେ ୩ଜଣଙ୍କୁ ନୋବେଲ ପୁରସ୍କାର। ଡାରୋନ ଏସମୋଗଲୁ, ସାଇମନ ଜନସନ, ଜେମ୍ସ ଏ ରବିନସନଙ୍କୁ ନୋବେଲ । ମିଳିତ ଭାବେ ୩ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ବିଭିନ୍ନ ଅନୁଷ୍ଠାନର ନିର୍ମାଣ ଓ ବିକାଶ ଉପରେ ଅଧୟନକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଘରେ ପଶିଲେ, ସିସିଟିଭିରେ ଶାଢ଼ୀ ପକାଇ ଲୁଟିଲେ
ଉଦଳା: ଚୋରି କରିବାକୁ ପାଇଁ ସିସିଟିଭିକୁ ଶାଢ଼ୀ ପିନ୍ଧାଇଲେ ଲୁଟେରା । ଏମିତି ଘଟଣା ଘଟିଛି ଉଦଳା ଥାନା ଏନଏସି ୪ ନମ୍ବର ଓ୍ବାର୍ଡରେ । ଲୁଟେରା ଦଳ ଘରର କବାଟ ଭାଙ୍ଗି ଘରେ ପଶିଲେ । ଏକ ଶାଢ଼ୀରେ ଗୁଡେଇ ହୋଇ ଭିତରକୁ ଯିବା ପରେ ବାଡିରେ ଶାଢ଼ୀକୁ ସିସିଟିଭି ଉପରେ ପକାଇ ଲୁଟିଲେ ।
ସିସିଟିଭିରୁ ବର୍ତ୍ତିବା ପାଇଁ ଚୋରଙ୍କ ଚାଲାଖି । ଘର ଭିତରେ ପଶିବା ସହ ସିସିଟିଭି ଉପରେ ଶାଢ଼ୀ ଢ଼ାଙ୍କି ଲୁଟ କରିଛନ୍ତି । ଗଡରେଜ ଓ ଆଲମାରୀ ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଲୁଟ କରିବା ପରେ ଦୁର୍ବୃତ୍ତମାନେ ଗୋଟିଏ ସିସିଟିଭି ଭାଙ୍ଗି ଦେବା ସହ ଅନ୍ୟ ଦୁଇଟିର ମୁହଁକୁ ବୁଲାଇ ଦେଇଛନ୍ତି ।
ଖବର ପାଇବା ପରେ ଉଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ପୋଲିସ ଏକ ଲୁଟ ମାମଲା ରୁଜୁ କରିଛି ।
ଦଳିତ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼ ମରା ଘଟଣା: ଶ୍ରମମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଯୁବ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ବର: ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସରକାରୀ ବାସଭବନ ସମ୍ମୁଖରେ ଯୁବ କଂଗ୍ରେସର ବିକ୍ଷୋଭ । ଢେଙ୍କାନାଳରେ ଦଳିତ ବର୍ଗର ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼ ମାରିବାକୁ ବିରୋଧ କରି ଗର୍ଜିଛି ଯୁବ କଂଗ୍ରେସ । ଯୁବ କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ମନ୍ତ୍ରୀଙ୍କ ବାସଭବନ ଘେରାଉ କରି ମୁଖ୍ୟମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଦେଇଛନ୍ତି ସ୍ଲୋଗାନ ।
ପ୍ରଦେଶ ଯୁବ କଂଗ୍ରେସର ବହୁ ନେତା ଓ କାର୍ଯ୍ୟକର୍ତ୍ତା ଫରେଷ୍ଟ ପାର୍କ ଟ୍ରାଫିକ ନିକଟରୁ ଏକ ଶୋଭାଯାତ୍ରାରେ ଆସି ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶ୍ରମିକଙ୍କ ଉପରେ ଆକ୍ରମଣରେ ରାଜନୈତିକ ସମ୍ପୃକ୍ତି ଅଭିଯୋଗ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶ୍ରମ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ୭ ଦିନ ମଧ୍ୟରେ ନିର୍ଯାତିତ ଶ୍ରମିକଙ୍କୁ ନ୍ୟାୟ ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଯବୁ କଂଗ୍ରେସ ।
ଓଡ଼ିଆ ଯୁବତୀଙ୍କ ଗଣଦୁଷ୍କର୍ମ ଘଟଣା: ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହେଲେ ଓଡ଼ିଶା ଡିଜିପି
ଭୁବନେଶ୍ବର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଆଲୋଚନା କଲେ ଓଡିଶା ଡିଜିପି ୱାଇ.ବି. ଖୁରାନିଆ । ଡିସିପି ରବି କୁମାର ସିଂ ନିଜେ ତଦନ୍ତ ଭାର ନେଇଥିବା ଡିଜିପିଙ୍କୁ କହିଛନ୍ତି ଦିଲ୍ଲୀ ପୋଲିସ କମିଶନର । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି । ତଦନ୍ତ ବେଳେ ପୀଡିତା ଜଣେ ନର୍ସିଂ ଗ୍ରାଜୁଏଟ ବୋଲି ଜଣାପଡିଛି । ସେ ମୁର୍ମୁଷୁ ଅବସ୍ଥାରେ ହସ୍ପିଟାଲରେ ଆଡ଼ମିଟ ହୋଇଥିବାରୁ ପୋଲିସ କୌଣସି ସୁରାକ ତାଙ୍କ ଠାରୁ ପାଇପାରିନାହିଁ । ଗତ ୧ ମାସ ହେଲା ପୀଡିତାଙ୍କ ମୋବାଇଲ ହଜିଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଘଟଣା ଘଟିବା ପୂର୍ବ ଦିନ ଏକ ଏଟିଏମ ନିକଟରେ ପୀଡିତା ଶୋଇଥିବା ଜାଣିବାକୁ ପାଇଛି ଦିଲ୍ଲୀ ପୋଲିସ । ଏ ନେଇ ଓଡିଶା ପୋଲିସକୁ ମଧ୍ୟ ଅବଗତ କରିଛି ଦିଲ୍ଲୀ ପୋଲିସ ।
ଘଟଣାର ୩ ଦିନ ପରେ ତତ୍ପର ହୋଇଛି ଓଡିଶା ପୋଲିସ । ଘଟଣାକୁ ଗୁରୁତର ସହିତ ନିଆଯାଇଛି ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି । ଡିଜିଙ୍କ ଅଫିସ ତରଫରୁ କୁହାଯାଇଛି ଯେ ଓଡ଼ିଶା ପୋଲିସ ପୀଡ଼ିତାଙ୍କ ପରିବାର ଓ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗରେ ଅଛି । ତଦନ୍ତ କେମିତି ହେଉଛି, କେତେ ବାଟ ଯାଇଛି, ତା’ ଉପରେ ବି ନଜର ରଖାଯାଇଛି । ପୀଡ଼ିତାଙ୍କ ପରିବାର ଲୋକେ ଦିଲ୍ଲୀ ଯିବାର ବ୍ୟବସ୍ଥା କରାଯାଉଛି । ବାକି ସବୁ ବ୍ୟବସ୍ଥା କରାଯାଉଥିବା ଡିଜିପିଙ୍କ ଅଫିସ ତରଫରୁ କୁହାଯାଇଛି ।
ଶୁକ୍ରବାର ରାତିରେ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବାର ଅଭିଯୋଗ ହୋଇଥିଲା । ସେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି । ହେଲେ ପ୍ରଥମରୁ ଯେତେ ତତ୍ପରତା ପ୍ରକାଶ ପାଇଥିବାର ଥିଲା ସରକାରଙ୍କ ତରଫରୁ ସେତିକି ତତ୍ପରତା ଦେଖିବାକୁ ମିଳି ନଥିଲା । ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ଏହା ପରେ ରାଜ୍ୟ ସରକାର ଚେତିଥିବା ପରି ମନେ ହେଉଛି ।
ଭସାଣ ପାଇଁ ଆସୁଥିବା ବେଳେ ଓଲଟିଲା ମ୍ୟୁଜିକାଲ ଟିମ୍ ଗାଡି
କାମାକ୍ଷାନଗର: ଭସାଣ ପାଇଁ କାମାକ୍ଷାନଗର ଆସୁଥିବା ବେଳେ ଡିଭାଇଡରରେ ପିଟି ହୋଇ ଓଲଟିଲା ମ୍ୟୁଜିକାଲ ଟିମ୍ ଗାଡି । ୫ ଜଣ ଆହତ ହୋଇଥିବା ବେଳେ ୨ ଜଣ ଅବସ୍ଥା ଗରୁତୁର ରହିଛି ।
କାମାକ୍ଷାନଗରରେ ଦଶହରା ଭସାଣ ପାଇଁ ଯାଜପୁର ମଙ୍ଗଳପୁରରୁ ଶିବମ ମ୍ୟୁଜିକାଲ ଟିମର ସଦସ୍ୟମାନେ ଆସୁଥିଲେ । ଡିଭାଇଡରରେ ପିଟି ହୋଇ ଗାଡି ଓଲଟି ପଡିଥିଲା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିଲା ସୂଚନା ମିଳିଛି । ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

