ଭୁବନେଶ୍ବର : ଆଉ ୨ ଦିନ ପରେ ରାଜ୍ୟକୁ ଫେରିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ୨ରୁ ୪ ଡିଗ୍ରୀ ପାରଦ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି ଆକଳନ କରାଯାଇଛି। ବାତ୍ୟା ଫେଙ୍ଗଲ ପ୍ରଭାବରେ ରାଜ୍ୟର ଉପକୂଳ ଏବ ଦକ୍ଷିଣ ଓଡିଶାର କୋହଲା ପାଗ ସହ ହାଲୁକା ବର୍ଷା ଲାଗି ରହିଥିଲା। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗର ପ୍ରଭାବ ନ ଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି ।ଆଜି କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବର୍ଷା ହେବା । ୫ ତାରିଖରେ ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ୬ ତାରିଖରେ ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି । ୭ ତାରିଖରୁ ୯ ତାରିଖ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା କମିବ ।
ଆସନ୍ତାକାଲି ନୌସେନା ଦିବସରେ ଯୋଗଦେବେ ରାଷ୍ଟ୍ରପତି
ପୁରୀ: ନୌସେନା ଦିବସରେ ଦମ ଦେଖାଇବେ ନୌବୀର । ୩ ବାହିନୀର ରଣ କୌଶଳରେ କମ୍ପିବ ପୁରୀ ବ୍ଲୁଫ୍ଲାଗ ବିଚ୍ । ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପ୍ରଥମେ ସମଙ୍ଗ ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ସ୍ୱତନ୍ତ୍ର ହେଲିକପ୍ଟର ଅବତରଣ କରିବେ । ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ କାର୍ଯ୍ୟକ୍ରମ ପରେ ପୁରୀ ଭିଆଇପି ରୋଡ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟକୁ ଯିବେ l କଲେଜର ୭୫ ତମ ହୀରକ ଜୟନ୍ତୀ ସମାରୋହରରେ ଯୋଗଦେବେ । ପରେ ରାଷ୍ଟ୍ରପତି ରାଜଭବନକୁ ଯିବାସହ ସେଠାରେ ଦ୍ବିପହର ଭୋଜନ କରିସାରି ଅପରାହ୍ନ ପ୍ରାୟ ୩ଟା ୫୦ ସମୟରେ ବ୍ଲୁଫ୍ଲାଗ ବିଚରେ ନୌସେନା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ । ସନ୍ଧ୍ୟା ୫ଟା ୪୫ମିନିଟ ପର୍ଯ୍ୟନ୍ତ ରାଷ୍ଟ୍ରପତି ବ୍ଲୁଫ୍ଲାଗ ବିଚରେ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସ୍ୱତନ୍ତ୍ର କାରକେଡ ରିହର୍ସାଲ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ସାଧା ପୋଷାକରେ ପୋଲିସ ଫୋର୍ସ ମୁତୟନ ରହିବେ l ସେହିପରି ସମୁଦ୍ରକୁଳ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ ନେଇ କଟକଣା ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି କାନ୍ତିରେ ଶୃଙ୍ଖଳିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି । ସକାଳୁ ଦ୍ୱାର ପିଟା ଯିବା ସହ ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ଶେଷ କରାଯାଇ ଅବକାଶ ବେଶ ଅନୁଷ୍ଠିତ ହେବ l ପ୍ରାୟ ୧୦ ଟା ୧୫ ମିନିଟ ସମୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡାଙ୍କ ସମେତ ଅନାନ୍ୟ ସେବାୟତ ସ୍ବାଗତ କରିବା ସହ ପୂଜାରେ ସହଯୋଗ କରିବେ । ଶ୍ରୀମନ୍ଦିର ଭିତରେ ମାଆ ବିମଳା ଓ ଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ନୀଳଚକ୍ରକୁ ମଧ୍ୟ ଦର୍ଶନ କରିବେ । ତେବେ ଆଜି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ଆଲୋଚନା କରାଯାଇନଥିବାରୁ କୌଳିକ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି l
ମେଟ୍ରୋ ପ୍ରକଳ୍ପକୁ ନେଇ କଂଗ୍ରେସର ହଲ୍ଲାବୋଲ
ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପକୁ ନେଇ କଂଗ୍ରେସର ହଲ୍ଲାବୋଲ । ବ୍ଳାକ ଲିଷ୍ଟେଡ କମ୍ପାନୀକୁ କାମରୁ ଅନ୍ତର କରିବାକୁ ଦାବି । ରିଟେଣ୍ଡର କରି ନୂଆ ସ୍ବଚ୍ଛ କମ୍ପାନୀକୁ ଦିଅ ଦାୟିତ୍ବ । ଗୁଜୁରାଟୀ କମ୍ପାନୀ ବୋଲି ରାଜ୍ୟ ସରକାର ଦେଖାଇଛନ୍ତି ଅନୁକମ୍ପା । କାମ ଯଦି କରିପାରୁନ ତେବେ ୨୪ ବର୍ଷର ନବୀନ ସରକାରଠୁ ଶିଖ କହି କଟାକ୍ଷ କଲେ ଯୁବ କଂଗ୍ରେସ ନେତା । ଟେଣ୍ଡର ବାତିଲ ନ ହେଲେ ଠିକା ସଂସ୍ଥାକୁ କାମ କରାଇ ନ ଦେବାକୁ ଚେତାବନୀ । ଭୁବନେଶ୍ବରବାସୀଙ୍କୁ ମେଟ୍ରୋ ସୁବିଧା ଯୋଗାଇ ଦେବାକୁ ତତ୍କାଳୀନ ନବୀନ ସରକାର ଉଦ୍ୟମ ଆରମ୍ଭ କରିଥିଲେ । କେନ୍ଦ୍ର ସରକାର ନୁହେଁ କେବଳ ରାଜ୍ୟ ସରକାରଙ୍କ ଅର୍ଥରେ ଏହି ପ୍ରକଳ୍ପ ଠିଆ କରିବାକୁ ନବୀନ ଘୋଷଣା କରିଥିଲେ । କିନ୍ତୁ ନୂଆ ସରକାର ଆସିବା ପରେ କଳା ତାଲିକାଭୁକ୍ତ ଠିକା କମ୍ପାନୀ ରଞ୍ଜିତ ବିଲ୍ଡକନ କୁ ଟେଣ୍ଡର ଦେଇଦେଲେ । ବିଭିନ୍ନ ରାଜ୍ୟରେ କମ୍ପାନୀ ନାଁରେ ମାଳମାଳ ମାମଲା ଥିବା ବେଳେ ରାଜ୍ୟ ବିଜେପି ସରକାର କିଭଳି ଜାଣିପାରିଲେନାହିଁ ସେ ନେଇ ପ୍ରଶ୍ନ କରିଛି ଦଳ । ପ୍ରତିବାଦରେ ପ୍ରକଳ୍ପ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।
ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ଏୟାରପୋର୍ଟରୁ ରାଜମହଲ, ମାଷ୍ଟରକ୍ୟାଣ୍ଟିନ୍, ରାମମନ୍ଦିର, ରୂପାଲି ଛକ ଦେଇ ଚନ୍ଦ୍ରଶେଖରପୁର ରାସ୍ତାରେ କାମ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ କମ୍ପାନୀ ପକ୍ଷରୁ ବ୍ୟାରିକେଟିଂ କରି ମାଟିଖୋଳା ଚାଲିଛି । କିନ୍ତୁ ଏହି କମ୍ପାନୀ ମେଟ୍ରୋ କାମ କରିବା ପାଇଁ କେତେ ଦକ୍ଷ ସେନେଇ ପ୍ରଶ୍ନ କରିଛି କଂଗ୍ରେସ । ରଞ୍ଜିତ ବିଲ୍ଡକନ୍ ବିଜେପିକୁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଇଲେକ୍ଟ୍ରୋରାଲ ବଣ୍ଡ ଦେଇଛି । ସେଥିପାଇଁ ବିଜେପି ନେତାଙ୍କ ପ୍ରରୋଚନାରେ ରାଜ୍ୟ ସରକାର କଳାତାଲିକା ଭୁକ୍ତ କମ୍ପାନୀକୁ କାମ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି ।
ବାଲିଘାଟ ନିଲାମ ହେଉ ନଥିବାରୁ ମାଲାମାଲ ମାଫିଆ , ବଢୁଛି ଚୋରା ବାଲି ଚାଲାଣ
ସୁନ୍ଦରଗଡ଼: ନିଲାମ ହେଉନି ବାଲିଘାଟ । ଚୋରା ଚାଲାଣ କରି ମାଲାମାଲ ମାଫିଆ । ନାମକୁମାତ୍ର ଚଢାଉ କରି ପ୍ରଶାସନ ଚୁପ ଥିବା ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ନଦୀରୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ବାଲି ଚାଲାଣ । ବିଶେଷ କରି ରାତି ସମୟରେ ଶହଶହ ଟ୍ରିପ ଉଠାଯାଉଥିବା ଅଭିଯୋଗ ହୋଇଛି । ବାଲିଘାଟ ଗୁଡ଼ିକ ନିଲାମ ହୋଇ ନଥିବାରୁ ବାଲି ଚୋରାଇ ମାଲାମାଲ ହେଉଛନ୍ତି ମାଫିଆ । ଫଳରେ ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ । ଗୋଟିଏ ଟ୍ରାକ୍ଟର ବାଲି ୨୫ଶହ ଟଙ୍କା, ଗୋଟିଏ ଡମ୍ଫର ବାଲି ୮ ହଜାର ଟଙ୍କା ଓ ଗୋଟିଏ ହାଇୱା ବାଲି ୧୪ ହଜାର ଟଙ୍କାରେ ବିକ୍ରି ହେଉଛି । ଦୈନିକ ଶହ ଶହ ଟ୍ରିପ ବାଲି ଖୋଲାଖୋଲି ଭାବେ ଚୋରା ଚାଲାଣ ହେଉଥିଲେ ମଧ୍ୟ ଖଣି ଵିଭାଗ, ରାଜସ୍ଵ ଵିଭାଗ ଓ ଜଙ୍ଗଲ ଚୁପ ଥିବା ଅଭିଯୋଗ ହୋଇଛି ।
ବାରମ୍ବାର ଦାଵି ହେଉଥିଲେ ମଧ୍ୟ ବିଭାଗ ଆଖି ଦୃଷ୍ଟିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୩ ନଭେମ୍ବର ମାସରୁ ୨୦୨୪ ନଭେମ୍ବର ମାସ ମଧ୍ୟରେ ଇସ୍ପାତ ଓ ଖଣି ଵିଭାଗ ରାଉରକେଲା ଅଫିସ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୪୬ ଟି ଗାଡି ଜଵତ କରାଯାଇ ୯୬ ଲକ୍ଷ ୯୨ ହଜାର ୨୯୬ ଟଙ୍କା ଜଵତ କରାଯାଇଛି । ପାନପୋଷ ଵନ ଵିଭାଗ ପକ୍ଷରୁ ଗତ ଏକମାସ ମଧ୍ୟରେ ୨୦ ଟି ଗାଡି ଜଵତ କରାଯାଇଛି । ତେବେ ଆଖିଦୃଷ୍ଟିଆ କାର୍ଯ୍ଯାନୁଷ୍ଠାନ ନହେବାରୁ ମାତିଛନ୍ତି ମାଫିଆ ।



