spot_img
Home Blog Page 1486

ଅକ୍ଟୋବର ୨ରୁ ୬ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା କରିବ ବିଜେଡି

0

ଭୁବନେଶ୍ୱର: ଶଙ୍ଖ ଭବନରେ ରାଜ୍ୟ ସାଙ୍ଗଠନିକ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବିଜୁ ଜନତା ଦଳର ସୁପ୍ରିମୋ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା । ୩୩ଟି ସାଙ୍ଗଠନିକ ସଭାପତି ମାନଙ୍କ ସହ କୋଡିନେସନ୍ କମିଟିର ଆଲୋଚନା ହୋଇଛି ।

ଆସନ୍ତା ଅକ୍ଟୋବର ୨ତାରିଖ ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା କରାଯିବ ବିଜେଡି । ଦ୍ବିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨୧ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦ ଜିଲ୍ଲା ଓ ୩ ଟି ସଙ୍ଗଠନ ଜିଲ୍ଲାର ଅକ୍ଟୋବର ୯ ତାରିଖରୁ ସଭ୍ୟ ସଂଗ୍ରହ ଅଭିଯାନ ମଧ ଆରମ୍ଭ ହେବ । ଜିଲ୍ଲା ନେତୃତ୍ୱ ଓ ନିର୍ବାଚନ ମଣ୍ଡଳୀର ନେତୃତ୍ୱକୁ ନେଇ କାର୍ଯ୍ୟ କରାଯିବ । ବିଭିନ୍ନ ପ୍ରସଙ୍ଗରେ ଆଜି ଆଲୋଚନା ହୋଇଛି। ନବୀନ ପଟ୍ଟନାୟକ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କଲେ । ଦଳକୁ ଅଧିକ ମଜବୁତ୍ କିପରି କରାଯିବ ସେନେଇ ଆଲୋଚନା ହୋଇଛି ।

ବରିଷ୍ଠଙ୍କ ସହ ନବୀନଙ୍କ ବିଚାର ବିମର୍ଶ, ବିଜେପି ସରକାରର ବିଫଳତା କହିବ ବିଜେଡି

ଭୁବନେଶ୍ୱର: ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି । ଏ ସରକାର ଶହେ ଦିନ ପୂରଣ କରିସାରିଲାଣି । କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଘର ଚଳାଇବା କଷ୍ଟ କରି ଦେଲାଣି । ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ନାରୀ ନିର୍ଯାତନା ବଢି ଚାଲିଛି । ଏପରିକି ସରକାରୀ କର୍ମଚାରୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏ ସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଓଡିଶାରୁ ପୁଞ୍ଜି ଫେରି ଯାଉଛି । ଶିଳ୍ପପତି ମାନଙ୍କର ଓଡିଶା ସରକାର ଭରସା ନାହିଁ । ଏହିପରି ଅନେକ ବିଫଳତା ଶହେ ଦିନର ସରକାରର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବିଜୁ ଜନତା ଦଳ ସଭାପତି  ନବୀନ ପଟ୍ଟନାୟକ କହିଛନ୍ତି ।

ଆଜି ଶଙ୍ଖ ଭବନରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକରେ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି ମିଛ କାହାଣୀ କହି ବିଜେପି ନିର୍ବାଚନରେ ଜିତିଛି । ମିଛ କହି ନିର୍ବାଚନ ଜିତା ଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ସୁଭଦ୍ରା ଯୋଜନା ହେଉ ବା ମାଗଣା ବିଜୁଳି ବା ଭତ୍ତା ବୃଦ୍ଧି, ବିଜେପିର ମିଥ୍ୟା ପ୍ରତିଶୃତି ଆଜି ସାଧାରଣ ଲୋକଙ୍କୁ ହତଚକିତ କରିଛି ବୋଲି ନବୀନ କହିବା ସହ ବିଜେପି ସରକାରର ବିଫଳତା ଓ ମିଛ ପ୍ରତିଶୃତି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଜଣାଇଥିଲେ ।

ନବୀନ କହିଥିଲେ ଯେ ବିଜୁ ଜନତା ଦଳ ଏକ ଦାୟିତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ କାମ କରୁଛି । ଆମ ପାଇଁ ସାଧାରଣ ଲୋକର ସମସ୍ୟାର ସମାଧାନ ଓ ଓଡିଶାର ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଗତ ଚବିଶ ବର୍ଷ ଭିତରେ ବିଜେଡି ସରକାରର ସଫଳତା ବିଷୟରେ ଉଲ୍ଲେଖ କରି ନବୀନ କହିଥିଲେ ୨୦୦୦ ରୁ ୨୦୨୪ ମସିହା ମଧ୍ୟରେ ଓଡିଶାର ମୁଣ୍ଡପିଛା ରୋଜଗାର ସର୍ବାଧିକ ବୃଦ୍ଧି ଘଟିଛି ଯାହାକି ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ ଆଦି ବିଜେପି ଶାସିତ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ ଅଧିକ । ସେହିପରି ମୁଣ୍ଡପିଛା ଋଣ ପରିମାଣ ମଧ୍ୟ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ କମ୍‌ ରହିଛି ।

ଜନ ସମ୍ପର୍କ ପଦଯାତ୍ରା ସମ୍ପର୍କରେ ସୂଚନା ଦେଇ ନବୀନ କହିଥିଲେ ଯେ ପ୍ରତିବର୍ଷ ପରି ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ । ଅକ୍ଟୋବର ୬ ରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷ ହେବ । ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଜାରି ରହିବ । ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅକ୍ଟୋବର ୯ ତାରିଖରୁ ଡିସେମ୍ବର ୯ ତାରିଖ ଦୁଇ ମାସ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଜାରୀ ରହିବ ବୋଲି ଘୋଷଣା କରିଥିଲେ ।

ସୋସିଆଲ ମିଡିଆକୁ ଅଧିକ ସକ୍ରିୟ କରିବା ସହିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ବିପୁଳ ସଫଳତା ଦିଗରେ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ପାଇଁ ନବୀନ ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ପୋଷା ଶୁଆର ମୃତ୍ୟୁ ପରେ ପିଣ୍ଡଦାନ କଲେ ପରିବାର, ଦିଆଗଲା ଗଙ୍ଗାଭୋଜି

ସୁନ୍ଦରଗଡ: ପୋଷା ଶୁଆର ମୃତ୍ୟୁ ପରେ ତାର ଶେଷକୃତ୍ୟ କରିବା ସହ ଅସ୍ଥି ବିସର୍ଜନ କରି ଦ୍ୱାଦଶାହଃ ପିଣ୍ଡଦାନ ଓ ଗଙ୍ଗାଭୋଜି ହୋଇଛି । ଏଭଳି କହି ମଣିଷ ଓ ପକ୍ଷୀମଧ୍ୟରେ ଥିବା ଅନାବିଳ ସମ୍ପର୍କକୁ ସମ୍ମାନ ଦେଇଛନ୍ତି ସୁନ୍ଦରଗଡ ମହାଦେବପଡାର ବିଶ୍ୱଜିତ । ବ୍ରାହ୍ମଣ ମନ୍ତ୍ର ପାଠ କରି ଅମର ଆତ୍ମାର ମଙ୍ଗଳ କାମନା କରିବା ସହ ମୋକ୍ଷ ପ୍ରାପ୍ତି ପାଇଁ ହୋମ କରୁଛନ୍ତି ।

ଏହି ପୂଜା ବିଧି କୌଣସି ମଣିଷ ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ ନୁହେଁ ବରଂ ଏକ ଶୁଆ ର ଆତ୍ମା ମୋକ୍ଷ ପ୍ରାପ୍ତି ପାଇଁ ଚାଲିଛି ପୂଜା । ସମ୍ପୂର୍ଣ୍ଣ ରିତିନୀତି ଅନୁସାରେ ପୂଜା ସରିଲା ପରେ ବ୍ରାହ୍ଣଣ ଭୋଜନ ଏବଂ ତାପରେ ଗଙ୍ଗା ଭୋଜି ଦେଇ ନିଜର କର୍ତବ୍ୟ ସମ୍ପନ୍ନ କରିଛନ୍ତି ବିଶ୍ୱଜିତ ।

୨୮ବର୍ଷ ତଳେ ଦିନେ ହଠାତ ଏହି ଶୁଆ ଉଡିଆସି ବଶ୍ୱଜିତିଙ୍କ ଘରକୁ ଆସିଥିଲା । ସେହିଦିନରୁ ପରିବାର ସଦସ୍ୟ ଭାବରେ ରହିଥିଲା ଶୁଆଟି । ୨୮ବର୍ଷର ଲମ୍ବା ସମୟ ଧରି ଶୁଆଟି ଏକ ପକ୍ଷୀ ଭାବରେ ନୁହେଁ ବରଂ ଘରର ଏକ ସଦସ୍ୟ ଭାବରେ ରହି ଆସିଥିଲା । ଶୁଆର ନା ଦେଇଥିଲେ କୁନୁ  ।

କୁନୁ ଘରର ସୁଖ ଦୁଃଖରେ ସାମିଲ ହେବା ସହ ସମସ୍ତଙ୍କୁ ନିଜର କରିନେଇଥିଲା । ଶୁଆର ମୃତ୍ୟୁ ପରେ ସମସ୍ତେ ମର୍ମାହତ ହୋଇପଡିଥିଲେ । ଶେଷକୃତ୍ୟ ସଂପନ୍ନ କରିବା ପରେ ରିତିନୀତି ଅନୁସାରେ ସମସ୍ତ କ୍ରିୟାକର୍ମ କରିଥିଲେ ପରିବାର ଲୋକ ।

ଓଡିଶାରେ ଆତଙ୍କ ସୃଷ୍ଟି କରିଥିଲେ ବାହାର ରାଜ୍ୟର ଲୁଟେରା, କାବୁ କଲା ପୋଲିସ

ଭୁବନେଶ୍ବର: ଗୁଜୁରାଟରୁ ଆସୁଥିଲେ, ଓଡ଼ିଶାରେ ଲୁଟୁଥିଲେ । ଓଡ଼ିଆ ପିଲାଙ୍କ ସହାୟତାରେ ଓଡିଶା ପୋଲିସର ଛାତିରେ ଛନକା ପୂରାଇ ଦେଇଥିବା ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ସ୍ପେଶାଲ ସ୍କ୍ୱାଡ । ମର୍ଣ୍ଣିଂ ୱାକ ଓ ମନ୍ଦିର ଯାଉଥିବା ମହିଳାଙ୍କୁ ଏମାନେ ଟାର୍ଗେଟ କରୁଥିଲେ ।

ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟ ୩ ଜଣ ହେଉଛନ୍ତି ଅମିତ ଶାଡାଙ୍କେ , ସୁବାସ ପ୍ରଧାନ ଓ ଜିତୁ ପ୍ରଧାନ । ସେମାନଙ୍କଠାରୁ ୮୦ ଗ୍ରାମ ଓଜନର ୮ ଟି ସୁନା ଚେନ, ୫ଟି ଇମିଟେସନ ଚେନ , ଦୁଇଟି ପଲସର ବାଇକ , ୨ଟି ମୋବାଇଲ ଓ ଏକ ଧାରୁଆ ଛୁରୀ ଜବତ କରିଛି ସ୍ପେଶାଲ ସ୍କ୍ୱାଡ଼ । ବଡ଼ଗଡ଼, ଲକ୍ଷ୍ମୀସାଗର, ତମାଣ୍ଡୋ ଅଞ୍ଚଳରେ ଏମାନେ ଚେନ ଝାମ୍ପିବାର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି ।

ଅଭିଯୁକ୍ତଙ୍କ ନାଁରେ ଗୁଜରାଟର ସୁରଟ ବ୍ୟତୀତ ଭୁବନେଶ୍ୱର କଟକରେ ୯ଟି ମାମଲା ରହିଛି । ଲୁଟ ସୁନାକୁ ବନ୍ଧା ପକାଇ ସେହି ଟଙ୍କାରେ ବ୍ରାଣ୍ଡେଡ୍ କପଡା, ଜୋତା ପିନ୍ଧିବା ସହ ମଦ ପିଇ ଲୁଟେରା ଅୟସ କରୁଥିବା କହିଛନ୍ତି କମିଶନର ।

ହଠାତ୍‌ ତଳେ ପଡିଗଲେ କ୍ୟାମେରାମ୍ୟାନ୍‌, ଜୀବନ ବଞ୍ଚାଇଲେ ସାମ୍ବାଦିକ

ସମ୍ବଲପୁର: ରିପୋର୍ଟର କେବଳ ରିପୋର୍ଟିଂ କରନ୍ତି ନାହିଁ, ଆବଶ୍ୟକସ୍ଥଳେ ଜୀବନ ବଞ୍ଚାଇବାକୁଭି ପ୍ରସ୍ତୁତ ହୋଇ ରହିଥାନ୍ତି । ଆମ ସମ୍ବଲପୁର ପ୍ରତିନିଧି ସମୀର ଷଢଙ୍ଗୀ ନ୍ୟୁଜ୍ କଭରେଜ କରୁଥିବା ବେଳେ ହଠାତ୍ କ୍ୟାମେରାମ୍ୟାନ ଦେବରାଜ ବେହେରାଙ୍କୁ ହୃଦଘାତ ହୋଇଥିଲା।

ଦେବରାଜ ବେହୋସ ହୋଇ ତଳେ ପଡିଗଲେ। ସାଙ୍ଗେସାଙ୍ଗେ ଆମ ରିପୋର୍ଟର ସମୀର, ଦେବରାଜଙ୍କୁ ଏକ ସମତଳ ସ୍ଥାନରେ ଶୁଆଇ ଦେଇ ସିପିଆର ଦେବା ଆରମ୍ଭ କରିଦେଇଥିଲେ। ପ୍ରାୟ ୧୦ ମିନିଟରୁ ଅଧିକ ସମୟ ସିପିଆର ଦେବା ପରେ ଦେବରାଜଙ୍କ ଚେତା ଫେରିଥିଲା ଏବଂ ସେ ସୁସ୍ଥ ଅନୁଭବ କରିଥିଲେ।

ରିପୋର୍ଟରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କ୍ଯାମେରା ମ୍ୟାନଙ୍କ ଜୀବନକୁ ତୁରନ୍ତ ଜରୁରୀ ସହାୟତା ମିଳିଥିଲା। ଏହି ଘଟଣା ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଵସ୍ତି ପ୍ରଦାନ କରିଥିଲା।

ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ଭାସିଗଲେ ୩, ଜଣେ ନାବାଳକ ମୃତ

ବାଲେଶ୍ବର: ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଜଣ ନାବାଳକ । ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର । ଅନ୍ଯ ୨ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ସର୍ଦ୍ଦାରସାହି ଗାଁରେ ଘଟିଛି ଏହି ଅଘଟଣ ।

ସୁବାସ ରଣାଙ୍କ ସାନପୁଅ ତାପସ ରଣା ଏବଂ ତାଙ୍କର ଦୁଇସାଙ୍ଗ ମଧ୍ଯାହ୍ନରେ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀର ଜଳସ୍ରୋତ ବଢୁଥିବା ସହିତ ପ୍ରବଳ ସୁଅରେ ସମସ୍ତେ ଭାସି ଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।

ଜଣେ ନାବାଳକର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କାନପୁର ଟେଷ୍ଟ ମ୍ୟାଚରେ ବାଂଲାଦେଶୀ ଫ୍ୟାନ୍ସଙ୍କୁ ମାଡ ଅଭିଯୋଗ

କାନପୁର: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଜଣେ ବାଂଲାଦେଶ ପ୍ରଶଂସକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏହା ପରେ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା।

‘ରବି ଟାଇଗର’ ନାମରେ ଜଣାଶୁଣା ଏହି ବ୍ୟକ୍ତି ବାଂଲାଦେଶ କ୍ରିକେଟ୍ ଦଳର ଜଣେ ବଡ ପ୍ରଶଂସକ। ସେ ନିଜ ଦଳକୁ ସମର୍ଥନ କରିବା ପାଇଁ ପ୍ରତ୍ୟେକ ମ୍ୟାଚରେ ସେ ପହଞ୍ଚି  ଯାଆନ୍ତି  । ରିପୋର୍ଟ ଅନୁଯାୟୀ, କାନପୁରରେ ସେ ବାଂଲାଦେଶୀ ଟିମର ପତାକା ଉଡାଇବା ସହ ତାଙ୍କ ଦଳକୁ ସମର୍ଥନ କରିବା ପାଇଁ ସ୍ଲୋଗାନ ଦେଉଥିଲେ। ଏହାପରେ କିଛି ସ୍ଥାନୀୟ ପ୍ରଶଂସକଙ୍କ ସହ ତାଙ୍କୁ ସଂଘର୍ଷ କରିବାକୁ ପଡିଥିଲା ।

ଏହି ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ସୁରକ୍ଷାକର୍ମୀମାନେ ତୁରନ୍ତ ଏ ବିଷୟରେ ଜାଣି ତାଙ୍କୁ ଡାକ୍ତରଖାନା ନେଇଥିଲେ।

 

ରିପୋର୍ଟ ଅନୁସାରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ବାଂଲାଦେଶୀ ପ୍ରଶଂସକ ଏବଂ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ବାଂଲାଦେଶର ଏହି ପ୍ରଶଂସକ ଗ୍ରୀନ୍ ପାର୍କ ଷ୍ଟାଡିୟମର ବାଲକୋନିରେ ବସିଥିଲେ ଏବଂ ତାଙ୍କ ଦଳକୁ ସମର୍ଥନ କରି ସ୍ଲୋଗାନ ମଧ୍ୟ ଦେଇଥିଲେ।

ଏହାପରେ ତଳ ଆସନରେ ବସିଥିବା କିଛି ସ୍ଥାନୀୟ ପ୍ରଶଂସକଙ୍କ ସହ ତାଙ୍କର ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହା ପରେ ସେମାନେ ତାଙ୍କୁ ମାଡ ମାରିଥିଲେ । ଡାକ୍ତରଖାନା ନିଆଯାଉଥିବା ବେଳେ ବାଂଲାଦେଶୀ ପ୍ରଶଂସକ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଅଣ୍ଟା ଓ ପେଟରେ ଆକ୍ରମଣ ହୋଇଛି।

ଗ୍ରୀନ୍ ପାର୍କ ଷ୍ଟାଡିୟମ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ବାଂଲାଦେଶୀ ପ୍ରଶଂସକଙ୍କ ଆକ୍ରମଣ ଅଭିଯୋଗକୁ ନିଶ୍ଚିତ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ଏଥିସହ ଏହି ଘଟଣାର ଗଭୀର ଅନୁସନ୍ଧାନ କରାଯିବ।

 

ଚାଭାରେ ବିକ୍କି କୌଶଲଙ୍କ ସହ ନାଚିଲେ ୭୦୦ ଡାନ୍ସର

ମୁମ୍ବାଇ: ବିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ‘ଚାଭା’ର ଟିଜର ରିଲିଜ ପରେ ଉତ୍ସାହିତ ଫ୍ୟାନ୍ସ  । ଏହି ଚଳଚ୍ଚିତ୍ରର ଅଫିସିଆଲ୍ ଟିଜର ଅଗଷ୍ଟ ୧୯ରେ ମୁକ୍ତିଲାଭ କରିଛି ​​ । ‘ଚାଭା’ର ଅପଡେଟ୍‌ ଆସିବା ପରେ ଦର୍ଶକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି  । କୁହାଯାଉଛି ଯେ ‘ଚାଭା’ରେ ଏକ ଗୀତ ରହିଛି, ଯେଉଁ ଗୀତର ସୁଟିଂ ପାଇଁ ୭୦୦ ନୃତ୍ୟଶିଳ୍ପୀଙ୍କୁ ବ୍ୟବହାର କରାଯାଇଛି ।

 

ଛତ୍ରପତି ସମ୍ୱାଜୀ ମହାରାଜ ୧୭ ଶତାବ୍ଦୀର ଜଣେ ମରାଠା ଯୋଦ୍ଧା ଥିଲେ। ଏହି ଚଳଚ୍ଚିତ୍ରଟି ସାମ୍ବାଜୀ ଏବଂ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ କାହାଣୀ ଉପରେ ଆଧାରିତ | ‘ଚାଭା’ରେ ରଶ୍ମିକା ମନ୍ଦାନା ସମ୍ୱାଜୀ ମହାରାଜଙ୍କ ପତ୍ନୀ’ ୟସୁବାଇ ‘ଭୂମିକାରେ ଅଭିନୟ କରୁଛନ୍ତି। ଲକ୍ଷ୍ମଣ ଉଟେକର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଚଳଚ୍ଚିତ୍ରଟି ହେଉଛି ତାଙ୍କର ପ୍ରଥମ ଐତିହାସିକ ଡ୍ରାମା ଯାହା ମରାଠା ରାଜା ସମ୍ୱାଜୀ ମହାରାଜଙ୍କ ଉପରେ ଆଧାରିତ  । ବିକି କୌଶଲଙ୍କ ଲୁକ୍ ଏବଂ ସେଟ୍କୁ ଟିଜରରେ ବହୁତ ପ୍ରଶଂସା କରିଛନ୍ତି ଦର୍ଶକ ।

 

ଚାଭା’ କାହାଣୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ୧୬୧୮ ମସିହାରେ ଯେତେବେଳେ ସମ୍ୱାଜୀ ମହାରାଜଙ୍କ ରାଜ୍ୟାଭିଷେକ ହୋଇଥିଲା।ଏକ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ମେ ମାସରେ ଏହି ଦୃଶ୍ୟ ପାଇଁ ଏକ ଗୀତ ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ ବିକି ଓ ରଶ୍ମିକାଙ୍କ ସହ ପ୍ରାୟ ୭୦୦ ନୃତ୍ୟଶିଳ୍ପୀ ସାମିଲ ହୋଇଥିଲେ। ସୂଚନାନୁସାରେ, ଏହି ଗୀତ ପାଇଁ ଫିଲ୍ମ ସିଟିରେ ରାଇଗଡ ଦୁର୍ଗ ପରି ଏକ ଚମତ୍କାର ସେଟ୍ ପ୍ରସ୍ତୁତ କରାଯାଇଥିଲା। ଡିଜାଇନର୍ ସୁବ୍ରତ ଚକ୍ରବର୍ତ୍ତୀ ଏବଂ ଅମିତ ରୟଙ୍କ ଦ୍ୱାରା ଏହି ସେଟ୍ ପ୍ରସ୍ତୁତ କରାଯାଇଥିଲା ।|

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ଗାଦିଚ୍ଯୁତ ପଛରେ କାହାର ଥିଲା ହାତ ?

ଢାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଗାଦିଚ୍ଯୁତ ପଛରେ କାହାର ଥିଲା ହାତ। କାହା ଲାଗି ସାରା ବାଂଲାଦେଶରେ ଲାଗିଥିଲା ନିଆଁ। ଏହି ପ୍ରଶ୍ନ ଏବେ ବି ସାରା ବିଶ୍ବରୁ ଦୂର ହୋଇ ନଥିବାବେଳେ ଖୋଦ ଅନ୍ତରୀଣ ସରକାରର ମୁଖ୍ଯ ପ୍ରଫେସର ମହମ୍ମଦ ୟୁନୁସ କରିଛନ୍ତି ବଡ ଖୁଲାସା। ସେ କହିଛନ୍ତି ଏହି ଐତିହାସିକ ଆନ୍ଦୋଳନର ବ୍ରେନ ଥିଲେ ମହଫୁଜ ଆଲାମ। ଜାତିସଂଘ ସାଧାରଣ ଆସେମ୍ବ୍ଲି ଅଧିବେଶନ ପରିପ୍ରେକ୍ଷୀରେ ଆୟୋଜିତ କ୍ଲିଣ୍ଟନ ଗ୍ଲୋବାଲ ଇନିସିଏଟିଭରେ ଯୋଗ ଦେଇ ସେ ଦେଶରେ ଦେଖାଦେଇଥିବା ଛାତ୍ର ଆନ୍ଦୋଳନକୁ ପ୍ରଶଂସା କରିଛନ୍ତି । ମନସୁନ ରିଭଲ୍ଯୁସନ ନାମରେ ପରିଗଣିତ ହୋଇଥିବା ଛାତ୍ର ଆନ୍ଦୋଳନ ୧୬ ବର୍ଷର ଶେଖ ହସିନା ସରକାରକୁ ଗାଦିଚ୍ୟୁୁତ କରିବାରେ ସକ୍ଷମ ହୋଇଥିଲା ବୋଲି କହିଛନ୍ତି ୟୁନୁସ। ଛାତ୍ର ଆନ୍ଦୋଳନ କାଳରେ ନିଜ ଜୀବନକୁ ବିପନ୍ନ କରି ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ତେବେ ଏହି ଐତିହାସିକ ଛାତ୍ର ଆନ୍ଦୋଳନ ମୂଳରେ ତାଙ୍କର ସ୍ବତନ୍ତ୍ର ସହକାରୀ ମହଫୁଜ ଆଲାମ ହିଁ ମୁଖ୍ଯ ଭୂମିକା ନେଇଥିଲେ ବୋଲି କହିଛନ୍ତି ୟୁନୁସ । ଯଦିଓ ଏହାକୁ ଆଲାମ ଅଗ୍ରାହ୍ଯ କରିଆସୁଛନ୍ତି ତଥାପି ସେ ହିଁ ଆନ୍ଦୋଳନର ବ୍ରେନ ଥିଲେ ବୋଲି ସେ କହିଛନ୍ତି । ତେବେ ସରକାର ବିରୋଧରେ ହୋଇଥିବା ଜାଗରଣ ଆକସ୍ମିକ ନଥିଲା ବରଂ କ୍ରମାଗତ ଅସନ୍ତୋଷର ଫଳ ଥିଲା ବୋଲି ସେ କହିଛନ୍ତି । ବିବାଦୀୟ ସଂରକ୍ଷଣ ନୀତି ବିରୋଧରେ ବାଂଲାଦେଶର ଛାତ୍ରଆନ୍ଦୋଳନ ଗତ ଜୁଲାଇରେ ଆରମ୍ଭ ହୋଇଥିଲା। ଶେଖ ହସିନାଙ୍କ ଇସ୍ତଫା ପରେ ଥମିଥିଲା ଆନ୍ଦୋଳନ । ଅନ୍ତରୀଣ ସରକାରର ମୁଖ୍ଯ ହେବା ପରେ ୟୁନୁସଙ୍କ ସହଯୋଗୀ ଭାବେ ଆଲାମଙ୍କୁ ନିଯୁକ୍ତ ଦିଆଯାଇଥିଲା।

 ଉତ୍ତରପ୍ରଦେଶ : ହାଥରସର ଏକ ସ୍କୁଲରେ ଶିଶୁ ବଳି

ହାଥରସ୍ :  ଏବେ ବି ସମାଜରେ ସତେଜ ରହିଛି ଅନ୍ଧବିଶ୍ବାସ । ପୁଣି ଚର୍ଚ୍ଚାରେ ଉତ୍ତରପ୍ରଦେଶ ହାଥରସ। ଏକ ସ୍କୁଲର ଉତ୍ତରୋତ୍ତର ବିକାଶ ଓ ଖ୍ଯାତି ଲାଗି ଏକ ଦ୍ବିତୀୟ ଶ୍ରେଣୀ ଛାତ୍ରକୁ ବଳି ଦିଆଯାଇଛି । ସ୍କୁଲର ଛାତ୍ରାବାସରେ ଗତ ସେପ୍ଟେମ୍ବର ୨୨ ତାରିଖରେ ତିନି ଜଣ ବ୍ଯକ୍ତି ଶିଶୁର ତଣ୍ଟି ଚିପି ହତ୍ଯା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ଯରେ ଅଛନ୍ତି ସ୍କୁଲର ମାଲିକ ଯଶୋଧନ ସିଂ, ପୁଅ ତଥା ସ୍କୁଲ ନିର୍ଦ୍ଦେଶକ ଦୀନେଶ ବାଘେର ଓ ୩ ଜଣ ଶିକ୍ଷକ।  ପୋଲିସ ଅନୁସାରେ ଗତ ସେପ୍ଟେମ୍ବର ୬ରେ ଅନ୍ଯ ଏକ ଶିଶୁକୁ ବଳି ଦେବା ଲାଗି ଯୋଜନା କରିଥିଲେ । ମାତ୍ର ତାହା ସଫଳ ହୋଇ ନଥିଲା । ପିଲାଟି ଚିତ୍କାର କରି ଦୌଡି ଚାଲିଯିବାରୁ ସେମାନଙ୍କ ଉଦ୍ଯମ ବିଫଳ ହୋଇଥିଲା ।

ପରେ ମେଡିକାଲରେ ପରୀକ୍ଷା ପରେ ତାର ବେକକୁ ଚିପା ଯାଇଥିବା ସଙ୍କେତ ମିଳିଥିଲା । ଗତ ୨୨ ତାରିଖରେ ପୁଣି ଥରେ ଅଭିଯୁକ୍ତମାନେ ଏହି ଉଦ୍ଯମ କରିଥିଲେ। ସ୍କୁଲ ନିକଟରେ ଥିବା ଏକ ନଳକୂଅ ପାଖରୁ ସେମାନେ ଏକ ଶିଶୁକୁ ନେଇଯାଇଥିଲେ । ମାତ୍ର ନେବାବେଳେ ଶିଶୁଟି ଚିତ୍କାର କରିବାରୁ ସେମାନେ ସ୍କୁଲ ଭିତରେ ଶିଶୁର ତଣ୍ଟି ଚିପି ହତ୍ଯା କରିଥିଲେ । ନଳକୂଅ ନିକଟରେ କିଛି ପୂଜା ସାମଗ୍ରୀ ଦେଖିବାକୁ ମିଳିଥିଲା । ଆର୍ଥିକ ସମସ୍ଯାରୁ ମୁକ୍ତି ପାଇବା ଲାଗି ଅଭିଯୁକ୍ତମାନେ ଶିଶୁକୁ ହତ୍ଯା କରିଥିଲେ ବୋଲି ପୋଲିସ କହିଛି । ଶିଶୁର ମୃତଦେହ ନିର୍ଦ୍ଦେଶକଙ୍କ କାରରୁ ଜବତ ହୋଇଥିଲା ।