spot_img
Home Blog Page 1405

ବିଷାକ୍ତ ସାପ କାମୁଡାରେ ଚାଲିଗଲା ମାଆ, ଝୁରୁଛନ୍ତି ପିଲା

ନନ୍ଦିଘୋଷ ବ୍ୟୁରୋ: ଜନ୍ମକଲା ମାଆର ମୃତୁ ପରେ ଝୁରୁଛନ୍ତି ପିଲା। ବିଷାକ୍ତ ସାପ କାମୁଡାରେ ସାନଖେମୁଣ୍ଡି ପାଟପୁର ତିତିଖଣ୍ଡି ଗାଁର ଗୀତାଞ୍ଜଳିଙ୍କର ମୃତ୍ଯୁ ହୋଇଛି। ଗୀତାଞ୍ଜଳିଙ୍କର ୩ ବର୍ଷର କନ୍ୟା ସନ୍ତାନ ଏବଂ ୭ ମାସର ପୁତ୍ର ସନ୍ତାନ ଅଛନ୍ତି। ମାଆଙ୍କୁ ଝୁରି ଝୁରି ଦୁଇ ପିଲାଙ୍କ ଆଖିରୁ ଲୁହ ଶୁଖୁନି। ମାଆ ଛେଉଁଣ୍ଡ ପିଲାଙ୍କର କେମିତି ଲାଳନ ପାଳନ ହେବ ସେହି ଚିନ୍ତାରେ ପରିବାର।

ବିଷାକ୍ତ ସାପ କାମୁଡାରେ ଚାଲିଗଲା ମାଆ। ଝୁରୁଛନ୍ତି ପିଲା। ୧୩ ତାରିଖ ଦିନ ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ସାହାସପୁର ତିତିଖଣ୍ଡି ଗାଁର ଏମ. ଗୀତାଞ୍ଜଳିଙ୍କର ସାପ କାମୁଡାରେ ମୃତ୍ଯୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଗୀତାଞ୍ଜଳିଙ୍କର ୩ ବର୍ଷର କନ୍ୟା ସନ୍ତାନ ଏବଂ ୭ ମାସର ପୁତ୍ର ସନ୍ତାନ ଅଛନ୍ତି। ମାଆଙ୍କୁ ଝୁରି ଝୁରି ଦୁଇ ପିଲାଙ୍କ ଆଖିରୁ ଲୁହ ଶୁଖୁନି। ମାଆ ଛେଉଁଣ୍ଡ ପିଲାଙ୍କର କେମିତି ଲାଳନ ପାଳନ ହେବ ସେହି ଚିନ୍ତାରେ ପରିବାର।

ଗୀତାଞ୍ଜଳିଙ୍କ ପରିବାର ଆର୍ଥିକ ସ୍ଥରରେ ସ୍ୱଚ୍ଛଳ ନୁହନ୍ତି। ଚାଳ ଏବଂ ମାଟି କାନ୍ଥ ଘରେ ରୁହନ୍ତି ପରିବାର। ଏହି ସମୟରେ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ। ପଡୋଶୀଙ୍କ ସହାୟତାରେ ଗୀତାଞ୍ଜଳିଙ୍କର ଅନ୍ତିମ ସଂସ୍କାର କରିଥିଲେ ପରିବାର।

ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ୍

ନନ୍ଦିଘୋଷ ବ୍ୟୁରୋ: ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ । ସେ ବାଲିଘାଟ ହେଉ କି ପଥର କୁଆଁରୀ ବିନା ଲିଜ୍ ରେ ଲୁଟ ହେଉଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲା ଖଣି ଅଧିକାରୀ  ଅଫିସ ଆସୁନାହାଁନ୍ତି । ଆଉ ମାସକରେ ଥରେ ଅଧେ ଆସି ନିଜ ଦାୟୀତ୍ବ ସାରିଦେଉଛନ୍ତି । ଅନ୍ୟପଟେ ସରକାର ପ୍ରତି ମାସରେ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି ।

ଦେବଗଡ଼ ଜିଲ୍ଲାର ଲଘୁ ଖଣିଜ ସମ୍ପଦ ତହସିଲ ବିଭାଗରୁ ଖଣି ବିଭାଗକୁ ସ୍ଥାନାନ୍ତର ପରଠାରୁ ଜିଲ୍ଲାରେ ଖୁଲମଖୁଲା ଲୁଟ ଚାଲିଛି ।  ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଉଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଛି ଜିଲ୍ଲା ଖଣି ବିଭାଗ । ଦେଖନ୍ତୁ ଏହି ଦୃଶ୍ୟକୁ,ବିନା ଲିଜ୍ ପରିମିଟରେ ଟ୍ରକ୍ ଟ୍ରକ୍ ବାଲି ଲୁଟ୍ ଚାଲିଛି । ସେପଟେ ପଥର କୁଆଁରି ଖନନ ଲିଜ୍ ସରିଯିବା ପରେ ମଧ୍ୟ ପାହାଡ କାଟି ପଥର ଲୁଟ୍ ଚାଲିଛି । ହେଲେ ସବୁଜାଣି ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଖଣି ଅଧିକାରୀ ଚୁପ୍ ବସିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ହେଲା, ଖଣି ଅଧିକାରୀଙ୍କ ବିନା ଜାଣତରେ ଏତେ ବଡ ଲୁଟ୍ ସମ୍ଭବ ନୁହେଁ ।

ଜିଲ୍ଲାର ୯ଟି ବାଲିଘାଟ ମଧ୍ୟରୁ  ୬ଟି ବାଲିଘାଟର ଟେଣ୍ଡର ସରିଥିଲେ ମଧ୍ୟ 5 ଟି ବାଲିଘାଟର ନିଲାମ ଅର୍ଥ ସରକାରଙ୍କ ରାଜକୋଷ ରେ ଜମା କରାଯାଇ ନାହିଁ l ମାତ୍ର ସମସ୍ତ ବାଲି ଘାଟରୁ ପ୍ରତିଦିନ ଶହଶହ ଟ୍ରିପ ବାଲି ହାଇୱା ଯୋଗେ ପଡୋଶୀ ଜିଲ୍ଲାକୁ ଚାଲାଣ କରାଯାଉଛି l ଏଥି ପାଇଁ କିଛି ବାଲି ମାଫିଆ ଜିଲ୍ଲା ଖଣି ଅଧିକାରୀ ଚିତ୍ତରଞ୍ଜନ ସାହୁଙ୍କୁ ସନ୍ତୁଷ୍ଟ କରିବା ପାଇଁ  ବାଲି ମାଫିଆ ସମସ୍ତ ପ୍ରକାର ବ୍ୟବସ୍ଥା କରୁଥିବା କୁହାଯାଇଛି ।  ଜିଲ୍ଲାରେ ବାଲି ଓ ପଥର ଖାଦାନର ସଂଖ୍ୟା ଓ ତାହାର ସ୍ଥିତି ସମ୍ପର୍କରେ ଜିଲ୍ଲା ଖଣି ଅଧିକାରୀଙ୍କ ମତାମତ ନେବାକୁ ସାମ୍ବାଦିକ ମାନେ ଉଦ୍ୟମ କରିଥିଲେ । ହେଲେ ଦେଖନ୍ତୁ ଏ ଦୃଶ୍ୟକୁ । ସାମ୍ବାଦିକ ମାନଙ୍କୁ ଦେଖି ଜିଲ୍ଲା ଖଣି ଅଧିକାରୀ ପ୍ରଥମେ ଲାଇଟ ବନ୍ଦ କରିଦେଉଛନ୍ତି । ସାମ୍ବାଦିକ ମାନେ ବାରମ୍ବାର ପ୍ରଶ୍ନ କଲେ ମଧ୍ୟ ତାର ଉତ୍ତରେ ଦେଉନାହାଁନ୍ତି । ଓଲଟା ପୋଲିସରେ ମାମଲା କରିବାକୁ ଧମକ ଦେଉଛନ୍ତି । ଅନ୍ୟ ପକ୍ଷରେ ଛୁଟି ଦିବସରେ କାର୍ଯ୍ୟାଳୟ ମଧ୍ୟରେ  କେତେକ ବାଲି ମାଫିଆଙ୍କ ସହ କଥାବାର୍ତ୍ତା ଚଲାଇଥିବା ଏବଂ ଅର୍ଥ କାରବାର କରି  ନିଜ ପକେଟରେ ପୁରାଉଥିବା ଭିଜୁଆଲ କ୍ୟାମେରାରେ ରେକର୍ଡ ହେବା ଜାଣି ଖଣି ଅଧିକାରୀ ଶ୍ରୀ ସାହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇକୁ ପଛାଇନଥିଲେ l

 

 

 

ଡେଟିଂ କରିବାକୁ ଆସି ଫସିଲେ ଯୁବକ: ଗୋଟିଏ ଗ୍ଲାସ୍ କୋଲ୍ ଡ୍ରିଙ୍ଗସ୍ ପାଇଁ ୧୬ ହଜାର ୪ ଶହ ଟଙ୍କା ଦାବି କଲେ ଯୁବତୀ

ନୂଆଦିଲ୍ଲୀ: ଦିଲ୍ଲୀରେ ମାତିଛନ୍ତି ଡେଟିଂ ଗ୍ୟାଙ୍ଗ । ଯୁବକଙ୍କୁ ଫସାଇ ଲୁଟୁଛନ୍ତି ମୋଟା ଅଙ୍କାର ଟଙ୍କା । ନଦେଲେ ଯୁବକ ବନ୍ଧୁଙ୍କ ଜରିଆରେ ଅଟକ ରଖି ଦେଉଛନ୍ତି ଧମକଚମକ । ଏମିତି ଏକ ଡେଟିଂ ଗ୍ୟାଙ୍ଗକୁ କାବୁ କରିଛି ଦିଲ୍ଲୀ ପୋଲିସ । ଲୋକଙ୍କୁ ଡେଟିଂ ପାଇଁ ଡାକି ଲଗାଉଥିଲେ ଚୂନ । ଠକାମୀର ଶିକାର ହୋଇଥିବା ଜଣେ ଯୁବକଙ୍କୁ ଅନ ଦି ସ୍ପଷ୍ଟରେ ପୋଲିସ ଉଦ୍ଧାର କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଡେଟିଂ ପାଇଁ ଆସିଥିବା ଯୁବକଙ୍କୁ ଗୋଟିଏ ଗ୍ଲାସ୍ କୋଲ୍ ଡ୍ରିଙ୍ଗସ୍ ପାଇଁ ୧୬ ହଜାର ୪ ଶହ ଟଙ୍କା ବିଲ୍ ଦେବାକୁ କୁହାଯାଇଥିଲା । ଯୁବକ ଜଣଙ୍କ ଏଥିରେ ଆପତ୍ତି ଉଠାଇବାରୁ ତାଙ୍କୁ ଅଟକ ରଖି ୫୦ ହଜାର ଟଙ୍କା ଦାବି କରିଥିଲେ ଉକ୍ତ ଗ୍ୟାଙ୍ଗର ପୁରୁଷ ସଦସ୍ୟ ।

ପୋଲିସ ସୂଚନା ଅନୁସାରେ,ଗତ ୨୧ ତାରିଖରେ ଜଣେ ଯୁବକଙ୍କୁ ଗାଜିଆବାଦ କୌସମ୍ବିକୁ ଡେଟିଂ ପାଇଁ ନିମନ୍ତ୍ରଣ ଆସିଥିଲା । ଯେଉଁଠି ତାଙ୍କୁ କୋଲ୍ ଡ୍ରିଙ୍କସ୍ ପାଇଁ ତାଙ୍କୁ ୧୬ ହଜାର ୪ ଶହ ଟଙ୍କା ଦେବାକୁ କୁହାଯାଇଥିଲା ।

ଡେଟିଂ ଆପରେ ଯୋଗାଯୋଗ ପରେ ଯୁବକଙ୍କ ପାଖକୁ ଏକ ହ୍ବାଟ୍ସଆପ୍ ମେସେଜରେ କୌସମ୍ବି ମେଟ୍ରୋ ଷ୍ଟେସନକୁ ଆସିବାକୁ କୁହାଯାଇଥିଲା । ଏହାପରେ ଜଣେ ଯୁବତୀଙ୍କ ସହ ଯୁବକ ଜଣଙ୍କ କୌସମ୍ବି ହୋଟେଲର ପ୍ରଥମ ମହଲାରେ ଥିବା ଟାଇଗର କାଫେକୁ ଯାଇଥିଲେ । ତେବେ କାଫେରେ କୌଣସି ସାଇନ ବୋର୍ଡ ନଥିବା ବେଳେ ଅନଲାଇନରେ ମଧ୍ୟ କାଫେ ସମ୍ପର୍କରେ କୌଣସି ସୂଚନା ନଥିଲା । ଯାହାକୁ ନେଇ ଯୁବକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ସେ ତାଙ୍କର ଜଣା ବନ୍ଧୁଙ୍କ ପାଖକୁ କାଫେର ଲାଇଭ୍ ଲୋକେସନ୍ ସେୟାର କରିବା ସହ ତାଙ୍କୁ ମେସେଜ କରିଥିଲେ ।

ଗୋଟିଏ ଗ୍ଲାସ୍ କୋଲ୍ ଡ୍ରିଙ୍କସ୍ ପିଇବା ପରେ ଯୁବକ ଜଣଙ୍କ ସେଠାରୁ ଯିବାକୁ ବାହାରିଥିଲେ । ହେଲେ ଏହା ତାଙ୍କର ଭୁଲ ଥିଲା ଓ ତାଙ୍କ ସନ୍ଦେହ ସତରେ ପରିଣତ ହୋଇଥିଲା । କାରଣ ସମ୍ପୃକ୍ତ ଯୁବତୀଙ୍କ ନିର୍ଦ୍ଦେଶରେ ଗୋଟିଏ ଗ୍ଲାସ୍ କୋଲ୍ ଡ୍ରିଙ୍କସ୍ ପାଇଁ ତାଙ୍କ ହାତରେ ୧୬ ହଜାର ୪ ଶହ ଟଙ୍କା ବିଲ୍ ଧରାଇ ଦିଆଯାଇଥିଲା । ଯୁବକ ଜଣଙ୍କ ଏତେ ଟଙ୍କା ଦେବାକୁ ମନା କରିବାକୁ ତାଙ୍କୁ ଅଟକ ରଖି ୫୦ ହଜାର ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା ।

ଅନ୍ୟପକ୍ଷରେ ଯୁବକଙ୍କ ବନ୍ଧୁ କାଫେ ସମ୍ପର୍କରେ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ । ଏହାସହ ପୋଲିସକୁ ସାଙ୍ଗରେ ଧରି କାଫେରେ ପହଞ୍ଚିବା ସହ ଉକ୍ତ ଡେଟିଂ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସାହାଯ୍ୟ କରିଥିଲେ । ଯେଉଁଥିରେ ୫ ଜଣ ଯୁବତୀ ଓ ୩ ଜଣ ଯୁବକ ସମ୍ପୃକ୍ତ ଥିଲେ ।

ଗ୍ୟାଙ୍ଗର ୪ ଜଣ ଯୁବତୀ ଦିଲ୍ଲୀରେ ଥିବା ବେଳେ ଡେଟିଂ ଆପରେ ସକ୍ରିୟ ଥିଲେ । ସେମାନେ ଯୁବକଙ୍କୁ ଯୋଗାଯୋଗ କରୁଥିଲେ ଏବଂ ଟାଇଗର କାଫେକୁ ଆସିବାକୁ କହୁଥିଲେ । ଯେଉଁଠି ଯୁବକମାନଙ୍କଠାରୁ ଖାଇବା, ପିଇବା ବାବଦକୁ ଜୋରଜବରଦସ୍ତ ଅତ୍ୟଧିକ ବିଲ୍ ଆଦାୟ କରାଯାଉଥିଲା । ଗ୍ୟାଙ୍ଗରେ ଥିବା ଯୁବକମାନେ ସମ୍ପୃକ୍ତ ବ୍ୟକ୍ତି ଟଙ୍କା ନଦେବା ପର୍ଯ୍ୟନ୍ତ ଅଟକ ରଖି ବିଭିନ୍ନ ପ୍ରକାର ଧମକଚମକ ଦେଉଥିଲେ ।

ପୋଲିସ ଘଟଣା ସ୍ଥଳରୁ ଡେଟିଂ ସ୍କାମରେ ଫସିଥିବା ଯୁବକଙ୍କୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରିଛି । ଏହି ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ ଚାଲିଛି, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସିପି ସ୍ବତନ୍ତ୍ର ସିଂ ।

ଜବତ ହେଲା ୮ ଲକ୍ଷ ଟଙ୍କାର ବାଣ

ନନ୍ଦିଘୋଷ ବ୍ୟୁରୋ: ରାଉରକେଲାରୁ ୮ ଲକ୍ଷ ଟଙ୍କାରୁ ଅଧିକ ମୁଲ୍ୟର ଵାଣ ଜଵତ । ସହରର ପ୍ଲାଣ୍ଟ ସାଇଟ ଅଞ୍ଚଳରେ ଵିନା ଲାଇସେନ୍ସରେ ବେଆଇନ ଭାବେ ମହଜୁଦ ବାଣ ରଖାଯାଇଥିବା ଅଭିଯୋଗ ପରେ ପ୍ଲାଣ୍ଟ ସାଇଟ ପୋଲିସ ପକ୍ଷରୁ କରାଯାଇଥିଲା ଚଢାଉ ।  ଜଣେ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଜଵତ ଵାଣକୁ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ରାଉରକେଲା ସହରରେ ଦୀପାବଳୀ ସମୟରେ କେହି ଵିନା ଲାଇସେନ୍ସରେ ଓ ବେଆଇନ ଭାବେ ଵାଣ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଲରେନ୍ସ ବିଷ୍ଣୋଇଙ୍କ ଧମକ ଭିତରେ ସଲମାନଙ୍କ ବଡ଼ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ କୁହାଯାଉଥିବା ବାବା ସିଦ୍ଧିକଙ୍କ ହତ୍ୟା ପରେ ଭାଇଜାନଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଉଛି । ଗାଲାକ୍ସିରେ ଗୁଳି ବିନିମୟ ପରେ ସବୁବେଳେ ସଲମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଉଛି । ତେବେ ଏବେ ସଲମାନଙ୍କ ପରିବାର ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ରହିଛନ୍ତି । ତେବେ ଲରେନ୍ସ ବିଷ୍ଣୋଇର ଧମକ ମଧ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି ସଲମାନ । ସେ ନିଜର ପରବର୍ତ୍ତୀ ଫିଲ୍ମ ଦ-ବାଙ୍ଗ ଦ ଟୁର ରିଲୋର୍ଡର ଏକ ପୋଷ୍ଟର ସେୟାର କରିଛନ୍ତି । ଦୁବାଇରେ ଏହାର ଏକ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି କାର୍ଯ୍ୟକ୍ରମରେ ସଲମାନ ମଧ୍ୟ ଯୋଗ ଦେବାକୁ ଯାଉଛନ୍ତି । ଏଣୁ ଏଥିରୁ ସ୍ପଷ୍ଠଭାବେ ଜଣାପଡ଼ୁଛି କି, ସଲମାନ ବୋଧହୁଏ ଲରେନ୍ସ ବିଷ୍ଣୋଇର ଧମକକୁ ଡରୁ ନାହାନ୍ତି । ଡିସେମ୍ବର ୭ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ସେ ସେୟାର କରିଥିବା ପୋଷ୍ଟରରେ ସୋନାକ୍ଷୀ ସିହ୍ନା, ଦୀଶା ପଟାନୀ, ତମନ୍ନା ଭାଟିଆ, ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ନଜର ଆସିଛନ୍ତି । ସେପଟେ ପ୍ରଭାସ ଏବଂ ସୁନୀଲ ଗୋଭର ମଧ୍ୟ ଏହି ପୋଷ୍ଟରରେ ରହିଛନ୍ତି ।

ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରନ୍ତି ମହମ୍ମଦ ସାମି

ନନ୍ଦିଘୋଷ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତ ଏବେ ୨-୦ରେ ପଛୁଆ ରହିଛି । ଏହି ସିରିଜ ପରେ ଭାରତ ବର୍ଡର ଗାଭାସ୍କର ଟ୍ରଫି ଖେଳିବ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏହି ସିରିଜ ଖେଳିବାକୁ ଯାଉଥିବାବେଳେ ୧୫ ଜଣିଆ ଟିମ ଘୋଷଣା ହୋଇଛି । ସେପଟେ ୩ ଜଣ ରିଜର୍ଭ ଖେଳାଳି ମଧ୍ୟ ରହିଛନ୍ତି । ଆଶା କରାଯାଉଥିଲା କି, ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦଳକୁ ମହମ୍ମଦ ସାମି ଦଳକୁ ଫେରିବେ ମାତ୍ର ପୁଣିଥରେ ପ୍ରଂଶସକମାନେ ନିରାଶ ହୋଇଛନ୍ତି । ଏବେ ଯଦି ସାମି ପୁଣିଥରେ ଫିଟନେସ ଟେଷ୍ଟରେ ପାସ୍ କରନ୍ତି ତାହେଲେ ଦଳକୁ ଫେରିବାର ସମ୍ଭାବନା ରହିଛି । ମାତ୍ର ସାମିଙ୍କ ଆଣ୍ଠୁ ଫୁଟିଥିବା ସୂଚନା ମିଳିଛି । ସେ ଶତପ୍ରତିଶତ ଫିଟ୍ ହୋଇନଥିବାବେଳେ ଦଳକୁ ଫେରିବାର ଆଶା ଏବେ ମଉଳିଛି । ପରବର୍ତ୍ତୀ ସମୟରେ ରଣଜୀ ମ୍ୟାଚ ଖେଳିବାର ଯୋଜନା ରହିଛି । ପଶ୍ଚିମବଙ୍ଗ ପକ୍ଷରୁ ରଣଜୀ ଖେଳୁଥିବା ମହମ୍ମଦ ସାମି ରଣଜି ଦଳକୁ ଖୁବଶୀଘ୍ର ଫେରିବେ ବୋଲି ବୋଲି କୋଚ କହିଛନ୍ତି ।

ସେପଟେ ରୋହିତ କହିଛନ୍ତି କି, ସାମି ଶତପ୍ରତିଶତ ଫିଟ୍ ହେବାପରେ ଦଳରେ ସାମିଲ ହେବେ । ଏବେ ସେ ଆହତ କାରଣରୁ ୧୧ ମାସ ଧରି ଦଳରୁ ବାହାରେ ରହିଛନ୍ତି । ଶେଷଥର ଲାଗି ଦିନିକିଆ ବିଶ୍ବକପରେ ଖେଳିଥିଲେ ସାମି । ଆଉ ଏବେ ଆଣ୍ଠୁରେ ଆଘାତ କାରଣରୁ ଅସ୍ତ୍ରୋପଚାର ହୋଇଛି । ସେ ସମ୍ପୂର୍ଣ୍ଣ ଫିଟ୍ ନହୋଇଥିବାବେଳେ ନେଟରେ ପ୍ରାକ୍ଟିସ ଜାରି ରଖିଛନ୍ତି । ଭାରତୀୟ ଦଳ ଏବେ ଯେଭଳି ଖରାପ ପ୍ରଦର୍ଶନ କରୁଛି ଏବଂ ନ୍ୟୁଜିଲାଣ୍ଡଠାରୁ ହାରିଛି ଦଳରେ ସାମିଙ୍କୁ ସାମିଲ କରାଯାଉ ବୋଲି ଫ୍ୟାନ୍ସମାନେ ଦାବି କରିଛନ୍ତି ।

ଟଙ୍କା ଦିଅ ନହେଲେ ଉଡ଼େଇ ଦେବୁ, ଇମେଲରେ ଆସିଲା ବୋମା ଧମକ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ମୌର ୧୦ଟି ପ୍ରମୁଖ ହୋଟେଲକୁ ଇ-ମେଲରେ ବୋମା ଧମକ। ଇମେଲରେ ଆସିଥିବା ଧମକରେ ଟଙ୍କା ଦାବି କରାଯାଇଛି। ଟଙ୍କା ନ ମିଳିଲେ ବୋମାରେ ଉଡାଇଦେବାକୁ ହୋଟେଲଗୁଡିକୁ ଧମକ ଦିଆଯାଇଛି। ଇମେଲରେ କୁହାଯାଇଛି- ହୋଟେଲର ତଳ ଭାଗରେ ବୋମା ରହିଥିବା କଳା ବ୍ଯାଗ ରହିଛି। ଯଦି ଟଙ୍କା ନ ମିଳେ ତେବେ ବୋମା ଫୁଟିବ। ଯେଉଁ ହୋଟେଲଗୁଡିକୁ ବୋମା ଧମକ ଆସିଛି ସେହି ହୋଟେଲଗୁଡିକ ହେଲା ମାରିଅଟ, ସାରାକା, ପିକାଡିଲି, କମ୍ଫୋର୍ଟ ଭିସ୍ତା, ଫର୍ଚ୍ଯୁନ, ଲେମନ ଟ୍ରି, କ୍ଲାର୍କ ଅୱଧ, କାସା, ଦୟାଲ, ଗେଟୱେ, ସିଲଭେଟ। ଇମେଲରେ ବୋମା ଧମକ ମିଳିବା ପରେ ପୋଲିସକୁ ହୋଟେଲ ମ୍ଯାନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଥିଲା। ଅଭିଯୋଗର ତଦନ୍ତ କରୁଛି ପୋଲିସ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ ଥିବା ୩ଟି ହୋଟେଲକୁ ବୋମା ଧମକ ଆସିବା ପରେ ଲକ୍ଷ୍ମୌର ହୋଟେଲଗୁଡିକୁ ଧମକ ମିଳିଛି। ସେପଟେ ବୋମା ଧମକ ପରେ ଅଯୋଧ୍ଯାର ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି ବିମାନ। ବେଙ୍ଗାଳୁରୁରୁ ଅଯୋଧ୍ଯା ଅଭିମୁଖେ ଆସୁଥିବା ଏକ ବିମାନକୁ ବୋମା ଧମକ ମିଳିଥିଲା। ତେବେ ବୋମା ଧମକ ମିଳିବା ପରେ ବିମାନକୁ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଯାଞ୍ଚ ସରିବା ପରେ ଏହା ଏକ ହୋକ୍ସ କଲ୍ ବୋଲି ଜଣାପଡିଛି।

ରିସେପସନରେ ଥିବା ପୋଲିସ ଅଧିକାରୀ ପିନ୍ଧିବେ ବଡି କ୍ୟାମେରା

ନନ୍ଦିଘୋଷ ବ୍ୟୁରୋ: ରିସେପସନରେ ଥିବା ପୋଲିସ ଅଧିକାରୀ ପିନ୍ଧିବେ ବଡି କ୍ୟାମେରା । ଅମାନିଆଙ୍କୁ ସାବାଡ ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା। ଥାନାରେ ଆସି ଉତ୍ପାତ୍ତ ହେଉଥିବା ଅମାନିଆଙ୍କ ଭିଡିଓ ଓ ଅଡିଓ ରେକର୍ଡ ହେବ। ଏଥିପାଇଁ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ଖାରବେଳନଗର ଥାନା ବୁଲି ଦେଖିଲେ ଅତିରିକ୍ତ ପୋଲିସ କମିଶନର। ଥାନାରେ ତଦାରଖ କଲେ ଅତିରିକ୍ତ ସିପି ଉମାଶଙ୍କର ଦାସ। ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ। କେବଳ ଏତଲାକାରୀ ନୁହେଁ ପୋଲିସର ବ୍ୟବହାର ନେଇ ହେବ ଛାନବିନ। କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି, ଡିସିପି। ପ୍ୟାନିକ ବଟନ ଦବାଇବା ମାତ୍ରେ ସମସ୍ତ ଅଭାବନୀୟ ଘଟଣା ରେକର୍ଡ ହେବ। ପୂର୍ବରୁ ଭରତପୁର ଘଟଣା ପାଇଁ ବଦନାମ ହୋଇଥିଲା କମିଶରେଟ ପୋଲିସ। ଖଣ୍ଡଗିରି ଥାନାରେ ମଧ୍ୟ ମଦ୍ୟପାନ କରି ପୋଲିସକୁ ଦୁର୍ବ୍ୟବହାର କରିଥିଲେ ମହିଳା।

ବାତ୍ୟାରେ ୧୪ ଜିଲ୍ଲାର ୧୦୮ ବ୍ଲକ ପ୍ରଭାବିତ : ସୁରେଶ ପୂଜାରୀ

ନନ୍ଦିଘୋଷ ବ୍ୟୁରୋ: ବାତ୍ୟାରେ ୧୪ ଜିଲ୍ଲାର ୧୦୮ ବ୍ଲକ, ୧୬୭୧ ଗ୍ରାମ ପଂଚାୟତ ଏବଂ ୩୧ ସହରର ୪୨୬ ୱାର୍ଡ ପ୍ରଭାବିତ ହୋଇଛି। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ୩୫ ଲକ୍ଷ ୯୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୮ ଲକ୍ଷ ୧୦ହଜାର ୮୯୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୬୨୧୦ ରିଲିଫ ସେଣ୍ଟର କରାଯାଇଥିଲା। ଆଜି ସକାଳ ୧୦ ସୁଦ୍ଧା ୧୧୭୮ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି।   ଲୋକେ ଫେରିବା ଆରମ୍ଭ କଲେଣି। ରିଲିଫ ସେଣ୍ଟରରେ ରୋଷେଇ ସାତ ଦିନ ଯାଏଁ ଚାଲିବ। ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ପଲିଥିନ ଦିଆଯାଇଛି। ଘର କାମ ନ ସରିବା ଯାଏଁ ସେମାନେ ରିଲଫ ସେଣ୍ଟରରେ ଭୋଜନ କରି ପାରିବେ। ବାତ୍ୟାରେ କାହାରି ମୃତ୍ୟୁ ହୋଇନଥିବା କହିଛନ୍ତି ମନ୍ତ୍ରୀ। ୧ ଲକ୍ଷ ୨୫ ହଜାର ହେକ୍ଟର ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫୮୩୯ ଘର ସମ୍ପୂର୍ଣ୍ଣ ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ ସରବାରହ କାମ ସରିଲାଣି। କେତେକ ନଦୀରେ ପାଣି ବଢ଼ିଥିଲେ ମଧ୍ୟ ବିପଦ ନାହିଁ। SRC ଙ୍କ ପାଖକୁ ୧୪ ଜିଲ୍ଲାର ଜିଲାପାଳ ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ଆସନ୍ତାକାଲି ପାଗ ଅନୁକୂଳ ରହିଲେ, ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। କେନ୍ଦ୍ରକୁ ମଧ୍ୟ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। କେନ୍ଦ୍ରୀୟ ଟିମ ଆସିବ। ପକ୍କା ଘର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅଛି ଥିବା କହିଛନ୍ତି ରାଜସ୍ଵ ମନ୍ତ୍ରୀ।

ଭରତପୁର ଥାନା ମାମଲା : ସତ୍ୟପାଠ ଦାଖଲ କରିଛନ୍ତି ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀ

ଭୁବନେଶ୍ଵର : ଭୁବନେଶ୍ଵର ଭରତପୁର ଥାନାରେ ଆର୍ମି ଅଫିସର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି ସଂପୃକ୍ତ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀ । ସେଦିନ କଣ ଘଟିଥିଲା ସେ ସମ୍ପର୍କରେ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀ । କମିଶନ ପକ୍ଷରୁ ସତ୍ୟପାଠ ଦାଖଲ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିବା ବେଳେ ଏଯାଏଁ ପାଖାପାଖି ୨୦୦ ଜଣ ସତ୍ୟପାଠ ଦାଖଲ କରିଛନ୍ତି। ସେପଟେ ସତ୍ୟପାଠ ଦାଖଲର ସମୟ ସୀମା ବୃଦ୍ଧି କରିଚନ୍ତି କମିଶନ। ଆଉ ଦଶ ଦିନ ବୃଦ୍ଧି କରାଯାଇଛି। ନଭେମ୍ଵର ଆଠ ତାରିଖ ଯାଏ ସତ୍ୟପାଠ ଦାଖଲ କରାଯାଇ ପାରିବ। ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ସହିତ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା।