ପୁରୀ : ପୁରୀ ସଦର ସମଙ୍ଗରାରେ ଡବଲ ମର୍ଡର ଘଟଣାରେ ଜଣେ ନାବାଳକ ସମେତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଜଟାଧାରୀ ପ୍ରଧାନ, ବଳିଆ ପ୍ରଧାନ, ଜଗା ପ୍ରଧାନ, ରତନି ପ୍ରଧାନଙ୍କ ସହ ଜଣେ ନାବାଳକ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ଇଟାକୁ ମଧ୍ୟ ଜବତ କରାଯାଇଛି। ଗତ ୬ମାସ ଧରି ଜମିବାଡ଼ି ବିବାଦ ଲାଗିରହିଥିଲା। ଗତକାଲି ରାତିରେ ବାପା ପ୍ରକାଶ ସ୍ଵାଇଁ ଓ ପୁଅ ରବି ସ୍ଵାଇଁ ଘରକୁ ଫେରୁଥିବା ବେଳେ ଏହି ୫ଜଣ ଆତର୍କିତ ଆକ୍ରମଣ କରି ହତ୍ୟା କରିଥିଲେ । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀର ଅତିରିକ୍ତ ଏସପି ।
ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଗୁଜରାଟ : ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ କଚ୍ଛରେ ବିଏସଏଫର ଯବାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯବାନଙ୍କ ପାଇଁ ଏ ଦେଶ ଆଜି ସୁରକ୍ଷିତ ଅଛି ବୋଲି ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ। ୨୦୧୪ରେ ବିଜେପି ସରକାର ଆସିବା ପରଠାରୁ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ ଯବାନଙ୍କ ସହ ଦୀପାବଳି ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଯବାନଙ୍କୁ ଜଣ ଜଣ କରି ମିଠା ଖୁଆଇ ଦୀପାବଳିର ବଧେଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ରକ୍ଷା କରିବାକୁ ଯବାନଙ୍କ ଶକ୍ତି ଉପରେ ଆମେ ବିଶ୍ଵାସ କରୁଛୁ ବୋଲି କହିଛନ୍ତି ପିଏମ୍। ସୀମାବର୍ତ୍ତୀ ଅଂଚଳରେ ପାରମ୍ପରିକ ଭିତ୍ତିଭୂମି ସୁଦୃଢ କରିବା ମୁଖ୍ୟ ଦାୟିତ୍ଵ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ପଡୋଶୀ ରାଷ୍ଟ୍ରଙ୍କୁ ଚେତାବନୀ ଉଦ୍ଦେଶ୍ୟରେ ଦେଶର ଗୋଟିଏ ଇଂଚ ଜାଗାକୁ ନେଇ ସାଲିସ କରାଯିବନି ବୋଲି କହିଛନ୍ତି ମୋଦି। ଏଥିଲାଗି ଦେଶର ନୀତି ସୁରକ୍ଷାକର୍ମୀଙ୍କ ସଂକଳ୍ପ ସହିତ ଯୋଡ଼ି ହୋଇ ରହିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।
୨୦୧୪ରି ସିଆଚିନରେ ଦୀପାବଳି ପାଳିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ ୨୦୧୫ରେ ପଂଜାବ ସୀମା, ୨୦୧୬ରେ ହିମାଚଳପ୍ରଦେଶ ସୁମଡୋ, ୨୦୧୭ରେ ଜମ୍ମୁ କାଶ୍ମୀରର ଗୁରେଜ ସେକ୍ଟର, ୨୦୧୮ରେ ଉତ୍ତରାଖଣ୍ଡ, ୨୦୧୯ରେ ଜମ୍ମୁ କାଶ୍ମୀରର ରଜୌରୀ, ୨୦୨୦ରେ ରାଜସ୍ଥାନରେ ଲୋଙ୍ଗେୱାଲା, ୨୦୨୧ରେ କାଶ୍ମୀରର ନୌସେରା, ୨୦୨୨ରେ କାରଗିଲ ଓ ୨୦୨୩ରେ ହିମାଚଳପ୍ରଦେଶର ଲେପଚାରେ ଦୀପାବଳି ପାଳନ କରିଥିଲେ ମୋଦି।
ବ୍ରିଜ ଉପରେ ମୋବାଇଲ୍ ଓ ଜୋତା ରଖି ନଦୀକୁ ଡେଇଁଲେ ମହିଳା
କୋରାପୁଟ : ବ୍ରିଜ ଉପରେ ମୋବାଇଲ୍ ଓ ଜୋତା ରଖି କୋଲାବ ନଦୀକୁ ଡେଇଁ ପଡିଲେ ମହିଳା। ଘଟଣା ଘଟିଛି କୋରାପୁଟ ସୁନାବେଡ଼ା ଜାତୀୟ ରାଜପଥ ୨୬ ନିକଟ ଧୁରୁଗୁଡ଼ା ବ୍ରିଜ ନିକଟରେ । କାହିଁ କେଉଁ ପରିସ୍ଥିତିରେ ମହିଳା ଜଣଙ୍କ ନଦୀକୁ ଡେଇଁଲେ, ତାହାର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ କୋରାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ଭିତରେ ମହିଳାଙ୍କୁ ଖୋଜାଖୋଜି ଜାରି ରଖିଛି । ଘଟଣାସ୍ଥଳରେ କୋରାପୁଟ ଟାଉନ ଥାନା ପୋଲିସ ମଧ ଉପସ୍ଥିତ ରହିଛି ।
ଲୋକଙ୍କୁ ବାଧୁଛି ଆଳୁର ଦର , ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲା ସିଟିଜେନସ ଫୋରମ୍
ଭୁବନେଶ୍ୱର : ଲୋକଙ୍କୁ ବାଧୁଛି ଆଳୁର ଦର ବୃଦ୍ଧି । ଆଳୁ ଦର ବୃଦ୍ଧି ଯୋଗୁଁ ଗରିବ ଲୋକଙ୍କୁ ବାଧୁଛି ବୋଲି କହିଛି ସିଟିଜେନସ ଫୋରମ୍ । ଘୋଷଣା ଅନୁଯାୟୀ ଚାଷୀଙ୍କୁ ପଞ୍ଜାବ ଓ ୟୁପିର ଆଳୁ ବିହନ ଯୋଗାଇ ପାରିଲେନାହିଁ ରାଜ୍ୟ ସରକାର । ଦରଦାମ ନିୟନ୍ତ୍ରଣକୁ ନଆଣିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛି ସିଟିଜେନସ ଫୋରମ୍ ।
ଓଡ଼ିଶାର ଭାଗ୍ୟ କେନ୍ଦ୍ର ନିର୍ଦ୍ଧାରଣ କରୁଥିବାରୁ ଏଭଳି ସମସ୍ୟା ହେଉଥିବା ଅଭିଯୋଗ ଆଣିଛି ଫୋରମ୍। କେନ୍ଦ୍ର ଉପରେ ନିର୍ଭର କରି ରହିଲେ ଏଭଳି ଉପୁଜିବ ଏବଂ ଓଡ଼ିଆଲୋକେ ସମସ୍ୟା ଭୋଗିବେ ବୋଲି ଫୋରମର ବରିଷ୍ଠ ସଦସ୍ୟ ମଧୁସୂଦନ ମିଶ୍ର କହିଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ୮୦ ପ୍ରତିଶତ ସାଧାରଣ ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି। ତେଣୁ କେନ୍ଦ୍ର ଉପରେ ଅତ୍ୟଧିକ ନିର୍ଭରଶୀଳ ନହୋଇ ରାଜ୍ୟ ସରକାର ନିଜେ ନିଷ୍ପତ୍ତି ନେବାକୁ ଦାବି ରଖିଛି ସିଟିଜେନସ ଫୋରମ୍।
ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା, ୫ ଗିରଫ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ୧୦ ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଘଟଣା । ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।
ଗତକାଲି ଭୁବନେଶ୍ୱରରେ ଚଢ଼ାଉ କରିଥିଲା ପୋଲିସ । ୩ ଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ୨ ଜଣ ଖସିଯାଇଥିଲେ। ଫେରାର ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ କରିଥିଲେ । ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା ନୟାପଲ୍ଲୀ ପୋଲିସ ।

