spot_img
Home Blog Page 1434

ଶ୍ରୀଜୀଉଙ୍କ ବନକଲାଗି ନୀତି : ୫ ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ : ଆଜି ୫ ଘଣ୍ଟା ପର୍ଯ୍ଯନ୍ତ ଜଗା ଦର୍ଶନ ବନ୍ଦ । ମାର୍ଗଶୀର କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତନୀତି ସମାପନ କରାଯିବ। ଏନେଇ ଆପାତତଃ ଅପରାହ୍ନ ୫ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତ ମହାପାତ୍ର ଓ ଦଇତାପତି ସେବକ ମାନଙ୍କ ଦ୍ୱାରା ଏହି ଗୁପ୍ତନୀତି ସମ୍ପାଦନ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

ଆସୁଛି ବାତ୍ୟା ! ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଗଭୀର ଅବପାତ

ଭୁବନେଶ୍ବର : ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ । ବର୍ତ୍ତମାନ ଗଭୀର ଅବପାତଟି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟାର ନାଁ ଫେଙ୍ଗାଲ ରହିଥିବା ବେଳେ ଏହାର ନାମକରଣ କରିଛି ସାଉଦି ଆରବ।  ଅବପାତଟି ନାଗାପାଟନମ୍ ଠାରୁ ୫୯୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି । ୨୯ ତାରିଖ ମଧ୍ୟରେ ବାତ୍ୟାଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଆଇଏମଡି । ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । କିନ୍ତୁ ବାତ୍ୟା ପ୍ରଭାବରେ କୋହଲା ପାଗ ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ୨୮ ତାରିଖରୁ ୩୦ ନଭେମ୍ବରରେ ସାମୁଦ୍ରିକ ବାୟୁର ପ୍ରଭାବ ରହିବ । ଉପକୂଳ ଓ ଦକ୍ଷିଣ ଜିଲ୍ଲା ତଥା କିଛି ସଂଲଗ୍ନ ଜିଲ୍ଲା ଯଥା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡାର କିଛି କିଛି ଅଂଚଳମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ବର୍ଷା ପରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଶୀତ କମିବା ସହ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ସେହିଭଳି ୨ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ, କଳାହାଣ୍ଡି ଏବଂ କନ୍ଧମାଳରେ କୁହୁଡି ନେଇ ସତର୍କତା ଜାରି କରାଯାଇଛି ।  ବର୍ତ୍ତମାନ ଅଧିକାଂଶ ଜିଲ୍ଲାମାନଙ୍କରେ ଖରିଫ ଧାନ ଅମଳ କାର୍ଯ୍ୟକ୍ରମ ଚାଲୁଥିବାରୁ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଇରାନ ସମର୍ଥିତ ହିଜବୁଲ୍ଲା ସହ ଅସ୍ତ୍ରବିରତି ଲାଗି ଇସ୍ରାଏଲର ନିଷ୍ପତ୍ତି

ନୂଆଦିଲ୍ଲୀ : କିଛି ମାସର ବ୍ଯବଧାନ ପରେ ମଧ୍ଯପ୍ରାଚ୍ଯରେ ଫେରିଛି ସାମୟିକ ଶାନ୍ତି। ଇରାନ ସମର୍ଥିତ ହିଜବୁଲ୍ଲା ସହ ଅସ୍ତ୍ରବିରତି ଲାଗି ଇସ୍ରାଏଲ ନିରାପତ୍ତା କ୍ଯାବିନେଟ ନିଷ୍ପତ୍ତି ନେଇଛି। ଏନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ଯାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଆମେରିକା ଓ ଫ୍ରାନ୍ସର ପ୍ରସ୍ତାବକୁ ଉଭୟ ପକ୍ଷ ସମ୍ମାନ ଦେଇ ଏହି ଅସ୍ତ୍ରବିରତ ଘୋଷଣା କରିଛନ୍ତି। ଅସ୍ତ୍ରବିରତି ପଛରେ ରହିଛି ୩ଟି କାରଣ। ଇରାନ ଆଡୁ ଥିବା ବିପଦକୁ ଫୋକସ କରିବା। ଦ୍ବିତୀୟରେ ସୈନ୍ଯବାହିନୀକୁ ଅଧିକ ସୁସଞ୍ଜତ କରିବା। ତୃତୀୟରେ ହମାସକୁ ଅଲଗା କରିବା। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ-ଲେବାନନ ଯୁଦ୍ଧରେ ପ୍ରାଣ ହରାଇଲେଣି ୩ ହଜାର ୮୦୦ରୁ ଅଧିକ ଲୋକ। ୧୬ ହଜାରରୁ ଅଧିକ ଲୋକ ହେଲେଣି ଆହତ।   ସେପଟେ ଗତକାଲି ଲେବାନନ ରାଜଧାନୀ ବେରୁତ ଉପରେ ଇସ୍ରାଏଲ  ହମଲା  କରିଥିଲା। ୧୨୦ ସେକଣ୍ଡ ମଧ୍ୟରେ  ୨୦ ପୃଥକ ପୃଥକ ସ୍ଥାନରେ ଆକ୍ରମଣ କରିଥିଲା ଇସ୍ରାଏଲ। ବେରୁତର ଜନଗହଳି ପୂର୍ଣ୍ଣ ଅଂଚଳରେ ହୋଇଥିଲା ଏ ଆକ୍ରମଣ। ହିଜବୁଲ୍ଲାର ଗଡ଼ ଭାବେ ପରିଗଣିତ ଦକ୍ଷିଣ ବେରୁତରେ ହୋଇଥିଲା ଜୋରଦାର ହମଲା। ସେପଟେ ଲେବାନନ ଉପରେ ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ। କିଛି ଦିନ ମଧ୍ୟରେ ଇସ୍ରାଏଲ ବାୟୁସେନା ଆକ୍ରମଣରେ ପ୍ରାୟ ୧୦୦ ଲୋକଙ୍କ ମୃତ୍ଯୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ତେବେ ଇସ୍ରାଏଲ ଏବଂ ଲେବାନନ ଯୁଦ୍ଧ ବିରତି ନେଇ ଗାଜା ଆକ୍ରମଣ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଗାଜା ଉପରେ ଇସ୍ରାଏଲ ପୂର୍ବ ଭଳି ସୈନ୍ୟ ଅଭିଯାନ ଜାରି ରଖିବ।

ମହାରାଷ୍ଟ୍ରରେ କିଏ ହେବେ ମୁଖ୍ଯମନ୍ତ୍ରୀ ?

ମୁମ୍ବାଇ : ମହାରାଷ୍ଟ୍ରରେ କିଏ ହେବେ ମୁଖ୍ଯମନ୍ତ୍ରୀ ଜାରି ରହିଛି ସସପେନ୍ସ। ସେପଟେ ବିନା ବିବାଦରେ ସବୁକିଛିର ସମାଧାନ ହେବ ବୋଲି ସୂଚନା ଦେଇଛି ବିଜେପି। ଶିବସେନାର ଏକନାଥ ସିନ୍ଦେ ନା ବିଜେପିର ଦେବେନ୍ଦ୍ର ଫଡନବିସ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପଦ ନେଇ ଛିଣ୍ଡୁନି ଅଙ୍କ। ନିଜ ନିଜ ଜିତରେ ଅଟଳ ରହିଛନ୍ତି ଦୁଇ ନେତା। ଶିବସେନା ମହାୟୁତି ମେଣ୍ଟରେ ଦ୍ଵିତୀୟ ସର୍ବାଧିକ ଆସନ ହାସଲ କରିଥିବା ଦଳ ରହିଥିବାବେଳେ ସର୍ବାଧିକ ଆସନ ହାସଲ କରିଛି ବିଜେପି। ସେପଟେ ଏନସିପି ଅଜିତ ପାୱାର ଗୋଷ୍ଠୀ ୪୧ ଆସନ ସହ ତୃତୀୟ ସ୍ଥାନରେ ରହିଛନ୍ତି। ମହାୟୁତି ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବ ଏହାର ସମାଧାନ ନେଇ ବାଟ ବାହାରି ପାରିନାହିଁ। ସେପଟେ ବିଜେପି ହାଇକମାଣ୍ଡ ମଧ୍ୟ ମୁଖ୍ୟମନ୍ତ୍ରୀ ଚୟନରେ ଫେଲ ମାରିଛନ୍ତି। ଏବେ ବିଜେପି ପର୍ଯ୍ୟବେକ୍ଷକ ନେବେ ଅନ୍ତିମ ନିଷ୍ପତ୍ତି। ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସି ଦଳୀୟ ଓ ମହାୟୁତି ମେଣ୍ଟ ସହଯୋଗୀ ନେତାଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହୋଇପାରେ। ତେଣେ ଏନସିପି ନେତା ଅଜିତ ପାୱାର ଓ ସିନ୍ଦେଙ୍କ ବୈଠକ ବଢାଇଛି ହାର୍ଟବିଟ। ବିଜେପିର ଏକାକୀ ୧୩୨ ଆସନ ହାତେଇଥିବାବେଳେ ମହାୟୁତି ମେଣ୍ଟ ୨୩୦ ଆସନ ଜିତିଛି। ସେଥିରେ ଏକନାଥ ସିନ୍ଦେଙ୍କ ଶିବସେନାର ୫୭ ଆସନ ରହିଛି।  ବିଜେପି ଅଧିକ ଆସନ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ରହିଛନ୍ତି। ଗତ ନିର୍ବାଚନ ତୁଳନାରେ ଏମଭିଏ ୨୫ ଆସନ ହରାଇଛି। ୨୮୮ ଆସନ ଲାଗି ମ୍ଯାଜିକ ନମ୍ବର ହେଉଛି ୧୪୫। ବିଜେପି ଏକାକୀ ୧୩୨ ଆସନ ପାଇଥିବାରୁ ମେଣ୍ଟ ସହଯୋଗୀଙ୍କ ଗୁରୁତ୍ବ ବି ହ୍ରାସ ପାଇଛି।

ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ

ଭୁବନେଶ୍ବର : ଆଜି ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ବି ଗୃହ ବେଶ୍ ସରଗରମ ରହିପାରେ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, ଏମଏସଏମଇ,  ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଆଇନ ଶୃଙ୍ଖଳା, ଆମ୍ବ ଟାକୁଆ ଜାଉ ମୃତ୍ୟୁ, ରେଲୱେ ୱାଲଟିଅର ଡିଭିଜନ ଉଠିଯିବା ପ୍ରସଙ୍ଗ ବିରୋଧୀ ଉଠାଇ ପାରନ୍ତି। ସରକାରୀ ଦଳ ନିଜ ସଫଳତାକୁ ମଧ୍ଯ ଉଠାଇପାରେ।

ଘର କିଣି ଦେବେ କହି ଦଲାଲ୍ ଠକି ନେଲେ ଦେଢ଼ କୋଟି ଟଙ୍କା

ଭୁବନେଶ୍ବର : ହ୍ବାଟସଆପରୁ ସମ୍ପର୍କ ଓ ପରେ ଘର କିଣି ଦେବେ କହି ଦଲାଲ୍ ଠକି ନେଲେ ଦେଢ଼ କୋଟି ଟଙ୍କା । ରାଜଧାନୀ ଭୁବନେଶ୍ଵରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଭୁବନେଶ୍ୱର ଶତାବ୍ଦୀ ନଗର ଅଞ୍ଚଳର ବାସିନ୍ଦା ମିଥୁନ ସୁବୁଦ୍ଧି ଗତ ଅକ୍ଟୋବର ମାସରେ ଘର କିଣିବା ପାଇଁ ଜାଗମରା ଅଞ୍ଚଳର ବାସିନ୍ଦା ଆଶିଷ ଜେନାଙ୍କ ସହିତ ଯୋଗାଯୋଗ କରିଥିଲେ । ଏନେଇ ଅଗ୍ରୀମ ଦେଢ଼ କୋଟି ଟଙ୍କା ଦେଇଥିଲେ । କିନ୍ତୁ ଆଶିଷ ଘର କିଣି ଦେବା ନାଁ ରେ ସବୁତକ ଟଙ୍କା ଠକି କରି ନେଇଥିବା ଅଭିଯୋଗ ହୋଇଛି । ଏନେଇ ମିଥୁନ ଗତ ୨୪ ତାରିଖରେ ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଏହା ପରେ ଖଣ୍ଡଗିରି ପୋଲିସ ଘଟଣାର ତଦନ୍ତ କରିଥିଲେ । ଆଜି ଅଭିଯୁକ୍ତ ଆଶିଷ ଜେନା ଓ ତାଙ୍କ ସହଯୋଗୀଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହିତ ଅଭିଯୁକ୍ତ ଆଶିଷ ଜେନା ପାଖରୁ ଖଣ୍ଡଗିରି ପୋଲିସ ଏକ କାର ଜବତ ମଧ୍ୟ କରିଛି ।

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର  : ନବରଙ୍ଗପୁର ଜିଲ୍ଲାରେ ଥମୁନି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ବଦଳୁଛି ଆନ୍ଦୋଳନର ରୂପରେଖ । ମୁଣ୍ଡ ଟେକୁଛି ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ।   ଆଜି ୭୫ ତମ ସମ୍ବିଧାନ ଦିବସ ଅବସରରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ବିଶାଳ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । କନିଷ୍ଠ ଶିକ୍ଷକଙ୍କ ସହ ଜିଲ୍ଲାର ସମସ୍ତ ଗ୍ରୁପ-ସି ଓ ଗ୍ରୁପ-ଡି ପଦବୀ ଜିଲ୍ଲାର ଯୁବକଯୁବତୀଙ୍କୁ ପ୍ରଦାନ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ସହରର ରାମ ମନ୍ଦିର ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅବିଭକ୍ତ କୋରାପୁଟକୁ ସ୍ୱତନ୍ତ୍ର ରାଜ୍ୟ ଦାବି କରିଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ । ଅବିଭକ୍ତ କୋରାପୁଟ ଜିଲ୍ଲାରେ  ଚାରୋଟି ବିଦ୍ୟୁତ ପ୍ରକଳ୍ପ ରହିଛି, ଜିଲ୍ଲାରେ ହେଚଏଏଲ, ନାଲକୋ ଭଳି ସଂସ୍ଥା ରହିଛି । ଏବଂ ପ୍ରାକୃତିକ ଖଣି ସମ୍ପଦ ଭରପୁର ଥିବାବେଳେ ଏହାର କୋଟି କୋଟି ଟଙ୍କା ରାଜସ୍ୱ ସରକାର ପାଉଛନ୍ତି । ଏହା ସ୍ଥାନୀୟ ଅଞ୍ଚଳର ବିକାଶରେ ଲାଗୁନଥିବା ବେଳେ ସ୍ବତନ୍ତ୍ର ରାଜ୍ୟ ହେଲେ ତାହାର ସୁବିନିଯୋଗ କରି ଅଞ୍ଚଳବାସୀ ସ୍ବାବଲମ୍ବୀ ହୋଇପାରିବେ ବୋଲି କ୍ରିୟାନୁଷ୍ଠାନ କମିଟି କହିଛି ।

କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଗର୍ଜିଲେ ବିଭିନ୍ନ କୃଷକ ଏବଂ ଶ୍ରମିକ ସଂଗଠନ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଗର୍ଜିଲେ ବିଭିନ୍ନ କୃଷକ ଏବଂ ଶ୍ରମିକ ସଂଗଠନ । ୧୨ଟି ମୁଖ୍ୟ ଦାବି ସହ ମୋଟ ୨୬ଟି ଦାବି ପୂରଣ ନେଇ ଆଜି ସଂଯୁକ୍ତ କିଶାନ ମୋର୍ଚ୍ଚା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଏବଂ ସ୍ବାଧୀନ ଫେଡେରେସନ ସମ୍ମୁହ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନର ନେତା ଓ କର୍ମୀମାନେ ରାଜମହଲ ଛକରୁ ଏକ ବିରାଟ ରାଲିରେ ଆସି ଲୋୟର ପିଏମଜିରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦେଶରେ ଦରଦାମ ଏବଂ ଔଷଧର ଦାମ ବୃଦ୍ଧି, ବେକାରୀ ସମସ୍ୟା ଉତ୍କଟ, ଶ୍ରମିକ ବିରୋଧୀ ଶ୍ରମ କାନୁନ୍ ପ୍ରତ୍ୟାହାର କରିବା, ଚାଷର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, କୃଷି ଋଣ ଛାଡ କରିବା, ସରକାରୀ ଦପ୍ତର ଗୁଡିକ କର୍ପୋରେଟ ହାତକୁ ଟେକିଦେବା ଆଦିକୁ ବିରୋଧ କରି ପ୍ରତିବାଦ କରାଯାଇଛି । କେନ୍ଦ୍ର ସରକାର ଯଦି ଏହା ଉପରେ ବିଚାର କରି ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ପରିବାରକୁ ନ୍ୟାୟ ଓ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦାବିରେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା

ବରଗଡ : ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା । ପରିବାରକୁ ନ୍ୟାୟ ଓ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦାବିରେ ପ୍ରତିବାଦ । ହାତରେ ପ୍ଲା କାର୍ଡ ଧରି ପଦ୍ମପୁର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଧାରଣା । ଗତ କିଛିଦିନ ତଳେ ପଦ୍ମପୁର ପାଇକମାଳ ଥାନା ଅଞ୍ଚଳର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ହୋଇଥିଲା । ଦୋଷୀକୁ ଫାଶୀ ଦଣ୍ଡ ଦାବି କରି ଆଜି ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରୁ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ପଦ୍ମପୁରର ବିଭିନ୍ନ ସଂଗଠନ ଓ ଛାତ୍ର ମାନଙ୍କୁ ନେଇ ଏକ ସଚେତନତା ରାଲି କରିଥିଲେ । ପରେ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପ-ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ନ୍ୟାୟୋଚିତ ତଦନ୍ତ ଚାଲିଛି । ଫରେନସିକ ଏବଂ ବ୍ୟବଛେଦ ରିପୋର୍ଟ ଆଧାରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ-ଜିଲ୍ଲାପାଳ କହିଛନ୍ତି ।

ମହିଳାଙ୍କ ଠାରୁ ସୁନା ଗହଣା ଲୁଟିନେଲେ ଖଟିଆ ବାବା

ପାଟକୁରା : କେନ୍ଦ୍ରାପଡ଼ା ଡେରାବିଶରେ ସାରଥୀ ବାବାଙ୍କ ପରେ ଏବେ ଖଟିଆ ବାବା । ମହିଳାଙ୍କୁ ତାଙ୍କ ବିଧବା ଯୋଗ ଓ ସ୍ୱାମୀ ଅପମୃତୁ ଯୋଗ ଅଛି କହି ଲୁଟୁଛନ୍ତି ସୁନା ଅଳଙ୍କାର । ଖଟିଆ ବାବା ନାମରେ ଖ୍ୟାତ ବିକ୍ରମ ସ୍ୱାଇଁ ନାମକ ଜଣେ ଭଣ୍ଡ ଡେରାବିଶ ଲକ୍ଷ୍ମୀ ନାରାୟଣ ପୂର ଗାଁର ଦମୟନ୍ତୀ ରାଉତଙ୍କୁ ଠକି ସୁନା ମୁଦି ନେଇଯାଇ ଥିବା ଅଭିଯୋଗ ହୋଇଛି । ଦମୟନ୍ତୀ ମିଶନ ଶକ୍ତି କାର୍ଯାଳୟରୁ ଘରକୁ ଫେରୁଥିବା ବେଳେ ବାବା ତାଙ୍କ ପାଖକୁ ଯାଇ ତାଙ୍କର ବିଧବା ଯୋଗ ଥିବା କହି ଡରାଇଥିଲେ । ସାଙ୍ଗେସାଙ୍ଗେ ଦୁଇ ମିନିଟ ଭିତରେ ସୁନା ଦାନ କଲେ ବାବା ଗ୍ରହ ମାନଙ୍କ ସହ ଲଢ଼ି ତାଙ୍କ ସ୍ୱାମୀଙ୍କ ଆୟୁଷ ବଢ଼ାଇ ଦେବେ ବୋଲି କହିଥିଲେ । ମହିଳା ଜଣଙ୍କ ମୁଣ୍ଡରେ ଖଟିଆ ବାବା ସିନ୍ଦୁର ଚନ୍ଦନ ଲଗାଇବା ପରେ ମହିଳା ଜଣଙ୍କ ବଶୀଭୂତ ହୋଇ ବାବାଙ୍କୁ ତାଙ୍କ ହାତରୁ ସୁନା ମୁଦି କାଢି ଦେଇଥିଲେ । ପରବର୍ତୀ ସମୟରେ ମହିଳା ଜଣଙ୍କ ବାବାଙ୍କ ଦ୍ୱାରା ଠକେଇ ର ଶିକାର ହେବା କଥା ଜାଣି ଡେରାବିଶ ଥାନାରେ ଅଭିଯୋଗ କରିଥିଲେ । ଆଜି ପୁଣି ବାବା ଗାଁ କୁ ଆସିଥିବାବେଳେ ଗ୍ରାମବାସୀଙ୍କ ସହାୟତା କାବୁକରି ଡେରାବିଶ ଥାନା ଜିମା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।