spot_img
Home Blog Page 1511

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ

ହାଇଦ୍ରାବାଦ : ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ। ତେଲଙ୍ଗାନା ହାଇକୋର୍ଟ ଅଲ୍ଲୁଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ତଳ କୋର୍ଟ ଅଲ୍ଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଗତ ୪ ତାରିଖ ରାତିରେ ହାଇଦ୍ରାବାଦର ଏକ ସିନେମା ହଲରେ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଶୋ ଚାଲିଥିଲା। ଏହି ସମୟରେ ଶୋ’ ଦେଖିବାକୁ ବହୁ ଦର୍ଶକ ଭିଡ଼ ଜମାଇଥିଲେ। ତେବେ ଶୋ’ ଆରମ୍ଭ ହେବା ପୂର୍ବରୁ ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚିଥିଲେ। ଅଲ୍ଲୁଙ୍କୁ ଦେଖିବା ଲାଗି ଲୋକଙ୍କ ମଧ୍ୟରେ ହଠାତ ଠେଲାପେଲା ହେବାରୁ ଦଳାଚକଟା ଘଟିଥିଲା। ଏଥିରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଏହି ମାମଲାରେ ପୋଲିସ ଅଲ୍ଲୁଙ୍କୁ ଗିରଫ କରିଥିଲା ।

ଆସନ୍ତା ୧୭ ତାରିଖରୁ ରତ୍ନ ଭଣ୍ଡାର ମରାମତି ନିଷ୍ପତ୍ତି, ବାହାର କାଠରୁ ଶ୍ରୀଜିୟୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ଆସନ୍ତା ୧୭ ତାରିଖରୁ ରତ୍ନ ଭଣ୍ଡାର ମରାମତି ନିଷ୍ପତ୍ତି । ଦ୍ବିତୀୟ ଭୋଗ ମଣ୍ଡପ ପରେ ୫ଘଣ୍ଟା ପର୍ଯ୍ୟନ୍ତ ମରାମତି ପାଇଁ ସମୟ ଧାର୍ଯ୍ୟ । ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ ପ୍ରସ୍ତୁତ । ଗତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରତ୍ନ ଭଣ୍ଡାର ମରାମତି ନେଇ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି ଲକ୍ଷ୍ୟ ରଖାଯାଇଥିବାବେଳେ ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗ ଦର୍ଶିକା ଅନୁସାରେ କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି । ମରାମତି ସମୟରେ ଭକ୍ତ ଶ୍ରଦ୍ଧାଳୁ ବାହାର କାଠରୁ ଶ୍ରୀଜିୟୁଙ୍କୁ ଦର୍ଶନ କରିପାରିବେ । ଏ ନେଇ ସ୍ବତନ୍ତ୍ର ବୈଠକ କରାଯାଇଥିବାବେଳେ ମରାମତି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲପାଳ ମତ ରଖିଛନ୍ତି ।

ମରାମତି ସମୟରେ ସାଧାରଣ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିଥିବା ଯୋଗୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ବ୍ୟାପକ ଫୋର୍ସ ମୁତୟନ କରାଯିବ । ମରାମତି ପାଇଁ ଏଏସଆଇ ଓ ଅଧିକୃତ ଅଧିକାରୀ,ସେବାୟତଙ୍କ ମାର୍ଗ ଦର୍ଶିକା ଅନୁସାରେ ଯାଞ୍ଚ କରାଯିବ । ଭକ୍ତ ମାନେ ଯେଉଁଭଳି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ଅନ୍ୟପଟେ ମରାମତି କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ସେବାୟତଙ୍କ ପକ୍ଷରୁ ଯୋଗାଇ ଦିଆଯିବା ନେଇ ମତ ପ୍ରକାଶ ପାଇଛି । ମରାମତି ପରେ ରତ୍ନ ଭଣ୍ଡାରର ଗଣତି ମଣତି ଶୀଘ୍ର ଶେଷ କରିବାକୁ କୁହାଯାଇଛି । ଶ୍ରୀ ମନ୍ଦିର ଦ୍ୱାର ପିଠା ନୀତି ଠାରୁ ଦ୍ୱାର ବନ୍ଦ ନୀତି ପର୍ଯ୍ୟନ୍ତ ସମସ୍ତ ନୀତି କାନ୍ତି ଶୃଙ୍ଖଳିତ ଭାବେ କରାଯାଇପାରିଲେ ଭଣ୍ଡାର ଘର ମରାମତି ପାଇଁ ଆବଶ୍ୟକୀୟ ସମୟ ମିଳିପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି ।

ଆପଣ ଅନଲାଇନ ଗେମ ଖେଳୁଛନ୍ତି କି ? ତେବେ ହୋଇଯାନ୍ତୁ ସାବଧାନ

ଭୁବନେଶ୍ବର : ଆପଣ ଅନଲାଇନ ଗେମ ଖେଳୁଛନ୍ତି କି ? ୨୪ ଘଣ୍ଟା ଫୋନ ଧରି ବସୁଛନ୍ତି କି ? ତେବେ ଆଜିଠାରୁ ହୋଇଯାନ୍ତୁ ସାବଧାନ । ମଜା ବଦଳରେ ମିଳିପାରେ ସାଙ୍ଘାତିକ ସଜ୍ଜା । ଭୁବନେଶ୍ୱର ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଭଡା ଘରେ ଚାଲିଥିବା ଗେମିଙ୍ଗ ଆପ୍ କଲ୍ ସେଣ୍ଟର ପ୍ରସଙ୍ଗରେ ଅଟକ ଥିବା ଚାରିଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସମସ୍ତେ ରାଜ୍ୟ ବାହାରୁ ଆସି ଭୁବନେଶ୍ୱରରେ ଡେରା ପକାଇଥିଲେ । ସହର ଉପକଣ୍ଠରେ ଥିବା ଆପାର୍ଟମେଣ୍ଟକୁ ସେଫ ପ୍ଲେସ ଭାବେ ବାଛିଥିଲେ । ସାଇବର ଠକଙ୍କ ମାଷ୍ଟରମାଇଣ୍ଡ ଥିଲା ଜଣେ ବିଟେକ୍ ଛାତ୍ର । ଭଲକରି ଦେଖନ୍ତୁ ଏହି ଆପାର୍ଟମେଣ୍ଟରେ ଗଛିତ ଥିବା ଏହି ମୋବାଇଲ ଗୁଡିକୁ । କେବଳ ସେତିକି ନୁହେଁ, ଚଢାଉ ବେଳେ ୨ ଟି ଡେସ୍କଟପ ସହ ଗୋଟେ ଲାପଟପ, ୨୦ ଟି ମୋବାଇଲ ଫୋନ୍, ୪ ପାସପୋର୍ଟ ସହ ପୁଳାପୁଳା ସିମ କାର୍ଡ ଜବତ କରିଛି ପୋଲିସ । ଦୀର୍ଘ ୬ ମାସ ହେଲା ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଚାଲିଥିଲା ଏହି ଅପରାଧୀଙ୍କ  ସାଇବର କ୍ରାଇମ୍ ସିଣ୍ଡିକେଟ । ସାଇବର ଠକଙ୍କ ଲିଙ୍କ ଦୁବାଇକୁ ଜଣାପଡିବା ପରେ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ସ୍ପେଶାଲ ଟିମ ।

କେବଳ ଗେମିଙ୍ଗ ଆପ ନୁହଁ, ବିଭିନ୍ନ ଆଳରେ ଟଙ୍କା ଲୁଟି ନେଉଛନ୍ତି ଠକ। ବିଧାନସଭା ତଥ୍ୟ ମୁତାବକ ୩ ବର୍ଷରେ ୧୨୫ କୋଟି ଓଡିଶାରୁ ଲୁଟିନେଲେଣି ଲୁଟେରା । ୬ ହଜାର ୩୬୮ ଟି ମାମଲା ବଳରେ ୧୩୮୮ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ସାଇବର କ୍ରାଇମ କୋଡିନେସନ ସେଣ୍ଟର ତଥ୍ୟ ମୁତାବକ  ୨୦୨୪ ମସିହା ଜାନୁଆରୀ ୧ ରୁ ସେପ୍ଟେମ୍ବର ଶେଷ ସୁଦ୍ଧା ସାରା ଦେଶରୁ ୧୧ ହଜାର ୩ ଶହ ୩୩ କୋଟି ଟଙ୍କା ହରାଇଛନ୍ତି ଲୋକେ।  ଷ୍ଟକ ଟ୍ରେଡିଂ ରେ ସର୍ବାଧିକ ୪ ହଜାର ୬୩୬ କୋଟି ଟଙ୍କା ଗୋଲ କରିଦେଇଛନ୍ତି ଅଦୃଶ୍ୟ ଠକ । ଫିଜିକାଲ କ୍ରାଇମ ଠାରୁ ଏବେ ସାଇବର କ୍ରାଇମ ବଢୁଛି । ଏଣୁ ଇଜି ମନି ପାଇବା ଆଶାରେ ଭୁଲ ନକରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ସେପଟେ ଗେମିଙ୍ଗ ଜରିଆରେ ଠକେଇ ଘଟଣାରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତନାଘନା କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ବ୍ରହ୍ମପୁର ସହରରେ ବଢୁଛି ମଶାଙ୍କ ପ୍ରାଦୁର୍ଭାବ

ବ୍ରହ୍ମପୁର : ବ୍ରହ୍ମପୁରବାସୀଙ୍କ ହଜିଗଲାଣି ନିଦ । ମଶାଙ୍କ ପାଇଁ ସମସ୍ୟାରେ ଜୀବନ । ବାହାରେ ତ ଦୂରର କଥା ଘର ଭିତରେ ବି ରହିବା ହୋଇ ପଡିଛି ମୁଶକିଲ । ମଶାରି ଟାଙ୍ଗିଲେ ମଧ୍ୟ ମଶାଙ୍କ ଠାରୁ ମୁକ୍ତି ମିଳୁନି । ସହରରେ ଦିନକୁ ଦିନ ମଶାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ହେଲେ ମହାନଗର ନିଗମ ଅଧିକାରୀ ମାନେ ନିରଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ମହାନଗର ନିଗମରେ ଏକ ବଡ଼ ଟିଫା ମେସିନ୍ ଅଛି। କିନ୍ତୁ ବିଭିନ୍ନ ବାହାନରେ ତାକୁ ବ୍ୟବହାର କରାଯାଉ ନାହିଁ। ସେହିଭଳି ହାତ ମେସିନ୍ ମଧ୍ଯ କିଣାଯାଇଛି । ହେଲେ ସେଗୁଡିକର ବ୍ୟବହାର ହେଉନାହିଁ ।  ଫଳରେ ମଶା ବଂଶ ବୃଦ୍ଧି ପାଉଛି। ସହରବାସୀ ମାଲେରିଆ ଏବଂ ଡେଙ୍ଗୁ ଆକ୍ରାନ୍ତ ହେବା ଆଶଙ୍କାରେ ଦିନ କାଟୁଛନ୍ତି।

ବ୍ରହ୍ମପୁର ସହର ପାଇଁ ଏକ ଟିଫା ମେସିନ୍ ୨୦୧୯ରେ କିଣାଯାଇଥିଲା। କିଛିଦିନ ଏହି ଟିଫା ମେସିନ୍ ସହରସାରା ବୁଲୁଥିଲା । କିନ୍ତୁ ଏଥିରେ ବ୍ୟବହାର ହେଉ ଥିେବା ସ୍ଵତନ୍ତ୍ର ତେଲ ନାହିଁ ।  ସହର ରେ ୪୨ଟି ୱାର୍ଡ ପାଇଁ ଗୋଟିଏ ମେସିନ୍ ନିଅଣ୍ଟ ହେଉଛି। ଏଡାଛଡ଼ା ୪୦ଟି ଛୋଟଛୋଟ ହ୍ୟାଣ୍ଡ ପମ୍ପିଙ୍ଗ ମିସିନ୍ ମଧ୍ୟ କିଣା ଯାଇଛି  । ହେଲେ ସେଗୁଡ଼ିକ ଏବେ କେଉଁଠି ତାର କୌଣସି ଖବର ନାହିଁ। ଦିନକୁ ଦିନ ମଶାଙ୍କ ସାନ୍ଦ୍ରତା ବଢ଼ିବାରେ ଲାଗିଛି। କେବଳ ଏତିକି ନୁହଁ, ନାଳ ନର୍ଦ୍ଦମା ଗୁଡ଼ିକ ମଧ୍ୟ ନିୟମିତ ସଫା କରାଯାଉନଥିବା ଅଭିଯୋଗ ହୋଇଛି ।  ଯାହା ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି। ମହାନଗର ନିଗମର ଏଭଳି ଅପରାଗତା ଯୋଗୁ ସହରବାସୀ ନାହିଁ ନଥୁବା ଅସୁବିଧା ଭୋଗୁଛନ୍ତି।

ସରକାର ବଦଳିବା ପରେ ଅନ୍ଧାରରେ ଆସିକା ଚିନି ଶିଳ୍ପ, ଆଖୁଚାଷରୁ ମୁହଁ ଫେରାଇଲେଣି ଚାଷୀ

ଆସିକା : ଗଞ୍ଜାମ ଜିଲ୍ଲା ଆସିକାରେ ୧୯୫୬ ମସିହାରେ ସ୍ଥାପିତ ହୋଇଥିଲା ସର୍ବ ବୃହତ ଚିନି ଶିଳ୍ପ । ୧୯୬୩ ମସିହାରୁ ଶିଳ୍ପରୁ ଚିନି ଉତ୍ପାଦନ ହେଉଥିଲା । ପରେ ପରେ ଏହାର କ୍ଷମତା ବୃଦ୍ଧି ହୋଇ ଚିନି ସହ ଅନ୍ଯାନ୍ୟ ପଦାର୍ଥ ଉତ୍ପାଦନ ହୋଇ ଆସୁଛି l  ଚିନି ଶିଳ୍ପ ପ୍ରତିଷ୍ଠା ହେବା ପରଠୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀମାନେ ଆଖୁ ଚାଷ କରି ଶିଳ୍ପକୁ ଯୋଗାଉଥିଲେ । କିନ୍ତୁ କାଳ କ୍ରମେ ଆଖୁ ଚାଷରୁ ଚାଷୀ ମାନେ ମୁହଁ ଫେରାଇଲେଣି l ଚାଷୀଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ମିଳୁ ନଥିବାରୁ ପୂର୍ବ ବର୍ଷ ଭଳି ଆଉ ଆଖୁ ଚାଷ କରୁନାହାଁନ୍ତି ଚାଷୀ । ଫଳରେ ହ୍ରାସ ପାଇଛି ଆଖୁ ପେଡା । ଆଖୁ ଚାଷ ଛାଡି ଧାନ ଚାଷକୁ ଆପଣାଇ ନେଇଛନ୍ତି ଚାଷୀ । ସେପଟେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଆସିକା ଚିନି ଶିଳ୍ପର ପୁନରୁଉଦ୍ଧାର ପାଇଁ ଟାକ୍ସ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାହା ହାସ୍ୟାସ୍ପଦ ସହ ଆଖୁ ଚାଷୀ ଙ୍କୁ ଲଲିପପ ଦେଖାଇଛନ୍ତି ବୋଲି କହିଛନ୍ତି ଚାଷୀ ନେତା।

ପୂର୍ବ ସରକାର ଚିନି ଶିଳ୍ପର ଉନ୍ନତି ପାଇଁ ପାଖାପାଖି ୩୦ କୋଟି ଟଙ୍କା ପ୍ରଦାନ କରିଥିଲେ । ଯାହା ଫଳରେ ଚିନି ଶିଳ୍ପର ଅଗ୍ରଗତି ହୋଇପାରିଛି । ଏବେ ବର୍ତ୍ତମାନର ସରକାର ଚିନି ଶିଳ୍ପର ଅଗ୍ରଗତି ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରି ଟାସ୍କ ଫୋର୍ସ ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାହା କେତେ ଦୂର କାର୍ଯ୍ଯକାରୀ ହେଉଛି ନା ଟାସ୍କ ଫୋର୍ସ ଗଠନ ଗଠନରେ ହି ରହିଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗଜପତିରେ ଧାନ କିଣା ପୂର୍ବରୁ ଦେଖାଦେଇଛି ଅବ୍ୟବସ୍ଥା

ଗଜପତି : ଡିସେମ୍ବର ୨୮ରୁ ଗଜପତିରେ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ଚାଷୀ ନେତା ଓ ମିଲରଙ୍କୁ ନେଇ ପ୍ରସ୍ତୁତି ଆରମ୍ଭ କଲାଣି ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ୪୫ଟି ସୋସାଇଟି ମାଧ୍ୟମରେ ମୋଟ ୧୫ ହଜାର ୪୯୧ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ଧାର୍ଯ୍ଯ ରଖିଛି ଜିଲ୍ଲା ପ୍ରଶାସନ । କିନ୍ତୁ ଧାନ କିଣା ପୂର୍ବରୁ ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ଧାନର ମାନ ଓ ମିଲିଂ ଚାଉଳକୁ ନେଇ ଉପୁଜିଛି ଗମ୍ଭୀର ସମସ୍ୟା । ଗତବର୍ଷ ମିଲରଙ୍କ ଠାରୁ ଚାଉଳ ଆକାରରେ ୪୩ ହଜାର ମେଟ୍ରିକ୍ ଟନ୍ କିଣିବା ଲକ୍ଷ୍ୟ ରଖାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ୨୭ ହଜାର ୩୭୭ ମେଟ୍ରିକ୍ ଟନ୍ ଚାଉଳ କ୍ରୟ କରାଯାଇଛି । ମିଲରଙ୍କ ଠାରେ ପୂର୍ବ ବର୍ଷର ଚାଉଳ ଏଯାଏଁ ଗଚ୍ଛିତ ରହିଛି। ଯାହା ଅକ୍ଟୋବର ସୁଦ୍ଧା ଗୋଦାମକୁ ଆସିବାର ଥିଲା । ତେବେ ମିଲରଙ୍କ ଠାରେ ଏପର୍ଯ୍ଯନ୍ତ ପୂର୍ବ ଗଚ୍ଛିତ ଚାଉଳ ଥିବା ବେଳେ ଏବେ ନୂତନ ଅମଳ କେଉଁଠି ରହିବ ? ତାକୁ ନେଇ ବଢିଛି ସମସ୍ୟା । ସେପଟେ ବର୍ତ୍ତମାନ ସୁଦ୍ଧା ମିଲର୍ସ ନିଜର ସ୍ଵୀକାର ପତ୍ର ବିଭାଗକୁ ଦେଇନାହାଁନ୍ତି । ମିଲିଂ ଚାଉଳ ଉଠାଣ, ପୂର୍ବ ଜମାରାଶି ଫେରସ୍ତ, ଟ୍ରାନ୍ସପୋର୍ଟି ଦର ବୃଦ୍ଧି  ଭଳି ଅନେକ ଦାବି ପୂରଣ ନ ହେଲେ ସ୍ବୀକାର ପତ୍ର ଦିଆଯିବ ନାହିଁ  ବୋଲି ସିଧାସଳଖ ସମୀକ୍ଷା ବୈଠକରେ ପ୍ରକାଶ କରିଛନ୍ତି ମିଲର ।

ସେପଟେ କଳାହାଣ୍ଡିରେ କଟନି ଛଟନିରେ ଚାଲିଛି ଧାନ କିଣା । ଚଳିତ ବର୍ଷ ୨୨୩ଟି ମଣ୍ଡି ମାଧ୍ଯମରେ ପ୍ରଥମ ପର୍ଯ୍ଯାୟରେ 50ଲକ୍ଷ 80ହାଜର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ଯ ରଖିଛି ଜିଲ୍ଲା ପ୍ରଶାସନ । ହେଲେ କେଉଁଠି ମଣ୍ଡି ଖାଲି ତ ଆଉ କେଉଁ ମଣ୍ଡିରେ ପଡ଼ି ରହିଛି ଧାନ ତ ଆଉ କେଉଁ ଚାଷୀ ନିଜ ବିଲରେ ଧାନ ରଖି ଶୀତ କାକରରେ ଦିନ ବିତାଉଛି । ନଭେମ୍ବର ୨୯ ତାରିଖରେ ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଘୋଟିଆ ମଣ୍ଡିରେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି ୫ କେଜି ଓ ବସ୍ତା ବାବଦକୁ ୨କେଜି ସମୁଦାୟ ୭ କେଜି କଟନି ପରେ ଚାଷୀଙ୍କ ଧାନ କିଣା ଯାଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଧାନକିଣାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ମିଲର  ଏବଂ ଜିଲ୍ଳା ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ଏବେ ଚାଷୀ ଅଭାବୀ ବିକ୍ରିର ଶିକାର ହେବା ଆଶଙ୍କା ଦେଖାଦେଇଛି ।

ଭୁବନରେ ଶିକ୍ଷା ବିଭାଗର ମୁକୁଳା ଚିତ୍ର, କେଉଁଠି ଫାଟକ ଅଛି ତ ପାଚେରୀ ନାହିଁ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନରେ ଶିକ୍ଷା ବିଭାଗର ମୁକୁଳା ଚିତ୍ର । କେଉଁଠି ଫାଟକ ଅଛି ପାଚେରୀ ନାହିଁ । ତ ଆଉ କେଉଁଠି ତାର ବାଡ ପଡିଛି । ଭୁବନ ବ୍ଲକ ଓ ଏନଏସିରେ ମୋଟ ୧୧୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ରହିଛି । ହେଲେ ଅନେକ ସ୍କୁଲରେ ପାଚେରୀ, ଶୌଚାଳୟ ଓ ପାନୀୟ ଜଳ ମୁଖ୍ୟ ସମସ୍ୟା ପାଲଟିଛି । ଦେଖନ୍ତୁ ଏହି ଦୃଶ୍ୟକୁ ଏ ହେଉଛି ଭୁଷଳ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗାଁର ଶୁଣ୍ଡିକାଟେଣୀ ପ୍ରାଥମିକ ବିଦ୍ଯାଳୟ । ଯେଉଁଠାରେ ମୂଖ୍ୟ ଫାଟକ ଅଛି ହେଲେ ପାଚେରୀ ନାହିଁ। ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ପାଚେରୀ ନଥିବାରୁ ସ୍କୁଲ ପରିସରକୁ ଗାଈ ଗୋରୁ ପସି ଆସୁଛନ୍ତି । ସ୍କୁଲ ନିକଟରେ ଜଙ୍ଗଲ ଥିବାରୁ ଅନେକ ସମୟରେ ଜଙ୍ଗଲୀ ଜନ୍ତୁମାନେ ବିଦ୍ୟାଳୟ ଭିତରକୁ ଆସିଥିବାରୁ ଏକ ପ୍ରକାର ଭୟରେ ଛାତ୍ରଛାତ୍ରୀ । ପିଇବା ପାଣିର ସୁବିଧା ନଥିବାରୁ ମଧ୍ୟାହ୍ନ ଭୋଜନ ତିଆରି କରିବାରେ ଅସୁବିଧା ହେଉଥିବା ନେଇ ଅଭିଯୋଗ ହୋଇଛି ।

ସେହିପରି ଭୁବନ ବ୍ଲକ ଦୟଣାବିଲ ପଞ୍ଚାୟତର ପ୍ରାଥମିକ ସ୍କୁଲ ଜାତୀୟ ରାଜପଥ କଡରେ ରହିଥିବା ବେଳେ ଏହି ସ୍କୁଲରେ ପାଚେରୀ ନାହିଁ । ନୂଆ ବଜାର ସ୍ଥିତ ବାଳିକା ପ୍ରାଥମିକ ବିଦ୍ୟାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଅନୁରୂପ ଭାବରେ ଗଡନୃସିଂହ ପ୍ରସାଦ, ଅନନ୍ତପୁର, ଭୁଷଳ , ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ଯାଳୟରେ ପାଚେରୀ ଓ ଫାଟକ ନାହିଁ । ଯାହା ଫଳରେ ବିଦ୍ଯାଳୟ ପରିସରଟି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଥିବା ଅଭିଯୋଗ । ସେପଟେ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ କହିଛନ୍ତି ।

ପୁରୁଷୋତ୍ତମପୁରରେ ଭୁଶୁଡିଛି ପରିମଳ ବ୍ୟବସ୍ଥା, ରାସ୍ତାରେ ପଡିଛି କୁଢକୁଢ ଅଳିଆ

ବ୍ରହ୍ମପୁର : ଭୁଶୁଡି ପଡିଛି ପରିମଳ ବ୍ଯବସ୍ଥା । ରାସ୍ତା କଡରେ ପଡିଛି କୁଢକୁଢ ଅଳିଆ । ମୁକୁଳା ପଡିଛି ଡ୍ରେନ । ସ୍ଵଚ୍ଛତା ପ୍ରତି ଦୃଷ୍ଟି ଦେଉନାହାନ୍ତି ଏନଏସି କର୍ତ୍ତୃପକ୍ଷ । ଏ ହେଉଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିର ଅବସ୍ଥା । ସହରକୁ ପ୍ରତ୍ଯେକ ଦିନ ହଜାର ହଜାର ଲୋକ ଆସିଥାନ୍ତି । ମାତ୍ର ସହରର ସ୍ଵଚ୍ଛତା ପ୍ରତି ଦୃଷ୍ଟି ଦେଉନାହାନ୍ତି ଏନଏସି କର୍ତ୍ତୃପକ୍ଷ । ସହରର ଏଣେ ତେଣେ ଆବର୍ଜନା ପଡିବା ସହିତ ଡ୍ରେନ ଯାକ ସଫାସୁତରା ହେଉନଥିବାରୁ ମଶା ମାଛିଙ୍କ ସଂଖ୍ଯା ବଢିବାରେ ଲାଗିଛି । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଡିକାଲ ପାଖରେ ଥିବା ଶୌଚାଳୟ ମଧ୍ଯ ଅପରିଷ୍କାର ହୋଇ ପଡିଛି । ଫଳରେ ମେଡିକାଲକୁ ଆସୁଥିବା ରୋଗୀଙ୍କ ସମେତ ସଂପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବ ସରକାରଙ୍କ ସମୟରେ ସହର ସଫାସୁତରା ରହୁଥିବା ବେଳେ ଏବେ ୫ ମାସରୁ ଅଧିକ ଦିନ ହେବ ଅଳିଆ ଆବର୍ଜନାରେ ସହର ପୋତି ହୋଇ ପଡିଛି ବୋଲି ଅଞ୍ଚଳବାସୀ କହିଛନ୍ତି ।

ଖାଲି ସେତିକି ନୁହେଁ ସହରରେ ମଶା ମାରିବା ପାଇଁ ଗ୍ଯାସର ଉପଯୋଗ କରାଯାଉନଥିବା ଅଭିଯୋଗ । ଏନେଇ ସହରବାସୀ ବାରମ୍ବାର NAC କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ଯ ଏହାର ସମାଧାନ ହୋଇପାରିନାହିଁ । ଆଗାମୀ ଦିନରେ ସହରର ସ୍ଵଚ୍ଛତା ଦିଗରେ ପଦକ୍ଷେପ ନିଆନଗଲେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ପୁରୁଷୋତ୍ତମପୁର ଚେୟାରମ୍ଯାନ କହିଛନ୍ତି ସହରର ପରିମଳ ବ୍ଯବସ୍ଥା ଠିକ ଥିବା ସାଙ୍ଗକୁ ଅଞ୍ଚଳରେ ମଶା ଧୂଆଁ ଗାଡି ବୁଲୁଛି । ଯଦି କେଉଁ ସାହିକୁ ମଶା ଧୂଆଁ ଗାଡି ଯାଉନାହିଁ ତାହାର ସମାଧାନ କିପରି ହୋଇପାରିବ ତାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି l ପୁରୁଷୋତ୍ତମପୁରରେ କେବେ ପରିମଳ ବ୍ଯବସ୍ଥାରେ ସୁଧାର ଆସିବ ତାହା ଉପରେ ସମସ୍ତଙ୍କ ନଜର ।

ବିଶ୍ୱନାଥ ଆନନ୍ଦ ମାତ୍ର ୪ବର୍ଷରେ ଡି. ଗୁକେଶଙ୍କୁ କଲେ ବିଶ୍ୱ ଚାମ୍ପିୟନ

ନନ୍ଦିଘୋଷ ବ୍ୟୁରୋ : କୁହାଯାଏ ଯଦି ଗୋଟେ ପିଲାକୁ ଗୁରୁ ଭଲ ଏବଂ ପ୍ରେରଣାଦାୟୀ ମିଳିଯାଏ, ତେବେ ଶିଷ୍ୟକୁ ତାର ଲକ୍ଷ୍ୟ ହାସିଲ୍ କରିବାକୁ ଅଧିକ ସମୟ ଲାଗେ ନାହିଁ । ଏମିତି ଏକ ଶିଷ୍ୟଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯିଏ କି ନିକଟରେ ବିଶ୍ବ ଚେସ୍ ଚାମ୍ପିୟନର ଟ୍ରଫି ହାସଲ୍ କରିଛନ୍ତି । ଡି ଗୁକେଶ୍ ଛୋଟ ବେଳୁ ହିଁ ବିଶ୍ବ ଚେସ ଚାମ୍ପିୟନ ହେବାର ଲକ୍ଷ୍ୟ ରଖିଥିଲେ । ତାଙ୍କ ଗୁରୁ ବିଶ୍ବନାଥନ୍ ତାଙ୍କୁ ଏଥିରେ ବହୁତ ସହଯୋଗ ମଧ୍ୟ କରିଥିଲେ । ୧୮ ବର୍ଷର ଡି ଗୁକେଶ ଏବେ ତାଙ୍କ ଗୁରୁ ବିଶ୍ବନାଥନଙ୍କ ରେକର୍ଡ ଭାଙ୍ଗି ସର୍ବ କନିଷ୍ଠ ବିଶ୍ବ ଚେସ୍ ଚାମ୍ପିୟନର ଅଧିକାରୀ ହୋଇପାରିଛନ୍ତି ।
ଗୁରୁବାର ଦିନ ସିଙ୍ଗାପୁରରେ ହୋଇଥିବା ବିଶ୍ବ ଚେସ୍ ଚାମ୍ପିୟନର ନିର୍ଣ୍ଣାୟକ ମ୍ୟାଚରେ ୧୪ ବାଜିରେ ନିଜ ପ୍ରତିଦ୍ବନ୍ଦୀ ଚୀନର ଡିଙ୍ଗ୍ ଲିରେନଙ୍କୁ ହରାଇ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ୧୮ ବର୍ଷ ବୟସରେ ବିଶ୍ବବିଜେତା ହେବାର ଗୌରବ ହାସଲ କରିପାରିଛନ୍ତି । ତାଙ୍କର ଏହି ଗୌରବ ଚେସ୍ ଇତିହାସରେ ଏକ ନୂଆ ଯୁଗ ସୃଷ୍ଟି କରିବା ସହ ଚେସ୍ ଖେଳାଳୀଙ୍କୁ ଆହୁରି ଅଧିକ ପ୍ରେରଣା ଯୋଗାଇଛି । ଡି ଗୁକେଶ ଗୁରୁ ବିଶ୍ବ ଚେସ୍ ବିଜେତା ତଥା କିମ୍ବଦନ୍ତୀ ଷ୍ଟାର୍ ଚେସ୍ ଖେଳାଳି ବିଶ୍ବନାଥ ଆନନ୍ଦଙ୍କ କୀର୍ତ୍ତିକୁ ଆଗକୁ ବଢାଇବେ । ବିଶ୍ବନାଥ ଆନନ୍ଦଙ୍କ ପରେ ଡି ଗୁକେଶ ଏହି ଟ୍ରଫି ହାସଲ କରିଥିବା ଦ୍ବିତୀୟ ଭାରତୀୟ । କିମ୍ବଦନ୍ତୀ ଷ୍ଟାର୍ ଚେସ୍ ଖେଳାଳି ବିଶ୍ବନାଥ ଆନନ୍ଦ ତାଙ୍କ କ୍ୟାରିୟରରେ ମୋଟ ୫ ଥର ଏହି ଟ୍ରଫି ହାସଲ କରିଛନ୍ତି । ୫୫ବର୍ଷୀୟ ବିଶ୍ବନାଥ ଆନନ୍ଦ ଚେନ୍ନାଇର ତାଙ୍କ ଚେସ୍ ଏକାଡେମୀରେ ଡି ଗୁକେଶଙ୍କ ପ୍ରତିଭାର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ମାତ୍ର ୪ବର୍ଷରେ ତାଙ୍କୁ ବିଶ୍ବ ଚେସ୍ ଚାମ୍ପିୟନର ଟାଇଟଲ୍ ହାସିଲ୍ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।
ଡି. ଗୁକେଶ ୧୪ବାଜିର ଏହି ମୁକାବିଲାର ଶେଷ ବାଜିରେ ଜରୁରୀ ଥିବା ୭.୫ ପଏଣ୍ଟ ସଂଗ୍ରହ କରି ଥିବା ବେଳେ ଲିରେନ୍ ୬.୫ ପଏଣ୍ଟ ପାଇଥିଲେ । ଖେଳଟି ଧୀରେ ଧୀରେ ଡ୍ର ଆଡକୁ ଯାଉଥିବା ଭଳି ଲାଗୁଥିବା ବେଳେ ଡି ଗୁକେଶ ଶେଷ ବାଜିରେ୭.୫ ପଏଣ୍ଟ କରି ଜିତିଯାଇଥିଲେ । ଏହି ଟାଇଟଲ୍ ଜିତିବା ପରେ ଡି. ଗୁକେଶଙ୍କୁ ୨୫ ଲକ୍ଷ ଡଲାରରୁ ୧୩ ଲକ୍ଷ ଡଲାର୍ ଟଙ୍କା ମିଳିଥିଲା । ଚେନ୍ନାଇର ଡି.ଗୁକେଶ ଏହି ଐତିହାସିକ ବିଜୟ ପରେ କହିଛନ୍ତି ଯେ , ମୁଁ ଗତ ୧୦ବର୍ଷ ଧରି ଏହି ମୂହୂର୍ତ୍ତ୍ବର ସ୍ବପ୍ନ ଦେଖିଆସୁଥିଲି । ମୁଁ ବହୁତ ଖୁସି ଯେ , ବାସ୍ତବରେ ମୋର ସ୍ବପ୍ନକୁ ମୁଁ ସତରେ ପରିଣତ କରିଛି । ମୁଁ ଟିକିଏ ଭାବପ୍ରବଣ ହୋଇଯାଉଛି କାରଣ ମୁଁ ଆଶା କରିନଥିଲି ଜିତିବି ବୋଲି । କିନ୍ତୁ ମୋତେ ଆଗକୁ ବଢିବାର ସୁଯୋଗ ମିଳିଲା । ଜିତିବା ପରେ ଗୁକେଶ ମୁହଁରେ ଖୁସିର ଏକ ବଡ ହସ ତାଙ୍କ ମୁହଁରେ ଦେଖିବାକୁ ମିଳିଥିଲା । ତେବେ ୪ ଘଣ୍ଟାର ଏହି ମ୍ୟାଚର ୫୫ତମ ଚାଲ୍ ରେ ଗୁକେଶଙ୍କ ପ୍ରତିଦ୍ବନ୍ଦ୍ବୀ ଡିଙ୍ଗ୍ ଲିରେନ୍ ଏକ ଭୁଲ୍ କରିଦେଇଥିଲେ ସେ , ଚେସର ହାତୀ ଗୋଟିକୁ ଅଦଳବଦଳ କରିଥିଲେ । ଗୁକେଶ ଏହି ଗୋଟି ଚାଳନାର ତୁରନ୍ତ ଫାଇଦା ଉଠେଇଥିଲେ । ଏବଂ ତା ପରର ୩ଟି ବାଜିରେ ହିଁ ଖେଳ ଶେଷ ହୋଇଗଲା । ଚଳିତ ବର୍ଷର ପ୍ରଥମ ମାସରେ ହିଁ ଗୁକେଶ କ୍ୟାଣ୍ଡିଡେଟ୍ ଟୁର୍ଣ୍ଣାମେଣ୍ଟ ଜିତିବା ପରେ ବିଶ୍ବ ଚେସ୍ ଚାମ୍ପିୟନ ଟାଇଟଲ୍ ଚ୍ୟାଲେଞ୍ଜ କରିଥିବା ସେ ସବୁଠୁ କନିଷ୍ଠ ଖେଳାଳୀ ଥିଲେ ।
ତେବେ ଗୁକେଶ ୨୯ ମେ ୨୦୦୬ ମସିହାରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ଡାକ୍ତର ଥିବା ବେଳେ ମାଆ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଅଟନ୍ତି ।

ଦମଦାର ପ୍ରଦର୍ଶନ ପରେ ମଧ୍ୟ ଦଳରୁ ବିଦା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ  ମ୍ୟାଚ ଆସନ୍ତା ଶନିବାର ଠାରୁ ଗାବା ମଇଦାନରେ ଖେଳାଯିବ ।  ଏହି ମ୍ୟାଚ ପାଇଁ ଅଷ୍ଟେଲିଆ ତାର ପ୍ଲେଇଙ୍ଗ ଇଲେଭେନ ଘୋଷଣା କରିଛି । ବ୍ରିସବେନ ଟେଷ୍ଟ ପାଇଁ ଅଷ୍ଟେଲିଆ ତାର ଦଳରେ ଗୋଟିଏ ପରିବର୍ତ୍ତନ କରିଛି ।  ଡେ ନାଇଟ ମ୍ୟାଚରେ ୫ ଓ୍ବିକେଟ ନେଇଥିବା ପେସ ବୋଲର ସ୍କଟ ବୋଲାଣ୍ଡଙ୍କୁ ଦଳରୁ ବାହାର କରିଦିଆଯାଇଛି । ସେ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରି ଭାରତର ତିନିଜଣ ବଡ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଯଶଶ୍ବୀ ଜୟସ୍ବାଲଙ୍କୁ ଆଉଟ କରିଥିଲେ ।  କିନ୍ତୁ ଏହି ମ୍ୟାଚରେ ତାଙ୍କୁ ଦଳରୁ ବାହାର କରି ଦିଆାଯାଇଛି । ତାଙ୍କ ସ୍ଥାନରେ  ସୁସ୍ଥ ହୋଇ ଫେରିଥିବା ବୋଲର ଜୋଶ୍ ହେଜେଲଉଡଙ୍କୁ ଦଳ ଚୟନ କରିଛି । ଉଭୟ ଦଳ ଦୁଇଟି ମ୍ୟାଚ ଖେଳି ଗୋଟିଏ ଗୋଟିଏ ମ୍ୟାଚ ଜିତିଛନ୍ତି । ପର୍ଥରେ ଖେଳା ଯାଇଥିବା ମ୍ୟାଚରେ ଭାରତ ବିଜୟଲାଭ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୧୦ ଓ୍ବିକେଟରେ ଭାରତକୁ ପରାସ୍ତ କରିଥିଲା ।

ବିସ୍ଫୋରକ ବୋଲର ସ୍କଟ୍ ବୋଲାଣ୍ଡ ଆଡିଲେଡ ଟେଷ୍ଟରେ ୫ଟି ଓ୍ବିକେଟ ନେଇଥିଲେ। ସେ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଙ୍ଗସରେ ଶୁଭମନ୍ ଗିଲ ଓ କ୍ୟାପଟେନ ରୋହିତ୍ ଶର୍ମାଙ୍କୁ ତାଙ୍କ ଶୀକାର କରିଥିଲେ । ଦ୍ବିତୀୟ ପାରିରେ ମଧ୍ୟ ସେ ନିଜର ଭଲ ବୋଲିଙ୍ଗ ବଳରେ ଭାରତର ଓପନର ଯଶସ୍ବୀ ଜୟସଓ୍ବାଲ, ବିରାଟ କୋହଲି ଓ ମହମ୍ମଦ ସିରାଜଙ୍କୁ ଆଉଟ୍ କରି ଭାରତର ପରାଜୟର କାରଣ ସାଜିଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ଦ୍ବିତୀୟ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଥିବା ଜୋଶ୍ ହେଜଲଉଡ ତୃତୀୟ ଟେଷ୍ଟ ପାଇଁ ଦଳକୁ ଫେରିଛନ୍ତି । ହେଜଲଉଡ ଏବେ ପୁରା ଫିଟ୍ ଥିବା ନେଇ ଦଳ ପକ୍ଷରୁ ସୂଚନା ମିଳିଛି ।

ଭାରତ ଓ ଅଷ୍ଟଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଭାରତୀୟ ସମୟ ସକାଳ ୫ଟା ୩୦ମିନିଟରୁ ଖେଳାଯିବ । ବ୍ରିସବେନର ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ୮ମ ଥର ପାଇଁ  ମୁହାଁମୁହିଁ ହେବେ । ଏହି ପିଚରେ ଭାରତର ପ୍ରଦର୍ଶନ ବହୁତ ଖରାପ ରହିଛି ।