spot_img
Home Blog Page 15

ବର୍ଷା ଆଶାରେ ଗିରି ପୂଜା, ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ ପାଇଁ ଚାଲିଛି ପୁରୁଣା ପରମ୍ପରା

ନନ୍ଦିଘୋଷ ବ୍ୟୁରୋ : ଆକାଶରେ ଢାଙ୍କି ରହୁଛି କଳାହାଣ୍ଡିଆ ମେଘ । ହେଲେ ବର୍ଷା ହେଉନି । ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଫଳରେ ପୁରୁଣା ପରମ୍ପରାକୁ ଆପଣାଇଛନ୍ତି ଚାଷୀ । ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବାକୁ ଚାଲିଛି ପୂଜାର୍ଚ୍ଚନା । ଧରାକୋଟ ବ୍ଲକ ଦିଗି ଗାଁରେ ଚାଲିଛି ଗିରି ପୂଜା । ଭଲ ବର୍ଷା ଓ ଉତ୍ତମ ଫସଲ ପାଇଁ ଗାଁର ଆବାଳ ବୃଦ୍ଧବନିତା ଏକାଠି ହୋଇ କରିଛନ୍ତି ଗିରି ପୂଜା । ଗାଁ ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା ଏକ ବିରାଟ ପାହାଡ଼ ଉପରକୁ ଯାଇ ମା’ ପୋଡା ବାଉରାଣୀ ଦେବୀଙ୍କ ସମେତ ଗିରିପୂଜା କରିଛନ୍ତି । ଏଭଳି ପୂଜା ଅର୍ଚ୍ଚନା କଲେ ଭଲ ବର୍ଷା ହୁଏ ବୋଲି ଲୋକଙ୍କ ରହିଛି ଅତୁଟ ବିଶ୍ଵାସ ।ସେହିପରି ଆସିକା ଓ ଧରାକୋଟ ବ୍ଲକର ଅନ୍ୟ ଗାଁରେ ଚାଲିଛି ବେଙ୍ଗୁଲି ନାଚ । ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ବେଙ୍ଗ ଓ ବେଙ୍ଗୁଲିକୁ ପୂଜା କରି ଗାଁ ସାରା ବୁଲାଉଛନ୍ତି ଲୋକେ । କେତେକ ସ୍ଥାନରେ ପଣାପାଣି ଦେଉଛନ୍ତି । କେଉଁ ଆବାହମାନ କାଳରୁ ଏହି ପରମ୍ପରା ଚାଲିଆସୁଛି ବୋଲି ଗ୍ରାମବାସୀ କହିଛନ୍ତି ।

ବିଶ୍ୱକର୍ମା ପୂଜା ପାଇଁ ଝଲସୁଛି ପାରାଦୀପ, ଆକର୍ଷଣୀୟ ତୋରଣ ସାଙ୍ଗକୁ ଚାଲିଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ନନ୍ଦିଘୋଷ ବ୍ୟୁରୋ : ସୁଉଚ୍ଚ ତୋରଣ । ଲାଇଟ୍ ଗେଟ୍ ସାଙ୍ଗକୁ ନାଲି, ନେଳି ଆଲୋକମାଳାରେ ଝଲସୁଛି ରାସ୍ତାଘାଟ । ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ସଜେଇ ହୋଇଛି ବନ୍ଦରନଗରୀ ପାରାଦୀପ । ପାରାଦୀପରେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ୨୮ରୁ ଊର୍ଦ୍ଧ୍ୱ ପୂଜା ପେଣ୍ଡାଲରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ପାଉଛନ୍ତି । ଗୋଟିଏ ସ୍ଥାନରେ ୧୮ଟି ମଣ୍ଡପରେ ପୂଜା ଆୟୋଜନ ହୋଇଥିବା ବେଳେ, ଆକର୍ଷଣୀୟ ତୋରଣ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ଗତକାଲି ପ୍ରଥମ ଦିନରେ ପୂଜା ପେଣ୍ଡାଲ ସମେତ ଚଟପଟି ଖାଦ୍ୟ ଓ ଘରକରଣା ସାମଗ୍ରୀ ଦୋକାନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା । ପୂଜାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆୟୋଜକ ମାନେ ବିଭିନ୍ନ ପ୍ରକାରର ତୋରଣ ଓ ଆଲୋକସଜ୍ଜା କରିଛନ୍ତି ।

ଚଳିତ ବର୍ଷ ପରିବେଶ ଅନୁକୂଳ ତୋରଣକୁ ପ୍ରାଧାନ୍ୟ ଦେଇଛନ୍ତି ପୂଜା କମିଟି । ବାଉଁଶ ପାତିଆ, ନଡ଼ିଆ ପତ୍ର ଏବଂ ପୁରାତନ ସାମଗ୍ରୀରେ ତିଆରି ହୋଇଛି ସୁଉଚ୍ଚ ତୋରଣ । ଆଲୋକମାଳାରେ ସଜେଇ ହୋଇଥିବା ପୂଜା ମଣ୍ଡପଗୁଡ଼ିକ ରାତିରେ ଆହୁରି ଆକର୍ଷଣୀୟ ଦେଖାଯାଉଛି । ପୂଜା ସମୟରେ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରତ୍ୟେକ ଆୟୋଜକ କମିଟି ପକ୍ଷରୁ ଏକ ଶୃଙ୍ଖଳା କମିଟି ଗଠନ କରାଯାଇଛି । ଏଥିସହ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପାରାଦୀପ ସହରରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୧୬ ଜଣ ଡିଏସପି, ଏସଡିପିଓ ଓ ଆଇଆଇସିଙ୍କୁ ନିୟୋଜିତ କରାଯାଇଛି । ସହର ସାରା ୮୦ରୁ ଊର୍ଦ୍ଧ୍ୱ ସିସିଟିଭି କ୍ୟାମେରା ଲଗାଯାଇଛି । ଏଥିସହ ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି

ଆଦିବାସୀଙ୍କ ମୁଣ୍ଡକୁ ମିଳୁନି ଛାତ, ଭଙ୍ଗା ଘରେ ବିତୁଛି ଜୀବନ

ନନ୍ଦିଘୋଷ ବ୍ୟୁରୋ : କେଉଁଠି ଛାତ ଗଳି ପଡ଼ିଛି ତ ଆଉ କେଉଁଠି ଘରର କାନ୍ଥ ଫାଟି ଆଁ କଲାଣି । ଭଙ୍ଗାଦଦରା ଘର ଭିତରେ ଏବେ ବି ରହୁଛନ୍ତି ଅନେକ ପରିବାର । ବର୍ଷା ହେଲେ ଘର ଭିତରେ ପଶୁଛି ପାଣି । ଏଭଳି ବିପଦସଙ୍କୁଳ ପରିସ୍ଥିତିରେ ଦିନ କାଟୁଛନ୍ତି ଲୋକେ । ୧୯୯୯ ମସିହା ମହାବାତ୍ୟା ପରେ ବଡ଼ଚଣା ବ୍ଲକ ଭୂଷଣ୍ଡପୁର ପଞ୍ଚାୟତର ବହୁ ଆଦିବାସୀ ପରିବାରଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ମଧ୍ୟ ନଥିଲା । ସେହି ସମୟରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ସାହେବ ସିଂ ବର୍ମାଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରୀୟ ସ୍ୱାଭିମାନ ସଂଗଠନ ପକ୍ଷରୁ ୧୧୦ଟି ନୂଆ ପକ୍କା ଘର ନିର୍ମାଣ କରାଯାଇଥିଲା । ୨୦୦୩ ମସିହାରେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ ଏହି ଘରଗୁଡ଼ିକୁ ଆଦିବାସୀ ପରିବାରଙ୍କୁ ସମର୍ପଣ କରିଥିଲେ । ହେଲେ ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ଏବେ ଘରଗୁଡ଼ିକ ଭାଙ୍ଗିରୁଜି ଗଲାଣି । ଛାତ ଦୁର୍ବଳ ହୋଇପଡ଼ିଥିବା ବେଳେ କାନ୍ଥରେ ଦେଖାଦେଇଛି ବଡ଼ ବଡ଼ ଫାଟ । ଘର ମରାମତି ନହେବାରୁ ବର୍ଷା ହେଲେ ଛାତରୁ ଗଳୁଛି ପାଣି । ଅନେକ ପରିବାର ବାଧ୍ୟ ହୋଇ ଚାଳ ଛପର ଘରେ ରହୁଛନ୍ତି । ଘର ଭାଙ୍ଗିଯାଇଥିଲେ ମଧ୍ୟ ନା ପୁରୁଣା ଘରର ମରାମତି ହେଉଛି, ନା ମିଳୁଛି ନୂଆ ଘର । ଫଳରେ ଅସୁବିଧା ମଧ୍ୟରେ ଜୀବନ ବିତାଉଛନ୍ତି ଲୋକେ ।

ଏନେଇ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି । ହେଲେ ଅଭିଯୋଗ ଅନୁସାରେ, ଏଯାଏଁ କୌଣସି ସୁଫଳ ମିଳିନାହିଁ । ତୁରନ୍ତ ଘରଗୁଡ଼ିକର ମରାମତି କରିବା ସହ ଆବଶ୍ୟକସ୍ଥଳେ ନୂଆ ଘର ଯୋଗାଇଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ତେଲେଙ୍ଗାନାରେ ୯ ଓଡ଼ିଆ ଦାଦନ ଶ୍ରମିକ ଫସିଛନ୍ତି, ୫ ଦିନ ହେଲା ଭୋକ ଉପାସ; ଉଦ୍ଧାର ପାଇଁ ଗୁହାରି

ନନ୍ଦିଘୋଷ ବ୍ୟୁରୋ : ପୁଣି ସାମ୍ନାକୁ ଆସିଛି ଦାଦନ ଦୁଃଖର ସାଂଘାତିକ ଚିତ୍ର। ତେଲେଙ୍ଗାନାରେ ଫସି ରହିଥିବା ୯ ଜଣ ଓଡ଼ିଆ ଦାଦନ ଶ୍ରମିକ ଗତ ୫ ଦିନ ହେଲା ଭୋକ ଉପାସରେ ଥିବା ଅଭିଯୋଗ ହୋଇଛି। ପାଖରେ ଟଙ୍କା ନଥିବାରୁ ସେମାନେ ଦୁର୍ଦ୍ଦଶାରେ ଦିନ କାଟୁଥିବା ବେଳେ ତୁରନ୍ତ ଉଦ୍ଧାର ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି। ସୂଚନା ଅନୁସାରେ, ଗଜପତି ଜିଲ୍ଲାର ୯ ଜଣ ଶ୍ରମିକ ପ୍ରାୟ ୩ ମାସ ପୂର୍ବରୁ ପରିବାର ପୋଷଣ ପାଇଁ ତେଲେଙ୍ଗାନାର ସିତେନପେଟ୍‌କୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଜଣେ ଠିକାଦାରଙ୍କ ଅଧୀନରେ ରହି କୋଠା ନିର୍ମାଣ କାମ କରୁଥିଲେ। ତେବେ ୩ ମାସ ଧରି କାମ କରିବା ପରେ ମଧ୍ୟ ମଜୁରୀ ମିଳିନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ମଜୁରୀ ମାଗିଲେ ଠିକାଦାର ଧମକ ଦେବା ସହ ବନ୍ଦୀ କରି ରଖିବାକୁ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଜୀବନ ପ୍ରତି ଭୟ ଥିବା ଦର୍ଶାଇ ଶ୍ରମିକମାନେ ଏକ ଭିଡିଓ ଜାରି କରି ସରକାରଙ୍କୁ ସହାୟତା ମାଗିଛନ୍ତି।

ତେବେ ଏହି ୯ ଜଣଙ୍କ ମଧ୍ୟରୁ ୨ ଜଣ ଶ୍ରମିକ କୌଶଳକ୍ରମେ ସେଠାରୁ ଖସି ଆସି ଗଜପତି ଜିଲ୍ଲାର ଚନ୍ଦ୍ରଗିରିରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ସେମାନେ ତେଲେଙ୍ଗାନାରେ ଭୋଗିଥିବା ଦୁଃଖ ଓ ଯନ୍ତ୍ରଣା ସମ୍ପର୍କରେ କହିଛନ୍ତି। ବର୍ତ୍ତମାନ ଅନ୍ୟ ୭ ଜଣ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ଓ ବକେୟା ମଜୁରୀ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଦାବି ହୋଇଛି।

ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଗଛରେ ବାନ୍ଧି ଯୁବକ-ମହିଳାଙ୍କୁ ଅକଥନୀୟ ନିର୍ଯାତନା

ନନ୍ଦିଘୋଷ ବ୍ୟୁରୋ : ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ। ଯୁବକ ଓ ଦୁଇ ସନ୍ତାନର ମା’ଙ୍କୁ ଗଛରେ ବାନ୍ଧି ଅକଥନୀୟ ନିର୍ଯାତନା ଅଭିଯୋଗ। ଘଟଣାର ଭିଡିଓ ଭାଇରାଲ ହେବାର ଦୁଇ ଦିନ ପରେ ଉଭୟଙ୍କୁ ପୋଲିସ ଜିମାରେ ଦେଲେ ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଯୋକା ପଞ୍ଚାୟତରେ କଙ୍ଗାରୁ କୋର୍ଟକୁ ନେଇ ଏକ ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।

ଅଭିଯୋଗ ଅନୁସାରେ, ରତିଲା ଗ୍ରାମର ଜଣେ ଯୁବକଙ୍କ ସହ ଯୋକା ଗ୍ରାମର ଜଣେ ବିବାହିତା ମହିଳାଙ୍କ ପ୍ରେମ ସମ୍ପର୍କ ଥିଲା। ମହିଳାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡ଼ିଛି। ଉଭୟ ଦେଖା କରିବାକୁ ଆସିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ କାବୁ କରି ଗଛରେ ବାନ୍ଧି ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ଗାଁରେ ସଭା କରି ଉଭୟଙ୍କୁ ନିର୍ଯାତନା ଦିଆଯିବା ସହ ଦୁଇ ଦିନ ଧରି ଅଟକ ରଖାଯାଇଥିବା କୁହାଯାଉଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ଦୁଇ ଦିନ ପରେ ଗ୍ରାମବାସୀ ଉଭୟଙ୍କୁ ଝାରପୋଖରୀଆ ପୋଲିସ ଜିମାରେ ଦେଇଛନ୍ତି। ପୋଲିସ ଉଭୟଙ୍କୁ ହେପାଜତକୁ ନେଇ ଘଟଣାର ତଦନ୍ତ କରୁଛି। ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୋଧରେ ମଧ୍ୟ ପୋଲିସ ପଦକ୍ଷେପ ଆରମ୍ଭ କରିଥିବା ସୂଚନା ମିଳିଛି।

ଯାତ୍ରାରେ ଉତ୍ତେଜନା, ଧର୍ମାନ୍ତରୀକରଣ ଦୃଶ୍ୟକୁ ବିରୋଧ କରି ଷ୍ଟେଜ୍‌କୁ ଚେୟାର-ପାଣି ବୋତଲ ମାଡ଼

ନନ୍ଦିଘୋଷ ବ୍ୟୁରୋ : ଯାତ୍ରାରେ ଏବେ ଟ୍ରେଣ୍ଡ ଚାଲିଛି ଚେୟାର ସହ ପାଣି ବୋତଲ ମାଡ । କେତେବେଳେ ଆପତ୍ତି ଜନକ ଦୃଶ୍ୟ ପାଇଁ ତ ଆଉ କେତେବେଳେ ଧର୍ମାନ୍ତିକରଣ ଦୃଶ୍ୟ ପରିବେଷଣ ପାଇଁ ଦର୍ଶକ ମାନେ କଳାକାରଙ୍କୁ ବିରୋଧ କରୁଛନ୍ତି । ଚେୟାର ପାଣି ବୋତଲ ଫିଙ୍ଗି ସିଧା ସଳଖ ପ୍ରତିବାଦ କରୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅପେରା ଯାଜ୍ଞସେନୀରେ । ଗତକାଲି କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣା ଠାରେ ଅପେରା ଯାଜ୍ଞସେନୀର “ସନାତନୀ” ନାଟକ ପରିବେଷଣ ବେଳେ ଉତ୍ତେଜନା ଦେଖାଦେଇଛି। ଏକ ଧର୍ମାନ୍ତିକରଣ ଦୃଶ୍ୟ ପରିବେଷଣ ବେଳେ ଷ୍ଟେଜ ଉପରକୁ ଚେୟାର ଓ ପାଣି ବୋତଲ ମାଡ କରିଥିଲେ ଦର୍ଶକ ।

ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ୪ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଛୁରୀରେ ଭୁସି ହତ୍ୟା କରାଯାଇଥିଲା। ଘଟଣାରେ ୪ ଜଣଙ୍କୁ ପୁଲିସ ଧରିଛି। ଧରାପଡ଼ିଥିବା ୪ ଜଣଙ୍କ ମଧ୍ୟରେ ୩ ଜଣ ନାବାଳକ। ସ୍ୱରୂପ ନଗର ଥାନା ଅଞ୍ଚଳର କୁଶକ ରୋଡ୍‌ ନିକଟ ଜୟପାଲ ରାଣାଙ୍କ ଜମି ପାଖ ଏକ ଖୋଲା ପଡ଼ିଆରୁ ସେପ୍ଟେମ୍ବର ୧୩ରେ ନାବାଳିକାଙ୍କ ମୃତଦେହ ମିଳିଥିଲା। ଦୀର୍ଘ ସମୟ ଧରି ମୃତଦେହ ପଡ଼ିରହିବାରୁ ତାହା ଅତ୍ୟଧିକ ପଚିଯାଇଥିଲା। ଫଳରେ ପ୍ରାଥମିକ ଭାବେ ମୃତଦେହଟି ପୁରୁଷ କି ମହିଳା, ତାହା ମଧ୍ୟ ସ୍ପଷ୍ଟ ହୋଇନଥିଲା। ମୃତଦେହର କିଛି ଅଂଶକୁ ବୁଲା କୁକୁର ଖାଇ ଦେଇଥିବା ବେଳେ ଗୋଟିଏ ହାତ ଶରୀରଠାରୁ ଅଲଗା ଅବସ୍ଥାରେ ମିଳିଥିଲା। ପୁଲିସ କହିଛି, ମୃତ ନାବାଳିକା ଏବଂ ଅଭିଯୁକ୍ତମାନେ ପରସ୍ପରକୁ ଜାଣିଥିଲେ। ଘଟଣା ଦିନ ନାବାଳିକା ଅଭିଯୁକ୍ତମାନଙ୍କ ସହ ଏକ ଟେମ୍ପୋରେ ଯାତ୍ରା କରୁଥିଲେ। ଟେମ୍ପୋ ଭିତରେ ସେମାନେ ମଦ୍ୟପାନ କରିଥିବା ଏବଂ ପରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇ ଛୁରୀ ଭୁସି ହତ୍ୟା କରାଯାଇଥିଲା। ୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଟେମ୍ପୋର ସୁରାଗ ମିଳିଥିଲା। ଡ୍ରାଇଭରକୁ ପଚରା ଉଚରା ପରେ ସବୁ ଜଣାପଡ଼ିଥିଲା।

ଶ୍ରୀମନ୍ଦିରରେ ଆଜି କେକେଶି ବଧ ଲୀଳା, କାଳିକାଦେବୀ ସାହି ପକ୍ଷରୁ ଅନୁଷ୍ଠିତ ହେବ ପରମ୍ପରା

ନନ୍ଦିଘୋଷ ବ୍ୟୁରୋ :  ଆଜି ଭାଦ୍ରବ ଶୁକ୍ଳ ସପ୍ତମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନିକଟରେ କେକେଶି ବଧପ୍ରସ୍ତାବ ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ନୀତି ପରେ କାଳିକାଦେବୀ ସାହି ପକ୍ଷରୁ କେକେଶି ବଧପ୍ରସ୍ତାବ ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ସହ ଜଗନ୍ନାଥଙ୍କ ବାଡରୁ ଆଜ୍ଞାମାଳ ପ୍ରାପ୍ତି କରି ନାଟ ମଣ୍ଡପ ସ୍ଥିତ ଖଟ ଉପରକୁ ବିଜେ କରିବେ। ପରେ ପ୍ରଭୁଙ୍କର ଛାମୁରେ କାଳିକାଦେବୀ ସାହି ଲୋକ କେକେଶି ବଧ ପ୍ରସ୍ତାବ କରିବେ। ଦ୍ୱାପର ଯୁଗର କଥା ଅନୁସାରେ କେକେଶି ରାକ୍ଷସକୁ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ପଠାଇଥିଲେ। ଭିନ୍ନ ଭିନ୍ନ ରୂପ ଧାରଣ କରି ଭଗବାନ ଶ୍ରୀକୃଷ୍ଣ ଙ୍କୁ କେକଶୀ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର ଭଗବାନ ଶ୍ରୀକୃଷ୍ଣ ତାର ପ୍ରକୃତ ରୂପ ଜାଣିପାରି ତାକୁ ହତ୍ୟା କରିଥିଲେ । ସେହି ସ୍ମୃତି ରେ କାଳିକାଦେବୀ ସାହିରୁ କେକେଶି ବଧ ଲୀଳା କରିବା ପାଇଁ ଜଣେ ବେଶ ହୋଇ ସ୍ୱତନ୍ତ୍ର ଭାବରେ ଉପସ୍ଥିତ ହୁଅନ୍ତି। ନାଟମଣ୍ଡପରେ ଉପସ୍ଥିତ ହେଲା ପରେ ପ୍ରଭୁଙ୍କ ଶୀତଳ ଭୋଗ ଓ ବନ୍ଦାପନା କରାଯାଇଥାଏ ।

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆରେ ଘୁରୁଛି ପ୍ରଶ୍ନପତ୍ର

ନନ୍ଦିଘୋଷ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ। ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାରର ବିଭିନ୍ନ ବିଷୟର ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଘୁରୁଥିବା ଅଭିଯୋଗ ହୋଇଛି। ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଆସୁଥିବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ସେପ୍ଟେମ୍ବର ୧୨ ତାରିଖରୁ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଆରମ୍ଭ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୩୦୦ କଲେଜରେ ଏହି ପରୀକ୍ଷା ଚାଲିଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯାଞ୍ଚ ଆରମ୍ଭ କରିଛନ୍ତି। ପରୀକ୍ଷା ନିୟନ୍ତ୍ରକ ଡକ୍ଟର ହୃଷୀକେଶ ନାୟକ କହିଛନ୍ତି, ପ୍ରଶ୍ନପତ୍ର କେଉଁଠାରୁ ଲିକ୍ ହୋଇଛି, ତାହାର ତଦନ୍ତ କରାଯିବ। କୁଳପତିଙ୍କ ନେତୃତ୍ୱରେ ଏନେଇ ତଦନ୍ତ ହେବା ସହ ସାଇବର ଥାନାରେ ଏତଲା ଦିଆଯିବ। ଯଦି ପ୍ରକୃତରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବିଷୟର ପରୀକ୍ଷା ପୁନଃ କରାଯିବ।

ନିୟମ ଅନୁସାରେ ବିଶ୍ୱବିଦ୍ୟାଳୟରୁ ପ୍ରଶ୍ନପତ୍ର ସିଲ୍ ହୋଇ କଲେଜକୁ ପଠାଯାଇଥାଏ। ପରୀକ୍ଷା ଆରମ୍ଭର ୩୦ ମିନିଟ୍ ପୂର୍ବରୁ ଏହାକୁ ଖୋଲାଯାଏ। ତେଣୁ ପ୍ରଶ୍ନପତ୍ର କେଉଁଠାରୁ ଲିକ୍ ହେଲା ଏବଂ ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା, ତାହାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

ଉମରକୋଟରେ ଅଜଣା ଜ୍ୱର ସାଙ୍ଗକୁ ଝାଡ଼ାବାନ୍ତି ଆତଙ୍କ, ୮ ବର୍ଷର ଶିଶୁ ମୃତ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କେନ୍ଦୁଘାଟ ଗାଁରେ ଅଜଣା ଜ୍ୱର ସାଙ୍ଗକୁ ଝାଡ଼ାବାନ୍ତି ଆତଙ୍କ। ଜ୍ୱର ଓ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗାଁର ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗାଁରେ ଏକାଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ବେଳେ ୭ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ପୂଜାରୀଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ଦିନ କେନ୍ଦୁଘାଟ ଗାଁର ଅନେକ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସ୍ଥିତି ଗମ୍ଭୀର ହେବା ପରେ ପୂଜାରୀଗୁଡ଼ାରୁ ଏକ ମେଡିକାଲ ଟିମ୍ କେନ୍ଦୁଘାଟରେ ପହଞ୍ଚି ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ଆଣୁଥିବା ସୂଚନା ମିଳିଛି। ତେବେ ନାବାଳକର ମୃତ୍ୟୁର ପ୍ରକୃତ କାରଣ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନାହିଁ। । କେନ୍ଦୁଘାଟରେ ଏବେ ତୁରନ୍ତ ଚିକିତ୍ସା ଶିବିର, ଆକ୍ରାନ୍ତଙ୍କ ଚିହ୍ନଟ ଏବଂ ଆବଶ୍ୟକ ଚିକିତ୍ସା ସୁନିଶ୍ଚିତ କରିବା ଦାବି ଜୋର ଧରିଛି ।