spot_img
Home Blog Page 1433

କଂଗ୍ରେସ ପିସିସି ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ, ଚରଣ ଦାସ ମହନ୍ତଙ୍କୁ ଦାୟିତ୍ଵ

ଭୁବନେଶ୍ବର: କଂଗ୍ରେସର ପିସିସି ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚରଣ ଦାସ ମହନ୍ତଙ୍କୁ ଦାୟିତ୍ଵ ଦେଲା ଏଆଇସିସି । ସଭାପତି ଚୟନ ନେଇ ଚରଣ ଦାସ ଦେବେ ରିପୋର୍ଟ ।

ଛତିଶଗଡ଼ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ । ଓଡ଼ିଶା ପିସିସିର ସାଂଗଠନିକ କାର୍ଯ୍ୟ ନେଇ ଦେବେ ରିପୋର୍ଟ । ତୁରନ୍ତ ଓଡ଼ିଶା ପହଞ୍ଚି ରିପୋର୍ଟ କରିବାକୁ ଏଆଇସିସି ନିର୍ଦ୍ଦେଶ ଦେଇଛି । ଚରଣଙ୍କୁ ସହଯୋଗ କରିବାକୁ ମୀନାକ୍ଷୀ ନଟରାଜନଙ୍କୁ ପରାମର୍ଶ ଦିଆଯାଇଛି ।

ଦେଶୀ ମଦ ଜବତ କରିବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ

ଖୋର୍ଦ୍ଧା: ଦେଶୀ ମଦ ଜବତ କରିବାକୁ ଯାଇ ଜଣେ ପୋଲିସ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି । ଅଭିଯୁକ୍ତଙ୍କ ଆକ୍ରମଣରେ ସେ ଆହତ ହୋଇଛନ୍ତି । ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ଦୁଇ ନମ୍ବର ୱାର୍ଡ ପୋଡ଼ସାହି ଗାଁରେ ଘଟିଛି ।

ଗାଁରେ ମଦ କାରବାର ଚାଲିଥିବା ଖବର ପାଇ ବାଣପୁର ପୋଲିସ ହଠାତ ଚଢ଼ାଉ କରିଥିଲା l ଚଢାଉରେ ଧୁନୀୟା ନାୟକ ନାମକ ବ୍ୟକ୍ତିକୁ ଗିରଫ କରାଯିବା ସହ  ୩୦ ଲିଟର ଦେଶୀ ମଦ ଜବତ  କରାଯାଇଥିଲା l ଏହାର ପ୍ରତିବାଦ କରି ଧୂନିଆଙ୍କ ସ୍ତ୍ରୀ ରଜନୀ ଓ ପୁଅ ଦୟାନିଧିଙ୍କ ସହ ଗାଁର କିଛି ଲୋକ ପୋଲିସକୁ ଅଟକାଇଥିଲେ । ପୋଲିସକୁ ଅଟକ ରଖିଥିବା ସମୟରେ ଦୟାନିଧି ହଠାତ ପୋଲିସ ଓପିଏଫ ସତ୍ୟ ନାରାୟଣ ପ୍ରଧାନକୁ ଆକ୍ରମଣ କରିଥିଲେ । ସତ୍ୟ ନାରାୟଣ ଆହାତ ହୋଇଥିବାବେଳେ ଏହାର ସୁଯୋଗ ନେଇ ଧୁନୀୟା ନାୟକ ପୋଲିସ ହାତରୁ ଖସି ପଳାଇଥିଲା l ଏନେଇ ବାଣପୁର ପୋଲିସ ଏସଆଇ ସୁକାନ୍ତ ଦଳାଇଙ୍କ ଅଭିଯୋଗ କ୍ରମେ ୭ ଜଣଙ୍କୁ ଗିରଫ କରାଯାଇଛି ।

ଓଡ଼ିଶାରେ କାର୍ଯ୍ୟକାରୀ ହେବ ଜାତୀୟ ଶିକ୍ଷା ନୀତି-୨୦୨୦

ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଆଜି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ପୁର୍ନଗଠନ ସହ ୬ଟି ଥିମେଟିକ୍ ସବକମିଟି ଗଠନ କରାଯାଇଛି । ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜାତୀୟ ଶିକ୍ଷା ନୀତି-୨୦୨୦କୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ପୁର୍ନଗଠନ କରାଯାଇଛି । ଏହି ଟାସ୍କଫୋର୍ସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ,ଅର୍ଥ ବିଭାଗର ପ୍ରମୁଖ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ସଦସ୍ୟ ଭାବେ ସାମିଲ ହୋଇଛନ୍ତି । ଏହାସହ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ, କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ବିଭାଗର ସଚିବ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଭୁବନେଶ୍ୱରସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନର ପ୍ରନ୍ସିପାଲଙ୍କୁ ଏକ୍ସ ଅଫିସୋ ସଦସ୍ୟ ଭାବେ ସାମିଲ କରାଯାଇଛି ।

ଟିଚର୍ସ ଏଜୁକେସନ ଆଣ୍ଡ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ଏହି ଜାତୀୟ ଶିକ୍ଷା ନୀତି-୨୦୨୦ର ନୋଡାଲ ଅଫିସର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କୁ ଆବାହକ ସଦସ୍ୟ ଭାବେ ସାମିଲ କରାଯାଇଛି । ସେହିପରି ଜାତୀୟ ଶିକ୍ଷାନୀତି-୨୦୨୦ର ବିଭିନ୍ନ ଉପାଦାନକୁ ଅନୁଧ୍ୟାନ ପାଇଁ ୬ଟି ଥିମେଟିକ୍ ସବକମିଟି ମଧ୍ୟ ଗଠନ କରାଯାଇଛି । ଏହି ସବ କମିଟିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷାବିତମାନଙ୍କୁ ସାମିଲ କରାଯାଇଛି ।

‘ସୁଭଦ୍ରାର ଠିକଣା’କୁ ନେଇ ଡ.ପ୍ରତିଭା ରାୟଙ୍କ ପ୍ରତିକ୍ରିୟା

ନନ୍ଦିଘୋଷ ବ୍ୟୁରୋ: ନନ୍ଦିଘୋଷ ଟିଭିର ପୋର୍ଟାଲରେ ପ୍ରକାଶ ପାଇଥିବା ‘ସୁଭଦ୍ରାର ଠିକଣା’କୁ ନେଇ ବିଶିଷ୍ଟ ସାହିତ୍ୟିକ ତଥା ଜ୍ଞାନପୀଠ ପୁରସ୍କାର, ଶାରଳା ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ଡ. ପ୍ରତିଭା ରାୟ ନିଜ ମନ୍ତବ୍ୟ ରଖିଛନ୍ତି । ଡ.ରାୟଙ୍କ ଦ୍ୱାରା ଜାରି ବକ୍ତବ୍ୟରେ ତାଙ୍କ ମତାମତକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି ବୋଲି କୁହାଯାଇଛି।

ତାଙ୍କ ଦ୍ୱାରା ଜାରି ବକ୍ତବ୍ୟରେ କୁହାଯାଇଛି ଯେ, ସରଳ ସହଜ ଲେଖାଟିଏ ଗଣମାଧ୍ୟମ ବୁଝିପାରି ନାହିଁ । ତାଙ୍କ ମତକୁ ସଠିକ ଭାବେ ଉପସ୍ଥାପନ କରାଯାଇ ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ସେ କିଛି ରାଜନୈତିକ ଦଳର ନେତାଙ୍କ ଦ୍ୱାରା ଜାରି ବକ୍ତବ୍ୟ ଉପରେ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଶରତ ରାଉତଙ୍କର ବକ୍ତବ୍ୟ ଦୁଃଖ ଦାୟକ ବୋଲି ସେ ଉଲ୍ଲେଖ କରିଛନ୍ତି । ତାଙ୍କ ଲେଖାକୁ ଶରତ ରାଉତ ସମ୍ଭବତଃ ପଢ଼ି ନାହାନ୍ତି ବୋଲି ସେ କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ, ଏକ ଖବର କାଗଜରେ ପ୍ରକାଶିତ ଡ.ରାୟଙ୍କ ଲେଖାକୁ ନେଇ ବିଭିନ୍ନ ରାଜନୈତିକ ଦଳର ନେତ୍ରୁବୃନ୍ଦଙ୍କ ପ୍ରତିକ୍ରିୟାକୁ ନନ୍ଦିଘୋଷ ୱେବ ପୋର୍ଟାଲ ସର୍ବସାଧାରରଣରେ କେବଳ ଉପସ୍ଥାପନ କରିଥିଲା। ଯେଉଁ ବକ୍ତବ୍ୟ ସବୁ ସର୍ବସାଧାରଣରେ ଉପଲବ୍ଧ ଥିଲା । ଏହା ନନ୍ଦିଘୋଷ ଟିଭିର କୌଣସି ବ୍ୟକ୍ତିଗତ ମତ ନଥିଲା । ବିଭିନ୍ନ ରାଜନେତାଙ୍କ ପ୍ରତିକ୍ରିୟା, ସର୍ବ ସାଧାରଣ ପ୍ରତିକ୍ରିୟାକୁ ନେଇ ଆମେ ଏକ ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମ ଭାବରେ ଖବର କରିଥିଲୁ । ଏଥିରେ ଶ୍ରୀମତି ରାୟଙ୍କୁ ଅସମ୍ମାନିତ କରିବା ଭଳି ଆମର କୌଣସି ଉଦ୍ଦେଶ୍ୟ ନଥିଲା ।

ସୂଚନାଯୋଗ୍ୟ, ଏକ ଦୈନିକ ଖବର କାଗଜରେ ଶ୍ରୀମତି ରାୟଙ୍କ ‘ସୁଭଦ୍ରାଙ୍କ ଠିକଣା’ ଶୀର୍ଷକ ଲେଖା ପ୍ରକାଶ ପାଇଥିଲା । ଏଥିରେ ସେ ସୁଭଦ୍ରାଙ୍କୁ ଖୋଜୁଥିବା ଉଲ୍ଲେଖ କରିଥିଲେ । ତାଙ୍କର ଏହି ଲେଖାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଥିଲା । ଯାହାକୁ ନେଇ ବିରୋଧୀ ଦଳ ନେତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ଯାହାକୁ ଆଧାର କରି ଆମେ ଆମ ପୋର୍ଟାଲରେ ଉକ୍ତ ଖବରଟି ପ୍ରକାଶ କରିଥିଲୁ ।

ଯାଜପୁର ଧର୍ମଶାଳାରେ ପ୍ରତିହିଂସାର ରାଜନୀତି, ପ୍ରଣବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳିରେ ଆରମ୍ଭ ହୋଇଛି ପ୍ରତିହିଂସା ରାଜନୀତି । ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଲୋକପ୍ରିୟତାକୁ ସହି ପାରୁ ନାହାନ୍ତି ଧର୍ମଶାଳାରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ହିମାଂଶୁ ଶେଖର ସାହୁଙ୍କ ସମର୍ଥକ । ସେଥିପାଇଁ ଗଜଲକ୍ଷ୍ମୀ ପୂଜା ବୁଲିବାକୁ ଯାଇଥିବା ପ୍ରଣବଙ୍କ ଉପରକୁ ଅଣ୍ଡାମାଡ଼ କରିଛନ୍ତି ହିମାଂଶୁଙ୍କ ସମର୍ଥକ ।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ବିଜେଡି ଧର୍ମଶାଳାରେ ହାରିଯାଇଥିଲେ ମଧ୍ୟ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଲୋକପ୍ରିୟତା କମି ନାହିଁ । ଯେଉଁଥିପାଇଁ ସେ ବିଭିନ୍ନ ଅଞ୍ଚଳ ଗସ୍ତ ସମୟରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ସେମାନଙ୍କ ସମସ୍ୟା କହୁଛନ୍ତି । ଆଜି ଗଜଲକ୍ଷ୍ମୀ ପୂଜା ଅବସରରେ ମଧ୍ୟ ପୂର୍ବତନ ବିଧାୟକ ବିଭିନ୍ନ ମଣ୍ଡପ ବୁଲୁଥିଲେ । ମଣ୍ଡପ ବୁଲିବା ସମୟରେ ସବୁ ମଣ୍ଡପରେ ତାଙ୍କୁ ବହୁ ସଂଖ୍ୟାରେ ଲୋକ ଭେଟୁଥିଲେ । ଏଥିରେ ଅସହିଷ୍ଣୁ ହୋଇ ହିମାଂଶୁଙ୍କ ସମର୍ଥକମାନେ ପ୍ରଣବଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିବା ଅଭିଯୋଗ ହୋଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର କୁରିକଣା ନିକଟରେ ଆଣ୍ଡାମାଡ଼ ହୋଇଥିଲା ।

ପ୍ରଣବ ନିର୍ବାଚନା ମଣ୍ଡଳୀରେ ଲୋକଙ୍କ ସହ ସମ୍ପର୍କ ରକ୍ଷା କରୁଥିବାରୁ ଏଥିରେ ଅସହିଷ୍ଣୁ ହୋଇ ବିଧାୟକଙ୍କ ସମର୍ଥକମାନେ ଏଭଳି କାଣ୍ଡ ଭିଆଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ପାଇଁ ସେ ପ୍ରଶାସନକୁ ମଧ୍ୟ ଦାୟୀ କରିଛନ୍ତି । ଶାନ୍ତ ଧର୍ମଶାଳାକୁ ଅଶାନ୍ତ କରିବାକୁ ଉଦ୍ୟମ କରାଯାଉଥିବା ବେଳେ ଏନେଇ ସେ ଆଇନଗତ ପଦକ୍ଷେପ ନେବେ ବୋଲି କହିଛନ୍ତି ପ୍ରଣବ ।

ପୂର୍ବରୁ ଧର୍ମଶାଳାରେ ଚାଲିଥିବା ଅରାଜକତା ସମ୍ପର୍କରେ ସେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଶାସନ ଯଦି ପୂର୍ବରୁ ପଦକ୍ଷେପ ନେଇଥାନ୍ତା ତା’ହେଲେ ଆଜି ଏଭଳି ଘଟଣା ଘଟି ନଥାନ୍ତା ବୋଲି ସେ କହିଛନ୍ତି । ଘଟଣା ପରେ ଧର୍ମଶାଳା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପହଞ୍ଚି ପ୍ରଣବ ବଲବନ୍ତରାୟ ଓ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ଲୋକମାନ୍ୟ ତିଲକ ଏକ୍ସପ୍ରେସର ୮ ବଗି ଲାଇନଚ୍ୟୁତ

ଭୁବନେଶ୍ବର: ଆସାମରେ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ । ମୁମ୍ବାଇ ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଥିବା ସୂଚନା ମିଳିଛି । ଆସାମର ଦିବାଲଙ୍ଗ ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଛି । ଅପରାହ୍ନ ସମୟରେ ଏହି ଟ୍ରେନ ଲାଇନଚ୍ଯୁତ ହୋଇଥିଲା । ଏଥିରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇ ନଥିବା ଜଣାପଡିଛି । ଟ୍ରେନର ୮ କୋଚ୍ ଲାଇନଚ୍ଯୁତ ହୋଇଥିଲା ।

ଲୁମଡିଙ୍ଗ ଡିଭିଜନର ଲୁମଡିଙ୍ଗ-ବଦାରପୁର ନିକଟରେ ଟ୍ରେନ ଲାଇନଚ୍ଯୁତ ହୋଇଥିଲା । ଟ୍ରେନର ପାୱାର କାର ସହ ଇଂଜିନ ମଧ୍ୟ ରେଳଧାରଣାରୁ ବାହାରକୁ ଚାଲିଯାଇଛି । ଲୁମଡିଙ୍ଗ-ବଦାରପୁର ଟ୍ରାକରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

୧୦ ବର୍ଷର ଶାସନ, ଏବେ ବି ୧୩ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ: ବିଜେପି ସରକାରର ଇଏ କି ପ୍ରକାର ସମ ବିକାଶ ?

ଭୁବନେଶ୍ବର: ୧୦ ବର୍ଷ ହେଲାଣି ଦେଶରେ ବିଜେପି ନେତୃତ୍ବାଧୀନ ଏନଡଏ ସରକାର ଚାଲିଛି । ସବୁ ଲୋକଙ୍କ ସମ ବିକାଶକୁ ଗୁରୁତ୍ବ ଦିଆଯାଇଛି ବୋଲି ଡିଣ୍ଡିମ ପିଟୁଛନ୍ତି କେନ୍ଦ୍ର ସରକାର । ଅଥଚ ଏବେ ବି ୧୩ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି । ଭାରତର ଗରିବୀ ହ୍ରାସ ନେଇ ଏକ ରିପୋର୍ଟରେ ଏଭଳି ଚିତ୍ର ଦେଖାଇଛି ବିଶ୍ବ ବ୍ୟାଙ୍କ । ଖାଲି ସେତିକି ନୁହେଁ, ବିଶ୍ବ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ୧୦୫ ତମ ସ୍ଥାନରେ ରହିଛି । ଅଭିଯୋଗ ହୋଇଛି, ଏଥିପାଇଁ ଦାୟୀ କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ନୀତି । ଦେଶରେ ଧନୀ ଅଧିକ ଧନୀ ହେଉଥିବାବେଳେ ଗରିବ ଆହୁରି ଗରିବ ହୋଇ ଚାଲିଛନ୍ତି ।

ଖାଦ୍ୟ ସୁରକ୍ଷାଠୁ ମାଗଣା ସ୍ବାସ୍ଥ୍ୟସେବା । ଖର୍ଚ୍ଚ ହେଉଛି ଲକ୍ଷାଧିକ କୋଟି । ଲକ୍ଷାଧିକ କୋଟି ଜିଏସଟି ସଂଗ୍ରହ କରି ରେକର୍ଡ କରୁଛନ୍ତି କେନ୍ଦ୍ର ସରକାର । ମେକ୍-ଇନ୍-ଇଣ୍ଡିଆ, ଷ୍ଟାର୍ଟ୍ ଅପ୍ ଇଣ୍ଡିଆ, ପିଏମ୍ ପୋଷଣ ପରି ମାଳ ମାଳ ଯୋଜନା । ହେଲେ ଦାରିଦ୍ର୍ୟ ହ୍ରାସ କରିବାରେ ବିଫଳ କେନ୍ଦ୍ର ସରକାର । ଏବେ ବି ଉତ୍କଟ ଦାରିଦ୍ର୍ୟତାର ଶିକାର ପ୍ରାୟ ୧୩ କୋଟି ଲୋକ । ଦାରିଦ୍ର୍ୟ ହ୍ରାସ ନେଇ ଭାରତ ସନ୍ଦର୍ଭରେ ଏଭଳି ଚିତ୍ର ଦେଖାଇଛି ଖୋଦ ବିଶ୍ବ ବ୍ୟାଙ୍କ ।

ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅଭିଯୋଗ ହୋଇଛି କେନ୍ଦ୍ର ସରକାରଙ୍କ ସବୁ ନୀତି କେବଳ କିଛି ମୁଷ୍ଟିମେୟ ପୁଞ୍ଜିପତିଙ୍କ ପାଇଁ । ଦେଶର ୨୮ଟି ରାଜ୍ୟରୁ ଅର୍ଦ୍ଧାଧିକ ରାଜ୍ୟରେ ବିଜେପି କ୍ଷମତାରେ ରହିଛି । ତଥାପି ୧୦ ବର୍ଷ ଭିତରେ ଦାରିଦ୍ର୍ୟ ହ୍ରାସ କରିବାରେ କିଛି ବି ସଫଳତା ପାଇନି । ରିପୋର୍ଟ ଅନୁଯାୟୀ ଦୈନିକ ଆୟ ୫୭୬ ଟଙ୍କା ଆୟ କରୁଥିବା ଲୋକ ତା’ ପରିବାର ପାଇଁ ଦୁଇ ଓଳି ଦୁଇମୁଠା ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଇପାରୁନି । ଓଡ଼ିଶା ଭଳି ରାଜ୍ୟରେ ଦୈନିକ ମଜୁରୀ ଏହାଠାରୁ ବି କମ୍ । ଗୋଟିଏ ପଟେ କେନ୍ଦ୍ର ସରକାର ଅର୍ଥନୀତିକୁ ଦୁଇଅଙ୍କ ବିଶିଷ୍ଟ ଟ୍ରିଲିୟନରେ ପହଞ୍ଚାଇବାକୁ ପ୍ରଚାର ଚଳାଇଛନ୍ତି । ଅନ୍ୟପଟେ ଗରିବଙ୍କ ଅର୍ଥରେ ବିକଶିତ ହେଉଥିବା ଭିତ୍ତିଭୂମିର ଲାଭ ଉଠାଉଛନ୍ତି ଧନୀବର୍ଗ । ଗରିବ ସୀମାରେଖା ଉପରକୁ ଉଠିବାକୁ ହେଲେ କେବଳ ମାଗଣା ରାସନ୍ କି ସ୍ବାସ୍ଥ୍ୟସେବା ପର୍ଯ୍ୟାପ୍ତ ନୁହେଁ, ସବୁ ବର୍ଗର ଲୋକଙ୍କୁ ଆବଶ୍ୟକ ରୋଜଗାର ।

ଗୋଟେ ପଟେ କୋଟିପତି । ଆଉ ଗୋଟେ ପଟେ କୁଟୀରପତି । ସମୀକ୍ଷକଙ୍କ ଅଭିଯୋଗ ଏବର କେନ୍ଦ୍ର ସରକାରଙ୍କ ଟ୍ରିଲିୟନ ଅର୍ଥନୀତି ବିକାଶ କେବଳ ନାମକୁ ମାତ୍ର । ଜିଏସଟି ସଂଗ୍ରହ ଓ ଅଭିବୃଦ୍ଧି ବଢିଲେ ଲୋକଙ୍କ ମୁଣ୍ଡପିଛା ଆୟ ବଢେନି । ବିଶ୍ବ କ୍ଷୁଧା ସୂଚକାଙ୍କରେ ଏବେ ବି ୨୦ କୋଟି ଲୋକ ଅପପୁଷ୍ଟିର ଶିକାର । ଯାହାକି ବ୍ରାଜିଲର ମୋଟ ଜନସଂଖ୍ୟା ସହିତ ସମାନ । ଗ୍ରାମାଞ୍ଚଳରେ ୬୩.୩ ପ୍ରତିଶତ ଲୋକ ସେମାନଙ୍କ ଆୟର ଶତପ୍ରତିଶତ ଖର୍ଚ୍ଚ କଲେ ବି ଦୁଇବେଳା ପେଟପୂରା ଖାଦ୍ୟ ଯୋଗାଡ଼ କରିପାରୁନାହାନ୍ତି । କିନ୍ତୁ କେନ୍ଦ୍ର ସରକାର ଏହି ବାସ୍ତବତାକୁ ସ୍ବୀକାର କରିନାହାନ୍ତି । ଓଲଟା ବିଭିନ୍ନ ଜାତୀୟ ସ୍ତରର ସର୍ଭେ ଏଜେନ୍ସି ଉପରେ ଚାପ ପକାଇ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି । ଫଳ ଏପରି, ବେରୋଜଗାରୀ ଚରମ ସୀମାରେ ପହଞ୍ଚି ଥିବା ଅଭିଯୋଗ ହୋଇଛି ।

ପୁଳାପୁଳା ଯୋଜନା ଆଉ କାର୍ଯ୍ୟକ୍ରମ । ପ୍ରଚାରରେ ଖର୍ଚ୍ଚ ହେଉଛି ହଜାର ହଜାର କୋଟି । ସ୍ବାଧୀନତାର ୭୭ ବର୍ଷ ପରେ ବି ଦେଶରୁ ଗରିବୀ ହଟିପାରିନି । ବିଶ୍ବ ବ୍ୟାଙ୍କର ଏହି ରିପୋର୍ଟ ପରେ କେନ୍ଦ୍ର ସରକାର ଚେତିବେ ନା ନିଜେ ଠିକ୍ ଅଛନ୍ତି ବୋଲି ପ୍ରଚାର କରିବେ ତାହା ହିଁ ଚିନ୍ତାର ବିଷୟ ।

ହରିୟାଣାରେ ବିଜେପିର ତୃତୀୟ ପାଳି ଆରମ୍ଭ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୈନୀ

ଚଣ୍ଡିଗଡ଼: ହରିୟାଣାରେ ଆଜିଠାରୁ ନାଏବ ସିଂ ସୈନୀଙ୍କ ରାଜ୍ । ଦ୍ବିତୀୟ ଥର ଲାଗି ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୈନୀ । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ହେଭିୱେଟ ହେଲେ ସାମିଲ । ଓଡ଼ିଶା ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀ ବି ଶପଥ ସମାରୋହରେ ଥିଲେ ଉପସ୍ଥିତ ।

ସୈନୀଙ୍କ ସହ ଅନ୍ଯ ୧୩ ମନ୍ତ୍ରୀ ଶପଥ ନେଇଛନ୍ତି । ବରିଷ୍ଠ ମନ୍ତ୍ରୀ ଅନିଲ ଭିଜଙ୍କୁ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଗତ ମାର୍ଚ୍ଚରେ ବିଜେପି ମନୋହରଲାଲ ଖଟ୍ଟରଙ୍କୁ ହଟାଇ ସୈନୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଗତ ନିର୍ବାଚନରେ ୯୦ ଆସନରୁ ୪୮ଟି ଜିତି ଲଗାତର ତୃତୀୟ ଥର ପାଇଁ ଶାସନ କ୍ଷମତା ଅକ୍ତିଆର କରିଥିଲା ବିଜେପି । କଂଗ୍ରେସକୁ ମିଳିଥିଲା ୩୭ ଆସନ ।

ଓଡ଼ିଆ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ଦିଲ୍ଲୀରେ ବିଜେପି ସରକାର ବିରୋଧରେ ଯୁବ କଂଗ୍ରେସର ଗର୍ଜନ

ଭୁବନେଶ୍ବର: ପଣ୍ଡିତଙ୍କ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । ଏହି ନ୍ଯାୟରେ ୩ ମାସ ଉପରେ ସମୟ ବିତିଲାଣି । ଏହାସତ୍ତ୍ବେ ଓଡିଆ ଏଏସଓଙ୍କୁ ରାଜ୍ଯପାଳଙ୍କ ପୁଅଙ୍କ ମାଡ ମାରିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଓଡିଆ ଅସ୍ମିତା ଘୋଷି ହେଉଥିବା ବିଜେପି ପାଇଁ ଏହି ଘଟଣାରେ ଓଡିଆ ଅସ୍ମିତା କୁଆଡେ ଗଲା ବୋଲି କହି ଦିଲ୍ଲୀରେ ହଲ୍ଲାବୋଲ କରିଛି ଯୁବ କଂଗ୍ରେସ । ତୁରନ୍ତ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରିବା ଦାବିରେ ଜନ୍ତରମନ୍ତରରେ ଦେଇଛି ଧାରଣା । ରାଜ୍ୟ ସରକାର କାହିଁକି ଚୁପ ବୋଲି ଯୁବ କଂଗ୍ରେସ ପ୍ରଶ୍ନ କରିବା ସହ ବିଜେପିକୁ ଅସ୍ମିତାର କାଠଗଡ଼ାରେ ଠିଆ କରାଇଛି । ଅନ୍ୟପଟେ ରାଜ୍ୟପାଳଙ୍କ ପୁଅଙ୍କ ଗିରଫ ଦାବି ଫେରିବା ପରେ ଉଷ୍ମ ହୋଇଛି ରାଜ୍ଯ ରାଜନୀତି ।

ଓଡ଼ିଆ ଅସ୍ମିତା ପାଇଁ ଦିଲ୍ଲୀରେ ଲଢେଇ । ରାଜ୍ୟପାଳଙ୍କ ପୁଅ ଓ କିଛି ଅଣଓଡ଼ିଆ ସାଙ୍ଗ ଓଡ଼ିଆ ସରକାରୀ ଅଧିକାରଙ୍କୁ ମାଡ଼ ମାରିବା ଘଟଣା ଓଡ଼ିଶାରୁ ଯାଇ ଦିଲ୍ଲୀରେ ପହଞ୍ଚିଛି । ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ଦିଲ୍ଲୀର ଜନ୍ତରମନ୍ତରରେ କରିଛନ୍ତି ଜୋରଦାର ପ୍ରତିବାଦ । ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଗର୍ଜନ କରିଛି ଯୁବ କଂଗ୍ରେସ । ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର, ୟାସିର ନଓ୍ବାଜଙ୍କ ନେତୃତ୍ବରେ ବହୁ ଯୁବ ନେତା ପଚାରିଛନ୍ତି ପ୍ରଶ୍ନ । କୁଆଡ଼େ ଗଲା ଓଡ଼ିଆ ଅସ୍ମିତା ? କାହିଁକି ରାଜ୍ୟପାଳ ପୁଅ ଗିରଫ ହେବେ ନାହିଁ ? ଓଡ଼ିଶା ସରକାର କାହିଁକି ରାଜ୍ୟପାଳ ପୁଅଙ୍କୁ ଗିରଫ କରୁନାହିଁ ? ବାରମ୍ବାର ଦାବି ସତ୍ତ୍ବେ କାହିଁକି ପୋଲିସ ଏଏସଓ ପରିବାରଙ୍କୁ ନ୍ୟାୟ ଦେଉନାହିଁ ବୋଲି ଯୁବ କଂଗ୍ରେସ ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଘେରିଛି । ଘଟଣାକୁ ତିନି ମାସରୁ ଅଧିକ ସମୟ ବିତିଲାଣି । ସରକାର ଓ ବିଜେପି କାହିଁକି ଚୁପ ? ବୈକୁଣ୍ଠ ପ୍ରଧାନଙ୍କୁ କେବେ ନ୍ୟାୟ ମିଳିବ ବୋଲି ଯୁବ କଂଗ୍ରେସ ନେତା ୟାସିଓ ନଓ୍ବାଜ ପ୍ରଶ୍ନ କରିଛନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରତିବାଦ କରିଛି ଦଳ । ରାଜ୍ୟପାଳ ପୁଅଙ୍କ ପାଇଁ ଗୋଟେ ଆଇନ ଓ ରାଜ୍ୟପାଳଙ୍କ ପାଇଁ ଆଉ ଗୋଟେ ଆଇନ ଚଳିବ ନାହିଁ ବୋଲି ଯୁବ କଂଗ୍ରେସ ଚେତାଇ ଦେଇଛି ।

ଦିଲ୍ଲୀ ଦରବାରରେ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ ଦାବି ପହଞ୍ଚିବା ପରେ ରାଜ୍ୟରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି । ବିଜେପି ବିଧାୟକ ଅମର ନାୟକ କହିଛନ୍ତି ଯେ, ରାଜ୍ୟପାଳଙ୍କ ପୁଅଙ୍କ ପ୍ରସଙ୍ଗରେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଇଛନ୍ତି । କଂଗ୍ରେସ ନିଜର ଅସ୍ତିତ୍ବ ବଜାୟ ରଖିବା ପାଇଁ ଦିଲ୍ଲୀରେ ଆନ୍ଦୋଳନ କରିଛି । ରାଜ୍ୟପାଳ ପୁଅ ଓ ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ଶାସକ ବିଜେପିକୁ ଟାର୍ଗେଟ କରିଛି ବିଜେଡ଼ି । ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ ବୋଲି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ବିମାନକୁ ବୋମା ଆତଙ୍କ: ଭୁବନେଶ୍ବର ଏୟାରପୋର୍ଟ ଉପରେ ପଡୁନି ପ୍ରଭାବ

ଭୁବନେଶ୍ବର: ବିମାନ ବନ୍ଦରକୁ ଆସୁଛି ହୋକ୍ସ କଲ । ପ୍ରଭାବିତ ହେଉଛି ସାରା ଦେଶର ବିମାନ ସେବା । ଗୋଟିଏ ବିମାନ ବନ୍ଦରକୁ ଏମିତି କଲ ଆସିଲେ, ପ୍ରାୟ ସବୁ ବିମାନ ବନ୍ଦର ଉପରେ ପଡୁଛି ପ୍ରଭାବ । ଅଯଥାରେ ଯାତ୍ରୀ ହେଉଛନ୍ତି ହନ୍ତସନ୍ତ । ଦିଲ୍ଲୀ ବିମାନ ବନ୍ଦରକୁ ବୋମା ଆତଙ୍କ ଫୋନ୍ ଆସୁଥିଲେ ବି ଓଡ଼ିଶା ବିମାନ ସେବା ଉପରେ ଏହାର ପ୍ରଭାବ ପଡ଼ିନି । ହୋକ୍ସ କଲ ଆସୁଥିବାରୁ ଆଗୁଆ ଆଲର୍ଟରେ ରହିଛି ଭୁବନେଶ୍ବର ବିମାନ ବନ୍ଦର । ସୁରକ୍ଷା ଦୃଷ୍ଟିରୁ ବମ୍ ଥ୍ରେଟ୍ ଆସେସମେଣ୍ଟ କମିଟିର ବଢ଼ିଛି ଦାୟିତ୍ବ ।

ଏସିଆ ମହାଦେଶର ସର୍ବବୃହତ ବିମାନ ବନ୍ଦର ମଧ୍ୟରୁ ଅନ୍ୟତମ ଦିଲ୍ଲୀ । ପ୍ରତିଦିନ ଶହ ଶହ ବିମାନ ଏଠାରୁ ଦେଶ ଭିତରକୁ ଓ ବାହାରକୁ ଯାତାୟତ କରେ । ଯେଉଁଥି ପାଇଁ ସାରା ଦେଶରେ ଏହି ବିମାନ ବନ୍ଦରର ଗରୁତ୍ବ ରହିଛି । ହେଲେ ଏଠାକୁ ଆସୁଥିବା ଗୁଜବ ବୋମା ଆତଙ୍କ ଫୋନ୍ କଲ ବା ବମ୍ ଥ୍ରେଟ୍ କଲ୍ ସାରା ଦେଶର ବିମାନ ସେବାକୁ ପ୍ରଭାବିତ କରୁଛି । ଦିଲ୍ଲୀ ବିମାନ ବନ୍ଦରରେ ପାଖାପାଖି ୧୩ଟି ବିମାନକୁ ଏପରି କଲ୍ ଆସିବାରୁ, ଦେଶ ଓ ବିଦେଶର ୫୦୦ରୁ ଅଧିକ ବିମାନକୁ ମିଳି ନଥିଲା ଏୟାର ଟ୍ରାଫିକ୍ କ୍ଲିୟରାନ୍ସ । ସୌଭାଗ୍ୟବଶତଃ ଦିଲ୍ଲୀରେ ହୋଇଥିବା ହୋକ୍ସ କଲକୁ ନେଇ ଭୁବନେଶ୍ବରରେ କୌଣସି ବିମାନ ସେବା ପ୍ରଭାବିତ ହୋଇନି । ହେଲେ ଏପରି ହୋକ୍ସ କଲ ବା ବମ ଥ୍ରେଟ କଲ ପାଇଁ ପଞ୍ଜିକୃତ ବିମାନ ବନ୍ଦରରେ ଏକ ବମ ଥ୍ରେଟ  କଣ୍ଟିଜେନସି ପ୍ଲାନ ରହିଛି । ଯାହାକୁ ଅନୁମୋଦନ ଦେଇଥାଏ ବିସିଏ ବା ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ । ତା’ ହିସାବରେ ସୁରକ୍ଷା ଏଜେନ୍ସି, ବିମାନ କମ୍ପାନୀ ପରି ବିମାନ ବନ୍ଦରର ସମସ୍ତ ଅଂଶୀଦାର ଦାୟିତ୍ବ ନିର୍ବାହ କରିଥାନ୍ତି । ଏଥିରେ ଯାତ୍ରୀ ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କାରଣ ବମ୍ ଥ୍ରେଟ୍ ଆସେସମେଣ୍ଟ କମିଟିର ବିଭିନ୍ନ ପ୍ରୋଟୋକଲ୍ ମାନିବାକୁ ପଡେ । ହୋକ୍ସ କଲ୍ ସତ ବୋଲି ପ୍ରମାଣିତ ହେବା ପରେ ପୁଣି ଥରେ କଡ଼ା ଚେକିଂ କରିଥାନ୍ତି ସୁରକ୍ଷା ଅଧିକାରୀ ।

ଟେଲିକମ୍ ମ୍ୟାନେଜମେଣ୍ଟ ସିଷ୍ଟମ ଦେଇ ଆସିଥାଏ ସମସ୍ତ ଫୋନ୍ କଲ୍ । ଏହି ସିଷ୍ଟମ ନିଜ ଆଡୁ ହୋକ୍ସ କଲକୁ ବାଦ୍ ପକାଇବା କ୍ଷମତା ରଖିଛି । ବ୍ୟକ୍ତିଗତ କଲ୍ ବା ଅନୁଷ୍ଠାନକୁ ଏପରି କଲ୍ ଆସିଥାଏ । ବ୍ୟକ୍ତିଗତ କଲ୍ ଅନେକ ସମୟରେ ହୋକ୍ସ ଭାବେ ଚିହ୍ନଟ ହୋଇ ସ୍ପାମ ତାଲିକାଭୁକ୍ତ ହୋଇଯାଏ । ତେବେ ଟେଲିକମ ଅପରେଟରଙ୍କ ଜରିଆରେ ଏପରି ହୋକ୍ସ କଲରଙ୍କୁ ଧରାଯାଇ ପାରିବ । ଭଏସ୍ ଓଭର ଇଣ୍ଟରନେଟ୍ କଲ୍ ଧରିବା ସାମାନ୍ୟ କାଠିକର ପାଠ । କାରଣ ଏହା ଇଣ୍ଟରନେଟ୍ ଜରିଆରେ ଆସିଥାଏ । ହେଲେ ଭିଓଆଇପି ଅପରେଟର ଭଲ ଭାବେ ଟ୍ରାକ୍ କଲେ, ଏପରି କଲରଙ୍କୁ ଧରାଯାଇ ପାରିବ ବୋଲି ମତ ରଖିଛନ୍ତି ବିଶେଷଜ୍ଞ ।

ଚଳିତ ବର୍ଷ ଆରମ୍ଭରୁ ହିଁ ଦିଲ୍ଲୀ ବିମାନ ବନ୍ଦରକୁ ଏପରି ଅନେକ ହୋକ୍ସ କଲ୍ ଆସୁଛି । ଯାହା ଦିଲ୍ଲୀ ସମେତ ସାରା ଦେଶର ବିମାନ ବନ୍ଦରକୁ ହାଇ ଆଲର୍ଟ କରୁଛି । ହୋକ୍ସ କଲ୍ ଆସୁଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯାତ୍ରୀ ଓ ରୋଗୀ ।