spot_img
Home Blog Page 1442

ମହାରାଷ୍ଟ୍ରରେ ଆଜି ଶପଥଗ୍ରହଣ ସମାରୋହ, ମୁଖ୍ୟମନ୍ତ୍ରୀଙ୍କ ପଦ ଉପରେ ନଜର

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ଆଜି ଶପଥଗ୍ରହଣ ସମାରୋହ। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି। କିଏ ମୁଖ୍ଯମନ୍ତ୍ରୀ ହେବେ- ସେନେଇ ଜାରି ରହିଛି ସସେପନସ। ଆଜି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ସମ୍ଭାବନା ରହିଛି। ମହାୟୁତି ମେଣ୍ଟ ବୈଠକ ପରେ କିଏ ହେବ ମୁଖ୍ୟମନ୍ତ୍ରୀ ଘୋଷଣା ସମ୍ଭାବନା ରହିଛି। ଯେତେ ସମ୍ଭବ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି। ବିଜେପିର ଦେବେନ୍ଦ୍ର ଫଡନଭିସ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏକୁ ୨୩୩ ଓ ଏମଭିଏକୁ ୪୯ ଆସନ ମିଳିଛି। ଏନଡିଏ ଅଂଶୀଦାର ବିଜେପିକୁ ୧୩୨, ଶିବସେନାକୁ ୫୭, ଏନସିପିକୁ ୪୧ ଓ ଅନ୍ଯାନ୍ୟ ଦଳକୁ ୩ ଆସନ ମିଳିଛି । ସେହିପରି ଏମଭିଏ ଅଂଶୀଦାର କଂଗ୍ରେସକୁ ୧୬, ଶିବସେନା(ୟୁବିଟି)କୁ ୨୦, ଏନସିପି(ଏସପି)କୁ ୧୦, ଏସପିକୁ ୨ ଓ ସହଯୋଗୀ ଦଳକୁ ଗୋଟିଏ ଆସନ ମିଳିଛି । ଗତ ନିର୍ବାଚନ ତୁଳନାରେ ଏମଭିଏ ୨୫ ଆସନ ହରାଇଛି । ୨୮୮ ଆସନ ଲାଗି ମ୍ଯାଜିକ ନମ୍ବର ହେଉଛି ୧୪୫ । ବିଜେପି ଏକାକୀ ୧୩୨ ଆସନ ପାଇଥିବାରୁ ମେଣ୍ଟ ସହଯୋଗୀଙ୍କ ଗୁରୁତ୍ବବି ହ୍ରାସ ପାଇଛି । ସିନ୍ଦେଙ୍କ ବିନା ସମର୍ଥନରେ ବିଜେପି ସରକାର ଗଠନ କରିବାକୁ ସକ୍ଷମ ଥିବାବେଳେ ଏବେ ରାଜ୍ଯ ରାଜନୀତିରେ ଅସ୍ପଷ୍ଟ ବାତାବରଣ ଖେଳିଛି ।

ଆସନ୍ତାକାଲିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲିଠାରୁ ବିଧାନସଭାର ଶୀତ ଅଧିବେଶନ। ଆଜି ବସିବ ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସକାଳ ସାଢେ ୧୦ଟାରେ ବୈଠକ ହେବ । ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ପାଇଁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ।  ବୈଠକରେ ଯୋଗଦେବା ପୂର୍ବରୁ ଉଭୟ ଶାସକ ବିଜେପି, ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡିବେ।

ଆସନ୍ତାକାଲିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ସରକାର ୨୬ରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି। ତେବେ ଆଜି ସର୍ବଦଳୀୟ ବୈଠକରେ ବିଧାନସଭା ପରିଚାଳନା ନେଇ ସବୁ ଦଳ ବାଚସ୍ପତିଙ୍କୁ ନିଜର ମତାମତ ଦେବେ l

ଆଜିଠୁ ସଂସଦ ଶୀତ ଅଧିବେଶନ, ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

ନୂଆଦିଲ୍ଲୀ: ଆଜିଠୁ ସଂସଦର ଶୀତ ଅଧିବେଶନ। ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ପ୍ରସଙ୍ଗ ନେଇ ଶୀତ ଅଧିବେଶନ ସରଗରମ ହୋଇପାରେ। ଚଳିତ ଅଧିବେଶନରେ ୱାକଫ୍ ସଂଶୋଧନ ବିଲ୍ ସମେତ ମୋଟ ୧୬ଟି ବିଲ୍ ତାଲିକାଭୁକ୍ତ ହୋଇଥିବା ବେଳେ ମଣିପୁରରେ ଚାଲିଥିବା ଜାତିଗତ ହିଂସା ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ପ୍ରସଙ୍ଗକୁ ଉଠାଇପାରନ୍ତି ବିରୋଧୀ।

ସଂସଦରେ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗ ନେଇ ହଙ୍ଗାମା ହୋଇପାରେ। ଆଦାନୀ ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମିଳିତ ସଂସଦୀୟ କମିଟି ଦ୍ୱାରା ଅଭିଯୋଗର ତଦନ୍ତ ଦାବି କରିଛନ୍ତି। ଶୀତ ଅଧିବେଶନ ପୂର୍ବରୁ ଗତକାଲି ବସିଥିଲା ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ସର୍ବଦଳୀୟ ବୈଠକରେ ଯୋଗଦେଇ ବିଜେଡି ସାଂସଦ ସସ୍ମିତ ପାତ୍ର ସ୍ବତନ୍ତ୍ର ରାଜ୍ଯପାହ୍ଯା ମାନ୍ଯତା, ପୋଲାଭରମ, ମହାନଦୀ, କୋଇଲା ରୟାଲଟି, ଜାତୀୟ ରାଜପଥ, ନୂଆ ଏମସ, ଆଦିବାସୀ ବିକାଶ, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ଯାହାର ଆଦି ପ୍ରସଙ୍ଗ ଉଠାଇଥିଲେ।

ମଦଦୋକାନ ଆଗରେ ଆଇନଜୀବୀଙ୍କୁ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ମଦଦୋକାନ ଆଗରେ ଆଇନଜୀବୀଙ୍କୁ ବିଅର ବୋତଲରେ ଆକ୍ରମଣ । ବାଙ୍କୀ ଷଣ୍ଢପୁର ଗାଁ ପାଖରେ ଥିବା ଏକ ମଦଦୋକାନ ଆଗରେ ଦୁଇଜଣ ଆଇନ ଜୀବୀଙ୍କୁ ଆକ୍ରମଣ ହୋଇଥିବା ଗୋଡିସାହି ଫାଣ୍ଡିରେ ଅଭିଯୋଗ ହୋଇଛି । ବିଡାନାସୀ ଅଂଚଳର ଅଜିତ ସାହୁ ଓ କାଳିଗଳି ଅଂଚଳର ତୃପ୍ତିରଞ୍ଜନ ମହାପତ୍ର ଷଣ୍ଢପୁର ଦେଇ ଫେରୁଥିଲେ । ଏହି ସମୟରେ ଷଣ୍ଢପୁର ପୁରୀ ମୁଖ୍ୟ କେନାଲ ପାଖରେ ଥିବା ମଦଦୋକାନ ଠାରୁ ଅଳ୍ପଦୁରରେ ସ୍ଥାନୀୟ ଗାଁର ୪ଜଣ ମଦ୍ୟପ ଯୁବକ ସେମାନଙ୍କୁ ରୋକି ଟଙ୍କା ମାଗିଥିଲେ । ନିଜକୁ ଓକିଲ ବୋଲି ପରିଚୟ ଦେବା ସତ୍ୱେ ମଦ୍ୟପ ଯୁବକ ବିଅର ବୋତଲରେ ଉଭୟଙ୍କୁ ଆକ୍ରମଣ କରିଥିଲେ । ଖବରପାଇ ଗୋଡିସାହିଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଆଇନଜୀବୀଙ୍କୁ ଉଦ୍ଧାର କରିଛି । ଉଭୟଙ୍କୁ କଟକ ଏସସିବିକୁ ପଠାଇଛି ପୋଲିସ । ପୋଲିସ ଏକ ମାମଲା ରୁଜୁକରି ତଦନ୍ତଆରମ୍ଭ କରିଛି ।

ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଶ୍ରୀମନ୍ଦିରରେ ପ୍ରାୟ ୪ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି। ଆସନ୍ତାକାଲି ୨୫ ତାରିଖ ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତାନୀତି ସମାପନ କରାଯିବ। ଏ ନେଇ ଆପାତତଃ ଅପରାହ୍ନ ୫ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜୀଉମାନଙ୍କ ପଇତା ଲାଗି ନୀତି ଦ୍ୱିତୀୟ ଭୋଗମଣ୍ଡପ ପରେ ପରେ ଅନୁଷ୍ଠିତ ହେବ । ଏହି ପଇତା ଲାଗି ସେବା ଦଇତାପତି ସେବକମାନଙ୍କର ଏକ ଗୋଷ୍ଠୀ ଗତ ସେବା ଅଟେ । ଶ୍ରୀଜୀଉମାନଙ୍କଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ପାଇଁ ମହାପ୍ରଭୁଙ୍କ ପଇତା ଲାଗି କରାଯାଇଥାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଟର ସେବକଙ୍କୁ ପଇତା ବୋଳିବା ପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇଥାଏ । ପାଟରା ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି। ପଇତା ବୋଳି ସାରି ପାଟରା ସେବକ ସେହି ଦିନ ଦେଉଳ କାରଣଙ୍କୁ ଯୋଗାଇଥାନ୍ତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପଇତାଲାଗି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହେ।

 

ଜରାଜୀର୍ଣ୍ଣ ଅବସ୍ଥାରେ OTDCର ଉଡେନ ରେଷ୍ଟୁରାଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଜରାଜୀର୍ଣ୍ଣ ଅବସ୍ଥାରେ କୋଣାର୍କ ଚନ୍ଦ୍ରଭାଗା ପାଖରେ ଥିବା OTDCର ଉଡେନ ରେଷ୍ଟୁରାଣ୍ଟ । ଫନି ବାତ୍ୟାରେ ଏହି ଉଡେନ ରେଷ୍ଟୁରାଣ୍ଟଟି ଭାଙ୍ଗି ଯାଇଥିଲା । ହେଲେ ଏପର୍ଯ୍ଯନ୍ତ ଏହାର ପୁନରୁଉଦ୍ଧାର ପାଇଁ ନୂତନ ସରକାରଙ୍କ ଦୃଷ୍ଟି ପଡୁନାହିଁ । ଖୋଦ ଉପ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ OTDCର କାଠ ରେଣ୍ଟୁରାଣ୍ଟ ଏବେ ଜରାଜୀର୍ଣ୍ଣ । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ ।

ବିଶ୍ଵପ୍ରସିଦ୍ଧ କୋଣାର୍କ ଚନ୍ଦ୍ରଭାଗା ପାଖରେ ଥିବା OTDC ର ଉଡେନ ରେଷ୍ଟରାଣ୍ଟ ଖତ ଖାଇଗଲାଣି । ଏବେ ଅସାମାଜିଙ୍କ ଚରାଭୂଇଁ ପାଲଟିଛି ଏହି ସ୍ଥାନ । ପୂର୍ବ ସରକାର ସମୟରେ ପର୍ଯ୍ଯଟକ ମାନଙ୍କୁ ଆକୃଷ୍ଟ କରିବାକୁ ପର୍ଯ୍ଯଟନ ବିଭାଗ ପକ୍ଷରୁ ସମ୍ପୂର୍ଣ କାଠରେ ନିର୍ମାଣ କରାଯାଇଥିଲା ଉଡେନ ରେଷ୍ଟୁରାଣ୍ଟ । ଏଠାରେ ମିଳୁଥିଲା ଓଡ଼ିଶାର ପାରମ୍ପାରିକ ଓଡ଼ିଆ ଖାଦ୍ୟ । ଯାହାକୁ ପସନ୍ଦ କରୁଥିଲେ ଦେଶ ବିଦେଶର ପର୍ଯ୍ୟଟକ। କିନ୍ତୁ ଆଜି ତାହା ଅବହେଳିତ ଅବସ୍ଥାରେ । ଗତ ଫନି ବାତ୍ୟାରେ ଧ୍ବଂସ ବିଧ୍ୱସ୍ତ ହୋଇଥିବା ଉଡେନ ରେଷ୍ଟରାଣ୍ଟ ଉପରେ ନୂତନ ସରକାରଙ୍କ ଦୃଷ୍ଟି ପଡୁନାହିଁ । ସାମ୍ନାକୁ ଆସିଲା ବିଜେପି ସରକାରଙ୍କ ଓଡିଆ ଅସ୍ମିତା ପ୍ରୀତି । ମିଛ ଅସ୍ମିତାର ଡିଣ୍ଡିମ ପିଟୁଥିବା ସରକାରରେ ପର୍ଯ୍ଯଟକ ଅସନ୍ତୋଷ । ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି OTDCର ଉଡେନ ରେଷ୍ଟୁରାଣ୍ଟ । ଓଡ଼ିଆ ଖାଦ୍ୟ ଖାଇବାରୁ ବଂଚିତ ହେଉଛନ୍ତି ଦେଶ ବିଦେଶର ପର୍ଯ୍ୟଟକ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

OTDC ର ଉଡେନ ରେଷ୍ଟରାଣ୍ଟରେ ଓଡିଶାର ସୁସ୍ବାଦୁ ଖାଦ୍ୟ ସହ ଦେଶୀ ବ୍ୟଞ୍ଜନ ପାଇପାରୁଥିଲେ ଦେଶ ବିଦେଶର ପର୍ଯ୍ୟଟକ। ଏଥିରୁ ଭଲ ରାଜସ୍ୱ ଆୟ ହେବା ସହ ଅନେକଙ୍କୁ ଯୋଗାଉଥିଲା ରୋଜଗାର । ବାତ୍ୟାରେ ଏହା ଉଜୁଡିଯିବା ପରେ ଏହାର ପୁନଃଉଦ୍ଧାର ହୋଇପାରିନାହିଁ । ଆଉ ଦିନ କେଇଟା ପରେ କୋଣାର୍କ ଉତ୍ସବ ଆୟୋଜନ ହେବାକୁ ଥିବା ବେଳେ ରେଷ୍ଟୁରାଣ୍ଟ  ବନ୍ଦ ପ୍ରାୟ । ଏହି ଲାଭ ଜନକ ସଂସ୍ଥାକୁ ୫ବର୍ଷରୁ ଉର୍ଦ୍ଧ ସମୟ ଧରି ମରାମତି କରାନଯିବା ପଛରେ ବିଭାଗର କିଛି ଅଫିସରଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ । ଏପଟେ ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ଉଡେନ ରେଷ୍ଟରାଣ୍ଟକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ପର୍ଯ୍ୟଟନ ସଚିବ।

 

ଦାଉ ସାଜିଲାଣି ଭାରତରେ ବାୟୁ ପ୍ରଦୂଷଣ

ନନ୍ଦିଘୋଷ ବ୍ୟୁରୋ: ଭାରତରେ ବାୟୁ ପ୍ରଦୂଷଣ ଅଧିକ। ବାୟୁ ପ୍ରଦୂଷଣ ଯୋଗୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ଧୂମପାନ କରୁନଥିବା ବ୍ୟକ୍ତି। ବିଶ୍ବର ଅନ୍ୟରାଷ୍ଟ୍ର ତୁଳନାରେ ଭାରତରେ ୧୦ପ୍ରତିଶତ ଅଧିକ ଅଛନ୍ତି ଫୁସଫୁସ କର୍କଟ ରୋଗୀ। PM ୨.୫ ପ୍ରଦୂଷଣ ପାଇଁ ଦେଶର ଅଧିକାଂଶ ଯୁବକଯୁବତୀ ଆଡେନୋକାର୍ସିନୋମା ରୋଗରେ ପୀଡ଼ିତ ହେଉଛନ୍ତି। ଆଲର୍ଜିସ୍‌ ଯୋଗୁ ପିଲାଙ୍କର ଛାଡ଼ୁନି ଥଣ୍ଡା କାଶ ସହିତ ଶ୍ବାସଜନିତ ରୋଗ।ବିଶେଷଜ୍ଞଙ୍କ ପରାମର୍ଶ ଶୀତଦିନେ ବେଶୀ ବାୟୁ ପ୍ରଦୂଷଣ ଦେଖାଦେଇଥାଏ। ବାହାରକୁ ବାହାରିଲେ N-୯୫ ମାସ୍କ୍‌ ସହିତ ଘରେ ବାୟୁ ଶୋଧନ ଯନ୍ତ୍ର ରଖିଲେ ସୁସ୍ଥ ରହିପାରିବେ ।

ଦାଉ ସାଜିଲାଣି ବାୟୁ ପ୍ରଦୂଷଣ। ବଢଉଛି ଫୁସଫୁସ କର୍କଟ ରୋଗ ଆଡେନୋକାର୍ସିନୋମା। ବିପଦରେ ଧୂମପାନ କରୁ ନଥିବା ବ୍ୟକ୍ତି। PM ୨.୫ କଣିକା ଫୁସଫୁସ କାନ୍ଥରେ ଜମା ହୋଇ ଅସ୍ବାଭାବିକ ପ୍ରକ୍ରିୟା ସୃଷ୍ଟି କରୁଛି। ନିକୃଷ୍ଟ ବାୟୁ ମଧ୍ୟ ପିଲାଙ୍କ ଥଣ୍ଡା, କାଶ ଓ କଫର ମୁଖ୍ୟ କାରଣ ହୋଇଛି। ଭାରତୀୟ ବୈଜ୍ଞାନିକଙ୍କ ଏପରି ତଥ୍ୟକୁ ପ୍ରକାଶ କରିଛି ଲାନ୍‌ସେଟ୍‌ ପତ୍ରିକା।ଦିଲ୍ଲୀ ପରେ ଦେଶର ବଡ଼ ବଡ଼ ସହରରେ ଏବେ ଆତଙ୍କ। ଭୁବନେଶ୍ବର-କଟକରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଆଦୌ ମାଦକ ଦ୍ରବ୍ୟ ସେବନ କରୁନଥିବା ବ୍ୟକ୍ତି ଫୁସଫୁସ କର୍କଟ ରୋଗରେ ପୀଡ଼ିତ ହେଉଛନ୍ତି। ଖାଲି ସେତିକି ନୁହେଁ ସାଧାରଣତ ପିଲାଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ । ଖରାପ ବାୟୁର ମାନ ଯୋଗୁ ଆଜିକାଲି ପିଲାମାନେ ବେଶୀ ଥଣ୍ଡା, କାଶ, କଫ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାସହିତ ଶ୍ବାସ ଜନିତ ରୋଗ ଯେପରିକି ଶ୍ବାସ, ବ୍ରୋଙ୍କାଇଟିସ ସହ ଅନ୍ୟ ଛାତିରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାସହିତ ଆମେରିକାର କଲରାଡ଼ୋ ମେଡିକାଲ ସାଇସନ୍‌ସ ବୈଜ୍ଞାନିକଙ୍କ ମତରେ ବାୟୁ ପ୍ରଦୂଷଣ ଯୋଗୁ ପିଲାଙ୍କର ବଢୁଛି ଆଲର୍ଜିସ ରୋଗ। ଯେଉଁ କାରଣରୁ ଅଧିକାଂଶ ପିଲାଙ୍କ ଆଖି ଖରାପ ହେଉଛି।ପ୍ରଦୂଷିତ ଅଞ୍ଚଳରେ ଲୋକେ ଏଣିକି ଏନ-୯୫ ମାସ୍କ୍‌ ବ୍ୟବହାର କରିବା ସହ ଘରେ ସ୍ବଚ୍ଛ ବାୟୁ ଚଳପ୍ରଚଳ ଉପରେ ଗୁରୁତ୍ବ ଦେବା ଜରୁରୀ

ଦିଲ୍ଲୀ ଦଶା ଦିନେ ଭୁବନେଶ୍ବର ଭୋଗିପାରେ। ବାୟୁ ପ୍ରଦୂଷଣ କରୁଥିବା ଉତ୍ସଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ପରିବେଶବିତଙ୍କ ମତରେ ଦିଲ୍ଲୀ ପରି ଭୁବନେଶ୍ବର-କଟକ ବାୟୁମଣ୍ଡଳକୁ ସଫା କରିବା ପାଇଁ କୃତ୍ରିମ ବର୍ଷା ସ୍ଥାୟୀ ସମାଧାନ ଆଣିପାରିବ ନାହିଁ। ଏଥିପାଇଁ ସବୁ ଲୋକେ ସଚେତନ ହୋଇ ବାୟୁର ମାନ ବଢାଇବାକୁ ଉଦ୍ୟମ କରିବା ଆବଶ୍ୟକ। ଯେଉଁ ଗାଡ଼ିଗୁଡ଼ିକ ୧୫ ବର୍ଷରୁ ଅଧିକ ପୁରୁଣା, ସେଗୁଡ଼ିକୁ ରାସ୍ତାରୁ ସମ୍ପୂର୍ଣ୍ଣ ହଟାଇବାକୁ ପଡ଼ିବ। ଏହାସହିତ ନିର୍ମାଣ କାର୍ଯ୍ୟବେଳେ ଯେପରି କଂକ୍ରିଟ୍‌ଗୁଣ୍ଡ ବାୟୁରେ ବ୍ୟାପେ। ସେଥିପ୍ରତି ଜନସାଧାରଣ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ଦରକାର।ବାୟୁମଣ୍ଡଳରେ ଏସବୁ ଛୋଟ ଛୋଟ କଣିକାରେ ପରିବର୍ତ୍ତନ ହୋଇ ଘୁରି ବୁଲୁଛନ୍ତି। ଫଳରେ ସହଜରେ ଶ୍ବାସକ୍ରିୟାରେ ମଣିଷର ଫୁସଫୁସକୁ ପ୍ରବେଶ କରିପାରୁଛି ଏସବୁ ବିଷାକ୍ତ କଣିକା। ବିଶ୍ବରେ ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଥିବାରୁ ପ୍ରତ୍ୟେକ ରାଜ୍ୟ ଏହାର ନିୟନ୍ତ୍ରଣ ପାଇଁ  କାର୍ଯ୍ୟକ୍ରମ ହାତକୁ ନେବା ଆବଶ୍ୟକ । ଦିନକୁ ଦିନ କମୁଛି ବାୟୁର ମାନ। ଯେ ପର୍ଯ୍ୟନ୍ତ ସମୂହ ପ୍ରଚେଷ୍ଟା ଆରମ୍ଭ ନହୋଇଛି ସେ ପର୍ଯ୍ୟନ୍ତ ଆଖିଦୃଶିଆ ସଫଳତା ଦେଖିବାକୁ ମିଳିବ ନାହିଁ। ଖାଦ୍ୟ, ପାଣି ଯେ କେବଳ ଜୀବନ ବଞ୍ଚାଇପାରିବ ନାହିଁ । ଜୀବନକୁ ସୁସ୍ଥ ରଖିବାକୁ ହେଲେ, ସ୍ବଚ୍ଛ ବାୟୁ ଅନିବାର୍ଯ୍ୟ। ଯାହାକି ଦିନକୁ ଦିନ ଖରାପ ହୋଇଚାଲିଛି ।

 

ମାଟି ଓ ମା ପାଇଁ ଲଢେଇ କରି ଜେଲ ଯାଇଛନ୍ତି ଭବ ପ୍ରସାଦ ଦାସ : ପ୍ରଣବ ପ୍ରକାଶ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ମାଟି ଓ ମା ପାଇଁ ଲଢେଇ କରି ଜେଲ ଯାଇଛନ୍ତି ଭବ ପ୍ରସାଦ ଦାସ। ମାଙ୍କ ପ୍ରକଳ୍ପ ସଂକ୍ରାନ୍ତ ସତ ପଦାକୁ ଆସୁ। ହାଟକୁ ସେ ବିରୋଧ କରୁନାହାନ୍ତି। ମାଙ୍କ ପ୍ରକଳ୍ପ ଲାଗି ସମସ୍ତେ ଏକାଠି ହୋଇଥିଲେ। ପୂର୍ବ ସରକାର ସମସ୍ତ ପଦକ୍ଷେପ ନେଇଥିଲେ। ସେବାୟତମାନଙ୍କ ଅଧିକାଂଶ ଜମି ଯାଇଥିଲା। ଉତ୍ସାହର ସହ ଜମି ଛାଡିଥିଲେ ସେବାୟତ। ଲୋକେ ଯାହା ଚାହୁଁଛନ୍ତି ତାହା ହେଉ। ଭବ ପ୍ରସାଦ ଦାସ ବାରମ୍ବାର ପ୍ରଶାସନ ନିକଟକୁ ଯାଇଛନ୍ତି। ପ୍ରକଳ୍ପ ନେଇ ସମସ୍ତ ଅଂଶୀଦାରଙ୍କୁ ଡକାଯାଉ। ଯଦି ବେପାରୀ ଚାହୁଁଛନ୍ତି ସେଠାରେ ହାଟ କରାଯାଉ। ମା ବିରଜାଙ୍କ ପ୍ରକଳ୍ପରେ ସାମାନ୍ଯ ଆଞ୍ଚ ନଆସୁ। ନିରୀହ ଲୋକେ ଅସୁବିଧାରେ ନପଡନ୍ତୁ। ମା ବିରଜା ପ୍ରକଳ୍ପ ଲାଗି ଭବ ପ୍ରସାଦ ଜେଲ ଯାଇଛନ୍ତି ବୋଲି କହିଛନ୍ତି ପ୍ରଣବ। ପ୍ରଶାସନିକ ବିଫଳତା ଯୋଗୁ ଏହି ସମସ୍ଯା ଉପୁଜିଛି ବୋଲି ସେ କହିଛନ୍ତି।

 

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ତଳିବେଡା ଗାଁରେ ଏବେବି ଅପହଞ୍ଚ ସରକାରୀ ଯୋଜନା

ନନ୍ଦିଘୋଷ ବ୍ୟୁରୋ: ପ୍ରତ୍ଯେକ ଗାଁରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ଯୋଜନାର ସଫଳ ରୂପାୟନ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ହେଉଛି । ହେଲେ ଏବେବି ଏପରି ଏକ କିଛି ଗାଁ ରହିଛି ଯେଉଁଠି ପହଞ୍ଚିପାରିନି ସରକାରୀ ଯୋଜନା । ଗାଁକୁ ଭଲ ରାସ୍ତା ନଥିବା ବେଳେ ବିଜୁଳି ଲୋକଙ୍କ ପାଇଁ ସାତସପନ ପାଲଟିଛି । ଚୁଆ ପାଣି ଲୋକଙ୍କ ଶୋଷ ମେଣ୍ଟାଉଛି ।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଉପରଢିଆ ଗ୍ରାମ ପଞ୍ଚାୟତର ତଳିବେଡା ଗାଁ । ଏଠାରେ ଦୀର୍ଘ ୩୦ ବର୍ଷ ହେବ ୧୫ଟି ପରିବାରର ପାଖାପାଖି ୧୦୦ ଲୋକ ବସବାସ କରୁଛନ୍ତି । ବଣପାହାଡ ଘେରା ଏହି ଗାଁକୁ ଆଜି ପର୍ଯ୍ଯନ୍ତ ଭଲ ରାସ୍ତା ଖଣ୍ଡିଏ ନାହିଁ । ପାହାଡିଆ ଅଙ୍କାବଙ୍କା ଗେଟି ପଥର ରାସ୍ତା ଦେଇ ଯିବାଆସିବା କରୁଛନ୍ତି ଲୋକେ । ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ କରିବାକୁ ପ୍ରଶାସନ ପକ୍ଷରୁ କେହି ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି । ସେହିପରି ଗାଁ ପାଖରେ ବିଦ୍ଯାଳୟଟିଏ ନାହିଁ । ପାଠପଢିବା ପାଇଁ ପିଲାଙ୍କୁ ୫ କିଲୋମିଟର ବଣପାହାଡ ରାସ୍ତା ଦେଇ ଯିବାକୁ ପଡୁଛି । ଫଳରେ କିଛି ଛାତ୍ରାଛାତ୍ରୀ ମାନେ ପାଠ ଛାଡିବାକୁ ବାଧ୍ଯ ହେଉଥିବା ନେଇ କହିଛନ୍ତି ।

ସେହିପରି ଗାଁରେ କୂଅ କି ନଳକୂପ ତ ଦୁରର କଥା, ଗାଁରେ ପୋଖରୀ ଟିଏ ମଧ୍ଯ ନାହିଁ । ଫଳରେ ବାଧ୍ଯ ହୋଇ ଲୋକମାନେ ୧ କିଲୋମିଟର ଦୂରରେ ଥିବା ଛୋଟ ନାଳ ଉପରେ ଭରସା କରି ଚଳୁଛନ୍ତି । ଜଙ୍ଗଲ ଓ ବିଲ ହୁଡା ଦେଇ ଯାଉଛନ୍ତି ପାଣି ପାଇଁ । ନାଳରୁ ଚୂଆ ପାଣି ଆଣି ବ୍ଯବହାର କରୁଛନ୍ତି । ଗୋଟିଏ ସ୍ଥାନରେ ଗାଈଗୋରୁ ଠାରୁ ଆରମ୍ଭ କରି ଗ୍ରାମବାସୀ ଗାଧୋଉଥିବା ବେଳେ ସେହି ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଦୂଷିତ ପାଣିକୁ ବ୍ୟବହାର କରି ବିଭିନ୍ନ ରୋଗରେ ପଡୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଖୁବଶୀଘ୍ର ସମସ୍ଯାର ସମାଧାନ ହେବ ପ୍ରତିଶୃତି ଦେଇଛନ୍ତି ଘଟଗାଁ ବିଡିଓ ।

 

ଆଦାନୀ ଗ୍ରୁପର ଗୌତମ ଆଦାନୀଙ୍କୁ ମିଳିଲା ସବୁଠୁ ବଡ ଝଟକା; ବିଶ୍ବର ଧନୀ ତାଲିକାରୁ ଖସିଲେ ତଳକୁ, ଜାଣନ୍ତୁ ଦୁଇ ଦିନରେ ସମ୍ପତ୍ତିରେ ହେଲା କେତେ ହ୍ରାସ  …

ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କୁ ପୁଣି ସବୁଠୁ ବଡ ଝଟକା । ବିଶ୍ଦର ଧନୀ ତାଲିକାରୁ ତଳକୁ ଖସିଗଲେ । ଭାରତର ଦ୍ବିତୀୟ ଧନୀ ବ୍ୟକ୍ତି ତଥା ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶିଳ୍ପପତି ଗୌତମ ଆଦାନୀଙ୍କୁ ପୁଣି ଏକ ବଡ ହ୍ରାସର ସାମ୍ନା କରିବାକୁ ପଡୁଛି । ମାତ୍ର ଦୁଇ ଦିନ ମଧ୍ୟରେ ହିଁ ତାଙ୍କ ସମୁଦାୟ ସମ୍ପତ୍ତିର ବଡ ହ୍ରାସ ହୋଇଛି । ଆମେରିକା କୋର୍ଟ ତରଫରୁ ଆରେଷ୍ଟ ଓ୍ବାରେଣ୍ଟ ଆସିବା ପରେ ବର୍ତ୍ତମାନ ତାଙ୍କୁ ସବୁଠୁ ବଡ କ୍ଷତିର ସାମ୍ନା କରିବାକୁ ପଡୁଛି ।

ବିଶ୍ବର ଧନୀ ତାଲିକାରୁ ତଳକୁ ଖସିଲେ ଗୌତମ ଆଦାନୀ

ଏଭଳି ଏକ ହ୍ରାସର ପ୍ରଭାବ ବିଶ୍ବର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଥିବା ଗୌତମ ଆଦାନୀଙ୍କ ରାଙ୍କିଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି । ଆଦାନୀ ଏବଂ ତାଙ୍କ ଭଣଜାଙ୍କ ଉପରେ ଲାଞ୍ଚ ଏବଂ ଠକେଇ ଅଭିଯୋଗ ପରେ ବ୍ଲୁମବର୍ଗ ଏବଂ ଫୋର୍ବସ୍ ର ରିୟଲ ଟାଇମ ବିଲେନିୟର ତାଲିକାରେ ଏକା ଥରକେ ୪ ସ୍ଥାନ ତଳକୁ ଖସି ଯାଇଛନ୍ତି ଆଦାନୀ । ଏବେ ଧନୀ ତାଲିକାର ୨୧ ସ୍ଥାନରେ ଅଛନ୍ତି ।  ଅର୍ଥାତ ଆଦାନୀ ବର୍ତ୍ତମାନ ବିଶ୍ବର ୨୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରୁ ବାହାରି ଯାଇଛନ୍ତି । ଆମେରିକା କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଦାନୀଙ୍କ ନିଟ୍ ମୂଲ୍ୟ ହ୍ରାସ ପାଇବା ସହ ଉଭୟ ବ୍ଲୁମବର୍ଗ ଏବଂ ଫୋର୍ବସ୍ ତାଲିକାରେ ତାଙ୍କୁ କ୍ଷତିର ସାମ୍ନା କରିବାକୁ ପଡିଛି । ଆମେରିକାର ଅଭିଯୋଗ ପୂର୍ବରୁ ସେ ୧୮ତମ ସ୍ଥାନରେ ରହିଥିଲେ । ଆଦାନୀଙ୍କ ନିଟ୍ ମୂଲ୍ୟ ଥିଲା ୮୫.୫ ବିଲିୟନ ଡଲାର । ଗୁରୁବାର ତାଙ୍କ ସମ୍ପତ୍ତିର ମୂଲ୍ୟରେ ତୀବ୍ର ହ୍ରାସ ପରେ ସେ ୨୧ ତମ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ସ୍ଥାନରେ ମେକ୍ସିକୋର ବିଲେନିୟର କାର୍ଲୋସ ସ୍ଲିମ ହେଲୁ ବର୍ତ୍ତମାନ ବିଶ୍ବର ୧୮ତମ ଧନୀ ବ୍ୟକ୍ତି ହୋଇଛନ୍ତି ।

କେତେ କ୍ଷତି ସହିଲେ ଗୌତମ ଆଦାନୀ

ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କ ପାଇଁ ଗତ ଦୁଇ ଦିନ ଖୁବ କଷ୍ଟ ସାଧ୍ୟ ହୋଇପଡିଛି । ଗୁରୁବାର ଦିନ ଲାଞ୍ଚ ଏବଂ ଠକେଇ ଅଭିଯୋଗ ମାମଲାକୁ ନେଇ ସମନ ଜାରି କରିଛି ଆମେରିକା କୋର୍ଟ । ଯାହା ପରେ ହିଁ ସମସ୍ତ ଆଦାନୀ କମ୍ପାନୀର ସେୟାରରେ ତୀବ୍ର ହ୍ରାସ ପାଇଛି । ଯେଉଁଥିପାଇଁ ଆଦାନୀ ଗ୍ରୁପର ବଜାର ପୁଞ୍ଜିକରଣ (ମାର୍କେଟ୍ କ୍ୟାପ୍) ହ୍ରାସ ପାଇଥିବାବେଳେ ଅନ୍ୟପଟେ ତାଙ୍କ ସମ୍ପତ୍ତିର ନିଟ୍ ମୂଲ୍ୟ ମଧ୍ୟ ଅତ୍ୟଧିକ ପ୍ରଭାବିତ ହୋଇଛି । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ କମ୍ପାନୀର ସେୟାର ହ୍ରାସ ହେବା ତାଙ୍କ  ନେଟ ଓ୍ବର୍ଥକୁ ପ୍ରଭାବିତ କରିଛି, ତାଙ୍କ ସମ୍ପତ୍ତି ଯାହା ବର୍ତ୍ତମାନ ୭୦.୮ ବିଲିୟନ ଡଲାର ହ୍ରାସ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସମ୍ପତ୍ତି ୧.୧୯ ବିଲିୟନ ଡଲାର(୧୦.୦୦୦ କୋଟି ଟଙ୍କା) ହ୍ରାସ ପାଇଛି । ଗୋଟିଏ ଦିନରେ ତାଙ୍କୁ ଏତେ ବଡ କ୍ଷତି ସହିବାକୁ ପଡିଛି ।

ଆମେରିକା କୋର୍ଟ ଜାରି କଲା ସମନ

ଆଦାନୀ ଏବଂ ତାଙ୍କ ଭଜଣାଙ୍କ ଉପରେ ଅନୁକୂଳ ସୌର ଶକ୍ତି ଚୁକ୍ତି ପାଇବା ପାଇଁ ଲାଞ୍ଚ ଦେବାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଏହି ଚୁକ୍ତି କରିବା ପାଇଁ ଭାରତୀୟ ଅଧିକାରୀଙ୍କୁ ବାଧ୍ୟ କରାଯାଇଥିଲା । ଆମେରିକା କୋର୍ଟ ତରଫରୁ ପଠାଯାଇଥିବା ସମନରେ ୨୧ ଦିନ ଭିତରେ ଆମେରିକୀୟ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିଶନ(SEC)ଙ୍କୁ ଜବାବ ଦେବା ପାଇଁ ଉଲ୍ଲେଖ ରହିଛି । ଆମେରିକାର ଅଭିଯୋଗ ଅନୁଯାୟୀ, ଯେଉଁ ଚୁକ୍ତିକୁ ପାଇବା ପାଇଁ ୨୬.୫ କୋଟି ଆମେରିକୀୟ ଡଲାର(୨୨୦୦ କୋଟି ଭାରତୀୟ ମୁଦ୍ରା) ଲାଞ୍ଚ କାରବାରରେ ସମ୍ପୃକ୍ତ ଥିଲେ ଆଦାନୀ ଏବଂ ତାଙ୍କ ଭଣଜା।

ଆମେରିକାର ଓକିଲଙ୍କ ଅଭିଯୋଗ ଅନୁଯାୟୀ ଆଦାନୀ ଏବଂ ତାଙ୍କ ପୁତୁରାଙ୍କ ସମେତ ମୋଟ ୭ ଜଣ ଏହି ଲାଞ୍ଚ କାରବାରରେ ସାମିଲ ଅଛନ୍ତି । ଭାରତରେ ସୋଲାର ଏନର୍ଜୀ ତଥା ଅନୁକୂଳ ସୌର ଶକ୍ତି କ୍ଷେତ୍ରରେ ଚୁକ୍ତିନାମା ପାଇଁ ଥିବା ସର୍ତ୍ତ ବଦଳରେ ଭାରତୀୟ ଅଧିକାରୀଙ୍କୁ ୨୬.୫ କୋଟି ଡଲାର ମୂଲ୍ୟର ଲାଞ୍ଚ ଦିଆଯାଇଛି । ଏହା ଛଡା ଆମେରିକାରେ ହୋଇଥିବା ଏହି ଡିଲ ମାମଲାରେ ଆଦାନୀ ଏବଂ ତାଙ୍କ ଭଣଜାଙ୍କ ବିରୋଧରେ ଅାମେରିକା କୋର୍ଟ ତରଫରୁ ସମନ ଜାରି କରାଯାଇଛି । ଅନ୍ୟପଟେ ଆଦାନୀ ଗ୍ରୁପ କୋର୍ଟର ଏହି ଅଭିଯୋଗକୁ ଅସ୍ବୀକାର କରିବା ସହ ଏହା ଭିତ୍ତିହୀନ ବୋଲି କହିଛି । ସୂଚନା ଅନୁଯାୟୀ ପୂର୍ବରୁ ୨୦୨୩ ମସିହା ଜାନୁଆରୀ ମାସରେ ମଧ୍ୟ ଆଦାନୀ ଗ୍ରୁପକୁ ଏଭଳି କ୍ଷତି ସହିବାକୁ ପଡିଥିଲା । ଆମେରିକୀୟ କମ୍ପାନୀ ହିଣ୍ଡେନବର୍ଗ ତରଫରୁ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପକୁ ଅତ୍ୟଧିକ କ୍ଷତି ସହିବାକୁ ପଡିଥିଲା ।