spot_img
Home Blog Page 1404

ବାପା ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣା; ବୋହୂ ପରେ ପୁଅ ମୃତ

ବାଙ୍କୀ: କଟକ ଜିଲ୍ଲା ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ବାପା ପୁଅବୋହୂଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ବୋହୂଙ୍କ ମୃତ୍ୟୁ ଘଟିଥିଲା ।

ସୂଚନାଯୋଗ୍ୟ, ଟଙ୍କା ନଦେବାରୁ ଗତ ଶନିବାର ଦୀନବନ୍ଧୁଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ତାଙ୍କ ବାପା ଗୋବର୍ଦ୍ଧନ ରାଉତ । ସ୍ଵାମୀଙ୍କୁ ବଞ୍ଚାଇବାକୁ ଯାଇ ବୋହୂ ସସ୍ମିତା ମଧ୍ୟ ପୋଡ଼ି ହୋଇଯାଇଥିଲେ ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଘଟଣାର ପରଦିନ ଅର୍ଥାତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କ ମୃତ୍ୟୁ ଘଟିଥିଲା । ଆଉ ଜୀବନ ସହ ସଂଗ୍ରାମ କରୁଥିବା ଦୀନବନ୍ଧୁ ଗତରାତିରେ ଆଖି ବୁଜିଛନ୍ତି ।

ପୁଣି ଫେରିଲା ଜାଡ଼, ଆଜିଠୁ ବଢ଼ିବ ଶୀତ

ଭୁବନେଶ୍ବର: କିଛି ଦିନର ବିରତି ପରେ ଆଜିଠୁ ପୁଣି ଶୀତ ଅନୁଭବ ହେବ । ଉପାନ୍ତରୁ ଉପକୂଳ ସବୁଠି ୨ରୁ ୪ ଡିଗ୍ରୀ ପାରଦ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି ଆକଳନ କରାଯାଇଛି ।

ବାତ୍ୟା ଫେଙ୍ଗଲ ପ୍ରଭାବରେ ରାଜ୍ୟର ଉପକୂଳ ଏବ ଦକ୍ଷିଣ ଓଡିଶାର କୋହଲା ପାଗ ସହ ହାଲୁକା ବର୍ଷା ଲାଗି ରହିଥିଲା । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗର ପ୍ରଭାବ ନ ଥିବା ବେଳେ ଆଜି ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ମଧ୍ୟ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି । ୭ ତାରିଖରୁ ୯ ତାରିଖ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା କମିବ ।

ବନ୍ଧୁକ ସହ ଦୁଇ ଡକାୟତ ଗିରଫ, ଦୁଇ ରାଉଣ୍ଡ ଅଫୁଟା ଗୁଳି ଜବତ

ବଡ଼ମ୍ବା: ଡକାୟତି ଯୋଜନା ପଣ୍ଡ । ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଲେ ଦୁଇ ଡକାୟତ । ସେମାନଙ୍କ ପାଖରୁ ୨ ରାଉଣ୍ଡ ଅଫୁଟା ଗୁଳି, ନଗଦ ପାଞ୍ଚ ହଜାର ଟଙ୍କା ଓ ଏକ ବାଇକ ଜବତ କରିଛି ବଡ଼ମ୍ବା ପୋଲିସ । ଦମକଳ କେନ୍ଦ୍ର ନିକଟରେ ଡକାୟତି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଡକାୟତ ।

ବୁଧବାର ରାତିରେ ଏକ ନିୟୁଜ ଚାନେଲର ଟିମ ନିଜର କାମ ସାରି କାର୍ଯ୍ୟାଳୟ ଫେରୁଥିବା ସମୟରେ ବଡ଼ମ୍ବା ଦମକଳ କେନ୍ଦ୍ର ନିକଟରେ ଦୁଇ ଯୁବକ ତାଙ୍କ ଗାଡ଼ି ଅଟକାଇ ବନ୍ଧୁକ ଦେଖାଇ ୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ । ଖବର ପାଇ ବଡ଼ମ୍ବା ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ସେମାନଙ୍କ ନିକଟରୁ ଏକ ଚୋରା ଦେଶୀ ବନ୍ଧୁକ, ୨ ରାଉଣ୍ଡ ଅଫୁଟା ଗୁଳି, ୨ଟି ମୋବାଇଲ ଫୋନ ଓ ୫ ହଜାର ଟଙ୍କା ସମେତ ଏକ ଟିଭିଏସ ମୋଟରସାଇକେଲ ଜବତ କରାଯାଇଛି । ଦୁଇ ଗିରଫ ଅଭିଯୁକ୍ତ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ କୋଟପଲା ଗାଁର ଚିତ୍ରସେନ ଓରଫ ରାଜେଶ ସାହୁ ଏବଂ ଶେଖ ମୁଜାଫର ।

ପୂର୍ବ ଶତ୍ରୁତାରୁ ଗୋଟିଏ ପରିବାରର ୪ ଜଣଙ୍କୁ ଆକ୍ରମଣ, ଜଣେ ମୃତ

ନୟାଗଡ଼: ପୂର୍ବ ଶତ୍ରୁତାରୁ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ଘଟଣା । ୪ ଜଣ ଆକ୍ରମଣର ଶିକାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଶିଶୁଳା ପଲେଇ । ନୟାଗଡ଼ ଚଣ୍ଡୀବସ୍ତ ଗାଁରେ ଘଟଣା ଘଟିଛି ।

ଅଭିଯୋଗ ଅନୁସାରେ, ଗତ ନଭେମ୍ବର ମାସ ୧୧ ତାରିଖ ବିଳମ୍ବିତ ରାତିରେ ନୟାଗଡ଼ ଚଣ୍ଡୀବସ୍ତ ଗାଁରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା l ଗାଁରେ ଗୋଟିଏ ପରିବାରର ୪ ଜଣଙ୍କୁ ଅନ୍ୟ ଏକ ଦଳର ସମର୍ଥିତ ଗୋଷ୍ଠୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ l ରାଜନୈତିକ ପୂର୍ବ ଶତ୍ରୁତା ଓ ଟଙ୍କା ନେଣଦେଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା । ଏହି ଘଟଣାରେ ୪ ଜଣ ଗୁରୁତର ଭାବେ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରେ ଗୁରୁତର ହେବାରୁ ସମସ୍ତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା l ଗତକାଲି ୭୫ ବର୍ଷିୟା ମହିଳା ଶିଶୁଳା ପଲେଇଙ୍କର ମୃତ୍ୟୁ ଘଟିଛି ।

୨ ଶହରୁ ଅଧିକ ବସ୍ତା ଧାନ ପୋଡ଼ି ଦେଲେ ଦୁର୍ବୃତ୍ତ

ବଲାଙ୍ଗୀର: ଧାନ ଖରିରେ ଲଗାଇଲେ ନିଆଁ । ପୋଡ଼ି ପାଉଁଶ ହୋଇଗଲା ୨ ଶହରୁ ଅଧିକ ବସ୍ତାର ଧାନ । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପରଧିଆପାଲିରେ ।

ଅଭିଯୋଗ ଅନୁସାରେ, ପରଧିଆାପାଲିର ଚାଷୀ ବାସୁଦେବ ବହରିପାଲଙ୍କ ଖଳାରେ ଥିବା ଧାନ ଖରିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଫଳରେ ବାସୁଦେବଙ୍କ ୫ ଏକର ଜମିରେ ଅମଳ ହୋଇଥିବା ପ୍ରାୟ ୨ ଶହ ବସ୍ତା ଧାନ ପୋଡ଼ି ପାଉଁଶ ହୋଇଯାଇଛି । ସକାଳୁ ଖରିରେ ନିଆଁ ଲାଗି ଥିବା ଦେଖି ସ୍ଥାନୀୟ ଲୋକେ ଓ ବାସୁଦେବଙ୍କ ପରିବାର ଏହାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳକୁ ପୂରା ଖରି ପୋଡି ଯାଇଥିଲା ।

ଫଡନାବିସଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ

ଭୁବନେଶ୍ବର: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଫଡନାବିସଙ୍କ ନେତୃତ୍ଵରେ ସାଧାରଣ ଜନତାଙ୍କ ସମର୍ଥନରେ ମହାରାଷ୍ଟ୍ର ବିକାଶ ଦିଗରେ ଆଗକୁ ବଢିଚାଲୁ ବୋଲି କହିଛନ୍ତି ନବୀନ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଫଡନାସିବ । ଏହାସହ ସେ ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଆଜି ମୁମ୍ବାଇର ଆଜାଦ ମୈଦାନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗଢହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମର, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଅନ୍ୟ ରାଜନେତା ସାମିଲ ହୋଇଥିଲେ । ଏହାସହ ସଚିନ, ଶାହାରୁଖ, ଅମୀର ଖାନ ଏବଂ ସଞ୍ଜୟ ଦତ୍ତଙ୍କ ଭଳି ବହୁ ସେଲିବ୍ରିଟିଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା ।

ମହାୟୁତି ସରକାର ଶପଥ ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କ ପ୍ରଶ୍ନ, ରାଷ୍ଟ୍ରପତି ଭୁବନେଶ୍ବରର, ସୌଜନ୍ୟତା ଭୁଲିଗଲ

ଭୁବନେଶ୍ବର: ଓଡ଼ିଆ ଅସ୍ମିତା କହି ଶାସନକୁ ଆସିଥିବା ବିଜେପି ସରକାର ସୌଜନ୍ୟତା ଭୁଲିବାରେ ଲାଗିଛନ୍ତି । ଏହି ସାମ୍ବିଧାନିକ ସଭ୍ୟତାକୁ ବଳି ଦେବାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେତୃତ୍ୱ ନେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ। ମହାମହିମ ରାଷ୍ଟ୍ରପତି ଆଜି ଭୁବନେଶ୍ୱରରେ ଅଛନ୍ତି । ତାହା ପୁଣି ସରକାରୀ କାର୍ଯ୍ୟକ୍ରମରେ । ହେଲେ ମୁଖ୍ୟମନ୍ତ୍ରୀ ଯାଇଛନ୍ତି ମହାରାଷ୍ଟ୍ର । ଯେଉଁଠି ସେ ମହାୟୁତି ସରକାରଙ୍କ ଶପଥ ଗ୍ରହଣ ପରି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ । ଏହା କେଉଁ ଭଳି ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି ବିଜେଡି । ସେହିପରି ରାଷ୍ଟ୍ରପତିଙ୍କ ଅପମାନ ବିରୋଧରେ ବର୍ଷିଛି କଂଗ୍ରେସ । ହେଲେ ବିଜେପି ପାଖରେ ଏ ପ୍ରସଙ୍ଗ ନେଇ ନାହିଁ କୌଣସି ସନ୍ତୋଷଜନକ ଉତ୍ତର ।

ଓଡ଼ିଆ ଅସ୍ମିତାର ପ୍ରତୀକ ହେଉଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଓଡ଼ିଆ ଆଦିବାସୀ ମହିଳା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ । ସେ ସମୟରେ ଓଡ଼ିଆ ଗରିମା ପାଇଁ ଦଳଠାରୁ ଊର୍ଦ୍ଧ୍ବରେ ରହି ବିଜେଡି ବି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲା । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାରେ ଓଡ଼ିଆ ରାଷ୍ଟ୍ରପତି ଚୟନ ବି ପ୍ରମୁଖ କାରଣ ଥିଲା । ଏହା ବି ଥିଲା ବିଜେପିର ଓଡ଼ିଆ ଅସ୍ମିତାର ଗୋଟିଏ ନାରା । ହେଲେ କ୍ଷମତାକୁ ଆସିବା ପରେ ରାଷ୍ଟ୍ରପତି ବି ବିଜେପି ଏଜେଣ୍ଡାରୁ ଦୂରେଇ ଯିବା ପରି ବିରୋଧୀ ଅନୁଭବ କରିଛନ୍ତି । କାରଣ ଯେଉଁ ପାଞ୍ଚ ଦିନ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଅଛନ୍ତି ସେଥିରେ ମାଳମାଳ ସରକାରୀ କାର୍ଯ୍ୟକ୍ରମ ରହିଛି । ଯେଉଁଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତି ରହିବାର ଆବଶ୍ୟକତା ରହିଛି । ହେଲେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟ ନୁହେଁ, ଦଳ ଆଗ ବୋଲି ବିଜେଡି ଅଭିଯୋଗ କରିଛି ।

ଗୃହ ଚାଲିଛି, ଜୁଡ଼ିସିଆଲ କମ୍ପ୍ଲେକ୍ସ ଉଦଘାଟନରେ ତାଙ୍କ ନାଁ ରହିଥିଲା । ମହାମହିମ ରାଷ୍ଟ୍ରପତି ଯୋଗ ଦେଇଥିଲେ, ହେଲେ ସେ ମହାରାଷ୍ଟ୍ର ଯାଇ ମହାୟୁତି ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ । ଏପରି ଦଳୀୟ କାମ କ’ଣ ଓଡ଼ିଆ ଅସ୍ମିତା ବୋଲି ବିଜେଡି ପ୍ରଶ୍ନ କରିଛି । ସେହିପରି ରାଷ୍ଟ୍ରପତି ଓଡ଼ିଆ ହେଲେ ବି ଦେଶର ମୁଖ୍ୟ ବୋଲି କଂଗ୍ରେସ ସମ୍ମାନ ଜଣାଇଛି । ସରକାରୀ ଗସ୍ତ ହୋଇଥିବାରୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ରହିବା କଥା । ଯଦି କିଛି ଜରୁରୀ କାମ ଥିଲା, ହେଲେ ତାଙ୍କ କାର୍ଯ୍ୟକ୍ରମ ବାତିଲ ହୋଇ ପାରିଥାନ୍ତା । ରାଷ୍ଟ୍ରପତି ଭୁବନେଶ୍ୱରରେ ଥିବାରୁ ମହାରାଷ୍ଟ୍ର ଗସ୍ତର ଦଳୀୟ କାର୍ଯ୍ୟକ୍ରମ ବାତିଲ ହୋଇ ପାରିଥାନ୍ତା । ଯାହା ସେ କଲେ ନାହିଁ । ଏହା ରାଷ୍ଟ୍ରପତିଙ୍କ ପ୍ରତି ଅପମାନ । ସବୁବେଳେ ଦେଶ ଆଗ କହୁଥିବା ବିଜେପିର ପ୍ରକୃତ ଦେଶପ୍ରେମକୁ ଟାର୍ଗେଟ କରିଛି କଂଗ୍ରେସ ।

ମୁଖ୍ୟମନ୍ତ୍ରୀ ସୌଜନ୍ୟତା ରକ୍ଷା କଲେନି । ବିଜେପି ବି ଏହା ଭଲ ଭାବେ ଜାଣିଛି । ହେଲେ ଏ ପ୍ରସଙ୍ଗରେ ପୁରୁଣା ସରକାରକୁ ଦାୟୀ କରି ବିତଣ୍ଡା ଯୁକ୍ତି କରିଛି ଦଳ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତ ସମୟରେ ନ ରହିବା ନିଷ୍ପତ୍ତି ନେଇ ଚର୍ଚ୍ଚା ଜୋର ଧରିଛି ।

ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ନୂଆ । ହେଲେ ବିଧାୟକ ଓ ବିଧାନସଭା ସହ ଗଣତାନ୍ତ୍ରିକ ସୌଜନ୍ୟତା ନେଇ ପୁରୁଣା ବିଧାୟକ । ଏପରି ସ୍ଥିତିରେ ଅନେକ ଭୁଲ ନିଷ୍ପତ୍ତି ପାଇଁ ସେ ବିବାଦରେ ପଡିଲେଣି । ସେ ଗତ ବିଧାନସଭା ଚାଲିଥିବା ସମୟରେ ଗୃହ ବାହାରେ ଅଗ୍ନିବୀର ସଂରକ୍ଷଣ କଥା ଘୋଷଣା ହେଉ କି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଅନୁପସ୍ଥିତ ରହିବା ପ୍ରସଙ୍ଗ ହେଉ, ଓଡ଼ିଆ ଅସ୍ମିତାର ଏପରି କୁଠାରଘାତକୁ ରାଜ୍ୟବାସୀ ନିନ୍ଦା କରିବା ଆରମ୍ଭ କଲେଣି ।

ଭୁବନେଶ୍ୱର ଜୁଡିସିଆଲ କମ୍ପ୍ଲେକ୍ସ ଉଦଘାଟନ କଲେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ବର: ଲୋକାର୍ପିତ ହେଲା ନ୍ୟାୟିକ ସୌଧ । ମିଳିଲା ଦେଶର ସର୍ବଶ୍ରେଷ୍ଠ ଜିଲ୍ଲା ଅଦାଲତ ମାନ୍ୟତା । ମାମଲାର ତ୍ୱରିତ ସମାଧାନ ଦିଗରେ ହେବ ସହାୟକ । ନବୀନଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ପ୍ରୋଜେକ୍ଟର ସପଳ ରୂପାୟନ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ଜୁଡିସିଆଲ କମ୍ପ୍ଲେକ୍ସର କଲେ ଉଦଘାଟନ ।

ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ଉଠୁଛି ନୂଆ ବିଲ୍ଡିଂ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ବିଲ୍ଡିଂରେ ରହିଛି ୪ଟି କରିଡର । ବିଲ୍ଡିଂରେ ରହିଛି ୫୫ଟି କୋର୍ଟ ରୁମ । ରେକର୍ଡ ରୁମ, ଲାଇବ୍ରେରୀ, କନଫରେନ୍ସ ହଲ ସାଙ୍ଗକୁ ବ୍ୟାଙ୍କ, ପୋଷ୍ଟ ଅଫିସ, ନୋଟାରୀ ରୁମ ରହିବ । ଏହାସହ ବ୍ୟାଙ୍କ, ଡାକଘର, ଡିସ୍ପେନସାରୀ, ବେବିକ୍ରେଚ ଭଳି ସୁବିଧା ରହିବ । ବିଶେଷ କରି ୪୫୦ଟି କାର ଓ ୧ ହଜାର ବାଇକ ରଖିବା ପାଇଁ ବିରାଟ ବେସମେଣ୍ଟ ପାର୍କିଂର ବ୍ୟବସ୍ଥା ହୋଇଛି ।

ବିଲ୍ଡିଂ ନିର୍ମାଣ ଓ ସାଜସଜ୍ଜା ପାଇଁ ୨ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି । ଏହାଦ୍ଵାରା ରାଜ୍ୟବାସୀ ବେଶ ଉପକୃତ ହେବେ । ମାମଲା ବୋଝ ହ୍ରାସ ପାଇଁ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ବିଲ୍ଡିଂରେ ସମୁଦାୟ ୯ଟି ଲିଫ୍ଟ ରହିଛି । ସାଧାରଣ ଲୋକଙ୍କ ପାଇଁ ବିଶ୍ରାମଗାର ସହ ବଡ଼ ବଡ଼ ଏଲଇଡି ସାହାଯ୍ୟରେ ସୂଚନା ଦିଆଯିବାର ବ୍ୟବସ୍ଥା ହୋଇଛି ।

କରୋନା ବେଳେ କୋର୍ଟ ବନ୍ଦ ରହିବା ଓ ଅନ୍ୟାନ୍ୟ କାରଣରୁ ବର୍ତ୍ତମାନ ସାରା ରାଜ୍ୟରେ ୧୫ ଲକ୍ଷରୁ ଊର୍ଦ୍ଧ୍ବ ମାମଲା ବିଚାର ଅପେକ୍ଷାରେ ପଡିରହିଛି । ଏଣୁ ନୂଆ ବିଲ୍ଡିଂ ହେବା ପରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ନୂଆ ଆଇନ ମୁତାବକ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି ।

ଓଡ଼ିଶାରେ ବାତ୍ଯାର ପ୍ରାରମ୍ଭିକ ଚେତାବନୀ ପାଇଁ କ’ଣ ନିଆଯାଇଛି ପଦକ୍ଷେପ: ମାନସ

ନୂଆଦିଲ୍ଲୀ: ଓଡ଼ିଶାରେ ବାତ୍ୟାର ଆଗୁଆ ଆକଳନ ଓ ଦୂରୀକରଣ ନେଇ ପ୍ରଶ୍ନ ଉଠାଇଲେ ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ପଚାରିଲେ, ରାଜ୍ୟରେ ବାତ୍ୟାର ଆଗୁଆ ଆକଳନ ଓ ଦୂରୀକରଣ ପାଇଁ କେନ୍ଦ୍ର ସରକାର କ’ଣ ନେଉଛନ୍ତି ପଦକ୍ଷେପ ? ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ପ୍ରାରମ୍ଭିକ ଚେତାବନୀ ଓ ବିପର୍ଯ୍ୟୟ ମୁକାବିଲା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି କି ?

ଏହାର ଉତ୍ତରରେ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ଓଡିଶାରେ ସର୍ଫେସ ମନିଟରିଂ ସିଷ୍ଚମ ବ୍ୟବସ୍ଥା ଅଧୀନରେ ୩୯ଟି ମାନବ ପର୍ଯ୍ୟବେକ୍ଷଣ କେନ୍ଦ୍ର ଅଛି । ସେହିଭଳି ୨୯ଟି ସ୍ଵୟଂଚାଳିତ ପାଣିପାଗ କେନ୍ଦ୍ର ଓ ୧୩୬ଟି ଅଟୋମେଟେଡ ରେନ ଗେଜ ଷ୍ଟେସନ ଅଛି । ପାରାଦୀପ ଓ ଗୋପାଳପୁରରେ ଦୁଇଟି ରାଡାର ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ଅଛି । ସେହିଭଳି ଉଚ୍ଚ ପବନର ଗତି ମାପିବାକୁ ୬ଟି HWSR ସିଷ୍ଚମ ରହିଛି । ଯାହା ସମଗ୍ର ଉପକୂଳ ଓଡିଶାକୁ ଅଛାଦିତ କରୁଛି । ୪ଟି ବିମାନ ଚଳାଚଳ ପର୍ଯ୍ୟବେକ୍ଷଣକାରୀ ଷ୍ଟେସନ ଓ ଗୋଟିଏ ଏରୋଡ୍ରୋମ ପାଣିପାଗ କାର୍ଯ୍ଯାଳୟ ଅଛି । ଏଥିସହ ୪ଟି ଆଭିଏସନ ୱେଦର ଅଟୋମେଟିକ ଷ୍ଟେସନ ଓ ଦୁଇଟି ମାନବ ଚାଳିତ ପର୍ଯ୍ୟବେକ୍ଷଣ କେନ୍ଦ୍ର ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

ବିଜେପିର ଶୋଷଣ ନୀତି: ଦୁଇ ବର୍ଷ ଧରି ଅଶୋଧିତ ତୈଳ ଶସ୍ତା ପରେ ବି ଖସୁନି ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର: କୁଆଡ଼େ ଗଲା ଡାଇନାମିକ ଫୁଏଲ ପ୍ରାଇସ ମେଥଡ ? ଦୁଇବର୍ଷ ହେଲାଣି ଅଶୋଧିତ ତୈଳ ଶସ୍ତା । ହେଲେ କାହିଁକି ରାଷ୍ଟ୍ରାୟତ୍ତ କମ୍ପାନୀ ଲାଗୁ କରୁନାହାନ୍ତି ସ୍ବୟଂକ୍ରିୟ ଦର ବ୍ୟବସ୍ଥା ? ଆଉ କେତେ ବମ୍ପର ଲାଭ ଦରକାର ? ପେଟ୍ରୋଲ-ଡିଜେଲର ଚଢା ଦରକୁ ନେଇ ଏପରି ମାଳ ମାଳ ପ୍ରଶ୍ନ ଏବେ ଉଠାଇଲେଣି ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ଓ ସିଭିଲ ସୋସାଇଟି । ଯଦି କ୍ଷତିଭରଣା ହୋଇ ଲାଭ ଉପରେ ଡବଲ ଲାଭ କରୁଛନ୍ତି କମ୍ପାନୀ, ତା’ହେଲେ, କାହିଁକି ଲୋକଙ୍କ ମଙ୍ଗଳ ପାଇଁ କମିବନି ପେଟ୍ରୋଲ ଓ ଡିଜେଲ ଖୁଚୁରା ଦର । ଅଭିଯୋଗ ହୋଇଛି ରାଜନୈତିକ ଦଳ ପରି ଲୋକଙ୍କ ସହ ବ୍ୟବହାର କରୁଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ।

ରାଷ୍ଟ୍ରାୟତ୍ତ କମ୍ପାନୀ ନା ରାଜନୈତିକ ଦଳ !

କେବେ କମିବ ପେଟ୍ରୋଲ ଓ ଡିଜେଲ ଖୁଚୁରା ଦର ?

କାହିଁକି ପୁନଃପ୍ରଚଳନ ହେଉନି ଡାଇନାମିକ ଫୁଏଲ ପ୍ରାଇସ ମେଥଡ ?

କାହିଁକି ଚୁପ୍ କେନ୍ଦ୍ର ସରକାର ?

ଆଉ କେତେଦିନ ଶୋଷିବେ ଲୋକଙ୍କୁ ?

ଏପରି ମାଳ ମାଳ ପ୍ରଶ୍ନ ଏବେ ସାଧାରଣ ଖାଉଟିଙ୍କ ମନରେ । ଅଶୋଧିତ ତୈଳ ଦର ବଢିବା କମିବା ସହିତ ପରିବର୍ତ୍ତନ ହେବ ପେଟ୍ରୋଲ-ଡିଜେଲ ଖୁଚୁରା ଦର । ଦୁଇବର୍ଷ ହେଲାଣି ବନ୍ଦ ରହିଛି ଏହି ବ୍ୟବସ୍ଥା । ୨୦୨୨ରେ କିଛି ଦିନ ପାଇଁ ଅଶୋଧିତ ତୈଳ ଦର ୧୦୦ ଡଲାର ପାର୍ କରିଥିଲା । ହେଲେ ଖୁଚୁରା ଦର ବଢିଲାନି । ଲୋକଙ୍କ ମଙ୍ଗଳ ପାଇଁ କେନ୍ଦ୍ର ତୈଳ କମ୍ପାନୀଙ୍କ ଦରଦ ବୁଝି ହେଲା । ଏବେ ଯେତେବେଳେ ଦୁଇବର୍ଷ ହେଲାଣି ପ୍ରାୟ ୭୦ ଡଲାରରେ ଅଶୋଧିତ ତୈଳ ଦର ସ୍ଥିର ରହୁଛି । କାହିଁକି ଖୁଚୁରା ଦର କମାଉନାହାନ୍ତି ରାଷ୍ଟ୍ରାୟତ୍ତ କମ୍ପାନୀ । ଏହାକୁ ନେଇ ପ୍ରଶ୍ନ ଉଠାଇଛି ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ।

କୌଣସି କମ୍ପାନୀ କ୍ଷତି ସହିବା ପାଇଁ ଗଠନ ହୋଇ ନଥାଏ । ରାଷ୍ଟ୍ରାୟତ ତୈଳ କମ୍ପାନୀରେ ୫୧ ପ୍ରତିଶତ ଅଂଶ କେନ୍ଦ୍ର ସରକାରଙ୍କର । ବାକି ଅଂଶଧନ ସାଧାରଣ ଜନତାଙ୍କର । ଅଶୋଧିତ ତୈଳ ଦର ବଢିଲେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ କ୍ଷତି ସହିଛନ୍ତି ବୋଲି କ’ଣ କେବେ ଅଂଶୀଦାରଙ୍କ ସହ କମ୍ପାନୀ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ କି ? ଅଶୋଧିତ ତୈଳ ଯେତେବେଳେ ୨୦୨୨ରେ ୧୦୦ ଡଲାର ପାର୍ କଲା । ସେତେବେଳେ ତୈଳ କମ୍ପାନୀ ଯଦି ଲୋକଙ୍କ ହିତ ପାଇଁ ରାଜନୈତିକ ଦଳ ପରି ଖୁଚୁରା ଦର ବଢାଇ ନଥିଲେ, ତା’ହେଲେ ଏବେ ଦୀର୍ଘ ଦୁଇ ବର୍ଷ କାଳ ଶସ୍ତା ଥିଲାବେଳେ ଲୋକଙ୍କ ହିତ ପାଇଁ କାହିଁକି ଖୁଚୁରା ଦର କମାଉନାହାନ୍ତି । କ’ଣ ଦୁଇମାସର କ୍ଷତି ଦୁଇବର୍ଷରେ ଭରଣା ହୋଇନି ? ନା କେନ୍ଦ୍ର ସରକାର ତୈଳ କମ୍ପାନୀଙ୍କଠୁ ଲକ୍ଷାଧିକ କୋଟିର ଡିଭିଡେଣ୍ଡ୍ ଓ ଓ୍ବିଣ୍ଡଫଲ୍ ଟିକସ ଟାଣିବା ମୋହ ଛାଡ଼ିପାରୁନାହାନ୍ତି ?

ତୈଳ ଗୋଲକଧନ୍ଦାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଅଭିଯୋଗ ହୋଇଛି, ୟୁପିଏ ସରକାର ସମୟରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କୁ କେନ୍ଦ୍ର ସରକାର ସବସିଡି ଦେଉଥିଲେ । ଏହି ବୋଝ ଯେପରି ଲୋକଙ୍କ ଉପରେ ନପଡ଼ିବ, ସେ ନେଇ ତୈଳ କମ୍ପାନୀଙ୍କୁ ତୈଳ ବଣ୍ଡ ଜାରି କରିବାକୁ ଅନୁମତି ଦିଆଯାଇଥିଲା । ସେତେବେଳେ ବିଜେପି ଏହାକୁ କଟୁ ସମାଲୋଚନା କରିଥିଲା । କ୍ଷମତାକୁ ଆସିବା ପରେ ତୈଳ ବଣ୍ଡ ବ୍ୟବସ୍ଥାଟି ଉଠାଇ ଦେଲେ । କିନ୍ତୁ ଏବେ ଲୋକଙ୍କୁ ଶୋଷିବାର ବାଟ କରିଛନ୍ତି । ସମାନ ଦରରେ ଅଶୋଧିତ ତୈଳ ଦର ଘରୋଇ ଓ ରାଷ୍ଟ୍ରାୟତ୍ତ କମ୍ପାନୀ କିଣୁଛନ୍ତି । ଘରୋଇ କମ୍ପାନୀ ଗ୍ରାହକଙ୍କୁ ରିହାତି ଦେଉଥିବା ବେଳେ ରାଷ୍ଟ୍ରାୟତ୍ତ କମ୍ପାନୀ ଚଢ଼ା ଦରରେ କିପରି ବିକୁଛନ୍ତି । ଏହା କେନ୍ଦ୍ର ସରକାର କ’ଣ ଜାଣନ୍ତି ନାହିଁ ? ଏକଥା ପଚାରିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଋଷ-ୟୁକ୍ରେନ୍ ଯୁଦ୍ଧ, ହମାସ-ଇରାନ-ଇସ୍ରାଏଲ ଯୁଦ୍ଧ କଥା କହି ପ୍ରସଙ୍ଗକୁ ହାଲୁକା କରିଦେଉଛନ୍ତି । କେନ୍ଦ୍ର ଗୋଟିଏ ପଟେ ପେଟ୍ରୋଲ-ଡିଜେଲ ଦର ନ କମାଇ ଲୋକଙ୍କ ପକେଟ୍ କାଟୁଛି । ସେପଟେ ଲୋକଙ୍କୁ ବିଭିନ୍ନ ଯୋଜନା ଦେଉଛି ବୋଲି ପ୍ରଚାର କରି ବାହାବା ନେଉଛି । କେନ୍ଦ୍ରର ଏହି ଚାଲକୁ ଲୋକେ ବୁଝିଲେଣି । ସମୟ ଆସୁଛି ଲୋକେ ଏହାର ଜବାବ ଦେବେ ।

ତୈଳ ଦର କମିଲେ ପରିବହନ ଖର୍ଚ୍ଚ କମ ହେବ । ଏକଥା ଭଲ ଭାବେ ଜାଣିଛନ୍ତି ଡବଲ ଇଞ୍ଜିନ ସରକାର । ବିଜେପି ବିରୋଧୀରେ ଥିଲା ବେଳେ ତତ୍କାଳୀନ ସରକାରକୁ ପେଟ୍ରୋଲ-ଡିଜେଲ ଭାଟ୍ ହ୍ରାସ ନେଇ ଚାପ ପକାଉଥିଲେ । ଏବେ ସେହି ନ୍ୟାୟଟି ନିଜେ କାହିଁକି କରୁନି ? ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଦୁଇଟି ଯାକ ଇଞ୍ଜିନ ମୁହଁ ଗୋଟିଏ ଦିଗରେ ନ ହୋଇ ଯଦି ବିପରୀତ ମୁଖୀ ହେବ ତା’ହେଲେ ବିକାଶ ବଦଳରେ ଆଉ କ’ଣ ହେବ ତାକୁ ଲୋକେ ବିଚାର କରନ୍ତୁ ।