spot_img
Home Blog Page 1574

ଆଜି ପବିତ୍ର ନନ୍ଦୋତ୍ସବ, ପୁରୀରେ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିଥିଲେ। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ସମସ୍ତ ମଠ ମନ୍ଦିର। ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଧରାବତାରଣ ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନନ୍ଦୋତ୍ସବ ନୀତି । ସନ୍ଧ୍ୟାଆଳତୀ ସରିବାପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇବେ । ପରେ ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓଲ୍ହାଇ ଆଣି ଖଟ ଉପରେ ବିଜେ କରାଇବେ । ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି

ଦୁଇ ଦିନ ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ବର: ଦୁଇ ଦିନ ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା ଅଧିବେଶନ। ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପ୍ରଶ୍ନ କାଳ ରହିଛି। ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀଙ୍କ ବୀମା ବିଭାଗରବି ପ୍ରଶ୍ନକାଳରେ ଆଲୋଚନା ରହିଛି । ଶୂନ୍ୟକାଳରେ ସୁଭଦ୍ରା ଗାଇଡଲାଇନ୍ ପ୍ରସଙ୍ଗ ଉଠିପାରେ। ସେପଟେ ମହିଳା ଓ ଶିଶୁ ବିକାଶ, ମିସନ୍ ଶକ୍ତି ଓ ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି। ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ।

ଆସୁଛି ଦୁର୍ଗାପୂଜା: ମାଆଙ୍କ ମୂର୍ତ୍ତି ତିଆରି ପାଇଁ ଭୁବନେଶ୍ବରର ବିଭିନ୍ନ ପୂଜା କମିଟି ଉଠିଲେ ମାଟି

ଭୁବନେଶ୍ବର: ଆସୁଛି ଦୁର୍ଗାପୂଜା । ଏଥିପାଇଁ ମଣ୍ଡପ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ମୃଣ୍ମୟୀ ମୂର୍ତ୍ତି ପାଇଁ ଆଜି ଜନ୍ମାଷ୍ଟମୀ ଅବସରରେ ପ୍ରଥମ ପର୍ଯ୍ଯାୟ ମାଟି ଉଠାଣ କରିଛନ୍ତି କର୍ମକର୍ତ୍ତା । ମୃତ୍ତିକା ଅନୁକୂଳ ପାଇଁ କୁଆଖାଇ ନଦୀ ପଠାରେ ଭିଡ଼ ଦେଖିବାକୁ ମିଳିଥିଲା । ପାରମ୍ପରିକ ବାଦ୍ୟ ସହ ବିଭିନ୍ନ ପୂଜା କମିଟିର ସଦସ୍ୟ ନଈ କୂଳରେ ପହଞ୍ଚି ମୃର୍ତ୍ତିକା ପୂଜା କରିଥିଲେ । ନୟାପଲ୍ଲୀ, ସହିଦ ନଗର, ଚନ୍ଦ୍ରଶେଖରପୁର ଭଳି ପୂଜା କମିଟିମାନେ ନଦୀ ପଠାରୁ ମାଟି ଉଠାଇଛନ୍ତି ।

ମନ୍ତ୍ର ଧ୍ବନୀରେ କମ୍ପିଲା ନଦୀପଠା । ଜନ୍ମାଷ୍ଟମୀ ଅବସରରେ ମାଆ ଦୁର୍ଗାଙ୍କ ମାଟି ଅନୁକୂଳ ହୋଇଛି । ଢୋଲ, ମହୁରୀ, ବାଜା, ଘଣ୍ଟ ଘଣ୍ଟରେ ନଈକୂଳରେ ହେଲା ମାଟି ଉଠାଣ । ବୈଦିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ମାଟି ସଂଗ୍ରହ କରାଯାଇଛି । ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ସମିତି ପକ୍ଷରୁ କୁଆଖାଇ ନଦୀ ପଠାରେ ମାଟି ଅନୁକୂଳ ଉତ୍ସବ କରାଯାଇଥିଲା । ସମିତିର କର୍ମକର୍ତ୍ତାମାନେ ପଟୁଆରରେ କୂଆଖାଇ ନଦୀ ପଠାକୁ ଯାଇ ପୂଜାର୍ଚ୍ଚନା ପରେ ମାଟି ଉଠାଇଛନ୍ତି ।

ମାଟି ଅନୁକୁଳ ପରେ ଆରମ୍ଭ ହେବ ମୂର୍ତ୍ତି ନିର୍ମାଣ । ଜନ୍ମାଷ୍ଟମୀରେ ମାଆ ଦୁର୍ଗା ବିଜୁଳି କନ୍ୟା ରୂପରେ ଆବିର୍ଭାବ ହୋଇଥିଲେ । ଏହାକୁ ବିଶ୍ବାସ କରି ମାଆ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ତିଆରି ପାଇଁ ମାଟି ଅନୁକୂଳ କରିବାର ପରମ୍ପରା ରହିଛି । ଦୀର୍ଘ ଏକବର୍ଷ ପରେ ମାଆ ଧରାପୃଷ୍ଠକୁ ଅବତରଣ କରିବେ । ପାର୍ବଣକୁ ନେଇ ସଭିଙ୍କ ମନରେ ଖୁସି ଓ ଆନନ୍ଦ । ପରିବେଶକୁ ବଞ୍ଚାଇବାକୁ ହେଲେ ସମସ୍ତ ପୂଜା କମିଟି ବୃକ୍ଷରୋପଣ କରିବା ସହିତ ପ୍ଳାଷ୍ଚିକ ଫ୍ରି ପୂଜା କରିବାକୁ ମତ ରଖିଛନ୍ତି ।

ଇକୋ ଫ୍ରେଣ୍ଡଲି ପୂଜା କରିବା ସହ ମୁଣ୍ମୟୀ ମୂର୍ତ୍ତିରେ କେମିକାଲ ରଙ୍ଗ ବ୍ୟବହାର ନ କରିବାକୁ ପୂଜା ମଣ୍ଡପଗୁଡିକୁ ପରାମର୍ଶ ଦେଇଛି ଭସାଣ କମିଟି । ପ୍ରଶାସନର ନୀତିନୀୟମକୁ ପାଳନ କରି ଶାନ୍ତି ଶୃଙ୍ଖଳାର ସହ ପୂଜା କରିବାକୁ ଆହ୍ବାନ ଦିଆଯାଇଛି ।

ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅଧ୍ୟାପକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର: ସେପ୍ଟେମ୍ବର ୫ ଗୁରୁ ଦିବସକୁ କଳା ଦିବସ ପାଳିବେ ଅଧ୍ୟାପକ । ଏହାସହ ସେହିଦିନଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଦେଲେ ଚେତାବନୀ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଏନେଇ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ସୂଚନା ଦେଇଛି ।

ସଂଘର ସଭାପତି ବିଶ୍ବରଞ୍ଜନ ଦାଶଙ୍କ ସମେତ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ ପରେ ସଙ୍ଘର ଏହି ନିଷ୍ପତ୍ତି ନିଆଯାଇଛି । ଲୋୟର ପିଏମଜିରେ ପାଳନ ହେବ କଳାଦିବସ । ଏଥିରେ ପ୍ରାୟ ୫ ହଜାର ଅଧ୍ୟାପକ ଓ କର୍ମଚାରୀ ସାମିଲ ହେବେ । ୨୦୦୮ରୁ ୨୦୧୮ ମଧ୍ୟରେ ରାଜ୍ୟର ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ସରକାରୀ ଅନୁଦାନ ଦେବାକୁ ଦାବି କରିଛି ସଂଘ । ସରକାର ତୁରନ୍ତ ଏହି ଦାବିକୁ ପୂରଣ ନ କଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ସଂଘ ଚେତାବନୀ ଦେଇଛି ।

କଂଗ୍ରେସକୁ ମୁଖିଆ ଚିନ୍ତା, ଲୋକେ ବାଛିବେ ପିସିସି ସଭାପତି

ଭୁବନେଶ୍ବର: ଲୋକେ ବାଛିବେ କଂଗ୍ରେସ ମୁଖିଆ । ଓଡ଼ିଶା କଂଗ୍ରେସକୁ ଆଗକୁ ନେବାକୁ ହାଇକମାଣ୍ଡ ଷ୍ଟିୟରିଂ କମିଟି ଗଠନ କରିବା ପରେ କମିଟି ଏପରି ଏକ ରୋଡମ୍ୟାପ ପ୍ରସ୍ତୁତ କରିଛି । ଖୁବଶୀଘ୍ର ଷ୍ଟିୟରିଂ କମିଟିର ସଦସ୍ୟ ଗ୍ରାଉଣ୍ଡକୁ ଯାଇ କଂଗ୍ରେସ ସଂଗଠନ ଉପରେ ମତାମତ ନେବେ । ମତାମତକୁ ଆଧାର କରି ନୂଆ ନେତୃତ୍ବ ବଛାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି । ଯାହାକୁ ନେଇ କଂଗ୍ରେସରେ ଆରମ୍ଭ ହୋଇଛି ନୂଆ ସମୀକରଣ ।

କଂଗ୍ରେସ ମୁଖିଆ ସସପେନ୍ସ ଉପରୁ ପରଦା ହଟୁ ନଥିବାବେଳେ ପରବର୍ତ୍ତୀ ମୁଖିଆ ବାଛିବା ନେଇ ଦଳ ଚଳାଇଛି ଜୋରଦାର ପ୍ରସ୍ତୁତି । ଏହା ଭିତରେ ପ୍ରସ୍ତତ ହୋଇଛି ଏକ ରୋଡମ୍ଯାପ । ଲୋକେ ହିଁ ବାଛିବେ ପିସିସି ସଭାପତି । ୨୪ ବର୍ଷ ଧରି ଓଡ଼ିଶାବାସୀଙ୍କ ବିଶ୍ବାସ ହରାଇଥିବା କଂଗ୍ରେସ ଏବେ ଲୋକଙ୍କ କଥାରେ ମୁଖିଆ ବାଛିବ । ଏଥିଲାଗି ଦଳ ୨୧ ଜଣିଆ ଷ୍ଟିୟରିଂ କମିଟିକୁ ମାଧ୍ୟମ କରିଛି । ସାଧାରଣ ଲୋକ ଓ ହାଇକମାଣ୍ଡ ମଧ୍ୟରେ ସେତୁ ପରି କାମ କରିବ ଷ୍ଟିୟରିଂ କମିଟି । ଗାଁ ଗାଁକୁ ଯାଇ କଂଗ୍ରେସ ସଂଗଠନ ନେଇ ମତାମତ ନେବା ସହ କ’ଣ କଲେ କଂଗ୍ରେସ ଲୋକଙ୍କ ବିଶ୍ବାସ ଓ ଭରସା ଜିତିବ ତାହାର ତଥ୍ୟ ସଂଗ୍ରହ କରିବେ କମିଟି ସଦସ୍ଯ । ଲୋକଙ୍କ ମତାମତକୁ ହାଇକମାଣ୍ଡକୁ ଅବଗତ କରିବେ କମିଟିର ସଦସ୍ୟ । ଏହି ଆଧାରରେ କଂଗ୍ରେସ ମୁଖିଆ ସ୍ଥିର ହେବେ ।  ଖୁବଶୀଘ୍ର କମିଟି ସଦସ୍ୟମାନେ ଗ୍ରାଉଣ୍ଡକୁ ଯାଇ କାମ ଆରମ୍ଭ କରିବେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି । ଷ୍ଟିୟରିଂ କମିଟିର ପ୍ରଥମ ବୈଠକରେ ପିସିସି ମୁଖିଆକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ ଲୋକଙ୍କ ଦ୍ବାରା ନେତା ବାଛିବାକୁ ଦଳର କିଛି ନେତା ମତାମତ ଦେଇଥିଲେ । ଅନ୍ୟପଟେ ହାଇକମାଣ୍ଡ ଯାହାକୁ ନେତୃତ୍ବ ଦେବେ ତାଙ୍କ ନେତୃତ୍ବରେ ନୂଆ କଂଗ୍ରେସ ଗଠନ କରାଯିବ ବୋଲି ଯୁବ ବିଧାୟକ ପବିତ୍ର ସାଉଁଟା କହିଛନ୍ତି ।

ଷ୍ଟିୟରିଂ କମିଟିର ୨୧ ଜଣ ନେତାଙ୍କୁ ହାଇକମାଣ୍ଡ ସଂଗଠନ ଦାୟିତ୍ବ ନ୍ୟସ୍ତ କରିଛନ୍ତି । ଏହାସହ ଦଳର ମତ ଗଣମାଧ୍ୟମରେ କିଏ ରଖିବେ ତାହା ମଧ୍ୟ ସ୍ଥିର କରିଛନ୍ତି । ନୂଆ ମୁଖିଆ ନ ବଛାଯିବା ପର୍ଯ୍ୟନ୍ତ ବିନା ପିସିସି ସଭାପତିରେ ଚାଲିବ ରାଜ୍ୟ କଂଗ୍ରେସ । ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଷ୍ଟିୟରିଂ କମିଟିର ଅଧ୍ୟକ୍ଷ ଥିବାବେଳେ ୨୦ ଜଣ ନେତା କମିଟିରେ ସଦସ୍ୟ ରହିଛନ୍ତି । ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ବସି ସଂଗଠନ ଉପରେ ଆଲୋଚନା ହେବା ସହ ମୁଖିଆ କିଏ ହେବ ଓ କେଉଁ ଆଧାରରେ ବଛାଯିବ ତାହାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ୨୦୨୯କୁ ଲକ୍ଷ୍ୟ ରଖି କଂଗ୍ରେସକୁ ହାଇକମାଣ୍ଡ ରୋଡମ୍ଯାପ ପ୍ରସ୍ତୁତ କରୁଥିବା ବିଧାୟକ ଅଶୋକ ଦାସ କହିଛନ୍ତି । ଅନ୍ୟପଟେ କଂଗ୍ରେସରୁ ବହିଷ୍କୃତ ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ଷ୍ଟିୟରିଂ କମିଟିରେ ଆଉ କିଛି ବରିଷ୍ଠ ନେତା ଓ ବିଧାୟକଙ୍କ ସ୍ଥାନ ମିଳିବା ଦରକାର ।

ଓଡ଼ିଶା କଂଗ୍ରେସ ଇତିହାସରେ ଏଆଇସିସି ପ୍ରଥମଥର ଲାଗି ଏପରି ବଡ଼ ନିଷ୍ପତ୍ତି ନେଇଛି । ସବୁ କମିଟି ଭାଙ୍ଗିବା ସହ ରାଜ୍ୟ କଂଗ୍ରେସକୁ ନୂଆ ରୂପ ଦେଇଛି । ଅଗଷ୍ଟ  ୨୨ ତାରିଖରେ ଷ୍ଟିୟରିଂ କମିଟି ସଦସ୍ୟଙ୍କ ନେତୃତ୍ବରେ ଭୁବନେଶ୍ବରରେ ଇଡ଼ି ଅଫିସ ଘେରାଉ କରି ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ହେଲେ ଦେଢ ମାସ ଧରି ଖାଲି ପଡ଼ିଥିବା ପିସିସି ସଭାପତି ପଦ ହାଇକମାଣ୍ଡ କେବେ ପୂରଣ କରୁଛନ୍ତି ତାହାକୁ ନେଇ କଂଗ୍ରେସ ଅନ୍ଦରମହଲରେ ନାନା ଚର୍ଚ୍ଚା ରହିଛି ।

ଦିଗଦର୍ଶନ କାର୍ଯ୍ୟକ୍ରମରେ ନବୀନଙ୍କ ଗୁରୁମନ୍ତ୍ର, ଉତ୍ସାହିତ ବିଜେଡି ବିଧାୟକ

ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡିର ନବନିର୍ବାଚିତ ବିଧାୟକଙ୍କୁ ଗତକାଲି ଟ୍ରେନିଂ ଦିଆଯାଇଛି । ଯାହା ଶିଖିଲେ, ତାକୁ କେମିତି ଆସନ୍ତାକାଲିଠାରୁ ବିଧାନସଭାରେ କାର୍ଯ୍ୟକାରୀ କରୁଛନ୍ତି, ତାହା ଉପରେ ଦଳୀୟ ସୁପ୍ରିମୋଙ୍କ ରହିବ ତୀକ୍ଷଣ ନଜର । ଯେକୌଣସି ମୁହୂର୍ତ୍ତରେ ବି ନୂଆ ବିଧାୟକଙ୍କ ସନ୍ଦେହ ଦୂର କରିବାକୁ ବରିଷ୍ଠ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଧାନସଭାରେ ବିରୋଧୀର ଭୂମିକା ସହ ଆଚରଣ ଉଚ୍ଚାରଣକୁ ଶାଣିତ ଓ ସଭ୍ୟ ରଖିବା ଦିଗରେ କାମ କରିବେ ବିଜେଡି ବିଧାୟକ ।

କାହିଁକି ଦେବଗଡ଼କୁ ଲାଭଦାୟକ ଚାଷ ତାଲିକାରୁ ବାଦ୍ ଦେଇଛି କୃଷି ବିଭାଗ, ଏ କଥା ଜାଣି ପାରିଲେ ନାହିଁ ଦେବଗଡ଼ ବିଧାୟକ । ଏହାକୁ ବିଧାନସଭା ଅଧିବେଶନରେ କେମିତି ଓ କାହା ପାଖରେ ଉପସ୍ଥାପନ କରିବେ, ତାକୁ ଗତକାଲି ଭଲ ଭାବେ ବରିଷ୍ଠ ଓ ଅଭିଜ୍ଞଙ୍କ ନେତାଙ୍କ ଠାରୁ ବୁଝି ପାରିଲେ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ । ପ୍ରଶିକ୍ଷଣ ଶିବିରରେ ଏହିପରି ଅନେକ ଲାଭଦାୟକ ଶିକ୍ଷା ପାଇଛନ୍ତି ବିଜେଡିର ନବ ନିର୍ବାଚିତ ବିଧାୟକ । କେନ୍ଦ୍ର ଅବହେଳା ଓ ଡବଲ ଇଂଜିନ ସରକାରଙ୍କ ଡବଲ ଧୋକ୍କା ବିରୋଧରେ କିପରି ଶାଣିତ ସ୍ବର ଉଠାଯିବ, ସେ ନେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଦେଇଛନ୍ତି ଗୁରୁମନ୍ତ୍ର । ଗଣତନ୍ତ୍ରରେ ସରକାରୀ ଦଳ ପରି ବିରୋଧୀ ଦଳର ବି ବଡ଼ ଦାୟିତ୍ବ ରହିଛି । ବିରୋଧୀ ଦଳ ହିଁ ଗଣତନ୍ତ୍ରର ଶ୍ରେଷ୍ଠ ରକ୍ଷକ ହୋଇପାରିବେ । ସେ କଥା ସମସ୍ତ ବିଧାୟକଙ୍କୁ ଭଲ ଭାବେ ବୁଝାଇଛନ୍ତି ନବୀନ ।

ରାଜ୍ୟର ସ୍ବାର୍ଥ ଆଗ । ଏହାକୁ ବିଧାନସଭାରେ ଉଠାଇବାର କୌଶଳ ଶିଖିବା ପରେ ଆସନ୍ତାକାଲି ଅଧିବେଶନ ପାଇଁ ସଜ୍ଜବାଜ ହୋଇଛନ୍ତି ବିଜେଡିର ନବ ନିର୍ବାଚିତ ବିଧାୟକ । ଏହି କର୍ମଶାଳା ବିଧାୟକଙ୍କ ପାଇଁ ଏକ ଡାଉଟ କ୍ଲିୟରିଂ କ୍ଲାସ ପରି ହୋଇଥିଲା । ନୂଆ ବିଧାୟକଙ୍କ ଡାଉଟକୁ ଯେକୌଣସି ସମୟରେ କ୍ଲିୟର କରିବାକୁ ବରିଷ୍ଠ ନେତାଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଏଥିପାଇଁ ସେମାନଙ୍କ ଫୋନ ସବୁ ସମୟରେ ଅନ୍ ରହିବ । କାରଣ ଏତେ ବର୍ଷର କ୍ଷମତା ପରେ ବିରୋଧୀ ଆସନକୁ ଆସିଛି ବିଜେଡି । କେବଳ ସରକାରୀ ଦଳ ସିଟରେ ବସିଥିବା ବିଧାୟକ ଏବେ ନୂଆ ଭୂମିକା ଭାବେ ବିରୋଧୀ ଦଳ ଦାୟିତ୍ବ ନିର୍ବାହ କରୁଛନ୍ତି ।

ସମସ୍ତ ନୂଆ ବିଧାୟକଙ୍କୁ ବିଧାନସଭାରେ ଦିଗଦର୍ଶନ ଦିଆଯିବାର ପରମ୍ପରା ରହିଛି । ହେଲେ ଚଳିତ ଥର ସଂସଦୀୟ ନିୟମକୁ ଜଳାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଅପମାନ ଦେବାର ଯେଉଁ ନକରାତ୍ମକ ଉଦାହରଣ ସୃଷ୍ଟି ହୋଇଛି, ତାକୁ ବିରୋଧ କରି ଉଭୟ ବିଜେଡି ଓ କଂଗ୍ରେସ କାର୍ଯ୍ୟକ୍ରମକୁ ବଏକଟ୍ କରିଥିଲେ । ହେଲେ ଏକ ଦାୟିତ୍ବବାନ ରାଜନୈତିକ ଦଳ ଭାବେ ନିଜ ବିଧାୟକଙ୍କୁ ଦିଗଦର୍ଶନ ଦେଇଛି ବିଜୁ ଜନତା ଦଳ । ମୁଲତବି ପ୍ରସ୍ତାବ, ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ, ପ୍ରଶ୍ନୋତ୍ତର, ଶୂନ୍ୟ କାଳ ପରି ସଂସଦୀୟ ଫର୍ମାଟ ଜରିଆରେ ସରକାରଙ୍କୁ ଉତ୍ତରଦାୟୀ କରିବା ସହ ବିଭିନ୍ନ କମିଟିର କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଉପରେ ବିଜେଡି ବିଧାୟକମାନଙ୍କୁ ଦିଗଦର୍ଶନ ଦିଆଯାଇଛି ।

ସରକାରଙ୍କ ତ୍ରୁଟିକୁ କିପରି ଆଗକୁ ଆଣି ସୁସ୍ଥ ସମାଜ ଗଠନ କରାଯିବ ସେ ନେଇ ବିଭିନ୍ନ ସମୟରେ ବିଜେଡିର ବରିଷ୍ଠ ନେତାମାନେ ଗୃହ ଭିତରେ ଓ ବାହାରେ ସାଜିବେ ଦିଗଦର୍ଶକ । ବିଧାୟକମାନଙ୍କ ପ୍ରଦର୍ଶନକୁ ସମୀକ୍ଷା କରିବେ ନବୀନ ।

ପଦ୍ମଦଳରେ ଟେନସନ୍: ରାଜ୍ୟସଭା ପ୍ରାର୍ଥିତ୍ବ ଦ୍ବନ୍ଦ୍ବ, ନାହିଁ ବିଶ୍ବାସ ଓ ଭରଷା

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନକୁ ନେଇ ବିଜେପିରେ ଜାରି ରହିଛି ଦ୍ବନ୍ଦ୍ବ। ବିଜେପି କାହାକୁ ସମର୍ଥନ ଦେବ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ମମତା ମହାନ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ, ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ ପ୍ରଧାନ । ଆସନ୍ତାକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । କିଏ ରହିବ ଓ କିଏ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବ ତାହା ବି ଜଣାପଡ଼ିବ । ଅନ୍ୟପଟେ ବିଜେପିରେ ବିଶ୍ବାସ ଓ ଭରଷା ନଥିବାରୁ ଦଳ ପ୍ରଥମ ଥର ଲାଗି ରାଜ୍ୟସଭାରେ ଏପରି ରଣନୀତି ଆପଣାଇ ଥିବା କଟାକ୍ଷ କରି କହିଛନ୍ତି ବିରୋଧୀ ।

କିଏ ବିଜେପିର ଡମି ପ୍ରାର୍ଥୀ ? ମମତା ମହାନ୍ତ ନା ଜଗନ୍ନାଥ ? ଆସନ୍ତାକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । କିନ୍ତୁ ପଦ୍ମଦଳରେ ଜାରି ରହିଛି ଟେନସନ । ଦଳର ସଂସଦୀୟ ବୋର୍ଡ଼ ରାଜ୍ୟସଭା ଉପନିର୍ବାଚନ ପାଇଁ ମମତା ମହାନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ହେଲେ ଶେଷ ମୁହୂର୍ତ୍ତରେ ୧୦ ଜଣ ବିଜେପି ବିଧାୟକଙ୍କ ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ । ଯାହାକୁ ନେଇ ରାଜ୍ୟସଭା ଉପ ନିର୍ବାଚନରେ ଭରିଛି ଉଷ୍ମତା । କିଏ ବିଜେପିର ଡମି ନେତା ଚର୍ଚ୍ଚା ଜାରି ରହିଥିବା ବେଳେ ଦ୍ବନ୍ଦ୍ବରେ ଅଛନ୍ତି ବିଧାୟକ । ମମତା ଓ ଜଗନ୍ନାଥଙ୍କୁ ନେଇ ଦୋଛକିରେ ପଡ଼ିଛନ୍ତି ବିଜେପି ବିଧାୟକ । ବିଧାୟକ ସୀମାରାଣୀ ସାହୁଙ୍କ କହିବା କଥା, ଦଳର କେନ୍ଦ୍ରୀୟ ନେତୃତ୍ବ ଯାହାକୁ ପ୍ରାର୍ଥୀ କରିବେ ସେଥିରେ ସମସ୍ତଙ୍କ ସହମତ ରହିବ । ଅନ୍ୟପଟେ ନିଜ ପ୍ରାର୍ଥୀଙ୍କ ଉପରେ ଶାସକ ଦଳର ଭରସା ନଥିବା ଅଭିଯୋଗ କରିଛି ବିଜେଡି । ରାଜ୍ୟସଭା ନିର୍ବାଚନ ନେଇ ନିଜକୁ ଅସୁରକ୍ଷିତ ମନେ କରୁଛି ବିଜେପି । ଯେଉଁ ବିଧାୟକଙ୍କ ସମର୍ଥନରେ ଜଗନ୍ନାଥ ନାମାଙ୍କନ ଭରିଲେ, ସେଥିରେ ଦଳୀୟ ସ୍ୱୀକୃତି ଥିଲା କି ବୋଲି ପ୍ରଶ୍ନ କରିଛି ବିଜେଡି ।

ପ୍ରଥମ ଥର ଲାଗି ରାଜ୍ୟସଭା ନିର୍ବାଚନରେ ସଂଖ୍ୟା ଥାଇ ବି କୌଣସି ଦଳ ଦୁଇଟି ପ୍ରାର୍ଥୀ ଦେବାରେ ବିଜେପି ରହିଛି ଆଗରେ । କିନ୍ତୁ ଗେରୁଆ ଦଳ ଏଯାଏଁ ସ୍ପଷ୍ଟ କରୁନି ଯେ, କାହିଁକି ନାମାଙ୍କନ ଭରିଲେ ଦ୍ବିତୀୟ ପ୍ରାର୍ଥୀ । ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପି କେଉଁ କାରଣ ପାଇଁ ରାଜ୍ୟସଭା ଉପନିର୍ବାଚନରେ ଡମି ପ୍ରାର୍ଥୀ କଲା ତାହା ସ୍ପଷ୍ଟ କରିନାହିଁ । ନୂଆ ସରକାର ନୂଆ ଷ୍ଟ୍ରାଟେଜି ନେଇ ଏମିତି କରିଥିବା ଅନୁମାନ କରାଯାଉଛି । ତେବେ କିଏ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବ, ସେନେଇ ବିଜେପିର ଶୀର୍ଷ ନେତୃତ୍ବ ସଙ୍କେତ ଦେଇ ସାରିଥିବା କହିଛନ୍ତି ସମୀକ୍ଷକ ।

ଦୁଇ ନେତାଙ୍କ ନାମାଙ୍କନ ପରେ ବିଜେପିରେ ଦଳୀୟ କନ୍ଦଳକୁ ନେଇ ଚର୍ଚ୍ଚା ହେଉଛି । ଆମଦାନୀ ନେତାଙ୍କୁ ବରଦାସ୍ତ କରି ପାରୁନାହାନ୍ତି କି ମୂଳ ବିଜେପି ନେତା ? ଯଦି ଜଗନ୍ନାଥଙ୍କୁ ବିଜେପି ଡମି ପ୍ରାର୍ଥୀ କରେ ବା ସେ ନିର୍ବାଚନରୁ ଓହରନ୍ତି, ତାହା ତାଙ୍କ ପାଇଁ ଏକ ଶକ୍ତ ଧକ୍କା ହେବ । କାରଣ ବାହାରୁ ଆସିଥିବା ନେତାଙ୍କୁ ପ୍ରାଥମିକତା ଓ ଦଳୀୟ ନେତାଙ୍କୁ ଅଲୋଡ଼ା କରିବା, ବିଜେପିର ସଂଗଠନ ଉପରେ ନକରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ଏସବୁ ଆଲୋଚନା ଓ ପର୍ଯ୍ୟାଲୋଚନାରୁ ହଟିବ ପରଦା ।

ସୌନ୍ଦର୍ଯ୍ୟ ହରାଉଛି ‘ତାଳଦଣ୍ଡା’; ନର୍ଦ୍ଦମା ପାଣିକୁ ପଚା ପରିବା କେନାଲରେ ଲଗାଇଛି ଗ୍ରହଣ

କଟକ: ତାଳଦଣ୍ଡା କେନାଲ । ଓଡ଼ିଶା ଇତିହାସର ଅନ୍ୟତମ ମୂକସାକ୍ଷୀ ଏହି କେନାଲ ପୁଣି ନିଜର ସୌନ୍ଦର୍ଯ୍ୟ ହରାଇବାକୁ ବସିଛି । ବର୍ଷକ ମଧ୍ୟରେ ତାଳଦଣ୍ଡା ଯଥା ପୂର୍ବଂ ତଥା ପରଂ ସ୍ଥିତିକୁ ଆସିଯାଇଛି । ଆଉ ଏହାର କାରଣ ହେଉଛି ପ୍ରଶାସନିକ ଅବହେଳା ଓ ଆମ ପରି ମଣିଷ । ଯିଏ ପ୍ରକୃତିର ସୁରକ୍ଷାର ଅର୍ଥ କ’ଣ ବୁଝେ ନି କି ବୁଝିବାକୁ ଚେଷ୍ଟା କରେନି ।

କଟକ ସହରର ମୁଖ୍ୟ ଆକର୍ଷଣ ତାଳତଣ୍ଡାରେ ଅଳିଆ ଆବର୍ଜନା ସାଙ୍ଗକୁ ମିଶୁଛି ମାଲଗୋଦାମର ନର୍ଦମା ପାଣି । ଦୁଇପାର୍ଶ୍ଵ କଂକ୍ରିଟ କାନ୍ଥରେ ଉଠିଲାଣି ଗଛ । ଏ ସବୁକୁ ବଳି ଯାଇଛି କେନାଲରେ ପଡୁଥିବା ଛତ୍ର ବଜାରର କୁଢ଼କୁଢ଼ ପଚା ପରିବା । ପ୍ରକଳ୍ପ ପ୍ରତି ନା ଜଳ ସମ୍ପଦ ବିଭାଗ, ନା ସିଏମସିର ନିଘା ଅଛି । ଏହାସହ ଲୋକଙ୍କ ବଦଭ୍ଯାସ ଯୋଗୁଁ ଦିନକୁ ଦିନ ଦୂଷିତ ହେଉଛି କେନାଲ । ସେପଟେ ନିଜ ଦୋଷ ସ୍ବୀକାର କରିବା ସହ ସୁରକ୍ଷା ପାଇଁ ନିୟମ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ସିଏମସି ମେୟର ।

କୋଟି କୋଟି ଟଙ୍କା ବ୍ୟୟ କରାଯାଇ ନୂତନ ରୂପ ପାଇଥିଲା ତାଳଦଣ୍ଡା । କଟକ ସୌନ୍ଦର୍ଯ୍ଯକରଣରେ ସାଜିଥିଲା ମୁଖ୍ଯ ଆକର୍ଷଣ । ହେଲେ ବର୍ଷକ ଭିତରେ ହରାଇଲାଣି ଆକର୍ଷଣ । ଏଥିପାଇଁ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି କଟକବାସୀ । କେନାଲରେ ମିଶୁଛି ମାଲଗୋଦାମ ନର୍ଦ୍ଦମା ପାଣି । ଗଦା ହେଉଛି ଛତ୍ର ବଜାରର କୁଢ଼କୁଢ଼ ପଚା ପରିବା । ଲୋକେ ବି ଏହାରି ଭିତରେ ଘରର ଅନାବଶ୍ୟକ ସାମଗ୍ରୀ ଫିଙ୍ଗିବା ଆରମ୍ଭ କରିଦେଇଛନ୍ତି । କେନାଲର ଦୁଇପଟରେ ଅନାବନା ଘାସ ଓ ଗଛ ଉଠିଲାଣି । ଜଳସମ୍ପଦ ବିଭାଗ, ସିଏମସି ଓ ଲୋକଙ୍କ ଖରାବ ଅଭ୍ଯାସ ପାଇଁ ଆଉ କିଛି ଦିନ ଭିତରେ ପୁଣି ପୂର୍ବବସ୍ଥା ଫେରିବ ବୋଲି ଆଶଂକା କରିଛନ୍ତି ଲୋକେ ।

ତଳଦଣ୍ଡା କେନାଲରେ ଛତ୍ର ବଜାର ପଚା ପରିବା ସାଙ୍ଗକୁ ରାଣୀହାଟରେ ହୋଇଥିବା ଅଳିଆ ଜମା ସ୍ଥଳୀ କେନାଲର ଜଳକୁ ଦୂଷିତ କରୁଛି । ଏବେ କେନାଲର କାମ ସମ୍ପୂର୍ଣ ହୋଇନାହିଁ । ଏହାକୁ ଏକ ସ୍ମାରକୀ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ହାତକୁ ନିଆଯାଇଛି । କିନ୍ତୁ ପ୍ରଥମରୁ ଏପରି ଅବ୍ଯବସ୍ଥା ସମସ୍ତଙ୍କୁ ଚକିତ କରିଛି । ସେପଟେ ଏହାକୁ ସ୍ବୀକାର କରିଥିବାବେଳେ ଖୁବଶୀଘ୍ର ସୁରକ୍ଷା ପାଇଁ ନିୟମ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ ।

ଶୂନଶାନ ମକୁନ୍ଦପ୍ରସାଦ: ପଇଁତାରା ମାରୁଛି ପୋଲିସ, ଘରେ ପଡିଛି ତାଟି କବାଟ

ଖୋର୍ଦ୍ଧା: ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଟ ପରେ ଖୋର୍ଦ୍ଧା ଜିଲ୍ଲା ମକୁନ୍ଦପ୍ରସାଦରେ ହାଇଆଲର୍ଟ । ଗାଁରେ ପଇଁତରା ମାରୁଛନ୍ତି ୭ ପ୍ଲାଟୁନ ଫୋର୍ସ । ୫ଟି ୱାର୍ଡରେ ଜାରି ହୋଇଛି ୧୬୩ ଧାରା । ୫ ଜଣରୁ ଅଧିକ ଲୋକ ଏକାଠି ନହେବାକୁ ଦିଆଯାଇଛି ନିର୍ଦ୍ଦେଶ । ସ୍କୁଲ ଓ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଦୋକାନ-ବଜାର, ଗାଡ଼ି ଚଳାଚଳ ବନ୍ଦ । ଗଳିକନ୍ଦି ଉପରେ ରହିଛି ପୋଲିସର ସତର୍କ ନଜର । ଗହଳି ଦେଖିଲେ ବାନ୍ଧିବାକୁ ଦିଆଯାଇଛି ନିର୍ଦ୍ଦେଶ । ନିଜେ ଏସପି କରୁଛନ୍ତି ସ୍ଥିତିର ଅନୁଧ୍ଯାନ ।

ରବିବାର ପୂର୍ବ ତିକ୍ତତାକୁ ନେଇ ଅଞ୍ଚଳରେ ଜଳିଥିଲା ନିଆଁ । ମହମ୍ମଦ ସାଜିଦଙ୍କୁ ସଂଘବଦ୍ଧ ଭାବେ ଗୋଡାଇ ଗୋଡାଇ ଖଣ୍ଡାରେ ହାଣି ହତ୍ଯା କରିଥିଲେ ଦୁର୍ବୃତ୍ତ । ଦୁଇ ଗୋଷ୍ଠୀ ଭିତରେ ପୂର୍ବ ତିକ୍ତତାରୁ ଗ୍ଯାରେଜ ଭିତରେ କରିଥିଲେ ଜଘନ୍ଯ ହତ୍ଯା । ପରିସ୍ଥିତି ସ୍ବାଭାବିକ ଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬୩ ଧାରା ଲାଗୁ ହୋଇଥିବାରୁ ଅଞ୍ଚଳରେ ମୁତୟନ ହୋଇଛନ୍ତି ୭ ପ୍ଲାଟୁନ ପୋଲିସ ଫୋର୍ସ । ଏକାଠି ହେବା, ବାଣ କି ବୋମା ଫୁଟାଇବା, ଶୋଭାଯାତ୍ରା କରିବା, ମାଇକ ବ୍ୟବହାର କରିବା, ଉପରେ ଲାଗିଛି କଟକଣା । ପ୍ରଶାସନ ପକ୍ଷରୁ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଇଛି । ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ରହିଛି ।

ସୂଚନାଯୋଗ୍ୟ, ଦୁଇ ଗୋଷ୍ଠୀ ଭିତରେ ପୂର୍ବ ଶତ୍ରୁତାରୁ ସାଜିଦଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ଯା କରିଥିଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡ ପରେ ଗୋଟିଏ ଗୋଷ୍ଠୀ ଟାୟାର ଜାଳି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ । ଅନେକ ଘର ଓ ଗାଡି ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ । ଡିଜିପି ଓ୍ବାଇ ବି ଖୁରାନିୟା ସ୍ଥିତିର ଅନୁଧ୍ଯାନ କରିବା ପରେ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଥିଲା । ସେପଟେ ହତ୍ୟାକାଣ୍ଡ ପରେ ମୃତ ସାଜିଦଙ୍କ ପରିବାର ଆତଙ୍କିତ ଅବସ୍ଥାରେ ଥିବା ବଳେ ସୁରକ୍ଷା ସହ ନ୍ୟାୟ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ।

୧୭ ବର୍ଷ ହେଲା ଭୂତକୋଠି ପରି ପଡ଼ିରହିଛି ପିପିଲି କ୍ରାପ୍ଟ ଭିଜେଲ, ଅନିଶ୍ଚିତତାରେ ଚାନ୍ଦୁଆ କାରିଗର

ପିପିଲି: କାମରେ ଆସୁନାହିଁ କୋଟି କୋଟି ଟଙ୍କାରେ ପିପିଲିରେ ନିର୍ମିତ କ୍ରାଫ୍ଟ ଭିଲେଜ । ପାଲଟିଲାଣି ଭୂତକୋଠି । କ୍ରାଫ୍ଟ ଭିଲେଜ କେବେ ଚାନ୍ଦୁଆ କାରିଗରଙ୍କ କାମରେ ଆସିବ ତାକୁ ନେଇ ଲାଗି ରହିଛି ଅନିଶ୍ଚିତତା । ସେପଟେ ବର୍ଷ ବର୍ଷ ଧରି ଚାନ୍ଦୁଆ କାରିଗରଙ୍କୁ ପ୍ରଶାସନ ଭୁଆଁ ବୁଲାଉଥିବା ନେଇ ଅଭିଯୋଗ କରିଛନ୍ତି ଚାନ୍ଦୁଆ କାରିଗର ।

କାମରେ ଆସୁନି କ୍ରାଫ୍ଟ ଭିଲେଜ । ମାସେ କି ଦୁଇ ମାସେ ନୁହେଁ, ପ୍ରାୟ ୧୭ ବର୍ଷ ଧରି ପିପିଲି ଚାନ୍ଦୁଆ କ୍ରାଫ୍ଟ ଭିଲେଜ ଭୂତ କୋଠି ପାଲଟି ରହିଛି । ଯେଉଁ କ୍ରାଫ୍ଟ ଭିଲେଜ ଦେଶ ବିଦେଶର ପର୍ଯ୍ଯଟକଙ୍କୁ ଆକୃଷ୍ଟ କରିଥାନ୍ତା ସେ ଏବେ ନିଜର ପରିଚୟ ଖୋଜୁଛି । ଦଶ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ଯୟ ଅଟକଳରେ ନିର୍ମାଣ ହୋଇଥିଲା ଏହି କ୍ରାଫ୍ଟ ଭିଲେଜ । ଏଠାରେ ଚାନ୍ଦୁଆ କାରିଗରୀ, ବ୍ୟବସାୟୀ, ପର୍ଯ୍ୟଟକଙ୍କ ପାଇଁ ରେଷ୍ଟୁରାଣ୍ଟ, ବିଶ୍ରାମ ସ୍ଥଳୀର ବ୍ଯବସ୍ଥା କରାଯାଇଥିଲା । ହେଲେ ବିଲ୍ଡିଂ ନିର୍ମାଣକୁ ୧୭ ବର୍ଷ ବିତିଯାଇଥିଲେ ମଧ୍ଯ ଏଠାରେ ଚାନ୍ଦୁଆ ହେବା ତ ଦୂରର କଥା କାରିଗରଙ୍କ କାମରେ ଆସି ପାରିଲା ନାହିଁ । ପ୍ରଶ୍ନ ଉଠୁଛି- ଏହି କ୍ରାଫ୍ଟ ଭିଲେଜଟି କେବେ ଚାନ୍ଦୁଆ କାରିଗରଙ୍କ କାମରେ ଆସିବ ? ଅନ୍ୟପକ୍ଷରେ ଏହି କ୍ରାଫ୍ଟ ଭିଲେଜ ବର୍ତ୍ତମାନ ନିଶାଡୀଙ୍କ ଆଡାସ୍ଥଳୀ ପାଲଟିଥିବା ବେଳେ ସରକାର ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି ଚାନ୍ଦୁଆ କାରିଗର । ପ୍ରଶାସନିକ ସ୍ତରରେ ଏଭଳି ଉଦାସୀନତା ପାଇଁ କାରିଗର ଚାନ୍ଦୁଆ ପ୍ରତି ମୁହଁ ଫେରାଇ ନେଉଥିବା ଅଭିଯୋଗ ହେଉଛି ।

ଚାନ୍ଦୁଆ କ୍ରାଫ୍ଟ ଭିଲେଜର ତଦାରଖ କରିବା ପାଇଁ ଅନେକ ଥର ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଆସିଥିଲେ ମଧ୍ଯ ଅଞ୍ଚଳର ଭାଗ୍ଯ ପରିବର୍ତ୍ତନ ହୋଇପାରିନାହିଁ । ବର୍ଷ ବର୍ଷ ଧରି କେବଳ ମିଛ ପ୍ରତିଶ୍ରୁତି ମିଳୁଥିବା ଅଭିଯୋଗ କରିଛନ୍ତି କାରିଗର । ଚାନ୍ଦୁଆ ଶିଳ୍ପର ବିକାଶ ନିମନ୍ତେ ପୂର୍ବତନ ସରକାର ୨୩ କୋଟି ଟଙ୍କା ମଞ୍ଜୁର କରିଥିଲେ । ହେଲେ ଏପର୍ଯ୍ଯନ୍ତ ଚାନ୍ଦୁଆ ଶିଳ୍ପର କୌଣସି ବିକାଶ ହୋଇପାରିନାହିଁ ବୋଲି ଅଭିଯୋଗ କରାଯାଇଛି । ସେପଟେ କ୍ରାଫ୍ଟ ଭିଲେଜର ଖୁବଶୀଘ୍ର ପୁନଃରୁଦ୍ଧାର କରାଯିବା ସହିତ ଏଠାରେ ଏକ ମଡେଲ ପ୍ରୋଜେକ୍ଟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

କେବେ ଏହି କ୍ରାଫ୍ଟ ଭିଲେଜଟି କାର୍ଯ୍ଯକ୍ଷମ ହେବ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି ।