ନନ୍ଦିଘୋଷ ବ୍ୟୁରୋ : ବିଶିଷ୍ଟ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ଜାମିନ ଆବେଦନର ଶୁଣାଣି ଆଜି କରିବେ ସୁପ୍ରିମକୋର୍ଟ। ଜାତୀୟ ନିରାପତ୍ତା ଆଇନ ବଳରେ ଅଟକ ଥିବା ସୋନମଙ୍କ ମୁକ୍ତି ହେବ ନା ସେ ପୁଣି ଜେଲରେ ରହିବେ ତାହାକୁ ନେଇ ସସପେନ୍ସ। ଜଷ୍ଟିସ ଅରବିନ୍ଦ କୁମାରଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର କରିବେ ଶୁଣାଣି। ସୋନମଙ୍କ ଜାମିନ ଲାଗି ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ କରିଥିଲେ ଆବେଦନ। ସୋନମଙ୍କ ଲାଗି ଲଢୁଛି ବରିଷ୍ଠ ଆଇନଜୀବୀ କପିଳ ସିବଲ। ମୌଳିକ ଅଧିକାରର ଉଲ୍ଲଂଘନ କରି ସୋନମଙ୍କୁ ବନ୍ଦୀ କରାଯାଇଥିବା ଅଭିଯୋଗ ହୋଇଛି। ଗତ ଅକ୍ଟୋବର ୨୯ରେ ଏହି ମାମଲାରେ କେନ୍ଦ୍ର ଓ ଲଦାଖ ପ୍ରଶାସନ ଠାରୁ ଉତ୍ତର ଚାହିଁଥିଲେ ସୁପ୍ରିମକୋର୍ଟ। ଲଦାଖକୁ ରାଜ୍ୟ ମାନ୍ଯତା ତଥା ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ଲଦାଖକୁ ସାମିଲ କରିବା ଦାବି ନେଇ ଗତ ବର୍ଷ ସେପ୍ଟେମ୍ବରରେ ହୋଇଥିଲା ଆନ୍ଦୋଳନ। ଏଥିରେ ୪ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାରେ ଗତବର୍ଷ ସେପ୍ଟେମ୍ବର ୨୬ରେ ସୋନମଙ୍କୁ କରାଯାଇଥିଲା ଗିରଫ।
ପାଖେଇ ଆସୁଛି ତାମିଲନାଡୁ ବିଧାନସଭା ନିର୍ବାଚନ ; ଡିଏମକେ ମେଣ୍ଟକୁ ନେଇ ପ୍ରକାଶ ପାଇଛି ସସପେନ୍ସ
ନନ୍ଦିଘୋଷ ବ୍ୟୁରୋ : ତାମିଲନାଡୁ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଡିଏମକେ ମେଣ୍ଟକୁ ନେଇ ପ୍ରକାଶ ପାଇଛି ସସପେନ୍ସ l ଆସନ ବଣ୍ଟନକୁ ନେଇ ଡିଏମକେ ଓ କଂଗ୍ରେସ ମଧ୍ୟରେ ମତପାର୍ଥକ୍ୟ l ନିର୍ବାଚନ ଲାଗି କଂଗ୍ରେସ ୪୦ ଆସନ ଦାବି କରୁଥିବାବେଳେ ଏତେ ସଂଖ୍ୟକ ଆସନ ଦେବା ଲାଗି ଅରାଜି ଡିଏମକେ l ତେବେ କଂଗ୍ରେସକୁ ୩୨ ଆସନ ଦେବା ଲାଗି ଡିଏମକେ ପ୍ରସ୍ତାବ ଦେବା ପରେ ଅସୁଖୀ ରହିଛି କଂଗ୍ରେସ l ସେପଟେ ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବିଜୟଙ୍କ ଟିଭିକେ ସହ ମେଣ୍ଟ କରିବାକୁ ତାମିଲନାଡୁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି l କଂଗ୍ରେସ ସାଂସଦ ମାଣିକରାମ ଟାଗୋର କହିଛନ୍ତି କଂଗ୍ରେସ କେବଳ ମେଣ୍ଟ ଚାହେଁ ନାହିଁ l ଯଦି ମେଣ୍ଟ ସରକାରକୁ ଆସେ ତେବେ ସରକାରରେ ଅଂଶଗ୍ରହଣ କରିବାକୁ ଚାହୁଁଛି l ତେଣେ ଟିଭିକେ ପକ୍ଷରୁ କୁହାଯାଇଛି କଂଗ୍ରେସ ହେଉଛି ଟିଭିକେର ପ୍ରାକୃତିକ ସହଭାଗୀ ଦଳ l ଟିଭିକେ ମୁଖପାତ୍ର ଫେଲିକ୍ସ ଗେରାଲଡ କହିଛନ୍ତି- ବିଜୟ ଓ ରାହୁଲ ହେଉଛନ୍ତି ବନ୍ଧୁ ଏବଂ କଂଗ୍ରେସ ସହ ମେଣ୍ଟ ସମ୍ଭାବନା ବହୁ ଅଧିକ ରହିଛି l ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାରୀ ଦଳର ସଂଖ୍ୟା ରହିଛି ୧୫୮ l ଡିଏମକେର ୧୩୩, କଂଗ୍ରେସର ୧୭, ଭିସିକେର ୪, ସିପିଏମର ୨ ଓ ସିପିଆଇର ୨ ବିଧାୟକ ଅଛନ୍ତି l ସେପଟେ ଏନଡିଏର ସଦସ୍ୟ ସଂଖ୍ୟା ରହିଛି ୬୪ l ସେଥିରେ AIADMKର ୬୦ ସଦସ୍ୟ ଥିବାବେଳେ ବିଜେପିର ଅଛନ୍ତି ମାତ୍ର ୪ଜଣ l
ଆସନ୍ତା ଫେବ୍ରୁଆରୀ ୧ ରବିବାର ଆଗତ ହେବ କେନ୍ଦ୍ର ବଜେଟ ; ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଫେବ୍ରୁଆରୀ ୧ ରବିବାର ଆଗତ ହେବ କେନ୍ଦ୍ର ବଜେଟ। ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆସନ୍ତା ଜାନୁଆରୀ ୨୮ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ଏନେଇ ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୨୮ରେ ଅଭିଭାଷଣ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାନୁଆରୀ ୨୯ରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ୨୮ ଜାନୁଆରୀରୁ ୧୩ ଫେବ୍ରୁଆରୀ ଯାଏ ସଂସଦର ପ୍ରଥମ ପର୍ଯ୍ଯାୟ ଅଧିବେଶନ ବସିବ। ସେହିପରି ୯ ମାର୍ଚ୍ଚରୁ ୨ ଏପ୍ରିଲ ଯାଏ ସଂସଦର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବସିବ। ଏହି ଅଧିବେଶନ କାଳରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହେବା ସମ୍ଭାବନା ରହିଛି। ଇତିହାସରେ ଦ୍ବିତୀୟ ଥର ଲାଗି ଏଥର ରବିବାର କେନ୍ଦ୍ର ବଜେଟ ଆଗତ ହେବ। ୧୯୯୯ ଫେବ୍ରୁଆରୀ ୨୮ରେ ପ୍ରଥମ ଥର ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ବଜେଟ ଆଗତ କରିଥିଲେ ଯାହା ଥିଲା ରବିବାର।
MGNREGA ପ୍ରସଙ୍ଗ : ଆଜିଠାରୁ ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ
ନନ୍ଦିଘୋଷ ବ୍ୟୁରୋ : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ବା MGNREGA ପ୍ରସଙ୍ଗରେ ଆଜିଠାରୁ ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ। ଦଳ ପକ୍ଷରୁ ପାଳନ କରାଯିବ MGNREGA ବଚାଓ ଆନ୍ଦୋଳନ। MGNREGA ବଦଳରେ ବିକଶିତ ଭାରତ ଗ୍ରାମୀଣ ଜୀବିକା ମିଶନ ବା VB–G RAM G କେନ୍ଦ୍ର ସରକାର ପ୍ରବର୍ତ୍ତନ କରିଥିବାରୁ ଦେଶବାସୀଙ୍କ ନିକଟକୁ ଯିବ କଂଗ୍ରେସ। କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ଏନେଇ ନିଆଯାଇଥିଲା ନିଷ୍ପତ୍ତି। MGNREGA ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ- କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥା ଉପରେ ହମଲା କରିବା ସହ କର୍ପୋରେଟ ଜଗତର ସ୍ବାର୍ଥ ଲାଗି ସରକାର କାମ କରୁଛନ୍ତି। ଗତ ଶୀତକାଳୀନ ଅଧିବେଶନ କାଳରେ MGNREGAକୁ ହଟାଇ କେନ୍ଦ୍ର ସରକାର ଆଣିଥିଲେ VB–G RAM G। ଏହାକୁ ନେଇ ଏବେ ବି ବିଭିନ୍ନ ରାଜ୍ୟରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି। ନୂଆ ବ୍ୟବସ୍ଥାରେ ବାର୍ଷିକ ୧୨୫ ଦିନର କାମ ସୁଯୋଗ ଥିଲେ ବି ଏହି ଆଇନ ଜରିଆରେ ବାପୁଙ୍କ ନାମକୁ ହଟାଇବା ଲାଗି ଷଡ଼ଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ।
ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା। ଚୋରି ଅଭିଯୋଗ ଆଣି କଲେ ସଂଘବଦ୍ଧ ଆକ୍ରମଣ। ଭିଡ଼ର ଭୟ ଦେଖି ଯୁବକ ଜଣକ ପୋଖରୀ ଭିତରେ ପଶିଯାଇଥିଲେ। ପୋଖରୀ ଭିତରେ ଯୁବକ ବୁଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଂଲାଦେଶ ନାଓଗାଓଁ ଜିଲ୍ଲାରେ ଘଟିଛି ଏ ଭୟାନକ ଘଟଣା। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ବୃଦ୍ଧି ପାଇବା ସହିତ ଭିଡ଼ରୁ ରକ୍ଷା ପାଇବା ପାଇଁ ପାଣିରେ ଡେଇଁ ଜଣେ ହିନ୍ଦୁ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ମହାଦେବପୁର ଗାଁର ୨୫ ବର୍ଷୀୟ ମିଥୁନ ସରକାର ବୋଲି ଜଣାପଡିଛି। ଚୋରି ଅଭିଯୋଗ କରି କିଛି ଲୋକ ତାଙ୍କୁ ପିଛା କରିଥିଲେ। ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଚେଷ୍ଟା କରି ସେ ନିକଟସ୍ଥ ଏକ ପୋଖରୀରୁ ଡେଇଁ ପଡ଼ିଥିଲେ। ପୋଲିସ ଓ ଅଗ୍ନିଶମବାହିନୀର ଆସି ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲା। ପୋଷ୍ଟମର୍ଟମ କରି ତନାଘନା ଚାଲିଛି ବୋଲି କହିଛି ବାଂଲାଦେଶ ପୋଲିସ। ତେବେ ଚୋରି ଅଭିଯୋଗକୁ ନିଶ୍ଚିତ କରିନାହିଁ ପୋଲିସ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଲଗାତାର ବୃଦ୍ଧି ପାଇଛି। ୩୫ ଦିନ ମଧ୍ୟରେ ମୋଟ ୧୨ ଜଣ ହିନ୍ଦୁଙ୍କୁ ହତ୍ୟା କଲେଣି ସଂଖ୍ୟାବହୁଳ ଗୋଷ୍ଠୀ। ଗତ ମଙ୍ଗଳବାର ରାତିରେ ୪୦ ବର୍ଷୀୟ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା।
ଚାକିର ସ୍ଥାୟୀ କରାଇବାକୁ କହି ଠକେଇ ଲକ୍ଷାଧିକ ଟଙ୍କା ଠକେଇ
ଭୁବନେଶ୍ବର : ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ସ୍ଥାୟୀ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ। ୭ ଲକ୍ଷ ଟଙ୍କା ଠକେଇ ନେଇ ଥାନାରେ ହୋଇଛି ଅଭିଯୋଗ। ଏ ନେଇ ଭୁବନେଶ୍ଵର ମୈତ୍ରୀବିହାର ଥାନାରେ ଲିଖିତ ଅଭିଯୋଗ କଲେ ଯୁବକ। ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ଯୁବକ। ଚାକିରି ସ୍ଥାୟୀ କରିବାକୁ ୭ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ପରେ ପୋଲିସର ତନାଘନା ଆରମ୍ଭ କରିଛି। ଅନଲାଇନରେ ଟଙ୍କା ଠକେଇ ହୋଇଥିବା ନେଇ ପୋଲିସ ପାଇଛି ପ୍ରମାଣ। ଏନେଇ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ପରେବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଓଲଟା ଏତଲା ଦେଲେ ଚାକିରୀରୁ ବାହାର କରିଦେବା ନେଇ ମିଳୁଛି ଧମକ। ନ୍ୟାୟ ନପାଇଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ଏତଲାକାରୀ।
ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛନ୍ତି ଯୁବକ, ଭିଡିଓ ହେଉଛି ଭାଇରାଲ…
ମୋତେ ଧୋକା ଦେଲୁ, ଏଥର ଦାନା ନେ। ଗାଡ଼ି ଭିତରେ ବନ୍ଧୁକ ଦେଖାଇ ଏମିତି ଧମକ। ରାଜଧାନୀ ଭୁବନେଶ୍ବରରେ ତ୍ରିକୋଣୀୟ ପ୍ରେମକୁ ନେଇ ଘଟିଛି ଏପରି ଘଟଣା। ନନ୍ଦିଘୋଷ ଟିଭି ହାତରେ ଲାଗିଛି ସେହି Exclusive ଭିଜୁଆଲ । ଏହି ଭିଜୁଆଲରେ ଜଣେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛନ୍ତି ଜଣେ ଯୁବକ। ତ୍ରିକୋଣୀୟ ପ୍ରେମକୁ ନେଇ ସେ ବନ୍ଧୁକ ଦେଖାଇ ଧମକ ଦେଉଛନ୍ତି। ସାଙ୍ଗରେ ନ ରହିଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଅନ୍ୟ ଯୁବକ ସହ ବୁଲିଲେ ୨୪ ଘଣ୍ଟାରେ ମାରିଦେବାକୁ ଧମକ ଦେଉଛନ୍ତି । ଯୁବତୀ ଜଣକ ପେସାରେ ଜଣେ ବାର୍ ଡ୍ୟାନ୍ସର ବୋଲି ଜଣାପଡିଛି । କିନ୍ତୁ ପ୍ରଶ୍ନ ଉଠୁଛି ଖୁଲମଖୁଲା ବନ୍ଧୁକ ଆସୁଛି କେଉଁଠୁ ? ବନ୍ଧୁକର ଲାଇସେନ୍ସ ତାଙ୍କ ପାଖରେ ଅଛି କି ? ଭାଇରାଲ ଭିଡିଓକୁ ନେଇ ପୋଲିସ ତନାଘନା କରୁଥିବା ଜଣାପଡ଼ିଛି।
ଚାନ୍ଦବାଲି ଅଂଚଳରେ ମଇଁଷି ମଡ଼କ, ୧୫ଦିନରେ ୧୦୭ ମଇଁଷି ମୃତ
ଆରଡି : ଭଦ୍ରକ ଚାନ୍ଦବାଲି ଅଂଚଳରେ ମଇଁଷି ମଡ଼କ। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତ ଦୋହରାପାଟଣା ଓ ଖଟୁଆପାଟଣା ଗାଁରେ ୧୫ଦିନରେ ୧୦୭ ମଇଁଷିଙ୍କର ମୃତ୍ୟୁ ହୋଇଛି। ଅଜଣା ରୋଗରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମଇଁଷି ମୃତ୍ୟୁକୁ ନେଇ ଗୋପାଳକ ଚିନ୍ତାରେ ରହିଛନ୍ତି। ମଇଁଷି ହରାଇଥିବା ଚାଷୀମାନେ ଦୁଃଖରେ ଦିନ କାଟୁଛନ୍ତି। ସମସ୍ୟା ବାବଦରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମଇଁଷିକୁ ନେଇ ଜୀବିକା ନିର୍ବାହ କରୁଥିବା ଚାଷୀମାନଙ୍କ ପାଇଁ ଏହି ମଡକ ଚିନ୍ତାର ବିଷୟ ପାଲିଟିଛି। ଦୋହରାପାଟଣାରେ ୨୭ଟି ମଇଁଷିଙ୍କର ପ୍ରାଣ ଯାଇଥିବା ବେଳେ ଖଟୁଆପାଟଣା ଗାଁରେ ୮୦ରୁ ଅଧିକ ମଇଁଷିଙ୍କ ମୃତ୍ୟୁ ହୋଇଛି। ନଦୀପଠା, ନଈଜୋର, ଧାନକ୍ଷେତ ଆଦି ସ୍ଥାନରେ କୁଢକୁଢ ହୋଇ ପଡିରହିଛି। ମଇଁଷି ଚାଷୀ ଦୁଃଖରେ ଭାଙ୍ଗି ପଡିଛନ୍ତି।ପରିବାର ପ୍ରତିପୋଷଣ କିପରି କରିବେ ଏହାକୁ ନେଇ ସରକାରୀ ସହାୟତା ଦାବି କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସିନଥିବାଵେଳେ ପଶୁ ବିଭାଗର ଡାକ୍ତରୀ ଟିମ ମଧ୍ୟ ଗାରେ ପହଂଚି ନାହାନ୍ତି।। ମଇଁଷିଙ୍କ ମୃତ୍ୟୁର କାରଣ ଖୋଜିବା, ଚିକିତ୍ସା ସୁବିଧା ଦେବା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟବାସୀ ଦାବି କରିଛନ୍ତି।
ଉଜବେକିସ୍ତାନରେ ଫସିଛନ୍ତି ଦିଗପହଣ୍ଡି ଅଞ୍ଚଳର ଓଡି଼ଆ ଶ୍ରମିକ
ଦିଗପହଣ୍ଡି : ଉଜବେକିସ୍ତାନରେ ଫସିଛନ୍ତି ଗଂଜାମ ଦିଗପହଣ୍ଡି ଅଞ୍ଚଳର ଓଡି଼ଆ ଶ୍ରମିକ। ଅକ୍ଟୋବର ମାସରୁ ଦରମା ମିଳିନି। ଏପରିକି କମ୍ପାନି ଖାଇବା ପିଇବା ମଧ୍ୟ ଦେଉ ନାହିଁ। ବହୁତ ହଇରାଣରେ ସେମାନେ ଅଛନ୍ତି ବୋଲି ଭିଡିଓରେ ଦର୍ଶାଇଛନ୍ତି । ଏହା ସହିତ ଉଦ୍ଧାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଉଜବେକିସ୍ତାନର ଆଙ୍ଗିୟୁଲରେ ୧୫ ଶହରୁ ଭାରତୀୟ କାମ କରୁଛନ୍ତି। କମ୍ପାନି କିନ୍ତୁ ଦରମା ଦେଉନାହିଁ। ତେଣୁ ସେମାନେ ଧାରଣା ଦେଇଛନ୍ତି। ଅଭିଯୋଗ କଲେ ଭାରତୀୟ ଦୂତାବାସ ମଧ୍ୟ ଶୁଣୁ ନଥିବା ସେମାନେ କହିଛନ୍ତି।
୧୩ ବର୍ଷ ପରେ ମାଆଙ୍କୁ ଦେଖି ଭାଙ୍ଗି ପଡ଼ିଲା ପୁଅ…
ନନ୍ଦିଘୋଷ ବ୍ୟୁରୋ ; ବିହାରର ଆରାରିଆ ଜିଲ୍ଲାରୁ ମାନବ ଚାଲାଣର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୫୫ ବର୍ଷୀୟ ମହିଳା ୧୩ ବର୍ଷ ପରେ ତାଙ୍କ ପୁଅ ସହିତ ମିଶିଲେ। ଏହି ପୁନର୍ମିଳନରେ ଯନ୍ତ୍ରଣା, ସଂଘର୍ଷ ଏବଂ ନ୍ୟାୟ ପାଇଁ ଏକ ଲମ୍ବା ଲଢ଼େଇର ସାକ୍ଷୀ ଥିଲା। ପୀଡିତା ଜରିନା ଖାତୁନ୍ କରିଛନ୍ତି ଯେ ତାଙ୍କ ପୁଅ ଜାମସେଦ ଓରଫ ମୁନ୍ନା ୨୦୧୨ ମସିହାରେ ଏକ ମାନବ ଚାଲାଣ ରାକେଟର ଶିକାର ହୋଇଥିଲା।
ଜରିନା ଖାତୁନ୍ କାନ୍ଦି କାନ୍ଦି କହିଲେ, “ଗାଁର କିଛି ଲୋକ ମୋ ୧୨ବର୍ଷର ପୁଅକୁ ଉତ୍ତର ପ୍ରଦେଶର ଭାଦୋହିକୁ ନେଇ ଯାଇଥିଲେ। ସେମାନେ କହିଥିଲେ ଯେ ସେମାନେ ତାକୁ ସେଠାରେ ଏକ ମଦ୍ରାସାରେ ନାମ ଲେଖାଇବେ। ସେତେବେଳେ ମୋ ସ୍ୱାମୀ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଥିଲେ । ମୁଁ ସମଗ୍ର ଘରର ଦାୟିତ୍ୱ ନେଇଥିଲି। ଆମର ଅସହାୟତାର ସୁଯୋଗ ନେଇ ସେମାନେ ମୋ ପୁଅକୁ ନେଇଗଲେ।”
ଜରିନା କହିଛନ୍ତି ଯେ ତାଙ୍କ ପୁଅକୁ ନେଇଯିବାର କିଛି ସମୟ ପରେ, ସେ ଅନୁଭବ କଲେ ଯେ ତାଙ୍କୁ ପ୍ରତାରଣା କରାଯାଇଛି। ପରେ ସେ ମହମ୍ମଦ ଜାଭେଦ, ମୁର୍ଶିଦ ଏବଂ ଦୁଃଖଖାନଙ୍କ ବିରୁଦ୍ଧରେ ମାନବ ଚାଲାଣ ଅଭିଯୋଗରେ ଏକ ଏଫଆଇଆର ଦାୟର କରିଥିଲେ। ତଥାପି, ଏଫଆଇଆର ତାଙ୍କ ସଂଘର୍ଷକୁ ଆହୁରି ତୀବ୍ର କରିଥିଲା।
ଅଭିଯୋଗ ଅନୁଯାୟୀ, ଏଫଆଇଆର ଦାୟର କରିବା ପରେ, ଜରିନାଙ୍କ ପରିବାରକୁ ବାଉନସି ପୋଲିସ ଷ୍ଟେସନ ଅଧୀନରେ ଥିବା କେରଳ ଗ୍ରାମରୁ ବାହାର କରିଦିଆଯାଇଥିଲା। ସେମାନଙ୍କ ଘର ଭାଙ୍ଗି ଦିଆଯାଇଥିଲା । ଯାହା ଫଳରେ ସେମାନେ ଆରାରିଆ ସହରରେ ରାସ୍ତା କଡ଼ରେ ରହିବାକୁ ବାଧ୍ୟ ହୋଇଥିଲେ। ଏହା ସତ୍ତ୍ୱେ, ସେମାନେ ନ୍ୟାୟ ପାଇଁ ଆଶା ଛାଡି ନଥିଲେ।
ଜରିନା କହିଛନ୍ତି ଯେ ସମସ୍ତ ଅସୁବିଧା ସତ୍ତ୍ୱେ, ସେ ପୋଲିସ ଏବଂ ନ୍ୟାୟପାଳିକା ଉପରେ ତାଙ୍କର ବିଶ୍ୱାସ ବଜାୟ ରଖିଛନ୍ତି। ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଜାଭେଦଙ୍କୁ ଗିରଫ କରାଯାଇଥିଲା। ତିନି ମାସ ପୂର୍ବେ, ଆରାରିଆର ADJ-IV କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ଏବଂ ମୁନ୍ନାଙ୍କ ନିରାପଦ ମୁକ୍ତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଜରିନା ଖାତୁନ୍ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅକୁ ପ୍ରାୟ ୧୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା। ମୁନ୍ନାକୁ ଆଣ୍ଡାମାନ ଦ୍ୱୀପପୁଞ୍ଜର ଭାଦୋହି ଏବଂ ମିଆଁମାରକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ସହିତ ଅମାନବୀୟ ବ୍ୟବହାର କରାଯାଇଥିଲା। ଡିସେମ୍ବର ୨୬ ତାରିଖରେ ତାଙ୍କୁ ଆରାରିଆ ରେଳ ଷ୍ଟେସନରେ ଛାଡ଼ି ଦିଆଯାଇଥିଲା, କିନ୍ତୁ ଯେତେବେଳେ ସେ ତାଙ୍କ ଗାଁକୁ ଫେରିଲେ, ସେ ତାଙ୍କ ଘରେ କେହି ନଥିଲେ ।
ଏହା ପରେ, ସ୍ଥାନୀୟ ପୋଲିସ ଏବଂ ଶିଶୁ କଲ୍ୟାଣ କମିଟି ସୋମବାର ଦିନ ମୁନ୍ନାକୁ ତାଙ୍କ ମାଆଙ୍କ ସହ ପୁନଃମିଳନ କରାଇଥିଲେ। ୨୦୧୨ ମସିହାରେ ୧୨ ବର୍ଷ ବୟସର ମୁନ୍ନା ଏବେ ୨୫ ବର୍ଷ ବୟସର। ପରିବାର ଏବେ ଆଶା କରୁଛି ଯେ ସେମାନେ ଏକ ନୂତନ ଜୀବନ ଆରମ୍ଭ କରିପାରିବେ।
ମୁନ୍ନା କହିଛନ୍ତି ଯେ ତାଙ୍କୁ ପ୍ରଥମେ ଭାଦୋହି, ତା’ପରେ ଆଣ୍ଡାମାନ ଦ୍ୱୀପପୁଞ୍ଜ ଏବଂ ପରେ ମିଆଁମାରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଅନେକ ଲୋକଙ୍କ ସହିତ ଦିନରାତି କାମ କରିବାକୁ ବାଧ୍ୟ କରାଯାଇଥିଲା। ତାଙ୍କୁ ପ୍ରାୟତଃ ଖାଦ୍ୟ ମନା କରାଯାଉଥିଲା। ତାଙ୍କୁ ଔଷଧ ଇଞ୍ଜେକ୍ସନ ଦିଆଯାଉଥିଲା ଏବଂ ବିଶ୍ରାମ ନେଉଥିବା ସମୟରେ ଧରାପଡ଼ିଲେ ନିଷ୍ଠୁର ଭାବରେ ମାଡ଼ ଦିଆଯାଉଥିଲା। ସେ ଖସିଯିବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ପ୍ରବଳ ମାଡ଼ ଦିଆଯାଇଥିଲା। େପରେ ତାଙ୍କୁ ନାଗାଲାଣ୍ଡରେ ଛାଡି ଦିଆଯାଇଥିଲା। ସେଠାରୁ ସେ ଟ୍ରକ୍ ଏବଂ ଟ୍ୟାଙ୍କରରେ ଯାତ୍ରା କରିଥିଲେ, ଶେଷରେ ଆରାରିଆ ରେଳ ଷ୍ଟେସନରେ ଓହ୍ଲାଇଥିଲେ। ସେଠାରୁ ସେ ଏକ ଅଟୋ-ରିକ୍ସା ନେଇ ତାଙ୍କ ଗାଁକୁ ଯାଇଥିଲେ।
ଆରାରିଆ ଏସଡିପିଓ ସୁଶୀଲ କୁମାର କହିଛନ୍ତି ଯେ ପୀଡିତାଙ୍କୁ କୋର୍ଟରେ ହାଜର କରାଯିବ। ମାନବ ଚାଲାଣ ନେଟୱାର୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ସଂଗ୍ରହ କରିବା ପାଇଁ ତାଙ୍କୁ ପଚରାଉଚରା କରାଯିବ। ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯିବ। ଏହି ମାମଲା କେବଳ ମାନବ ଚାଲାଣର ଭୟଙ୍କର ସତ୍ୟକୁ ପ୍ରକାଶ କରେ ନାହିଁ, ବରଂ ଏହା ମଧ୍ୟ ଦର୍ଶାଏ ଯେ ଜଣେ ମାଆଙ୍କ ସଂଘର୍ଷ ଏବଂ ନ୍ୟାୟ ପ୍ରତି ବିଶ୍ୱାସ ଶେଷରେ ଫଳପ୍ରଦ ହୋଇଥିଲା।

