spot_img
Home Blog Page 1353

ଆଜି ୱାଇନାଡ ଉପନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ପ୍ରିୟଙ୍କା ଗାନ୍ଧୀ

ୱାଇନାଡ: ଆଜି କେରଳ ୱାୟନାଡରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଭାଗ୍ଯ ପରୀକ୍ଷା। ପ୍ରିୟଙ୍କାଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ନବ୍ଯା ହରିଦାସ। ସେ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅଛନ୍ତି। ତେଣେ ଇଣ୍ଡି ମେଣ୍ଟକୁ ଅଗ୍ରାହ୍ୟ କରି ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ସିପିଆଇ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଦଳର ସାଧାରଣ ସମ୍ପାଦକ ସଥ୍ୟନ ମୋକେରି ।

ଶାସକ ଏଲଡିଏଫ ପକ୍ଷରୁ ସେ ପ୍ରାର୍ଥୀ ହୋଇଛନ୍ତି । ୧୯୮୭ରୁ ୨୦୦୧ ଯାଏ ନାଦାପୁରମ ବିଧାନସଭା କ୍ଷେତ୍ରରୁ ତିନିଥର ବିଧାୟକ ଥିଲେ ମେକେରି । ସେ ବି ଜଣେ ଚାଷୀ ନେତା । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ସିପିଆଇର ଆନ୍ନି ରାଜାଙ୍କୁ ୩ ଲକ୍ଷ ୬୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

ପଞ୍ଚକ ବ୍ରତର ଆଜି ଦ୍ଵିତୀୟ ଦିନରେ ବାଙ୍କଚୁଡା ବେଶରେ ଦର୍ଶନ ଦେବେ ମହାପ୍ରଭୁ

0

ପୁରୀ: ପବିତ୍ର କାର୍ତ୍ତିକ ମାସ ପଞ୍ଚକ ବ୍ରତର ଆଜି ଦ୍ଵିତୀୟ ଦିନ। ବାଙ୍କଚୁଡା ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଧର୍ମମାସ କାର୍ତ୍ତିକର ପଞ୍ଚକ ବ୍ରତ ଚାଲିଥିବାରୁ ପୁରୀରେ ହଜାର ହଜାର ସଂଖ୍ଯାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ବ୍ଯାରିକେଡ ଦେଇ ସିଂହଦ୍ଵାରରେ ମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ।

ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମରିଚିକୋଟ ଛକରୁ ହୋଇଛି ବ୍ୟାରିକେଡ଼ । ମାର୍କେଟ ଛକ ଠାରୁ ନୋ ଭେଇକିଲ ଜୋନ । ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଲାଇଫଗାର୍ଡଙ୍କ ସହ ପୋଲିସ ମୁତୟନ କରାଯାଇଛି। ଗତକାଲି ପ୍ରବଳ ଭିଡ଼ ଥିବାରୁ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଠେଲାପେଲା ହୋଇଥିଲା। ପତିତପାବନ ବ୍ୟାରିକେଡ୍‌ ନିକଟରେ ଠେଲାପେଲା ହୋଇଥିଲେ ଭକ୍ତ। ପ୍ରଶାସନ ଓ ପୋଲିସ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଭକ୍ତଙ୍କ ପ୍ରବେଶ ଉପରେ ନିୟନ୍ତ୍ରଣ ନଥିବାରୁ ସେଠାରେ ଠେଲାପେଲା ହୋଇଥିଲା।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ

ରାଞ୍ଚି: ଆଜି ଝାଡ଼ଖଣ୍ଡ ଭୋଟ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ। ମୋଟ ୮୧ ଆସନରୁ ପ୍ରଥମ ପର୍ଯ୍ୟାୟରେ ୪୩ ଆସନରେ ହେଉଛି ମତଦାନ। ମଇଦାନରେ ଅଛନ୍ତି ୬୮୩ ପ୍ରାର୍ଥୀ। ଜମସେଦପୁର ପଶ୍ଚିମରେ ସର୍ବାଧିକ ୨୮ ଜଣ ପ୍ରାର୍ଥୀ ଅଛନ୍ତି। ଜଗନ୍ନାଥପୁରରେ ଅଛନ୍ତି ସବୁଠୁ କମ୍ ୮ ଜଣ ପ୍ରାର୍ଥୀ। ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବାବେଳେ ସଂଧ୍ଯା ୬ଟା ପର୍ଯ୍ୟନ୍ତ ଏହା ଚାଲିବ। ଝାଡ଼ଖଣ୍ଡର ୧୫ ଜିଲ୍ଲାର ୪୩ ଆସନରେ ଭୋଟଗ୍ରହଣ ହେଉଛି।

ପ୍ରଥମ ପର୍ଯ୍ୟାୟ ଲାଗି ଝାଡ଼ଖଣ୍ଡରେ ୨ କୋଟି ୬୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ୬୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୦୯ ପୁରୁଷ ଏବଂ ୭୩ ଜଣ ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୩୫ ପ୍ରାର୍ଥୀ କୋଟିପତି ରହିଛନ୍ତି। ଯେଉଁଠିକି ୧୭୪ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ଭୋଟିଂ ଲାଗି ୨୯ ହଜାର ୫୬୨ ବୁଥ କରାଯାଇଛି। ୪୩ ଆସନ ମଧ୍ୟରୁ ୧୭ ସାଧାରଣ ବର୍ଗ, ୨୦ ଆସନ ଅନୁସୂଚିତ ଜନଜାତି ଏବଂ ୬ ଆସନ ଅନୁସୂଜିତ ଜାତି ବର୍ଗର ରହିଛି।୨୦ ହଜାର ୨୮୧ ସ୍ଥାନରେ ଏହି ସବୁ ବୁଥ ରହିଛି। ସହରାଞ୍ଚଳରେ ୫ ହଜାର ୪୨ ବୁଥ ରହିଛି। ୨୪ ହଜାର ୫୨୦ ବୁଥ ଗ୍ରାମାଞ୍ଚଳରେ ରହିଛି। ୪୩ ଆସନ ମଧ୍ୟରୁ ୨୯ ଆସନ ସମ୍ବେଦନଶୀଳ କ୍ଷେତ୍ର ଘୋଷଣା କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଷଢ଼େଇକଳାରୁ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନ । ଘଟଶିଳାରୁ ଲଢୁଛନ୍ତି ଚମ୍ପାଇଙ୍କ ପୁଅ ବାବୁଲାଲ ସୋରେନ। ପୋଟକାରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା। ଜାମସେଦପୁର ପୂର୍ବ ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର। ସେହିପରି ଜଗନ୍ନାଥପୁର ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା । ରାଞ୍ଚିରୁ ଲଢୁଛନ୍ତି ଜେଏମଏମ ହେଭିୱେଟ ମହୁଆ ମାଝୀ।

ରାଜ୍ୟରେ ମୋଟ ୨ କୋଟି ୬୦ ଲକ୍ଷରୁ ଅଧିକ ଭୋଟର୍ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ କୋଟି ୩୧ ଲକ୍ଷ ପୁରୁଷ ଓ ୧ କୋଟି ୨୯ ଲକ୍ଷ ହେଉଛନ୍ତି ମହିଳା ଭୋଟର। ନଭେମ୍ଵର ୨୦ରେ ହେବ ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ୨୩ରେ ଅଛି ଗଣତି। ୨୦୧୯ବିଧାନସଭା ନିର୍ବାଚନରେ ଜେଏମମ-କଂଗ୍ରେସ-ଆରଜେଡି ମେଣ୍ଟ ୮୧ଟି ଆସନରୁ ୪୭ଟି ଆସନରେ ବିଜୟୀ ହୋଇଥିଲେ। ଜେଏମଏମକୁ ୩୦ଟି, କଂଗ୍ରେସକୁ ୧୬ଟି ଓ ଆରଜେଡିକୁ ଗୋଟିଏ ଆସନ ମିଳିଥିଲା। ବିଜେପି ଏକାକୀ ନିର୍ବାଚନ ଲଢ଼ି ୨୫ଟି ଆସନ ପାଇଥିଲା।

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟର କନିଷ୍ଠ କିରାଣି

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟର କନିଷ୍ଠ କିରାଣି ପ୍ରଦୀପ୍ତ କୁମାର ସାହୁ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଚମ୍ପାଝର ଏମଇ ସ୍କୁଲର ପୂର୍ବତନ ଶିକ୍ଷୟିତ୍ରୀଙ୍କ ଇନକ୍ରିମେଣ୍ଟ ଏରିୟର ଟଙ୍କା କରାଇ ଦେବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ୬ ହଜାର ଟଙ୍କାରେ ରାଜି ହୋଇଥିଲେ। ଏନେଇ ଖୋର୍ଦ୍ଧା ଭିଜିଲାନ୍ସ କାର୍ଯ୍ଯାଳୟରେ ଅଭିଯୋଗ କରିଥିଲେ ପୂର୍ବତନ ଶିକ୍ଷୟିତ୍ରୀ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଜାଲ ବିଛାଇଥିଲା। ଆଜି ରାତି ୯ଟାରେ ପୂର୍ବ ଯୋଜନା ମୁତାବକ ଡିଇଓ କାର୍ଯ୍ଯାଳୟ ପରିସରରେ ଲାଞ୍ଚ ନେଉଥିବା ବେଳେ ବାହାରେ ଛକିଥିବା ଭିଜିଲାନ୍ସ ଟିମ ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଲାଞ୍ଚ ଟଙ୍କା ଜବତ କରିଥିଲା। ପ୍ରଦୀପ୍ତଙ୍କୁ ଗିରଫ କରି ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ଯାଳୟକୁ ଅଣାଯାଇଛି। ଏନେଇ ଭୁବନେଶ୍ବର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗିରଫ ସହ ଅଫିସରୁ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।

ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ ‘ମଧୁର ସଂସାର’ର କାହାଣୀରେ ନୂଆ ମୋଡ

ନନ୍ଦିଘୋଷ ବ୍ୟୁରୋ: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖି ଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ତ୍ୱ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରିପାରନ୍ତି। ଯାହା ଦ୍ୱାରା ଜୀ ସାର୍ଥକ ସାଜିଛି ଲୋକଙ୍କର ପ୍ରଥମ ପସନ୍ଦର ମନୋରଞ୍ଜନ ଚ୍ୟାନେଲ । ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ନୂଆ ବର୍ଷରୁ ଆରମ୍ଭ ହୋଇଥିଲା ମେଗା ଧାରାବାହିକ ‘ମଧୁର ସଂସାର’ ଯାହାକୁ ମିଳିଛି ଅଶେଷ ଭଲ ପାଇବା। ଏବେ କାହାଣୀରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ।

କିଛି ଦିନ ପୁର୍ବରୁ ମଧୁ ହିଁ ବନିତା ମିଶ୍ର ବୋଲି ବଡ଼ ସତ୍ୟ ସାମନାକୁ ଆସିବାପରେ ସୁଲେଖା ମଧୁକୁ ବିବାହ ବିଚ୍ଛେଦ ପାଇଁ ତିନି ମାସର ସମୟ ଦେଇଛି। ମଧୁ ନିଜ ସଂପର୍କ ଓ ପରିବାରର ରକ୍ଷା ପାଇଁ ଦୃଢ଼ ସଂକଳ୍ପବଦ୍ଧ ଏବଂ ଇଶାର ସବୁ କୁଚକ୍ରାନ୍ତକୁ ସାମନା କରିବାକୁ ସେ ପ୍ରସ୍ତୁତ। ଅନ୍ୟ ପକ୍ଷରେ ରୂପାଲୀ ଓ ଶ୍ରେୟସଙ୍କ ନୂଆ ସମ୍ପର୍କ ଦେଖି ମଧୁ ନିଜ ସାଙ୍ଗକୁ କିଛି ଉଚିତ୍ ମନ୍ତବ୍ୟ ଓ ଉପଦେଶ ଦେଇଛି ଯାହାଦ୍ଵାରା ତାଙ୍କ ସଂପର୍କ ଆହୁରି ନିବିଡ଼ ହୋଇପାରିବ।

ତେବେ ମଧୁ ନିଜ ବିବାହ ବନ୍ଧନକୁ ବଞ୍ଚେଇପାରିବ କି ନାହିଁ ? ଶ୍ରେୟସଙ୍କ ପ୍ରେମ କାହାଣୀ ଖୁସିରେ ଭରିବ ତ ? ଏ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବାକୁ ଦେଖନ୍ତୁ ପ୍ରତ୍ୟେକ ସୋମବାର ରୁ ଶନିବାର ସନ୍ଧ୍ୟା ୭ଟାରୁ ମେଗା ଧାରାବାହିକ “ମଧୁର ସଂସାର” ଏବଂ ଧାରାବାହିକ ସହିତ ଯୋଡି ହୋଇ ରୁହନ୍ତୁ ବୋଲି ଅନୁରୋଧ କହିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ ।

ଓଡ଼ିଶା ଉପରେ ପଡ଼ୋଶୀ ଆଖି, ସଂକଟରେ ଓଡ଼ିଶା ସୀମା ଓ ଓଡ଼ିଆ ଭାଷା

ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର କହି କହି ମଧ୍ୟ ସୀମା ବିବାଦର ସମାଧାନ ନେଇ କିଛି ପଦକ୍ଷେପ ନିଆଗଲା, ନା ଭାଷାର ସୁରକ୍ଷା ପାଇଁ । ରାଜ୍ୟ ସରକାରଙ୍କ ଏଭଳି ଉଦାସୀନ ମନୋଭାବ ପରେ ଏବେ ଉତ୍କଳ ସମ୍ମିଳନୀ ନିଜେ ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି । ଏସବୁ ବିଷୟରେ ଆଲୋଚନା ପାଇଁ ବାରମ୍ବାର ଦାବି ସତ୍ତ୍ବେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ସମୟ ଦେଲେ ନାହିଁ। ଯାହାକୁ ନେଇ ଘୋର ସମ୍ମିଳନୀ ଅସନ୍ତୋଷ ଝାଡିଛି । ସେପଟେ ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର କରିବାକୁ ସମୟ ଅଛି କିନ୍ତୁ ଓଡ଼ିଶା ଓ ଓଡ଼ିଆଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୟ ନାହିଁ କହି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜନ ସଂଗଠନ।

ରାଜ୍ଯ ସରକାରଙ୍କ ଓଡିଆ ଅସ୍ମିତା ପ୍ରୀତି କେତେ ତାହା ଦିନକୁ ଦିନ ପ୍ରମାଣିତ ହେବାରେ ଲାଗିଛି । ଓଡ଼ିଶାର ସୁରକ୍ଷା ପାଇଁ କାମ କରିବେ କଣ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କରିବାକୁ ବି ମୁଖ୍ୟମନ୍ତ୍ରୀ ସମୟ ଦେଲେ ନାହିଁ। ବାରମ୍ବାର ଉଦ୍ୟମ ପରେ, ଶେଷରେ ସଂକଟରେ ଥିବା ଓଡ଼ିଶାର ସୀମା ଓ ଭାଷା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି ଉତ୍କଳ ସମ୍ମିଳନୀ। ରାଜ୍ୟର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଓଡ଼ିଆରେ ହେଉନାହିଁ ସରକାରୀ କାର୍ଯ୍ୟ । ସରକାରୀ ନିଷ୍ପତ୍ତି ପାଳନରେ ମଧ୍ୟ ନିଷ୍ଠାପରତା ଦେଖାଯାଉନାହିଁ। ଓଡ଼ିଶାର ପାଣି, ଖଣି ଉପରେ ନଜର ପକାଉଛନ୍ତି ପଡ଼ୋଶୀ ରାଜ୍ୟ। ଜଙ୍ଗଲ, ଜଳ, ଜମି, ଖଣି ଆଦିର ସୁରକ୍ଷା କରିବା ରାଜ୍ୟ ସରକାରଙ୍କ ଦାୟିତ୍ଵ । ସରକାର ଫେଲ୍ ମାରିଲେ ସାଧାରଣ ଲୋକ ଏହାକୁ ହାତକୁ ନେବେ । ସୀମା ସୁରକ୍ଷା ପାଇଁ ଉତ୍କଳ ସମ୍ମିଳନୀର ସୀମାନ୍ତ ଜିଲ୍ଲା ଶାଖାର ସୀମାନ୍ତ ସୁରକ୍ଷା ବାହିନୀ କାର୍ଯ୍ୟ କରିବେ । ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ପାଇଁ ଓକିଲ ମାନଙ୍କୁ ନିୟୋଜିତ କରିବା ସହିତ ଓକିଲ ଓ ନ୍ୟାୟାଧୀଶଙ୍କ ମଧ୍ୟରେ ବୈଠକ କରାଇବାକୁ ଯୋଜନା ରହିଛି । ପଡ଼ୋଶୀରେ କୋର୍ଟ କାର୍ଯ୍ୟ ତାଙ୍କ ନିଜ ଭାଷାରେ ହେଉଛି, ଓଡ଼ିଶାରେ କାହିଁକି ଏହା ହୋଇପାରିବ ନାହିଁ ବୋଲି ପ୍ରଶ୍ନ ଉଠାଇଛି ଉତ୍କଳ ସମ୍ମିଳନୀ।

ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡ଼ିକ ପ୍ରତି ରାଜ୍ୟର ବିଜେପି ସରକାର ଆଦୌ ଧ୍ୟାନ ନ ଦେବାକୁ ନେଇ ବର୍ଷିଛନ୍ତି ଜନ ସଂଗଠନ। ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଲେ ।  କିନ୍ତୁ ଏବେ ଓଡ଼ିଶାର ସ୍ୱାର୍ଥକୁ ବିଜେପି ସରକାର ଉପେକ୍ଷା କରି ଚାଲିଛି  । ମୁଖ୍ୟମନ୍ତ୍ରୀ କେବଳ ଦିଲ୍ଲୀ ଗସ୍ତ, ଦଳୀୟ କାର୍ଯ୍ୟ, ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ବୋଲି ବଡ଼ ଅଭିଯୋଗ ଆଣିଛି ପରିଷଦ। ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେବାକୁ ସରକାରଙ୍କ ପାଖରେ ସମୟ ନାହିଁ । ରାଜ୍ୟବାସୀ ସରକାରଙ୍କୁ କେବେ କ୍ଷମା ଦେବେନାହିଁ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କୋଟିଆଠାରୁ ଆରମ୍ଭ କରି ଓଡ଼ିଶା ସୀମାରେ ପଡ଼ୋଶୀ ରାଜ୍ୟର ଅନୁପ୍ରବେଶ, ପୋଲାଭରମ ଓ ମହାନଦୀ ଭଳି ପ୍ରସଙ୍ଗରେ ଓଡ଼ିଶା ପ୍ରତି ଅନ୍ୟାୟ ବଢ଼ି ଚାଲିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ ରାଜ୍ୟ ବିଜେପି ସରକାର । ଯାହାକୁ ନେଇ ବଡ଼ ଅସନ୍ତୋଷ ଦାନା ବାନ୍ଧୁଛି।

 

ଶଳା ଭାଉଜଙ୍କ ଅଭିଯୋଗର ଦୁଇ ଦିନ ପରେ ମୁହଁ ଖୋଲିଲେ ବିଜେପି ବିଧାୟକ ନବୀନ ଜୈନ 

ନନ୍ଦିଘୋଷ ବ୍ୟୁରୋ: ମିଛ କହୁଛନ୍ତି କି ଟିଟିଲାଗଡ଼ ବିଜେପି ବିଧାୟକ ନବୀନ ଜୈନ। ଶଳା ଭାଉଜଙ୍କ ଅଭିଯୋଗର ଦୁଇ ଦିନ ପରେ ଖୋଲିଲେ ମୁହଁ। କହିଲେ, ଅଭିଯୋଗକାରିଣୀଙ୍କୁ ମୁଁ ଚିହ୍ନିନାହିଁ। ଶଳା ଭାଉଜ ଥାନାରେ ନିର୍ଯାତନା ଅଭିଯୋଗ ଆଣିବା ପରେ ବିଜେପି ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଅଡୁଆ ବଢିଛି। ୯ ବର୍ଷ ତଳେ ମମତା ମଲ୍ଲିକ ନାବାଳିକା ଥିବା ବେଳେ ୮୦ ହଜାର ଟଙ୍କାରେ ନବୀନ ତାଙ୍କୁ କିଣି ଆଣିଥିଲେ। ଆଉ ତାଙ୍କ ଶାଳକଙ୍କ ସହ ତାର ବାହାଘର କରାଇଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଦୁଇ ଦିନ ଧରି ନିର୍ଯାତିତା ମହିଳା ବିଧାୟକ, ତାଙ୍କ ପତ୍ନୀ ଓ ପରିବାର ବିରୋଧରେ ସାଂଘାତିକ ଅଭିଯୋଗ କରୁଥିବା ବେଳେ, ଆଜି ମୁହଁ ଖୋଲିଛନ୍ତି ଟିଟିଲାଗଡ଼ ବିଧାୟକ ନବୀନ ଜୈନ I ସେପଟେ ନବୀନ ଜୈନ ମିଛ କହୁଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ମମତା। ବିଧାୟକଙ୍କ ଘରକୁ ସେ ବହୁବାର ଯାଇଛନ୍ତି ଓ ନିଜେ ନବୀନ ଜୈନ ତାଙ୍କ ବାହାଘରରେ ମୁଖ୍ୟ କାର୍ପଟଦାର ସାଜିଥିଲେ ବୋଲି ମମତା କହିଛନ୍ତି । ଅନ୍ୟପଟେ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି I ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଯେକେହି ବି ହୁଅନ୍ତୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି I ଏହି ଘଟଣାକୁ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଟାଉନ୍ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି I

ଡଙ୍ଗା ପ୍ରସ୍ତୁତିରେ ବ୍ଯସ୍ତ କଟକ ସାଲେପୁର ଚନ୍ଦ୍ରାଦେଇପୁର ଓ କଣ୍ଟାସାହି ଗାଁର କାରିଗର

ନନ୍ଦିଘୋଷ ବ୍ୟୁରୋ: ଆସୁଛି କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁ ଧର୍ମ ଅନୁସାରେ ପୂର୍ଣ୍ଣିମା ଦିନ ଭସାଯାଏ ଡଙ୍ଗା । ଓଡ଼ିଆ ମାନଙ୍କ ଏହି ପର୍ବ କାହିଁ କେଉଁ କାଳରୁ ଚାଲି ଆସୁଛି । ଡଙ୍ଗା ତିଆରିରେ ଲାଗିପଡିଛନ୍ତି କଟକ ଜିଲ୍ଲା ସାଲେପୁର ଚନ୍ଦ୍ରାଦେଇ ପୁର ଓ କଣ୍ଟାସାହି  ଗାଁର କାରିଗର। ସେପଟେ ଡ଼ଙ୍ଗା ତିଆରିରେ ବ୍ୟସ୍ତ କାକଟପୁର ହାଟସାହିର ଦିବ୍ୟାଙ୍ଗ ରାଜେନ୍ଦ୍ର ଚାନ୍ଦ । ସୋଲ ଡ଼ଙ୍ଗା, କାଗଜ ଡ଼ଙ୍ଗା ସହ ବିଭିନ୍ନ କଳାକୃତିର ପ୍ରସ୍ତୁତ କରୁଛନ୍ତି ଡଙ୍ଗା ।

ଆସୁଛି କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁ ଧର୍ମ ଅନୁସାରେ ପୂର୍ଣ୍ଣିମା ଦିନ ଭସାଯାଏ ଡଙ୍ଗା । ଗାଁ ଠୁ ସହର ସୁବୁଆଡେ ଉତ୍ସବମୁଖର ହୋଇପଡେ । ଡଙ୍ଗା ଭସାଇଥାନ୍ତି ଆବାଳ ବୃଦ୍ଧ ବନିତା । ବୋଇତ ବନ୍ଦାଣ ପାଇଁ କଟକ ଜିଲ୍ଲା ସାଲେପୁର ଚନ୍ଦ୍ରାଦେଇପୁର ଓ କଣ୍ଟାସାହି ଗାଁର କାରିଗର ମାନେ ଲାଗିପଡିଛନ୍ତି ଡଙ୍ଗା ତିଆରିରେ । ଡଙ୍ଗା ତିଆରିରେ ଲାଗିପଡିଛନ୍ତି ଉଭୟ ମହିଳା ଓ ପୁରୁଷ । କିଏ ସୋଲରେ ରଙ୍ଗ ଦେଉଛନ୍ତି ତ କିଏ ରଙ୍ଗ ବେରଙ୍ଗର କାଗଜରେ ଅଠା ଲଗାଇ ଡଙ୍ଗା ପ୍ରସ୍ତୁତ କରିବାରେ ବ୍ଯସ୍ତ । ଭଳିକି ଭଳି ୨୦ରୁ ଅଧିକ ପ୍ରକାର ଡଙ୍ଗା ପ୍ରସ୍ତୁତ କରିଛନ୍ତି କାରିଗର । ଚଳିତ ବର୍ଷ ୫ ହଜାର ଡଙ୍ଗା ପ୍ରସ୍ତୁତ କରିଛନ୍ତି ଏଠାକାର କାରିଗର । କଟକ, ଭୁବନେଶ୍ବର, ତଥା ଆଖପାଖ ଅଞ୍ଚଳର ବେପାରୀ ଏଠାକୁ ଆସି ଡଙ୍ଗା କିଣିନେଉଛନ୍ତି ।

ସେପଟେ ପୁରୀ ଜିଲ୍ଲା କାକଟପୁର ବ୍ଲକ ହାଟସାହି ଅଞ୍ଚଳର ଦିବ୍ଯାଙ୍ଗ ରାଜେନ୍ଦ୍ର ଚାନ୍ଦ ଲାଗିପଡିଛନ୍ତି ଡଙ୍ଗା ନିର୍ମାଣରେ । ସେ ଜନ୍ମରୁ ଦିବ୍ୟାଙ୍ଗ।  ପରିବାର କହିଲେ ମା, ସ୍ତ୍ରୀ ଓ ଛୋଟ ଝିଅ । କାର୍ତ୍ତିକ ପୂର୍ଣ୍ଣିମାରୁ ଦୀର୍ଘ ଚାରି ମାସ ଆଗରୁ ଲାଗି ପଡିଛନ୍ତି କାଗଜ ଡଙ୍ଗା ତିଆରିରେ । କାଗଜରେ ବିଭିନ୍ନ ରଙ୍ଗ ବେରଙ୍ଗର ମୟୁର, ହଂସ ଭଳି ବିଭିନ୍ନ ଡଙ୍ଗା ତିଆରି କରିଛନ୍ତି । ସବୁଠାରୁ ବଡ କଥା ହେଲା ଧୂପକାଠି ଖୋଳ, ମଶା ଧୂପଖୋଳ, ଚୁଡ଼ି ଖୋଳରେ ଡଙ୍ଗା ତିଆରି କରିଛନ୍ତି । ରାଜେନ୍ଦ୍ରଙ୍କ ହାତ ତିଆରି ଡଙ୍ଗାର ଚାହିଦା କାକଟପୁର, ଅସ୍ତରଙ୍ଗ, ନିମାପଡାରେ ଅଞ୍ଚଳରେ ବେଶ ଅଧିକ ରହିଛି । ଏଥିସହିତ କଟକ ଓ ଭୁବନେଶ୍ଵର ବ୍ଯବସାୟୀ ମଧ୍ଯ ଏଠାକୁ ଆସି ରାଜେନ୍ଦ୍ରଙ୍କ ଠାରୁ ଡଙ୍ଗା କିଣି ନେଉଛନ୍ତି ।

 

ବଦଳି ପାଇଁ ଚାପ ପ୍ରସଙ୍ଗ, ବିଜେପିକୁ ବିଜେଡିର କଡ଼ା ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ବଦଳି ପାଇଁ ଚାପ ପ୍ରସଙ୍ଗ । ବିଜେପିକୁ କଡା ସମାଲୋଚନା କରିଛି ବିଜେଡି।  ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ହାତରେ ପ୍ରଶାସନ ନାହଁ। ବଦଳି ପାଇଁ ଚାପ ସୃଷ୍ଟି ନକରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଚିଠିକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି କଟାକ୍ଷ କରିଛି । ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଭୁୃଗୁ ବକ୍ସିପାତ୍ର । ଗତକାଲି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଦସ୍ତଖତରେ ଚିଠି ଯାଇଛି। ଏଭଳି ଚିଠି କେବେ ଶୁଣାଯାଇନଥିଲା । ଯେଉଁ କଥା ଦାଣ୍ଡରେ ପଡି ହାଟରେ ଗଡୁଛି ଏକଥାକୁ ମୁଖ୍ୟ ଶାସନ ସଚିବ ମାନୁଛନ୍ତି। ଅଧିକାରୀମାନେ ବାହ୍ୟଚାପରେ ନିଜ ମନ ପସନ୍ଦର ସ୍ଥାନକୁ ଯିବାକୁ ଚାହୁଁଛନ୍ତି।

କିଏ ବାହ୍ୟ ଚାପ ସୃଷ୍ଟି କରୁଛନ୍ତି ସରକାର କୁହନ୍ତୁ ବୋଲି ବିଜେଡି ଦାବି କରିଛି । ସରକାର ମାନିଛନ୍ତି ପ୍ରଶାସନ ଚଳାଇବାରେ ସରକାର ଫେଲ ମାରିଛନ୍ତି। ସରକାରଙ୍କ କର୍ତ୍ତୃତ୍ବରେ ପ୍ରଶାସନ ନାହିଁ । ଯଦି ତାଙ୍କ ପାଖରେ ପ୍ରମାଣ ଅଛି କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ? ବିଜେପି ସରକାର ଚିକ୍କଣ କଥା କହି ସରକାରକୁ ଆସିଲେ । ଏବେ ପରୋକ୍ଷରେ କହୁଛନ୍ତି ଆମେ ସରକାର ଚଳାଇ ପାରୁନାହିଁ। ସରକାର ଏବଂ ସରକାରୀ ଦଳ ମଧ୍ୟରେ ତାଳମେଳ ରହୁନାହିଁ। ଏହା ବିଜେପିର ବରିଷ୍ଠ ନେତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ବୋଲି ବିଜେଡି କହିଛି।

ପୂର୍ବ ସରକାରଙ୍କ ଅନେକ କାର୍ଯ୍ୟକ୍ରମକୁ କପି କରୁଛି ବିଜେପି

ନନ୍ଦିଘୋଷ ବ୍ୟୁରୋ: ପିରିୟଡ ଲିଭ୍ ପୁରୁଣା ବୋତଲରେ ନୂଆ ମଦ ଭଳି । ବିଜେଡି ସରକାରଙ୍କ ନିଷ୍ପତ୍ତିକୁ ନୂଆ ଚିଠି କରି କେବଳ ଉପସ୍ଥାପନ କରିଛି ବିଜେପି ସରକାର । ମହିଳାଙ୍କ ପାଇଁ ୧୦ ଦିନ ଅତିରିକ୍ତ ଛୁଟି ନିର୍ଦ୍ଦେଶକୁ ନେଇ ବିଜେଡି ଏପରି ପ୍ରତିକ୍ରିୟା ରଖିଛି । ଗତ ମାର୍ଚ୍ଚ ମାସରେ ନବୀନ ସରକାର ଏ ସମ୍ପର୍କରେ ଘୋଷଣା କରି ଅର୍ଡର ପାସ କରିଥିଲେ। ଓଡିଶାରେ ମହିଳା ଯଦି ସଶକ୍ତ ହୋଇଛନ୍ତି ତାହା କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ହୋଇଛନ୍ତି । ମହିଳା ମାନଙ୍କର ଋତୁସ୍ରାବ ଛୁଟି ପ୍ରସଙ୍ଗରେ ୧୨ ମାର୍ଚ୍ଚ ୨୦୨୪ରେ ଲିଭ ଅର୍ଡରକୁ ପାସ କରିଥିଲେ ନବୀନ । ଏବେ ପୁରୁଣା ଅର୍ଡରକୁ ନୂଆ ଚିଠି କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଗତକାଲିର ତାରିଖରେ ଚିଠି କରି ଏହାକୁ ନେଇ ଖୁସି ହେଉଛନ୍ତି। ବିଜେଡି କରିଥିବା ଜିନିଷକୁ ନିଜେ କରି ବାଃ ବାଃ ନେବା ବିଜେପି ସରକାର ପାଇଁ ନୂଆ କଥା ନୁହେଁ । କିଛି ନୂଆ କରି ଦେଖାଇବା ଭାରତୀୟ ଜନତା ପାର୍ଟି ଶିଖିନି । ବିଜେଡି କରିଥିବା କାମକୁ ନୂଆ କରିଥିବା ଭାବି ଖୁସି ହେଉଛନ୍ତି ବୋଲି କହିଛି ବିଜେଡି ।