spot_img
Home Blog Page 13

ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ଗର୍ଭବତୀ ସ୍ତ୍ରୀ ମୃତ

ନନ୍ଦିଘୋଷ ବ୍ୟୁରୋ : ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀଙ୍କ ମୃତ୍ୟୁ। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ମଦ୍ୟପ ସ୍ୱାମୀ ଦିବାକର ସେଠ୍ ଘରେ ଥିବା ଟାଙ୍ଗିଆରେ ସ୍ତ୍ରୀ ରିଙ୍କି ସେଠ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ପରିବାର ଲୋକେ ରିଙ୍କିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଦିବାକର ସେଠ୍ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଜୀବନ ନେଲା ଚାଟ୍‌ଜିପିଟି

ନନ୍ଦିଘୋଷ ବ୍ୟୁରୋ :  IIT ବମ୍ବେରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗକୁ ନେଇ କ୍ୟାମ୍ପସରେ ଚର୍ଚ୍ଚା ଜୋର ଧରିଛି। ପରୀକ୍ଷା ସମୟରେ ଚାଟ୍‌ଜିପିଟି ବ୍ୟବହାର କରି ଧରାପଡ଼ିବା ପରେ ଛାତ୍ରଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ନେଇ ଦାବି ହେଉଛି। ତେବେ ପ୍ରକୃତରେ କ’ଣ ଘଟିଥିଲା ଏବଂ ଛାତ୍ରଙ୍କ ମୃତ୍ୟୁ ପଛରେ କାରଣ କ’ଣ, ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ସହପାଠୀମାନେ।

ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଧାରଣା ଓ ପ୍ରତିବାଦ କରି ପ୍ରଶାସନଠାରୁ ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଦାବି କରିଛନ୍ତି। ଛାତ୍ରମାନଙ୍କ ଦାବି ଅନୁସାରେ, ଚଳିତ ବର୍ଷ କ୍ୟାମ୍ପସରେ ଏହା ଚତୁର୍ଥ ଆତ୍ମହତ୍ୟା ଘଟଣା ଏବଂ ଗତ ଦୁଇ ମାସ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। କ୍ୟାମ୍ପସରେ ଏଭଳି ଘଟଣା କାହିଁକି ବାରମ୍ବାର ଘଟୁଛି, ଏହାର ମୂଳ କାରଣ କ’ଣ ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ କିପରି ରୋକାଯାଇପାରିବ, ସେନେଇ ପ୍ରଶାସନ ଠୋସ୍ ପଦକ୍ଷେପ ନେଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

UPI ଚାର୍ଜକୁ ନେଇ ବିଜେଡିର ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ : ୟୁପିଆଇ ଚାର୍ଜ ସାଧାରଣ ଲୋକ କିମ୍ବା ଛୋଟ ବ୍ୟବସାୟୀଙ୍କ ଉପରେ ନ ପଡ଼ୁ। ସେମାନଙ୍କ ସ୍ୱାର୍ଥ ସୁରକ୍ଷିତ ରହୁ। ବିଜେଡିର ଏହି ଆଭିମୁଖ୍ୟକୁ ଦୋହରାଇଛନ୍ତି ଦଳର ସାଂସଦ ସଂତୃପ୍ତ ମିଶ୍ର। ସଂତୃପ୍ତ ମିଶ୍ର କହିଛନ୍ତି, ୟୁପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲଜି। ଏହାକୁ ଚଳାଇବା ସହ ସାଇବର ସୁରକ୍ଷା, ଟେକ୍ନୋଲଜିର ଉନ୍ନତି ଏବଂ ନିରନ୍ତର ନିବେଶ ପାଇଁ ଅର୍ଥର ଆବଶ୍ୟକତା ରହିଛି। ତେବେ ଏହି ଫଣ୍ଡିଂ ପାଇଁ ସାଧାରଣ ଲୋକ କିମ୍ବା ଛୋଟ ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ କରାଯିବା ଉଚିତ ନୁହେଁ। ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବା ଉଚିତ ନୁହେଁ। ଏଥିସହ ୟୁପିଆଇ ପାଇଁ ଅନ୍ୟ ବିକଳ୍ପ ଉପାୟରେ ଫଣ୍ଡିଂ ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି। ଆଗରୁ ମଧ୍ୟ ଦଳର ସଭାପତି ନବୀନ ପଟ୍ଟନାୟକ ଏନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ସଂତୃପ୍ତ ମିଶ୍ର କହିଛନ୍ତି।

ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଚିନ୍ତା, ଟେଷ୍ଟ ରିପୋର୍ଟକୁ ଅପେକ୍ଷା

ନନ୍ଦିଘୋଷ ବ୍ୟୁରୋ : ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଚିନ୍ତା ବଢ଼ିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ କୌଣସି ରୋଗକୁ ନେଇ ନିଶ୍ଚିତ ହେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ELISA ଓ କନଫର୍ମେଟୋରି ଟେଷ୍ଟ ପରେ ହିଁ ଚୂଡ଼ାନ୍ତ ତଥ୍ୟ ସାମ୍ନାକୁ ଆସିବ । ସୁନ୍ଦରଗଡ଼ ଓ ରାୟଗଡ଼ାର ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ଟିମ୍ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି । ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ସମ୍ପୂର୍ଣ୍ଣ ସ୍ଥିତି ସ୍ପଷ୍ଟ ହେବ । ସୁନ୍ଦରଗଡ଼ରେ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ କାର୍ଯ୍ୟରତ ରହିଛି । ରୋଗୀଙ୍କ ସ୍ଥିତି, ଲକ୍ଷଣ ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏଥିସହ ଲୋକଙ୍କୁ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ମନ୍ଦିରରୁ ଚୋରି ଉଦ୍ୟମ କରି ଦୁର୍ବୃତ୍ତ ବିଫଳ

ନନ୍ଦିଘୋଷ ବ୍ୟୁରୋ :ସୋନପୁର ଖମ୍ବେଶ୍ୱରୀ ମନ୍ଦିରରୁ ଚୋରି ଉଦ୍ୟମ ଅଭିଯୋଗ । ମନ୍ଦିର ଭିତରେ ପଶିବା ପରେ ସକାଳ ଯାଏ ସେଠାରେ ଶୋଇ ପଡ଼ିଥିଲେ ଜଣେ ଯୁବକ । ସକାଳୁ ପୂଜକ ମନ୍ଦିରକୁ ଆସି ଯୁବକଙ୍କୁ ଦେଖି ସନ୍ଦେହ କରିଥିଲେ । ପରେ ମନ୍ଦିର କମିଟିକୁ ଜଣାଇବା ସହ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ସୋନପୁର ପୋଲିସ ମନ୍ଦିରରେ ପହଞ୍ଚି ଯୁବକଙ୍କୁ ଧରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣକ କାହିଁକି ମନ୍ଦିରରେ ପଶିଥିଲେ ଏବଂ ପ୍ରକୃତରେ ଚୋରି ଉଦ୍ୟମ ହୋଇଥିଲା କି ନାହିଁ, ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ରାୟଗଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ, ୨୦୦ରୁ ଅଧିକ ଛାତ୍ରୀ ଘରମୁହାଁ

ନନ୍ଦିଘୋଷ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ରବାଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ। ଭୟରେ ଅବିଭାବକମାନେ ନିଜ ପିଲାଙ୍କୁ ଘରକୁ ନେଇଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଛାତ୍ରୀ ହଷ୍ଟେଲ ଛାଡିଛନ୍ତି। ୨୦ରୁ ଅଧିକ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଜଣେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବାକିମାନେ ଏବେ ବି ଛାତ୍ରୀ ନିବାସରେ ରହି ଚିକିତ୍ସିତ ହେଉଛନ୍ତି। ୫ ଦିନ ତଳେ କିଛି ଝିଅମାନଙ୍କୁ ସାମାନ୍ୟ ଜ୍ବର ହେବା ସହିତ ଆଖି ଦଳଦିଆ ପଡିଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଆକ୍ରାନ୍ତମାନେ ସାମାନ୍ୟ ସୁସ୍ଥ ହୋଇଥିଲେ ହେଁ ଜଣ୍ଡିସ୍ ଲକ୍ଷଣ କମିନାହିଁ। ନିୟମିତ ଚିକିତ୍ସା ଯୋଗାଇ ଦିଆଯାଉଥିବା କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।

ଗଣେଶ ଭସାଣିରେ ଅଘଟଣ, ଜେନେରେଟର ନିଆଁରେ ୫ ଶିଶୁ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ପୁରୁଷୋତ୍ତମପୁର ଗଣେଶ ପୂଜା ଭସାଣିରେ ଅଘଟଣ। ଜେନେରେଟରରୁ ନିଆଁ ଲାଗି ୫ ଶିଶୁ ଗୁରୁତର। ମେଢ଼ ଭସାଣି ଶୋଭାଯାତ୍ରା ସମୟରେ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା। ତାହା ନିକଟରେ ପେଟ୍ରୋଲ୍ ଜାର୍ ରଖାଯାଇଥିବା ବେଳେ ଏହି ଶିଶୁମାନେ ସେହି ଜେନେରେଟର ପାଖରେ ବସି ଶୋଭାଯାତ୍ରା ଦେଖୁଥିଲେ। ତେବେ ଜେନେରେଟରର ଅତ୍ୟଧିକ ଉତ୍ତାପ ଯୋଗୁ ନିକଟରେ ଥିବା ପେଟ୍ରୋଲ୍ ଜାର୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ନିକଟରେ ବସିଥିବା ୫ ଜଣ ଶିଶୁ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ। ଗୁରୁତର ଶିଶୁଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି।

ବାତ୍ୟା ଆସିବା ଆଗରୁ ସତର୍କ କରିବ କିଏ? ବାତ୍ୟା ପୂର୍ବରୁ ଅଚଳ ସତର୍କ ଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ : ବାତ୍ୟା ଆସିବା ପୂର୍ବରୁ ଉପକୂଳବାସୀଙ୍କୁ ସତର୍କ କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ବାତ୍ୟା ପୂର୍ବାନୁମାନ ରାଡାର ଏବେ ଅଚଳ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଥିବା ଏହି ରାଡାର ଦୀର୍ଘ ମାସ ହେଲା କାମ କରୁନଥିବା ଅଭିଯୋଗ ହୋଇଛି। ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତ ଅସ୍ତରଙ୍ଗ ଉପକୂଳରେ ବାତ୍ୟା ସମୟରେ ସୁରକ୍ଷା ଓ ଆଗୁଆ ସତର୍କ ସୂଚନା ପାଇଁ ଏହି ରାଡାର ଓ ସାଇରନ୍ ବ୍ୟବସ୍ଥା କରାଯାଇଥିଲା। ଫନି, ହୁଡହୁଡ ଓ ୟାସ୍ ଭଳି ବାତ୍ୟା ସମୟରେ ଅସ୍ତରଙ୍ଗ ଉପକୂଳ ପ୍ରଭାବିତ ହୋଇଥିଲା। ତେବେ ଏବେ ବ୍ଲକ ପରିସରରେ ଥିବା ରାଡାରଟି ଅଚଳ ହୋଇ ପଡ଼ିଛି। ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣ ଅଭାବରୁ ଯନ୍ତ୍ରାଂଶରେ କଳଙ୍କି ଲାଗିଥିବା ବେଳେ ଏହାର ଦେଖାଶୁଣା ପାଇଁ ଆବଶ୍ୟକ କର୍ମଚାରୀ ନଥିବା ଅଭିଯୋଗ ହୋଇଛି। ଫଳରେ ଲକ୍ଷାଧିକ ଟଙ୍କାର ଏହି ଯନ୍ତ୍ର ଏବେ କେବଳ ଶୋ-ପିସ୍ ପାଲଟିଥିବା କୁହାଯାଉଛି।

ବଙ୍ଗୋପସାଗରରେ ଭବିଷ୍ୟତରେ କୌଣସି ବାତ୍ୟା ସୃଷ୍ଟି ହେଲେ ଅସ୍ତରଙ୍ଗବାସୀଙ୍କୁ ସ୍ଥାନୀୟ ସ୍ତରରେ ଆଗୁଆ ସତର୍କ କରିବା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ରାଡାର ଅଚଳ ହୋଇଥିବାରୁ ମତ୍ସ୍ୟଜୀବୀ ଓ ଉପକୂଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସହ ଚିନ୍ତା ବଢ଼ିଛି। ତୁରନ୍ତ ରାଡାର ଓ ସାଇରନ୍ ବ୍ୟବସ୍ଥାକୁ ସଚଳ କରିବା ସହ ନିୟମିତ ରକ୍ଷଣାବେକ୍ଷଣ କରିବାକୁ ଦାବି ହୋଇଛି।

ଡିଆଇଜିଙ୍କ ଗସ୍ତ ବେଳେ ଥାନାରେ ମଦ୍ୟପଙ୍କ ଉତ୍ପାତ, ନାକେଦମ ପୋଲିସ

ନନ୍ଦିଘୋଷ ବ୍ୟୁରୋ : ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ଥର ପାଇଁ ବଲାଙ୍ଗୀର ଗସ୍ତ କରି ଆଇନଶୃଙ୍ଖଳାର ତଦାରଖ କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଚରଣ ସିଂ ମୀନା । ଆଗକୁ ପାର୍ବଣ ଥିବାରୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଇନଶୃଙ୍ଖଳା ପରିସ୍ଥିତି ସହ କେସ ପେଣ୍ଡିଂକୁ ନେଇ ସମୀକ୍ଷା କରିବା ପରେ ବଲାଙ୍ଗୀର ଟାଉନ୍ ଥାନାରେ ପହଞ୍ଚି ତଦାରଖ କରିଛନ୍ତି । ଡିଆଇଜି ଟାଉନ୍ ଥାନାରେ ତଦାରଖ କରୁଥିବା ସମୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଣେ ମଦ୍ୟପ ଟାଉନ୍ ଥାନାରେ ଦୀର୍ଘ ସମୟ ଧରି ପାଟିତୁଣ୍ଡ କରିବା ସହ ଉତ୍ପାତ କରିବା ଯୋଗୁଁ ପୋଲିସ କର୍ମଚାରୀକୁ ନାକେଦମ ହେବାକୁ ପଡ଼ିଥିଲା  । ମଦ୍ୟପ ଜଣଙ୍କ ତାଙ୍କୁ କେହି ଆକ୍ରମଣ କରିଥିବା ନେଇ ଥାନାକୁ ଏତଲା ଦେବାକୁ ଆସିଥିବା ବେଳେ ଡିଆଇଜିଙ୍କ ଗସ୍ତ ଯୋଗୁ ପୋଲିସ ଅଧିକାରୀଙ୍କ ଠୁ ଆରମ୍ଭ କରି କନେଷ୍ଟବଳ ପର୍ଯ୍ୟନ୍ତ ଡିଆଇଜିଙ୍କ ସୁରକ୍ଷାରେ ଥିବା ବେଳେ ମଦ୍ୟପଙ୍କ ଅଭିଯୋଗ କେହି ଶୁଣିନଥିଲେ  । ଯାହାକୁ ନେଇ ମଦ୍ୟପ ଜଣଙ୍କ ଶେଷରେ ଟାଉନ୍ ଥାନା ପରିସରରେ ପାଟିତୁଣ୍ଡ କରିବା ସହ ଉତ୍ପାତ ମଚାଇଥିଲେ ।

ଷଣ୍ଢ ଉପଦ୍ରବରେ ଅତିଷ୍ଠ ଚାଷୀ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୃଷକ ସଂଗଠନ

ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ନବନିର୍ମାଣ କୃଷକ ସଂଗଠନ। ଷଣ୍ଢମାନଙ୍କ ଉପଦ୍ରଵ ପ୍ରତିବାଦରେ ଦ୍ବାରସ୍ତ। ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟଙ୍କ ନେତୃତ୍ୱରେ ଚାଷିମାନେ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଫସଲ କ୍ଷେତରେ ଷଣ୍ଢ,ମାଙ୍କଡ଼ ଓ ବାରାହା ମାନଙ୍କ ଉପଦ୍ରବ ବଢ଼ିଚାଲିଛି। ଯାହାକୁ ନେଇ ଚାଷୀ ମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଚାଷ ଜମିରେ ଫସଲ ନଷ୍ଟ ହେବା ଫଳରେ ବହୁ କ୍ଷତି ସହୁଛନ୍ତି ଚାଷିକୂଳ। ଏ ନେଇ ଏକ ଚାଷୀ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଏହାର ପ୍ରତିକାର ଦାବି କରିବା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।