spot_img
Home Blog Page 1575

ଅଶାନ୍ତ ଭଦ୍ରକ ଜିଲ୍ଲା, ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଅସ୍ଥିର ଓ ଭୟର ବାତାବରଣ

ଭଦ୍ରକ  : ଅଶାନ୍ତ ଭଦ୍ରକ ଜିଲ୍ଲା। ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଅସ୍ଥିର ଓ ଭୟର ବାତାବରଣ । ପୁରା ଜିଲ୍ଲାରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଲାଗିଛି BNSSର ଧାରା ୧୬୩। ପୋଲିସ ଭୟରେ ପୁରୁଷ ଶୂନ୍ୟ ଅନେକ ଅଂଚଳ। ବର୍ତ୍ତମାନ ସୁଦ୍ଧା ଘଟଣାରେ ମୋଟ ୧୫ ଜଣ ଗିରଫ ହୋଇଛନ୍ତି। ଗୁଜବ ରୋକିବାକୁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ପୁରୁଣାବଜାର ଅଂଚଳରେ ପୋଲିସର କଡ଼ା ପହରା। ଧାମନଗର ଓ ଦୋବଲ ମଧ୍ୟ ପୋଲିସର ନଜରରେ ରହିଛି। ପୋଲିସ ଫୋର୍ସ ସହ ଭଦ୍ରକ ସହରରେ ଫ୍ଲାଗମାର୍ଚ୍ଚ କରିଛି ଜିଲ୍ଲା ପ୍ରଶାସନ। ଶାନ୍ତି ବଜାୟ ରକିବାକୁ ଅପିଲ କରିଛନ୍ତି।

ଭଦ୍ରକ ନଙ୍ଗାମହଲା ବାସିନ୍ଦା ସେକ ସବୀର। ଛକରେ ପାନ ବିକିବା ସହ ତାଙ୍କର ରହିଛି ଗୋଟିଏ ଷ୍ଟେସନାରୀ ଦୋକାନ। ଦୋକାନରୁ ଯାହା ରୋଜଗାର ହୁଏ ପରିବାର ଚଳିଯାଏ। ହେଲେ ୨ ଦିନ ହେଲା ଦୋକାନବଜାର ସବୁ ବନ୍ଦ। ମନରେ ଡର ଥିଲେ ମଧ୍ୟ ପରିବାର ଚଳାଇବାକୁ ଦୋକାନ ଖୋଲିଛନ୍ତି ସବୀର। ଭଦ୍ରକ ଜିଲ୍ଲାରେ ପ୍ରଶାସନିକ କଟକଣାରୁ ଅନେକ ଦୋକାନ ବନ୍ଦ ରହିଛି। ୩ ଦିନ ହେଲାଣି ଜିଲ୍ଲାରେ ଲାଗି ରହିଛି ଅଶାନ୍ତ ବାତାବରଣ। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଉଗ୍ରରୂପ ଧାରଣ କରିଥିଲା ସ୍ଥିତି। ଭଦ୍ରକ ସହର ସମେତ ଧାମନଗର ଏବଂ ଦୋବଲ ଅଂଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ଗୋଷ୍ଠୀ ସଂଘର୍ଷରୁ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଲୋକେ। ଏହାକୁ ନେଇ ଏବେ ଭୟର ବାତାବରଣ। ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ରାତି ହେଲେ ପୁରୁଷଶୂନ୍ୟ ହୋଇଯାଉଛି ଅନେକ ଘର। ପୋଲିସ ଭୟରେ ଲୋକେ ଘରେ ରହୁନାହାନ୍ତି।

ସ୍ଥିତି ସ୍ବାଭାବିକ କରିବାକୁ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ। ନଙ୍ଗାମହଲା ଅଂଚଳରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ। ମୁତୟନ ହୋଇଛନ୍ତି ରାପିଡ୍ ଆକ୍ସନ ଫୋର୍ସ। ଜିଲ୍ଲାପାଳ, ପୂର୍ବାଞ୍ଚଳ ଡିଆଇଜି, ଏସପି ସହରରେ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି।ଗୁଜବ ପ୍ରସାର ଯେମିତି ନହୁଏ ସେଥିଲାଗି ଇଣ୍ଟରନେଟ ସେବା ବନ୍ଦ ରହିଛି। ସାରା ଭଦ୍ରକ ଜିଲ୍ଲାରେ ଲାଗିଛି BNSSର ଧାରା ୧୬୩। ମୁଖ୍ଯ ଅଭିଯୁକ୍ତ ସହିତ ବର୍ତ୍ତମାନ ସୁଦ୍ଧା ମୋଟ ୧୫ ଜଣ ଗିରଫ ହୋଇଛନ୍ତି। ଭଦ୍ରକ ସହରରେ ୮ ଏବଂ ଧାମନଗରରୁ ୭ ଜଣଙ୍କୁ ଗିରଫ କରିଛି ପୋଲିସ। ନଙ୍ଗାମହଲା, ସନ୍ଥିଆଛକ, ପୁରୁଣାବଜାର, ଚନ୍ଦନବଜାର ଅଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର। କଚେରୀଛକ, ମେଡିକାଲ ଛକ, ବସଷ୍ଟାଣ୍ଡ ଛକ, ପୋଷ୍ଟ ଅଫିସ ଛକ, ଅପର୍ତ୍ତିବିନ୍ଧା ଛକରେ ସ୍ଥିତି ସ୍ବାଭାବିକ ରହିଛି। ଚଳିତ ମାସରେ ଭଦ୍ରକ ଜିଲ୍ଲାରେ ଏଭଳି ୩ଟି ଘଟଣା ଘଟିସାରିଲାଣି। ଗତ ୧୧ ତାରିଖରେ ଧୁଷୁରି, ୧୯ ତାରିଖରେ ପାଳିଆବିନ୍ଧା ଓ ୨୭ ତାରିଖରେ ଧାମନଗର ଓ ଭଦ୍ରକରେ ସମାନ ଘଟଣା ଘଟିଛି। ହେଲେ ପ୍ରଶାସନ କହୁଛି ସ୍ଥିତି ନିୟନ୍ତ୍ରଣରେ ରହିଛି।

ସୁଭଦ୍ରା ଯୋଜନା ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର : ଆଉ ୪୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଅକ୍ଟୋବର ୯ ତାରିଖରେ ବାରିପଦାରେ ହେବ ମହାସମାରୋହ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ଉପସ୍ଥିତିରେ ସୁଭଦ୍ରା ଯୋଜନାର ଦ୍ବିତୀୟ ଦଫାର ହେବ ଶୁଭାରମ୍ଭ। ଅକ୍ଟୋବର ୭ ତାରିଖ ସୁଦ୍ଧା ଯେତିକି ହିତାଧିକାରୀ ପଞ୍ଜିକରଣ କରିଥିବେ, ସେଥିରୁ ୪୦ ଲକ୍ଷ ହିତାଧିକାରୀଙ୍କୁ ଡିବିଟି ଜରିଆରେ ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବେ ସୁଦ୍ଧା ୯୬ ଲକ୍ଷ ହିତାଧିକାରୀ ପଞ୍ଜିକରଣ କରିସାରିଲେଣି। ବାରିପଦା ଉତ୍ସବରେ ପ୍ରଥମ ଓ କୋଟିଏ ତମ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ।

ସୁଭଦ୍ରା ଯୋଜନା ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି। ରାଜ୍ୟର ମହିଳାଙ୍କ ସହ ପ୍ରତାରଣା କରିଛନ୍ତି ସରକାର। ଦୁଇ ବର୍ଷରେ ୫୦ ହଜାର ଦେବା କଥା କହି ଠକିଛନ୍ତି। ଏବେ ବର୍ଷକୁ ୧୦ ହଜାର ଦେବା କଥା କହୁଛନ୍ତି। ଯୋଜନାରୁ ଅନେକ ମହିଳା ବଞ୍ଚିତ ହେଉଛନ୍ତି ବୋଲି ବିଜେଡି ଅଭିଯୋଗ କରିବାରୁ ଚେତିଲେ ସରକାର। ଏବେ ଆଉ କିଛି ଲୋକଙ୍କୁ ସହାୟତା ଦେବେ ବୋଲି କହୁଛନ୍ତି। ହେଲେ ୫ ହଜାର ଟଙ୍କାରେ ମହିଳା ମାନେ କିପରି ସ୍ୱାବଲମ୍ବୀ ହେବେ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ। କଂଗ୍ରେସ ମଧ୍ୟ ବିଜେଡି ସହ ସ୍ବର ମିଳାଇ ସୁଭଦ୍ରା ଯୋଜନାର ଅସଲ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛି। ସରକାରଙ୍କ ପ୍ରଚାର ବାସ୍ତବତା ଠାରୁ ଅନେକ ଦୂରରେ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।

ଗତ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ଆସନ୍ତା ଅକ୍ଟୋବର ୯ ତାରିଖରେ ଦ୍ବିତୀୟ ଦଫା ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

ସହରବାସୀଙ୍କୁ ସଶକ୍ତିକରଣ କରିବାରେ ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ବର : ଲୋକେ କହିବେ ପ୍ରଶାସନ କାର୍ଯ୍ୟ କରିବ । ସମ୍ମାନର ସହିତ ବଞ୍ଚିବେ ସଫେଇ କର୍ମଚାରୀ । ରାଜ୍ୟର ଶ୍ରମିକ କାମଧନ୍ଦା ପାଇଁ ବାହାର ରାଜ୍ୟକୁ ନଯାଇ ନିଜ ଅଞ୍ଚଳରେ କାମଧନ୍ଦା ପାଇବେ ।  ଖାଲି ସେତିକି ନୁହେଁ, ଜାଗା ମିଶନ ଜରିଆରେ ସହରାଞ୍ଚଳ ଭୂମିହୀନଙ୍କୁ ଜାଗା ବଣ୍ଟନ । ଏ ଥିଲା ପୂର୍ବ ନବୀନ ସରକାରଙ୍କ କାର୍ଯ୍ୟ । ଯେଉଁଥିପାଇଁ ଭାରତ ସରକାର ସିଟିଜେନ ଏମ୍ପାଓ୍ବାରମେଣ୍ଟ୍ ବର୍ଗରେ ଓଡ଼ିଶାକୁ ନମ୍ବର ଓ୍ବାନ୍ ମାନ୍ୟତା ଦେବା ସହ ସାମଗ୍ରିକ ପୌର ପ୍ରଶାସନରେ ୨ ନମ୍ବର ମାନ୍ୟତା ଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି କଣ ପାଇଁ? କୋଭିଡ କାମଧନ୍ଦା ନ ପାଇ ବେଶି ହଇରାଣ ହେଲେ ପ୍ରବାସୀ ଶ୍ରମିକ । ଦେଶରେ ପ୍ରଥମ କରି ପୂର୍ବ ବିଜେଡି ସରକାର ଆରମ୍ଭ କଲେ ସହରାଞ୍ଚଳ ଶ୍ରମ ନିଯୁକ୍ତି ଯୋଜନା । ଗ୍ରାମାଞ୍ଚଳ ପରି ମନରେଗା ପାଣ୍ଠି ନାହିଁ ଯେ ସହରାଞ୍ଚଳରେ ଶ୍ରମିକଙ୍କୁ ୧୦୦ ଦିନର କାମଧନ୍ଦା ଦେଇ ହେବ । ୨୦୨୦ରେ ଆରମ୍ଭ ହୋଇଥିବା ୟୁଜିଆଇ ମୁକ୍ତା ରୂପ ନେଲା । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଜରିଆରେ ପ୍ରଥମ ୩ ମାସରେ ଶ୍ରମିକଙ୍କୁ କାମଧନ୍ଦା ବାବଦରେ ଖର୍ଚ୍ଚ ହେଲା ୧୦୦ କୋଟି । ଉନ୍ନତି ଯୋଜନା ଦ୍ବାରା ସହରାଞ୍ଚଳ ବାସିନ୍ଦାଙ୍କଠୁ ମିଳିଥିବା ଫିଡବ୍ୟାକ ଓ ଓ୍ବାର୍ଡ଼ କମିଟି ସୁପାରିସରେ ପାର୍କ, ଶ୍ମଶାନ ପ୍ରତିଷ୍ଠା ହେଲା । ସ୍ବଚ୍ଛ ଭାରତ ଅଭିଯାନ ଯୋଜନାର ସ୍ବଚ୍ଛ ସାଥୀ ନିୟୋଜିତ ହେବା ସହ ଘରୁ ଆବର୍ଜନା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ସହରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ନେଇ ଡ୍ରିଙ୍କ ଫ୍ରମ ଟ୍ୟାପ୍ କାର୍ଯ୍ୟକ୍ରମ ଦେଶକୁ ଚମକାଇ ଦେଇଥିଲା । ସହରୀବାସିନ୍ଦାଙ୍କ ଅଭିଯୋଗ ପ୍ରତିବିଧାନ ପାଇଁ ଆରମ୍ଭ ହୋଇଥିଲା ସୁଯୋଗ ପୋର୍ଟାଲ । ଗରିମା କାର୍ଯ୍ୟକ୍ରମ ଅନ୍ତର୍ଗତ ୧୧ ହଜାର ସଫେଇ କର୍ମଚାରୀଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଥିଲେ ପୂର୍ବ ନବୀନ ସରକାର । ମଇଳା ସଫା କରୁଥିବା କର୍ମଚାରୀଙ୍କ ପାଇଁ ବୀମା ସୁବିଧା । ମୃତ୍ୟୁକାଳୀନ ସହାୟତା ବାବଦରେ ୧୦ ଲକ୍ଷ ଟଙ୍କା ପ୍ରଦାନ ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ମାସ ୨୦ ତାରିଖରେ ସ୍ବଚ୍ଛ ଚର୍ଚ୍ଚା ଦିବସ ଅନୁଷ୍ଠିତ କରାଇ ୧୫ ହଜାର ସଫେଇ କର୍ମଚାରୀଙ୍କୁ ଜିଲ୍ଲାପାଳ, ପୌର ପ୍ରଶାସନର ଅଧିକାରୀ ଖାଦ୍ୟ ପରଷିବା ପାଇଁ ବ୍ୟବସ୍ଥା ହୋଇଛି । ଯାହାକି ଦେଶରେ ଅନନ୍ୟ ।…

ସହରାଞ୍ଚଳ ବର୍ଜ୍ୟ ପରିଚାଳନା ସବୁଠୁ ବଡ଼ ଚାଲେଞ୍ଜ୍ । ଓ୍ବେଷ୍ଟ୍ ଟୁ ଓ୍ବେଲ୍ଥ ଥିଲା ନବୀନ ସରକାରଙ୍କ ମୂଳ ଆଭିମୁଖ୍ୟ । ଯାହାର ସୁଫଳ ଏବର ସରକାରଙ୍କୁ ମିଳୁଛ । କଠିନ ବର୍ଜ୍ୟବସ୍ତୁ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସବୁ ସହରରେ ପ୍ରତିଷ୍ଠା ହୋଇଛି ବୈଭବ କେନ୍ଦ୍ର । ସହରର ସମ୍ବେଦନଶୀଳ ଅଞ୍ଚଳରେ ଜମା ହେଉଥିବା ବର୍ଜ୍ୟବସ୍ତୁକୁ ହଟାଇ ସେଠାରେ ପାର୍କ କିମ୍ବା ଆଇ ଲଭ୍ ଭୁବନେଶ୍ବର ପରି ସୁନ୍ଦର ପରିବେଶ ସୃଷ୍ଟି କରାଯାଇପାରିଛି । ମୁକ୍ତା ଯୋଜନାରେ ତୃତୀୟ ଲିଙ୍ଗିଙ୍କୁ ନିଯୁକ୍ତି ଦିଆଯିବା ସହ ବର୍ଜ୍ୟ ଓ ପାର୍କ ପରିଚାଳନା ଦାୟିତ୍ବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ବାର୍ଷିକ ବଜେଟ୍ ୧୦ ହଜାର କୋଟିରୁ କମ୍ ନଥିଲା । ଭାରତ ସରକାରଙ୍କ ହର ଘର୍ ଜଳ ଯୋଜନାରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କରିବାରେ ଦେଶରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା । ସବୁଠୁ ବଡ଼ ଗରୁତ୍ବପୂର୍ଣ୍ଣ ହେଉଛି ପୂର୍ବ ନବୀନ ସରକାରଙ୍କ ମୂଳ ମନ୍ତ୍ର ଥିଲା – ଲୋକେ ପ୍ରଶାସନକୁ ପାଖକୁ ଅଭିଯୋଗ ନେଇ ଆସିବେନି । ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିବେ।

ନବୀନଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଆଜି ସୁଫଳ ଦେଉଛି । ଡବଲ୍ ଇଞ୍ଜିନ ନୁହଁ । ପ୍ରତ୍ୟେକ ଲୋକଙ୍କ ହାତକୁ କାମ ଓ ମୁଣ୍ଡ ଉପରେ ଛାତ ରହିବ ତାହା ହିଁ ଆଜି ଓଡ଼ିଶାକୁ ସବୁ କ୍ଷେତ୍ରରେ ସଫଳତା ଆଣିପାରିଛି । ନବୀନଙ୍କ ୨୪ ବର୍ଷର ଶାସନକୁ ଓଡ଼ିଶା ଇତିହାସର ଗୋଲ୍ଡେନ୍ ଏରା ବୋଲି ବିଶେଷଜ୍ଞ କହିବାକୁ ପଛାଉନାହାନ୍ତି ।

ପ୍ରଶଂସା ସାଉଣ୍ଟିଲା ନବୀନ ସରକାରଙ୍କ କାମ, ୨୪ ବର୍ଷର ବିକାଶକୁ ସ୍ଵୀକୃତି

ଭୁବନେଶ୍ବର : ନାଗରିକ ସଶକ୍ତୀକରଣ ଓ ବ୍ୟବସ୍ଥିତ ଅର୍ଥ ପ୍ରବାହନ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ। ପ୍ରଜାସ୍ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ୨୦୨୪ ରିପୋର୍ଟରେ ନାଗରିକ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସହରାଞ୍ଚଳ ପ୍ରଶାସନ ଅବା ଅର୍ବାନ୍ ଗଭର୍ଣାନ୍ସ କ୍ଷେତ୍ରରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି। ୨୪ ବର୍ଷରେ ନବୀନ ପଟ୍ଟନାୟକ ଯେଉଁ କାମ କରିଥିଲେ, ସେଥିପାଇଁ ମିଳିଛି ଏହି ସଫଳତା। ନାଗରିକ ସଶକ୍ତିକରଣ ବର୍ଗରେ ମୋଟ ୨୫ ନମ୍ବରରୁ ଓଡ଼ିଶା ସବୁଠାରୁ ଅଧିକ ୨୧ ନମ୍ଵର ପାଇ ଶୀର୍ଷରେ ରହିଛି।  ବିତ୍ତୀୟ ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶାକୁ ସପ୍ତମ ସ୍ଥାନ ମିଳିଛି। ଏହା ସହିତ ସହରାଞ୍ଚଳ ପ୍ରଶାସନ ସୂଚକାଙ୍କ (ୟୁଜିଆଇ) ରେ ଓଡ଼ିଶା ସାରା ଦେଶରେ ହାସଲ କରିଛି ଦ୍ଵିତୀୟ ସ୍ଥାନ। ମୋଟ ୧୦୦ ନମ୍ବରରୁ  ଓଡ଼ିଶା ପାଇଛି ୫୫ ଦଶମିକ ୧ । ୫୯ ଦଶମିକ ୩୧ ନମ୍ବର ପାଇ କେରଳ ରହିଛି ଶୀର୍ଷରେ। ଅଭିଯୋଗ ସମାଧାନ ବ୍ୟବସ୍ଥାରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି | ବ୍ୟବସ୍ଥିତ ଅର୍ଥ ପ୍ରବାହନ କ୍ଷେତ୍ରରେ ବି ଏକ ନମ୍ଵର। ମେୟର ଏବଂ କର୍ପୋରେଟରଙ୍କୁ କ୍ଷମତା ପ୍ରଦାନରେ ଓଡିଶାର ପ୍ରଦର୍ଶନ ଉତ୍ସାହଜନକ ରହିଛି । ପ୍ରାଶାସନିକ ପରିଚାଳନା, ନେତୃତ୍ବ ଓ ବ୍ୟକ୍ତିତ୍ବ ଭାବେ ନବୀନ ପଟ୍ଟନାୟକ ନମ୍ବର ୱାନ ରହି ଆସିଛନ୍ତି। ଏହାର କାରଣ ସେ ଗାଁରୁ ସହର ଯାଏ, ସବୁଠି ବିକାଶ କରିଛନ୍ତି। ବସ୍ତି ବାସିନ୍ଦାଙ୍କୁ ଦେଇଛନ୍ତି ଅଧିକାର। ମୁକ୍ତା, ଜାଗା ମିଶନ, ପାନୀୟ ଜଳ ଯୋଗାଣ, ସ୍ବଚ୍ଛ ଜଳ ଯୋଗାଇବା ପରି ନବୀନଙ୍କ ଅନେକ ଯୋଜନା ସହରବାସୀଙ୍କ ମୁହଁରେ ହସ ଫୁଟାଇ ପାରିଛି। ଏହି ସବୁ କାମ ପାଇଁ ଓଡ଼ିଶା ଏବେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବେଳେ ବିଜେଡି କଟାକ୍ଷ କରିଛି, ନବୀନଙ୍କ ସଫଳତାର ନାଁ ଓ ରଙ୍ଗ ବଦଳାଇ ନିଜର ମାର୍କେଟିଂ କରୁଛି ବିଜେପି।

ସହରୀ ବ୍ୟବସ୍ଥାରେ ନବୀନ ସରକାର ସମସ୍ତ ୧୮ ଟି କ୍ଷେତ୍ରରେ ପୌର ସଂସ୍ଥାକୁ କ୍ଷମତା ଦେଇଥିଲା । ପରିମଳ, ଡ୍ରେନେଜ, ସ୍ଵେରେଜ, ଷ୍ଟ୍ରିଟ ଲାଇଟିଂ,  ନିର୍ମାଣ ଓ ରାସ୍ତା କାମ ପରି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ସାମିଲ କରିଥିଲେ। ନବୀନଙ୍କ ଅମଳରେ ହିଁ ଠିକ୍ ସମୟରେ ହୋଇଥିଲା ପୌର ନିର୍ବାଚନ। ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବି ସେ କରିଥିଲେ। ପୌର ଓ ପଞ୍ଚାୟତର ଗୁରୁତ୍ବପୂର୍ଣ୍ଣ ପଦରେ ଯେପରି ମହିଳା ବସିବେ, ସେ ବ୍ୟବସ୍ଥା ବି କରିଥିଲେ ନବୀନ। ଭୁବନେଶ୍ବରରେ ତ ଉଭୟ ମେୟର ଓ ଡେପୁଟି ମେୟର ହେଉଛନ୍ତି ମହିଳା। ପୁରୁଷଙ୍କ ସମେତ ମହିଳାଙ୍କୁ ସଶକ୍ତ କରିବାରୁ ସାମଗ୍ରିକ ଭାବେ ନାଗରିକଙ୍କୁ ସଶକ୍ତ କରିବାରେ ସକ୍ଷମ ହୋଇଛନ୍ତି ନବୀନ ପଟ୍ଟନାୟକ । ଯାହା ଦେଶର ଅନ୍ୟ କୌଣସି ରାଜ୍ୟରେ ନାହିଁ ।

ସହରାଞ୍ଚଳ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ବିଜେଡି ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ପ୍ରଶାସନିକ କ୍ଷେତ୍ରରୁ ନେଇ ନିର୍ବାଚିତ ଜନପ୍ରତିନିଧି ଓ ନାଗରିକ ସମସ୍ତଙ୍କୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ କରାଯିବାରୁ  ଓଡ଼ିଶା ଆଜି ଏସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛି। ପ୍ରଶାସନକୁ ଉତ୍ତରଦାୟୀ ଏବଂ ପାରଦର୍ଶୀ କରାଯାଇଛି। ସରକାରୀ ବ୍ୟବସ୍ଥାରେ ଜନତାଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ଲକ୍ଷ୍ୟରେ ନବୀନ ସରକାର ନେଇଥିବା ପଦକ୍ଷେପ ଫଳପ୍ରଦ ହୋଇଛି। ୪ ବର୍ଷ ହେଲା ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇ ରାଜ୍ୟଗୁଡ଼ିକର ମୂଲ୍ୟାୟନ କରାଯାଉଛି । ଏହାର ସର୍ଭେ ପାଇଁ ୨୮ ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରି ତଥ୍ୟ ସଂଗ୍ରହ କରାଯାଇଥିଲା ।

ଆଗେଇ ଚାଲିଛି ପୋଲାଭରମ ପ୍ରକଳ୍ପ କାର୍ଯ୍ୟ, ଆନ୍ଧ୍ର ମାନୁନି ନିୟମ, ଡିଜାଇନକୁ କରୁଛି ପରିବର୍ତ୍ତନ

ଭୁବନେଶ୍ବର : ଜୋରସୋରରେ ଆଗେଇ ଚାଲିଛି ପୋଲାଭରମ ପ୍ରକଳ୍ପ କାର୍ଯ୍ୟ। ଓଡ଼ିଶା ପ୍ରତି ମାଡ଼ି ଆସୁଛି ବିପଦ। ପ୍ରକଳ୍ପ ଡିଜାଇନକୁ କରାଯାଇଛି ପରିବର୍ତ୍ତନ। ପ୍ରତିବାଦ ସତ୍ତ୍ବେ ବି ମାନୁନି ଆନ୍ଧ୍ର। ପୋଲାଭରମ ପ୍ରକଳ୍ପ ହେଲେ ବୁଡ଼ିଯିବ ମାଲକାନଗିରି। ଏନେଇ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ। ଆନ୍ଦୋଳନ କରିବା ସହ ସ୍ଥିତି ପରଖି ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। କିନ୍ତୁ ରାଜ୍ୟର ବିଜେପି ସରକାର ଏ ଦିଗରେ କୌଣସି ପଦକ୍ଷେପ ନେବା ତ ଦୂରର କଥା, ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର କଣ କ୍ଷତି ହେବ ତାର ବି ଟିକିଏ ସର୍ଭେ କଲେନି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ସାମାଜିକ ଅନୁଷ୍ଠାନ ଆମ ଜନତା ଅଧିକାର। ସରକାର କୌଣସି ଗୁରୁତ୍ବ ଦେଉନଥିବାରୁ ବିଶେଷଜ୍ଞଙ୍କୁ ନେଇ ସର୍ଭେ କରିଛନ୍ତି ସାମାଜିକ ସଙ୍ଗଠନ। କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ ତଥା ପ୍ରକଳ୍ପ ଅଞ୍ଚଳର ପ୍ରାଥମିକ ଅନୁଧ୍ୟାନ କରିଛନ୍ତି ଏକ୍ସପର୍ଟ। ପୋଲାଭରମ ପ୍ରସଙ୍ଗରେ ସରକାରଙ୍କ ସ୍ଥାଣୁତାକୁ ଦେଖି ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ କିଭଳି ବ୍ୟବସ୍ଥା କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛି ଆମ ଜନତା ଅଧିକାର।

ମାଲକାନଗିରିର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖି ସାରିଲେଣି ବିଜେଡି ଓ କଂଗ୍ରେସ। ପ୍ରକଳ୍ପ ହେଲେ କେଉଁ ଅଞ୍ଚଳ ବୁଡିଯିବ, ତାର ବି ଅନୁଧ୍ୟାନ କରାଗଲାଣି। କିନ୍ତୁ ସବୁ ଦାବିକୁ ଶୁଣିବାକୁ ନାରାଜ ସରକାର। ସମସ୍ୟାର ସମାଧାନ କରିବେ କଣ, ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ ବୋଲି ଅଭିଯୋଗ କରିଛି ସିଟିଜେନସ ଫୋରମ। କାରଣ ଏବେର ରାଜ୍ୟ ସରକାର ବିଭିନ୍ନ ନିଷ୍ପତ୍ତି ପାଇଁ କେନ୍ଦ୍ର ଉପରେ କରୁଛି ନିର୍ଭର। ଯେଉଁଥିପାଇଁ ଏଭଳି ସ୍ଥିତି ଉପୁଜିଛି। ତେଣୁ ସ୍ଥିତ ଜଟିଳ ହେବା ପୂର୍ବରୁ ପୋଲାଭରମ ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ସିଟିଜେନସ ଫୋରମ।

ଉଭୟ କେନ୍ଦ୍ର ଓ ରାଜ୍ୟରେ ଅଛି ବିଜେପି ସରକାର। ତା ସାଙ୍ଗକୁ ଆନ୍ଧ୍ରରେ ମଧ୍ୟ ବିଜେପି ସହଯୋଗୀ ଭାବେ ସରକାରରେ ରହିଛି। ତେଣୁ ପୋଲାଭରମ ପ୍ରସଙ୍ଗରେ ଆନ୍ଧ୍ରକୁ ଲାଭ ଦେବାକୁ କେନ୍ଦ୍ର ଲାଗି ପଡିଥିବା ବେଳେ ଓଡ଼ିଶା କଣ ସାବତ ପୁଅ କି ବୋଲି ପ୍ରଶ୍ନ କରିଛି ଆମ ଜନତା ଅଧିକାର। ନ୍ୟାୟ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ନେତାଙ୍କୁ ରିପୋର୍ଟ ପ୍ରଦାନ କରାଯିବା ସହ ଲଢ଼େଇ ଜାରି ରଖିବାକୁ ଦିଆଯାଇଛି ଚେତାବନୀ।

୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ୨ ଯାଏଁ ଖରା-ଛାଇର ଖେଳ

ଭୁବନେଶ୍ବର : ବର୍ଷାରେ ଭିଜିବ ଦଶହରା ! ଅକ୍ଟୋବରରେ ଅଶାନ୍ତ ହେବ ବଙ୍ଗୋପସାଗର । ଦ୍ବିତୀୟ ସପ୍ତାହରେ ପୁଣି ସୃଷ୍ଟି ହେବ ଲଘୁଚାପ । ଉତ୍ତର-ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା । ଘୂର୍ଣ୍ଣିବଳୟ ପରେ ସ୍ପଷ୍ଟ ହେବ ଗତିପଥ । ଅଧିକାଂଶ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ । ବାତ୍ଯା ସିଜନ ଥିବାରୁ ସିଷ୍ଟମ ଉପରେ ଆଇଏମ୍ଡିର ସ୍ବତନ୍ତ୍ର ନଜର । ୪ ରୁ ୧୦ ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆକଳନ କରିଛି ଆଇଏମ୍ଡି । ପ୍ରଭାବରେ ୪ ଅକ୍ଟୋବରରୁ ୧୦ ଅକ୍ଟୋବର ରାଜ୍ୟର ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରତି ବର୍ଷ ଅକ୍ଟୋବରରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଘନୀଭୁତ ହୋଇ ବାତ୍ୟାର ରୂପ ନେବାର ନଜିର ରହିଛି । ତେଣୁ ସିଷ୍ଟମ ଉପରେ ଆଇଏମଡିର ସ୍ବତନ୍ତ୍ର ନଜର ରହିଛି ।  ୧୩ ତାରିଖରେ ଦଶହରା ଥିବାରୁ ପାର୍ବଣ ବର୍ଷାରେ ଭିଜିବାନେଇ ଆଶଙ୍କା ସୃଷ୍ଟି ହୋଇଛି ।

ସେପଟେ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ସିଷ୍ଟମର ପ୍ରଭାବ ନାହିଁ । ସକାଳେ ମେଘମୁକ୍ତ ଆକାଶ ସହ ଟାଣ ଖରା ହେବ । ଏହାସହ ବାୟୁମଣ୍ଡଳରେ ଆର୍ଦ୍ରତା ୭୦ ରୁ ୮୦ ପ୍ରତିଶତ ରହିବ । ପ୍ରଭାବରେ ଗରମ ଗୁଳୁଗୁଳି ଅନୁଭୁତ ହେବ । କିନ୍ତୁ ଅପରାହ୍ନ ସମୟରେ ଆକସ୍ମିକ ଭାବରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ନୟାଗଡ, ଅନୁଗୁଳ, ଢେଙ୍କାନାଳ ଏବଂ ଗଞ୍ଜାମ ଜିଲ୍ଲାରେ ବଜ୍ରପାତ ଜନିତ ବର୍ଷା ହୋଇପାରେ । ୪ ଓ ୫ ତାରିଖ ଠାରୁ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦିନକ ପରେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ଫେରିନି ମୌସୁମୀ । କିନ୍ତୁ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ନେଇ ଆଇଏମ୍ଡିର ଦୀର୍ଘମିଆଦି ଆକଳନ ପୂଜା ମଣ୍ଡପ ସଦସ୍ୟଙ୍କ ଛନକା ବଢାଇଛି ।

ରାଉରକେଲା ଇସ୍ପାତ କାରଖାନାରେ ବଢୁଛି ଦୁର୍ଘଟଣା

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାରେ ବଢୁଛି ଦୁର୍ଘଟଣା । ଅସାବଧାନତା ହେଉ କି ଢିଲା ସୁରକ୍ଷା, ଆହତ ହେଉଛନ୍ତି ଶ୍ରମିକ । ଉତ୍ତପ୍ତ ଲୁହା ପଡ଼ି ଗୁରୁତର ହେଉଛନ୍ତି କର୍ମଚାରୀ । କନଭର୍ଟର ତଳେ ପାଣି ଜମି ରହିଥିଲେ ଵ୍ଲୋ ବନ୍ଦ କରିବାକୁ ସୂଚନା ଫଳକ ଲାଗିଥିଲେ ସୁଦ୍ଧା ପାଣିରେ ଉତ୍ତପ୍ତ ଲୁହା ପିଣ୍ଡୁଳା ପଡି ବିସ୍ଫୋରଣ ହେଉଛି । ସଠିକ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ପାଣି ଲିକେଜ ହୋଇ ତଳେ ଜମି ରହୁଛି । ଫଳରେ ବିସ୍ଫୋରଣ ହେଉଥିବା ଅଭିଯୋଗ ହୋଇଛି । ସୁରକ୍ଷା ନିୟମ ପାଳନ ହୋଇନଥିବାରୁ ଶନିବାର ଦିନ SMS-1 ଅଘଟଣ ଘଟି ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜର, ୩ ଜଣ ସ୍ଥାୟୀ କର୍ମଚାରୀ ଓ ଜଣେ ଠିକା କର୍ମଚାରୀ ଅଛନ୍ତି । କାରଖାନାର ଚିଫ ଜେନେରାଲ ମ୍ୟାନେଜରଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଟିମ ତଦନ୍ତ ଆରମ୍ଭ କରିଥିବାବେଳେ ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ପାଇଁ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ଗତ ଜୁଲାଇ ମାସରେ ବ୍ଲାଷ୍ଟ ଫର୍ଣ୍ଣେସ-୫ ରେ ଗ୍ୟାସ ଲିକ ହୋଇ ୯ ଜଣ  ଆହତ ହୋଇଥିଲେ । ମରାମତି କାର୍ଯ୍ୟ ଚାଲିଥିବା ବେଳେ ଗ୍ୟାସ ଲିକ ହୋଇ ଜଣେ ଅଫିସରଙ୍କ ସହ ମୋଟ ୯ ଜଣ ଆହତ ହୋଇଥିଲେ । ଅନଭିଜ୍ଞ ଠିକା ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାନଯାଇ କେଵଳ ଅଧିକ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯାଉଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଥିବା ବିଭିନ୍ନ ଶ୍ରମିକ ସଂଗଠନ ଅଭିଯୋଗ କରିଛନ୍ତି । ସେପଟେ ଅଘଟଣ ପରେ ଆହତଙ୍କ ଉପଯୁକ୍ତ ଚିକିତ୍ସା ସହ ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କାରଖାନା କର୍ତ୍ତୃପକ୍ଷ ।

ନେଟୱର୍କ ନଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୫ ଖଣ୍ଡ ଗ୍ରାମବାସୀ

ଗୁଣୁପୁର : ଦୁର୍ଗମ ଅଞ୍ଚଳରେ ଆଜି ବି ଅପହଞ୍ଚ ନେଟୱର୍କ । ସରକାରଙ୍କ ଜନହିତକର ଯୋଜନାର ସୁବିଧା ପାଇବା ପାଇଁ ନେଟୱର୍କ ସାଜିଛି ବାଧକ। ନେଟୱର୍କ ନଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୫ ଖଣ୍ଡ ଗ୍ରାମବାସୀ। ସୁଭଦ୍ରା ଯୋଜନା ହେଉ କି ରାସନ କାର୍ଡର ଇ- କେଓ୍ବାଇସି କରିବା ପାଇଁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି। ଇ- କେଓ୍ବାଇସି କରିବା ପାଇଁ ଚଢ଼ିବାକୁ ପଡୁଛି ପାହାଡ଼। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ।  ଚିନାସାରି ପଞ୍ଚାୟତ ଓ ଜଲତାର ପଞ୍ଚାୟତର ପାଞ୍ଚ ଖଣ୍ଡ ଗାଁର ଲୋକେ ରାସନ କାର୍ଡର ଇ- କେଓ୍ବାଇସି କରିବା ପାଇଁ ତିନି କିମି ପାହାଡ଼ ଚଢ଼ି ଲାଇନ ଲଗାଇଛନ୍ତି। ଏଙ୍ଗେରବା,  ତାଡାବାଡା, କୁରୁଗୁଡା, ଜାମ୍ବୁଗୁଡା ଓ  ପେରେଣ୍ଡା ଗ୍ରାମବାସୀ ବହୁ ଅସୁବିଧା ଭୋଗୁଛନ୍ତି। ପଞ୍ଚାୟତ କର୍ମଚାରୀ, ଯୋଗାଣ ସହାୟକ ପାହଡ ଉପରେ ଚଢି ସେଠାରେ ଇ କେଓ୍ବାଇସି କାମ କରୁଥିବା ଦେଖିବାକୁ ମିଳିଛି।  ମେସିନରେ ଚାର୍ଜ ସରିଗଲେ ଫେରିଯାଉଛନ୍ତି କର୍ମଚାରୀ। ଫଳରେ ନିରାଶ ହୋଇ ଲୋକଙ୍କୁ ଫେରିବାକୁ ପଡୁଛି। ନେଟ୍ ଓ୍ବାର୍କ ସୁବିଧା ନଥିବାରୁ ଦୁର୍ଗମ ଅଞ୍ଚଳ ବାସିନ୍ଦା କାମଧନ୍ଦା ଛାଡି ଦିନ ତମାମ୍ ଭୋକ ଶୋଷରେ ଜଗିରହୁଛନ୍ତି। ପେରେଣ୍ଡା ଗ୍ରାମରେ କିଛ ବର୍ଷ ତଳେ ନେଟ୍ଓ୍ବାର୍କ ସୁବିଧା ପାଇଁ ଏକ ଜିଓ ଟାଓ୍ବାର କରାଯାଇଛି ତାହା ବି କାର୍ଯ୍ୟକ୍ଷମ ହେଉନାହିଁ।

ଗରିବ ହିତାଧିକାରୀଙ୍କ ଟଙ୍କା ଖାଇଗଲେ ବିଭାଗୀୟ ଅଧିକାରୀ !

ଆନନ୍ଦପୁର :  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଘୋଟାଲା । ହିତାଧିକାରୀ ନାହିଁ କି ଘର ନାହିଁ ତଥାପି ଫେକ୍ ଆକାଉଣ୍ଟକୁ ଟଙ୍କା ଯାଇଛି ।  ବେନାମୀ ହିତାଧିକାରୀଙ୍କ ନାଁରେ ଫାଇଲ ଖୋଲାଯାଇ ଲକ୍ଷାଧିକ ଟଙ୍କା ହଡପ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରୁ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରାମ ମୁଣ୍ଡା ପିତା ପ୍ରଶାନ୍ତ ମୁଣ୍ଡାଙ୍କୁ ବାସ ଗୃହ ଯୋଗା ଯାଇଛି । କିନ୍ତୁ ପ୍ରକୃତରେ ରାମ ମୁଣ୍ଡା ନାମକ ହିତାଧିକାରୀ କିଏ ନାହାଁନ୍ତି ।  ଗତ ୨୦୨୩ ମସିହା ଡିସେମ୍ବର ମାସ ୭ତାରିଖରେ ଘରର ଫାଉଣ୍ଡେସନ ପାଇଁ ପ୍ରଥମ କିସ୍ତି ୪୦ ହଜାର ଓ ପରବର୍ତ୍ତୀ  ପର୍ଯ୍ୟାୟରେ ଛାତ ଲେବୁଲ୍ ପର୍ଯ୍ଯନ୍ତ  ନିର୍ମାଣ ପାଇଁ ୬୫ ହଜାର ଯୋଗାଇ ଦିଆଯାଇଛି । ଏମିତି ମୋଟ ୧ ଲକ୍ଷ ପାଞ୍ଚ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ହେଲେ ନାଁ ଅଛି ଘର , ନା ଅଛି ଗାଁରେ ଏଭଳି କିଏ ହିତାଧିକାରୀ ଅଛନ୍ତି । ହାଟଡିହି ବ୍ଯାଙ୍କ ଅଫ ଇଣ୍ଡିଆ ଶାଖାରେ ଏଭଳି କେହି ହିତାଧିକାରୀଙ୍କ ଜମାଖାତା ମଧ୍ଯ ନାହିଁ । ଟଙ୍କା ଯାଇଛି ସେହି ବ୍ଯାଙ୍କ ସାଖାରେ ଥିବା ମାନସ ମହାନ୍ତି ନାମକ ବ୍ଯକ୍ତିଙ୍କ ଜମା ଖାତାକୁ । ବ୍ଲକ୍ ର ବଡବାବୁଙ୍କ ସମେତ କିଛି ଦଲାଲ ମିଳିମିଶି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।

ହାଟଡିହି ବ୍ଲକ ରୁରାଲ୍ ହାଉସିଂ ବିଭାଗ ପନ୍ଦାଡୋ ପଞ୍ଚାୟତର ଏହି ତଥ୍ଯକୁ ଦେଖିଲେ,  ୨୦୨୩ ମସିହା ସେପ୍ଟେମ୍ବର ୯ ତାରିଖରେ ବ୍ଲକ୍ ରୁରାଲ ହାଉସିଂ ବିଭାଗ ତରଫରୁ ସରଳାପଶି ଗାଁର ହିତାଧିକାରୀ ରାମ ମୁଣ୍ଡା ପିତା ପ୍ରସନ୍ନ  ମୁଣ୍ଡାଙ୍କୁ ଘର ମିଳିଛି । କ୍ରମିକ ସଂଖ୍ଯା OR 154624802 ରେ ତାଙ୍କୁ କାର୍ଯ୍ୟାଦେଶ  ପ୍ରଦାନ କରାଯାଇଛି । ଇଏ ହେଉଛନ୍ତି ପ୍ରକୃତ ହିତାଧିକାରୀ  , ଟଙ୍କା ନେଇ ଘର ମଧ୍ଯ ତୋଳିଛନ୍ତି । ହେଲେ ପରବର୍ତ୍ତୀ ସମୟରେ ହୋଇଛି ଘୋଟାଲା । ରାମ ମୁଣ୍ଡା ପିତା ପ୍ରସନ୍ନ ମୁଣ୍ଡାଙ୍କ ଘର ଫଟୋ ଉଠାଇ ଜିଇଓ ଟ୍ଯାଗ୍ କରି ରାମ ମୁଣ୍ଡା ପିତା ପ୍ରଶାନ୍ତ ମୁଣ୍ଡା ନାମରେ ବେନାମି ଫାଇଲ୍ ଖୋଲାଯାଇଛି  ।  ଘଟଣା ପରେ ହାଟଡିହି ବ୍ଲକ୍ ରୁରାଲ ହାଉସିଂ ବିଭାଗର ବିପିସି ବିନା ଅନୁମତିରେ ରେ କାର୍ଯାଳୟ ଆସୁନଥିବା କହିଛନ୍ତି ବିଡିଓ  । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଘୋଟାଲାରେ ଏହା ଭାତ ହାଣ୍ଡିରୁ ଗୋଚିଏ,  ପ୍ରକୃତ ଘଟଣା ତଦନ୍ତ କଲେ ଏପରି ଆହୁରି ଅନେକ  ଆବାସ ଗୃହ ଘୋଟାଲାର ରହସ୍ଯ ସାମ୍ନାକୁ ଆସିବ ।

ଛେଳିଗୁହାଳରେ ଚାଲିଛି ଶିକ୍ଷାଦାନ, କାନ୍ଥ ସାଜିଛି କଳାପଟା

ଉଦଳା : ବିଦ୍ଯାଳୟରେ ନୂତନ ସ୍କୁଲ ଘର ନିର୍ମାଣ ହୋଇଥିଲେ ବି ଏପର୍ଯ୍ଯନ୍ତ ସରିନଥିବାରୁ ଦୀର୍ଘ ବର୍ଷ ଧରି ବାରଣ୍ଡାରେ ଚାଲିଛି ପାଠପଢା । କାନ୍ଥ ସାଜିଛି କଳାପଟା । ଛେଳି ଗୁହାଳରେ ଚାଲିଛି ଶିକ୍ଷାଦାନ । ଏଭଳି ପ୍ରାଥମିକ ଶିକ୍ଷାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଠାକରାସାହି ପ୍ରାଥମିକ ବିଦ୍ଯାଳୟରେ । ଏହି ବିଦ୍ଯାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ୩୦ ଜଣ ପିଲା ପାଠ ପଢୁଛନ୍ତି । ହେଲେ ବିଦ୍ଯାଳୟରେ ନିଜସ୍ଵ ସ୍କୁଲ ଘର ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପିଲା । ଦୀର୍ଘ ୧୪ ବର୍ଷ ପୂର୍ବରୁ ଗାଁରେ ବିଦ୍ଯାଳୟ ନିମନ୍ତେ ଘର ନିର୍ମାଣ ହୋଇଥିଲା । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଆଜି ପର୍ଯ୍ଯନ୍ତ ସ୍କୁଲ ଘର ନିର୍ମାଣ ହୋଇନାହିଁ । ସ୍କୁଲ ଘର ନଥିବାରୁ ଦୀର୍ଘ ଦିନ ଧରି ବାରଣ୍ଡାରେ ଚାଲିଛି ପାଠପଢା । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ ଖୁବ ଶୀଘ୍ର ବିଦ୍ଯାଳୟ ଶ୍ରେଣୀଗୃହ ନିର୍ମାଣ କରାଯିବ ବୋଲି ବିଇଓ ସୂଚନା ଦେଇଛନ୍ତି ।

ସେପଟେ ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ଡ଼ିମିରିକୁଦା ପଞ୍ଚାୟତ ଛେଳିଆମେଣ୍ଢିଆ ପ୍ରାଥମିକ ବିଦ୍ଯାଳୟରେ ଭୁଶୁଡିପଡିଛି ଶିକ୍ଷାଦାନ ପ୍ରକ୍ରିୟା । ବିଦ୍ଯାଳୟ ଶ୍ରେଣୀ ଗୃହ ବିପଦପୂର୍ଣ୍ଣ ଥିବାରୁ ଗାଁର କମ୍ଯୁନିଟି ସେଣ୍ଟରରେ ଚାଲିଛି ପାଠପଢା । ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ୩୯ ଜଣ ଛାତ୍ରଛାତ୍ରୀଙ୍କ ପାଠପଢା ୨ ଜଣ ଶିକ୍ଷକରେ ଚାଲିଛି । ବିଦ୍ଯାଳୟ ଶ୍ରେଣୀଗୃହ ନଥିବାରୁ ବାଧାପ୍ରାପ୍ତ ହେଉଛି ଶିକ୍ଷାଦାନ ପ୍ରକ୍ରିୟା । ସେହିପରି ବିଦ୍ଯାଳୟରେ ନୂତନ ଶ୍ରେଣୀ ଗୃହ ପାଇଁ କୋଠା ନିର୍ମାଣ ହୋଇଥିଲେ ସୁଦ୍ଧା ତାହା ଏପର୍ଯ୍ଯନ୍ତ ସରିପାରିନାହିଁ । ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ସେପଟେ ଶୁବଶୀଘ୍ର ପିଲାଙ୍କ ସମସ୍ଯାର ସମାଧାନ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି । ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ କେବେ ସରୁଛି ତାହା ଉପରେ ସମସ୍ତଙ୍କ ନଜର ।