ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ୪ ମ୍ୟାଚ ବିଶିଷ୍ଠ ଟି-୨୦ ସିରିଜରେ ଭାରତ ୩-୧ରେ ଦମଦାର ବିଜୟ ହାସଲ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକକତ୍ବରେ ଦଳ ବେଶ ଭଲ ପ୍ରଦର୍ଶନ କରିଥିଲା । ବୋଲର ଏବଂ ବ୍ୟାଟ୍ସମ୍ୟାନ ସମସ୍ତେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ଚଳିତ ବର୍ଷର ଏହା ଥିଲା ଶେଷ ହ୍ବାଇଟ୍ ବଲ ସିରିଜ୍ । ଏହାପରେ ଭାରତ ଆଉ ଚଳିତ ବର୍ଷ ଦିନିକିଆ ଏବଂ ଟି-୨୦ ଖେଳିବାର ନାହିଁ । ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଭାରତ । ଏହାପରେ ଯାଇ ଭାରତ ଟି-୨୦ ଏବଂ ଦିନିକିଆ ମ୍ୟାଚ ଖେଳିବ । ଏଣୁ ଶୁକ୍ରବାର ଭାରତ ଖେଳିଥିବା ମ୍ୟାଚ ଶେଷ ମ୍ୟାଚ ଥିଲା ଚଳିତ ବର୍ଷର ହାଇଟ୍ ବଲରେ । ୨୦୨୪ରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଭାରତ ଉଚ୍ଚକୋଟିର ପ୍ରଦର୍ଶନ କରିଛି । ଶ୍ରୀଲଙ୍କା , ବାଂଲାଦେଶ ପରେ ଏବେ ଦକ୍ଷିଣ ଆଫ୍ରିକାକୁ ହରାଇଛି ।
ପାକିସ୍ତାନରେ ବୁଲୁଛି ୨୬/୧୧ ମାଷ୍ଟରମାଇଣ୍ଡ, ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନର ପର୍ଦ୍ଦାଫାସ
ଇସଲାମାବାଦ: ପାକିସ୍ତାନ ଚାହୁଁଛି ଯେ ଭାରତ ସେଠାରେ ICC ଚାମ୍ପିଅନଶିପ ଟ୍ରଫି ଖେଳୁ । ଭାରତକୁ ରାଜି କରାଇବା ପାଇଁ ପାକିସ୍ତାନ ଯଥାସମ୍ଭବ ପ୍ରୟାସ ଜାରି ରଖିଛି । ଅନ୍ୟପଟେ ପାକିସ୍ତାନରେ ଖୁଲମଖୁଲା ବୁଲୁଛନ୍ତି ଆତଙ୍କବାଦୀ । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜକିଉର ରେହମାନ ଲଖବୀର ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହାପରେ ପାକିସ୍ତାନର ସବୁ ମିଛ ଧରାପଡିଛି ।
ଜକିଉରକୁ ଭିଭିଆଇପି ସେବା ଯୋଗାଉଛି ପାକିସ୍ତାନ । ଫିଟନେସ୍ ଟ୍ରେନର୍ଙ୍କ ଦେଖାଶୁଣାରେ ବ୍ୟାୟାମ କରୁଛି ଜକିଉର । ଦୁନିଆକୁ ଦେଖାଇବା ପାଇଁ ଜକିଉରକୁ ପାକିସ୍ତାନ ଜେଲ ପଠାଇଥିଲା ସେ ଏବେ ଖୁଲମଖୁଲା ଲାହୋର ଓ ରାୱଲପିଣ୍ଡିରେ ବୁଲୁଛି । ସଂଯୁକ୍ତ ରାଷ୍ଟ୍ର ସଂଘ ତାକୁ ଆତଙ୍କବାଦୀ ଘୋଷଣା କରିଛି । ୨୬\୧୧ ଆକ୍ରମଣ ପାଇଁ ପାକିସ୍ତାନ ଲଖବିକୁ ଗିରଫ କରିବା ପରେ ଅଦାଲତରୁ ତାକୁ ଜାମିନ ମିଳିଛି । କିନ୍ତୁ ୪ ବର୍ଷ ପୂର୍ବରୁ ପାକିସ୍ତାନର ଏକ କୋର୍ଟ ଟେରର ଫଣ୍ଡିଂ ମାମଲାରେ ଜକିଉରକୁ ୧୫ ବର୍ଷ ସଜା ଶୁଣାଇଥିଲା । କିନ୍ତୁ ଏବେ ଲଖବି ଖୁଲମଖୁଲା ପଦାରେ ବୁଲିବା ପାକିସ୍ତାନର ଅସଲ ଚେହେରାକୁ ପଦାରେ ପକାଇଛି ।
ଏଭଳି କ୍ଷେତ୍ରରେ ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବା ଆଶା ମଳିନ ପଡିଛି ।
ପାରିବାରିକ ବିବାଦରୁ ହସ୍ପିଟାଲରେ ୩ ଦିନ ହେଲା ପଡ଼ି ରହିଛି ମୃତଦେହ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ହସପିଟାଲରେ ୩ ଦିନ ହେଲା ପଡ଼ି ରହିଛି ମୃତଦେହ। ପଚି ଯାଇ ଦୁର୍ଗନ୍ଧ ବାହାରିଲାଣି। କିନ୍ତୁ ନା ପୋଷ୍ଟମର୍ଟମ ହୋଇପାରୁଛି ନା ସତ୍କାର। ଅଭିଯୋଗ ଅନୁସାରେ ୫ ଦିନ ତଳେ ବସନ୍ତ ତାଙ୍କ ଶ୍ଵଶୁର ଘର ଗାଁ ପଣିବନ୍ଧକୁ ଯାଇଥିଲେ। ରାତିରେ ଖାଇବା ପରେ ଶୋଇଥିଲେ। ଶ୍ଵଶୁର ଘର ଲୋକେ କହିବା ଅନୁସାରେ କିଛି ସମୟ ପରେ ଡାକିବାରୁ ବସନ୍ତ କିନ୍ତୁ ଶୁଣିନଥିଲେ।
ତେଣୁ ଗୁରୁବାର ରାତିରେ ହିଁ ବସନ୍ତଙ୍କୁ ଧରାକୋଟ ହସପିଟାଲକୁ ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅସ୍ଵାଭବିକତା ଲକ୍ଷ୍ୟ କରି ପୋଲିସକୁ ଖବର ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ। ପୋଲିସ ମୃତଦେହ ଜବତ କରିଛି। କିନ୍ତୁ ବସନ୍ତଙ୍କ ଭାଇ ଅଭିଯୋଗ କରିଛନ୍ତି, ଭାଇକୁ ହତ୍ୟା କରାଯାଇଛି। ସତ ଜଣାପଡ଼ିବା ପରେ ହିଁ ସେମାନେ ମୃତଦେହ ନେବେ। ବସନ୍ତଙ୍କ ମୃତ୍ୟୁ ନେଇ ନିଜ ପରିବାର ଓ ଶ୍ଵଶୁର ଘର ଲୋକଙ୍କ ମଧ୍ୟରେ ଦୋଷାରୋପ ଚାଲିଛି। କିଛି ସମୟ ତଳେ ପହଞ୍ଚିଛି ସାଇଣ୍ଟିଫିକ୍ ଟିମ୍ ।
ଜମୁଛି କଟକର ଐତିହାସିକ ବାଲିଯାତ୍ରା, ଦେଖଣାହାରୀଙ୍କୁ ଡାକୁଛି ପଲ୍ଲିଶ୍ରୀ ମେଳା
କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା। ଉପର ଓ ମହାନଦୀ ପଠା ତଳ ପଡିଆରେ ମେଳିଛି ଶତାଧିକ ବିପଣନ ସାମଗ୍ରୀର ପସରା। ଠୁଙ୍କା ପୁରୀ, ଆଳୁଦମ ଦହିବରା, ମଥୁରାକେକ, ଗୁପଚୁପ ସାଙ୍ଗକୁ ରକମ ରକମର ସୁସ୍ୱାଦୁ ଖାଦ୍ୟ ଭଳିକି ଭଳି ଦୋଳି ଆଉ ଓରମାସର ପଲିଶ୍ରୀ ମେଳା ହାତଠାରି ଡାକୁଛି ଦର୍ଶକଙ୍କୁ।
୮ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଯାତ୍ରାକୁ ପ୍ରତିଥର ପରି ଏଥର ଆସିଛି ବିଭିନ୍ନ ରକମର ସୁସ୍ୱାଦୁ ଖାଦ୍ୟ, ଭଳିକି ଭଳି ଦୋଳି, ସାଂସ୍କୃତିକ ବିଚିତ୍ରା ସାଙ୍ଗକୁ ଓରମାସ ବଜାର । ଏଥର ନୂଆ କରି ହୋଇଥିବା ଅନନ୍ତ ଦୁନିଆ ସାଙ୍ଗକୁ ଓଡ଼ିଆ ଚଳଚିତ୍ର ଇତିକଥା ବେଶ ଆକର୍ଷଣୀୟ ହୋଇଛି । ଯାହାକୁ ଉପଭୋଗ କରିବା ପାଇଁ ଆରମ୍ଭ ହେଲାଣି ଦର୍ଶକଙ୍କ ଭିଡ଼ । ବୁଲା ବୁଲି ସାଙ୍ଗକୁ କିଣାକିଣି ଆରମ୍ଭ କରିଦେଲେଣି ଲୋକ ।
ଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ମନୋରଞ୍ଜନ ଧର୍ମୀ କରିବା ପାଇଁ ଜିଲ୍ଲା ପ୍ରଶାସନ ୧୩ଟି ରାଷ୍ଟ୍ରର ରାଷ୍ଟ୍ର ଦୂତଙ୍କ ସମେତ ୮ ଦେଶର କଳାକାରକୁ ଆମନ୍ତ୍ରଣ କରାଯାଇଛି। ମେଳାର ଉଭୟ ଉପର ଓ ତଳ ପଡିଆରେ ୨୫ ଶହରୁ ଅଧିକ ବିପଣନ ସାମଗ୍ରୀର ପସରା ମେଲିଛି।

