spot_img
Home Blog Page 1573

ଗହଣା ବ୍ୟବସାୟୀଙ୍କୁ ନକଲି ଟଙ୍କା ଦେଇ ନେଇଗଲେ ୨ କିଲୋଗ୍ରାମରୁ ଅଧିକ ସୁନା

ଅହମଦାବାଦ: ଗହଣା ବ୍ୟବସାୟୀଙ୍କୁ ଠକିଦେଲେ ଚୋର  । ଜାଲ ସାଢେ ଏକ କୋଟି ଟଙ୍କା ଦେଇ ୨ କିଲୋଗ୍ରାମରୁ ଅଧିକ ସୁନା ସେମାନେ ଠକି ନେଇଛନ୍ତି  । ପୋଲିସ ସୂଚନା ଅନୁସାରେ ଗହଣା ବ୍ୟବସାୟୀ ମେହୁଲ ଠକ୍କରଙ୍କ ପାଖକୁ ସେପ୍ଟେମ୍ବର ୨୩ରେ ପିଚିତ ଲକ୍ଷ୍ମୀ ଜୁଏଲର୍ସଙ୍କ ମ୍ୟାନେଜରଙ୍କ ଏକ ଫୋନ କଲ ଆସିଥିଲା  । ୨ କିଲୋ ୧୦୦ ଗ୍ରାମ ସୁନା କିଣିବା ପାଇଁ ଦୋକାନୀଙ୍କ ସହ ସେ ମୂଲଚାଲ କରିଥିଲା  । ଗତ ୧୫ ବର୍ଷରୁ ଅଧିକ ସମୟ ଧରି ମେହୁଲ ଲକ୍ଷ୍ମୀ ଜୁଏଲର୍ସ ସହ ବ୍ୟବସାୟ କରି ଆସୁଛନ୍ତି  । ଏହି ଭରସାରେ ବ୍ୟବସାୟୀ ୧ କୋଟି ୬୦ ଲକ୍ଷ ଟଙ୍କାରେ ସୁନା ବିକିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ  ।

ଏହାର ଠିକ୍‌ ପରଦିନ ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜର ମେହୁଲଙ୍କୁ ଫୋନ କରି କହିଥିଲେ ଯେ ଜଣେ ପାର୍ଟିକୁ ଅତିଶୀଘ୍ର ସୁନା ଦରକାର  । ତାଙ୍କ RTGS କାମ କରୁନାହିଁ  । ଏଥିପାଇଁ ସେ ସୁନାର ସିକ୍ୟୁରିଟି ଆମାଉଣ୍ଟ ଦେଇ ପରଦିନ RTGS ଟଙ୍କା ପଠାଇ ଦେବେ  ।

ବ୍ୟବସାୟୀ ମେହୁଲ ଖୁବଶୀଘ୍ର ନିଜ ଷ୍ଟାଫଙ୍କୁ ୨ କିଲୋ ୧୦୦ ଗ୍ରାମ ସୁନା ଦେଇ ସିଜି ରୋଡ ପଠାଇତିଲେ  । ଘଟଣାସ୍ଥଳରେ ତିନି ଜଣ ଥିଲେ  । ଏମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ ନଗଦ ଟଙ୍କା ଗଣା ମେସିନ ଥିଲା  । ସୁନା କିଣୁଥିବା ଦୁଇ ଜଣ ବ୍ୟକ୍ତି ୧.୩୦ କୋଟି ଟଙ୍କା ସିକ୍ୟୁରିଟି ଟଙ୍କା ଡିପୋଜିଟ ଭାବେ ରଖି ସୁନା ମାଗିଥିଲେ  । ଆଉ ୩୦ ଲକ୍ଷ ଅନ୍ୟ ଏକ ଅଫିସରୁ ଦେବା ପାଇଁ କହିଥିଲେ ୩ ଠକ  ।

ମେହୁଲଙ୍କ ଷ୍ଟାଫ ସୁନା ଦେବା ପରେ ଯେତେବେଳେ ଟଙ୍କା ଦେଖିଥିଲେ ତାହା ନକଲି ଥିଲା  । ଆଶ୍ଚର୍ଯ୍ୟର କଥା ଯେ ଏହି ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ବଦଳରେ ଅଭିନେତା ଅନୁପମ ଖେରଙ୍କ ଫଟୋ ଥିଲା  । ଏହି ନକଲି ଟଙ୍କା ଉପରେ RBI ବଦଳରେ ରିସୋଲ ବ୍ୟାଙ୍କ ଅଫ ଇଣ୍ଡିଆ ଲେଖା ହୋଇଥିଲା  । ସୂଚନା ମିଳିବା ପରେ ମେହୁଲ ସଙ୍ଗେସଙ୍ଗେ ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜର ଭାବେ ଫୋନ ଆସିଥିବା ବ୍ୟକ୍ତିଙ୍କୁ କଲ୍‌ କରିବା ପରେ ତାଙ୍କ ଫୋନ ସୁଇଚ ଅଫ୍‌ ଆସିଥିଲା  ।

ଖ୍ରୀଷ୍ଟିଆନ ବହୁଳ ଲେବାନନ ଅଳ୍ପ କେଇ ବର୍ଷ ମଧ୍ୟରେ କେମିତି ହୋଇଗଲା ମୁସଲିମ ବହୁଳ ?

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲର ରକେଟ ମାଡ଼ରେ ଜଳୁଛି ଲେବାନନ । ଧ୍ବଂସସ୍ତୁପରେ ପରିଣତ ହୋଇଛି ଲେବାନନର ଗଳିକନ୍ଦି । ସବୁଠି ବାରୁଦର ବନ୍ଧ । ଯେଉଁଠିକୁ ଚାହିଁବେ ଶବ ଆଉ ଶବ । ମୁସଲମାନ ରାଷ୍ଟ୍ର ଲେବାନନ, ଇସ୍ରାଏଲର ପ୍ରତିଶୋଧ ନିଆଁରେ ଜଳିପୋଡି ପାଉଁଶ ହେଉଛି । ହେଲେ ଜାଣିଛନ୍ତି କି ହିଜବୁଲ୍ଲା ସମେତ ଏକାଧିକ ଆତଙ୍କବାଦୀ ସଂଗଠନଙ୍କ ଗଡ଼ ଲେବାନନ କିଛି ଦଶକ ପୂର୍ବେ ଏକ ଖ୍ରୀଷ୍ଟିଆନ ଦେଶ ଥିଲା । ୬୦ ପ୍ରତିଶତରୁ ଅଧିକ ଖ୍ରୀଷ୍ଟିଆନ ଲୋକ ରହୁଥିବା ଏହି ଦେଶ କେମିତି ଏକ ମୁସଲମାନ ରାଷ୍ଟ୍ରରେ ପରିଣତ ହେଲା ତା’ର ଇତିହାସ ଶୁଣିଲେ ଆପଣଙ୍କ ବି ଶିହରି ଯିବେ । ମଧ୍ୟପ୍ରାଚ୍ୟରେ ସବୁଠାରୁ ବଡ଼ ଲୋମହର୍ଷଣକାରୀ ଓ ରକ୍ତାକ୍ତ ଗୃହଯୁଦ୍ଧ ସାରା ବିଶ୍ବକୁ ଦୋହଲାଇ ଦେଇଥିବା ବେଳେ ଏକ ରାଷ୍ଟ୍ରର ଧର୍ମ ପରିବର୍ତ୍ତନ କରି ଦେଇଥିଲା । ଆଉ ସେ ସମୟରେ ଲାଗିଥିବା ଏହି ଧାର୍ମିକ ନିଆଁ ଆଜି ବି ଜଳୁଛି । ମୁଣ୍ଡ ବି ଗଡୁଛି, ସହର କବରସ୍ଥାନରେ ପରିଣତ ହେଉଛି ।

ତେବେ ଆସନ୍ତୁ ଜାଣିବା ଖ୍ରୀଷ୍ଟିଆନ ବହୁଳ ରାଷ୍ଟ୍ର ଲେବାନନରେ ଏମିତି କ’ଣ ଘଟିଥିଲା ଯେଉଁ କାରଣରୁ ଏହା ମୁସଲମାନ ରାଷ୍ଟ୍ରରେ ପାରିଣତ ହୋଇଗଲା ।

ମାତ୍ର ୫୦ ବର୍ଷ ପୂର୍ବେ ଖ୍ରୀଷ୍ଟିଆନ ବହୁଳ ଦେଶ ଥିବା ଲେବାନନରେ ମାତ୍ର ୩୦ ପ୍ରତିଶତ ଲୋକ ମୁସଲମାନ ଓ ଅନ୍ୟ ଧର୍ମର ଥିଲେ । ହେଲେ ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ଏହି ଦେଶରେ ୭୦ ପ୍ରତିଶତରୁ ଅଧିକ ଲୋକ ଏବେ ମୁସଲମାନ ସମ୍ପ୍ରଦାୟର । ଗତ ସପ୍ତାହରୁ ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ କରି ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାହ ସମେତ ଏକାଧିକ ଲିଡରଙ୍କୁ ହତ୍ୟା କରିଛି । ହିଜାବୁଲ୍ଲ ସେଇ ଆତଙ୍କବାଦୀ ସଙ୍ଗଠନ ଯାହାର ପହଞ୍ଚ ଲେବାନନ ସଂସଦ ଓ ସରକାର ପର୍ଯ୍ୟନ୍ତ ରହିଛି । ତେବେ ଲେବାନନ ଖ୍ରୀଷ୍ଟିଆନ ବହୁଳରୁ ମୁସଲମାନ ବହୁଳ ରାଷ୍ଟ୍ରରେ ପରିଣତ ହେବା ପଛରେ ରହିଛି ଏକାଧିକ କାରଣ । ଏଠି ଏମିତି କିଛି କାରଣ ସମ୍ପର୍କରେ ଜାଣିବା ଯାହା ଗୋଟିଏ ଦେଶର ଧର୍ମ ପରିବର୍ତ୍ତନ କରିଦେଲା ।

ଧର୍ମ ଆଧାରରେ ରାଜନୈତିକ ବ୍ୟବସ୍ଥା

ଲେବାନନ ରାଜନୀତି ସବୁବେଳେ ଧର୍ମକୁ ଆଧାର କରି ରହି ଆସିଛି । ଦେଶର ମୁଖ୍ୟପଦରେ ୬୦ ପ୍ରତିଶତ ଲୋକ ଇସାଇ ଧର୍ମର ରହୁଥିଲେ । ଯାହା ମୁସଲମାନଙ୍କ ଅସନ୍ତୋଷର କାରଣ ଥିଲା । ଦେଶର ମୁସଲିମ ଲୋକ ସମାନ ଅଧିକାର ଚାହୁଁଥିଲେ । ଯାହାକୁ ନେଇ ଏକାଧିକ ଥର ସାମ୍ପଦାୟିକ ହିଂସା ବି ଦେଖିବାକୁ ମିଳୁଥିଲା । ଏମିତି ସ୍ଥିତିରେ ମୁସଲମାନ ବହୁଳ ଅଞ୍ଚଳରେ ରହୁଥିବା ଖ୍ରୀଷ୍ଟିଆନ ଲୋକେ ଧର୍ମ ପରିବର୍ତ୍ତନ କରି ଦେଇଥିଲେ । ୟୁନିର୍ଭସିଟି ଅଫ୍ ଆକ୍ସଫୋର୍ଡ ଅନଲାଇନ୍ ରିପୋର୍ଟ ଅନୁସାରେ ଥରେ ଧର୍ମ ପରିବର୍ତ୍ତନ କରିବା ପରେ ପୁଣି ମୂଳ ଧର୍ମକୁ ଫେରିବା ସହଜ ନଥିଲା । ଏମିତି କରୁଥିବା ଲୋକଙ୍କୁ ବ୍ଲାସ ଫେମି ଅପରାଧରେ କଠୋର ଦଣ୍ଡ ଦିଆଯାଉଥିଲା । ଧର୍ମ ପରିବର୍ତ୍ତନ ଇସ୍ୟୁକୁ ନେଇ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ମତାନ୍ତର ବହୁତ ବଢ଼ିଯାଇଥିଲା ।

ବିଂଶ ଶତାବ୍ଦୀ ଆରମ୍ଭରୁ ଏଠାରେ ଧାର୍ମିକ ସମୀକରଣ ବଦଳିବା ଆରମ୍ଭ କରିଥିଲା । ବହୁତ ଘଟଣା ଏଥିପାଇଁ ଦାୟୀ ଥିଲା । ଆଉ ସବୁଠାରୁ ବଡ଼ ଘଟଣା ଥିଲା ଲେବାନନ ଗୃହଯୁଦ୍ଧ । ଯାହାକୁ ମଧ୍ୟ ପ୍ରାଚ୍ୟର ସବୁଠାରୁ ବଡ଼ ରକ୍ତାକ୍ତ ସଂଘର୍ଷ କୁହାଯାଏ । ଆଉ ଏହି ସଂଘର୍ଷରେ ମୁହାଁମୁହିଁ ହୋଇଥିଲେ ଦୁଇ ସମ୍ପ୍ରଦାୟ ଖ୍ରୀଷ୍ଟିଆନ ଓ ମୁସଲମାନ । ୭୦ରୁ ୯୦ ଦଶକ ପର୍ଯ୍ୟନ୍ତ ଚାଲିଥିବା ଏହି ଖୁନୀ ସଂଘର୍ଷରେ ଧର୍ମ ସହ ଜଡିତ ରାଜନୈତିକ ଦଳ ବି ସାମିଲ ହୋଇଥିଲେ ।

ଗୃହଯୁଦ୍ଧରେ ପାଲେଷ୍ଟାଇନ ଶରଣାର୍ଥୀ

ଲେବାନନ ଯେତେବେଳେ ଗୃହଯୁଦ୍ଧର ନିଆଁରେ ଜଳୁଥିଲା, ସେ ସମୟରେ ଦେଶରେ ବହୁ ସଂଖ୍ୟାରେ ପାଲେଷ୍ଟାଇନ ଶରଣାର୍ଥୀ ରହୁଥିଲେ । ସେମାନେ ଇସାଇଙ୍କୁ ବିରୋଧ କରି ମୁସଲମାନଙ୍କ ସହ ଛିଡ଼ା ହୋଇଥିଲେ । ଆଉ ଲେବାନନ ଗୃହଯୁଦ୍ଧର ଅନ୍ୟତମ ମୁଖ୍ୟ କାରଣ ଏହି ଶରଣାର୍ଥୀ ହିଁ ଥିଲେ । ସ୍ବତନ୍ତ୍ର ପାଲେଷ୍ଟାଇନ ଦାବିରେ ଏମାନେ ଇସ୍ରାଏଲକୁ ଉସକାଉଥିଲେ । ଏହାକୁ ନେଇ ଇସ୍ରାଏଲ ସେନା ଏକାଧିକ ଥର ଲେବାନନ ଉପରେ ଆକ୍ରମଣ କରିଥିଲା । ଆଉ ଏହାର ପ୍ରଭାବ ଲେବାନନର ଖ୍ରୀଷ୍ଟିଆନଙ୍କ ଉପରେ ବି ପଡୁଥିଲା । ଯାହା ଖ୍ରୀଷ୍ଟିଆନଙ୍କ ବିଭିନ୍ନ ସମୁଦାୟ ମଧ୍ୟରେ ଦୂରତା ବଢ଼ାଇ ଦେଇଥିଲା ।

ଗୃହଯୁଦ୍ଧରେ ପଡୋଶୀ ଦେଶଙ୍କ ଏଣ୍ଟ୍ରି

ଲେବାନନରେ ଗୃହଯୁଦ୍ଧ ଚାଲିଥିବା ବେଳେ  ଏଥିରେ ପଡୋଶୀ ଦେଶ ବି ସାମିଲ ହୋଇଥିଲେ । ଯେମିତିକି ସିରିଆ ଓ ଇରାକ ମୁସଲାମ ସଙ୍ଗଠନ ସହ ଥିବା ବେଳେ ଇସ୍ରାଏଲ ଖ୍ରୀଷ୍ଟିଆନଙ୍କ ସମର୍ଥନରେ ଛିଡ଼ା ହୋଇଥିଲା । ଏହି ସମୟରେ ହିଜବୁଲ୍ଲା, ଅଲ-ଅମଲ ଓ ମୁସଲିମ ସୋସିଆଲିଷ୍ଟ ପାର୍ଟି ପରି ଚରମପନ୍ଥି ସଙ୍ଗଠନ ମୁଣ୍ଡ ଟେକିଥିଲା । ପ୍ରାୟ ଦେଢ଼ ଦଶକ ପର୍ଯ୍ୟନ୍ତ ଚାଲିଥିବା ଏହି ଯୁଦ୍ଧ ତାଏଫ ଏଗ୍ରୀମେଣ୍ଟ ସହ ବନ୍ଦ ହୋଇଥିଲା ।

ରାଜନୈତିକ ଭାଗବଣ୍ଟା

ନବେ ଦଶକ ଆରମ୍ଭରେ ଦେଶର ଏକାଧିକ ଧାର୍ମିକ ଓ ରାଜନୈତିକ ସଙ୍ଗଠନ ମଧ୍ୟରେ ଏହି ବୁଝାମଣା ହୋଇଥିଲା । ଆଉ ଏହି ଆଧାରରେ ଦେଶ ଶାସନରେ ଦୁଇ ସମ୍ପ୍ରଦାୟଙ୍କୁ ସମାନ ଅଧିକାର ମିଳିଥିଲା । ରାଷ୍ଟ୍ରପତି ପଦ ଖ୍ରୀଷ୍ଟିଆନ ଓ ପ୍ରଧାନମନ୍ତ୍ରୀ ପଦ ସୁନ୍ନି ମୁସଲମାନଙ୍କ ପାଇଁ ସଂରକ୍ଷିତ ହୋଇଥିଲା । ଏପରିକି ପାର୍ଲିଆମେଣ୍ଟରେ ଆସାନର ଭାଗବଣ୍ଟା ମଧ୍ୟ ଧର୍ମ ଆଧାରରେ ହୋଇଥିଲା ।

ଧାର୍ମିକ ଜନସଂଖ୍ୟାରେ ପରିବର୍ତ୍ତନ

ଗୃହଯୁଦ୍ଧ ପରେ ଲେବାନନରେ ଧାର୍ମିକ ସମୀକରଣ ବଦଳି ଯାଇଥିଲା । ଗୃହଯୁଦ୍ଧ ସମୟରେ ବହୁତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକ ଲେବାନନ ଛାଡି ପଶ୍ଚିମ ଦେଶକୁ ଚାଲିଯାଇଥିଲା । ଆଉ ଏହି ପ୍ରକ୍ରିୟା ଗୃହଯୁଦ୍ଧ ପରେ ବି ଜାରି ରହିଥିଲା । ଗୃହଯୁଦ୍ଧ ପରେ ପାଲେଷ୍ଟାଇନ ଓ ଜୋଡାନର ଶରଣାର୍ଥୀ ମଧ୍ୟ ଆସି ଲେବାନନରେ ରହିବାକୁ ଲାଗିଲେ । ଦେଶର ରାଜନୈତିକ ବ୍ୟବସ୍ଥା ଏଠିକାର ଶରଣାର୍ଥୀଙ୍କୁ ସୁହାଉଥିଲା । ଯେଉଁ କାରଣରୁ ଦେଶର ଧାର୍ମିକ ସ୍ଥିତି ଦ୍ରୁତଗତିରେ ବଦଳି ଥିଲା । ଆଉ ରାଜନୈତିକ ଶକ୍ତି ମୁସଲମାନ ନେତାଙ୍କ ହାତକୁ ଚାଲିଯାଇଥିଲା ।

କେବଳ ଲେବାନନ ନୁହେଁ ଦିନ ଥିଲା ପୂରା ମଧ୍ୟପ୍ରାଚ୍ୟରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବହୁତ ଅଧିକ ଥିଲା । ଜେରୁଜେଲମ ଓ ମିଡିଲ ଇଷ୍ଟ ଚର୍ଚ୍ଚ ଆସୋସିଏସନ ଅନୁସାରେ ଚତୁର୍ଥ ଶତାବ୍ଦୀ ଆରମ୍ଭରୁ ଏହି ଧର୍ମ ଜେରୁଜେଲମରୁ ସିରିଆ, ଜୋଡାନ, ଇଜିପ୍ଟ ଓ ବାକି ଅଞ୍ଚଳକୁ ଯାଇଥିଲା । ହେଲେ ବଡ଼ ବଡ଼ ଧାର୍ମିକ ଅଧିକାରୀଙ୍କ ମଧ୍ୟରେ ବିବାଦ କାରଣରୁ ଚର୍ଚ୍ଚର ବି ଭାଗବଣ୍ଟା ଆରମ୍ଭ ହୋଇଥିଲା । ଏହାସହ ଧାର୍ମିକ ଷ୍ଟ୍ରକଚର ବି ବଦଳିବାରେ ଲାଗିଥିଲା । ୭ମ ଶତାବ୍ଦୀରେ ମଧ୍ୟପ୍ରାଚ୍ୟକୁ ମୁସଲମାନ ବ୍ୟବସାୟୀଙ୍କ ଆଗମନ ପରେ ବିଭାଜନ ଅଧିକ ବଢ଼ିବାରେ ଲାଗିଥିଲା ।

ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ , ଭାରରେ ବୁହା ହେଲେ ରୋଗୀ

ମାଲକାନଗିରି : ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ । ଭାରରେ ବୁହାହେଲେ ରୋଗୀ। ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଂଚାୟତର ରଥଗୁଡା ଗାଁରେ। ନୂଆଗୁଡା ପଞ୍ଚାୟତ ଅଧିନ ଆରଏସସି-୧୦କୁ ପାହାଡ଼ କାଟି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି। ହେଲେ ଏ ପର୍ଯ୍ୟନ୍ତ କରାଯାଇନି ସେତୁ ନିର୍ମାଣ କାର୍ଯ୍ୟ। ଫଳରେ ଝରଣା ଦେଇ ଲୋକେ ଯିବା ଆସିବା କରୁଛନ୍ତି। ରାସ୍ତାର କାମ ସମ୍ପୂର୍ଣ୍ଣ ହୋଇନଥିବାରୁ ଗାଁ ଭିତରକୁ କୌଣସି ପ୍ରକାର ୪ ଚକିଆ ଗାଡି ଯିବାଆସିବ କରିପାରୁନି। ଯଦି କୌଣସି ଗ୍ରାମବାସୀଙ୍କ ଦେହ ଖରାପ ହୁଏ ତେବେ ବାଧ୍ୟ ହୋଇ ଷ୍ଟ୍ରେଚର କିମ୍ବା ଭାରରେ ରୋଗୀଙ୍କୁ ବୁହା ହୋଇ ମେଡିକାଲ ପର୍ଯ୍ୟନ୍ତ ନେବାକୁ ପଡେ। ରଥଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଭୀଷଣ ଖରାପ ହୋଇଥିଲା। ଫଳରେ ତାଙ୍କୁ ମେଡିକାଲ ନେବା ବାଟରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ତୁରନ୍ତ ଗ୍ରାମବାସୀ ଏଠାରେ ସେତୁ ନିର୍ମାଣ କରିବାକୁ ଦାବି କରିଛନ୍ତି।

ISSରେ ପହଞ୍ଚିଲା କୃ-୯ ମିଶନ ସ୍ପେସକ୍ରାଫଟ୍ ଡ୍ରାଗନ୍, ଫେରିବେ ସୁନୀତା ଓ ୱିଲମୋର

ନୂଆଦିଲ୍ଲୀ : ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ପହଞ୍ଚିଛି ମହାକାଶଚାରୀ ସୁନୀତା ୱିଲିୟମସଙ୍କୁ ଆଣିବାକୁ ଯାଇଥିବା ସ୍ପେସ୍ ଏକ୍ସର ମହାକାଶଯାନ ।
ଫାଲକନ୍ ୯ ରକେଟ ଜରିଆରେ ଫ୍ଲୋରିଡାରୁ ମହାକାଶକୁ ଯାତ୍ରା କରିଥିଲା ଡ୍ରାଗନ ସ୍ପେସକ୍ରାଫଟରେ କୃ-ନାଇନ୍ ମିଶନ୍ । ଯାହାକି ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ପହଞ୍ଚିଛି। ଏ ସଂପର୍କରେ ନାସା ପକ୍ଷରୁ ସୂଚନା ଦିଆଯାଇଛି।

ସ୍ପେସ୍ ଷ୍ଟେସନରେ ପହଞ୍ଚିବା ପରେ କୃ-ନାଇନରେ  ମହାକାଶଚାରୀ ISS ରେ ପ୍ରବେଶ କରିଛନ୍ତି। ଏମାନେ ଆସନ୍ତା ଫେବୃଆରୀରେ ସେଠାରେ ଥିବା ସୁନୀତା ୱିଲିୟମ୍ସ ଓ ବଚ୍ ୱିଲମୋରଙ୍କୁ ଧରି ପୃଥିବୀ ପୃଷ୍ଠକୁ ଫେରିବେ। ସୁନୀତା ଏବଂ ୱିଲମୋର ଆଇଏସଏସ୍ ରେ ଜୁନ ମାସରୁ ଫସି କରି ରହିଛନ୍ତି। ବୋଇଂର ଷ୍ଟାର୍ ଲାଇନର୍ ସ୍ପେସ୍ କ୍ରାଫଟ ରେ ସମସ୍ୟା ଯୋଗୁଁ ସେମାନେ ଫେରି ପାରୁ ନାହାନ୍ତି। ସେମାନେ ମାତ୍ର ଆଠ ଦିନ ପାଇଁ ISS କୁ ଯାଇଥିଲେ। ଷ୍ଟାର୍ ଲାଇନର୍ ରେ ସମସ୍ୟା ପରେ ବହୁ ପରୀକ୍ଷା ନିରୀକ୍ଷା କରାଯାଇ ତାକୁ ଖାଲିରେ ଫେରାଇ ଅଣାଯାଇଥିଲା ଏବଂ ସେଥିରେ ଯାଇଥିବା ସୁନୀତା ଓ ୱିଲମୋରଙ୍କୁ ଫେରାଇ ଆଣିବାକୁ ଆଉ ଏକ ସ୍ପେସ୍ କ୍ରାଫଟ ପଠା ଯାଇଛି।

ଭୁବନେଶ୍ଵରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର : କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟକୁ ବଡ଼ ସଫଳତା। ରାଜଧାନୀ ଭିତରକୁ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ। ଦଶହରା ବେଳେ ବିଭିନ୍ନ ସ୍ଥାନରେ ଡିଲ ପାଇଁ ହୋଇଥିଲା ଯୋଜନା। ଟାର୍ଗେଟରେ ଥିଲେ କିଛି ପ୍ରତିଷ୍ଠିତ କଲେଜର ଇଞ୍ଜିନିୟରିଂ ଛାତ୍ର। ବିଶେଷ ସୁତ୍ରରୁ ଖବର ପାଇବା ପରେ ରାଜଧାନୀ ଉପକଣ୍ଠ ଗଙ୍ଗପଡା ଠାରେ ଏକ ସୁଇଫ୍ଟ ଡିଜେଆର କାରରେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ପ୍ୟାକେଟ ଜବତ କରିଥିଲା ପୋଲିସ । ସାଧା ପୋଷାକରେ ପୋଲିସ ଗାଡିଟିକୁ ଅଟକାଇବା ବେଳେ ପୋଲିସକୁ ଧକ୍କା ଦେଇ ଖସିବାକୁ ଉଦ୍ୟମ କରିଥିଲା ନିଶା ମାଫିଆ। ଶେଷରେ କାଇମାଟିଆ ପାଟଣା ନିକଟରେ ଗଞ୍ଜେଇ ଭର୍ତ୍ତି ଗାଡିଟିକୁ ଜବତ କରାଯାଇଥିଲା। ହେଲେ ଡ୍ରାଇଭର ସମେତ ୨ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ଛାନବିନ ଆରମ୍ଭ କରିଛି ।

ବର୍ଦ୍ଧମାନ ଗ୍ରୁପର ମାଲିକଙ୍କୁ ଡିଜିଟାଲ ଆରେଷ୍ଟ କରି ଠକିନେଲେ ୭ କୋଟି !

ନୂଆଦିଲ୍ଲୀ : ସାଇବର ଠକେଇର ଏକ ନୂଆ କେସ୍ ସାମ୍ନାକୁ ଆସିଛି । ଯେଉଁଥିରେ ବର୍ଦ୍ଧମାନ ଗ୍ରୁପର ମାଲିକ ଏସ. ପି . ଓସଓ୍ୱାଲଙ୍କୁ ୭ କୋଟି ଟଙ୍କାର ଚୂନା ଲାଗାଇଦେଇଛନ୍ତି ସାଇବର ଠକ । ଏଥିରେ ତାଙ୍କୁ ଫେକ୍  ଏସବିଆଇ କଲ୍ କରି ଫର୍ଜି ଆରେଷ୍ଟ ଓ୍ୱାରେଣ୍ଟ  ଦେଖାଇବା ସହ ଡିଜିଟାଲୀ ଆରେଷ୍ଟ ମଧ୍ୟ ରଖାଯାଇଥିଲା । ଏହି ଘଟଣାର ୪୮ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ବର୍ଦ୍ଧମାନ ଗ୍ରୁପର ମାଲିକଙ୍କୁ ଚୂନା ଲଗାଇଥିବା ଏହି ଠକଙ୍କୁ କାବୁ କରିଛି ପଞ୍ଜାବ ପୋଲିସ । ପୋଲିସ ସୂଚନା ମୁତାବକ ଏହି ଦୁଇ ଠକଙ୍କ ଠାରୁ ୫.୨୫ କୋଟି ଟଙ୍କା ଜବତ କରାଯାଇଛି । ଏହି ଗ୍ୟାଙ୍ଗର ଅନ୍ୟ ୭ଜଣ ସଦସ୍ୟଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛି ପୋଲିସ । ସମସ୍ତ ଠକ ଆସାମ ଏବଂ ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

ଏହି ସାଇବର ଠକ ବର୍ଦ୍ଧମାନ ଗ୍ରୁପର ମାଲିକଙ୍କ ଠାରୁ ଲୁଟିଥିବା ୭ କୋଟି ଟଙ୍କାକୁ ଅଲଗା ଅଲଗା ଆକାଉଣ୍ଟ ଜରିଆରେ ଉଠାଯାଇଛି । ହେଲେ ଏତେ ବଡ଼ ଠକାମି ହେଉଥିବା ସମୟରେ ଏସ. ପି . ଓସଓ୍ୱାଲଙ୍କୁ ତିଳେ ବି ସନ୍ଦେହ ହୋଇନଥିଲା ।

ସୁନ୍ଦରଗଡ଼ କୁତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ୫ଜଣ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ କୁତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏଥିରେ ୩ ଜଣ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। କୁତ୍ରା ବ୍ଲକ ଉପରବାହାଲରେ ଥିବା ପର୍ଯ୍ୟଟନସ୍ଥଳୀ ଡୁଙ୍ଗଲେଇ ପାହାଡ଼ରେ ଦୁଇ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୫ ଆହତ ହୋଇଛନ୍ତି। ସଂଘର୍ଷର ପକୃତ କାରଣ ଜଣା ପଡି ନଥିବାବେଳେ ଘଟଣାକୁ ନେଇ କୁତ୍ରାରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ଆଜି କୁତ୍ରାରେ ଦୋକାନ ବଜାର ବନ୍ଦ କରାଯାଇଛି। କୁତ୍ରା ପୋଲିସ ମାମଲାର ତଦନ୍ତ ଜାରି ରଖିଛି। ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।

ଘନାଉଛି ଆଉ ଏକ ଯୁଦ୍ଧ, ଇସ୍ରାଏଲର ପରବର୍ତ୍ତୀ ଟାର୍ଗେଟରେ ଇରାନ !

ନନ୍ଦିଘୋଷ ବ୍ୟୁରୋ : ଏବେ ପଶ୍ଚିମ ଏସିଆରେ ଅଶାନ୍ତ ପରିବେଶ । ଆଗାମୀ ସମୟରେ ମଧ୍ୟ ଜାରି ରହିପାରେ ଏପରି ପରିସ୍ଥିତି । ସେପଟେ ଆମେରିକା ମଧ୍ୟ ଇସ୍ରାଏଲକୁ ସାହାଯ୍ୟ କରିବା ନେଇ ଘୋଷଣା କରିଦେଇ ସାରିଲାଣି । ଅନ୍ୟପକ୍ଷେ ବର୍ତ୍ତମାନର ବିବାଦ ପଶ୍ଚିମ ଏସିଆରେ ତିକ୍ତକାକୁ ଆହୁରି ଘନିଭୂତ କରିଦେଇଛି, ଯାହା ଫଳରେ ଆଉ ଏକ ଗଲ୍ଫ  ଯୁଦ୍ଧ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଇସ୍ରାଏଲରେ ଏବେ ବି ଯୁଦ୍ଧ ପରିସ୍ଥିତି ଜାରି ରହିଛି  ଏବଂ ବର୍ଷ ବର୍ଷ ଧରି ପଡୋଶୀ ଦେଶରେ ମଧ୍ୟ ଆକ୍ରମଣ ହେଉଛି । ଇସ୍ରାଇଲ ଉପରେ ପାଲେଷ୍ଟାଇନ  ସଂଗଠନ ହମାସ, ଲେବାନାସ ରୁ ହିଜ୍ଜିବୁଲ୍ଲାହ, ୟମନ ରୁ ହୁତୀ ବିଦ୍ରୋହୀ, ଇରାକ ଏବଂ ସିରିଆ ଲଗାତାର ମିଶିକରି ମିଶାଇଲ ଆକ୍ରମଣ କରୁଛନ୍ତି ।  ସେପଟେ ଇରାନ ଉପରେ ବି ଆକ୍ରମଣର କଳାବାଦଲ ରହିଛି । ଏହା  ଭିତର ବି ଇସ୍ରାଏଲ ସେନା ନିଜ ଶତ୍ରୁଙ୍କୁ ଗୋଟି ଗୋଟି କରି ମାରୁଛି । ଯାହାକୁ ଦେଖିଲେ ଏହି ଯୁଦ୍ଧ ଶେଷ ହେବା ଭଳି ଲାଗୁ ନାହିଁ  ।

ଯୁଦ୍ଧ ଆରମ୍ଭ କରିଥିଲା ହମାସ କିନ୍ତୁ ଏହାକୁ ଇସ୍ରାଏଲ ଶେଷ କରିବା ପରି ଜଣାପଡୁଛି । ଅକ୍ଟୋବର ୭ , ୨୦୨୩ରେ ସର୍ବପ୍ରଥମେ ହମାସର ସେନା ଇସ୍ରାଏଲରେ ପଶି ନରସଂହାର କରିଥିଲେ । ଯାହାର ପରିଣାମ ସ୍ୱରୂପ ଇସ୍ରାଏଲ ସେନା ପାଲେଷ୍ଟାଇନ ଏବଂ ଗାଜାକୁ ଧ୍ୱସଂ କରିଦେଲାଣି । ଯାହା ପରେ ଏବେ ବିପଦରେ ରହିଛନ୍ତି ହମାସର ସହଯୋଗୀ ରାଷ୍ଟ୍ର । ସପ୍ତାହ ଧରି ଲେବନାନରେ ଜୋରଦାର ଆକ୍ରମଣ କରି ଧୂଳିସାତ୍ କରିଦେଲା ଇସ୍ରାଏଲ ସେନା । ଏହାରି ମଧ୍ୟରେ ହେଜବୁଲ୍ଲାର କାର୍ଯ୍ୟକାରୀ ପରିଷଦ ମୁଖ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଛି ଏବଂ ଇସ୍ରାଏଲର ପ୍ରତିରକ୍ଷା ବାହିନୀ ହୁତି ବିଦ୍ରେହୀମାନଙ୍କ ଉପରେ ବୋମା ପକାଇଛି ।

ହେଜବୁଲ୍ଲା ହେଉଛି ଲେବାନୀୟ ଆତଙ୍କବାଦୀ ସଂଗଠନ । ସୂଚନା ଅନୁଯାୟୀ, ଯେତେବେଳେ ହମାସ ଇସ୍ରାଏଲରେ ପ୍ରବେଶ କରି ହତ୍ୟାକାଣ୍ଡ ଘଟାଇଥିଲା, ସେତେବେଳେ ଇସ୍ରାଏଲ ଏହି ଆକ୍ରମଣର ପ୍ରତିଉତ୍ତର ସମାନ ଭାବେ ଭୟଙ୍କର ହେବ ବୋଲି ନିଷ୍ପତ୍ତି ନେଇଥିଲା । ପ୍ରଥମେ ଇସ୍ରାଏଲ ହମାସରେ ବଡ଼ ବଡ଼ ଏୟାରଷ୍ଟ୍ରାଇକ କରି ଧ୍ୱସଂ କରିଦେଲା । ଏହା ପରେ ଏବେ ଇସ୍ରାଏଲ ଟାଗେର୍ଟରେ ହମାସକୁ ସମର୍ଥନ କରୁଥିବା ସଂଗଠନ ଲେବନାନ ଏବଂ ହୁତୀ  ।

ନିକଟରେ ଇରାନର ରାଜଧାନୀ ତେହରାନରେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିଲା । ଯାହାର ଦୋଷ ଇସ୍ରାଏଲ ଉପରେ ପଡିଲା । ଏହି ଆକ୍ରମଣ ପରେ କ୍ରୋଧରେ ଜର୍ଜରିତ ଇରାନ ଏହାର ପ୍ରତିଶ୍ରୋଧ ନେବାକୁ ଅଣ୍ଟା ଭିଡିଛି । ଏବେ ଇରାନ ନା କେବଳ ହେଜବୁଲ୍ଲାକୁ ସମର୍ଥନ କରୁଛି ବରଂ ଯୁଦ୍ଧ ପାଇଁ ଯଥା ସମ୍ଭବ ସହାୟତା ମଧ୍ୟ ଯୋଗାଉଛି । ଯାହା ଫଳରେ ପଶ୍ଚିମ ଏସିଆରେ ଭୟଙ୍କର ସ୍ଥିତି ଉପୁଜୁଛି । ଏହି କ୍ଷେତ୍ରରେ ଏବେ ଏକ ବଡ଼ ଧରଣର ଯୁଦ୍ଧ ନେଇ ଆଶଙ୍କା କରାଯାଉଛି ।

ଯଦି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଏହାର ପ୍ରଭାବ କେବଳ ଏହି ଦୁଇ ରାଷ୍ଟ୍ର ଉପରେ ନୁହେଁ ବରଂ ଗଲ୍ଫ କ୍ଷେତ୍ରର ଅନ୍ୟ ଦେଶମାନଙ୍କରେ ଯଥା ଆରବ, କୁବେତ, ଓମାନ ଏବଂ ସଂଯୁକ୍ତ ଆରବ ରାଷ୍ଟ୍ର ମାନଙ୍କ ଉପରେ ପଡିବ । ଇରାନ ସହ ଅନେକ ସଙ୍ଗଠନ ଯେପରିକି ଲେବନାନର ହେଜବୁଲ୍ଲା, ୟମନର ହୁତୀ ବିଦ୍ରୋହୀ ଯୋଡି ହୋଇଯାଇଛନ୍ତି । ଅନ୍ୟପକ୍ଷେ ସାଉଦି ଆରବ , ସଂଯୁକ୍ତ ଆରବ ଲମିରେଟ୍ସ  ଏବଂ ଅନ୍ୟାନ୍ୟ ରାଷ୍ଟ୍ର ନୀରବ ରହିଛନ୍ତି । କତାର ଏବେ ଖୋଲାଖୋଲି ଭାବେ କାହାକୁ ସମର୍ଥନ କରିନାହିଁ କିମ୍ୱା ବିରୋଧ ମଧ୍ୟ କରିନାହିଁ । ବିଶେଷଜ୍ଞଙ୍କ ମତରେ ଯଦି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୁଏ , ତେବେ ଏହା ଆଞ୍ଚଳିକ ବିବାଦର ରୂପ ନେଇ ପାରେ ,ଯେଉଁଥିରେ ଗଲ୍ଫ ଦେଶ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରନ୍ତି ।

ଲେବାନନ ଉପରେ ପୁଣି ଇସ୍ରାଏଲର ଆକ୍ରମଣ, ଏୟାରଷ୍ଟ୍ରାଇରେ ୪ ମୃତ

ନନ୍ଦିଘୋଷ ବ୍ୟୁରୋ : ଲେବାନନ ଉପରେ ଆଜି ପୁଣି ଇସ୍ରାଏଲର ଜବରଦସ୍ତ ଆକ୍ରମଣ। ରାଜଧାନୀ ବେରୁତର ଏକାଧିକ ଠିକଣାରେ ହୋଇଛି ଏୟାର ଷ୍ଟ୍ରାଇକ। ଆଜିର ଆକ୍ରମଣରେ ବେରୁତରେ ୪ ଜଣଙ୍କ ମୃତ୍ଯୁ ହୋଇଥିବା ଖବର ମିଳିଛି। ଗତକାଲିର ଆକ୍ରମଣରେ ୧୦୫ ଜଣଙ୍କ ମୃତ୍ଯୁ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ହମଲାରେ ୧ ହଜାରରୁ ଅଧିକ ଲେବାନନ ନାଗରିକଙ୍କ ମୃତ୍ଯୁ ଘଟିଲାଣି। ୬ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।ହେଜବୁଲ୍ଲାର ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଲାଣି ଇସ୍ରାଏଲ । ହେଜବୁଲ୍ଲାକୁ ମୂଳପୋଛ କରିବାକୁ ଏବେ ଇସ୍ରାଏଲ ନିର୍ଣ୍ଣାୟକ ଯୁଦ୍ଧରେ ।

ନସରୁଲ୍ଲା ସମେତ ପ୍ରମୁଖ କମାଣ୍ଡରମାନଙ୍କ ମୃତ୍ୟୁ ଇରାନକୁ ସ୍ତବ୍ଧ କରିଦେଇଛି । ଇସଲାମିକ ଦେଶ ଏକଜୁଟ ହୋଇ ଇସ୍ରାଏଲକୁ ରୋକିବାକୁ ଆହ୍ବାନ ଦେଇ ନିଜେ ଭୟରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି ଇରାନର ସର୍ବୋଚ୍ଚ ନେତା ଅଲି ଖେମିନି। ଇସ୍ରାଏଲର ଘନଘନ ଆକ୍ରମଣ ଇରାନ, ସିରିୟା, ଇରାକ୍ ଓ ୟେମେନରେ ଆତଙ୍କ ସୃଷ୍ଟି କରିଛି। ନସରଲ୍ଲା ନିହତ ହେବା ପୂର୍ବରୁ ୧୨ ଶୀର୍ଷ କମାଣ୍ଡର ମଧ୍ୟ ନିପାତ ହୋଇସାରିଛନ୍ତି । ଏବେ ହେଜବୁଲ୍ଲାର ନେତୃତ୍ବ କିଏ ନେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଏବେ ନସରଲ୍ଲାର ଉତ୍ତରାଧିକାରୀ ଖୋଜାଚାଲିଛି । ଏପଟେ ଘନଘନ ଆକ୍ରମଣକୁ ଦେଖି ଲେବାନନ ରାଜଧାନୀ ବେରୁତର ରଫିକ ହରାରୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସମସ୍ତ ଉଡ଼ାଣ ରଦ୍ଦ କରାଯାଇଛି।

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ନବୀନ

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର  । ଭାରତୀୟ ସିନେମାରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବା ନେଇ ଘୋଷଣା ହୋଇଛି ।  ଆସନ୍ତା ଅକ୍ଟୋବର ୭ ତାରିଖରେ ୭୦ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ତାଙ୍କୁ ଏହି ପୁରସ୍କାର ଦିଆଯିବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଘୋଷଣା କରିଛନ୍ତି ।

ଆଗରୁ ସେ ପଦ୍ମ ଭୂଷଣ ବି ପାଇଛନ୍ତି। ୭୪ ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀ ୩ ଶହରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ୮୦ ଓ ୯୦ ଦଶକରେ ସବୁଠୁ ଲୋକପ୍ରିୟ ଅଭିନେତା ଥିଲେ ମିଥୁନ। ହିନ୍ଦି, ବଙ୍ଗଳା ସହିତ ଅନେକ ଭାଷାର ଫିଲ୍ମରେ ସେ ଅଭିନୟ କହିଛନ୍ତି। ୧୯୭୬ରେ ଡେବ୍ୟୁ କରିଥିଲେ ମୃଗୟା ଫିଲ୍ମରେ। ଏଥିରେ ସେ ଜାତୀୟ ପୁରସ୍କାର ପାଇଥିଲେ। ପରେ ୧୯୯୨ରେ ତାହାଦେର୍ କଥା ଓ ୧୯୯୮ରେ ସ୍ଵାମୀ ବିବେକାନନ୍ଦ ଫିଲ୍ମ ପାଇଁ ସେ ଜାତୀୟ ପୁରସ୍କାର ପାଇଛନ୍ତି। ଡିସକୋ ଡାନସର ଫିଲ୍ମ ଜରିଆରେ ସେ ଆଧୁନିକ ନାଚକୁ ହିନ୍ଦି ଫିଲ୍ମରେ ଏଣ୍ଟ୍ରି କରାଇଥିଲେ। ତାଙ୍କ ପ୍ରମୁଖ ଫିଲ୍ମରେ ଅଛି ଅଗ୍ନିପଥ, ମୁଝେ ଇନସାଫ ଚାହିୟେ, ହମ୍ ସେ ହେ ଜମାନା, ପସନ୍ଦ ଅପନି ଅପନି, ଘର ଏକ ମନ୍ଦିର, ଗଙ୍ଗା ଯମୁନା ସରସ୍ବତୀ ଇତ୍ୟାଦି। ଫାଲକେ ପୁରସ୍କାର ପାଇଁ ତାଙ୍କ ନାଁ ଘୋଷଣା ହେବା ପରେ ମିଥୁନ ଚକ୍ରବର୍ତ୍ତୀ ବହୁତ ଖୁସି ପ୍ରକାଶ କରିଛନ୍ତି।

ସେପଟେ ଭର୍ସାଟାଇଲ ଆକ୍ଟର ମିଥୁନ ଚକ୍ରବର୍ତ୍ତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  । ସେ ତାଙ୍କୁ ଦାଦା ସାହେବ ଫାଲକେ ପରି ସମ୍ମାନୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଓଡ଼ିଆ ସିନେମା ସମେତ ପରଦାରେ ଅନେକ ସ୍ମରଣୀୟ ଭୂମିକାରେ ଚମତ୍କାର ଅଭିନୟକୁ ପ୍ରଶଂସା କରିଛନ୍ତି ନବୀନ।