spot_img
Home Blog Page 156

ଡବଲ ଇଞ୍ଜିନ ସରକାରରେ ଆଦିବାସୀଙ୍କ ସ୍ଵାର୍ଥ ପ୍ରତି ବିପଦ : ନିରଞ୍ଜନ ବିଶି

ନନ୍ଦିଘୋଷ ବ୍ୟୁରୋ : ଡବଲ ଇଞ୍ଜିନ ସରକାରରେ ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ, ଜୀବନ ଜୀବିକା ସୁରକ୍ଷିତ ନୁହେଁ। ଧୀରେ ଧୀରେ ଜନଜାତିଙ୍କ ପାଇଁ ସବୁ ଯୋଜନା ବନ୍ଦ ହେବାରେ ଲାଗିଛି। ରାଜ୍ଯସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଏପରି କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ନିରଞ୍ଜନ ବିଶି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାର ଆଦିବାସୀ, ଦଳିତ, ମହିଳା, କୃଷକ, ଗରିବ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳୁଥିଲା l ମହିଳାଙ୍କୁ ୧0 ଲକ୍ଷ ପୁରୁଷଙ୍କୁ ୫ଲକ୍ଷ ର ଆର୍ଥିକ ସହାୟତା ଦେଉଥିଲେ l ବିଏସକେୱାଇ କାର୍ଡରେ ସବୁ ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେଉଥିଲା l ବର୍ତ୍ତମାନ ଆୟୁଷ୍ମାନ ଭାରତ ଯୋଜନାରେ ଆଗ ଟଙ୍କା ଦିଅ ତାପରେ ଚିକିତ୍ସା l ହଜାର ହଜାର ଗରିବ ଲୋକ ମୃତ୍ୟୁ ବରଣ କରୁଛନ୍ତି l ସେ ବିଷୟରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପଦୁଟିଏ କିଛି ରହିଲାନି। ଏସଟି-ଏସସି ଓବିସି ମହିଳାମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏକ ସୁନ୍ଦର ୟୁଜିସି ବ୍ୟବସ୍ଥା କରିଛନ୍ତି l ବିଶ୍ବବିଦ୍ଯାଳୟମାନଙ୍କରେ  ଏସଟି-ଏସସି ପାଇଁ ୭0 ପ୍ରତିଶତ ଅଧ୍ୟାପକ, ରିଡର,ପ୍ରଫେସର ପଦବୀ ଖାଲି ପଡିଛି l ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଏସଟି-ଏସସି ଜଜ ପଦବୀ ଖାଲି ପଡିଛି l ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟାରେ ଏସବୁ ପଦବୀ ପୂରଣ ଦିଗରେ ମଧ୍ୟ ମହାମହିମ କିଛି କହି ନାହାଁନ୍ତି l ଅନ୍ଵେଷା ଯୋଜନାରେ ଏସଟି-ଏସସି ଛାତ୍ରଛାତ୍ରୀ ପଢ଼ିବା ପାଇଁ ନବୀନ ବାବୁ ଅର୍ବାନ ଏଜୁକେସନ ଯୋଜନା କରିଥିଲେ l କିନ୍ତୁ ସରକାର ୨0୨୫ ରେ ଅନ୍ଵେଷା ଯୋଜନାରେ ଆଡମିଶନ ବନ୍ଦ କରିଛନ୍ତି l ୨0୨୬ରେ ମଧ୍ୟ ଏହି ସ୍କିମରେ ଆଡମିଶନ ବନ୍ଦ କରାଯାଇଛି l  ନବୀନ ସରକାର ଗ୍ରାମାଞ୍ଚଳର ଏସଟି-ଏସସି, ଓବିସି, ସାଧାରଣ ବର୍ଗର ଛାତ୍ରଛାତ୍ରୀମାନଙ୍କୁ  ଗୁଣାତ୍ମକ ଶିକ୍ଷା ତଥା ସିବିଏସସି କୋର୍ସ ପାଇଁ ୩୧୪ ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ l   ସରକାର ଓ.ଏ.ଭି ରେ ଜାତୀୟ ମେରିଟ ବୃତ୍ତି ଯୋଜନା ବନ୍ଦ କରିଛନ୍ତି l ସେ ବିଷୟରେ ମଧ୍ୟ ଅଭିଭାଷଣରେ ନାହିଁ l ଏସଟି-ଏସସିଙ୍କ ପାଇଁ ନିଯୁକ୍ତି, ପଦୋନ୍ନତି, ରାଜନୈତିକ ପଦବୀରେ ଥିବା ସଂରକ୍ଷଣ ସୁବିଧାକୁ ସରକାର କାର୍ଯ୍ୟକାରୀ କରୁନାହାନ୍ତି l ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ଆଇନକୁ ଦୁର୍ବଳ କରାଯାଉଛି l ସେ ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କିଛି କହି ନାହାନ୍ତି ବୋଲି  ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରିଥିଲେ l ଡବଲ ଇଞ୍ଜିନ ସରକାରରେ ଡବଲ ସୁବିଧା ମିଳିବା ଦରକାର କିନ୍ତୁ ସବୁ ଯୋଜନା ବନ୍ଦ କରାଯାଉଛି l ଏହା ଡବଲ ଇଞ୍ଜିନ ନୁହେଁ ଟ୍ରବୁଲ ଇଞ୍ଜିନ ସରକାର ବୋଲି ସାଂସଦ ଶ୍ରୀ ବିଶି କହିଥିଲେ l

‘ମହାନଦୀ ଜଳ ବିବାଦ ଟ୍ରିବ୍ଯୁନାଲ ଅବଧି ଏପ୍ରିଲ ୧୩ରୁ ଶେଷ ହେଉଛି, କେନ୍ଦ୍ର ସରକାରଙ୍କୁ ଟ୍ରିବ୍ଯୁନାଲ ଅବଧି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଉ’

ନନ୍ଦିଘୋଷ ବ୍ୟୁରୋ : ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ବ୍ଯାରେଜ ନିର୍ମାଣ କରିବା ଯୋଗୁ ଓଡ଼ିଶାରେ ଘୋର ଜଳ ସଂକଟ ଦେଖାଦେଇଛି। ଯାହାକୁ ନେଇ ରାଜ୍ଯରେ ପ୍ରଭାବିତ ହେବାକୁ ବସିଲାଣି କୃଷି, ପିଇବା ପାଣି ଓ ଚାଷୀଙ୍କ ଜୀବନ ଜୀବିକା। ମହାନଦୀ ଜଳ ବିବାଦ ଟ୍ରିବ୍ଯୁନାଲ ଅବଧି ଆସନ୍ତା ଏପ୍ରିଲ ୧୩ ତାରିଖରୁ ଶେଷ ହେଉଛି। ଟ୍ରିବ୍ଯୁନାଲର ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ପର୍ଯ୍ଯନ୍ତ କିଛି ବି ପଦକ୍ଷେପ ନିଆଯାଇନି। ତୁରନ୍ତ କେନ୍ଦ୍ର ସରକାରଙ୍କୁ ଟ୍ରିବ୍ଯୁନାଲ ଅବଧି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଉ। ଆଜି ରାଜ୍ଯସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଏପରି ଦାବି କରିଛନ୍ତି ରାଜ୍ଯସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ସେହିପରି ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର ଜନଜାତିଙ୍କ ଜୀବନ ଜୀବିକା ଉଜୁଡିବା, ବହୁ ଅପେକ୍ଷିତ କୋଇଲା ରୟାଲଟି ବୃଦ୍ଧି ନହେବାରୁ ହେଉଥିବା ସମସ୍ଯା, ଚାଷୀ ଏମଏସପିରେ ଧାନ ବିକ୍ରି ନ କରିପାରି ହନ୍ତସନ୍ତ ହେଉଥିବା ନେଇ ଦାବି କରିଛନ୍ତି ସାଂସଦ। ମଣ୍ଡିରୁ ଚାଷୀଙ୍କ ଧାନ ଉଠୁ ନଥିବାରୁ ଚାଷୀମାନେ ବାଧ୍ଯ ହୋଇ ଅଭାବି ବିକ୍ରିର ଶିକାର ହେଉଛନ୍ତି। ରାଜ୍ଯରେ ଯୁବକଙ୍କ ପାଇଁ ରୋଜଗାର ନାହିଁ। ବେକାରୀ ଉତ୍କଟ ରୂପ ନେଲାଣି। ବେକାରୀ କେବଳ ଓଡ଼ିଶାର ସମସ୍ଯା ନୁହେଁ। ଯୁବକଙ୍କୁ ରୋଜଗାର ସୁଯୋଗ ସୃଷ୍ଟି କରିବା ସଂଘୀୟ ବ୍ଯବସ୍ଥା ଓ ରାଷ୍ଟ କଲ୍ଯାଣ ପାଇଁ ଅତ୍ଯନ୍ତ ଜରୁରୀ ବୋଲି ସାଂସଦ ମାନସ ମଙ୍ଗରାଜ ଗୃହରେ ଦାବି ରଖିଥିଲେ

ନବୋଦୟ ସ୍କୁଲରେ ଜଣ୍ଡିସ୍ ବ୍ୟାପିବା ଘଟଣାରେ ପ୍ରିନ୍ସପାଲ ନିଲମ୍ଵିତ

ଖୋର୍ଦ୍ଧା : ଖୋର୍ଦ୍ଧା ନବୋଦୟ ସ୍କୁଲରେ ଜଣ୍ଡିସ୍ ବ୍ୟାପିବା ଘଟଣାରେ ପ୍ରିନ୍ସପାଲ ନିଲମ୍ଵିତ। କବିତା କରଙ୍କୁ ସସପେଣ୍ଡ କରିଛନ୍ତି କର୍ତ୍ତୃପକ୍ଷ। ସ୍କୁଲ ପରିସରରେ ପରିଷ୍କାର ପରିଚ୍ଛନ୍ନତା, ଛାତ୍ର ଛାତ୍ରୀ ଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ଅବହେଳା ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଆକ୍ସନ ହୋଇଛି। ଗତ ଦଶହରା ଛୁଟି ପରେ ସ୍କୁଲରେ ଜଣ୍ଡିସ ବ୍ୟାପିଥିଲା। ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ସ୍କୁଲରେ ପହଞ୍ଚିଥିଲେ ୱାଟକୋ ଟିମ୍। ବିଭିନ୍ନ ସ୍ଥାନ ରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା କରାଯିବାରୁ ଜଣ୍ଡିସ୍ ଭୂତାଣୁ ବାହାରିଥିଲା। ୨୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ନେଇଯାଇଥିଲେ। ସ୍କୁଲ କୁ ଏକ ସପ୍ତାହ ବନ୍ଦ କରାଯାଇଥିଲା। କେନ୍ଦ୍ରୀୟ ଟିମ ବି ଆସି ତଦନ୍ତ କରିଥିଲେ। ସେହି ରିପୋର୍ଟ ଆଧାରରେ ସ୍କୁଲ ପ୍ରିନସପାଲଙ୍କୁ ସସପେଣ୍ଡ କରାଯାଇଛି।

‘ଓଡ଼ିଶାରେ ଆୟୁଷ ମେଡିକାଲରେ ନାହାନ୍ତି ଆବଶ୍ଯକ ସଂଖ୍ଯକ ଡାକ୍ତର’

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ ଆୟୁଷ ମେଡିକାଲରେ ନାହାନ୍ତି ଆବଶ୍ଯକ ସଂଖ୍ଯକ ଡାକ୍ତର। ଆୟୁଷ ମେଡିକାଲର ଭିତ୍ତିଭୂମି ମଧ୍ଯ ଦୁର୍ବଳ। ମେଡିକାଲ କଲେଜଗୁଡ଼ିକରେ ନାହାନ୍ତି ପର୍ଯ୍ଯାପ୍ତ ଶିକ୍ଷକ। ଏ ବିଷୟରେ କେନ୍ଦ୍ର ସରକାର ଅବଗତ ଅଛନ୍ତି ନା ନାହିଁ? ଆଜି ରାଜ୍ଯସଭାରେ ଏ ନେଇ ଲିଖିତ ପ୍ରଶ୍ନ ପଚାରିଥିଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ସାଂସଦଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦଵ କହିଛନ୍ତି ରାଜ୍ଯର ୯ଟି ଜିଲ୍ଲାରେ ୧୩ଟି ଆୟୁଷ ମେଡିକାଲ କଲେଜ ସହିତ ରହିଛି ୯ଟି ଆୟୁଷ ହସ୍ପିଚାଲ। ଏସବୁ ମେଡିକାଲ କଲେଜ ଓ ହସ୍ପିଟାଳରୋ ମୋଟ ୧୧୩୦ ଜଣ ଆୟୁଷ ଡାକ୍ତର ନିଯୁକ୍ତ ହୋଇଛନ୍ତି। ମେଡିକାଲ କଲେଜ ଓ ହସ୍ପିଟାଲର ଦୁର୍ବଳ ଭିତ୍ତିଭୂମି ନେଇ ସରକାରଙ୍କ ପାଖରେ କୌଣସି ତଥ୍ଯ ହସ୍ତଗତ ହୋଇନି। ରାଜ୍ଯ ସରକାର ଆୟୁଷ ମେଡିକାଲ କଲେଜଗୁଡ଼ିକରେ ନିୟମିତ ଅଧ୍ଯାପକ ନିୟୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାଇଛନ୍ତି। ବିଭାଗୀୟ ପଦୋନ୍ନତି କମିଟି ଜରିଆରେ ରିଡର, ପ୍ରଫେସର ପଦବୀ ପୂରଣ କରିବାକୁ ମଧ୍ଯ ରାଜ୍ଯ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। କେନ୍ଦ୍ର ସରକାରଙ୍କ ଜାତୀୟ ଆୟୁଷ ମିଶନ ଯୋଜନା ଅନ୍ତର୍ଗତ ୨୦୨୨-୨୩ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ଭିତରେ କେନ୍ଦ୍ର ସରକାର ୨୩ କୋଟି ୬୯ ଲକ୍ଷ ଟଙ୍କା ଓଡ଼ିଶାକୁ ପ୍ରଦାନ କରିଛନ୍ତି.। ସାଂସଦଙ୍କ ଏସମ୍ପର୍କିତ ଆଉ ଗୋଟିଏ ପ୍ରଶ୍ନର ଉତ୍ତରରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ କହିଛନ୍ତି, ରାଜ୍ଯ ସରକାରଙ୍କ ତଥ୍ଯ ଅନୁଯାୟୀ ନିକଟରେ ୧୧୨୫ ଡାକ୍ତର ଓ ୯୨୩ ଜଣ ପାରା ମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଇଛି। ଖୁବଶୀଘ୍ର ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଆୟୁଷ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ବାସ୍ଥ୍ଯସେବା ରାଜ୍ଯ ବିଷୟ ହେଉଥିବାରୁ ଡାକ୍ତର, ନର୍ସ ଓ ମେଡିକାଲ କଲେଜରେ ଅଧ୍ଯାପକ ନିଯୁକ୍ତି କରିବା ଦାୟିତ୍ବ ରାଜ୍ଯମାନଙ୍କର। ଜାତୀୟ ଆୟୁଷ ମିଶନ ଯୋଜନାରେ ଆର୍ଥିକ ପାଣ୍ଠି ସହାୟତା ବାବଦରେ ଯୋଗାଇବା କେନ୍ଦ୍ର ସରକାରଙ୍କ କାମ। ୨୦୧୪-୧୫ରୁ ୨୦୨୫-୨୬ ଭିତରେ ଓଡ଼ିଶାକୁ ଆୟୁଷ ମେଡିକାଲ ଭିତ୍ତିଭୂମି ଓ ସ୍ବାସ୍ଥ୍ଯସେବା ପାଇଁ ୨୨୩ କୋଟି ୩୪ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି।

ଓଡ଼ିଶା ନିପ୍ପା ସତର୍କ : ଜ୍ବର ଆସିବା ମାତ୍ରେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗରେ ନିପ୍ପା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ଖବର ଆସିଛି । ଏହି ଦୁଇ ସ୍ବାସ୍ଥ୍ୟ କର୍ମୀଙ୍କଠାରେ ଗତ ମାସରେ ନିପ୍ପା ଲକ୍ଷଣ ଦେଖା ଦେଇଥିଲା । ଯଦିଓ ପଶ୍ଚିମବଙ୍ଗ ସରକାର ଏହାକୁ ନିପ୍ପା ମୃତ୍ୟୁ ଭାବେ ଘୋଷଣା କରିନି, ହେଲେ ଏହି ଦୁଇ ଜଣ ନିପ୍ପା ପଜିଟିଭ ବାହାରି ଚିକିତ୍ସିତ ହେଉଥିଲେ । ପଶ୍ଚିମବଙ୍ଗ ଓଡ଼ିଶାର ପଡ଼ୋଶୀ ରାଜ୍ୟ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଯିବାଆସିବା କରନ୍ତି । ଏହାକୁ ଦୃଷ୍ଟିରେ ରଖିଗତ ମାସରୁ ଓଡ଼ିଶା ସରକାର ନିଜ ଆଡ଼ୁ ପଦକ୍ଷେପ ନେଇଥିଲେ । ବର୍ତ୍ତମାନ ଏହି ଦୁଇ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଜ ଆଡୁ ଆଲର୍ଟ ଜାରି କରି ସାବଧାନ ରହିବାକୁ ପରାମର୍ଶ ଦେଇଛି । ଏ ଯାଏଁ ଓଡ଼ିଶାରେ ନିପ୍ପା ଭାଇରସ ଚି଼ହ୍ନଟ ହୋଇନି । କେନ୍ଦ୍ର ସରକାର ମଧ୍ୟ ଏ ନେଇ କୌଣସି ଏସଓପି ଜାରି କରି ନାହାନ୍ତି । ହେଲେ ଜ୍ବର ଆସିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ମନଇଚ୍ଛା ଔଷଧ ସେବନ ଦ୍ବାରା ପାର୍ଶ୍ବପ୍ରତିକ୍ରିୟା ଦେଖା ଦେବାର ଆଶଂକା ରହିଛି ।

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ଏସଓପି, ଆଉ ପିଲାଙ୍କୁ ଦିଆଯିବନି ଆଡିସ୍ନାଲ ଉତ୍ତର ଖାତା…

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର। ଫେବୃଆରୀ ୧୨ ତାରିଖରୁ ପ୍ରଶ୍ନପତ୍ର ପଠାଇବା ଆରମ୍ଭ ହେବ। ତିନି ଦିନ ଭିତରେ ୨୧୧ ଟି ହବ୍ କୁ ପଠାଯିବ ପ୍ରଶ୍ନପତ୍ର। ସମସ୍ତ ହବ୍ ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ଏଆଇ କ୍ୟାମେରା ଲଗାଯାଉଛି । ଏହି କାମ ଫେବୃଆରୀ ୧୦ ସୁଦ୍ଧା ସରିବ । ପରୀକ୍ଷାକୁ ବ୍ୟବସ୍ଥିତ ଢଙ୍ଗରେ କରିବାକୁ ସେଣ୍ଟର ସୁପରିନଟେଣ୍ଡେଣ୍ଟଙ୍କ ପାଇଁ ଏସଓପି ଜାରି କରିଛି ସିଏଚଏସଇ। ଛାତ୍ରଛାତ୍ରୀଙ୍କୁ ଆଉ ଆଡିସନାଲ ଉତ୍ତର ଖାତା ମିଳିବନି। ଏଥର ଦିଆଯାଇଛି ୩୨ ପୃଷ୍ଠାର ଉତ୍ତରଖାତା। ଫେବୃଆରି ୧୮ ରୁ ଥିଓରି ପରୀକ୍ଷା ଆରମ୍ଭ ହେଉଥିବା ବେଳେ କପି ରୋକିବାକୁ ଓ ସ୍ଵଚ୍ଛତା ପାଇଁ ଇଲେକ୍ଟଟ୍ରୋନିକ ଉପକରଣ ଉପରେ କଟକଣା ଲଗାଇଛି CHSE । କେବଳ ଆଡମିଟ୍ କାର୍ଡ ଦେଖାଇ ୧୫ ମିନିଟ ଆଗରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ଏଥର ମଧ୍ୟ ୪ ସେଟ୍ର ପ୍ରଶ୍ନପତ୍ର ହେବ ଓ ସେଟ୍ ଅନୁଯାୟୀ ପରୀକ୍ଷାର୍ଥୀଙ୍କ ସିଟ ବ୍ୟବସ୍ଥା କରାଯିବ । ପରୀକ୍ଷା ଆରମ୍ଭ ହେବାର ୫ ମିନିଟ୍ ଆଗରୁ ପ୍ରଶ୍ନପତ୍ର ଦିଆଯିବ। ସୁପରିଟେଣ୍ଡେଣ୍ଟ ପ୍ରତିଦିନ ଅତି କମ୍ରେ ଦୁଇ ଥର ପରୀକ୍ଷା ହଲ୍କୁ ଗସ୍ତ କରି ଯାଞ୍ଚ କରିବେ। ଇନ୍ଭିଜିଲେଟର, ଅବଜରଭର, ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଉପସ୍ଥିତିରେ ପରୀକ୍ଷାକେନ୍ଦ୍ରରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲିବାକୁ CHSE ନିର୍ଦ୍ଦେଶ ଦେଇଛି।

ଏଥର ପରୀକ୍ଷା କେନ୍ଦ୍ରରେ ଡେପୁଟି ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବ। ୫୦୧ରୁ ୧୦୦୦ ପରୀକ୍ଷାର୍ଥୀ ଥିଲେ ଦୁଇ ଜଣ, ୧୦୦୧ରୁ ୧୨୫୦ ପରୀକ୍ଷାର୍ଥୀଙ୍କ ଲାଗି ୩ଜଣ, ୧୨୫୧ରୁ ୧୫୦୦ ପରୀକ୍ଷାର୍ଥୀଙ୍କ ଲାଗି ୪ଜଣ, ୧୫୦୧ରୁ ୨୦୦୦ ପରୀକ୍ଷାର୍ଥୀଙ୍କ ପାଇଁ ୫ ଜଣ ଓ ୨୦୦୧ରୁ ଅଧିକ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ୬ ଜଣ ଡେପୁଟି ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବୋ ପରୀକ୍ଷା ଉପକେନ୍ଦ୍ରରେ ଜଣେ କିମ୍ବା ଅଧିକ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କୁ ନିଯୁକ୍ତି ଦିଆଯାଇପାରିବ। ଅତିରିକ୍ତ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବାର ନିୟମ ନାହିଁ। ପ୍ରତି ୨୦ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ଇନ୍ଭିଜିଲେଟର ଏବଂ ୧୨୦ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ରିଲିଭର୍ ନିଯୁକ୍ତ ହେବେ।

ଚାପମୁକ୍ତ ହୋଇ ପରୀକ୍ଷା ଦେବା ଉପରେ ଶିକ୍ଷାବିତମାନେ ଗୁରୁତ୍ବ ଦେଉଛନ୍ତି । ଏକାଧିକ ବହିରୁ ରେଫରାନସ୍ ନେବା ବଦଳରେ ଗୋଟାଏ ବହିରୁ ପଢିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଅଧ୍ୟାପକମାନଙ୍କ ଫୋନ୍ ଅପ୍ ରହିବ ନାହିଁ । କୌଣସି ମୁହୂର୍ତ୍ତରେ ବି ଛାତ୍ରଛାତ୍ରୀମାନେ ଫୋନ କରି ଦ୍ଵନ୍ଦ୍ଵ ଦୂର କରିପାରିବେ। ବାପାମାଆଙ୍କୁ ପରାମର୍ଶ, ଅନ୍ୟ ପିଲା ସହିତ ନିଜ ପୁଅଝିଅଙ୍କୁ ତୁଳନା କରନ୍ତୁ ନାହିଁ। ପାଠପଢ଼ା ସହିତ ବିଶ୍ରାମକୁ ବି ଗୁରୁତ୍ଵ ଦିଆଯାଇଛି। ଚଳିତ ବର୍ଷ ସାରା ରାଜ୍ୟରେ ୧୩୫୮ଟି ପରୀକ୍ଷା କେନ୍ଦ୍ର ଓ ୭ଟି ଉପକେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ । ଏଥର ପରୀକ୍ଷା ଦେବାକୁ ୪ ଲକ୍ଷ ୧ ହଜାର ୬୨୩ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍ କରିଛନ୍ତି ।

‘ସରକାରଙ୍କ ନିଷ୍ପତ୍ତିରେ ନାହିଁ ଧାଡ଼ିନାଡ଼ି, ନିୟମ ଆସୁଛି, ପୁଣି ଘଡ଼ିକେ ବଦଳିଯାଉଛି’

ଭୁବନେଶ୍ବର : ସରକାରଙ୍କ ନିଷ୍ପତ୍ତିରେ ନାହିଁ ଧାଡ଼ିନାଡ଼ି ।  ନିୟମ ଆସୁଛି, ପୁଣି ଘଡ଼ିକେ ବଦଳିଯାଉଛି । ବିଜେଡି କହିଲା, ସରକାରରେ ନାହିଁ ତାଳମେଳ । ସ୍ବର ମିଳାଇଲା କଂଗ୍ରେସ, ଯୁକ୍ତି ବାଢିଲା ବିଜେପି ।.. ..୧୯ ମାସ ପରେ ନିଷ୍ପତ୍ତି ନେବାରେ ସରକାର ବିଫଳ । ପ୍ରଥମେ ନିୟମ କରୁଛନ୍ତି , ତାପରେ ନିଜେ କରିଥିବା ନିୟମକୁ ଢୋକୁଛନ୍ତି । ଅଧିକାଂଶ ନିଷ୍ପତ୍ତିରେ ଆପେ ଆପେ ଝୁଣ୍ଟୁଛି ବିଜେପି ସରକାର । ବିଜେପି ସରକାର ଆସୁଆସୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ । ପୂରା ଓଡିଶାରୁ ଏହା ବିରୋଧରେ ସ୍ବର ଉଠିବା ପରେ ନାମ ପରିବର୍ତ୍ତନ ହେବ ନାହିଁ ବୋଲି ଖୋଦ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲଲେ । ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ ପେଟ୍ରୋଲ ମିଳିବନି ବୋଲି ଘୋଷଣା କରି ପୁଣି ନିଷ୍ପତ୍ତି ବଦଳାଇଥିଲେ ସରକାର । ଜଣେ ବିଧାୟକ ୧୫ଜଣ ଶିକ୍ଷକଙ୍କ ବଦଳି କରିବା ନିଷ୍ପତ୍ତି ନେଇ ପୁଣି ପ୍ରତ୍ୟାଖାନ କରିଥିଲେ । ବିଧାୟକଙ୍କ ଦରମା ସର୍ବସହମତି କ୍ରମେ ପାରିତ କରି ପୁଣି ଏହାର ପୁନଃବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ପାନ ମସଲା ବ୍ୟାନ ନିଷ୍ପତ୍ତିକୁ ପୁଣି ବଦଳାଇବା, ଶ୍ରୀମନ୍ଦିର ଭକ୍ତ ନିବାସ ପାର୍କିଂ ଫି, ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନରେ ସରକାର ୟୁ-ଟର୍ଣ୍ଣ ନେବା ପରି ନିଷ୍ପତ୍ତି ବିଜେପି ସରକାରର ପାରିବାପଣିଆ ପ୍ରତି ପ୍ରଶ୍ନ ଉଠାଇଛି । ବିଜେପି ସରକାର ଜନ ବିରୋଧୀ ନିୟମ ଆଣି ଏହାକୁ ପୁଣି ପ୍ରତ୍ୟାହାର କରିଛି । ଯାହା ପ୍ରମାଣିତ କରୁଛି ସରକାର ମଧ୍ୟରେ ତାଳମେଳ ନାହିଁ । ନିୟମ କରିବା ଓ ପ୍ରତ୍ୟାହାର କରିବା ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି ।

ବାରମ୍ବାର ନିୟମ କରି ନିଷ୍ପତ୍ତି ପ୍ରତ୍ୟାହାର କରିବା ନେଇ ବିଜେପି ସରକାର ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ବିଜେପି ବିଧାୟକ କହିଛନ୍ତି, ଜନମତକୁ ସମାନ ଦେଇ ସରକାର ନିଷ୍ପତ୍ତି ବଦଳାଉଛନ୍ତି । ବିଜେଡି କହିଛି, ସରକାରରେ କାହା ସହ କାହାର ତାଳମେଳ ନଥିବାରୁ ଏପରି ଦ୍ବନ୍ଦ୍ବ ଦେଖାଦେଉଛି । ବିଜେପି ସରକାରର ଜନ ବିରୋଧୀ ନିଷ୍ପତ୍ତିକୁ ନେଇ ସାଧାରଣରେ ଜନଆକ୍ରୋଶ ବୃଦ୍ଧି ପାଇବାରେ ଲାଗିଛି । ସରକାର ନିୟମ କରିବା ଓ ପ୍ରତ୍ୟାହାର ନେଇ ସରକାରଙ୍କୁ ଲୋକଙ୍କ ସ୍ବର ହୋଇ ସଚେତନ କରୁଛି ବିଜେଡି ।.. ..

ବିଗୁଲ ବାଜିନି ଉଷ୍ମ ରାଜନୀତି, ନୂଆ ଏନଏସି ଓ ପୌର ନିର୍ବାଚନ ଜିତିବା ନେଇ ପ୍ରମୁଖ ଦଳର ଦମ୍ଭୋକ୍ତି

ଭୁବନେଶ୍ବର : ବିଗୁଲ ବାଜିନି ଉଷ୍ମ ରାଜନୀତି । ଜୋରଦାର ହେଲା ନିର୍ବାଚନୀ ପ୍ରସ୍ତୁତି । ବାଲଟରେ ଏନଏସି ନିର୍ବାଚନ ପାଇଁ କଂଗ୍ରେସର ଦାବି । ବିଜେପି ଓ ବିଜେଡି କହିଲେ ଆମେ ପ୍ରସ୍ତୁତ । ୬ ମାସ ଭିତରେ ସରିବ ୨୮ଟି ନୂଆ ଏନଏସି ଓ ୭ଟି  ପୌରପାଳିକା ନିର୍ବାଚନ । ଏଥିପାଇଁ  ସବୁ ସ୍ତରରେ ପ୍ରସ୍ତୁତି ଜୋରଦାର । ନୂଆ ଏନଏସି ଏବଂ ପୌରପାଳିକାରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ନିର୍ବାଚନ ପରେ ସହରୀ ଭୋଟର ଅଗ୍ନିପରୀକ୍ଷା ଦେବେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ଯାହାକୁ ନେଇ ବିଜେପି , ବିଜେଡି ଓ କଂଗ୍ରେସ ଶିବିର ଉତ୍ସାହିତ । ଶାସକ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ପୌର ନିର୍ବାଚନ ପାଇଁ ଆମେ ସବୁବେଳେ ପ୍ରସ୍ତୁତ । ସବୁଥିରେ ବିଜେପି ଭଲ କରିବ ବିଜୟ ଲାଭ କରିବ । ପୁରୀ ଆଉ ସମ୍ବଲପୁରରେ ବି ଦଳ ଭଲ କରିବ । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବିଜେଡି ପୌର ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ଜିଲ୍ଲାସ୍ତରରେ ସଂଗଠନକୁ ନୂଆରୂପ ଦିଆଯିବା ସହ ନେତାଙ୍କୁ ଦାୟିତ୍ବ  ମଧ୍ୟ ଦିଆଯାଇଛି । ବିଜେଡି ସୁପ୍ରିମୋ ମଧ୍ୟ ନବୀନ ନିବାସରେ ନେତାଙ୍କ ସହ ଘନଘନ ବୈଠକ କରି ସଂଗଠନକୁ ପୂରା ପ୍ରସ୍ତୁତ କରି ରଖିଛନ୍ତି । ତେଣୁ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଦଳ ଯୁକ୍ତି ବାଢିଛି ।

ନୂଆ ଏନନସି ଓ ପୌର ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ଥିବା କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିଜେପି ସରକାର ଭୋଟ ଚୋରି କରୁଥିବାରୁ ବାଲଟରେ ଏନଏସି ଓ ପୌର ନିର୍ବାଚନ କରିବାକୁ ଦଳ ଦାବି କରିଛି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ପାଖରେ ଦଳ ଦାବି କରିବ ବୋଲି ପିସିସି ସଭାପତି କହିଛନ୍ତି । ଫେବୃଆରୀ ୧୨ ରୁ ୨୧ ଯାଏଁ ପୌରାଞ୍ଚଳ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରସ୍ତାବ ଏବଂ ଅଭିଯୋଗ ମଗାଯିବ। ଫେବୃଆରୀ ୨୬ ରେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରକାଶ ପାଇବ ବିଜ୍ଞପ୍ତି । ୨୬ ରୁ ମାର୍ଚ୍ଚ ୧୩ ଯାଏଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନ ଗ୍ରହଣ କରାଯିବ । ମାର୍ଚ୍ଚ ୧୬ ରୁ ୨୮  ଅଭିଯୋଗ ଶୁଣାଣି ହେବ ।

ବିପର୍ଯ୍ୟସ୍ତ ଅବସ୍ଥାରେ ରାଜ୍ୟର ଧନ୍ଦାମୂଳକ ଶିକ୍ଷା.ନା ଅଛି ପର୍ଯ୍ୟାପ୍ତ ଭିତ୍ତିଭୂମି ନା ସବୁଠି ସବୁ ପାଠ୍ୟକ୍ରମ…

ଭୁବନେଶ୍ବର : ସ୍କିଲଡ଼୍ ଇନ୍ ଓଡ଼ିଶା। ଏହା କେବଳ ଏକ ସ୍ଲୋଗାନ ନୁହଁ ବରଂ ଏକ ଆବେଗ। ଏକ ଟ୍ୟାଗ ଲାଇନ ନୁହଁ ବରଂ ଓଡ଼ିଆ ପିଲାଙ୍କ କଳା କୌଶଳ ବୁଦ୍ଧିମତାର ପରିଚୟ। ଏହାକୁ ଆଗକୁ ବଢାଇବାକୁ ରାଜ୍ୟରେ ଆରମ୍ଭ ହୋଇଥିଲା ଧନ୍ଦାମୂଳକ ଶିକ୍ଷା। ନବମ, ଦଶମ, ଏକାଦଶ ଓ ଦ୍ବାଦଶ ପିଲାମାନଙ୍କୁ ଜବ୍ ଓରିଏଣ୍ଟେଡ଼ ଶିକ୍ଷା ଦେବା ଥିଲା ଉଦ୍ଦେଶ୍ୟ। କେନ୍ଦ୍ର ସରକାରଙ୍କ ସମଗ୍ର ଶିକ୍ଷା ଅଭିଯାନର ଏହା ଥିଲା ଅଂଶ ବିଶେଷ। କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ଭାଗିଦାରୀରେ ଯୋଜନା ଚାଲିବା କଥା। ସ୍କୁଲ ଓ କଲେଜରେ ଅଟୋମୋବାଇଲ, ଫୁଡ଼୍ ପ୍ରସେସିଙ୍ଗ, ଆପାରେଲ, ଟୁରିଜମ୍ ଓ ହସ୍ପିଟାଲିଟି, ସୌନ୍ଦର୍ଯ୍ୟ ଓ ସୁସ୍ଥତା, ନିର୍ମାଣ, ପ୍ଲମ୍ବର, ଆଇଟି, ରିଟେଲ ମ୍ୟାନେଜମେଣ୍ଟ, ଇଲେକ୍ଟ୍ରୋନିକ୍ସ, ହାର୍ଡ଼ଓ୍ବେର ଏଣ୍ଡ ନେଟଓ୍ବାର୍କିଙ୍ଗ ଭଳି ପାଠ୍ୟକ୍ରମ ସାମିଲ କରାଯାଇଛି। ପ୍ରଶିକ୍ଷକ ଓ ସଂଯୋଜକ ବି ନିଯୁକ୍ତି ହୋଇଛନ୍ତି। ପ୍ରାୟ ୭ଶହ ସ୍କୁଲ ଓ କଲେଜରେ ପାଖାପାଖି ୩ ହଜାରଙ୍କୁ ନିଯୁକ୍ତି ମିଳିଛି। ହେଲେ ଏହା ଅବହେଳିତ ଅବସ୍ଥାରେ। ରାଜ୍ୟ ସରକାର ତାଙ୍କ ଭାଗ ୪୦ ପ୍ରତିଶତରୁ ଟଙ୍କାଟିଏ ବି ଦେଉନାହାନ୍ତି। କେନ୍ଦ୍ରର ୬୦ ପ୍ରତିଶତରେ ଠିକା ବ୍ୟବସ୍ଥାରେ ହୋଇଛି ନିଯୁକ୍ତି। ପିଲାଙ୍କ ଷ୍ଟଡ଼ି ଟୁର୍ ଅର୍ଥ ବି ଶିକ୍ଷକମାନେ ନିଜ ପକେଟରୁ ଭରଣା କରୁଛନ୍ତି। ୨୦୨୨ରେ ବିଜେଡ଼ି ସରକାର ଏମାନଙ୍କ ଦରମା ବୃଦ୍ଧି କରିଥିଲେ। ହେଲେ ୪ ବର୍ଷ ହେଲାଣି ନା ବଢୁଛି ଦରମା, ନା ମିଳୁଛି ଛୁଟି। ସମଗ୍ର ଶିକ୍ଷା ଅଭିଯାନର ଏହି ଯୋଜନାକୁ ରାଜ୍ୟରେ କାର୍ଯକାରୀ କରୁଥିବା ଓସେପା କେବଳ ଥାର୍ଡ଼ ପାର୍ଟି ସହ ଚୁକ୍ତିରେ ବ୍ୟସ୍ତ। କିନ୍ତୁ ବାସ୍ତବ ସ୍ଥିତି ବୁଝନଥିବା ଅଭିଯୋଗ ହୋଇଛି।

ସିଏଜି ମଧ୍ୟ କଡ଼ା ଟିପ୍ପଣୀ କରିଛନ୍ତି ଧନ୍ଦାମୂଳକ ଶିକ୍ଷାର ବିଚିତ୍ର ସ୍ଥିତିକୁ ନେଇ। ଡ଼ିସେମ୍ବର ୨୦୨୫ରେ ସିଏଜି ଦେଇଥିବା ରିପୋର୍ଟରେ ଧନ୍ଦାମୂଳକ ଶିକ୍ଷା ପାଇଁ ଭିତ୍ତିଭୂମି ଓ ଲାବୋରଟୋରୀ ନଥିବା କଥା କହିଛନ୍ତି। ଯେତିକି ବିଦ୍ୟାଳୟରେ ପାଠ୍ୟକ୍ରମ ହେବା କଥା, ତାହା ବି ହେଉନାହିଁ। ଶିକ୍ଷକମାନେ ଠିକାରେ ଥିବାରୁ ବ୍ୟବସ୍ଥା ଠିକ୍ ଚାଲୁନାହିଁ। ଗତ ବର୍ଷ ୧ଲକ୍ଷ ୨୪ ହଜାର ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ଦିଆଯାଇଥିବା ବେଳେ ନିଯୁକ୍ତି ମିଳିଛି ମାତ୍ର ୧ ପ୍ରତିଶତକୁ। ଜାତୀୟ ଶିକ୍ଷା ନୀତି ୨୦୨୦ ଓଡ଼ିଶାରେ ଲାଗୁ ହୋଇଛି। ଏଥିରେ ମଧ୍ୟ ସ୍କିଲ ଡ଼େଭେଲପମେଣ୍ଟ ପାଇଁ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ହେଲେ ବାସ୍ତବ ଚିତ୍ର ଯାହା, ତାହା କେବଳ କାଗଜ କଲମରେ ଚାଲିଛି। ୨୧ଟି ଏଜେନ୍ସିକୁ ଧନ୍ଦାମୂଳକ ଶିକ୍ଷା ପରିଚାଳନା ଭାର ଟେକିଦେଇ ରାଜ୍ୟ ସରକାର ନିଜ ଦାୟିତ୍ବ ସାରିଦେଇଛନ୍ତି। ଭିତ୍ତିଭୂମିର ଅଭାବ ସାଙ୍ଗକୁ ଶିକ୍ଷକମାନଙ୍କ ସମସ୍ୟା ବାବଦରେ ଓସେପା ସମ୍ପୂର୍ଣ୍ଣ ଅବଗତ ଥାଇ ମଧ୍ୟ କିଛି ପଦକ୍ଷେପ ନେଉନାହିଁ। ଶିକ୍ଷା ସଚିବଙ୍କ ପରେ ଅଭିଯୋଗ ପହଞ୍ଚିଛି ମୁଖ୍ୟ ଶାସନ ସଚିବଙ୍କ ପାଖରେ।

ଜେଲ ଭିତରେ ବଞ୍ଜାରାଙ୍କ ହେବ ଟିଆଇ ପରେଡ

ଭୁବନେଶ୍ୱର : ଜେଲ ଭିତରେ ବଞ୍ଜାରାଙ୍କ ହେବ ଟିଆଇ ପରେଡ଼ । ଚୋରି ଛିନତାଇ କେସରେ ଚିହ୍ନଟ ହେବେ ଅପରାଧୀ । ମହିଳାଙ୍କୁ ଢାଲ କରି ବିଛାଇଥିଲେ ଜାଲ । ଆଖି ପିଛୁଳାକେ କାଟୁଥିଲେ ପକେଟ, ଝାମ୍ପୁଥିଲେ ଚେନ୍ । ଯୁଆଡେ ଦେଖିଲେ, ସିଆଡେ ଆତଙ୍କ । ରାଜ୍ୟ ବାହାରୁ ଆସି କଳ୍ପନାରୁ ଖଣ୍ଡଗିରି ଆଉ ନନ୍ଦନକାନନ ରୁ ନୂଆପଲ୍ଲୀ । ସବୁଠି ଲୁଟପାଟରେ ଏମାନଙ୍କ ସମ୍ପୃକ୍ତି । ଏକୁଟିଆ ବ୍ୟାଗ ଧରିଥିବା ମହିଳା ହୁଅନ୍ତୁ, ଅଥବା ମେଳା ମହୋତ୍ସବ ଗହଳି । ମାଷ୍ଟରକ୍ଯାଣ୍ଟିନ ଛକରୁ ଷ୍ଟେସନ ବାଟରେ ଏ ଦୃଶ୍ୟ ଦେଖନ୍ତୁ । କେମିତି ଯାତ୍ରୀଙ୍କ ଠାରୁ ଖୁଲେଆମ ବ୍ୟାଗ ଝାମ୍ପୁଛନ୍ତି ଏହି ମହିଳା । ସବୁଠି ଏବେ ହଲ୍ଲାବୋଲ ଡାକରା ଦେଇଛନ୍ତି ବଞ୍ଜାରା । ସିସିଟିଭି, ପୋଲିସ ପାଇଁତରା କାହାରିକୁ ଖାତିର ନକରି ଖଣ୍ଡଗିରି ମେଳାକୁ ଆସୁଥିବା ଲୋକଙ୍କ ଠାରୁ ହେଉଛି ବେଧଡକ ଲୁଟ । ୧୦ ଲକ୍ଷ ଟଙ୍କାର ସୁନା ଗହଣା, ନଗଦ ଟଙ୍କା, ମୋବାଇଲ ଲୁଟ ଘଟଣାରେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନା ପୋଲିସ ୧୫ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନଙ୍କ ସମ୍ପୃକ୍ତି ଅନ୍ୟ କେସରେ ଥିବା ସନ୍ଦେହ କରିବା ପରେ ଏହି ବଞ୍ଜାରାଙ୍କ ହେବ ଟିଆଇ ପରେଡ଼ । ଆସନ୍ତା ୧୨ ତାରିଖରେ ଝାରପଡା ଜେଲରେ ଏମାନଙ୍କ ପରେଡ଼ ହେବ ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ।

ଖଣ୍ଡଗିରି ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ଗ୍ୟାଙ୍ଗ ଯାତ୍ରା ସହ ବରମୁଣ୍ଡା ବସ୍ ଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ । ଏକୁଟିଆ ସୁଯୋଗ ନେଇ ମିଠା ମିଠା କଥା କହି ସର୍ବସ୍ବ ଲୁଟ କରୁଥିଲେ । ଏମାନଙ୍କର ଏକ ବଡ଼ ଗ୍ୟାଙ୍ଗ ବାହାର ରାଜ୍ୟରୁ ଅପରେଟ ହେଉଥିବା ଜାଣିବାକୁ ପାଇଛି ପୋଲିସ । କେବଳ ସେତିକି ନୁହେଁ, ଭିଡ଼ ହୋଇଥିବା ଆମ ବସ୍ ରେ ଚଢ଼ିବା ଓ ଲୁଟ ପାଟ କରିବା ଭଳି ସାଙ୍ଘାତିକ ଅଭିଯୋଗ ଏମାନଙ୍କ ନାଁ ରେ ରହିଛି । ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଭିକ୍ଷାବୃତ୍ତି କରିବା ଆଳରେ ଲୁଟ କରିବା ଆଳରେ ଅଭିଯୋଗ ମଧ୍ୟ ଏହି ଗ୍ରୁପ ବିରୋଧରେ ପୂର୍ବରୁ ରହିଛି । ଯେଉଁମାନଙ୍କୁ ବହୁ ପୂର୍ବରୁ ଗିରଫ କରି କମିଶନରେଟ ପୋଲିସ । ଆଇନଜୀବୀଙ୍କ କହିବା କଥା, ଶହେ ଦୋଷୀ ପଛେ ଖସି ଯାଆନ୍ତୁ କିନ୍ତୁ ନିର୍ଦ୍ଦୋଷ ଦଣ୍ଡ ନପାଉ । ତେଣୁ ଟିଆଇ ପରେଡ଼ ବେଳେ ପୋଲିସ ସେତିକି ସଚେତନତା ଅବଲମ୍ବନ କରିବା ଦରକାର ।