spot_img
Home Blog Page 1441

ଗ୍ୟାସ୍ ସିଲିଣ୍ଡର୍ ଟାଙ୍କି ଫାଟି ଜଳିଗଲା ପ୍ଲାଷ୍ଟିକ ମୂର୍ତ୍ତି ଗୋଦାମ

ନନ୍ଦିଘୋଷ ବ୍ୟୁରୋ: ଗ୍ୟାସ୍ ସିଲିଣ୍ଡର୍ ଟାଙ୍କି ଫାଟି ଜଳିଗଲା ପ୍ଲାଷ୍ଟିକ ମୂର୍ତ୍ତି ଗୋଦାମ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ । ପୁରୀ ଜିଲ୍ଲା ଗୋପ ଥାନା ବେଗୁନିଆ ଛକରେ ଅଘଟଣ । ହୁତୁ ହୁତୁ ହୋଇ ଜଲିଗଲା ପ୍ଲାଷ୍ଟିକ ମୂର୍ତ୍ତି ଗୋଦାମ । ବେଗୁନିଆ ଅଞ୍ଚଳରେ ବୁଲୁ ସାହୁଙ୍କ ପ୍ଲାଷ୍ଟିକ ମୂର୍ତ୍ତି ଗୋଦାମରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ହଟାତ୍   ନିଆଁ ଲାଗିବା ଫଳରେ ଗୋଦାମ ଭିତରେ ଥିବା ଗ୍ୟାସ୍ ସିଲିଣ୍ଡର୍ ଫାଟି ଯାଇଥିଲା । କିଛି ସମୟ ଭିତରେ ଗୋଦାମଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ତେବେ ଗୋଦାମ ଭିତରେ ଥିବା କିଛି ମୂର୍ତ୍ତି କାରିଗର ଏବଂ ତାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଟାଙ୍କି ଫାଟିବାର ଶବ୍ଦ ଏତେ ଭୟଙ୍କର ଥିଲା ଯେ ସମ୍ପୂର୍ଣ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିଲେ ।.

ମାଲବାହୀ ଟ୍ରେନ ଲାଇନଚ୍ୟୁତ୍

ନନ୍ଦିଘୋଷ ବ୍ୟୁରୋ: ମାଲବାହୀ ଟ୍ରେନ ଲାଇନଚ୍ୟୁତ୍। ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଷ୍ଟେସନ ସମ୍ମୁଖରେ ଲାଇନ ଚ୍ୟୁତ୍ ହୋଇଛି ଟ୍ରେନ । ବାରିପଦାରୁ ବାଙ୍ଗିରିପୋଷି ଷ୍ଟେସନକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଟ୍ରେନରେ ମେଟାଲ ବୋଝେଇ ରହିଥିଲା। ଟ୍ରେନରେ ଚାଳିଶରୁ ଅଧିକ ବଗି ରହିଥିବା ବେଳେ ଗୋଟାଏ ବଗି ଲାଇନ୍ ଚ୍ୟୁତ ହୋଇଛି।ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ । ବାଙ୍ଗିରିପୋଷି ରେଳ ଷ୍ଟେସନକୁ ଆସିବାକୁ ଥିବା ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ ବାତିଲ କରାଯାଇଛି । ଖଡ଼ଗପୁର ରେଳ ଡିଭିଜନକୁ ବାଙ୍ଗିରିପୋଷି ରେଳ ଷ୍ଟେସନ୍ ପକ୍ଷରୁ ଘଟଣା ନେ଼ଇ ସୂଚନା ଦିଆଯାଇଛି। ସେପଟେ ରେଳ ବିଭାଗର ଟେକ୍ନିକାଲ ଟିମ୍ ଖୁବ ଶୀଘ୍ର ଘଟଣା ସ୍ଥଳରେ ପହଞ୍ଚିବା ନେଇ ସୂଚନା ମିଳିଛି।

ନାରୀ ସୁରକ୍ଷା ଦାବିରେ ବିଜେପି ଉପରେ ବର୍ଷିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ବିଜେପି ସରକାର ସମୟରେ ମହିଳାମାନେ ଅସୁରକ୍ଷିତ । ବିଜେପି ମହିଳାଙ୍କୁ ସମ୍ମାନ କଥା କହୁଛି ସିନା ସୁରକ୍ଷା କିନ୍ତୁ ଦେଇପାରୁନି । ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ଓ କଂଗ୍ରେସ । ଦିଲ୍ଲୀରେ ଓଡ଼ିଆ ଅସ୍ମିତାକୁ ଆଘାତ ଆସିଥିବା ବେଳେ ସରକାର କିନ୍ତୁ ନିଦରେ ଶୋଇଛନ୍ତି । ଓଡ଼ିଆ ଅସ୍ମିତା ଓଡ଼ିଆ ଅସ୍ମିତା ଚିଲ୍ଲାଉଥିବା ମୋହନ ସରକାର ଓଡ଼ିଆ ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ତୁରନ୍ତ ପୀଡ଼ିତାଙ୍କୁ ସହାୟତା ପ୍ରଦାନ କରିବା ସହ ନ୍ୟାୟ ଯୋଗାଇ ଦେବାକୁ ବିଜେଡି ଦାବି କରିଛି ।

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ନେଇ ସରଗମର ହୋଇଛି ରାଜ୍ୟ ରାଜନୀତି । ଗତ ଶୁକ୍ରବାର ରାତିରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ସରାଇ କାଲେ ଖାନ ଅଞ୍ଚଳରୁ ଉଦ୍ଧାର ହୋଇ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିରୋଧୀ । ଓଡ଼ିଆ ଅସ୍ମିତାର ଚିତ୍କାର କରୁଥିବା ବିଜେପି ସରକାର କାହିଁକି ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ନିଦ ଭାଙ୍ଗୁନାହିଁ ? ଗଣମାଧ୍ଯମରେ ପ୍ରସାର ହେଲାପରେ ଗଣଦୁଷ୍କର୍ମର ତିନି ଦିନ ପରେ ମୋହନ ସରକାରଙ୍କ ଯାଇକି ନିଦ ଭାଙ୍ଗୁଛି । ଯାହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ବିଜେପି ସରକାର ସମୟରେ ନାରୀମାନେ ଅସୁରକ୍ଷିତ । ଏତେ ପରେ ବି ବିଜେପିର ଆଚରଣ ଓ ଉଚ୍ଚାରଣରେ କିଛି ପରିବର୍ତ୍ତନ ଆସିନି । ବିଜେପି ମହିଳାଙ୍କୁ ପ୍ରାଧାନ୍ୟ ଦେଉଛି ବୋଲି ଡିଣ୍ଡିମ ପିଟୁଛି । ହେଲେ କେମିତି ସମ୍ମାନ ଓ ସୁରକ୍ଷା ଦିଏ ତାହା ଦିଲ୍ଲୀ ଘଟଣାରୁ ସ୍ପଷ୍ଟ ବୋଲି କଟାକ୍ଷ କରିଛନ୍ତି ସାଂସଦ ସୁଲତା ଦେଓ । ଓଡ଼ିଶାର ଭରତପୁର ଥାନା ଘଟଣା ସାରା ଦେଶ ଦେଖିଲା । ବିଜେପି ଗୋଟେ କଥା କୁହେ, କାମ ଆଉ ଗୋଟେ କରେ । ଓଡ଼ିଶାର ମହିଳାଙ୍କ ସହ ଦୁଷ୍କର୍ମ ପରେ କାହିଁକି ଚୁପ ରହିଲେ ଆବାସିକ କମିଶନର ବୋଲି ପ୍ରଶ୍ନ କରିଛି ବିଜେଡି । ଦିଲ୍ଲୀରେ ଗଣଦୁଷ୍କର୍ମର ଶୀକାର ଯୁବତୀ ଜୀବନ ମୃତ୍ୟୁସହ ସଂଗ୍ରାମ କରୁଥିବା ବେଳେ  ମୋହନ ସରକାର କିନ୍ତୁ ପୂଜା ମଣ୍ଡପ ବୁଲି ଆନନ୍ଦ ନେଉଛନ୍ତି ।

ଅନ୍ୟପଟେ ସମାନ ଘଟଣାରେ ଉଭୟ କେନ୍ଦ୍ର ଓ ରାଜ୍ଯ ଉପରେ ବର୍ଷିଛି କଂଗ୍ରେସ । ଦିଲ୍ଲୀ ରାଜରାସ୍ତାରେ ଓଡିଆ ଅସ୍ମିତା ଦରମରା । କିନ୍ତୁ ବିଜେପି ନେତା ଚୁପ ବସିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ବିଜେପି ସରକାର ସମୟରେ ମହିଳାମାନେ ସବୁବେଳେ ଅସୁରକ୍ଷିତ । ଯେଉଁ ବଡ଼ ବଡ଼ ନେତା ଓଡ଼ିଶା ଆସି ଓଡ଼ିଶା ଅସ୍ମିତା କଥା କହୁଥିଲେ ତାହା ଆଜି ଫମ୍ପା ଆୱାଜ ପାଲଟିଛି । ତୁରନ୍ତ ପୀଡିତାଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି କରିଛି ଦଳ । ଅନ୍ୟପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ଯ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ମଣିପୁରରୁ ଓଡିଶା ମହିଳା ସବୁଠି ଅସୁରକ୍ଷିତ । ନ୍ୟାୟ ମାଗିଲେ ବି ମିଳୁନି । ବିଜେପି ସରକାର କିନ୍ତୁ ନିଦରେ ଶୋଇଛି । ଅସନ୍ତୋଷ ଦାନା ବାନ୍ଧୁଥିବାବେଳେ ରାଜ୍ୟ ସରକାର ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତାଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଅନ୍ତୁ ବୋଲି କହିଛନ୍ତି ଜୟଦେବ । ସେହିପରି ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ ମଧ୍ୟ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ମଧ୍ୟ ଦିଲ୍ଲୀ ଗଣଦୁଷ୍କର୍ମ ନେଇ ସରକାରଙ୍କ ବିଳମ୍ବରେ ନିଦ ଭାଙ୍ଗିବା ନେଇ ବର୍ଷିଛନ୍ତି ।

ଦିଲ୍ଲୀରେ ନ୍ୟାୟ ପାଇନାହିଁ ଓଡ଼ିଶା ଝିଅ । ଯାହାକୁ ନେଇ ବିଜେଡି ସରକାରଙ୍କୁ ଚେତାଇବା ସହ ପୀଡ଼ିତାଙ୍କୁ ସବୁ ପ୍ରକାର ସହାୟତା ଦେବାକୁ ଦାବି କରିଛି । ଅନ୍ୟପଟେ ଦୁଷ୍କର୍ମ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବା ସହ ବିଜେପିର ଓଡ଼ିଆ ଅସ୍ମିତା ନେଇ ଫାଙ୍କା ଆୱାଜକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।

ନବୀନଙ୍କ ଜନ୍ମଦିନକୁ ସେବାର ଦିବସ ଭାବେ ପାଳିବ ବିଜୁ ଜନତା ଦଳ

ନନ୍ଦିଘୋଷ ବ୍ୟୁରୋ: ଦିନକ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୮ ପୁରି ୭୯ ବର୍ଷ ବୟସରେ ପାଦ ଥାପିବେ ନବୀନ । ସେବା ଓ ତ୍ୟାଗର ପ୍ରତୀକ ନବୀନଙ୍କ ଜନ୍ମଦିନକୁ ସେବାର ଦିବସ ଭାବେ ପାଳିବ ବିଜୁ ଜନତା ଦଳ । ଏହି ଦିନ ସାରା ରାଜ୍ୟରେ ବିଜେଡି ମେଗା ରକ୍ତଦାନ ଶିବିର ଆୟୋଜନ କରିବ । ଏଥିସହ ନବୀନ ସରକାର ସମୟର ସଫଳତା ନେଇ ବିଭିନ୍ନ ସ୍ଥାନରେ ଆଲୋଚନାଚକ୍ର ବି କରିବ ବିଜେଡି । ହେଲେ ନିଜ ନିଜ ଜନ୍ମଦିନକୁ ନିରାଡମ୍ବର ଭାବେ ପାଳିବେ ନବୀନ।

ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂରିବ ୭୮ ବର୍ଷ । ଆସନ୍ତା ୧୬ ତାରିଖରେ ୭୮ ପୁରି ୭୯ ବର୍ଷ ବୟସରେ ପାଦ ଦେବେ ନବୀନ। ସେବାର ଏହି ସାଧକଙ୍କ ଜନ୍ମଦିନକୁ ଜନସେବାରେ ନିୟୋଜିତ କରିବ ବିଜୁ ଜନତା ଦଳ । ପ୍ରତି ଜୀବନ ମୂଲ୍ୟବାନ । ଏହି ନାରା ଦେଇଥିଲେ ନବୀନ । ଯେଉଁଥି ପାଇଁ ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା କରୋନା ମହାମାରୀ, ସମସ୍ତଙ୍କ ଜୀବନ ରକ୍ଷା ଦିଗରେ ଅବିଶ୍ରାନ୍ତ କାମ କରିଥିଲେ ନବୀନ । ରକ୍ତ ଅଭାବରୁ ଯେପରି କୌଣସି ଜୀବନ ନ ଯାଏ, ସେଥିପାଇଁ ବ୍ୟାପକ ଭାବେ ରକ୍ତଦାନ ଶିବିର ଅନୁଷ୍ଠିତ କରିବାକୁ ବିଜେଡି ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ନବୀନ।

ଜୀବନ ବିନ୍ଦୁ ନାଁରେ ରକ୍ତଦାନ ଶିବିର ଆୟୋଜନ କରି ଆସୁଛି ବିଜେଡି। ଯାକଯମକ ଠାରୁ ଦୂରରେ ରହୁଛନ୍ତି ନବୀନ । ନିରାଡମ୍ବର ଭାବେ ପାଳନ୍ତି ଜନ୍ମଦିନ। ବିଜେଡି ପକ୍ଷରୁ ନବୀନଙ୍କ ଜନ୍ମଦିନ ସେବାର ସାଧନା ହେବ । ଏହି ଦିନ ଶଙ୍ଖ ଭବନରୁ ଆରମ୍ଭ କରି ସାରା ରାଜ୍ୟରେ ମେଗା ରକ୍ତଦାନ ଶିବିର ଆୟୋଜନ କରିବ ବିଜେଡି। ସେହିପରି ରୋଗୀ ଓ ଅସହାୟଙ୍କୁ ଫଳ ବଣ୍ଟନ ମଧ୍ୟ କରାଯିବ । ନିଜ ଶାସନର ୨୪ ବର୍ଷରେ ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇ ପାରିଛନ୍ତି ନବୀନ। ତେଣୁ ତାଙ୍କ ଜନ୍ମଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନ ସରକାର ସମୟର ସଫଳତା ନେଇ ଆଲୋଚନା କରାଯିବ ।

ବିଜୁ ବାବୁଙ୍କ ଆଦର୍ଶ ଓ ନବୀନଙ୍କ ବିକାଶ ନୀତିକୁ ନେଇ ଗଠନ ହୋଇଛି ବିଜୁ ଜନତା ଦଳ । ରାଜ୍ୟ ଓ ରାଜ୍ୟବାସୀ ଆଗ। ଏହି ମୂଳମନ୍ତ୍ର ଧରି ନବୀନ ସାରା ଓଡ଼ିଶାକୁ ନିଜ ପରିବାର କରି ପାରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ପଦରେ ନଥିଲେ ବି ନବୀନଙ୍କୁ ଝୁରୁଛନ୍ତି ରାଜ୍ୟବାସୀ।

ସରଳ ଜୀବନ ଓ ବିକାଶ ପଥରେ ଓଡ଼ିଶା । ଏ ହେଉଛି ନବୀନଙ୍କ ଏକ ମାତ୍ର ଏଜେଣ୍ଡା । ଯାହାକୁ ନେଇ ସେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାକୁ ସୁଶାସନ ଦେବାରେ ସକ୍ଷମ ହୋଇଥିଲେ । ଜନସେବାକୁ ପ୍ରାଧାନ୍ୟ ଦେଉଥିବା ନବୀନଙ୍କ ନୀତି ଓ ଆଦର୍ଶକୁ ନେଇ ତାଙ୍କ ୭୯ ତମ ଜନ୍ମଦିନ ପାଳିବ ବିଜୁ ଜନତା ଦଳ ।

ଭୁବନରେ ବଳଦ ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଏସିଆର ସର୍ବବୃହତ ଗ୍ରାମ ଭୁବନର ପାରମ୍ପରିକ ଐତିହାସିକ ବଳଦ ଯାତ୍ରା । ପବିତ୍ର ବିଜୟା ଦଶମୀ ଦିନ ଆରମ୍ଭ ହୋଇଥାଏ ଏହି ଯାତ୍ରା। ଥୋରିଆ ସମାଜ ତରଫରୁ ଆରମ୍ଭ ହୋଇଥିବା ବଳଦ ଯାତ୍ରାରେ ସାମିଲ ହୋଇଥିଲେ କାଚରା ସମାଜ। ପରେ ପରେ ଭୁବନର ସମସ୍ତ ସମାଜ ଏହି ଯାତ୍ରା ରେ ସାମିଲ୍ ହୋଇଥିଲେ । ହଜାର ବର୍ଷ ତଳୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବଳଦ ପିଠିରେ ଜିନିଷ ପତ୍ର ନେଇ ଓଡ଼ିଶା ତଥା ଓଡ଼ିଶା ବାହାରକୁ ଯିବାର ପରମ୍ପରା ଚାଲି ଆସିଛି। ଏହି ପରମ୍ପରାକୁ ନେଇ ପାଳନ ହୋଇଯାଉଛି ବଳଦ ଯାତ୍ରା। ବିଜୟା ଦଶମୀରେ ଶୁଭମନାସି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବେପାର ବଣିଜ ଆରମ୍ଭ ହୋଇଥାଏ। ଏହି ଦିନକୁ କଂସାରୀ ସମାଜ, ବଙ୍ଗାଳୀ ସମାଜ, ବଢେଇ ସମାଜ, ବଣିଆ ସମାଜ ପର୍ବ ଭାବରେ ମଧ୍ୟ ପାଳନ କରାଯାଏ। ପ୍ରଥମେ ଥୋରିଆ ସମାଜର ବଳଦକୁ ବନ୍ଦାପନା ପରେ ଗ୍ରାମ ପରିକ୍ରମା କରି ବଡ଼ହାଟରେ ପହଞ୍ଚିଥିଲା। ଏହା ପରେ ଅନୁକୂଳ ଯାତ୍ରା ଆରମ୍ଭ ହୋଇଥିଲା। ସମସ୍ତ ବଳଦ ଯାତ୍ରା ସଦସ୍ୟ ଗୁଜୁରିହାଟରେ ଏକତ୍ରିତ ହୋଇଥିଲେ। ଅନୁକୂଳ ଯାତ୍ରା ବଡ଼ହାଟ, ବାଜି ଛକ, ପୋଥାଳ ସାହି, ବଡ଼ଦାଣ୍ଡ, ଜଗନ୍ନାଥ ମଣ୍ଡପ, ବଣିଆ ସାହି ଦେଇ ଗ୍ରାମ ପରିକ୍ରମା କରିଥିଲେ। ଚଳିତବର୍ଷ ୩୨ ଗୋଟି ବଳଦ ସାମିଲ୍ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ଓ ଶାନ୍ତି କମିଟି ସଦସ୍ୟଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ କରଯାଇଛି। ଆଜି ସଂଧ୍ଯାରୁ ଭସାଣ ଯାତ୍ରା ଅନୁଷ୍ଠିତ ହେବ ।

ନୂଆଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା : ଦିଲ୍ଲୀ ପୋଲିସ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ଆଣିଲେ ମାନବାଧିକାର କର୍ମୀ

ନନ୍ଦିଘୋଷ ବ୍ୟୁରୋ: ନୂଆଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଦିଲ୍ଲୀ ପୋଲିସ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ଆଣିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାଶ । ଏ ନେଇ ସେ NHRC ରେ ଅଭିଯୋଗ ଦାଖଲ କରିଥିବା ବେଳେ ଘଟଣାର ଯାଂଚ ନେଇ ଦାବି କରିଛନ୍ତି । ଘଟଣା ଘଟିବାର ପ୍ରାୟ 48 ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହେବାରେ ପୋଲିସ ସହଯୋଗ କରିଥିବା ଅଭିଯୋଗ ହୋଇଛଇ । ଯେଉଁଠି ପିଡିତା ହସ୍ପିଟାଲରେ ଅଛନ୍ତି ସେଠି ଦିଲ୍ଲୀ ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ତଦନ୍ତ କରିବା କଥା । ତେବେ NHRC ରେ ଅଭିଯୋଗ ପରେ ଓଡିଶା ସରକାର ଚେତିଥିବା ବେଳେ ପିଡିତା କିପରି ନ୍ୟାୟ ପାଇବ ସେ ନେଇ କାର୍ଯ୍ୟ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଜୟନ୍ତ ।ଏପରିକି ଏହି ଘଟଣାରେ ସରକାର ଦିଲ୍ଲୀ ପୋଲିସ ଉପରେ ଚାପ ପକାଇ ମାମଲାର ଯାଂଚ ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ପଦକ୍ଷେପ ନେବାକୁ ଜୟନ୍ତ ଦାବି କରିଛନ୍ତି । ସେହିପରି ଆଇନ ଅନୁସାରେ ପିଡିତା ଓ ତାଙ୍କ ପରିବାର କୁ ଅନୁକମ୍ପା ସହାୟତା ରାଶି ଯୋଗାଇବା ପାଇଁ ମଧ୍ୟ ଜୟନ୍ତ NHRC ଙ୍କ ନିକଟରେ ଦାବି କରିଛନ୍ତି । ରାଜ୍ୟ ସରକାର ରାଜ୍ୟ ବାହାରେ ଥିବା ଓଡ଼ିଆ ମାନଙ୍କ ସୁରକ୍ଷା ଓ ସହାୟତା ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାରେ ବିଳମ୍ବ କରିବା ଅନୁଚିତ ବୋଲି ଜୟନ୍ତ ମତ ରଖିଛନ୍ତି।

୨୦ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ୨୦ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ମାମୁ ଓ ଅଜା ବିକ୍ରି କରିଥିବା ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ଶିଶୁପୁତ୍ରର ଜେଜେବାପା । କଟକ ଜିଲ୍ଲା ସାଲେପୁର ଥାନା କାନପୁର ଗାଁର ରାହସ ବିହାରୀ ସାମଲଙ୍କ ପୁଅ ତପନ ସାମଲ ନିଶ୍ଚିନ୍ତକୋଇଲି ଥାନା ବଡ଼କ୍ଷୀର ଗାଁର କାହ୍ନୁ ଚରଣ ସାମଲଙ୍କ ଝିଅ ରୁବିନାଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ରୁବିନା ୬ ମାସ ହେବ ପୁଅକୁ ଧରି ଅନ୍ୟତ୍ର ଚାଲିଯାଇଥିଲେ । ଶିଶୁପୁତ୍ରଟି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ବେଲରପା ଗାଁର ଅନନ୍ତ ସାମଲଙ୍କ ଘରେ ଥିବା ସୂଚନା ପାଇ ପରିବାର ଲୋକ ସେଠାରେ ପହଞ୍ଚିଥିଲେ । ଶିଶୁପୁତ୍ରକୁ ସାଥିରେ ନେବା ପାଇଁ କହିବାରୁ ଅନନ୍ତଙ୍କ ପରିବାର ଲୋକ ୨୦ ହଜାର ଟଙ୍କା ଦାବି କରିଥିଲେ । ଶିଶୁପୁତ୍ରକୁ ତାହାର ମାମୁ ଓ ଅଜା ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ଶିଶୁର ପରିବାର ଲୋକ । ଏନେଇ ସାଲେପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

କିଏ ହେବେ ପିସିସି ସଭାପତି ? ଜାଣନ୍ତୁ କଣ କହୁଛନ୍ତି ବରିଷ୍ଠ ନେତା

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ କଂଗ୍ରେସ ଦିଗହରା ହେବାରେ ଲାଗିଛି। ତୁରନ୍ତ ହାଇକମାଣ୍ଡ ପିସିସି ସଭାପତି ନିୟୁକ୍ତି କରିବାକୁ ଦାବି କରିଛନ୍ତି ଦଳର ବରିଷ୍ଠନେତାମାନେ। ଜୁଲାଇ ୨୧ ତାରିଖରେ ଏଆଇସିସି ପିସିସିର ସବୁ କମିଟି ଭାଙ୍ଗି ଦେବା ପରେ ମୁରବୀ ଶୂନ୍ୟ ହୋଇଛି ରାଜ୍ୟ କଂଗ୍ରେସ । ୨୧ ଜଣିଆ ଷ୍ଟିୟଂରି କମିଟି  ମଧ୍ୟ ଠିକ ସେ କାର୍ଯକ୍ରମ କରୁନାହି ଓ ଶୀତଳ ପଡ଼ିଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଜୟ ଦେବ ଜେନା କହିଛନ୍ତି । ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଯେ ଏଆଇସିସି ତୁରନ୍ତ ପିସିସି ସଭାପତି ନିୟୁକ୍ତି ଦେବେ । କାହାକୁ ପିସିସି ସଭାପତି କରାଯିବ ସେନେଇ ବିଚାର ବିମର୍ଷ ଚଳାଇଛନ୍ତି। ଖୁବଶୀଘ୍ର ପିସିସି ସଭାପତିଙ୍କ ନାଁ  ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ, ଶରତ ରାଉତ, ଭକ୍ତ ଚରଣ ଦାସ, ସପ୍ତଗିରୀ ଉଲାକା  ଓ ବିଶ୍ବ ରଂଜନ ମହାନ୍ତିଙ୍କ ନାଁ ପିସିସି ସଭାପତି ରେସରେ ରହିଛି । ଚର୍ଚ୍ଚା ହେଉଥିବା ନେତା ଓ ନୂଆ ମୁହିଁକୁ କଂଗ୍ରେସ ହାଇକମାଣ୍ଡ ବିଶ୍ବାସକୁ ନେବେ ତାହା ଉପରେ ସଭିଁଙ୍କ ନଜର ।

ରେରା ଆଇନରେ ହେବ ପରିବର୍ତ୍ତନ : ରାଜସ୍ଵ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ରେରା ଆଇନରେ ହେବ ପରିବର୍ତ୍ତନ। ଆଲୋଚନା ପରେ ନିଆଯିବ ନିଷ୍ପତ୍ତି। ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ଯକତା ନାହିଁ। ଜମିର କିଛି ଭାଗ ମଧ୍ୟ ବିକ୍ରି କରି ହେବ। ଏହି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ସମ୍ବଲପୁରରେ ଡିଏସଆର୍ ଅଫିସ ପରିଦର୍ଶନ କରିଛନ୍ତି। ଏହି ସମୟରେ ସୁରେଶ ପୂଜାରୀ କହିଛନ୍ତି, କାମ ନ ଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ | ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ। ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳା କଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ହେବ । ଲୋକଙ୍କୁ ରାଜସ୍ବ ସେବା ଦେବାରେ ଅବହେଳା କଲେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଅଧିକାରୀମାନଙ୍କୁ ମଧ୍ଯ ସେ ତାଗିଦ୍ କରି ଜନ ସାଧାରଣଙ୍କ ସମସ୍ଯା ଓ ଅଭିଯୋଗ ଶୁଣିଛନ୍ତି।

ଅର୍ଥନୀତିରେ ୩ଜଣଙ୍କୁ ନୋବେଲ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ଅର୍ଥନୀତିରେ ୩ଜଣଙ୍କୁ ନୋବେଲ ପୁରସ୍କାର। ଡାରୋନ ଏସମୋଗଲୁ, ସାଇମନ ଜନସନ, ଜେମ୍ସ ଏ ରବିନସନଙ୍କୁ ନୋବେଲ  । ମିଳିତ ଭାବେ ୩ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ବିଭିନ୍ନ ଅନୁଷ୍ଠାନର ନିର୍ମାଣ ଓ ବିକାଶ ଉପରେ ଅଧୟନକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି ।