ମାଲକାନଗିରି : ଆଜି ସକାଳୁ ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୮ ମିନିଟରେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ୫ ରୁ ୭ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଛି। ଖୁବ୍ କମ ସମୟ ପାଇଁ ଝଟକା ଅନୁଭୂତ ହୋଇଥିଲା। ତେବେ ଝଟ୍କା ଅନୁଭୂତ କରିବା ପରେ ଲୋକେ ଭୟଭୀତ ହେବା ସହ କିଛି ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ।
ଆସନ୍ତାକାଲି ନୌସେନା ଦିବସରେ ଯୋଗଦେବେ ରାଷ୍ଟ୍ରପତି
ପୁରୀ: ନୌସେନା ଦିବସରେ ଦମ ଦେଖାଇବେ ନୌବୀର । ୩ ବାହିନୀର ରଣ କୌଶଳରେ କମ୍ପିବ ପୁରୀ ବ୍ଲୁଫ୍ଲାଗ ବିଚ୍ । ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପ୍ରଥମେ ସମଙ୍ଗ ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ସ୍ୱତନ୍ତ୍ର ହେଲିକପ୍ଟର ଅବତରଣ କରିବେ । ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ କାର୍ଯ୍ୟକ୍ରମ ପରେ ପୁରୀ ଭିଆଇପି ରୋଡ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟକୁ ଯିବେ l କଲେଜର ୭୫ ତମ ହୀରକ ଜୟନ୍ତୀ ସମାରୋହରରେ ଯୋଗଦେବେ । ପରେ ରାଷ୍ଟ୍ରପତି ରାଜଭବନକୁ ଯିବାସହ ସେଠାରେ ଦ୍ବିପହର ଭୋଜନ କରିସାରି ଅପରାହ୍ନ ପ୍ରାୟ ୩ଟା ୫୦ ସମୟରେ ବ୍ଲୁଫ୍ଲାଗ ବିଚରେ ନୌସେନା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ । ସନ୍ଧ୍ୟା ୫ଟା ୪୫ମିନିଟ ପର୍ଯ୍ୟନ୍ତ ରାଷ୍ଟ୍ରପତି ବ୍ଲୁଫ୍ଲାଗ ବିଚରେ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସ୍ୱତନ୍ତ୍ର କାରକେଡ ରିହର୍ସାଲ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ସାଧା ପୋଷାକରେ ପୋଲିସ ଫୋର୍ସ ମୁତୟନ ରହିବେ l ସେହିପରି ସମୁଦ୍ରକୁଳ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ ନେଇ କଟକଣା ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି କାନ୍ତିରେ ଶୃଙ୍ଖଳିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି । ସକାଳୁ ଦ୍ୱାର ପିଟା ଯିବା ସହ ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ଶେଷ କରାଯାଇ ଅବକାଶ ବେଶ ଅନୁଷ୍ଠିତ ହେବ l ପ୍ରାୟ ୧୦ ଟା ୧୫ ମିନିଟ ସମୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡାଙ୍କ ସମେତ ଅନାନ୍ୟ ସେବାୟତ ସ୍ବାଗତ କରିବା ସହ ପୂଜାରେ ସହଯୋଗ କରିବେ । ଶ୍ରୀମନ୍ଦିର ଭିତରେ ମାଆ ବିମଳା ଓ ଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ନୀଳଚକ୍ରକୁ ମଧ୍ୟ ଦର୍ଶନ କରିବେ । ତେବେ ଆଜି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ଆଲୋଚନା କରାଯାଇନଥିବାରୁ କୌଳିକ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି l
ମେଟ୍ରୋ ପ୍ରକଳ୍ପକୁ ନେଇ କଂଗ୍ରେସର ହଲ୍ଲାବୋଲ
ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପକୁ ନେଇ କଂଗ୍ରେସର ହଲ୍ଲାବୋଲ । ବ୍ଳାକ ଲିଷ୍ଟେଡ କମ୍ପାନୀକୁ କାମରୁ ଅନ୍ତର କରିବାକୁ ଦାବି । ରିଟେଣ୍ଡର କରି ନୂଆ ସ୍ବଚ୍ଛ କମ୍ପାନୀକୁ ଦିଅ ଦାୟିତ୍ବ । ଗୁଜୁରାଟୀ କମ୍ପାନୀ ବୋଲି ରାଜ୍ୟ ସରକାର ଦେଖାଇଛନ୍ତି ଅନୁକମ୍ପା । କାମ ଯଦି କରିପାରୁନ ତେବେ ୨୪ ବର୍ଷର ନବୀନ ସରକାରଠୁ ଶିଖ କହି କଟାକ୍ଷ କଲେ ଯୁବ କଂଗ୍ରେସ ନେତା । ଟେଣ୍ଡର ବାତିଲ ନ ହେଲେ ଠିକା ସଂସ୍ଥାକୁ କାମ କରାଇ ନ ଦେବାକୁ ଚେତାବନୀ । ଭୁବନେଶ୍ବରବାସୀଙ୍କୁ ମେଟ୍ରୋ ସୁବିଧା ଯୋଗାଇ ଦେବାକୁ ତତ୍କାଳୀନ ନବୀନ ସରକାର ଉଦ୍ୟମ ଆରମ୍ଭ କରିଥିଲେ । କେନ୍ଦ୍ର ସରକାର ନୁହେଁ କେବଳ ରାଜ୍ୟ ସରକାରଙ୍କ ଅର୍ଥରେ ଏହି ପ୍ରକଳ୍ପ ଠିଆ କରିବାକୁ ନବୀନ ଘୋଷଣା କରିଥିଲେ । କିନ୍ତୁ ନୂଆ ସରକାର ଆସିବା ପରେ କଳା ତାଲିକାଭୁକ୍ତ ଠିକା କମ୍ପାନୀ ରଞ୍ଜିତ ବିଲ୍ଡକନ କୁ ଟେଣ୍ଡର ଦେଇଦେଲେ । ବିଭିନ୍ନ ରାଜ୍ୟରେ କମ୍ପାନୀ ନାଁରେ ମାଳମାଳ ମାମଲା ଥିବା ବେଳେ ରାଜ୍ୟ ବିଜେପି ସରକାର କିଭଳି ଜାଣିପାରିଲେନାହିଁ ସେ ନେଇ ପ୍ରଶ୍ନ କରିଛି ଦଳ । ପ୍ରତିବାଦରେ ପ୍ରକଳ୍ପ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।
ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ଏୟାରପୋର୍ଟରୁ ରାଜମହଲ, ମାଷ୍ଟରକ୍ୟାଣ୍ଟିନ୍, ରାମମନ୍ଦିର, ରୂପାଲି ଛକ ଦେଇ ଚନ୍ଦ୍ରଶେଖରପୁର ରାସ୍ତାରେ କାମ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ କମ୍ପାନୀ ପକ୍ଷରୁ ବ୍ୟାରିକେଟିଂ କରି ମାଟିଖୋଳା ଚାଲିଛି । କିନ୍ତୁ ଏହି କମ୍ପାନୀ ମେଟ୍ରୋ କାମ କରିବା ପାଇଁ କେତେ ଦକ୍ଷ ସେନେଇ ପ୍ରଶ୍ନ କରିଛି କଂଗ୍ରେସ । ରଞ୍ଜିତ ବିଲ୍ଡକନ୍ ବିଜେପିକୁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଇଲେକ୍ଟ୍ରୋରାଲ ବଣ୍ଡ ଦେଇଛି । ସେଥିପାଇଁ ବିଜେପି ନେତାଙ୍କ ପ୍ରରୋଚନାରେ ରାଜ୍ୟ ସରକାର କଳାତାଲିକା ଭୁକ୍ତ କମ୍ପାନୀକୁ କାମ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି ।

