spot_img
Home Blog Page 14

ଷଣ୍ଢ ଉପଦ୍ରବରେ ଅତିଷ୍ଠ ଚାଷୀ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୃଷକ ସଂଗଠନ

ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ନବନିର୍ମାଣ କୃଷକ ସଂଗଠନ। ଷଣ୍ଢମାନଙ୍କ ଉପଦ୍ରଵ ପ୍ରତିବାଦରେ ଦ୍ବାରସ୍ତ। ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟଙ୍କ ନେତୃତ୍ୱରେ ଚାଷିମାନେ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଫସଲ କ୍ଷେତରେ ଷଣ୍ଢ,ମାଙ୍କଡ଼ ଓ ବାରାହା ମାନଙ୍କ ଉପଦ୍ରବ ବଢ଼ିଚାଲିଛି। ଯାହାକୁ ନେଇ ଚାଷୀ ମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଚାଷ ଜମିରେ ଫସଲ ନଷ୍ଟ ହେବା ଫଳରେ ବହୁ କ୍ଷତି ସହୁଛନ୍ତି ଚାଷିକୂଳ। ଏ ନେଇ ଏକ ଚାଷୀ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଏହାର ପ୍ରତିକାର ଦାବି କରିବା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।

ଆସୁଛି ଲଘୁଚାପ, ଓଡ଼ିଶାର ୩୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ନନ୍ଦିଘୋଷ ବ୍ୟୁରୋ : ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ। ଉତ୍ତର ଥାଇଲାମ୍ଡ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଲୟ ଆଜି ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିଛି। ଏହା ଘନୀଭୁତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ପରେ ଏହା ଆହୁରି ଘନୀଭୂତ ହୋଇ ୩ରୁ ୪ ଦିନ ଭିତରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଓ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ମୁହାଁଇବ। ଏହି ଲଘୁଚାପ ଆସନ୍ତା ଦୁଇରୁ ତିନି ଦିନ ଭିତରେ ଅବପାତ ରୂପ ନେବ। ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ କିଛି ଆକଳନ କରାଯାଇନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ତେବେ ବିଭିନ୍ନ ମଡେଲ କହୁଛନ୍ତି, ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି। ବର୍ଷା ପାଇଁ ରାଜ୍ୟରେ ୩୦ଟି ଯାକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେବଳ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ସର୍ବାଧିକ ୬୬ ମିମି ବର୍ଷା ରେକର୍ଡ ହୋଇଛି ।

ଆଜି-କାଲି ମିରଠରେ ବାୟୁସେନାର ଦମଦାର ଏୟାର ଶୋ, ଆକାଶରେ ଗର୍ଜିବ ୯ଟି ହକ୍ ବିମାନ

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତୀୟ ବାୟୁସେନା ଦେଖାଇବ ଦମ। ଉତ୍ତରପ୍ରଦେଶର ମିରଠରେ ଆଜି ଓ କାଲି ରଣକୌଶଳ ପ୍ରଦର୍ଶନ କରିବ ବାୟୁସେନାର ସୂର୍ଯ୍ୟକିରଣ ଏରୋବାଟିକ୍ ଟିମ୍। ଏହି ଏୟାର ଶୋ’ରେ ସାମିଲ ହେବେ ୯ଟି Hawk Mk-132 ଏୟାରକ୍ରାଫ୍ଟ। ମିରଠର ପ୍ରତାପପୁର ଅଞ୍ଚଳ ଅନ୍ତର୍ଗତ ମୋହିଉଦ୍ଦିନପୁରର ନ୍ୟୁ ଇଣ୍ଟିଗ୍ରେଟେଡ୍ ଟାଉନସିପ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶୋ’ ଦେଖିବା ପାଇଁ ହଜାର ହଜାର ଦର୍ଶକ ଯୋଗଦେବାର ସମ୍ଭାବନା ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନାସିକସ୍ଥିତ ଏୟାରଫୋର୍ସ ବେସ୍ ରିପେୟାର ଡିପୋ ପକ୍ଷରୁ ପ୍ରଦତ୍ତ ବିଭିନ୍ନ ରଙ୍ଗର ସ୍ମୋକ୍ ବ୍ୟବହାର କରି ଆକାଶରେ ଚିତ୍ତାକର୍ଷକ କୌଶଳ ପ୍ରଦର୍ଶନ କରିବ ଟିମ୍। ଏହି କାର୍ଯ୍ୟକ୍ରମରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ।

ରୁଷିଆ କଟକଣା ବିଲ୍‌ରେ ଟ୍ରମ୍ପଙ୍କ ମୋହର, ଭାରତ ଉପରେ ଲାଗିପାରେ ୧୦୦% ଟାରିଫ୍

ନନ୍ଦିଘୋଷ ବ୍ୟୁରୋ : ରୁଷିଆ କଟକଣା ବିଲ୍ ଉପରେ ସ୍ଵାକ୍ଷର କଲେ ଟ୍ରମ୍ପ। ଏହା ଦ୍ଵାରା ଭାରତ ଉପରେ ଲାଗିପାରେ ୧୦୦ ପ୍ରତିଶତ ଟାରିଫ। ରୁଷିଆରୁ ଭାରତ ପେଟ୍ରୋଲିୟମ କିଣୁଥିବାରୁ ଏହି ଟାରିଫ ଲାଗିବାର ଆଶଙ୍କା ଅଛି। ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆ ଉପରେ ଅଧିକ ଆର୍ଥିକ କଟକଣା ଲଗାଇଛି ଆମେରିକା। ଏ ସଂପର୍କିତ ବିଲକୁ ଟ୍ରମ୍ପ ଅନୁମୋଦନ କରିଛନ୍ତି। ଆଗରୁ କଂଗ୍ରେସରେ ଏହା ପାସ୍ ହୋଇଥିଲା। ଏହି ବିଲ୍ ଏବେ ଆଇନରେ ପରିଣତ ହେବା ଦ୍ଵାରା ଯେଉଁ ଦେଶ ରୁଷ ସହିତ ବାଣିଜ୍ୟ କରୁଛନ୍ତି, ସେମାନଙ୍କ ଉପରେ ବି ଲାଗିବ ଅଧିକ ଟାରିଫ। ବିଶେଷ କରି ଭାରତ ଓ ଚୀନ ଏହା ଦ୍ଵାରା ପ୍ରଭାବିତ ହେବେ। ଏହି ଆଇନର ଲକ୍ଷ୍ୟ ହେଉଛି ୟୁକ୍ରେନ ବିରୁଦ୍ଧରେ ରୁଷିଆର ଯୁଦ୍ଧକୁ ସହାୟତା କରୁଥିବା ଆର୍ଥିକ ଉତ୍ସକୁ ହ୍ରାସ କରିବା। ରୁଷିଆର ଅଧିକାରୀ, ବ୍ୟାଙ୍କ, ଶକ୍ତି କ୍ଷେତ୍ର ସହ ଜଡ଼ିତ ସଂସ୍ଥା ଏବଂ ମସ୍କୋର ସାମରିକ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ବିଦେଶୀ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍ କରାଯିବ। ଏହି ଆଇନ ଟ୍ରମ୍ପଙ୍କୁ ଏମିତି କ୍ଷମତା ଦେଇଛି, ଯାହା ଦ୍ଵାରା ରୁଷ ସହିତ ବାଣିଜ୍ୟ କରୁଥିବା ଦେଶ ଉପରେ ମନଇଚ୍ଛା ଟାରିଫ ଲଗାଇପାରିବେ ଟ୍ରମ୍ପ।

ମରାଠା କୋଟା ପାଇଁ ଅନଶନ !

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ମରାଠା କୋଟା ପ୍ରସଙ୍ଗରେ ମୁମ୍ବାଇର ଆଜାଦ ମଇଦାନରେ ଅନିର୍ଦ୍ଦିଷ୍ଟକାଳୀନ ଅନଶନ କରିବେ ସାମାଜିକ କର୍ମୀ ମନୋଜ ଜାରେଙ୍ଗେ। ତେବେ ତାଙ୍କୁ ଅନଶନ ପାଇଁ ମୁମ୍ବାଇ ପୋଲିସ ଅନୁମତି ଦେବ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ମରାଠାମାନଙ୍କୁ ସଂରକ୍ଷଣ ଦେବା ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଛନ୍ତି ଜାରେଙ୍ଗେ। ଅନଶନରେ ସାମିଲ ହେବା ପୂର୍ବରୁ ବିଭିନ୍ନ ଜିଲ୍ଲାରୁ ତାଙ୍କ ସମର୍ଥକମାନଙ୍କ ରାଲି ଆଜାଦ ମଇଦାନରେ ପହଞ୍ଚିଛି। ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି ଜାରେଙ୍ଗେ କହିଛନ୍ତି। ମରାଠା ସଂରକ୍ଷଣ ସମ୍ପର୍କିତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

ଗତବର୍ଷ ମଧ୍ୟ ଏହି ସମୟରେ ଜାରେଙ୍ଗେ ଅନଶନ କରିଥିଲେ। ଏହା ଯୋଗୁଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ଯାତାୟାତ ପ୍ରଭାବିତ ହୋଇଥିଲା। ଜାରେଙ୍ଗେଙ୍କ ମୁଖ୍ୟ ଦାବି ହେଉଛି, ପୁରୁଣା ରେକର୍ଡ ଓ ଗେଜେଟ୍ ଦସ୍ତାବିଜ୍ ଆଧାରରେ ମରାଠାମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ଅନ୍ତର୍ଭୁକ୍ତ କୁନବୀ ସମ୍ପ୍ରଦାୟ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ସୁବିଧା ଦିଆଯାଉ। ଏଥିସହ ପୁରୁଣା ତଥ୍ୟ ଆଧାରରେ ସମସ୍ତ ଯୋଗ୍ୟ ମରାଠାଙ୍କୁ କୁନବୀ ଜାତି ପ୍ରମାଣପତ୍ର ପ୍ରଦାନ କରିବାକୁ ସେ ଦାବି କରୁଛନ୍ତି। କୁନବୀମାନଙ୍କୁ ମରାଠାଙ୍କ ‘ସେଜ୍ ସୋୟରା’ ବା ରକ୍ତ ସମ୍ପର୍କୀୟ ଭାବେ ସ୍ୱୀକୃତି ଦେବା ସମ୍ପର୍କିତ ଚିଠା ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିବା ମଧ୍ୟ ତାଙ୍କର ଦାବି ରହିଛି। ତେବେ ଜାରେଙ୍ଗେଙ୍କ ଏହି ଦାବିକୁ ବିଭିନ୍ନ ପଛୁଆ ବର୍ଗ ସଂଗଠନ ବିରୋଧ କରିଆସୁଛନ୍ତି।

“ଭୋଟ ଚୋରି, ସରକାର ଚୋରି, ଏବେ ଦଳ ଚୋରି”: TMC ପ୍ରସଙ୍ଗରେ ବର୍ଷିଲେ ରାହୁଲ

ନନ୍ଦିଘୋଷ ବ୍ୟୁରୋ : ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀଙ୍କୁ ନିର୍ବାଚନ କମିଶନ ସ୍ବୀକୃତି ଦେବା ପରେ ଏହାକୁ ନେଇ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ମୂଳ ଟିଏମସିର ନାମକୁ ରଦ୍ଦ କରି ଦୁଇଟି ଗୋଷ୍ଠୀର ନାଁ ଦେବା ଏବଂ ଦୁଇ ଗୋଷ୍ଠୀଙ୍କୁ ଦୁଇଟି ଚିହ୍ନ ପ୍ରଦାନ କରିବା ଘଟଣାକୁ ସମାଲୋଚନା କରିଛନ୍ତି ରାହୁଲ। ଅତୀତରେ ଭୋଟ ଚୋରି ହୋଇଛି। ପରେ ସରକାର ଚୋରି ହୋଇଛି। ବର୍ତ୍ତମାନ ପାର୍ଟି ଚୋରି ହୋଇଛି ବୋଲି କହିଛନ୍ତି ରାହୁଲ। ରାହୁଲ ଅଭିଯୋଗ କରିଛନ୍ତି ଯେ ଶିବସେନା, ଏନ୍‌ସିପି ପରେ ଏବେ ତୃଣମୂଳ କଂଗ୍ରେସକୁ ନେଇ ମଧ୍ୟ ସମାନ ଧରଣର ଘଟଣା ଘଟୁଛି। ବିଜେପି ଓ ନିର୍ବାଚନ ଆୟୋଗ ମିଶି ରାଜନୈତିକ ଦଳଗୁଡ଼ିକୁ ଭାଙ୍ଗୁଛନ୍ତି ଏବଂ ପରେ ସେମାନଙ୍କ ନିର୍ବାଚନୀ ଚିହ୍ନ ଛଡ଼ାଇ ନିଆଯାଉଛି। ‘ଭୋଟ ଚୋରି, ସରକାର ଚୋରି, ଏବେ ଦଳ ଚୋରି’ ଭଳି ଶବ୍ଦ ବ୍ୟବହାର କରି ସେ ନିର୍ବାଚନୀ ବ୍ୟବସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାକୁ ନେଇ କଂଗ୍ରେସର ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ ମଧ୍ୟ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ପବନ ଖେଡ଼ା ନିର୍ବାଚନୀ ଅର୍ଥ, ପରିସୀମନ, ଭୋଟର ତାଲିକା ଓ ରାଜନୈତିକ ଦଳ ସମ୍ପର୍କିତ ପ୍ରସଙ୍ଗ ଉଠାଇ ଆୟୋଗର ଭୂମିକା ଉପରେ ପ୍ରଶ୍ନ କରିଛନ୍ତି।

ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ ବଢ଼ିଲା ରାଜନୈତିକ ହଲଚଲ

ନନ୍ଦିଘୋଷ ବ୍ୟୁରୋ : ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଘଡ଼ିକେ ଛୁଟୁଛି ଘୋଡ଼ା। ତୃଣମୂଳ କଂଗ୍ରେସର ଦୁଇଟି ବିଭାଜିତ ଗୋଷ୍ଠୀକୁ ଅଲଗା ନାମ ଓ ସଙ୍କେତ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ। ସେପଟେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ମମତା ବାନାର୍ଜୀ। ମମତା ବାନାର୍ଜୀ ନେତୃତ୍ୱାଧୀନ ଗୋଷ୍ଠୀକୁ ମମତା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ନାଁ ମିଳିଥିବାବେଳେ ଏହାର ନିର୍ବାଚନ ସଙ୍କେତ ହୋଇଛି ଫୁଟବଲ ଖେଳାଳି। ସେହିପରି ଋତୁବ୍ରତ ବାନାର୍ଜୀ ଗୋଷ୍ଠୀର ନାଁ ଡେମୋକ୍ରାଟିକ ତୃଣମୂଳ କଂଗ୍ରେସ ହୋଇଥିବାବେଳେ ଏହାର ସଙ୍କେତ ରହିଛି ଲଫାଫା। ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସର ନାମ ଓ ଏହାର ଫୁଲ ଓ ଘାସ ସଙ୍କେତକୁ କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେ ନାହିଁ। ଆସନ୍ତା ଅକ୍ଟୋବର ୬ରେ ହେବାକୁ ଥିବା ଉପନିର୍ବାଚନରେ ଫୁଟବଲ ଖେଳାଳି ଓ ଲଫାଫା ଚିହ୍ନ ନେଇ ଦୁଇ ଗୋଷ୍ଠୀ ନିର୍ବାଚନ ଲଢିବେ। ତେଣେ ନନ୍ଦିଗ୍ରାମର କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଗିରଫ କରାଯାଇଛି। ୨୦୦୭ରେ ଜମି ଅଧିଗ୍ରହଣ ବିରୋଧୀ ଏକ ଆନ୍ଦୋଳନ ସଂକ୍ରାନ୍ତ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ନିଜ ଗୋଷ୍ଠୀର ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ କଂଗ୍ରେସ ପ୍ରାର୍ଥୀ ମିଲନଙ୍କୁ ସମର୍ଥନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନନ୍ଦିଗ୍ରାମରେ ମମତା ବାନାର୍ଜୀ ଦେଇଥିବା ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ସେଠାରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଅଛନ୍ତି ମିଲନ ପ୍ରଧାନ। ମମତା କହିଥିଲେ ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ତାଙ୍କ ଗୋଷ୍ଠୀ ସମର୍ଥନ କରିବ। ବିଜେପି ବିରୋଧରେ ଚାଲିଥିବା ଲଢେଇରେ ବିଜେପିକୁ ମାତ୍ ଦେବା ଲାଗି ଇଣ୍ଡି ମେଣ୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମମତା।

ରାଉରକେଲାରେ ଆକ୍ସନ ମୋଡ୍‌ରେ ବନ ବିଭାଗ, ଜବତ ହେଲା ୩୦ ଟନ୍‌ ଚୋରା କାଠ ଓ ୧.୨ ଟନ୍‌ କେନ୍ଦୁପତ୍ର

ନନ୍ଦିଘୋଷ ବ୍ୟୁରୋ :  ରାଉରକେଲା ବନଖଣ୍ଡରେ କାଠ ଓ କେନ୍ଦୁପତ୍ର ଚୋରା କାରବାର କରୁଥିଲେ ସାବଧାନ। ଚୋରା କାରବାର ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଛି। ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ବେଆଇନ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଉଛି। ରାଉରକେଲା ରେଲୱେ ଷ୍ଟେସନ ଦେଇ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଯୋଗେ ଚୋରା ଚାଲାଣ ହେଉଥିବା ପ୍ରାୟ ୧.୨ ଟନ୍‌ କେନ୍ଦୁପତ୍ର ବନ ବିଭାଗ ଜବତ କରିବା ପରେ ରେଲୱେ ଷ୍ଟେସନରେ ଯାଞ୍ଚକୁ ଆହୁରି ଜୋରଦାର କରାଯାଇଛି। ସେହିପରି ଦୁଇଟି ଟ୍ରକ୍‌ ଯୋଗେ ଚୋରା ଚାଲାଣ ହେଉଥିବା ପ୍ରାୟ ୩୦ ଟନ୍‌ କାଠ ମଧ୍ୟ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି। ରାଉରକେଲା ବନଖଣ୍ଡରେ କାଠ ଚୋରା କାରବାର ରୋକିବା ପାଇଁ ଗତ ୧୦ ଦିନ ହେଲା ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ରାଉରକେଲା ଡିଏଫ୍‌ଓ ସୂଚନା ଦେଇଛନ୍ତି।

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ସରଣ୍ଡା ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି କାଠ ମାଫିଆମାନେ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏହାସହ ଟ୍ରେନ୍‌ ଯୋଗେ କେନ୍ଦୁପତ୍ର ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି। କେନ୍ଦୁପତ୍ର ଓ କାଠ ଚୋରା କାରବାର ଜରିଆରେ ମାଫିଆମାନେ ବିପୁଳ ଟଙ୍କା ମୁନାଫା କମାଉଥିବା ଅଭିଯୋଗ ହେଉଥିବା ବେଳେ ସମ୍ପୃକ୍ତ ଚୋରା କାରବାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଅବ୍ୟବସ୍ଥା, ଭିତ୍ତିଭୂମି ଓ ସୁରକ୍ଷାକୁ ନେଇ ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ :  ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଅଟକିଛି ଅନେକ ଉନ୍ନତିମୂଳକ କାର୍ଯ୍ୟ। ମୌଳିକ ସମସ୍ୟାର ସମାଧାନ ହୋଇନଥିବା ନେଇ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରନେତାମାନେ ପ୍ରଶ୍ନ ଉଠାଇଛନ୍ତି। କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ଓ CCTV ନଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟ ହେବାର ୪ ବର୍ଷ ପରେ ମଧ୍ୟ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ହୋଇନଥିବାରୁ ଅତିଥି ଅଧ୍ୟାପକଙ୍କ ଦ୍ୱାରା ଶିକ୍ଷାଦାନ ଚାଲିଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।

ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ସମୀକ୍ଷା କରିଥିଲେ। ଏହି ସମୟରେ ପୂର୍ବତନ ଛାତ୍ର ସଂସଦ ସଭାପତି ଧର୍ମେନ୍ଦ୍ର ଅଧିକାରୀ, ଗୌରୀ ଶଙ୍କର ଦେବଶର୍ମାଙ୍କ ସମେତ ବହୁ ଛାତ୍ରଛାତ୍ରୀ ତାଙ୍କୁ ଭେଟି ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଦାବି ଜଣାଇଥିଲେ। ଛାତ୍ରଛାତ୍ରୀଙ୍କ ସମସ୍ତ ସମସ୍ୟା ଉପରେ ଦୃଷ୍ଟି ଦିଆଯାଉଛି ଏବଂ ଖୁବଶୀଘ୍ର ସମାଧାନ କରାଯିବ ବୋଲି ଯୁଗ୍ମ ସଚିବ କହିଛନ୍ତି। ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଥିବା ସେ ସୂଚନା ଦେଇଛନ୍ତି। ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେଇଥିବା ବେଳେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଏହାସହ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଅଲଗା କରିବା ଦାବି ବିଭାଗକୁ ଜଣାଇବେ ବୋଲି ଯୁଗ୍ମ ସଚିବ କହିଛନ୍ତି।

ସମଲେଇ ପ୍ରକଳ୍ପ ଉଚ୍ଛେଦକୁ ନେଇ ତେଜିଲା ବିରୋଧ, ଥଇଥାନ ଓ କ୍ଷତିପୂରଣ ଦାବିରେ ଅଡ଼ିଲେ ଅଞ୍ଚଳବାସୀ

ନନ୍ଦିଘୋଷ ବ୍ୟୁରୋ : ସମଲେଇ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ। ହେଲେ ଆରମ୍ଭରୁ ପ୍ରଶାସନର ମୁଣ୍ଡରେ ବାଜିଛି ଚାଳ । ଅଞ୍ଚଳବାସୀଙ୍କ ମଧ୍ୟରେ ତେଜିଛି ବିରୋଧ । ପ୍ରଶାସନ ପ୍ରଭାବିତ ପରିବାରଙ୍କୁ ଥଇଥାନ ପାଇଁ ଘର ନଯୋଗାଇ ଉଚ୍ଛେଦ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ବାରମ୍ବାର ନିଜ ଦାବି ଓ ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ସେମାନେ । ମାଆ ସମଲେଶ୍ୱରୀଙ୍କ ପାଇଁ ନିର୍ମାଣ କାର୍ଯ୍ୟ ପାଇଁ ଲୋକେ ସ୍ଥାନ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ପ୍ରଶାସନ ଯେଉଁ ପ୍ରତିଶୃତି ଦେଇଛି ତାହା ପୂରଣ କରୁନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି । କେବଳ ଥଇଥାନ ନୁହେଁ, ସଠିକ୍ କ୍ଷତିପୂରଣ ନମିଳିବାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଭାବିତ ପରିବାର। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉଚ୍ଛେଦକୁ ବିରୋଧ କରିବାକୁ ଅଞ୍ଚଳବାସୀ ଅଡ଼ି ବସିଥିବା ବେଳେ, ବିଦ୍ୟୁତ୍ ସଂଯୋଗ ମଧ୍ୟ କାଟିଦିଆଯାଉଥିବା ଅଭିଯୋଗ ହୋଇଛି । ବିରୋଧ ଓ ଉତ୍ତେଜନାକୁ ନଜରରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।