spot_img
Home Blog Page 1574

ଆସନ୍ତାକାଲି ଜାମ୍ମୁ ଓ କାଶ୍ମୀରରେ ଶେଷ ଭୋଟ୍, ୪୦ ଆସନରେ ଭାଗ୍ଯ ପରୀକ୍ଷା କରିବେ ୪୪୯ ପ୍ରାର୍ଥୀ

ଶ୍ରୀନଗର : ଆସନ୍ତାକାଲି ଜମ୍ମୁ ଓ କାଶ୍ମୀରର ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ । ୪୦ଟି ଆସନ ଲାଗି ମଇଦାନରେ ଅଛନ୍ତି ୪୪୯ ପ୍ରାର୍ଥୀ । ତ୍ରେହଗାଓଁ, କୁପଓ୍ବାରା, ସୋପୋର, ବାରମୁଲ୍ଲା, ଗୁଲମାର୍ଗ, ବାନ୍ଦିପୋରା, ଉଦ୍ଧମପୁର ଓ୍ବେଷ୍ଟ, ଉଦ୍ଧମପୁର ଇଷ୍ଟ, କାଠୁଆ ଆଦି ଆସନରେ ହେବ ଭୋଟ । ଜମ୍ମୁ ଅଞ୍ଚଳର ୨୩ ଓ କାଶ୍ମୀର ଅଞ୍ଚଳର ୧୭ ଆସନରେ ହେବ ଭୋଟ ।

ବାରମୁଲ୍ଲାରେ ୧୦୭, କୁପଓ୍ବାରାରେ ୭୫, ବାନ୍ଦିପୋରାରେ ୪୬ ପ୍ରାର୍ଥୀ ରହିଛନ୍ତି। ୧ ହଜାର ୪୮୪ ପୋଲିଂ ଷ୍ଟେସନରେ ମୋଟ ୧୨ ଲକ୍ଷ ଭୋଟର କରିବେ ମତଦାନ । ହାଇପ୍ରୋଫାଇଲ ଆସନ ହନ୍ଦବାରାରେ ଏନସିରୁ ପ୍ରାର୍ଥୀ ହୋଇଛନ୍ତି ଚୌଧୁରୀ ମହମ୍ମଦ ରମଜାନ, ପିପୁଲ୍ସ କନଫରେନ୍ସରୁ ପ୍ରାର୍ଥୀ ହୋଇଛନ୍ତି ଏହାର ଅଧ୍ଯକ୍ଷ ସାଜ୍ଜଦ ଗନି ଲୋନ ଓ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଗୁଲାମ ମହମ୍ମଦ ମୀର । ପ୍ରଥମ ପର୍ଯ୍ୟାୟରେ ୫୯ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ହୋଇଥିଲା ୫୭.୦୩ ପ୍ରତିଶତ ମତଦାନ । ଅଧିକାଂଶ ସ୍ଥାନରେ ନ୍ଯାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ, ବିଜେପି ଓ ପିଡିପି ମଧ୍ଯରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଛି।

ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ ; ଘଟଣାସ୍ଥଳରେ ଜଣେ ମୃତ ଓ ୧୫ ଜଣ ଆହତ

ଯାଜପୁର : ଯାଜପୁର ଜାତୀୟ ରାଜପଥ-୧୬ ଜାରକା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ ସହ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଜାରକା ଠାରେ ଛିଡା ହୋଇଥିବା ଟ୍ରକକୁ ଭାରସାମ୍ୟ ହରାଇ ପଛରୁ ପିଟିଲା ବସ୍। ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସରେ ୪୦ ରୁ ଉର୍ଦ୍ଧ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ପୋଲିସର ତନାଘନା ଜାରି।

ଘରୋଇ କଲେଜରେ ପୁଣି ରାଗିଂ ଅଭିଯୋଗ, ମାଡ଼ମାରି ୨ ମହଲା ଛାତରୁ ଛାତ୍ରଙ୍କୁ ଠେଲିଦେଲେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ଘରୋଇ କଲେଜରେ ଛାତ୍ରଙ୍କୁ ରାଗିଂ। ଗତ ରାତିରେ ଛାତ୍ରଙ୍କୁ ରାଗିଂ ପରେ ମାଡ ମାରି ଦୁଇ ମହଲା ଉପରୁ ତଳକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ଘରୋଇ କଲେଜ ହଷ୍ଟେଲରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି।

ଜଣେ ଛାତ୍ରକୁ ପ୍ରଥମେ ରୁମ୍ ଭିତରେ ମାଡ ମାରିବା ସହ ଭିଡିଓ ତିଆରି କରି ପରେ ଦୁଇ ମହଲା ଛାତ ଉପରୁ ଠେଲି ଦେଇଥିଲେ। ପରେ କଲେଜ କର୍ତ୍ତୃପକ୍ଷ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ହଷ୍ଟେଲ ଭିତରକୁ ମଦ ଆଣି ଛାତ୍ରମାନେ ନିଶାସକ୍ତ ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଗିଂର ଶିକାର ଛାତ୍ର। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

୩ ଦିନ ଧରି ଅଶାନ୍ତ ବାତାବରଣ ପରେ ଭଦ୍ରକ ସ୍ଥିତିରେ ସାମାନ୍ୟ ସୁଧାର

ଭଦ୍ରକ : ୩ ଦିନ ଧରି ଅଶାନ୍ତ ବାତାବରଣ ପରେ ଭଦ୍ରକରେ ସୁଧୁରୁଛି ସ୍ଥିତି। ଆଜି ସକାଳ ୬ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସାରା ଜିଲ୍ଲାରେ ବଳବତ୍ତର ରହିଛି ଧାରା ୧୬୩। ୨ ରୁ ଅଧିକ ଲୋକଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଇଛି ପ୍ରଶାସନ।

ଧାମନଗର ଓ ଦୋବଲରେ ମଧ୍ୟ ବନ୍ଦ ରହିଥିବା ସମସ୍ତ ଦୋକାନବଜାର କଟକଣା ମଧ୍ୟରେ ଖୋଲିବ। ସ୍ଥିତିକୁ ନଜରରେ ରଖି ଆହୁରି ୪୮ ଘଣ୍ଟା ବନ୍ଦ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କେବଳ ଲିଜ୍ ଲାଇନ୍ ମାଧ୍ୟମରେ ଇଣ୍ଟରନେଟ ଯୋଗାଇ ଦିଆଯିବ। ଫଳରେ ବ୍ୟାଙ୍କ୍, କର୍ପୋରେଟ୍ ସଂସ୍ଥା ସହ ବଡବଡ ଶିଳ୍ପ ସଂସ୍ଥାକୁ ମିଳିବ ଇଣ୍ଟରନେଟ୍ ।

ଆଜିଠାରୁ ବ୍ୟାଙ୍କରେ ଦେଣନେଣ ହୋଇପାରିବ । ଗିରଫ ସଂଖ୍ୟା ୧୫ ରେ ପହଞ୍ଚିଥିବାବେଳେ ଆଗକୁ ଏହି ସଂଖ୍ୟା ବଢିବା ସମ୍ଭାବନା ରହିଛି । ଗୁଜବରେ ବିଶ୍ବାସ ନକରି ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଡିଆଇଜି। ଘଟଣାରେ ସମ୍ପୃକ୍ତ ନଥିଲେ ଭୟଭୀତ ନହୋଇ ଘରେ ରହିଲେ କୌଣସି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ଡିଆଇଜି।

ନେପାଳରେ ବନ୍ୟା ବିଭିଷୀକା, ୧୭୦ ଟପିଲା ମୃତ୍ୟୁ ସଂଖ୍ୟା

କାଠମାଣ୍ଡୁ: ନେପାଳରେ ତାଣ୍ଡବ ରଚିଛି ବର୍ଷା । ଭୀଷଣ ବର୍ଷା ଯୋଗୁଁ  ନେପାଳରେ ପ୍ରବଳ ବନ୍ୟା ପରିସ୍ଥିତି ସହ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ୪ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ  ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। । ୧୩ଟି ଜିଲ୍ଲାର ୧୬ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି।  ମୃତ୍ୟୁ ସଂଖ୍ୟା ୧୭୦କୁ ଟପିଥିବା ବେଳେ ଏବେ ବି ୪୨ ଜଣ ନିଖୋଜ ଅଛନ୍ତି । ୩ ଦିନ ପାଇଁ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛି ପ୍ରଶାସନ।

ବନ୍ୟା ଓ ଭୂସ୍ଖଳନରେ ୩୨୨ ଘର ଓ ୧୬ ବ୍ରିଜ ଭାଙ୍ଗିଥିବା ସୂଚନା ରହିଛି । ଅନ୍ୟପକ୍ଷେ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଶୁକ୍ରବାର ଠାରୁ ନେପାଳର ପୂର୍ବ ଏବଂ ମଧ୍ୟ ଭାଗର ଅନେକ ଅଂଶ ଜଳମଗ୍ନ ହୋଇଯାଇଛି । ଏଥି ପାଇଁ ୫୬ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବା ସହ ନଦୀବନ୍ଧଗୁଡ଼ିକ ଉପରେ ସତର୍କ ନଜର ରଖାଯାଇଛି।

ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁଯାୟୀ, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୪୨ ଜଣ ନିଖୋଜ ଅଛନ୍ତି। ସମସ୍ତ ସୁରକ୍ଷା ଏଜେନ୍ସି ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିବା ସହ ସର୍ଚ୍ଚ ଅପରେସନ ମଧ୍ୟ ଚାଲିଛି। କର୍ତ୍ତୃପକ୍ଷ ବନ୍ୟା ସତର୍କ ସୂଚନା ଜାରି କରିବା ସହ ଯୁଦ୍ଧସ୍ତରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଜାରି ରଖିଛନ୍ତି । ନେପାଳ ସେନା ସମଗ୍ର ଦେଶରେ ୧୬୨ ଜଣଙ୍କୁ ବିମାନ ଯୋଗେ ଉଦ୍ଧାର କରିଛି।

ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ  ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇ  ନଦୀବନ୍ଧ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ  କୋସି ବ୍ୟାରେଜ ନିକଟରେ ଯାନବାହନ ଚଳାଚଳ ବନ୍ଦ ରହିଛି। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକ ମଧ୍ୟରେ ଗଣ୍ଡକ, କୋସି, ବାଗମତୀ, ବୁଢ଼ୀ ଗଣ୍ଡକ, କମଳା ବାଲାନ, ମହାନନ୍ଦା ଏବଂ ଗଙ୍ଗା ନଦୀ ରହିଥିବାରୁ ଉତ୍ତର ବିହାରର ୮ଟି ଜିଲ୍ଲାର ୩୧ଟି ବ୍ଲକ୍‌ରେ ଉଦ୍‌ବେଗଜନକ ସ୍ଥିତି ଦେଖିବାକୁ ମିଳିଛି।

ଅପରାଧିକ ମାନହାନି ମାମଲା ପ୍ରସଙ୍ଗ: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅପରାଧିକ ମାନହାନି ମାମଲା ପ୍ରସଙ୍ଗ । ମାମଲାକୁ ରଦ୍ଦ କରିବା ଲାଗି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଆତିଶୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ ଆବେଦନର ଶୁଣାଣି ଆଜି କରିବେ ସୁପ୍ରିମକୋର୍ଟ । ୨୦୧୮ରେ ଦିଲ୍ଲୀ ଭୋଟର ତାଲିକାରୁ ଭୋଟରମାନଙ୍କ ନାମ ବାଦ୍ ଦିଆଯାଇଛି ବୋଲି ଆତିଶୀ ଓ କେଜରିଓ୍ବାଲ ଯେଉଁ ଅଭିଯୋଗ କରିଥିଲେ ତାହା ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ ବିଜେପି ନେତା ରାଜୀବ ବବର । ଜଷ୍ଟିସ ହୃଷୀକେଶ ରୟ ଓ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

ଏହି ମାମଲାକୁ ରଦ୍ଦ କରିବା ଲାଗି ଆତିଶୀ, କେଜରିଓ୍ବାଲ, ସୁଶୀଲ କୁମାର, ମନୋଜ କୁମାର କରିଥିବା ଆବେଦନକୁ ଗତ ସେପ୍ଟେମ୍ବର ୨ରେ ରଦ୍ଦ କରିଥିଲେ ଦିଲ୍ଲୀ ହାଇକୋର୍ଟ । ପ୍ରତିବାଦରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆପ୍ ନେତା । ସେମାନେ ଅଭିଯୋଗ କରିଥିଲେ ଯେ ୨୦୧୮ରେ ଦିଲ୍ଲୀ ଭୋଟର ତାଲିକାରୁ ବଣିଆ, ପୂର୍ବାଞ୍ଚଳୀ ଓ ମୁସଲିମ ସମ୍ପ୍ରଦାୟର ୩୦ଲକ୍ଷ ଭୋଟରଙ୍କ ନାମ୍ ଜାଣିଶୁଣି ବାଦ୍ ଦିଆଯାଇଛି । ପୂର୍ବରୁ ଅକ୍ଟୋବର ୩ରେ ଟ୍ରାଏଲ କୋର୍ଟରେ ହାଜର ହେବା ଲାଗି ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ । ଗତ ୨୦୧୯ ମାର୍ଚ୍ଚ ୧୫ରେ ମାଜିଷ୍ଟ୍ରେଟଙ୍କ କୋର୍ଟ ଓ ୨୦୨୦ ଜାନୁଆରୀ ୨୮ରେ ଦୌରାଜଜଙ୍କ କୋର୍ଟ ମାନହାନି ମାମଲା ରଦ୍ଦ ଆବେଦନକୁ ଖାରଜ କରିଥିଲେ ।

ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ : ଆଜି ସୁପ୍ରିମକୋର୍ଟରେ ମାମଲାର ହେବ ଶୁଣାଣି

ନୂଆଦିଲ୍ଲୀ : ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ । ଆଜି ସୁପ୍ରିମକୋର୍ଟରେ ମାମଲାର ହେବ ଶୁଣାଣି । କିଛି ଦିନ ସାରା ଦେଶରେ ଏହି ପ୍ରସଙ୍ଗକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିବାବେଳେ ମାମଲା ପହଞ୍ଚିଥିଲା ସର୍ବୋଚ୍ଚ ଅଦାଲତରେ । ଗୋଚର୍ବି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଓ ତିରୁମାଲା ତିରୁପତି ଦେବସ୍ଥାନମ୍ସ ବା ଟିଟିଡିର ପୂର୍ବତନ ଅଧ୍ଯକ୍ଷ ତଥା ଓ୍ବାଇଏସଆର କଂଗ୍ରେସ ରାଜ୍ଯସଭା ସାଂସଦ ଓ୍ବାଇଭି ସୁବା ରେଡ୍ଡୀ ।

ପବିତ୍ର ଲଡୁରେ ଗୋଚର୍ବି, ଘୁଷୁରି ଚର୍ବି ଓ ମାଛ ତେଲ ମିଶିଥିବା ନେଇ ରିପୋର୍ଟ ଆସିବା ପରେ ତତକାଳୀନ ଓ୍ବାଇଏସଆର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ଏହି ଘଟଣାରେ କୋର୍ଟ ନେତୃତ୍ବାଧୀନ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଦୁଇ ଆବେଦନାକାରୀ । ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ.ଭି. ବିଶ୍ବନାଥନ ଏହି ମାମଲାର ଶୁଣାଣି କରିବେ । ନିଜ ପିଟିସନରେ ସୁବ୍ରଣ୍ୟମ ଦାବି କରିଛନ୍ତି ଯେ, ଲଡୁ ପ୍ରସ୍ତୁତ ଲାଗି ବ୍ଯବହୃତ ଘିଅ ସମ୍ପର୍କରେ ସବିଶେଷ ରିପୋର୍ଟ ଦାଖଲ ଲାଗି ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏହା ସହ ସବିଶେଷ ଫରେନସିକ ରିପୋର୍ଟ ତଲବ କରାଯାଉ ।

ସେହିପରି ସୁବା ରେଡ୍ଡୀ ଦାବି କରିଛନ୍ତି, ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠିତ ଏସଆଇଟି ଜରିଆରେ ଅପମିଶ୍ରଣ ଘଟଣାର ତଦନ୍ତ ହେଉ । ଗତ ୨୮ ତାରିଖ ଶନିବାର ତିରୁପତି ମନ୍ଦିର ଗସ୍ତ ଲାଗି ଯୋଜନା କରିଥିବାବେଳେ ତାଙ୍କୁ ଅନୁମତି ଦିଆଯାଇ ନଥିଲା ବୋଲି ଅଭିଯୋଗ କରିଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ।

ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କୁ ଗୁରୁଦାୟିତ୍ବ

ଚେନ୍ନାଇ : ତାମିଲନାଡୁ ମୁଖ୍ଯମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କୁ ଗୁରୁଦାୟିତ୍ବ। ତାଙ୍କୁ କରାଯାଇଛି ଉପମୁଖ୍ଯମନ୍ତ୍ରୀ। ଏହା ସହ ଡିଏମକେର ଆଉ ୪ ବିଧାୟକଙ୍କୁ କରାଯାଇଛି ମନ୍ତ୍ରୀ। ରାଜ୍ଯପାଳ ଆର.ଏନ. ରବି ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥଇଲେ। ରାଜଭବନନରେ ଆୟୋଜିତ ଏକ ଉତ୍ସବରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅର୍ଥ ଅନିୟମିତା ଅଭିଯୋଗରେ ଗିରଫ ହୋଇ ସୁପ୍ରିମକୋର୍ଟରୁ ଜାମିନରେ ଆସିଥିବା ଡିଏମକେ ନେତା ଭି. ସେନ୍ଥିଲ ବାଲାଜି, ଆର. ରାଜେନ୍ଦ୍ରନ, ଗୋବି ଚେଜିଆନ ଓ ଏସ.ଏମ. ନାସରଙ୍କୁ ମନ୍ତ୍ରୀପଦ ମିଳିଛି। ସେନ୍ଥିଲଙ୍କୁ ବିଦ୍ଯୁତ, ଅବକାରୀ ଦାୟିତ୍ବ ମିଳିଛି। ଚେଜିଆନଙ୍କୁ ଉଚ୍ଚଶିକ୍ଷା, ଇଲେକ୍ଟ୍ରୋନିକସ, ରାଜେନ୍ଦ୍ରନଙ୍କୁ ପର୍ଯ୍ୟଟନ, ନାସରଙ୍କୁ ସଂଖ୍ଯାଲଘୁ ବିଭାଗ ମିଳିଛି।

ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ବର : ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ବଦଳିଲେ କଟକ-ଭୁବନେଶ୍ବର ପୋଲିସ କମିଶନର ସଞ୍ଜୀବ ପଣ୍ଡା । ସଞ୍ଜୀବ ପଣ୍ଡା ହେଲେ ଏଡିଜି ଟ୍ରେନିଂ ଓ BPSPA ନିର୍ଦ୍ଦେଶକ। ସୁରେଶ ଦେବଦତ୍ତ ସିଂହ ହୋଇଛନ୍ତି ନୂଆ ପୋଲିସ କମିଶନର । ଏ.କେ ରୟ ହେଲେ ଜେଲ ବିଭାଗ ଡିଜି । ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ହୋଇଛନ୍ତି ADGP ଆଧୁନିକୀକରଣ। ଏସ.ଏମ ନରଭାଣେ ହୋଇଛନ୍ତି ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେଶନ ନିର୍ଦ୍ଦେଶକ। ସନ୍ତୋଷ ବାଲା ହୋଇଛନ୍ତି SCRB ଓ SFSL ନିର୍ଦ୍ଦେଶକ। ଅରୁଣ ବୋଥ୍ରା ହୋଇଛନ୍ତି ADGP ରେଳବାଇ ଓ ଉପକୂଳ ସୁରକ୍ଷା।  ଦୟାଲ ଗଙ୍ଗଓ୍ବାର ହୋଇଛନ୍ତି ADGP ମୁଖ୍ୟାଳୟ । ଏସ. ଶାଇନୀ ହୋଇଛନ୍ତି ଆଇଜିପି CAW ଓ CW। ସେହିପରି ଜୟନାରାୟଣ ପଙ୍କଜ ହେଲେ ଆଇଜିପି ଅପରେଶନ ଅନୁପ ସାହୁ ହୋଇଛନ୍ତି ଆଇଜିପି ଟ୍ରେନିଂ, BPSPA। ସାର୍ଥକ ଷଡ଼ଙ୍ଗୀଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି  କରାଯାଇଛି। ନୀତି ଶେଖର ହୋିଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି। ଉମାଶଙ୍କର ଦାଶଙ୍କୁ ଅତିରିକ୍ତ ପୋଲିସ କମିଶନର କରାଯାଇଛି। ପ୍ରକାଶ ଆର ହୋଇଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି। ବ୍ରିଜେଶ ରାୟ ହୋଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି। ଚରଣ ସିଂହ ମୀନା ହୋଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି । ପାରୁଲ ଗୁପ୍ତା ହୋଇଛନ୍ତି ଡିଆଇଜି କମ୍ପ୍ୟୁଟର

ସେହିପରି ଏସପି ସ୍ତରରେ ମଧ୍ୟ ଅଦଳବଦଳ କରିଛନ୍ତି ସରକାର। ପୁରୀ ଏସପି ପିନାକ ମିଶ୍ର ହେଲେ ଭୁବନେଶ୍ବର ଡିସିପି। ମଦକର ସନ୍ଦୀପ ସମ୍ପଦ ହେଲେ ଭଦ୍ରକ ଏସପି। ଅନୁମ ଜେମ୍ସ ହେଲେ ଭିଜିଲାନ୍ସ ଏସପି। ରାହୁଲ ପି.ଆର ହେଲେ ଭିଜିଲାନ୍ସ ଏସପି। ଗଞ୍ଜାମ ଏସପି ଜଗମୋହନ ମୀନା ହେଲେ କଟକ ଡିସିପି। ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ହେଲେ କଟକ ଗ୍ରାମାଞ୍ଚଳ ଏସପି। ରାହୁଲ ଜୈନ ହେଲେ ଅନୁଗୁଳ ଏସପି। ଶରବଣା ବିବେକ ଏମଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି। ଭିନୀତ ଅଗ୍ରଓ୍ବାଲଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଛି। ବରୁଣ ଗୁଟୁନପାଲୀଙ୍କୁ ମୟୂରଭଞ୍ଜ ଏସପି ଭାବେ ବଦଳି କରାଯାଇଛି। ସାଗରିକା ନାଥଙ୍କୁ ଖୋର୍ଦ୍ଧା ଏସପି ଭାବେ ଦାୟିତ୍ବ ଦିଆଯାଇଛି। ସ୍ବାତୀ ଏସ କୁମାରଙ୍କୁ ରାୟଗଡ଼ା ଏସପି ଭାବେ ବଦଳି କରାଯାଇଥିବା ବେଳେ, ଏସ ସୁଶ୍ରୀଙ୍କୁ ନୟାଗଡ଼ ଏସପି ଭାବେ ବଦଳି କରାଯାଇଛି। ନୀତେଶ ଓ୍ବାଧଓ୍ବାନୀଙ୍କୁ ରାଉରକେଲା ଏସପି ଭାବେ ବଦଳି କରାଯାଇଥିବା ବେଳେ, ରାୟ ପ୍ରସାଦଙ୍କୁ ବାଲେଶ୍ବର ଏସପି, ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସପି, ଶୁଭେନ୍ଦୁ ପାତ୍ରଙ୍କୁ ଗଞ୍ଜାମ ଏସପି, ଅଭିନବ ଶୋନକରଙ୍କୁ ଢ଼େଙ୍କାନାଳ ଏସପି ଭାବେ ବଦଳି କରାଯାଇଛି। ସେହିପରି ରୋହିତ ବର୍ମାଙ୍କୁ କୋରାପୁଟ ଏସପି ଭାବେ ବଦଳି କରାଯାଇଥିବା ବେଳେ, ୟଶପ୍ରତାପ ଶିରିମଲଙ୍କୁ ଯାଜପୁର ଏସପି, ହରିଶ ବିଶିଙ୍କୁ କନ୍ଧମାଳ, ଅନୀଲ ମିଶ୍ରଙ୍କୁ ଦେବଗଡ଼, ରାମ ପ୍ରସାଦ ସାହୁଙ୍କୁ ସୋନପୁର, ଭବାନୀ ଶଙ୍କର ଉଗାତାଙ୍କୁ ଜଗତସିଂହପୁର, ମିହିର ପଣ୍ଡାଙ୍କ ନବରଙ୍ଗପୁର ଓ ଜୀତେନ୍ଦ୍ର ପଣ୍ଡାଙ୍କୁ ଗଜପତି ଏସପି ଭାବେ ବଦଳି କରାଯାଇଛି।

ନଗଡ଼ା ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିବା ବକ୍ତବ୍ଯକୁ ବିଜେଡିର ତୀବ୍ର ସମାଲୋଚନା

ଭୁବନେଶ୍ବର : ଯାଜପୁର ବଡ଼ଚଣାରେ ବିଜେଡିକୁ ଟାର୍ଗେଟ କରି ଅଡୁଆରେ ପଡିଯାଇଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ମୋହନଙ୍କ ବିଜେଡି ବିରୋଧୀ ବକ୍ତବ୍ଯ ତାଙ୍କ ଲାଗି ବୁମେରାଂ ହୋଇଛି। ବିଜେଡି ସରକାର ଯାଜପୁରରେ କିଛି ବିକାଶ କରିନାହାନ୍ତି ବୋଲି ନଗଡ଼ା ଉଦାହରଣ ଦେଇ କହିଥିବା ବକ୍ତବ୍ଯକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ପାର୍ଲାମେଣ୍ଟରେ ଉପସ୍ଥାପିତ ପୋଷଣ ସମ୍ପର୍କିତ ତଥ୍ଯକୁ ସୁଲତା ଦେଓ ଗଣମାଧ୍ଯମ ସମ୍ମୁଖରେ ରଖିବା ସହ ମୁଖ୍ଯମନ୍ତ୍ରୀ ବିଭ୍ରାନ୍ତ କରୁଛନ୍ତି ଓ ରଙ୍ଗବଦଳା ରାଜନୀତିରୁ କ୍ଷାନ୍ତ ରୁହନ୍ତୁ ବୋଲି କହିଛନ୍ତି। ଦେଶରେ ବିଜେପିଶାସିତ ରାଜ୍ଯ ଗୁଜରାଟ, ରାଜସ୍ଥାନ, ମଧ୍ଯପ୍ରଦେଶ, ବିହାର ଓ ଉତ୍ତରପ୍ରଦେଶର ତଥ୍ଯ ସାଂଗକୁ ପୋଷଣ କ୍ଷେତ୍ରରେ ଜାତୀୟ ହାରର ତଥ୍ଯ ଉପସ୍ଥାପନ କରିଥିଲେ ସୁଲତା। ସେ କହିଛନ୍ତି- ଜାତୀୟ ହାର ସାଂଗକୁ ଏହିସବୁ ବିଜେପି ଶାସିତ ରାଜ୍ଯ ତୁଳନାରେ ଓଡ଼ିଶାର ସ୍ଥିତି ବେଶ୍ ଭଲ। ସେହିପରି ନଗଡ଼ାର ବିକାଶ ପାଇଁ ନବୀନ ସରକାର ନେଇଥିବା ବିଭିନ୍ନ ପଦକ୍ଷେପର ତାଲିକ ଦେଇଥିଲେ ସୁଲତା। ସେ କହିଛନ୍ତି- ନଗଡ଼ା ତଳେ ନବୀନ ୨୦୦ ପିଲାଙ୍କ ଲାଗି ଏକ ହଷ୍ଟେଲ ନିର୍ମାଣ କରିସାରିଛନ୍ତି। ତାକୁ ତୁରନ୍ତ ଉଦଘାଟନ କରନ୍ତୁ। ଫଳରେ ନଗଡ଼ାର ପିଲା ଉପକୃତ ହେବେ। ସେହିପରି ଯାଜପୁରକୁ ୩ଟି ପରିବାର ଲୁଟି ଖାଇଛନ୍ତି ବୋଲି ମୋହନ ମାଝି ଦେଇଥିବା ବକ୍ତବ୍ଯକୁ ନେଇ କେନ୍ଦ୍ରରେ ବିଜେପି ସରକାରଙ୍କ ମୁଖା ଖୋଲିଛନ୍ତି ସୁଲତା। ଏ ପ୍ରସଙ୍ଗରେ ଯାଜପୁର ଜିଲ୍ଲା ବିଜେଡି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଖ୍ଯମନ୍ତ୍ରୀଙ୍କ ଏଭଳି ବକ୍ତବ୍ଯ ଅତ୍ଯନ୍ତ ଦୁର୍ଭାଗ୍ଯଜନକ।