spot_img
Home Blog Page 1575

ଭଣ୍ଡେଇ ଦେଲେ ସରକାର: ସୁଭଦ୍ରା ଯୋଜନାରେ ୫୦ ଲକ୍ଷ ମହିଳା ବି ସାମିଲ ହେବା ଅସମ୍ଭବ

ଭୁବନେଶ୍ବର: ରାଜ୍ୟ ସରକାର ସୁଭଦ୍ରା ଯୋଜନାର ଗାଇଡଲାଇନ୍ ଜାରି କରିଛନ୍ତି । ଗାଇଡଲାଇନକୁ ଦେଖିଲେ ଲାଗୁଛି ରାଜ୍ୟର ବିଜେପି ସରକାର ମହିଳାଙ୍କୁ ଭଣ୍ଡେଇବାକୁ ଯେମିତି ପଣ କରିଛନ୍ତି । କାରଣ, ସୁଭଦ୍ରା ଯୋଜନାରେ ଥିବା ଗାଇଡଲାଇନକୁ ତର୍ଜମା କଲେ ଜଣାପଡୁଛି କୋଟିଏ କ’ଣ ୫୦ ଲକ୍ଷ ମହିଳା ବି ଏଥିରେ ସାମିଲ ହୋଇପାରିବେ ନାହିଁ । କାରଣ ସରକାର ରଖିଥିବା କ୍ରାଇଟେରିଆ ରାଜ୍ୟର ଅଧାରୁ ଅଧିକ ମହିଳାଙ୍କୁ ଏଥିରୁ ବାଦ ପକାଇ ଦେବ ।

ସରକାରକୁ ଆସିବା ପୂର୍ବରୁ ନିର୍ବାଚନୀ ଇସ୍ତାହାରରେ ବିଜେପି ଏହି ଯୋଜନା କଥା ଘୋଷଣା କରିଥିଲା । ବର୍ଷକୁ କୋଟିଏ ମହିଳାଙ୍କୁ ୫୦ ହଜାର ଟଙ୍କା ସହୟତା ଘୋଷଣା କରିଥିଲା ବିଜେପି । ଏବେ ଗାଇଡଲାଇନ କହୁଛି ବର୍ଷକୁ ୫୦ ହଜାର ନୁହେଁ, ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ମିଳିବ । ସାଢେ ଚାରି କୋଟି ଜନସଂଖ୍ୟା ବିଶିଷ୍ଟ ଓଡିଶାରେ ପରିବାର ସଂଖ୍ୟା ପ୍ରାୟ କୋଟିଏ । ଅର୍ଥାତ ରାଜ୍ୟ ସରକାର କୋଟିଏ ମହିଳାଙ୍କୁ ସୁଭଦ୍ରା ସହାୟତା ଦେବାକୁ ହେଲେ ପ୍ରତି ପରିବାରରୁ ଜଣେ ଲେଖାଏଁ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ପଡିବ । କିନ୍ତୁ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ଦେଖିଲେ ୫୦ ଲକ୍ଷ ମହିଳା ବି ଏହି ଯୋଜନାର ସୁଫଳ ପାଇପାରିବେ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଗାଇଡଲାଇନ କହୁଛି ୨୧ରୁ ୬୦ ବର୍ଷର ମହିଳାଙ୍କୁ ଏହି ସହାୟତା ମିଳିବ । ଅର୍ଥାତ ୬୦ ବର୍ଷରୁ ଊର୍ଦ୍ଧ୍ବ ମହିଳା ଏଥିରୁ ବାଦ ପଡିବେ । ସେହିଭଳି ୨୧ରୁ ଊର୍ଦ୍ଧ୍ବ କୌଣସି ମହିଳା ଯଦି ଭିନ୍ନକ୍ଷମ କିମ୍ବା ଛାତ୍ରବୃତ୍ତି ପାଉଥିବେ ସେ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ହେବେ । ଏମିତିରେ ସୁଭଦ୍ରା ଯୋଜନାରୁ ଯୋଗ୍ୟ ମଧ୍ୟ ବାଦ ପଡିଯିବେ । ସେହିପରି ଗ୍ରାମାଞ୍ଚଳରେ ପରିବାରର ଯଦି ୫ ଏକରରୁ ଅଧିକ ଜଳସେଚିତ ଜମି ଥିବେ ତେବେ ସେ ପରିବାରର ମହିଳା ମଧ୍ୟ ଏହି ଯୋଜନାରେ ସାମିଲ ହେବେନି । ଗ୍ରାମାଞ୍ଚଳରେ ଚାଷ କରୁଥିବା ପରିବାରର ଟ୍ରାକ୍ଟର କି ମିନଟ୍ରକ ଥିଲେ ମଧ୍ୟ ସେ ସୁଭଦ୍ରା ଯୋଜନାରୁ ବାଦ ପଡିବେ । ଏହି ଯୋଜନାରେ ସାମିଲ ହେବାକୁ ଆଉ ଏକ ମାପଦଣ୍ଡ ହେଉଛି ସମ୍ପୃକ୍ତ ମହିଳାଙ୍କ ପରିବାରିକ ଆୟ ବାର୍ଷିକ ଅଢେଇ ଲକ୍ଷ ହୋଇଥିଲେ ବି ସେ ହିତାଧିକାରୀ ହୋଇପାରିବେ ନାହିଁ । ଗାଇଡଲାଇନରେ ଥିବା ଏଭଳି ବ୍ୟବସ୍ଥା ଦ୍ବାରା କୋଟିଏ କ’ଣ ୫୦ ଲକ୍ଷ ମହିଳା ବି ଯୋଜନାର ଲାଭ ପାଇପାରିବେ ନାହିଁ । ତେଣୁ ସୁଭଦ୍ରା ଯୋଜନା ନାଁରେ ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ଭଣ୍ଡେଇଥିବା ଅଭିଯୋଗ କରିଛନ୍ତି ଗ୍ରାମୀଣ ମହିଳା ।

ଆସିଲା ‘ସୁଭଦ୍ରା’ ଯୋଜନା ଗାଇଡଲାଇନ

ଭୁବନେଶ୍ବର: ପ୍ରତିକ୍ଷାର ଅନ୍ତ । ଆସିଲା ସୁଭଦ୍ରା ଯୋଜନାର ଗାଇଡଲାଇନ୍ । ରାଜ୍ୟ ସରକାର ଜାରି କଲେ ସୁଭଦ୍ରା ଯୋଜନାର ଗାଇଡଲାଇନ୍ ।

ଗାଇଡଲାଇନ ଅନୁସାରେ ଯୋଜନାରେ ସାମିଲ ହେବାକୁ ହେଲେ ହିତାଧିକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଦରକାର । ହିତାଧିକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅର୍ଥାତ ୨୧ ବର୍ଷରୁ କମ ଓ ୬୦ ବର୍ଷରୁ ଅଧିକ ବର୍ଷର ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ।

ଗାଇଡଲାଇନ୍ ଅନୁସାରେ ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ବୟସର ମାପକାଠି ଭାବେ ଗ୍ରହଣ କରାଯିବ । ସେହିପରି ହିତାଧିକାରୀଙ୍କ ବୟସ ୨୦୨୪ ଜୁଲାଇ ୧ ତାରିଖ ସୁଦ୍ଧା ୨୧ ବର୍ଷ ହୋଇଥିବା ଆବଶ୍ୟକ ।

ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଯୋଜ୍ୟତା ମାନଦଣ୍ଡ ପୂରଣ କରୁଥିବା ସମସ୍ତ ମହିଳା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।

କେଉଁମାନେ ସାମିଲ ହୋଇପାରିବେନି ?

୨୦୨୪ ଜୁଲାଇ ୧ ତାରିଖ ସୁଦ୍ଧା ୨୧ ବର୍ଷରୁ କମ ଏବଂ ୬୦ ବର୍ଷରୁ ଅଧିକ ବୟସର ମହିଳା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଯୋଗ୍ୟ ବିବେଚରିତ ହେବେ । ଯଦି କୌଣସି ମହିଳା ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନାରେ (ପେନସନ ଓ ଛାତ୍ରବୃତ୍ତି) ମାସିକ ୧୫୦୦ କିମ୍ବା ବାର୍ଷିକ ୧୮ ହଜାରରୁ ଅଧିକ ଟଙ୍କା ପାଉଥିବେ ଏହି ଯୋଜନାରେ ସାମଲ ହୋଇପାରିବେ ନାହିଁ ।

କୌଣସି ମହିଳା ନିଜେ କିମ୍ବା ତାଙ୍କ ପରିବାରରେ କେହି ସଦସ୍ୟ ବର୍ତ୍ତମାନ ଓ ପୂର୍ବତନ ସାଂସଦ କି ବିଧାୟକ ହୋଇଥିବେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ । ମହିଳା ଯଦି ଆୟକର ଦେଉଥିବେ ତେବେ ସେ ଯୋଜନାରେ ସାମିଲ ହୋଇପାରିବେ ନାହିଁ । ପୌରାଞ୍ଚଳ ଓ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି (କେବଳ ଓ୍ବାର୍ଡ ମେମ୍ବର ଓ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ବ୍ୟତୀତ), ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ କର୍ମଚାରୀ ସୁଭଦ୍ରା ସହାୟତା ପାଇବେ ନାହିଁ। ସରକାରଙ୍କ ଦ୍ଵାରା ମନୋନୀତ ପ୍ରତିନିଧି, ୫ ଏକରରୁ ଅଧିକ ଜଳସେଚିତ ଜମି ଥିଲେ ଏବଂ ୧୦ ଏକରରୁ ଅଧିକ ଅଣ ଜଳସେଚିତ ଜମି ଥିଲେ ସହାୟତା ମିଳିବ ନାହିଁ । ଟ୍ରାକ୍ଟର, ମିନିଟ୍ରକ, ଛୋଟ ବାଣିଜ୍ୟିକ ଯାନ ଓ ଚାରି ଚକିଆ ଯାନ ଥିବା ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ।

କେମିତି କରିବେ ଆବେଦନ ?

ଫର୍ମ ପୂରଣ କରି ଅଫଲାଇନରେ କିମ୍ବା ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ଅଙ୍ଗନଓ୍ବାଡି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ର, ସାଧାରଣ ସେବାକେନ୍ଦ୍ରଗୁଡିକରେ ମାଗଣାରେ ଫର୍ମ ମିଳିବ । ଫର୍ମ ପୂରଣ କରିବା ପରେ ଆବେଦନକାରୀଙ୍କୁ ମୋ ସେବାକେନ୍ଦ୍ର ଓ ସାଧାରଣ ସେବାକେନ୍ଦ୍ରରେ ଦାଖଲ କରିବାକୁ ପଡିବ । ଆବେଦନକାରୀଙ୍କ ଫର୍ମ ଓ ଆଧାରରେ କୌଣସି ଅସଙ୍ଗତି ଥିଲେ ଆଧାର କାର୍ଡ ସୂଚନାକୁ ଚୂଡ଼ାନ୍ତ ଧରାଯିବ । ଏହାକୁ ସରକାରଙ୍କ ପାଖରେ ସଦ୍ୟତମ ଉପଲବ୍ଧ ଡାଟାବେସ୍ ସହିତ ଯାଞ୍ଚ କରାଯିବ । ହିତାଧିକାରୀଙ୍କୁ e-KYC କରାଯିବ । ଫେସ୍ ଅଥେଣ୍ଟିକେସନ ମାଧ୍ୟମରେ ସୁଭଦ୍ରା ପୋର୍ଟାଲ କିମ୍ବା ସୁଭଦ୍ରା ମୋବାଇଲ ଆପ୍ ମାଧ୍ୟମରେ ଏହି e-KYC କରାଯିବ ।

ଆପଣଙ୍କ ମୋବାଇଲ ନମ୍ବର ଆଧାର ସହ ଲିଙ୍କ ହୋଇଥିବା ଦରକାର । ସେହିପରି ଆପଣଙ୍କ ବ୍ୟାଙ୍କ ଖାତା ଥିବା ଦରକାର । ଯଦି କୌଣସି ମହିଳାଙ୍କର ବ୍ୟାଙ୍କ ଖାତା ନଥିବ ତେବେ ତାଙ୍କୁ ବ୍ୟାଙ୍କ ଖାତା ଖୋଲିବାକୁ ପଡ଼ିବ ।

ଋଷ ଓ ୟୁକ୍ରେନରେ 9/11 ଶୈଳୀରେ ଡ୍ରୋନ୍ ଆକ୍ରମଣ

କିଭ୍‌: ୟୁକ୍ରେନ ସେନା ଋଷର କୁସର୍କ ଅଞ୍ଚଳକୁ ଦଖଲ କରିବା ପରେ ସୋମବାର ସକାଳେ ଋଷ ୟୁକ୍ରେନ ଭିତରେ ଏକ ବଡ଼ ଆକ୍ରମଣ କରିଛି। ସୋମବାର ସକାଳେ ୟୁକ୍ରେନର ରାଜଧାନୀ କିଭ ସମେତ ଅନେକ ସହରରେ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ୟୁକ୍ରେନର ଅନେକ ସହରରେ ଏୟାର ରେଡ୍ ଏବଂ ମିସାଇଲ୍ ସାଇରନ୍ ଶବ୍ଦ ହୋଇଥିଲା।

ସେପଟେ ୟୁକ୍ରେନ ସେନା ଋଷ ଉପରେ ଆକ୍ରମଣ କରିଛି । ସରାଟୋଭରେ ଥିବା ୩୮ ମହଲା ବିଲ୍ଡିଂ ଉପରେ ଆକ୍ରମଣ କରାଯାଇଛି ।

ରାଜଧାନୀର ଅନେକ ଅଞ୍ଚଳରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି  । ଏହା ବ୍ୟତୀତ ସହରର କିଛି ଅଞ୍ଚଳରେ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। ଆକ୍ରମଣକୁ ଭୟ କରି ୟୁକ୍ରେନ ନାଗରିକମାନେ ଜୀବନ ରକ୍ଷା କରିବା ପାଇଁ ମେଟ୍ରୋ ଭିତରେ ଆଶ୍ରୟ ନେଇଛନ୍ତି।

ଋଷର ସେନାର ଆକ୍ରମଣରୁ ଏହା ସ୍ପଷ୍ଟ ହୋଇଛି ଯେ ୟୁକ୍ରେନ ସେନା କୁର୍ସ୍କ ଦଖଲ ପରେ ଋଷ ପ୍ରତିଶୋଧ ନେବା ଆରମ୍ଭ କରିଛି। ଋଷ ସେନା ଓଡେସା, ଭିନିଟିସିଆ, ଜାପୋରିଜିଆ, କ୍ରେମେଞ୍ଚୁକ୍, ଡନିପ୍ରୋ, ଖେଲମେନଟସ୍କି, କ୍ରୋପିଭନିଟସ୍କି, କ୍ରିଭୀ ରିହ ଏବଂ ଲୁଟସ୍କ ସମେତ ଅନେକ ୟୁକ୍ରେନ ସହର ଉପରେ ଆକ୍ରମଣ କରିଛି। ଉତ୍ତର-ପଶ୍ଚିମ ୟୁକ୍ରେନର ଲୁଟସ୍କ ସହରର ମେୟର କହିଛନ୍ତି ଯେ ଏକ କୋଠା ଉପରେ ଆକ୍ରମଣ ଯୋଗୁଁ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ୟୁକ୍ରେନ ଋଷ ସୀମାଠାରୁ ୨୩୦୦ କିଲୋମିଟର ଦୂରରେ ଥିବା ସରାଟୋଭରେ ଥିବା ୩୮ ମହଲା କୋଠା ଉପରେ ଡ୍ରୋନ୍ ସାହାଯ୍ୟରେ ୟୁକ୍ରେନ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ସମଗ୍ର ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ଏହି ଆକ୍ରମଣକୁ ଆମେରିକାର 9/11 ଆକ୍ରମଣ ବୋଲି ବର୍ଣ୍ଣନା କରାଯାଉଛି।

 

ପାକିସ୍ତାନରେ ନରସଂହାର, ୨୩ ଜଣଙ୍କୁ ଆଖିବୁଜା ଗୁଳିମାଡ

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନ ମୁସାଖେଲ ଜିଲ୍ଲାରେ ନରସଂହାର  । ଟ୍ରକ ଓ ବସରୁ ଯାତ୍ରୀଙ୍କୁ ଓହ୍ଲାଇ ଆଖିବୁଜା ଗୁଳିମାଡ କରିଛନ୍ତି ବନ୍ଧୁକଧାରୀ ଆତତାୟୀ  । ଏହି ଆକ୍ରମଣରେ ଅତି କମରେ ୨୩ ଜଣ ପ୍ରାଣ ହରାଇଛନ୍ତି  । ପାକିସ୍ତାନ ସରକାରଙ୍କ ପ୍ରବକ୍ତା କହିଛନ୍ତି ଯେ ପଞ୍ଜାବର ଲୋକଙ୍କୁ ଟାର୍ଗେଟ କରାଯାଇଛି  ।

ଏହିଭଳି ଆକ୍ରମଣ ୪ ମାସ ପୂର୍ବରୁ ହୋଇଥିଲା  । ଗତ ଏପ୍ରିଲରେ ନୋସକି ପାଖରେ ବସରୁ ୯ ଜଣଙ୍କୁ ଓହ୍ଲାଇ ଦିଆଯାଇ ଗୁଳିକରି ହତ୍ୟା କରାଯାଇଥିଲା । ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ମୁସାଖେଲ ଜିଲ୍ଲାର ରାରାସିମ ଅଞ୍ଚଳରେ ଏକ ରାଜପଥକୁ ଅବରୋଧ କରି ୨୩ ଜଣ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇ ନରସଂହାର କରିଥିଲେ  । ଉକ୍ତ ସଙ୍ଗଠନର ନାମ ପ୍ରକାଶ କରିନାହାନ୍ତି ବରିଷ୍ଠ ଅଧିକାରୀ  ।

ବନ୍ଧୁକଧାରୀ ମାନେ କେବଳ ନରସଂହାର କରିନଥିଲେ ୧୦ଟି ଗାଡି ଜାଳି ଦେଇଥିଲେ  । ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗାତି ଘଟଣାର କଡା ନିନ୍ଦା କରିଛନ୍ତି  । ମୃତକଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ  ।

 

ଏହି କାରଣ ଯୋଗୁଁ ଦୁର୍ବଳ ନୂଆ ପେନସନ ଯୋଜନା

ନୂଆଦିଲ୍ଲୀ: ଅଗଷ୍ଟ ୨୪ରେ କେନ୍ଦ୍ରରେ ମୋଦି ସରକାର ୟୁନିଫାଏଡ୍ ପେନସନ ସ୍କିମ୍ ନାମରେ ଏକ ନୂଆ ପେନସନ ଯୋଜନା ଆରମ୍ଭ କରିଥିଲେ। ଏହା ଅଧୀନରେ ସରକାରୀ କର୍ମଚାରୀଙ୍କୁ ପେନସନ ଦେବାକୁ କୁହାଯାଇଥିଲା। ପୁରୁଣା ପେନସନ ଯୋଜନା ପରି ଏଥିରେ ମଧ୍ୟ କିଛି ନୂଆ ନିୟମ ଲାଗୁ କରାଯାଇଥିଲା। ଯେଉଁ ଯୋଜନା ଅଧୀନରେ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ପେନସନ ପାଣ୍ଠି ପ୍ରସ୍ତୁତ କରୁଛନ୍ତି, ତାହାକୁ ଜେନେରାଲ୍ ପ୍ରୋଭିଡେଣ୍ଟ ଫଣ୍ଡ କୁହାଯାଏ।

ଜିପିଏଫ୍ କେବଳ ସରକାରୀ କର୍ମଚାରୀଙ୍କ ପାଇଁ  । ଏଥିରେ ସରକାରୀ ଅନୁଷ୍ଠାନରେ ଲଗାତାର ଏକ ବର୍ଷ ପାଇଁ କାର୍ଯ୍ୟ କରୁଥିବା ଅସ୍ଥାୟୀ ଏବଂ ସ୍ଥାୟୀ କର୍ମଚାରୀଙ୍କ ପାଇଁ ଖାତା ଖୋଲାଯାଇଛି  । କର୍ମଚାରୀମାନେ ଜିପିଏଫରେ ସେମାନଙ୍କର ବେତନର ଅତି କମରେ ୬ ପ୍ରତିଶତ ଯୋଗଦାନ କରିବାକୁ ପଡିବ । ଚାକିରିରୁ ନିଲମ୍ବନ ନହୋଇଥିଲେ ଅବସର ପରେ ସେମାନେ ଏକଲକ୍ଷ ଟଙ୍କା ରାଶି ପାଆନ୍ତି  । କିନ୍ତୁ ନୂତନ ପେନସନ ସ୍କିମ୍ (UPS) ଆସିବା ପରେ ଜିପିଏଫରେ ଅଂଶଦାନ ଦେବାର ପ୍ରାବଧାନ ନାହିଁ  ।

ୟୁପିଏସରେ ନିଶ୍ଚିତ ପରିବାର ପେନ୍ସନ୍ ପାଇଁ ଏକ ବ୍ୟବସ୍ଥା ରହିଛି  । କର୍ମଚାରୀଙ୍କ ମୃତ୍ୟୁ ପରେ ତୁରନ୍ତ ୬୦ ପ୍ରତିଶତ ପେନସନ ତାଙ୍କ ପରିବାରକୁ ଦିଆଯିବ। ସୁନିଶ୍ଚିତ ପେନ୍ସନ୍, ସୁନିଶ୍ଚିତ ସର୍ବନିମ୍ନ ପେନ୍ସନ୍ ଏବଂ ସୁନିଶ୍ଚିତ ପରିବାର ପେନ୍ସନ୍ ଉପରେ ମହଙ୍ଗା ଭତ୍ତାର ଲାଭ ଉପଲବ୍ଧ ହେବ । ଅଲ୍ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ଅନୁଯାୟୀ ଏହା ସ୍ଥିର କରାଯିବ  । ଏହି ପେନ୍ସନ୍ ଯୋଜନାରେ ଗ୍ରାଚ୍ୟୁଇଟି ସହିତ ସୁପରନୁଏସନ୍ ପେମେଣ୍ଟ ମଧ୍ୟ କରାଯିବ  । କର୍ମଚାରୀ ସୁପରଏନୁଏଶନ ଉପରେ ଏକ ଉପଯୁକ୍ତ ଦେୟ ପାଇବେ । ଏଥିପାଇଁ, କର୍ମଚାରୀ ପ୍ରତି ୬ ମାସର ସେବା ସମାପ୍ତ ପରେ, ବେତନର ୧୦ରୁ ୧ ଭାଗ ମହଙ୍ଗା ଭତ୍ତା ଗ୍ରାଚ୍ୟୁଟିରେ ଯୋଡି ହେବ  । ଏହି ଦେୟ କର୍ମଚାରୀଙ୍କ ନିଶ୍ଚିତ ପେନସନ ଉପରେ ପ୍ରଭାବ ପକାଇବ ନାହିଁ  ।

ଏହାପୂର୍ବରୁ OPS ରେ, ଜିପିଏଫ୍ କର୍ମଚାରୀଙ୍କ ମୌଳିକ ବେତନର ୧୦% କଟାଯାଇଥିଲା, ୮% ରୁ ଅଧିକ ସୁଧ ଦିଆଯାଇଥିଲା ଏବଂ ସରକାର ଟିକସ ରିହାତି ନକରି ଅବସର ସମୟରେ ସମସ୍ତ ଅର୍ଥ ଫେରସ୍ତ କରୁଥିଲେ। ଶେଷ ମୌଳିକ ବେତନର ୫୦ ପ୍ରତିଶତରେ ଡିଏ ଯୋଗ କରି ପେନସନ୍ ଦିଆଯାଇଥିଲା । ଅର୍ଥାତ୍ ଯଦି ଅବସର ସମୟରେ କାହାର ମୌଳିକ ଦରମା ୫୦ ହଜାର ଟଙ୍କା ଥିଲା, ତେବେ ପେନ୍ସନ ୨୫ ହଜାର ଟଙ୍କା ଏବଂ DA ଏକାଠି ମିଳୁଥିଲା  । ଏହି ୨୫ ହଜାର ଟଙ୍କା ମଧ୍ୟରୁ ୨୦ ପ୍ରତିଶତ ପେନସନ୍ ବିକ୍ରି ହେଉଥିଲା ଅର୍ଥାତ୍ ୫ ହଜାର ସ୍କିମକୁ ରାଶିକରଣ କୁହାଯାଉଥିଲା  ।

 

ଚାକିରିରେ ଯୋଗଦେବା ପରେ ଯଦି କର୍ମଚାରୀ ୧୫ ବର୍ଷ ପରେ ଜୀବିତ ରହିଲେ, ତେବେ ଏହି ୫ ହଜାର ଟଙ୍କା ପେନସନରେ ଯୋଡା ଯାଇଥିଲା  । ପାରିବାରିକ ପେନସନରେ ଯଦି କର୍ମଚାରୀଙ୍କ ମୃତ୍ୟୁ ହୁଏ ସେହି ସମୟରେ ଯେଉଁ ପେନସନମ ଟଙ୍କା ଥାଏ ତାହା ନିର୍ଭରଶୀଳ ୧୦ ବର୍ଷ ପାଇଁ ପୂର୍ଣ୍ଣ ରାଶି ପାଇବାକୁ ହକଦାର  । ୧୦ବର୍ଷ ପରେ ଏହା ୩୦ ପ୍ରତିଶତକୁ ବୃଦ୍ଧି ପାଉଥିଲା । ଏହାକୁ ପାରିବାରିକ ପେନ୍ସନ୍ କୁହାଯାଉଥିଲା | ।ଯଦି ପେନସନ୍ ଗ୍ରହଣ କରୁଥିବା ଜଣେ କର୍ମଚାରୀ ମୃତ୍ୟୁବରଣ କରନ୍ତି, ତେବେ ନିର୍ଭରଶୀଳ ବ୍ୟକ୍ତି ୩୦ ପ୍ରତିଶତ ପେନସନ୍ ପାଇବେ । ଉଦାହରଣ ସ୍ୱରୂପ, ଯଦି ଜଣେ ପେନସନଧାରୀ ଏକ ଲକ୍ଷ ଟଙ୍କା ପାଉଛନ୍ତି, ତେବେ ତାଙ୍କୁ ୩୦ ହଜାର ଟଙ୍କା ମିଳିବ  । ସର୍ବାଧିକ ୧୬ ମାସର ଗ୍ରାଚ୍ୟୁଇଟି ପାଇଥାନ୍ତି  । କିନ୍ତୁ UPS ର ମୁଖ୍ୟ ଅସୁବିଧା ହେଉଛି ଅଂଶଦାନ ଦେବା ପାଇଁ ଜିପିଏଫ ପରି କୌଣସି ପ୍ରାବଧାନର ବ୍ୟବସ୍ଥା  ନାହିଁ |

ମାଲାୟାଲମ ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ପରେ ରାଜ୍ଯ ସରକାର ଗଠନ କଲେ SIT

ଥିରୁଅନନ୍ତପୁରମ: କେରଳ ଫିଲ୍ମ ଇଣ୍ଡଷ୍ଟ୍ରିରେ କଳଙ୍କ। ମାଲାୟାଲମ ଅଭିନେତ୍ରୀମାନଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ଆସିବା ପରେ ରାଜ୍ଯ ସରକାର ଗଠନ କରିଛନ୍ତି ସ୍ବତନ୍ତ୍ର ତଦନ୍ତକାରୀ ଟିମ- ଏସଆଇଟି। କେରଳ ମୁଖ୍ଯମନ୍ତ୍ରୀ ପିନରୟୀ ବିଜୟନ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିବା ପରେ ଏସଆଇଟି ଗଠନ ଲାଗି ନିଷ୍ପତ୍ତି ନିଆଯାଇଥିଲା।

ସ୍ପୁର୍ଜନ କୁମାରଙ୍କ ନେତୃତ୍ବରେ ଏସଆଇଟି ଗଠନ ହେବ। ଏହି ଟିମରେ ଡିଆଇଜି ଏସ. ଅଜିତା ବେଗମ, ଏସପି କ୍ରାଇମବ୍ରାଞ୍ଚ ମେରିନ ଯୋଶେଫ ପ୍ରମୁଖ ସଦସ୍ଯ ରହିଛନ୍ତି। ଜଣେ ବଙ୍ଗାଳୀ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଗତ ଅଗଷ୍ଟ ୨୫ରେ କେରଳ ଚଳଚ୍ଚିତ୍ର ଏକାଡେମୀ ଅଧ୍ଯକ୍ଷ ପଦରୁ ଇସ୍ତଫା ଦେଇଥିଲେ ରଞ୍ଜିତ। ତେବେ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ରଞ୍ଜିତ। ତାଙ୍କର ଇସ୍ତଫାକୁ ଗ୍ରହଣ କରିଥିଲେ ସଂସ୍କୃତି ମନ୍ତ୍ରୀ ସାଜି ଚେରିୟନ।

ସେହିପରି ଜଣେ ଅଭିନେତ୍ରୀ ଅଭିଯୋଗ କରିବା ପରେ ସେହିଦିନ ମାଲାୟାଲମ ମୁଭି ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ ଅଭିନେତା ସିଦ୍ଦିକ। ସେ ଇସ୍ତଫା ଦେବା ସହ ନିଜ ଇସ୍ତଫା ପତ୍ରକୁ ସଂଗଠନର ସଭାପତି ମୋହନଲାଲଙ୍କ ନିକଟକୁ ପଠାଇଥିଲେ। ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କୁ ଶୋଷଣ କରିବା ନେଇ ଜଷ୍ଟିସ କେ. ହେମା କମିଟି ରିପୋର୍ଟ ଆସିବା ପରେ ଇସ୍ତଫାର ସୁଅ ଛୁଟୁଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ କ୍ରିମିନାଲ ଗ୍ଯାଙ୍ଗ କାର୍ଯ୍ୟ କରୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ବୋଧହୁଏ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ଇତିହାସରେ ପ୍ରଥମ ଥର ଲାଗି ଏହି ଧରଣର କମିଟି ୨୩୩ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଥିଲେ। ୨୦୧୭ରେ ଅଭିନେତା ଦିଲୀପଙ୍କୁ ନେଇ ଆସିଥିବା ଅଭିଯୋଗର ତଦନ୍ତ ଲାଗି ରାଜ୍ଯ ସରକାର ଗଠନ କରିଥିଲେ ଏକ କମିଟି। ଗତ ଅଗଷ୍ଟ ୨୨ ତାରିଖରେ ହେମା କମିଟି ରିପୋର୍ଟ ଦାଖଲ କରିବା ଲାଗି କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ପ୍ରବେଶ ଅପେକ୍ଷା ହୀରାକୁଦରେ ଅଧିକ ହେଉଛି ବନ୍ଯାଜଳ ନିଷ୍କାସନ

ସମ୍ବଲପୁର: କମୁଛି ହୀରାକୁଦ ଜଳସ୍ତର । ପ୍ରବେଶ ଅପେକ୍ଷା ଅଧିକ ହେଉଛି ବନ୍ଯାଜଳ ନିଷ୍କାସନ । ଏବେ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୦ ହଜାର ୩୨୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୫୪ ହଜାର ୫୧୧ ଘନଫୁଟ ଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳସ୍ତର ରହିଛି ୬୨୧.୭୭ ଘନଫୁଟ ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ଯାଜଳ ପ୍ରବେଶ ବଢିବାରେ ଲାଗିଥିଲା। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ୨ ଲକ୍ଷ ୪୬ ହଜାର ୧୮୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାରୁ ସ୍ଥିତିକୁ ଦେଖି ୧୪ ଟି ଗେଟରେ ଜଳନିଷ୍କାସନ ଜାରି ରହିଥିଲା ।

ବିଗତ ଦିନରେ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗି ରହିଥିବାରୁ  ଅଧିକ ଗେଟ ଖୋଲି ପାଣି ନିଷ୍କାସନ କରାଯାଉଥିଲା  ।

ଦେଶୀ ମଦର ହଟସ୍ପଟ ପାଲଟିଛି ସାଲିଆ ସାହି, ସୁଡ଼ଙ୍ଗ ଭିତରେ ଚାଲିଛି ମଦ ପ୍ରସ୍ତୁତି

ଭୁବନେଶ୍ବର: ଦେଶୀ ମଦର ହଟସ୍ପଟ ପାଲଟିଛି ସାଲିଆ ସାହି । ସୁଡ଼ଙ୍ଗ ଭିତରେ ଚାଲିଛି ମଦ ପ୍ରସ୍ତୁତି । ଆଜି ପୁଣି ଥର ସକାଳୁ ଭୁବନେଶ୍ବର ସାଲିଆ ସାହିରେ ଦେଶୀ ମଦ ଆଡ୍ଡାରେ ଚଢ଼ାଉ ହୋଇଛି । ଏହି ସମୟରେ ଜବତ ହୋଇଛି ଶହ ଶହ ଲିଟର ଦେଶୀମଦ । ରନ୍ଧା ମଦ, ପୋଚ ତିଆରି ହେଉଥିବା ଖବର ପାଇବା ପରେ ସକାଳୁ ଭୁବନେଶ୍ୱର ଅବକାରୀ ଟିମ ସାଲିଆ ସାହିରେ ରେଡ଼ କରିଥିଲା ।

ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଚଢାଉକୁ ବ୍ୟାପକ କରାଯାଇଥିଲା । ସାଲିଆସାହିର ପ୍ରାୟ ପ୍ରତ୍ଯେକ ଘରେ ମଦ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲା ଅବକାରୀ ଟିମ୍ । ଘର ଭିତରେ ସୁଡଙ୍ଗ କରି ତିଆରି ହେଉଥିଲା ମଦ । ଦୁଇଦିନ ତଳେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ଚଢ଼ାଉ କରାଯାଇଥିଲା । ରେଡ୍ ସମୟରେ ହଜାର ହଜାର ଲିଟର ଦେଶୀ ମଦ ଜବତ ହୋଇଥିଲା ।

ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ କରୁଥିଲେ ସୁଦ୍ଧା ଏତେ ପରିମାଣର ମଦ କିପରି ପ୍ରସ୍ତୁତ ହେଉଛି ?

ପୂର୍ବ ଶତ୍ରୁତାରୁ ଜେଲ ଫେରନ୍ତା ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଜେଲ ଫେରନ୍ତା ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଗତକାଲି ରାତିରେ ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ଛକରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ନାରାୟଣ ଜେନା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିବାର ଦୃଶ୍ଯ ସିସିଟିଭିରେ କଏଦ ହୋଇଛି । ପୂର୍ବ ଶତ୍ରୁତା ଓ ଚୋରା ମଦ ବ୍ଯବସାୟକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆହତ ନାରାୟଣ ଜେନା ପୂର୍ବରୁ ଏକ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ୩ଦିନ ପୂର୍ବରେ ସେ ଜେଲରୁ ଫେରିଥିଲେ । ଆକ୍ରମଣ ପଛରେ ସ୍ଥାନୀୟ ଅଞ୍ଚଳର କିଛି ୟୁବକ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଚଣାର ତଦନ୍ତ ଜାରି ରଖିଛି ।

ଜମ୍ମୁ ଓ କାଶ୍ମୀର ଲାଗି ବିଜେପି ଘୋଷଣା କଲା ୪୪ ଜଣିଆ ପ୍ରାର୍ଥୀ ତାଲିକା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ଲାଗି ବିଜେପି ଘୋଷଣା କଲା ୪୪ ଜଣିଆ ପ୍ରାର୍ଥୀ ତାଲିକା। ସମସ୍ତ ତିନିଟି ଯାକ ପର୍ଯ୍ୟାୟ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ପ୍ରଥମ ପର୍ଯ୍ୟାୟ ଲାଗି ୧୫, ଦ୍ବିତୀୟ ପର୍ଯ୍ୟାୟ ଲାଗି ୧୦ ଓ ତୃତୀୟ ପର୍ଯ୍ୟାୟ ଲାଗି ୧୯ ଜଣଙ୍କ ନାଁ ଘୋଷଣା କରିଛି ବିଜେପି। ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ନାଁ ଏଥିରେ ରହିଛି ସେମାନେ ହେଲେ ପାମ୍ପୋରରୁ ପ୍ରାର୍ଥୀ ହୋଇଥିବା ଇଞ୍ଜିନିୟର ସୟଦ ସୌକତ ଗାୟୁର ଆନ୍ଦରାବି ଓ ଅନନ୍ତନାଗରୁ ଲଢୁଥିବା ମହମ୍ମଦ ରଫିକ ୱାନି।

ଆସନ୍ତା ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ରେ ହେବ ଜାମ୍ମୁ ଓ କାଶ୍ମୀରରେ ତିନି ପର୍ଯ୍ୟାୟରେ ନିର୍ବାଚନ। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ରହିଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ସେପଟେ ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସ ଓ ନ୍ଯାସନାଲ କନଫରେନ୍ସ ମଧ୍ଯରେ ଆସନ ବୁଝାମଣା ପ୍ରସଙ୍ଗ। ସମ୍ଭାବ୍ଯ ମେଣ୍ଟ ନେଇ ବିବାଦ ସୃଷ୍ଟି ହେବା ପରେ ସଙ୍କଟର ସମାଧାନ ଟାଳିବାକୁ ସେଠାକୁ କେ.ସି. ଭେନୁଗୋପାଲ ଓ ସଲମାନ ଖୁର୍ସିଦଙ୍କୁ ପଠାଯାଇଛି। ସେମାନେ ନ୍ଯାସନାଲ କନଫରେନ୍ସ ସ ନେତା ଫାରୁର ଅବଦୁଲ୍ଲା ଓ ଓମାର ଅବଦୁଲ୍ଲାଙ୍କୁ ଭେଟିବେ।