spot_img
Home Blog Page 1487

ନବୀନ ସରକାର ଅମଳର ବନ୍ଦର ନୀତିରେ କାମ କରିବେ ମୋହନ ସରକାର

ଭୁବନେଶ୍ବର: ଅନ୍ତର୍ଦ୍ଦେଶୀୟ ନୌପରିବହନ କ୍ଷେତ୍ରରେ ଓଡ଼ିଶା ଦୁର୍ବଳ । ଆଗକୁ ଏ ସ୍ଥିତି ରହିବନି । ପୂର୍ବ ବିଜେଡି ସରକାର କରିଥିବା ବନ୍ଦର ନୀତି ଏବେ ବି ବଳବତ୍ତର ରହିଛି । ଏହାକୁ ଆଗକୁ ନେବାକୁ ପଡ଼ିବ । ଆଜି ଉତ୍କଳ ଚାମ୍ବାର୍ସ ଅଫ୍‌ କମର୍ସଠାରେ ଆୟୋଜିତ ଦୁଇ ଦିନିଆ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର ।

ନୌପରିବହନ କ୍ଷେତ୍ରରେ ବ୍ୟାପକ ବିପ୍ଲବ ଆଣିବାକୁ ଆହ୍ବାନ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ । ସେ, କହିଛନ୍ତି ଜାତୀୟ ନୌପରିବହନ-୫ ଅନ୍ତର୍ଗତ ଧାମରାରୁ ପାରଦୀପ ଓ ତାଳଚେର ପର୍ଯ୍ୟନ୍ତ ଜଳପଥର ବିକାଶ କରାଯିବା । ଏକାଧିକ ଲିଙ୍କ୍‌ ଯୋଗେ ବିକାଶ ହେବ ୫୮୮ କିଲୋମିଟର । ପୂର୍ବ ସରକାର ସମୟରେ ହୋଇଥିବା ପ୍ରକଳ୍ପଗୁଡ଼ିକର ତ୍ବାରାନ୍ବିତ କରିବାକୁ ବିଭାଗ ତପ୍ତର ।

ହବିଷ୍ୟାଳିଙ୍କୁ ବିଷ ଖାଇ ମରିଯିବାକୁ କହୁଛନ୍ତି ସରକାରୀ କର୍ମଚାରୀ, ବଡ଼ଦାଣ୍ଡରେ ବସିଲେ ଧାରଣାରେ

ପୁରୀ: କାର୍ତ୍ତିକ ମାସର ପ୍ରଥମ ଦିନରେ ବି ହବିଷ୍ଯାଳିଙ୍କୁ ହନ୍ତସନ୍ତ କରିଛନ୍ତି ରାଜ୍ଯ ସରକାର । ଶିବିରରେ ରହିବାକୁ ଜାଗା ମାଗିଲେ ସରକାରୀ କର୍ମଚାରୀ ଦେଉଛନ୍ତି କଟୁ ମନ୍ତବ୍ଯ । ବିଷ ଖାଇ ମରିଯାଉନ ବୋଲି ବ୍ରତଧାରୀ ମାଆଙ୍କୁ କହୁଛନ୍ତି ସରକାରୀ କର୍ମଚାରୀ । ଏଭଳି ସାଂଘାତିକ ଅଭିଯୋଗ ଆଣି ବଡ଼ଦାଣ୍ଡରେ ଧାରଣା ଦେଇଛନ୍ତି ଶହ ଶହ ହବିଷ୍ଯାଳି ।

ସକାଳେ ସବୁ ହବିଷ୍ଯାଳି ମାଆଙ୍କୁ ଥଇଥାନର ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ହେଲେ ଏଯାଏଁ କାହାକୁ ବି କୌଣସି ସ୍ଥାନରେ ରଖାଯାଇନି । ଓଲଟି କର୍ମଚାରୀମାନେ ଦୁର୍ବ୍ଯବହାର କରୁଛନ୍ତି । ବ୍ରତଧାରୀଙ୍କ ଅଭିଯୋଗ ଅନୁସାରେ, ସବୁ ପ୍ରକାର ସୁବିଧା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ହେଲେ ପରିବର୍ତ୍ତୀ ସମୟରେ କର୍ମଚାରୀମାନେ ଦୁର୍ବ୍ଯବହାର କରିଥିଲେ । ଜିନିଷପତ୍ରରେ ନିଆଁ ଲଗାଇ ଦେବାକୁ ଧମକ ଦେଇଥିଲେ ।

ଏପଟେ ଘଟଣାରେ ହସ୍ତକ୍ଷେପ କରିଥିବା ନେଇ ନିଜେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଓ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି । ହେଲେ ବାସ୍ତବ ସ୍ଥିତି କିନ୍ତୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି । ସରକାରଙ୍କ ମିଛକୁ ପଦାରେ ପକାଇ ଦେଇଛନ୍ତି ହବିଷ୍ଯାଳୀ ମାଆ । କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ଯାଳି ଯୋଜନାରେ ମାଆମାନେ ପୁରୀ ଆସିଛନ୍ତି । ହେଲେ ରାଜ୍ଯ ସରକାରଙ୍କ ୨୫ ଶହ କଣ୍ଟ ପୂରିଯାଇଥିବାରୁ ହବିଷ୍ଯାଳିଙ୍କୁ ଫେରାଇ ଦେଉଛି ପ୍ରଶାସନ । ଗତବର୍ଷ ଗୁଡ଼ିକରେ ୩ ହଜାରରୁ ଅଧିକ ହବିଷ୍ଯାଳି ଯୋଜନାରେ ଉପକୃତ ହେଉଥିଲେ । ହେଲେ ଏଥର ସଂଖ୍ଯା ବଢିବା ବଦଳରେ କାହିଁକି କମ କରାଗଲା ବୋଲି ପ୍ରଶ୍ନ କରିବା ସହ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବ୍ରତଧାରୀ ମାଆ ।

‘ଏ ସରକାରକୁ ଜଗନ୍ନାଥ ବି କ୍ଷମା କରିବେନି’

ହବିଷ୍ଯାଳିଙ୍କ ଦୁର୍ଦ୍ଦଶାକୁ ନେଇ ବର୍ଷିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଜଗା ପାଖକୁ ଆସି ହବିଷ୍ୟାଳି ଦୁଃଖରେ କାନ୍ଦୁଛନ୍ତି ବୋଲି କହିବା ସହିତ ନବୀନଙ୍କ ସମୟରେ ହବିଷ୍ୟାଳିଙ୍କ ଯତ୍ନ ନିଆଯାଉଥିଲା ବୋଲି କହିଛନ୍ତି । ନବୀନଙ୍କ ଅମଳରେ ସବୁ ହବିଷ୍ଯାଳି ସୁବିଧାରେ ରହି ହବିଷ ପାଳୁଥିଲେ । ବିଜେପି ସରକାର ହବିଷ୍ୟାଳିଙ୍କ ଆଖିରେ ଲୁହ ଦେଇଛି । ମାଆଙ୍କୁ ଦୁଃଖ ଦେଇଥିବା ଏ ସରକାରକୁ ଜଗନ୍ନାଥ ବି କ୍ଷମା କରିବେନି । ମୁଖ୍ୟମନ୍ତ୍ରୀ ମୁମ୍ବାଇ ଛାଡ଼ି ଆସି ଓଡ଼ିଶା କଥା ବୁଝନ୍ତୁ ବୋଲି ସେ କଟାକ୍ଷ କରିଛନ୍ତି ସାଲୁଜା ।

ଦୀପାବଳି ପରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ, ହାତ ଶିବିରରେ ଉତ୍ସାହ

ଭୁବନେଶ୍ବର: ଦୀପାବଳିରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ପଡ଼ୋଶୀ ଛତିଶଗଡ଼ର କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ମୁଖିଆ ବାଛିବାର ଦାୟିତ୍ବ ଦେଇଛି ଏଆଇସିସି । ତାଙ୍କ ସହ ରାହୁଲ ଗାନ୍ଧୀଙ୍କ କୋର ଟିମ ତଥା ଓଡ଼ିଶାରେ କାମ କରୁଥିବା ମିନାକ୍ଷୀ ନଟରାଜନଙ୍କୁ ପିସିସି ଚୟନ ଲାଗି ଦାୟିତ୍ବ ଦିଆଯାଇଛି । ଶୀଘ୍ର ଏହି ଦୁଇ ନେତା ଆସି ଓଡ଼ିଶା ନେତାଙ୍କ ମତାମତ ନେଇ ଏଆଇସିସିକୁ ରିପୋର୍ଟ ଦେବେ । ଏଆଇସିସି ପିସିସି ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରିଥିବାରୁ ହାତ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି ।

କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ? କାହାକୁ ସଭାପତି କଲେ କଂଗ୍ରେସ ହେବ ସଂଗଠିତ ? ଏହାର ଉତ୍ତର ମିଳୁ ନଥିବା ବେଳେ ଦଳୀୟ ନେତା କହିଲେଣି ଆଉ ଅଳ୍ପ ଦିନର ଅପେକ୍ଷା । ଦୀପାବଳି ପରେ ରାଜ୍ଯ କଂଗ୍ରେସ ପାଇବ ନୂଆ ମୁଖିଆ । ଶହେରୁ ଅଧିକ ଦିନ ହେବ ମୁଖିଆ ଶୂନ୍ୟ ହୋଇଥିବା ଓଡ଼ିଶା କଂଗ୍ରେସକୁ ନୂଆ ମଙ୍ଗୁଆଳ ଦେବାକୁ ଏଆଇସିସି ଆରମ୍ଭ କରିଛି ପ୍ରକ୍ରିୟା । ପଡ଼ୋଶୀ ଛତିଗଶଡ଼ର ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନଙ୍କୁ ଓଡ଼ିଶାରେ ପିସିସି ସଭାପତି ମନୋନୟନ ଲାଗି ଗୁରୁ ଦାୟିତ୍ବ ଦେଇଛନ୍ତି ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ।

ଆସନ୍ତା ସପ୍ତାହରେ ସେମାନେ ଓଡ଼ିଶା ଆସି ପିସିସି ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରିବେ । ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଦୀପାବଳୀ ସୁଦ୍ଧା ଓଡ଼ିଶାରେ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରାଯିବ । ସମସ୍ତଙ୍କ ମତାମତ ନେଇ ସଭାପତି ବାଛିବା ପାଇଁ ଏଆଇସିସି ୨ ଜଣ ନେତାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି । ସେହିପରି ବରିଷ୍ଠ ନେତା ଶରତ ରାଉତ କହିଛନ୍ତି ଦଳ ପ୍ରତି ଆନୁଗତ୍ୟ ଓ ସମସ୍ତଙ୍କୁ ନେଇ ଚାଲିପାରୁଥିବା ନେତାଙ୍କୁ ପିସିସି ସଭାପତି କରିବାକୁ ହାଇକମାଣ୍ଡ ଚିନ୍ତା କରିଛନ୍ତି, ଯାହା ସ୍ବାଗତ ଯୋଗ୍ୟ ।

ଏଆଇସିସି ଅଧ୍ୟକ୍ଷ ଓଡ଼ିଶା ପିସିସି ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସଭାପତି ରେସରେ ବହୁ ନେତାଙ୍କ ନାଁ ଯୋଡ଼ି ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ, ଶରତ ରାଉତ, ମହମ୍ମଦ ମୋକିମ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା ଓ ବିଶ୍ବ ରଞ୍ଜନ ମହାନ୍ତିଙ୍କ ନାଁ ତାଲିକାରେ ରହିଛି । ଏମାନଙ୍କୁ ବାଦ ଦେଇ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲାକା, ତାରା ପ୍ରସାଦ ବାହିନୀପତିଙ୍କ ନାଁ ମଧ୍ଯ ଶୁଣାଯାଉଛି । ଏପରି ସ୍ଥିତିରେ ଯାହାକୁ ହାଇକମାଣ୍ଡ ଦାୟିତ୍ବ ଦେବେ ସେ ତାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ପର୍ବତନ ପିସିସି ସଭାପତି ଜୟଦେବ ଜେନା । ପୂର୍ବରୁ ଦୁଇଥର ସଭାପତି ହୋଇଥିବା ଜୟଦେବ ଜେନାଙ୍କୁ ଯଦି ପୁଣି ଥରେ ସୁଯୋଗ ଦେବେ ତେବେ ସେ ଦାୟିତ୍ବ ନେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଅନ୍ୟପଟେ ପିସିସି ସଭାପତି ମନୋନୟନ ଏକ ପ୍ରତିଯୋଗିତା ନୁହେଁ ବୋଲି କହିଛନ୍ତି କଂଗ୍ରେସ ଛାଡି ବାହୁଡି ଆସିଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ।

୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଜୁଲାଇ ୨୧ ତାରିଖରେ ଏଆଇସିସି ପିସିସିକୁ ଭାଙ୍ଗି ଦେଇଥିଲା । ୨୧ ଜଣିଆ ଷ୍ଟିୟରିଂ କମିଟି ଜରିଆରେ କଂଗ୍ରେସକୁ କ୍ରୀୟାଶୀଳ କରିବାକୁ ଏଆଇସିସି ଚେଷ୍ଟା କରିଥିଲା । ହେଲେ ତାହା ମଧ୍ଯ ଫେଲ ମାରିଥିଲା । ଏହାରି ଭିତରେ ଦଳର ଭୋଟ ହାର ୧୩ ପ୍ରତିଶତରେ ପହଞ୍ଚିବା ସହ ସଙ୍ଗଠନ ଏକ ରକମ ସ୍ଥାଣୁ ପାଲଟି ଯାଇଛି । ଏପରି ସ୍ଥିତିରେ କାହାକୁ ମୁଖିଆ କରାଗଲେ କଂଗ୍ରେସ ସଙ୍ଗଠନକୁ ସଞ୍ଜୀବନୀ ମିଳିବ ତାହାକୁ ନେଇ ହାତ ଶିବିରରେ ଚାଲିଛି ଆଲୋଚନା ।

ହକିଷ୍ୟାଳିଙ୍କ ଭକ୍ତି ଆଗରେ ମୁଣ୍ଡ ନୁଆଁଇଲା ସରକାର

ପୁରୀ: ଧର୍ମମାସରେ ବ୍ରତଧାରୀଙ୍କୁ ରାଜ୍ୟ ସରକାର ହନ୍ତସନ୍ତ କରିବାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ । ଲୋକଙ୍କ ଆକ୍ରୋସକୁ ଦେଖି ନଇଁଲେ ରାଜ୍ୟ ସରକାର । ଘଟଣାସ୍ଥଳକୁ ପୁରୀ ଜିଲ୍ଲାପାଳ ଯାଇ ସମସ୍ତଙ୍କୁ ଥଇଥାନ କରିବାକୁ ଦେଲେ ନିର୍ଦ୍ଦେଶ । ଏପଟେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରବଳ ବର୍ଷିଛି ବିଜେଡି । ବିଜେଡି କହିଛି ରାଜ୍ୟ ସରକାର ବିନାଶ ଭିତରେ ନିଜ ଗୋଡ଼ ପକାଇ ସାରିଲେଣି । ଖୋଦ ବିଜେପି ନେତା ବି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗୁରୁବାର ଦିନ ତ ଦିନ ରାତିସାରା ବି ହନ୍ତସନ୍ତ ହେଲେ ହବିଷ୍ଯାଳି । ଧାରଣାରେ ବସିଲେ, ଖୋଲା ଆକାଶ ତଳେ ରାତି ବିତାଇଲେ । କେତେ ପ୍ରତିବାଦ କଲେ, କାକୁତିମିନତି ହେଲେ । ତଥାପି ନା ପ୍ରଶାସନ ଶୁଣିଲା ନା ସରକାର । ୨୪ ଘଣ୍ଟା ଧରି ପବିତ୍ର ପୁରୀରେ ନିର୍ଯାତିତ ହେଲେ ବ୍ରତଧାରୀ ମାଆ । ସାରା ରାଜ୍ୟରେ ଘଟଣାକୁ ନେଇ ପ୍ରକାଶ ପାଇଲା ଉଦବେଗ । ଶେଷରେ ଶ୍ରୀକ୍ଷେତ୍ରରେ ଶୀତ କାକରରେ ରାତିଏ ପଡ଼ିବା ପରେ ଆଜି ହବିଷ୍ଯାଳିଙ୍କ ଜିଦ୍ ଆଗରେ ନଇଁଛି ପୁରୀ ଜିଲ୍ଲା ପ୍ରଶାସନ । ନିଜେ ଜିଲ୍ଲାପାଳ ବୃନ୍ଦାବତୀ ନିବାସକୁ ଆସି ସ୍ଥିତି ସମୀକ୍ଷା କରି ସମସ୍ତଙ୍କୁ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ରହିବା ପରେ ହବିଷ୍ୟାଳି ଖୁସି ପ୍ରକାଶ କରିଛନ୍ତି । ହେଲେ କ୍ଷୋଭ ଭରା କଣ୍ଠରେ ପଚାରିଛନ୍ତି, ଆରମ୍ଭରୁ ଏହି କାମଟି କରିଥିଲେ କେଡେ ସୁନ୍ଦର ହୋଇଥାନ୍ତା ?

ପବିତ୍ର କାର୍ତ୍ତିକ ମାସରେ ବ୍ରତଧାରୀଙ୍କୁ ନିର୍ଯାତନା ଦିଆଟିବାକୁ ନେଇ ବର୍ଷିଛି ବିଜେଡି । ବିଜେଡି କହିଛି, ଓଡ଼଼ିଆ ଅସ୍ମିତା ନାଁରେ କ୍ଷମତାକୁ ଆସିଥିବା ବିଜେପି ସରକାରର ପ୍ରକୃତ ମୁଖା ଖୋଲିଯାଇଛି । ହବିଷିଆଳିଙ୍କ ବିଶ୍ବାସ, ପ୍ରଥା ଉପରେ ରାଜ୍ଯ ସରକାର କୁଠାରାଘାତ କରିଛନ୍ତି । ନବୀନଙ୍କ ନେତୃତ୍ବରେ ୩୯ କୋଟି ଟଙ୍କା ବ୍ୟୟରେ ବୃନ୍ଦାବତୀ ନିବାସ ନିର୍ମାଣ ହୋଇଥିଲା । କିନ୍ତୁ ବିଜେପି ସରକାର ମାତ୍ର ୨୫ ଶହ ହବିଷ୍ୟାଳିଙ୍କ ପାଇଁ ବ୍ଯବସ୍ଥା କରି ଅନ୍ୟ ବ୍ରତଧାରୀଙ୍କୁ ପୁରୀରୁ ତଡ଼ି ଦେଉଛନ୍ତି । ବିନାଶ ଭିତରେ ସରକାର ନିଜ ଗୋଡ଼ ପକାଇ ସାରିଲେଣି ବୋଲି କହି ସମାଲୋଚନା କରିଛି ବିଜେଡି । ଏପଟେ ପ୍ରଶାସନ ଚେତିବାରେ କାହିଁକି ଏତେ ବିଳମ୍ବ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ବିଜେପି ନେତା ଜୟନ୍ତ ଷଡ଼ଙ୍ଗୀ ।

ପ୍ରଶ୍ନ ଉଠୁଛି ଏଥର କାହିଁକି ଯୋଜନାରେ ସଂଖ୍ୟା କମାଇ ଦେଲେ ରାଜ୍ଯ ସରକାର ? ଗତକାଲି ଦିନସାରା ହବିଷ୍ୟାଳି ହନ୍ତସନ୍ତ ହେଉଥିବା ବେଳେ କାହିଁକି ପଦକ୍ଷେପ ନେଲେନି ପ୍ରଶାସନ ? ଆବେଦନ ପାଇଁ ୱେବସାଇଟ କାହିଁକି ଠିକରେ କାମ କରୁ ନଥିଲା ? ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ପାଇଁ କିଏ ଦାୟୀ ? ଏସବୁ ପ୍ରଶ୍ନ ଭିତରେ ଆଜିଠୁ ହବିଷ୍ୟାଳି ଆରମ୍ଭ କରିଛନ୍ତି ପବିତ୍ର କାର୍ତ୍ତିକ ବ୍ରତ ।

ସେପଟେ ହବିଷ୍ଯାଳି ସମସ୍ୟା ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ହବିଷ୍ଯାଳିଙ୍କ ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି । ସେଥିପାଇଁ ଆଗୁଆ ପଞ୍ଜିକରଣ ବ୍ୟବସ୍ଥା ହୋଇଥିଲା । ପରେ ଯେଉଁମାନେ ଆସିଥିଲେ ସେମାନଙ୍କ ପାଇଁ ବି ବ୍ୟବସ୍ଥା ହୋଇଛି । ହେଲେ ହଠାତ ଅଧିକ ହବିଷ୍ଯାଳି ଆସି ଯାଇଥିବାରୁ ସମସ୍ୟା ହେଉଛି । ଏହାକୁ ଜିଲ୍ଲା ପ୍ରଶାସନ ତଦାରଖ କରିବା ସହ ସେମାନଙ୍କ କଥା ବୁଝିବ ବୋଲି ଆଶା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ସେବାୟତଙ୍କୁ ଭୁଜାଲିରେ ଆକ୍ରମଣ

ପୁରୀ: ଶ୍ରୀମନ୍ଦିର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ବକ୍ସିରାମ ନାରାୟଣ ପ୍ରତିହାରୀ ଆହତ । ଚିକିତ୍ସା ପାଇଁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ଆକ୍ରମଣ । ଆହତ ସେବାୟତ ଶ୍ରୀମନ୍ଦିରର ବରିଷ୍ଠ ସୁପରଭାଇଜର । ଆହତଙ୍କୁ ହସ୍ପିଟାଲରେ ଭେଟିଲେ ଜିଲ୍ଲାପାଳ ।

ଶ୍ରୀଜିଉଙ୍କୁ ୫ କୋଟି ଦାନ କଲେ ଭକ୍ତ

ପୁରୀ: ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ । ପ୍ରତିଦିନ ଦାନ କରିବାକୁ ଆଗେଇ ଆସୁଛନ୍ତି ଭକ୍ତ । ଆଜି ଶ୍ରୀଜୀଉଙ୍କୁ ୫ କୋଟି ଟଙ୍କା ଦାନ କରିଛନ୍ତି ଜଣେ ବଦାନ୍ଯ ବ୍ଯକ୍ତି । ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଏହି ଦାନ ଅର୍ଥ ପ୍ରଦାନ କରିଛନ୍ତି ।

ମହାପ୍ରଭୁଙ୍କୁ ଅନେକ ସମୟରେ ପ୍ରତିଦିନ ବିଭିନ୍ନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଦାନ କରୁଛନ୍ତି ଶ୍ରଦ୍ଧାଳୁ । ପୂର୍ବ ଦିନମାନଙ୍କରେ ସୁନା ରୁପା ଅଳଙ୍କାର ସହ ଅର୍ଥଦାନ କରିଛନ୍ତି ଅନେକ ବଦାନ୍ଯ ବ୍ଯକ୍ତି । ତେବେ ୫ କୋଟି ଦାନ ଦେବା ଏକ ବିରଳ ଘଟଣା ।

ଦ୍ବିତୀୟ ପାଳିରେ ବି ଆସିଲାନି ସୁଭଦ୍ରା ଟଙ୍କା, ଉପାନ୍ତ ଅଞ୍ଚଳରେ ମହିଳାଙ୍କ କ୍ଷୋଭ

କଳାହାଣ୍ଡି: ଉପାନ୍ତରେ ଅପହଞ୍ଚ ସୁଭଦ୍ରା ଯୋଜନା । ମୋହନ ସରକାରଙ୍କ ଦ୍ୱିତୀୟ ପାଳିରେ ବି ହିତାଧିକାରୀଙ୍କୁ ମିଳିନି ସୁଭଦ୍ରା ଟଙ୍କା । ବ୍ୟାଙ୍କ୍ ଓ ଜନସେବା କେନ୍ଦ୍ରକୁ ଦୌଡ଼ି ଦୌଡ଼ି ଖର୍ଚ୍ଚାନ୍ତ ହୋଇଥିଲେ ମହିଳା । କିନ୍ତୁ ଖାତାକୁ ଟଙ୍କା ନଆସିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ମହିଳା । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ୨୨ଟି ପଞ୍ଚାୟତର ମହିଳା ଅବହେଳାର ଶିକାର ହୋଇଥିବା କରିଛନ୍ତି ଅଭିଯୋଗ ।

ଖର୍ଚ୍ଚାନ୍ତ କଲା ସୁଭଦ୍ରା କିନ୍ତୁ ଆକାଉଣ୍ଟକୁ ଆସିଲାନି ଟଙ୍କା । ମୋହନ ତଥା ଡବଲ ଇଞ୍ଜିନ ସରକାରଙ୍କ ଲଲିପପ୍ ସୁଭଦ୍ରା ଯୋଜନା, କାହା ପାଇଁ ପୂଷ ମାସ ତ ଆଉ କାହା ପାଇଁ ଅସନ୍ତୋଷ ସାଜିଛି l ଯୋଜନା ପାଇଁ ଖର୍ଚ୍ଚ ପରେ ଖର୍ଚ୍ଚ କରିବା ପରେ ବ୍ୟାଙ୍କ୍ ଖାତାରେ ବଲାନ୍ସ ଶୂନ ବୋଲି ଅଭିଯୋଗ କରିଛନ୍ତି ମହିଳା । କଳାହାଣ୍ଡିର ଉପାନ୍ତ ଅଞ୍ଚଳର ଅନେକ ମହିଳା ସୁଭଦ୍ରା ପାଇଁ ଆବେଦନ କରିଥିଲେ ବି ଆକାଉଣ୍ଟକୁ ଆସିଲାନି ଟଙ୍କା ।

ସୂଚନାଯୋଗ୍ୟ, କୋକସରା ବ୍ଲକରେ ରହିଛି ୨୨ଟି ପଞ୍ଚାୟତ l ସେଥିରୁ ଗୋତୋ ମୁଣ୍ଡା, ଅମ୍ବପାନି, ବରାଦଙ୍ଗା, ଦୁଡୁକା ଠେଙ୍ଗା, ପୋଡ଼ାଗୁଡା ପରି ଅନେକ ପଞ୍ଚାୟତର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ମହିଳା ସୁଭଦ୍ରା ଆବେଦନ କରିଥିଲେ । ଏହି ମହିଳାମାନେ ଗରିବ ଶ୍ରେଣୀର । ଦ୍ୱିତୀୟ ପାଳିରେ ବି ଟଙ୍କା ପାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ନର୍ସଙ୍କ ଦାଦାଗିରି: ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଭାଙ୍ଗିଲେ, ସ୍ବାମୀଙ୍କୁ ଡାକି ଧକ୍କା ମରାଇଲେ !

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟ ଭିତରେ ନର୍ସଙ୍କ ଦାଦାଗିରି । ରୋଗୀଙ୍କୁ ସେବା ଦେବା ବଦଳରେ କଚାଡି ଭାଙ୍ଗିଲେ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଫୋନ । ଖାଲି ଏତିକିରେ କଥା ସରିଲାନି । ନର୍ସ ମହାଶୟା ନିଜ ସ୍ବାମୀଙ୍କୁ ଡକାଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ଧକ୍କା ମରାଇ ଥିବା ମଧ୍ୟ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ଆଜି ସକାଳେ ମାଲକାନଗିରି ମ୍ୟୁନିସିପାଲିଟି କଲୋନୀର ରାଜା ବାଘ ନାମକ ଜଣେ ଯୁବକ ନିଜ ଭଉଣୀ ଅଞ୍ଜୁଙ୍କୁ ନେଇ ଜିଲ୍ଲା ସଦର ଚିକିତ୍ସାଳୟକୁ ଯାଇଥିଲେ । ଅଞ୍ଜୁଙ୍କ ପେଟ ବ୍ଯଥା ହେଉଥିବାରୁ ଡାକ୍ତର ତୁରନ୍ତ ତାଙ୍କୁ ଚତୁର୍ଥ ମହଲାରେ ଥିବା ମେଡିସିନ୍ ୱାଡରେ ଭର୍ତ୍ତି ହେବା ଲାଗି ରେଫର କରିଥିଲେ । ରୋଗୀ ସେଠାରେ ପହଞ୍ଚିଲା ବେଳକୁ କୌଣସି ସ୍ଵାସ୍ଥ୍ଯ କର୍ମୀ ସେଠାରେ ଉପସ୍ଥିତ ନଥିଲେ । ନିକଟରେ ଥିବା ଅନ୍ଯ ଏକ ରୁମରୁ ମୁନମୁନ ବିଶ୍ବାସ ନାମକ ଜଣେ ନର୍ସଙ୍କୁ ଡାକିଥିଲେ ରୋଗୀଙ୍କ ପରିବାର ଲୋକେ । ହେଲେ ଦିଦି ଜଣକ ମୋବାଇଲ ଦେଖିବାରେ ଏତେ ବ୍ୟସ୍ତ ଥିଲେ ଯେ ମୋତେ ବିରକ୍ତ କାହିଁକି କରୁଛ ବୋଲି କହି ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ କଚାଡି ଭାଙ୍ଗି ଦେଇଥିଲେ । ଏହାପରେ ସ୍ବାମୀଙ୍କୁ ଡାକି ଡାକ୍ତରଖାନା ଭିତରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଧକ୍କା ମରାଇଥିଲେ ।

ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ବର: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସ । ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ରାହୁଲ ଗାନ୍ଧୀଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିଛନ୍ତି । ଯାହାର ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ନାଁରେ ଏତଲା ଦିଆଯାଇଛି ।

ନିଜ ଫେସବୁକ ପୋଷ୍ଟରେ ବୁଦ୍ଧାଦିତ୍ୟ ଲେଖିଥିଲେ ବିଷ୍ଣୋଇ, ବାବା ସିଦ୍ଧିକିଙ୍କୁ ମର୍ଡର କଲା ପରେ ଏବେ ଓଏସି ଓ ରାହୁଲ ଗାନ୍ଧୀଙ୍କ ପାଳି । ଏହି ପୋଷ୍ଟକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଏଭଳି ମନ୍ତବ୍ୟ ପାଇଁ ବୁଦ୍ଧାଦିତ୍ୟଙ୍କୁ ଗିରଫ ପାଇଁ ଛାତ୍ର କଂଗ୍ରେସ ଦାବି କରିଛି ।

କଟକରେ ଭୁଶୁଡ଼ିଲା ଦୁର୍ଗା ପୂଜା ତୋରଣ

କଟକ: ଭୁଶୁଡ଼ିଲା କଟକ ଖାନନଗର ତୋରଣ । ନେତାଜୀ ବସ୍ ଟର୍ମିନାଲ ନିକଟରେ ଦଶହରା ପାଇଁ କରାଯାଇଥିବା ଲାଇଟ ଗେଟଟି ଭୁଶୁଡ଼ି ପଡ଼ିଛି । ସୌଭାଗ୍ୟ ବଶତଃ ଏଥିରେ କାହାର ବିଶେଷ କ୍ଷତି ହୋଇ ନଥିବାବେଳେ ଅନେକ ଗାଡ଼ି ଚାପି ହୋଇଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦିନ ପ୍ରାୟ ସାଢେ ଗୋଟାଏରେ ଅଘଟଣ ଘଟିଥିଲା । ସାମାନ୍ଯ ପବନ ଯୋଗୁଁ ତୋରଣଟି ଭୁଶୁଡ଼ି ପଡ଼ିଥିଲା । ପୂଜା କମିଟିର କହିବା ଅନୁସାରେ କୌଣସି ଭାରିଯାନ ଗେଟକୁ ଧକ୍କା ଦେବା ଫଳରେ ଏପରି ଅଘଟଣ ଘଟିଛି । ତେବେ ଦଶହରାକୁ ୫ ଦିନ ବିତିଥିବା ବେଳେ ଏଯାଏଁ କାହିଁକି ତୋରଣକୁ ଖୋଲାଯାଇ ନଥିଲା ସେ ନେଇ ପ୍ରଶ୍ନ ଉଠିଛି ।