ସୋନପୁର : ଶାଢିରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ସମ୍ପୂର୍ଣ୍ଣ ଚିତ୍ର। ଏଭଳି ଶାଢି ତିଆରି କରିଛନ୍ତି ସୋନପୁର ପଟାଭାଡିର ପ୍ରସିଦ୍ଧ ତନ୍ତଶିଳ୍ପୀ ପ୍ରହଲ୍ଲାଦ ମେହେର । ଶାଢିରେ ନୂଆଧାନ ସଂଗ୍ରହଠାରୁ ଜୁହାର୍ ଭେଟ ପର୍ଯ୍ୟନ୍ତ ପ୍ରତ୍ୟେକଟି ଚିତ୍ର ସ୍ଥାନିତ ହୋଇଛି । ଝାଙ୍କରଙ୍କ ନୂଆ ଧାନ ସଂଗ୍ରହ, ପାହୁର୍ ଯାତ୍ରା, ଇଷ୍ଟ ଦେବା ଦେବୀଙ୍କୁ ନବାନ୍ନ ଲାଗି, ଏକାଠି ବସି ନବାନ୍ନ ଭକ୍ଷଣ, ନୂଆଁ ଖାଇଲା ପରେ ଜୁହାର୍ ଭେଟ୍ ଆଦିକୁ ସୁନ୍ଦର ଢଙ୍ଗରେ ବୁଣାଯାଇଛି । ସବୁଠୁ ଆକର୍ଷଣୀୟ ଲାଗୁଛି ରାତିର ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି ଶାଢି ବୁଣିବାରେ ତାଙ୍କ ପତ୍ନୀ, ଦୁଇ ପୁଅ ସାହାର୍ଯ୍ୟ କରିଥିବା ବେଳେ ୨ମାସ ସମୟ ଲାଗିଛି । ୬ ଗ୍ରାମ ଉତ୍ତମ ପାଟ ସୂତାରେ ବୁଣାଯାଇଥିବା ଶାଢିରେ କଫି, ରଷ୍ଟ, ଲାଲ ଏବଂ କଳା ଚାରୋଟି ରଙ୍ଗ ବ୍ୟବହାର ହୋଇଛି । ତେବେ ଚଳିତ ନୂଆଖାଇରେ ଏହି ନୂଆଖାଇ ଶାଢିକୁ ଲୋକେ ନିଶ୍ଚୟ ଆଦର କରିବେ ବୋଲି ପ୍ରହଲ୍ଲାଦ କହିଛନ୍ତ ।
ଆଜିଠୁ ଗଡ଼ିଲା ସୁଭଦ୍ରା ସଚେତନତା ରଥ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ନନ୍ଦିଘୋଷ ବ୍ୟୁରୋ: ଗଡ଼ିଲା ସୁଭଦ୍ରା ସଚେତନତା ରଥ। ଭୁବନେଶ୍ୱର ଗାନ୍ଧି ମାର୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଥର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁଭଦ୍ରା ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରତି ଅଞ୍ଚଳକୁ ଯିବ ସଚେତନତା ରଥ। ମାଆ, ଭଉଣୀଙ୍କୁ ସଚେତନ କରିବ। ପ୍ରଥମେ ଭୁବନେଶ୍ୱରରେ ବୁଲିବ ରଥ, ପରେ ସବୁ ଜିଲ୍ଲାରେ ଏହା ଗଡ଼ିବ। ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟ ସାରା ସୁଭଦ୍ରା ସଚେତନତା ରଥ ବୁଲିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସେହିପରି ସୁନ୍ଦରଗଡରେ ଗଡିଲା ସୁଭଦ୍ରା ସଚେତନତା ରଥ । ରଥକୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ।। ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସହିତ ଅନ୍ୟ ଜିଲ୍ଲାସ୍ତରିୟ ଅଧିକାରୀ ଯୋଗ ଦେଇଥିଲେ। ଜିଲ୍ଲାରେ ୧୩ ଶହ ୧୨ ସାଧାରଣ ସେବା କେନ୍ଦ୍ର ଏବଂ ୩ ଶହ ୩୪ ଟି ମୋ ସେବା କେନ୍ଦ୍ରରେ ସୁଭଦ୍ରା ଯୋଜନା ପାଇଁ ନିଃଶୁକ୍ଳ ପଞ୍ଜିକରଣ ବ୍ୟବସ୍ଥା କରାଯାଇଛି ।
ପାର୍ବଣକୁ ଆଖିରେ ରଖି ଆକ୍ସନ ମୋଡ଼ରେ କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ
କଟକ: ପାର୍ବଣକୁ ଆଖିରେ ରଖି ଆକ୍ସନ ମୋଡ଼ରେ କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ। କଟକ ରାଣୀହାଟ ଛକରେ ବିଭାଗ ପକ୍ଷରୁ ବିଭିନ୍ନ ରାସ୍ତାକଡ ଖାଦ୍ୟ ଷ୍ଟଲରେ ଯାଞ୍ଚ କରାଯାଉଛି। ସିଏମସି ସ୍ବାସ୍ଥ୍ଯ ବିଭାଗ ଅଧିକାରୀ, ଫୁଡ ସେଫଟି ଅଧିକାରୀ ସମେତ ବିଭିନ୍ନ ଅଧିକାରୀ ଯାଞ୍ଚରେ ସାମିଲ ହୋଇଛନ୍ତି। ଗଣେଷ ପୂଜା ସହ କଟକରେ ପାର୍ବଣ ଆରମ୍ଭ ହୋଇଛି। ବାସୀ ଖାଦ୍ୟ, ଅପମିଶ୍ରିତ ଖାଦ୍ୟ ବିକ୍ରିକୁ ରୋକିବାକୁ ଯାଞ୍ଚ କରାଯାଉଛି।
ପାର୍ବଣ ସମୟରେ କଟକରେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ପାଇଁ ରାସ୍ତା କଡ଼ ଷ୍ଟଲରେ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ। ତେଣୁ ସିଏମସି ସ୍ୱାସ୍ଥ୍ୟ ବିଭାଗ ରାସ୍ତା କଡ଼ର ଫାଷ୍ଟ ଫୁଡ଼, ମୋମୋ, ଚାଟ, ଜଳଖିଆ ଦୋକାନରେ ପହଂଚି ଯାଞ୍ଚ କରିଛନ୍ତି। ଅପମିଶ୍ରିତ ଓ ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି। ଏହା ସହ ଯେଉଁ ବ୍ୟବସାୟୀଙ୍କ ପାଖରେ ଫୁଡ଼ ଲାଇସେନ୍ସ ନାହିଁ, ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଫାଇନ କରିଛି।
ରାଜଧାନୀରୁ ଅପହରଣ, ଫସେଇ ଦେଲା ଫୋନ ପେ’
ଭୁବନେଶ୍ୱର: ରାଜଧାନୀରୁ ଅପହରଣ, ଫସେଇ ଦେଲା ଫୋନ ପେ। ଉବର ଆପରେ ବୁକିଂ କରି, କାର ସହ କାର ମାଲିକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଏମ୍ସ ନିକଟରୁ ଅପହରଣ କରି ଯୋରନ୍ଦା ରାଧାଦେଇପୁର ଜଙ୍ଗଲରେ ଡ୍ରାଇଭରକୁ ଛୁରୀ ଦେଖାଇ କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୩ ଅଭିଯୁକ୍ତ ଆଠଗଡ଼ ନିକଟରେ ଚା’ ପିଇ ଫୋନ ପେ’ରେ ଟଙ୍କା ଦେଇଥିଲେ। ଯାହାର ସୁରାକ ପାଇ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ପୋଲିସ। ଚୋରି ହୋଇଥିବା କାରକୁ ପୋଲିସ ଜବତ କରିବା ସହ ଭୁବନେଶ୍ୱର କଳିଙ୍ଗ ବିହାରରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୁଭଦ୍ରା ଯୋଜନାର ID ହ୍ୟାକ, ଅସନ୍ତୋଷ ଜନସାଧାରଣ
ଭଦ୍ରକ: ସୁଭଦ୍ରା ଯୋଜନାର ID ହ୍ୟାକ। ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଅସନ୍ତୋଷ ଜନସାଧାରଣ। ଆଇଡି ହ୍ୟାକ ହେବାରୁ ଆସୁଛି ଅନ୍ୟ ରାଜ୍ୟର ନାମ। ଏଭଳି କହୁଛନ୍ତି ଜନସେବା କେନ୍ଦ୍ରର ପରିଚାଳକ। ଅନ୍ୟପଟେ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆଧାର ଅପଡେଟ କରିବାକୁ ଜନସେବା କେନ୍ଦ୍ରରେ ଲାଗିଛି ଲମ୍ବା ଲାଇନ। ଡହ ଡହ ଖରାରେ ଛୁଆ ପିଲା ଧରି ଘଣ୍ଟା ଘଣ୍ଟା ଲାଇନ ଲଗାଉଛନ୍ତି ମହିଳା । ଫର୍ମ ଧରି ଜନସେବା କେନ୍ଦ୍ରକୁ ଗଲେ ସାଇଡ୍ ପ୍ରବ୍ଲେମ ନାମରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଭୋରୁ ଜନସେବା କେନ୍ଦ୍ରରେ ଅପେକ୍ଷା କରିରହିଛନ୍ତି ମହିଳା। ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଆଇଡି ହ୍ୟାକ ହୋଇଥିବାରୁ ନିରାଶ ହେବାକୁ ପଡୁଛି । ଦିନ ମଜୁରିଆ ଦିନକର ମଜୁରୀ ମାରି ଆବେଦନ କରିବାକୁ ଆସୁଛନ୍ତି । ହେଲେ ନିରାଶ ହେବାକୁ ପଡୁଛି। ଏଭଳି ସ୍ଥିତିରେ ସରକାରଙ୍କ ସୁଭଦ୍ରା ଯୋଜନା ପ୍ରତି ବିମୁଖ ହେଲେଣି ଜନସାଧାରଣ ।
ଅନ୍ୟପଟେ ସୁଭଦ୍ରା ଯୋଜନା ପୋର୍ଟାଲ ହ୍ୟାକ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେଭଳି କୌଣସି ଖବର ଆସିନି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ତାଙ୍କ କହିବା କଥା, ନୂଆ ଯୋଜନା ଆରମ୍ଭ ହୋଇଛି, ସର୍ଭର ଟିକେ ଡାଉନ ହେଉଛି। ସେହିପରି ବାହାର ରାଜ୍ୟରେ ଥିବା ଓଡ଼ିଆ ମହିଳା ମାନେ ବି ବ୍ୟସ୍ତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଆବେଦନ ସରିନି, ସେ ପର୍ଯ୍ୟନ୍ତ ପୋର୍ଟାଲ ବନ୍ଦ ହେବନି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
ପୂଜା ପୂର୍ବରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ଦେବଗଡ଼ ପୌର ପରିଷଦ ସଫେଇ କର୍ମଚାରୀ
ଦେବଗଡ଼: ଆଜି ଗଣେଶ ପୂଜା, କାଲି ନୂଆଖାଇ। କିନ୍ତୁ ପୂଜା ପୂର୍ବରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଦେବଗଡ଼ ପୌର ପରିଷଦ ସଫେଇ କର୍ମଚାରୀ। କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ସହରରେ ପରିମଳ ବ୍ୟବସ୍ଥା ଠପ ହେବା ସହ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି। ଦରମା ଓ ଅଗ୍ରିମ ଟଙ୍କା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଟଳ ଅଛନ୍ତି ସଫେଇ କର୍ମଚାରୀ।
ଅନ୍ୟପଟେ ଅଳିଆ ଆବର୍ଜନା ପଡ଼ି ରହିଥିବାରୁ ସହରର ପୂଜା କମିଟି ପକ୍ଷରୁ ସହରରୁ ଅଳିଆ ଆବର୍ଜନା ସଫା କରାଯାଉଛି। ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ସଫେଇ କର୍ମଚାରୀ।
ସାଉଦି ଆରବରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ନିବେଦନ
ନନ୍ଦିଘୋଷ ବ୍ୟୁରୋ: ସାଉଦି ଆରବରେ ଫସିଛନ୍ତି କେନ୍ଦ୍ରାପଡ଼ା ରାଜନଗର ଓ ଆଳି ଅଞ୍ଚଳର ଯୁବକ। ୪ ମାସ ତଳେ କାମ କରିବା ପାଇଁ ଯାଇଥିବା ଶ୍ରମିକଙ୍କୁ କମ୍ପାନୀ ଦରମା ନଦେବାରୁ ଖାଇବା ପାଉନାହାନ୍ତି ଶ୍ରମିକ। ଏପରିକି ପିଇବା ପାଣି ମଧ୍ୟ ପାଉନଥିବା ଜଣାପଡିଛି। କମ୍ପାନୀ ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ଭିଡିଓ ଜରିଆରେ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ଏହି ଶ୍ରମିକ।
ଫସିଥିବା ଶ୍ରମିକଙ୍କ ମଧ୍ୟରେ ରାଜନଗର ନଗଡ଼ ଗାଁର କ୍ଷୀରୋଦ ପାତ୍ର, ଆଳି ବାଲିସାହି ଗାଁର ବାବୁରାମ ସାହୁ ଅଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାର ୪ ଜଣ ଥିବା ବେଳେ, ବିହାରର ୨ ଜଣ ଥିବା ଜଣାପଡିଛି।

