spot_img
Home Blog Page 1392

ଗୁଗଲ ଉପରେ ରୁଷିଆ ଲଗାଇଲା ୨ ଡେସିଲିୟନ ଜରିମାନା, ବିଶ୍ବ ଅର୍ଥନୀତିଠାରୁ କାହିଁ କେତେ ଗୁଣ ଅଧିକ

ମସ୍କୋ: ଦୁଇ ବର୍ଷରୁ ଅଧିକ ହୋଇଗଲା ଚାଲିଛି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଆଉ ଏହାରି ଭିତରେ ରୁଷିଆର ସରକାରୀ ଚ୍ୟାନେଲକୁ ବ୍ଲକ କରି ଦେଇଛି ୟୁଟ୍ୟୁବ । ରୁଷିଆ ସରକାରୀ ଚ୍ୟାନେଲକୁ ଆପଣ ୟୁଟ୍ୟୁବରେ ଦେଖିପାରୁନାହାନ୍ତି । ଯେଉଁଥିପାଇଁ ୟୁ-ଟ୍ୟୁବରର ମୂଳ କମ୍ପାନୀ ଗୁଗଲ ଉପରେ ଜରିମାନା ଲଗାଇଛି ରୁଷିଆ । ଶହେ କି ଦୁଇ ଶହ କି ଲକ୍ଷେ ଡଲାର ନୁହେଁ ୨ ଡେସିଲିୟନ ଡଲାର ଜରିମାନା ଲଗାଇଛି ଗୁଗଲ ।

ଏବେ ଭାବୁଥିବେ ମିଲିୟନ, ଟ୍ରିଲିୟନ କଥା ଶୁଣିଛନ୍ତି । ଏହି ଡେସିଲିୟନର ମୂଲ୍ୟ କେତେ । ଆଜ୍ଞା ଡେସିଲିୟନର ମୂଲ୍ୟ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଆପଣଙ୍କ ମୁଣ୍ଡ ଚକ୍କର କାଟିବ । କାରଣ ଡେସିଲିୟନରେ ଆପଣ ଜିରୋ ଗଣି ଗଣି ହାଲିଆ ହୋଇଯିବେ । ଆଜ୍ଞା ହଁ ବହୁ ଲୋକ ଡିସିଲିୟନ ଶବ୍ଦ ପ୍ରଥମ ଥର ପାଇଁ ଶୁଣିଥିବେ । କାରଣ, ସାରା ବିଶ୍ବର ଅର୍ଥନୀତି ମିଶିଲେ ବି ୧ ଡେସିଲିୟନ ହେବ ନାହିଁ ।

ଆପଣଙ୍କୁ କହି ରଖୁଛୁ, ୧ ଡେସିଲିୟନ ମାନେ ହେଲେ ୧ରେ ୩୪ଟି ଶୂନ । ଗୁଗଲକୁ ରୁଷିଆ ଫାଇନ କରିଛି ୨ ଡେସିଲିୟନ । ମାନେ ୨ରେ ଲାଗିବ ୩୪ଟି ଶୂନ। ଗୁରୁତ୍ବପୂର୍ଣ୍ଣ କଥା ହେଲେ ଗୁଗଲ କ’ଣ, କୌଣସି ଦେଶ ପାଖରେ ଏତେ ଅର୍ଥ ନାହିଁ । ଏପରିକି ଆମେରିକା ପାଖରେ ବି ଏତେ ଅର୍ଥ ନାହିଁ । ଆମେରିକା କ’ଣ, ସାରା ବିଶ୍ଵର ସବୁ ଦେଶର ଅର୍ଥକୁ ଯଦି ମିଶାଣ କରାଯାଏ, ୨ ଡେସିଲିୟନ ହେବନି । ସାରା ବିଶ୍ଵର ଅର୍ଥନୀତିର କାହିଁ କେତେ ଗୁଣ ହେଉଛି ଡେସିଲିୟନ ।

ରୁଷିଆର ନିୟମ ଭାଙ୍ଗିବା ଅଭିଯୋଗରେ ସେଠାକାର ଏକ କୋର୍ଟ ଗୁଗଲକୁ ଏତେ ଅର୍ଥ ଜରିମାନା କରିଛି । ରୁଷିଆର କୋର୍ଟ ଏହା ବି କହିଛନ୍ତି, ଯଦି ଗୁଗଲ ଏହି ଅର୍ଥ ୯ ମାସ ଭିତରେ ନ ଦେବ, ଜରିମାନାର ପରିମାଣ ପ୍ରତିଦିନ ୨ ଗୁଣା ହେବ । କୋର୍ଟ କ’ଣ ବିଚାର କରି ଏତେ ଅର୍ଥ ଜରିମାନା ଲଗାଇଛନ୍ତି, ଏହା ପଛରେ ଲଜିକ୍ କ’ଣ ଅଛି ତାହା ବୁଝି ହେଉନାହିଁ । ସାରା ବିଶ୍ବର ଅର୍ଥନୀତି ମିଶିଲେ ବି ଏତିକି ହେଉ ନଥିବା ବେଳେ ଗୁଗଲ କେଉଁଠୁ ଆଣିବ । ତେବେ ରୁଷିଆର କୋର୍ଟଙ୍କ ଏହି ଜରିମାନା ଏବେ ପୃଥିବୀରେ ଚହଳ ପକାଇଛି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭାରତୀୟ-ଆମେରିକୀୟଙ୍କ ପ୍ରଥମ ପସନ୍ଦ କମଲା ହାରିସ

ଓ୍ବାସିଂଟନ: ନଭେମ୍ବର ୫ ତାରିଖରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶର ଶକ୍ତିଶାଳୀ ପ୍ରତିନିଧି ପାଇଁ ହେବାକୁ ଯାଉଛି ନିର୍ବାଚନ । ଆମେରିକାରେ ନଭେମ୍ବର ୫ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କ ମଧ୍ଯରେ ଦେଖିବାକୁ ମିଳୁଛି କାଣ୍ଟା କାଣ୍ଟି ଟକ୍କର । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରମୁଖ ଭୂମିକା ନେଉଥିବା ଭାରତୀୟ-ଆମେରିକୀୟଙ୍କୁ ନେଇ ଏବେ ସାରା ବିଶ୍ବରରେ ଚର୍ଚ୍ଚା । କାରଣ ଭାରତୀୟ-ଆମେରିକୀୟଙ୍କ ସମର୍ଥନ ବିନା ମହାଶକ୍ତିଶାଳୀ ଦେଶର ଶକ୍ତିଶାଳୀ ନେତା ହେବା ପ୍ରାୟତଃ ଅସମ୍ଭବ ।

ସୂଚନାଯୋଗ୍ୟ, ଆମେରିକାର ଜନସଂଖ୍ଯା ପ୍ରାୟ ୩୫ କୋଟି ହୋଇଥିବାବେଳେ ଭୋଟରଙ୍କ ସଂଖ୍ଯା ୧୬ କୋଟି ୮୩ ଲକ୍ଷ । ଦେଶରେ ଭାରତୀୟ ଆମେରିକୀୟଙ୍କ ସଂଖ୍ଯା ୫୨ ଲକ୍ଷ ହୋଇଥିବାବେଳେ ଭୋଟରଙ୍କ ସଂଖ୍ଯା ୨୬ ଲକ୍ଷ । ୨୦୧୦ରୁ ୨୦୨୦ ମଧ୍ଯରେ ଭାରତୀୟ-ଆମେରୀକୀୟଙ୍କ ସଂଖ୍ଯା ୫୦ ପ୍ରତିଶତ ବୃଦ୍ଧି ପାଇଥିଲା । ଇତିହାସ ଦେଖିବାକୁ ଗଲେ ଅଧିକାଂଶ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ ଦେଇଆସିଛନ୍ତି ଭାରତୀୟ-ଆମେରିକୀୟ । ଆଉ କମଲା ହାରିସ୍ ଭାରତୀୟ ଆମେରିକରୟ ହୋଇଥିବାରୁ ଏହି ବର୍ଗର ଭୋଟରଙ୍କ ସମର୍ଥନ ଅଧିକ ରହୁଛି । କମଳା ହାରିସଙ୍କ ପୈତୃକ ତାମିଲନାଡୁ ହୋଇଥିବାବେଳେ ଦୀର୍ଘ ଦିନ ତଳୁ ତାଙ୍କ ପରିବାର ଆମେରିକାର ବାସ କରୁଛନ୍ତି । ପୂର୍ବରୁ ହୋଇଥିବା ସର୍ଭେରେ କମଳାଙ୍କୁ ଅଧିକ ଭାରତୀୟ-ଆମେରିକୀୟ ସମର୍ଥନ କରୁଥିବା ଜଣାଯାଇଛି ।

ସେପଟେ ଏହି ବର୍ଗର ଭୋଟ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ରିପବ୍ଲିକାନ ଦଳ ବି ଏହାର ଅର୍ଥନୀତି, ସାମାଜିକ ପ୍ରସଙ୍ଗ, ଭାରତ-ଆମେରିକା ଦ୍ବିପାକ୍ଷିକ ନୀତିକୁ ସେମାନଙ୍କ ସ୍ବାର୍ଥକୁ ପ୍ରଭାବିତ କରିବା ପରି ପରିଚାଳିତ କରିଆସିଛି ।

ବାଣଫୁଟା ପ୍ରଦୂଷଣକୁ ନିୟମନ୍ତ୍ର କରି ଦେଲା ବର୍ଷା

ଭୁବନେଶ୍ବର:ଗତକାଲି ଦୀପାବଳିରେ ବାଣ ଫିଟିବା ଯୋଗୁଁ ବଢ଼ଇ ଯାଇଥିଲା ପ୍ରଦୂଷଣ । ବିଗିଡ଼ି ଯାଇଥିଲା ବାୟୁର ମାନ । ହେଲେ ଆଜି ହୋଇଥିବା ବର୍ଷା ସ୍ଥିତିକୁ ନିୟନ୍ତ୍ରଣ କରିପାରିଛି । ଏଭଳି କହିଛନ୍ତି ରାଜ୍ଯ ପ୍ରଦୂଷଣ ବୋର୍ଡର ସଦସ୍ଯ ସଚିବ କେ. ମୁରୁଗେସନ ।

ସେ କହିଛନ୍ତି, ଗତକାଲି ବାଣ ଫୁଟା ଯୋଗୁଁ ଭୁବନେଶ୍ୱରରେ ବାୟୁ ମାନ-ଏକ୍ଯୁ ଖରାପ ହୋଇଥିଲା । ବୁଧବାର ସକାଳେ ଏହା ୬୦-୭୦ ଏକ୍ଯୁ ଥିଲା । ଯାହା ସନ୍ତୋଷଜନକ ଥିଲା । ସନ୍ଧ୍ୟାରେ ଏହା ବଢ଼ି ଶହେ ଏକ୍ଯୁ ହୋଇଯାଇଥିଲା । ସନ୍ଧ୍ୟାରେ ବାଣ ଫୁଟାରୁ ଏହା ବଢ଼ି ୨୩୦-୨୪୦ ଏକ୍ଯୁ ହୋଇଯାଇଥିଲା । ଆଜି ସକାଳେ ଭୁବନେଶ୍ୱରରେ ବର୍ଷା ହେବାରୁ ଏହା ୧୩୩ ଏକ୍ଯୁକୁ ଖସି ଆସିଥିଲା, ଏହା ଆହୁରି କମିଯିବ ।

ସେପଟେ ବାଲେଶ୍ୱର, ରାଉରକେଲା, ତାଳଚେର ଶହେ ଏକ୍ଯୁ ଉପରେ ଥିଲା । ବାଲେଶ୍ୱର ଓ ରାଉରକେଲାରେ ବାୟୁ ମାନ ବର୍ତ୍ତମାନ ୧୩୦-୧୪୦ ଏକ୍ଯୁ ପାଖରେ ଅଛି । ହେଲେ ତାଳଚେରରେ ଏହା ଢେର ଅଧିକ ୨୫୬ ଏକ୍ଯୁ ଅଛି । ଦିନେ ଦୁଇ ଦିନରେ ଏହା କମିଯିବ ।

ଉତ୍ତର ଭାରତରେ ବାୟୁ ମାନକ ୩ ଶହ ଏକ୍ଯୁ ହୋଇଥିଲା । ଗାଙ୍ଗେୟ ଅଞ୍ଚଳରେ ସ୍ଥିତି ଖରାପ ହେବାରୁ ତାହାର ପ୍ରଭାବ ପଶ୍ଚିମବଙ୍ଗ, ରାଉରକେଲା, ବାଲେଶ୍ୱରରେ ପଡୁଛି । କଟକ ଭଲ ସ୍ଥିତିରେ ଅଛି । ଗତକାଲି ତାଳଚେର ଓ ଭୁବନେଶ୍ୱରରେ ମାତ୍ରା ଅଧିକ ଥିଲା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବାଣଫୁଟା ଗାଇଡଲାଇନ ଜାରି କରାଯାଇଥିଲା । ହେଲେ ଲୋକେ ନ ମାନିଲେ କ’ଣ କରାଯାଇ ପାରିବ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ମୁରୁଗେସନ । ବାଣ ଫୁଟିଲେ ଯଦି ପବନ ବହିବ, ପ୍ରଦୂଷଣ ସ୍ତର କମିଯାଏ । ଦକ୍ଷିଣ ଭାରତର ମଦୁରାଇରେ ପବନ ହୁଏ । ତେଣୁ ବାଣ ଫୁଟାରୁ ପ୍ରଦୂଷଣର ମାତ୍ରା କମ ଥାଏ । ନଭେମ୍ବର ୩ ତାରିଖ ଯାଏଁ ବାୟୁ ସ୍ଥିତି ସମୀକ୍ଷା କରି କେନ୍ଦ୍ରକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ମୁରୁଗେସନ ।

ଇସ୍କନକୁ ଚେତବାନୀ: ଅଦିନିଆ ରଥଯାତ୍ରା ବନ୍ଦ ନକଲେ ମନ୍ଦିର ବନ୍ଦ କରିଦେବୁ

ଭୁବନେଶ୍ବର: ଇସ୍କନ ମନ୍ଦିରର ଅଦିନିଆ ରଥଯାତ୍ରାକୁ ନେଇ ଓଡ଼ିଆଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଇସ୍କନ କର୍ତ୍ତୃପକ୍ଷଙ୍କୁ ଖୋଲା ଚେତବାନୀ ଦେଇଛି କଳିଙ୍ଗ ସେନା । ଓଡ଼ିଆ ସଂସ୍କୃତିକୁ ବଦଳାଇଲେ ଇସ୍କନ ମନ୍ଦିର ବନ୍ଦ କରିଦେବୁ ବୋଲି କହିଛି କଳିଙ୍ଗ ସେନା ।

ଅଦିନିଆ ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ସଙ୍ଗଠନ କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶା ବାହାରେ ବି ଥିବା ଇସ୍କନ ମନ୍ଦିରକୁ ବନ୍ଦ କରିବାକୁ ପ୍ରବାସୀ ଓଡ଼ିଆଙ୍କୁ ଆହ୍ବାନ ଦେଇଛି ।

ବାରମ୍ବାର ଚେତାବନୀ ପରେ ବି ଇସ୍କନ ପ୍ରତିବର୍ଷ ଏହିଭଳି ଅଦିନିଆ ରଥଯାତ୍ରା କରୁଛି । ଚଳିତବର୍ଷ ଯଦି ଇସ୍କନ ଏଭଳି କରେ ତେବେ ଇସ୍କନ ମନ୍ଦିର ଭଙ୍ଗାରୁଜା କରିବାକୁ ପଛାଇବୁ ନାହିଁ ବୋଲି କଳିଙ୍ଗ ସେନା ଚେତାବନୀ ଦେଇଛି ।

ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନକୁ ନେଇ ବିବାଦ ଦେଖାଦେଇଛି । ଆଷାଢ ଶୁକ୍ଳ ଦ୍ୱିତୀୟା ବଦଳରେ ଯେ କୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ସବୁଠି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଇସ୍କନର ଏପରି କାର୍ଯ୍ୟକୁ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ଯ ଅଦିନିଆ ରଥଯାତ୍ରାକୁ ବିରୋଧ କରି ଇସ୍କନକୁ ଚିଠି ଲେଖିଛନ୍ତି ।

ଫେରିଲା ଆମ୍ବ ଟାକୁଆ ଜାଉ କଳଙ୍କ; ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ୍ଯୁ

କନ୍ଧମାଳ: ଫେରିଲା ଆମ୍ବ ଟାକୁଆ ଜାଉ କଳଙ୍କ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କର ମୃତ୍ଯୁ ହୋଇଛି । ଏହାଛଡ଼ା ୬ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ହେଲେ ମାଣ୍ଡିପଙ୍କା ଗାଁର ୩୦ ବର୍ଷୀୟା ରୁନି ମାଝୀ ଓ ୨୮ ବର୍ଷୀୟା ରନିତା ପାଟମାଝୀ । ୬ ଗୁରୁତର ହେଲେ ପ୍ରଭାତୀ ମାଝୀ, ଶୁସନା ମାଝୀ, ଜିତା ମାଝୀ, ଦ୍ରେଙ୍ଗାଲୁ ପାଟମାଝୀ, ଜୀବନ୍ତ ପାଟମାଝୀ ଓ ଟୁନି ମାଝୀ । ଅଭିଯୋଗ ଅନୁସାରେ ଗତ ୨୩ ତାରିଖରେ ୨୦ ପରିବାରର ୩୦ରୁ ଅଧିକ ଲୋକ ପ୍ରଥମେ ଆମ୍ବ ଟାକୁଆ ଜାଉ କରି ଖାଇଥିଲେ । ବଳକା ଟାକୁଆକୁ ଗତ ୨୯ ତାରିଖରେ ପୁଣିଥରେ ଜାଉକରି ଖାଇଥିଲେ ।

ଗତକାଲି ରନିତା ପାଟମାଝୀଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏସକେସିଜିକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଥିଲା । ଆଜି ସକାଳୁ ପୁଣି ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିବାବେଳେ ବାଟରେ ରୁନୁ ମାଝୀଙ୍କର ମୃତ୍ୟୁ ହୋଇଥିଲା । ଏବେ ଅନ୍ଯ ୬ ଜଣ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି । ତହସିଲଦାର ଓ ବିଡିଓ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ଯାନ କରିଛନ୍ତି ।

ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ; ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ । କୌଣସି ଗୁପ୍ତ କୋଠରୀ କି ଗୁପ୍ତ ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହା ସହିତ ମନ୍ତ୍ରୀ କହିଛନ୍ତି, ନୂଆ ବର୍ଷରୁ ରତ୍ନଭଣ୍ଡାରର ଗଣତିମଣତି କରାଯିବ । ଖୁବଶୀଘ୍ର ଚୂଡ଼ାନ୍ତ ଜିପିଆର ସର୍ଭେ ରିପୋର୍ଟ ଆସିବ । ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ ସୁଡ଼ଙ୍ଗ କିମ୍ବା କୋଠରୀ ନଥିବା ଜଣାପଡ଼ିଛି । ଅନ୍ଯପଟେ ରତ୍ନଭଣ୍ଡାରରେ ଫାଟ ରହିଥିବା ସ୍ପଷ୍ଟ ହୋଇଛି । କାର୍ତ୍ତିକ ମାସ ପରେ ମାସେ ଧରି ରତ୍ନଭଣ୍ଡାରର ମରାମତି କାମ କରାଯିବ । ଏହାପରେ ଅଳଙ୍କାର ଗଣତି ହୋଇ ପୁରୁଣା ତାଲିକା ସହ ମେଳ କରାଯିବା ସହ ସପ୍ତାହେ ଭିତରେ ରିପୋର୍ଟ ପ୍ରକାଶ ପାଇବ ।

ଜୁଲାଇ ୧୪ ତାରିଖରେ ପ୍ରଥମେ ରତ୍ନଭଣ୍ଡାର ଖୋଲାଯାଇଥିଲା। ୧୧ଜଣିଆ ପ୍ରତିନିଧି ଦଳ ଭିତରକୁ ଯାଇଥିଲେ ହେଁ ସିନ୍ଦୁକ ଓ ଆଲମିରା ଖୋଲିନଥିଲେ। ତେଣୁ ଜୁଲାଇ ୧୮ ତାରିଖରେ ପୁନର୍ବାର ଭିତର ରତ୍ନଭଣ୍ଡାର ଖୋଲାଯାଇ ୩ଟି ସିନ୍ଦୁକ ଓ ୪ଟି ଆଲମାରିରେ ଥିବା ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ଏହା ମଧ୍ୟରେ ତିନିଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି। ରତ୍ନଭଣ୍ଡାରର ଅଳଙ୍କାର ଖଟଶେଜ ଘର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇ ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି । ସେପ୍ଟେମ୍ବର ୨୧ ତାରିଖରୁ ASI ନିରୀକ୍ଷଣ କାର୍ଯ୍ଯ କରିଥିଲା । ଲେଜର ସ୍କାନିଂ ଓ ରାଡାର ସର୍ଭେ କରାଯାଇଥିଲା ।

ବାଣ ଫୁଟାଇବା ଯୋଗୁଁ ବଢ଼ିଲା ପ୍ରଦୂଷଣ !

ନନ୍ଦିଘୋେଷ ବ୍ୟୁରୋ: ଦିଲ୍ଲୀବାସୀ ମାନିଲେନି। କଟକଣା ସତ୍ତ୍ଵେ ଗତକାଲି ମନଇଚ୍ଛା ବାଣ ଫୁଟାଇଲେ। ତାର ପରିଣାମ ଆଜି ଦେଖିବାକୁ ମିଳିଛି। ଆଜି ସକାଳୁ ଦିଲ୍ଲୀରେ ବାୟୁର ମାନ ଅତି ଖରାପ ସ୍ତରକୁ ଖସିଛି। ଭୟଙ୍କର ପ୍ରଦୂଷଣ। ବାୟୁର ମାନ ମନିଟରିଂ କରୁଥିବା ୪୦ଟି ସ୍ଥାନ ମଧ୍ୟରୁ ଅଧିକ ଜାଗାରେ ବାୟୁ ଅତି ଖରାପ ବୋଲି କୁହାଯାଇଛି। ଏପରି ସ୍ଥିତି ଯେ, ଆଜି ସକାଳୁ ଦିଲ୍ଲୀ ପ୍ରବଳ ଧୂଆଁର ଆସ୍ତରଣ ଭିତରେ ରହିଥିଲା। ସକାଳେ ଦିଲ୍ଲୀରେ ଏୟାର କ୍ଵାଲିଟି ଇନଡେକ୍ସ ଥିଲା ୩୬୦ । ଏହାକୁ ଅତି ଖରାପ ବୋଲି କୁହାଯାଇଥାଏ।

ଏପରିକି ଆନନ୍ଦ ବିହାର ଓ ଆରକେ ପୁରମ ଅଞ୍ଚଳରେ ସ୍ଥିତି ଆହୁରି ସାଂଘାତିକ। ଏଠାରେ AIQ ରହିଛି ୩୯୫। ସୋନିଆ ବିହାର, ପଂଜାବୀ ବାଗ, ନର୍ଥ କ୍ୟାମ୍ପସ, ବାୱାନା, ଜାହାଙ୍ଗିରପୁରୀ, ରୋହିନୀ, ଅଶୋକ ନଗର, ନେହରୁ ନଗର ଅଞ୍ଚଳରେ ବି ୩୮୦ରୁ ଅଧିକ ରହିଛି। ଏପରି ବାୟୁ ପ୍ରଦୂଷଣ ମଣିଷର ସ୍ଵାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାରକ। ଯଦି କାହାର ଶ୍ଵାସଗତ କିମ୍ଵା ଛାତି ରୋଗ ଅଛି, ତା ପାଇଁ ଆହୁରି ସଂଗୀନ। ଶୀତ ଦିନେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ହୋଇଥାଏ। ପଂଜାବ ଓ ହରିୟାଣାରେ ଏହି ସମୟରେ ନଡ଼ା ପୋଡ଼ି ଯୋଗୁଁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଆହୁରି ବଢ଼ିଥାଏ।

କାନ୍ତାରା ଷ୍ଟାରଙ୍କ ହନୁମାନ ଲୁକ୍ ଦେଖି ଫ୍ୟାନ୍ସ କହିଲେ ‘ଜୟ ଶ୍ରୀରାମ’

ନନ୍ଦିଘୋଷ ବ୍ୟୁରୋ: ଦୀପାବଳି ଅବସରରେ ବ୍ଲକବଷ୍ଟର ଫିଲ୍ମ ‘ଜୟ ହନୁମାନ’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ଏହି ପୋଷ୍ଟରକୁ ସେୟାର କରି ପ୍ରଶଂସକଙ୍କ ମନରେ ଉତ୍ସାହ ବଢାଇଦେଇଛନ୍ତି । ପୋଷ୍ଟରକୁ ଦେଖିବା ପରେ କେବେ ସିନେମା ରିଲିଜ ହେବ ଏନେଇ ଚାତକ ଭଳି ଚାହିଁ ବସିଛନ୍ତି ପ୍ରଶଂସକ  ।

ପୋଷ୍ଟରରେ କାନ୍ତାରା ଫିଲ୍ମର ହିରୋ ଋଷଭ ସେଟ୍ଟୀଙ୍କୁ ଦେଖିବାକୁ ମିଳିଛି । ଋଷଭ ସେଟ୍ଟୀ ହନୁମାନଙ୍କ ବେଶରେ ଥିବା ବେଳେ ମୁଣ୍ଡରେ ତିଲକ ଲଗାଇଛନ୍ତି ଏବଂ ହାତରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିକୁ ଜାବୁଡି ଧରିଥିବାର ଦେଖିବାକୁ ମିଳିଛି । ସିନେମାଟି ପ୍ରସିଦ୍ଧ ପୌରାଣିକ ସୁପରହିରୋଙ୍କ ଜୀବନ ଉପରେ ଆଧାରିତ ଥିବାରୁ ଏହା ଦର୍ଶକଙ୍କୁ ଏକ ସୁନ୍ଦର ଅନୁଭୂତି ଦେବ । ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମାଙ୍କ ଫିଲ୍ମ ‘ହନୁମାନ’ ବ୍ଲକବ୍ଲଷ୍ଟର ହୋଇଥିବା ବେଳେ ଏହାର ସ୍ବିକେଲ ମଧ୍ୟ ବ୍ଲକବଷ୍ଟର ହେବ ସନ୍ଦେହ ନାହିଁ ।

ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ପୋଷ୍ଟରକୁ ସେୟାର କରିବା ସହିତ ପୋଷ୍ଟରେ ଲେଖିଛନ୍ତି “ବଚନଂ ଧର୍ମସ୍ୟ ରକ୍ଷଣଂ”। ଅର୍ଥାତ୍‌‌ ତ୍ରେତୟା ଯୁଗରେ କରାଯାଇଥିବା ଏକ ପବିତ୍ର ପ୍ରତିଜ୍ଞା କଳିଯୁଗରେ ରକ୍ଷା କରାଯିବ। ଯେବେଠୁ ପ୍ରଶାନ୍ତ ବର୍ମାଙ୍କ ଫିଲ୍ମ ‘ହନୁମାନ’ର ସ୍ବିକେଲ  ‘ଜୟ ହନୁମାନ’ ଆସିବାର ଘୋଷଣା ହେଇଛି ସେବେଠୁ ସମସ୍ତଙ୍କ ନଜର ଫିଲ୍ମର ରିଲିଜ ଡେଟ ଉପରେ ରହିଛି ।

କର୍ଣ୍ଣାଟକ ସରକାରଙ୍କୁ ଖଡଗେଙ୍କ ପରାମର୍ଶ, ପୂରଣ କରି ପାରିବ ଯଦି ପ୍ରତିଶ୍ରୁତି ଦିଅ

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି କର୍ଣ୍ଣାଟକ ସରକାର । ଏହାରି ଭିତରେ ନିଜ ଦଳର ନେତା ଓ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ, ଯେତିକି ଦେଇପାରିବ ସେତିକି ଗ୍ୟାରେଣ୍ଟି ଦିଅ । ନହେଲେ ଅଳ୍ପଦିନରେ ସରକାର ଦେବାଳିଆ ହେଇଯିବ ।

ବାସ୍ତବରେ ଖଡଗେ ନିର୍ବାଚନ ଅଭିଯାନରେ କଂଗ୍ରେସର ଘୋଷଣାପତ୍ର ବିଷୟରେ ଆଲୋଚନା କରୁଥିଲେ ।ଯେଉଁଥିରେ ସେ କଂଗ୍ରେସର ୫ଗ୍ୟାରେଣ୍ଟି ବିଷୟରେ ଆଲୋଚନା କରିଥିଲେ । ସେ କହିଛନ୍ତି ନିର୍ବାଚନ ସମୟରେ କର୍ଣ୍ଣାଟକରେ କଂଗ୍ରେସ ସରକାର ୫ଗ୍ୟାରେଣ୍ଟିର କଥା ଦେଇଥିଲେ । ହେଲେ ଏବେ ଗୋଟିଏ ଗ୍ୟାରେଣ୍ଟିକୁ ରଦ୍ଦ କରିବାକୁ କହୁଛନ୍ତି । ଆପଣ ବୋଧହୁଏ ଖବରକାଗଜ ପଢୁନାହାନ୍ତି ହେଲେ ମୁଁ ପଢୁଛି । ସେଥିପାଇଁ କହୁଛି ଆପଣ ଦେଇଥିବା ଗ୍ୟାରେଣ୍ଟିକୁ ମହାରାଷ୍ଟ୍ର ନିର୍ବାଚନରେ ମଧ୍ୟ ବ୍ୟବହାର କରାଯାଉଛି । ତେଣୁ ୫,୬ କିମ୍ବା ୭ ଗ୍ୟାରେଣ୍ଟି ଦେବା ବଦଳରେ, ଆପଣଙ୍କ ବଜେଟ୍ ଅନୁସାରେ ଜନତାଙ୍କୁ ଗ୍ୟାରେଣ୍ଟି ଦିଅନ୍ତୁ ।

ଏହା ସହିତ କଂଗ୍ରେସ ସରକାରକୁ ଭର୍ସନା କରି ଖଡଗେ କହିଛନ୍ତି ଯଦି ଆପଣମାନେ ବଜେଟକୁ ଅନୁଧ୍ୟାନ ନକରି ଜନତାଙ୍କୁ ଗ୍ୟାରେଣ୍ଟି ଦେଉଛନ୍ତି ତାହେଲେ ସରକାର ଖୁବଶୀଘ୍ର ଦେବାଳିୟା ସ୍ଥିତିକୁ ପଳେଇଯିବ । ଏମିତି ଅବସ୍ଥା ଆସିଯିବ ଯେ, ରାସ୍ତାରେ ବାଲି ପକେଇବାକୁ ମଧ୍ୟ ପଇସା ନଥିବ । ଯଦି ଏହି ସରକାର ଅସଫଳ ହୁଏ ତାହେଲେ ଆଗାମୀ ପିଢୀ ଉପରେ ଏହାର ପ୍ରଭାବ ପଡିବ । ଏନେଇ ସରକାର ବଦନାମ ହେବେ ଏବଂ ଆଗାମୀ ଦଶବର୍ଷ ପର୍ଯ୍ୟନ୍ତ ସରକାରଙ୍କୁ ଏହାର ପ୍ରଭାବର ସାମ୍ନା କରିବାକୁ ପଡିବ । ତେଣୁ ବଜେଟକୁ ସାବାଧାନତା ସହ ବିଚାର କରିବା ଉଚିତ୍ ।

ଏହାସହିତ ଖଡଗେ ସୂଚନା ଦେଇଛନ୍ତି କି, ରାହୁଲ ଗାନ୍ଧୀ କହିଛନ୍ତି ବଜେଟ ଅନୁଯାୟୀ ମହାରାଷ୍ଟ୍ରରେ ଗ୍ୟାରେଣ୍ଟି ଘୋଷଣା କରାଯିବ ।୧୫ଦିନର ବିଚାର ବିମର୍ଷ କରି ଘୋଷଣାପତ୍ର ଲେଖାଯାଇଛି ।  ଖୁବଶୀଘ୍ର ଆମେ ନାଗପୁର ଏବଂ ମୁମ୍ବାଇରେ ଏହାର ଖୁଲାସା କରିବୁ ।

ସୂଚନାନୁଯାୟୀ କର୍ଣ୍ଣାଟକରେ କଂଗ୍ରେସ ସରକାର ୫ଟି ଗ୍ୟାରେଣ୍ଟି ଦେଇଥିଲା । ଯଦି ସବୁ ଗ୍ୟାରେଣ୍ଟିକୁ ସରକାର ପୂରଣ କରନ୍ତି ତାହେଲେ କର୍ଣ୍ଣାଟକରେ ରାଜସ୍ବ କ୍ଷତି ୬୦ହଜାର କୋଟିରୁ ବୃଦ୍ଧି ପାଇ ୧ଲକ୍ଷ ୧୪ହଜାରକୋଟିରେ ପହଞ୍ଚିବ । ଯାହା ରାଜ୍ୟରୁ ମୋଟ ବଜେଟର ୨୧ପ୍ରତିଶତ ଅଟେ । ବର୍ତ୍ତମାନ କର୍ଣ୍ଣାଟକ ଉପରେ ୫ଲକ୍ଷ କୋଟି ଟଙ୍କାର ଋଣଭାର ଅଛି । ଏପରିସ୍ଥିତରେ ସବୁ ଗ୍ୟାରେଣ୍ଟି ପୂରଣ କରିବା ଅସମ୍ଭବ  ।

 

ଆଜି ଶ୍ରୀମନ୍ଦିରରେ ବଡବଡୁଆ ଡାକ

ପୁରୀ: ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ। ଏହାସହ ଅମାବାସ୍ୟା ନୀତି ଅନୁଷ୍ଠିତ ହେବ। ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ଜାଳିବେ। ପଞ୍ଜିକା ମଧ୍ୟରେ ଅସମାନତା କାରଣକୁ ଗତକାଲି କିଛି ଦୀପାବଳି ପାଳନ କରିଥିବାବେଳେ ଆଜି କିଛି ପାଳନ କରୁଛନ୍ତି। ଗତକାଲି କିଛି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଥିବାବେଳେ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି।

ଶ୍ରୀମନ୍ଦିରରେ ଦୀପାବଳି ପାଳନ ସାଙ୍ଗକୁ କାର୍ତ୍ତିକରେ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ ଜଣ ଅତିରିକ୍ତ ଏସପି,୧୧ ଡିଏସପି, ୧୮ ଇନ୍ସପେକ୍ଟରଙ୍କ ସହ ୨୬ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି।ଗତକାଲି ରାଜ୍ୟରେ ଅନ୍ୟ ଅଂଚଳରେ ଦୀପାବଳି ପାଳନ ହୋଇଥିବାବେଳେ ଆଜି ପୁରୀରେ ପାଳନ କରାଯିବ।