ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ ଓ କାଶ୍ମୀର ବିଧାନସଭା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ। ଶେଷ ଦିନରେ ପ୍ରାଣମୂର୍ଚ୍ଛା ପ୍ରଚାର କରିଛନ୍ତି ବିଭିନ୍ନ ଦଳର ନେତା। ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ ଲାଗି ଆସନ୍ତା ଅକ୍ଟୋବର ୧ରେ ୪୦ଟି ବିଧାନସଭା ଆସନରେ ଭୋଟ ହେବ। ଜମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ଓ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ସଚିନ ପାଇଲଟ। କଂଗ୍ରେସ ଓ ନ୍ଯାସନାଲ କନଫରେନ୍ସର ମିଳିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେମାନେ କରିଛନ୍ତି ନିବେଦନ। କାଠୁଆରେ ଖଡଗେ ପ୍ରଚାର କରିଥିବାବେଳେ ଉଦ୍ଧମପୁର ୱେଷ୍ଟ, ବଣି ଓ ନାଗରୋଟାରେ ପ୍ରଚାର କରିଛନ୍ତି ସଚିନ। ଜମ୍ମୁ ଓ କାଶ୍ମୀରବାସୀଙ୍କ ଲାଗି ୭ ଗ୍ଯାରେଣ୍ଟି ପୂରଣ କରାଯିବ। ପ୍ରତି କୃଷକ, ମହିଳାଙ୍କୁ ମାସିକ ୩ ହଜାର ଟଙ୍କା ସହାୟତା ଦିଆଯିବ। ବେକାରଙ୍କୁ ମାସିକ ୩ ହଜାର ୫ ଶହ ଟଙ୍କା ଭତ୍ତା ଦିଆଯିବ। ପ୍ରତି ଶସ୍ଯ ଲାଗି ବୀମା ଦିଆଯିବ। ମାସକ ମଧ୍ଯରେ ୧ ଲକ୍ଷ ଖାଲି ପଦବୀ ପୂରଣ କରାଯିବ। ଜମ୍ମୁ ଓ କାଶ୍ମୀରକୁ ରାଜ୍ଯମାନ୍ଯତା ଦେବା ଲାଗି କଂଗ୍ରେସ ଲଢିବ ବୋଲି କହିଛନ୍ତି ଖଡଗେ।
ରାଉରକେଲା ଗଣ ଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତ କୋର୍ଟରେ ହାଜର
ରାଉରକେଲା: ରାଉରକେଲା ଗଣ ଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କଲା ରଘୁନାଥପାଲି ପୋଲିସ । ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଗଣ ଦୁଷ୍କର୍ମ ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସଫଳ ହୋଇଥିବା ବେଳେ ଜଣେ ଏବେ ବି ଫେରାର ଅଛି ।
ଗତ ୨୨ ତାରିଖ ରାତି ପ୍ରାୟ ୧୧ଟା ବେଳେ ଦୁଇ ପୁରୁଷ ବନ୍ଧୁଙ୍କ ସହ ସିଭିଲ ଟାଉନସିପରେ ଥିବା ହୋଟେଲ ହୃଦଙ୍ଗକୁ ଯାଇଥିଲେ ନାବାଳିକା । ସେଠାରେ ନାବାଳିକାଙ୍କୁ ଜୋରଜବରଦସ୍ତି ମଦ୍ୟ ପାନ କରାଇ ସେଠାରୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।
ରଘୁନାଥପାଲି ଥାନାରେ ଅଭିଯୋଗ ହେବାପରେ ହୋଟେଲ ହୃଦଙ୍ଗକୁ ପୋଲିସ ସହ ଅବକାରୀ ବିଭାଗ ମିଳିତ ଭାବରେ ଚଢାଉ କରି ସିଲ କରିଥିଲେ । ଗିରଫ ୬ ଜଣ ହେଲେ ଏମଡି ସୋହେଲ କୁରେସି ଓରଫ ବାଦସାହା, ଏମଡି ଜାରାଏତ, ବିନୋଦ କୁମାର ରାମ, ଦୀପକ ସୋନକର, ମହମ୍ମଦ ଦାନିସ, ଆଫତାବ ଖାଁ । ସମସ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି ପୋଲିସ ।
ତଥ୍ୟ ନଦେବାରୁ ହ୍ବାଟ୍ସଆପ ବିରୋଧରେ ଏତଲା ଦେଲା ଗୁରୁଗ୍ରାମ ପୋଲିସ
ଗୁରୁଗ୍ରାମ: ହ୍ବାଟ୍ସଆପ୍ ବିରୋଧରେ ଗୁରୁଗ୍ରାମ ପୋଲିସର ଏତଲା ଦାୟର । ମାମଲାର ସୂଚନା ନ ଦେବାରୁ ହ୍ବାଟ୍ସଆପ୍ ବିରୋଧରେ ଏହି ପଦକ୍ଷେପ ନେଇଛି ପୋଲିସ । ସରକାରୀ କର୍ମଚାରୀଙ୍କ ଆଦେଶ ନ ମାନିବା, ଅଭିଯୁକ୍ତକୁ ସୁରକ୍ଷା ଦେବା, ପ୍ରମାଣ ନଷ୍ଟ କରିବା ଭଳି ଦଫା ଲାଗିଛି ହ୍ଵାଟ୍ସଆପ୍ ନିର୍ଦ୍ଦେଶକ ଓ ଏହାର ନୋଡାଲ ଅଫିସରଙ୍କ ବିରୋଧରେ ।
ମେ’ ୧୭ ତାରିଖରେ ଗୁରୁଗ୍ରାମର ସାଇବର ଥାନାରେ ଏକ ଠକେଇ ଓ ଅପରାଧ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତର ୪ଟି ହ୍ବାଟ୍ସଆପ୍ ଆକାଉଣ୍ଟ ରହିଛି । ସେସବୁର ତଥ୍ୟ ମାଗିଥିଲା ପୋଲିସ । ହେଲେ ତଥ୍ୟ ଦେବା ବଦଳରେ ହ୍ବାଟ୍ସଆପ୍ ସ୍ପଷ୍ଟୀକରଣ ମାଗିଥିଲା ।
କାହିଁକି ସୂଚନା ଦରକାର, ତାହା ଦର୍ଶାଇ ଦ୍ଵିତୀୟ ଥର ନୋଟିସ୍ କରିଥିଲା ଗୁରୁଗ୍ରାମ ପୋଲିସ । ଏହା ସତ୍ତ୍ଵେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ଓ ପ୍ରାଇଭେସି ପଲିସି ଦର୍ଶାଇ ତଥ୍ୟ ଦେଇ ନଥିଲା ହ୍ବାଟ୍ପଆପ୍ । ଏହା ପରେ ଗୁରୁଗ୍ରାମ ପୋଲିସ ହ୍ବାଟ୍ସଆପ୍ ବିରୋଧରେ ଏତଲା ରୁଜୁ କରିଛି ।
ସଉଦା ପାଇଁ ଯାଇଥିବା ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଅଟକ
ଖୋର୍ଦ୍ଧା: ରାଉରକେଲାରେ ଗୋଟିଏ ପରେ ଗୋଟିଏ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଖୋର୍ଦ୍ଧାରୁ ଆସିଛି ସମାନ ଅଭିଯୋଗ । ସଉଦା ପାଇଁ ଯାଇଥିବା ଜଣେ ନାବାଳିକାଙ୍କୁ ଅଭିଯୁକ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଜଟଣୀ ଅଞ୍ଚଳରେ । ଅଭିଯୁକ୍ତକୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।
ଅଭିଯୋଗ ଅନୁସାରେ, ଗତକାଲି ରାତିରେ ପୀଡ଼ିତା ଦୋକାନକୁ ସଉଦା ପାଇଁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ଏକ ପଥର ଖଣି ପାଖରୁ ଗୁରୁତର ଅବସ୍ଥା ପାଇଥିଲେ ।
ଝିଅକୁ କୁଦିଆରି ଅଞ୍ଚଳର ଶଙ୍କର ବେହେରା ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଶଙ୍କରଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ଭୁବନେଶ୍ୱର ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଟଣୀ ପୋଲିସ କହିଛି ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତକୁ କଠୋର ଦଣ୍ଡ ନେଇ ବିଭିନ୍ନ ସଂଗଠନ ସହ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଦିଲ୍ଲୀ କନଷ୍ଟେବଲଙ୍କ ଉପରେ କାର ଚଢ଼ାଇ ୧୦ ମିଟର ଘୋଷାଡ଼ି ନେଲା ମଦ ବେପାରୀଙ୍କ ଡ୍ରାଇଭର
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କନଷ୍ଟେବଲଙ୍କୁ ହତ୍ଯା । କାରକୁ ଅଟକାଇବାକୁ କହିବାରୁ ମଡ଼ାଇ ଦେଇ ଚାଲିଗଲା ମଦ ବେପାରୀର କାର ଡ୍ରାଇଭର । ଦିଲ୍ଲୀ ନାଗଲୋଇ ଅଞ୍ଚଳରେ ଘଟିଛି ଘଟଣା ।
ଗତକାଲି ରାତି ପ୍ରାୟ ୩ଟା ସମୟରେ କାରକୁ ଅଟକାଇବାକୁ କହିଥିଲେ ଡ୍ଯୁଟିରେ ଥିବା କନଷ୍ଟେବଲ ସନ୍ଦୀପ । ତେବେ କାର ଅଟକି ନଥିଲା । ଏହାପରେ ବାଇକରେ ପିଛା କରି ଗାଡିକୁ ସାଇଡ କରିବାକୁ ସିଗନାଲ ଦେଇଥିଲେ ସନ୍ଦୀପ । ହେଲେ ଡ୍ରାଇଭର କାର ନ ଅଟକାଇ ବାଇକକୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ବାଇକ ସହ ସନ୍ଦୀପଙ୍କୁ ପ୍ରାୟ ୧୦ ମିଟର ଘୋଷାଡ଼ି ନେଇ ଆଉ ଏକ କାରକୁ ଧକ୍କା ଦେଇଥିଲା ମଦ ବେପାପୀଙ୍କ ଡ୍ରାଇଭର । ଏଥିରେ କନଷ୍ଟେବଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।
ଘଟଣାସ୍ଥଳରୁ ଉଦ୍ଧାର କରି କନଷ୍ଟେବଲ ସନ୍ଦୀପଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଲଙ୍କ ମୃତ୍ଯୁ ଘଟିଛି । ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ତନାଘନା ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ପ୍ରକୃତରେ ଏହା ଦୁର୍ଘଟଣା ନା ଜାଣିଶୁଣି ଡ୍ରାଇଭର ଜଣକ ମଡ଼ାଇ ଘୋଷାଡ଼ି ନେଇ ହତ୍ଯା କରିଛି ଖୋଳତାଡ଼ କରୁଛି ପୋଲିସ ।


