ସମ୍ୱଲପୁର : କଲମା ବ୍ୟାରେଜର ସମସ୍ତ ଗେଟ ବନ୍ଦ କରିଦେଲେ ଛତିଶଗଡ଼ ସରକାର । ବ୍ୟାରେଜର ସମସ୍ତ ୬୬ଟି ଗେଟକୁ ସରକାର ବନ୍ଦ କରିଛନ୍ତି। ଗେଟ ବନ୍ଦ ହେବା ଯୋଗୁ ହୀରାକୁଦକୁ ହଠାତ୍ କମିଛି ଜଳ ପ୍ରବେଶ ମାତ୍ରା। ଏହାସହ ବନ୍ଦ ହୋଇଛି ଶାସନ ଓ ବରଗଡ କେନାଲ। ପାୱାର ଚ୍ୟାନେଲର ଷ୍ଟକ୍ ପାଣିରେ ଚିପିଲିମାରୁ ମାତ୍ର ୩ ହଜାର ୩୭୫ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି। ଗେଟ ବନ୍ଦ ଯୋଗୁ ୮୦୦ ଘନଫୁଟକୁ କମିଛି ଜଳ ପ୍ରବେଶର ମାତ୍ରା ।
ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ : ୨୨୫ ଆସନ ପାଇଁ ମତ ସାବ୍ୟସ୍ତ କରୁଛନ୍ତି ୧୭ ନିୟୁତରୁ ଅଧିକ ଭୋଟର
ନନ୍ଦିଘୋଷ ବ୍ୟୁରୋ : ଆଜି ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ । ତୀବ୍ର ଆର୍ଥିକ ସଙ୍କଟ କାଳରେ ଏହି ଋଣଗ୍ରସ୍ତ ଦେଶରେ ସାଧାରଣ ନିର୍ବାଚନ ପ୍ରତି ବିଶ୍ବର ଦୃଷ୍ଟି ରହିଛି । ଦେଶର ବାମପନ୍ଥୀ ରାଷ୍ଟ୍ରପତି ଅନୁରା କୁମାର ଦିଶାନାଏକେଙ୍କ ନିର୍ଦ୍ଦେଶ କ୍ରମେ ଏହି ନିର୍ବାଚନ ହେଉଛି । ୨୨୫ ଆସନ ବିଶିଷ୍ଟ ସଂସଦ ଲାଗି ଏହି ନିର୍ବାଚନ ହେଉଛି । ୨୦୨୨ରେ ଦେଶର ଆର୍ଥିକ ସଙ୍କଟ ତୀବ୍ର ହେବା ଯୋଗୁ ତତକାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେଇଥିଲେ । ନିର୍ବାଚନରେ ୧୭ ନିୟୁତରୁ ଅଧିକ ଭୋଟର ୮ ହଜା ୮୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।
ଦିଶାନାଏକେଙ୍କ ଜନତା ବିମୁକ୍ତି ପେରାମୁନା ବା ଜେଭିପି ନେତୃତ୍ବାଧୀନ ନ୍ଯାସନାଲ ପିପୁଲ୍ସ ପାଓ୍ବାର ବା ଏନପିପି ବହୁମତ ପାଇବ ବୋଲି ଆଶା କରାଯାଉଛି । ବିଗତ ସଂସଦରେ ଏନପିପିର ସଦସ୍ଯ ସଂଖ୍ଯା ଥିଲେ ମାତ୍ର ୩ ଜଣ । ଦିଶାନାଏକେ ବିଗତ ୨୫ ବର୍ଷ ଧରି ସାଂସଦ ଥିଲେ ଏବଂ କୃଷିମନ୍ତ୍ରୀ ଥିଲେ । ତେବେ ଦେଶରେ ଅର୍ଥନୈତିକ ଦୁଃସ୍ଥିତି ସମୟରେ ସେ ରାଜନୀତିରୁ କିଛିଦିନ ଲାଗି ଦୂରେଇ ରହିଥିଲେ । ୧୯୭୧ ଓ ୧୯୮୭ରେ ହୋଇଥିବା ଦୁଇଟି ବିଦ୍ରୋହରେ ଜେଭିପିର ୮୦ ହଜାରରୁ ଅଧିକ କର୍ମୀ ବଳିଦାନ ଦେଇଥିଲେ । ତେବେ ଗତ ୨୦୨୪ ସେପ୍ଟେମ୍ବର ୨୧ରେ ସେ ଶାନ୍ତିପୂର୍ଣ୍ଣ ଭାବେ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହୋଇଥିଲେ ।
ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ସମୟରେ ଶ୍ରୀଲଙ୍କାକୁ ମିଳିଥିଲା ୨.୯ ବିଲିୟନ ଡଲାରର ଆଇଏମଏଫ ବେଲ୍ ଆଉଟ ପ୍ଯାକେଜ । ତେବେ ଏହି ଧାରା ବଜାୟ ରହିବ ବୋଲି ଦିଶାନାଏକେ କରିଥିଲେ ଘୋଷଣା । ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ସଂଗଠନ ସିଲନ ଚାମ୍ବର ଅଫ କମର୍ସ ଦିଶାନାଏକେଙ୍କୁ ସମର୍ଥନ କରୁଛି । ସେପଟେ ବିରୋଧୀ ଦଳ ନେତା ତଥା ଏସଜେବି ନେତା ସାଜିଥ ପ୍ରେମଦାସା କହିଛନ୍ତି- ଦେଶରେ କର ହ୍ରାସ ଲାଗି ସେ ଦିଶାନାଏକେଙ୍କ ଉପରେ ଚାପ ପକାଇବେ । ପୂର୍ବର ସଂସଦରେ ତତକାଳୀନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷ ନତୃତ୍ବାଧୀନ ଶ୍ରୀଲଙ୍କା ପୋଦୁଜନା ପେରାମୁନା ବା ଏସଏଲପିପିର ସଂଖ୍ଯା ଗରିଷ୍ଠ ସଦସ୍ଯ ଥିଲେ । ଚଳିତ ନିର୍ବାଚନରେ ରାଜପକ୍ଷେ ଲଢୁ ନଥିବାବେଳେ ପୁଅ ନମାଲ ଲଢୁଛନ୍ତି ।
ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ , ଡ୍ରାଇଭର ଗୁରୁତର
ଘଟଗାଁ : ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ। ଦୁର୍ଘଟଣାରେ ଚାପି ହୋଇ ଡ୍ରାଇଭର ଗୁରୁତର। ୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦରଖୋଳା ଛକ ନିକଟରେ ଦୁର୍ଘଟଣା। ଟ୍ରକ ଭିତରେ ବହୁ ସମୟ ଧରି ଫସି ରହିଥିଲେ ସେହି ଡ୍ରାଇଭର। ଘଟଣାସ୍ଥଳରେ ଘଟଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଚାପିହୋଇ ଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଛି। ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି।

