ନନ୍ଦିଘୋଷ ବ୍ୟୁରୋ: ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ଲାଗି ୩ ଜଣଙ୍କୁ ମିଳିବ ସମ୍ମାନଜନକ ନୋବେଲ। ସେମାନେ ହେଲେ ଡାଭିଡ ବକର, ଡେମିସ ହସାବିସ ଓ ଜନ ଏମ. ଜମ୍ପର। ଏନେଇ ଘୋଷଣା କରିଛି ରୟାଲ ସୁଇଡିସ ଏକାଡେମି। ରସାୟନ ବିଜ୍ଞାନ ଲାଗି ମିଳୁଥିବା ନୋବେଲ ପ୍ରାଇଜର ଅଧାଭାଗ ପାଇବେ ଡାଭିଡ ବକର। ଅନ୍ଯ ଦୁଇଜଣ ଡେମିସ ହସାବିସ ଓ ଜନ. ଏମ ଜମ୍ପର ଅଧା ଭାଗ ପାଇବେ। ଆମେରିକାର ୱାଶିଂଟନ ବିଶ୍ବବିଦ୍ୟାଳୟର ଡାଭିଡ ବକର। ସେହିପରି ପ୍ରୋଟିନ ସଂରଚନା ଲାଗି ଗୁଗଲ ଡିପମାଇଣ୍ଡ, ଲଣ୍ଡନର ଡେମିସ ହସାବିସ ଓ ଜନ ଜମ୍ପର ନୋବେଲ ପାଇବେ। ଗତବର୍ଷ ଏହି ବର୍ଗରେ ନୋବେଲ ପାଇଥିଲେ ମୌଙ୍ଗି ଜି. ବାୱେଣ୍ଡି, ଲୁଇ ଇ. ବ୍ରୁସ ଓ ଆଲେକ୍ସି ଏକିମୋଭ।
୧୦ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ନନ୍ଦିଘୋଷ ବ୍ୟୁରୋ : ଲଗାତାର ୧୦ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ । ୬.୫ ପ୍ରତିଶତରେ ରେପୋ ରେଟକୁ ସ୍ଥିର ରଖିଲା ଆରବିଆଇ । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ୨୦୨୩ ଫେବୃଆରୀରୁ ରେପୋ ରେଟ ଅପରିବର୍ତ୍ତିତ ରହିଛି । ଫଳରେ ଇଏମଆଇରେ ବୃଦ୍ଧି ଘଟିବନି । ଶକ୍ତିକାନ୍ତ ଦାସ ନେତୃତ୍ବାଧୀନ ଏକ ୬ ଜଣିଆ ମନିଟାରୀ ପଲିସି କମିଟି ବା ଏମପିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଏମପିସିରେ ଚଳିତ ଥର ୩ଜଣ ନୂଆ ସଦସ୍ଯଙ୍କୁ ସ୍ଥାନୀତ କରାଯାଇଥିଲା। ସେମାନେ ହେଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସ ନିର୍ଦ୍ଦେଶକ ପ୍ରଫେସର ରାମ ସିଂ, ଅର୍ଥନୀତିଜ୍ଞ ସୌଗତ ଭଟ୍ଟାଚାର୍ଯ୍ୟ ଓ ଇନଷ୍ଟିଚ୍ଯୁଟ ଫର ଷ୍ଟଡିଜ ଇନ ଇଣ୍ଡଷ୍ଟ୍ରିଆଲ ଡେଭଲେପମେଣ୍ଟର ନିର୍ଦ୍ଦେଶକ ଡକ୍ଟର ନାଗେଶ କୁମାର। ଗତ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିଲା ଏମପିସିର ତିନିଦିନିଆ ଆର୍ଥିକ ନୀତି ସମୀକ୍ଷା ବୈଠକ।
ଲକ୍ଷ୍ମୌ ଓ ଜୟପୁରରେ ବଡ଼ ଧରଣର ଅଗ୍ନିକାଣ୍ଡ
ଲକ୍ଷ୍ମୌ : ଉତ୍ତରପ୍ରଦେଶ ଲକ୍ଷ୍ମୌ ଅଜିଜ ନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ। ବିଦ୍ଯୁତ ପଣ୍ଯାଗାରରେ ଲାଗିଲା ନିଆଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଛି ଆତଙ୍କ। ନିଆଁ ନିୟନ୍ତ୍ରଣ ଲାଗି ୧୨ଟି ଅଗ୍ନିଶମ ଟିମ ସାମିଲ ହୋଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସେପଟେ ରାଜସ୍ଥାନ ଜୟପୁର ରୟାଲ ୱାର୍ଲଡ କମ୍ପ୍ଲେକ୍ସରେ ବି ଘଟିଛି ଅଗ୍ନିକାଣ୍ଡ। ଏଥିରେ ବିପୁଳ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚ ମିଳିଛି। ଆଜି ସକାଳୁ ସେଠାରେ ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ ମୁତୟନ ହୋଇଥିଲେ।ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ହୋଇଥିବା ଜଣାଯାଇଛି।
ଲୋକେ ବିକାଶର କାର୍ଯ୍ୟକ୍ରମ ପାଇଁ ନବୀନଙ୍କ ସହ ଯୋଡି ହେଲେ : ବିଜେଡି
ଭୁବନେଶ୍ବର : ପୁଣ୍ଯାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଆରମ୍ଭ ହୋଇଛି ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ । ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରି ପ୍ରଥମ ସଦସ୍ୟ ହୋଇଛନ୍ତି । ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନକୁ ନେଇ ବିଜେଡି କହିଛି ଲୋକେ ବିକାଶର କାର୍ଯ୍ୟକ୍ରମ ପାଇଁ ନବୀନ ପଟ୍ଟନାୟକଙ୍କ ସହ ଯୋଡି ହୋଇଛନ୍ତି ବୋଲି ବିଜେଡି କହିଛି । ବିଜେଡି ଶକ୍ତିଶାଳୀ ଆଞ୍ଚଳିକ ଦଳ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ଦିନରୁ ଓଡ଼ିଶାବାସୀଙ୍କ ସେବା କରି ଆସୁଛି । ଆଜିର ପବିତ୍ର ଦିନରେ ନବୀନ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କଲେ । ସବୁ ଜିଲ୍ଲା ଏହି ସଦସ୍ଯ ସଂଗ୍ରହ ଅଭିଯାନ ଆରମ୍ଭ ହେଲା । ଆଜି ନବୀନଙ୍କ ସହ ତିନି ହଜାର ଲୋକ ଅନଲାଇନରେ ବିଭିନ୍ନ ସ୍ଥାନରେ ସଦସ୍ୟ ହେଲେ । ଏହି ଅଭିଯାନ ଆଗାମୀ ଦୁଇ ମାସ ଧରି ଫିଜିକାଲି ଓ ଡିଜିଟାଲି ହେବ । ଏହାକୁ ଦଳର ନେତା ଆଗେଇନେବେ ବୋଲି ବିଜେଡି ସୂଚନା ଦେଇଛି ।
ନେଟଓ୍ବାର୍କ ପାଇଁ ପାହାଡ ଚଢୁଛନ୍ତି ୮ ଖଣ୍ଡ ଗ୍ରାମବାସୀ
ଗୁଣୁପୁର : ନେଟଓ୍ବାର୍କ ଖୋଜିବାକୁ ପାହାଡ ଚଢୁଛନ୍ତି ୮ ଖଣ୍ଡ ଗ୍ରାମବାସୀ। ଗୁଣୁପୁର ବ୍ଲକ୍ ନିକଟବର୍ତ୍ତୀ ଚିନାସାରି ପଞ୍ଚାୟତ ଲୋକେ ନେଟ୍ଓ୍ବାର୍କ ନଥିବାରୁ ନାନା ସମସ୍ଯାର ସାମ୍ନା କରୁଛନ୍ତି। ରାସନକାର୍ଡଧାରୀ ମାନେ ନିଜର ଇକେଓ୍ବାଇସି କରିବା ପାଇଁ ଲୋକେ ଦିନ ତମାମ ନେଟ୍ଓ୍ବାର୍କ ପାଇଁ ଜଗି ରହୁଛନ୍ତି। କିଛ ଦିନ ତଳେ ଏହି ପଞ୍ଚାୟତର ପେରେଣ୍ଡା ଗ୍ରାମାଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁଣି ଏବେ ଚିନାସାରି ପଞ୍ଚାୟତର କୁଟୁଣି ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଚିନାସାରି ପଞ୍ଚାୟତର କୁଟୁଣୀ, ରୁମ୍ଭାତି, ପଦାସାହି, ମେଡିୟମ୍, ଖିଲାମୁଣ୍ଡା, ବାଙ୍କକଣ୍ଡା, ବାଙ୍କଡେ, ଡାଙ୍ଗସିଂ ଗାଁର ଲୋକ ଆଜି ଜଙ୍ଗଲ ଚଢିବା ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଥିଲା। କିନ୍ତୁ ସମସ୍ଯାର କୌଣସି ସମାଧାନ ହୋଇନାହିଁ।
ଏବେବି ବିଜେଡି ଓଡ଼ିଶାର ଏକ ନମ୍ବର ଦଳ : ନବୀନ
ଭୁବନେଶ୍ବର : ପୁଣ୍ଯାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଆରମ୍ଭ ହୋଇଛି ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ । ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ନବୀନ ବିଜେଡିର ପ୍ରଥମ ସଦସ୍ୟ ହୋଇଛନ୍ତି । ଦସ୍ତଖତ କରି ଏକାମ୍ର ଭୁବନେଶ୍ୱରରୁ ସେ ଏହି ସଦସ୍ୟତା ଗ୍ରହଣ କରିଛନ୍ତି । ନବୀନଙ୍କୁ ସଦସ୍ୟ କରାଇଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଉଭୟ ଅନଲାଇନ ଓ ମାନୁଆଲି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ।
ଏହି ଅବସରରେ ସେ କହିଛନ୍ତି, ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ, ତ୍ୟାଗ ଓ ସେବାର ପ୍ରତୀକ । ଆଜିଠାରୁ ବିଜେଡିର ସଦସ୍ୟତା ଅଭିଯାନ ଆରମ୍ଭ ହେଲା । ଏହା ଏକ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାମ । ଯାହା ଦଳକୁ ମଜବୁତ କରେ । ସଦସ୍ୟ କରିବା ପାଇଁ ପ୍ରତି କର୍ମୀ ଘରକୁ ଯାଆନ୍ତୁ । ବିଦେଶରେ ଓ ଓଡ଼ିଶା ବାହାର ଲୋକଙ୍କୁ ବି ବିଜେଡିରେ ସାମିଲ ହେବାକୁ ସେ ନିମନ୍ତ୍ରଣ କରିଛନ୍ତି । କିଛି ଦଳ ମିସଡ କଲ କରି ସଦସ୍ୟ କରୁଛନ୍ତି । ବିଜୁ ଜନତା ଦଳ ମିସଡକଲଠୁ ବହୁ ଦୂରରେ ରହିଛି । ସ୍ବାଭିମାନ ଓ ସଂଗ୍ରାମ ହେଉଛି ବିଜେଡିର ଆଦର୍ଶ । ଓଡ଼ିଶାବାସୀଙ୍କ ସେବା, ଓଡ଼ିଆ ଜାତିର ସ୍ବାଭିମାନର ସୁରକ୍ଷା ଓ ଓଡ଼ିଶାର ସ୍ବାର୍ଥ ପାଇଁ ବିଜୁ ବାବୁ ଶେଷ ପର୍ଯ୍ଯନ୍ତ ଲଢେଇ କରିଥିଲେ । ବିଜେଡି ସରକାର ସମୟରେ ରାଜ୍ଯରେ ବହୁ ଭଲକାମ ହୋଇଛି । ବିଜେଡି ସରକାରର ଯୋଜନା ଅନ୍ଯମାନଙ୍କ ପାଇଁ ମଡେଲ ହୋଇଛି । ଭାରତ ସରକାର ମଧ୍ଯ ଆମ ଯୋଜନାକୁ ଅନୁକରଣ କରିଛନ୍ତି । ବିଜେଡି ସରକାର ଆରମ୍ଭ କରିଥିବା ବିକାଶ କଲ୍ଯାଣ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ । ଏବେବି ବିଜେଡି ଓଡ଼ିଶାର ଏକ ନମ୍ବର ଦଳ । ସାଧାରଣ ନିର୍ବାଚନରେ ବିଜେଡିକୁ ଲୋକ ଅଧିକ ଭୋଟ ଦେଇଛନ୍ତି । ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ଅଛି । ଓଡ଼ିଶାବାସୀଙ୍କ ଗୌରବ ପାଇଁ ବିଜେଡି ସମର୍ପିତ ଭାବେ କାମ କରୁଛି । ସମସ୍ତେ ଗର୍ବର ସହ ଆମେ ବିଜୁ ଜନତା ଦଳର କର୍ମୀ, ଓଡ଼ିଶା ମାଆର ସେବକ କହିବାକୁ ନବୀନ ଆହ୍ବାନ ଦେଇଛନ୍ତି । ଏହାସହିତ ପୂଜା ଅବସରରେ ଅଭିନନ୍ଦନ ଜଣାଇଛନ୍ତି ।
ଆସନ୍ତା ୨ ମାସ ପର୍ଯ୍ଯନ୍ତ ସଦସ୍ଯତା ସଂଗ୍ରହ ଅଭିଯାନ ସାରା ରାଜ୍ଯରେ ଚାଲିବ । ପର୍ଯ୍ଯାୟକ୍ରମେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଆଗେଇବ । ଉଭୟ ଫିଜିକାଲି ଓ ଡିଜିଟାଲ ମାଧ୍ୟମରେ ସଦସ୍ୟଙ୍କୁ ଯୋଡ଼ା ଯିବ । ଡିଜିଟାଲରେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟଙ୍କ ଘରକୁ ଘର ଯାଇ ଯୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଥର ଏକ କୋଟି ୯୧ ହଜାର ୯୧୫ ସଦସ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ । ଏଥର ମଧ୍ୟ ଅଧିକ ସଦସ୍ୟତା ସଂଗ୍ରହ କରିବା ପାଇଁ ବିଜେଡି ଟାର୍ଗେଟ ରଖିଛି ।
୨ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ଯା
ସୁନ୍ଦରଗଡ଼ : ୨ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ଯା । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଲମତି ଗାଁରେ ଘଟିଛି ବର୍ବରକାଣ୍ଡ । ମୃତକ ହେଲେ ୨୫ ବର୍ଷୀୟ ଶୈଳେନ୍ଦ୍ର ମାଝୀ । ଅଭିଯୋଗ ଅନୁସାରେ ବାହାର ରାଜ୍ଯକୁ କାମକରି ଯିବାକୁ ଶୈଳେନ୍ଦ୍ର ଭୁଲରୁ ମାଝୀଙ୍କଠାରୁ ୨ ହଜାର ଟଙ୍କା ଅଗ୍ରୀମ ଆଣିଥିଲେ । ହେଲେ ପରିବର୍ତ୍ତୀ ସମୟରେ ଶୈଳେନ୍ଦ୍ର କାମକରି ଯିବାକୁ ମନା କରିଦେଇଥିଲେ । ନେଇଥିବା ଅଗ୍ରୀମ ଟଙ୍କା ନଫେରାଇବାରୁ ଉଭୟଙ୍କ ମଧ୍ଯରେ ପାଟିତୁଣ୍ଡ ହୋଇଥିଲା । ପରେ ଭୁଲରୁ ମାଝୀ ଶୈଳେନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଶୈଳେନ୍ଦ୍ରଙ୍କୁ ଦୁଇ ଯୁବକ ଡାକ୍ତରଖାନା ନେଉଥିବାବେଳେ ଅଧାରାସ୍ତାରେ ଦୁର୍ଘଟଣାର ଶୀକାର ହୋଇଥିଲେ । ସେଠାରେ ଶୈଳେନ୍ଦ୍ରଙ୍କର ମୃତ୍ଯୁ ହୋଇଥିବାବେଳେ ଦୁଇ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।
ମିଳିଲା ଅପହୃତ ଯବାନଙ୍କ ମୃତଦେହ
ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରୁ ମିଳିଲା ଅପହୃତ ହୋଇଥିବା ଯବାନଙ୍କ ମୃତଦେହ। ଭାରତୀୟ ସେନାର ବରିଷ୍ଠ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି। ଟେରିଟୋରିଆଲ ଆର୍ମିର ୧୬୧ ୟୁନିଟର ଦୁଇ ଯବାନଙ୍କୁ ଅପହରଣ କରିନିଆଯାଇଥିଲା। ଗତ ଅକ୍ଟୋବର ୮ରୁ ଆରମ୍ଭ ହୋଇଥିବା ଅପରେସନ ବେଳେ ଅନନ୍ତନାଗର ଜଙ୍ଗଲ ଇଲାକାରୁ ସେମାନଙ୍କୁ ଅପହରଣ କରିନିଆଯାଇଥିଲା। ସେମାନଙ୍କ ମଧ୍ଯରୁ ଜଣେ ଖସିଆସିଥିବାବେଳେ ଅନ୍ଯଜଣେ ନିଖୋଜ ଥିଲେ। ଖସିଆସିଥିବା ଯବାନଙ୍କ ଦେହରେ ଦୁଇଟି ଗୁଳି ବାଜିଥିଲେ ବି ସେ ବର୍ତ୍ତି ଯାଇଥିଲେ। ତାଙ୍କୁ ତୁରନ୍ତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ଥିବା ସୂଚନା ମିଳିଛି। ପରେ ଅନ୍ଯ ଜଣେ ନିଖୋଜ ଯବାନଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଥିଲା। ଏହି ଅପରେସନରେ ସେନା ଓ ଜମ୍ମୁ ଓ କାଶ୍ମୀର ପୋଲିସ ସାମିଲ ଥିଲେ। ଅନନ୍ତନାଗର ପଥ୍ରୀବାଲ ଅଞ୍ଚଳରୁ ତାଙ୍କ ଗୁଳିବଦ୍ଧ ଶରୀର ମିଳିଥିଲା। ଗତ ଅଗଷ୍ଟରେ ଅନନ୍ତନାଗରେ ସମଧରଣର ଘଟଣାରେ ୨ ଜଣ ଯବାନ ପ୍ରାଣ ହରାଇଥିବାବେଳେ ୩ ଜଣ ଆହତ ହୋଇଥିଲେ।
ବିଦ୍ୟୁତ ଟାୱାରରେ ଚଢ଼ି ଜଳିଗଲେ ଯୁବକ
ଚାନ୍ଦବାଲି : ବିଦ୍ୟୁତ ଟାୱାରରେ ଚଢ଼ି ଜଳିଗଲେ ଯୁବକ । ଧାମରା ବନ୍ଦର ନିକଟରେ ଘଟିଛି ଏଭଳି ଛାତିଥରା ଘଟଣା । ଯାହାର ପୂରା ଦୃଶ୍ଯ କଏଦ ହୋଇଛି ମୋବାଇଲ କ୍ଯାମେରାରେ । ମୃତକଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି । ସେ ଧାମରା ବନ୍ଦରରେ କାମ କରୁଥିଲେ । ଗତକାଲି ସନ୍ଧ୍ଯାରେ ଧାମରା ବନ୍ଦରକୁ ଯାଇଥିବା ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ ଟାୱାରରେ ସେ ଚଢିଯାଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ବହୁ ଚେଷ୍ଟା ପରେ ବି ସେ ତଳକୁ ଓହ୍ଲାଇନଥିଲେ । ରାତିସାରା ଟାୱାର ଉପରେ ରହିବା ପରେ ସକାଳେ ତଳକୁ ଓହ୍ଲାଉଥିବାବେଳେ ବିଦ୍ଯୁତ ତାର ସଂସ୍ପର୍ଶ ରେ ଆସି ଜଳିଯାଇଥିଲେ । ଲୋକଙ୍କ ଆଖି ଆଗରେ ଜଳିଯାଇଥିଲେ ଯୁବକ । ତେବେ ଯୁବକ ଜଣଙ୍କ କାହିଁକି ଟାୱାର ଉପରକୁ ଚଢିଥିଲେ ସେନେଇ ସ୍ପଷ୍ଟ କାରଣ ଜଣାପଡ଼ିନଥିବାବେଳେ ତାଙ୍କ ମାନସିକ ବିକୃତି ଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ।
ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ପରଲୋକ
କଳାହାଣ୍ଡି : ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ପରଲୋକ ହୋଇଛି । ୮୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ହୃଦଘାତ ହେବାରୁ ପରିବାର ଲୋକ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧନେଶ୍ବରଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଧନେଶ୍ବର । ସେ ରାଜ୍ଯସଭା ସାଂସଦ ଭାବେ ମଧ୍ଯ ନିର୍ବାଚିତ ହୋଇଥିଲେ ।

