spot_img
Home Blog Page 1347

ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା : ସ୍ୱାମୀ ସମେତ ୩ ଜଣ ଅଟକ

ବଣାଇ: ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା। ଗତକାଲି ବିଳମ୍ବିତ ରାତିରେ ଶବ ବ୍ୟବଚ୍ଛେଦ ପରେ ଝିର୍ଡାପାଲି ଗ୍ରାମରେ ପହଞ୍ଚିଥିଲା ମୃତା ସାମ୍ୟମୟୀଙ୍କ ଶବ। ମୃତା ମହିଳାଙ୍କ ସ୍ଵାମୀ ଦେବେନ, ଶାଶୂ ଓ ମାଉସୀ ଶାଶୂଙ୍କୁ ଗତକାଲି ଠାରୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଆଜି ସତ୍କାର ପୂର୍ବରୁ ସ୍ଵାମୀ ଦେବେନଙ୍କ ସମ୍ପର୍କୀୟ ଶବ ଅଟକ ରଖି ଦାବି କରିଛନ୍ତି ଯେ, ଦେବେନ ନ ଆସିଲେ ଶବ ସତ୍କାର ହେବ ନାହିଁ  । ତାଙ୍କ ନାଁରେ ଥିବା ଅଭିଯୋଗ ହଟିଲେ ହିଁ ଶବ ସତ୍କାର ହେବ  । ମହିଳାଙ୍କ ପରିବାର କହୁଛନ୍ତି ଏଠାରେ ନକଲେ ବାପଘର ଛେଣ୍ଡିପଦା ନେଇ ସତ୍କାର କରିବେ  । ଟଣାଓଟରା ମଧ୍ୟରେ ଘଟଣାକୁ ଅନୁଧ୍ୟାନ କରୁଛି ଟିକାୟତପାଲି ପୋଲିସ  ।

ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଉଡ଼ାଇଦେବାକୁ ଧମକ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଉଡ଼ାଇଦେବାକୁ ଧମକ। ଇ-ମେଲରେ ଧମକ ଆସିବା ପରେ ହଇଚଇ  ସୃଷ୍ଟି ହୋଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନିକଟକୁ ଆସିଛି ଏହି ମେଲ୍। ରୁଷୀୟ ଭାଷାରେ ଧମକ ଆସିବା ପରେ ଚାଲିଛି ଏହାର ଛାନବିନ। ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଭାରତୀୟ ନ୍ୟାୟ ସଂହିତାର ଧାରା ଅନୁସାରେ ମାମଲା ରୁଜୁ ହୋଇଛି। ମୁମ୍ବାଇର ଜଣେ ପୋଲିସ ଅଧିକାରୀ ଆରବିଆଇର ଅଫିସିଆଲ ୱେବସାଇଟକୁ ଏହି ଧମକ ଆସିଛି ବୋଲି କହିଛନ୍ତି । ମାତା ରମାବାଈ ମାର୍ଗ ପୋଲିସ ଷ୍ଟେସନରେ ମାମଲା ଏହି ଘଟଣା ନେଇ ମାମଲା ରୁଜୁ ହୋଇଛି ।

କଣ୍ଟାବାଞ୍ଜି କୁକୁଡାହାଡ଼ ରେଳ ଲାଇନରୁ ଦୁଇ ମହିଳାଙ୍କ ମୃତଦେହ ଠାବ

କଣ୍ଟାବାଞ୍ଜି :  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପାଖ କୁକୁଡାହାଡ଼ ରେଳ ଲାଇନରୁ ଦୁଇ ମହିଳାଙ୍କ ମୃତଦେହ ଠାବ। ଗୋଟିଏ ମହିଳାଙ୍କ ମୃତଦେହ ରେଳ ଲାଇନ ବାହାରେ ପଡ଼ିଥିବା ବେଳ ଅନ୍ୟ ମୃତଦେହଟି ଅଧ କିଲୋମିଟର ଦୂର ରେଳ ଲାଇନରେ ପଡିଛି । ଦୁଇ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । କୌଣସି ଟ୍ରେନ ଦୁଇ ମହିଳାଙ୍କୁ ଧକ୍କା ଦେବା ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି ନା କିଏ ହତ୍ୟା କରି ଫିଙ୍ଗି ଦେଇଛି ତାହା ଜିଆରପି ପୋଲିସ ତଦନ୍ତ କରୁଛି । ଅନ୍ୟପଟେ ମୃତ ଦୁଇ ମହିଳା ସ୍ଥାନୀୟ ଅଞ୍ଚଳର ନୁହେଁ ବୋଲି ଯାହା ଜଣାପଡିଛି ।

ଦିଲ୍ଲୀର ବିଭିନ୍ନ ସ୍କୁଲକୁ ପୁଣି ବୋମା ଧମକ

ନୂଆଦିଲ୍ଲୀ : ଦିଲ୍ଲୀର ବିଭିନ୍ନ ସ୍କୁଲକୁ ପୁଣି ବୋମା ଧମକ। ବୋମା ଧମକ ନେଇ ଇ-ମେଲରେ ଆସିଛି ସୂଚନା। ଚଳିତ ସପ୍ତାହରେ ଦ୍ବିତୀୟ ଥର ଲାଗି ଧମକ ଦିଆଯାଇଛି। କୈଳାସର ଦିଲ୍ଲୀ ପବ୍ଲିକ ସ୍କୁଲ, ସଲୱାନ ସ୍କୁଲ, ମଡର୍ଣ୍ଣ ସ୍କୁଲ ଓ କ୍ଯାମ୍ବ୍ରିଜ ସ୍କୁଲକୁ ଧମକ ଆସିଥିବା ସୂଚନା ମିଳିଛି। ଧମକ ମିଳିବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି। ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ଘରକୁ ଫେରାଇଦିଆଯାଇଛି। ଡାର୍କ ୱେବ ଗ୍ରୁପ ପକ୍ଷରୁ ବୋମା ଧମକ ଦିଆଯାଇଥିବା ସୂଚନା ମିଳିଛି। କିଛି ଦିନ ଧରି ଦିଲ୍ଲୀର ବହୁ ସ୍କୁଲକୁ ବାରମ୍ବାର ବୋମା ଧମକ ସଂକ୍ରାନ୍ତ ମେଲ୍ ଆସିବାରେ ଲାଗିଛି।

ନୂଆଦିଲ୍ଲୀ ବିଧାନସଭାରେ ଏଥର କଡ଼ା ଟକ୍କର : ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ନୂଆଦିଲ୍ଲୀ ଆସନରେ ଏଥର ହେବ ହାଇଭୋଲଟେଜ୍ ଟକ୍କର। ଆପର ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଲଢିବେ କଂଗ୍ରେସର ସନ୍ଦୀପ ଦୀକ୍ଷିତ। ଗୁରୁବାର ରାତିରେ ସନ୍ଦୀପଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ସିଇସି ବୈଠକ ପରେ କଂଗ୍ରେସର ପ୍ରଥମ ତାଲିକା ପ୍ରକାଶ ପାଇଥିଲା।

ସନ୍ଦୀପ ଦୀକ୍ଷିତଙ୍କୁ ନୂଆଦିଲ୍ଲୀ ଆସନରୁ ଲଢ଼ାଇବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଏହି ଆସନରୁ ଆପ୍ ତରଫରୁ ଲଢୁଛନ୍ତି କେଜରିୱାଲ। ତେଣୁ ଏଠାରେ କଡ଼ା ଟକ୍କର ଦେଖିବାକୁ ମିଳିବ। ସନ୍ଦୀପ ଆଗରୁ ସାଂସଦ ହୋଇଥିଲେ ଦିଲ୍ଲୀରୁ । ସେ ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ। କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ତାଲିକାରେ ୨୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦିଲ୍ଲୀ ପିସିସି ସଭାପତି ବଦଲି ଆସନରୁ ଦେବେନ୍ଦର ଯାଦବ ଲଢିବେ । ସେପଟେ ଆମ୍ ଆଦମୀ ପାର୍ଟି ଆଗରୁ ୨ଟି ପର୍ଯ୍ୟାୟରେ ୩୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୨୩ ବର୍ଷ

ନୂଆଦିଲ୍ଲୀ :  ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣକୁ ପୂରିଛି ୨୩ ବର୍ଷ । ସେଦିନର ଆକ୍ରମଣ ସେଇ କଥା ମନେ ପଡିଲେ, ଆଜି ବି ଛାତି ଥରାଇ ଦେଉଛି ।  ୨୦୦୧ ମସିହା ଡିସେମ୍ବର ୧୩ ତାରିଖ ସକାଳ ସାଢେ ଏଗାରଟାରେ ସଂସଦର ଶୀତ ଅଧିବେଶନ ସମୟରେ ହଠାତ ବର୍ଷିଥିଲା ଗୁଳି । ପୂରା ଶାନ୍ତ ଥିବା ସଂସଦ ପରିସର ହଠାତ ପାଲଟିଥିଲା ରଣକ୍ଷେତ୍ର ।

ସେଦିନ ଉଭୟ ଗୃହ ୪୦ ମିନଟ ପାଇଁ ମୁଲତବୀ ହୋଇଥିବାରୁ ସାଂସଦମାନେ ବାହାରେ ବୁଲାବୁଲି କରୁଥିଲେ । ହଠାତ ବିଜୟ ଚୌକ ପଟୁ ଗୃହ ମନ୍ତ୍ରଣାଳୟ ଓ ସଂସଦ ଷ୍ଟିକର ଲାଗିଥିବା ଧଳା ରଙ୍ଗର ଗାଡି ଅତି କ୍ଷୀପ୍ରଗତିରେ ପ୍ରବେଶ କଲା। ସନ୍ଦେହ କରି ସେଠାରେ ମୁତୟନ ଥିବା ସିଆରପିଏଫର ମହିଳା କନେଷ୍ଟବଳ ଆଲାର୍ମ ବଜାଇବାକୁ ଚେଷ୍ଟା କଲେ । ହେଲେ ଆତଙ୍କବାଦୀଙ୍କ ଗୁଳି ମାଡରେ ପ୍ରଥମେ ସେ ଘଟଣା ସ୍ଥଳରେ ହିଁ ଟଳି ପଡିଥିଲେ। ଏହା ଦେଖି ଯିଏ ଯୁଆଡେ ପାରିଲେ ଦୌଡିବା ଆରମ୍ଭ କଲେ। ଆତଙ୍କବାଦୀ ଆରମ୍ଭ କରିଦେଲେ ଅଖି ବୁଜା ଗୁଳିମାଡ। ଆକ୍ରମଣକାରୀ ସାଙ୍ଗରେ ଆଣିଥିଲେ ଏକେ ୪୭, ଗ୍ରେନେଡ ଲଞ୍ଚର, ହ୍ୟାଣ୍ଡ ଗ୍ରେନେଡ ଓ ପିସ୍ତଲ । ସେ ସମୟରେ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ସାଂସଦ ସଂସଦ ପରିସରରେ ଉପସ୍ଥିତ ଥିଲେ । ଆକ୍ରମଣର ଏହି ଦୃଶ୍ୟକୁ ଲୋକସଭା ସଚିବାଳୟର ପୂର୍ବତନ ଯୁଗ୍ମ ସଚିବ ପୂଲିନ ଭୂତିଆ ଓ ପୂର୍ବତନ ଅଧିକାରୀ ଶାନ୍ତନୁ ପ୍ରଧାନ ବର୍ଣ୍ଣନା କରିଛନ୍ତି ।

ପାର୍ଲିଆମେଣ୍ଟର ସୁରକ୍ଷା କର୍ମୀ ଓ ୫ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଲଢେଇ ଲାଗିରହିଲା । ପ୍ରାୟ ଅଧ ଘଣ୍ଟା ଲଢେଇ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ସମସ୍ତ ୫ ଜଣ ଆତଙ୍କବାଦୀଙ୍କ ସମେତ ଦିଲ୍ଲୀ ପୋଲିସର ୫ ଜଣ ସୁରକ୍ଷା କର୍ମୀ, କେନ୍ଦ୍ରୀୟ ରିଜର୍ଭ ପୋଲିସର ଜଣେ ମହିଳା ଯବାନ ଓ ଜଣେ  ମାଳିଙ୍କର ମୃତ୍ୟୁ ହୋଇଥିଲା ।

ସଂସଦ ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ଓ ଲସ୍କର-ଇ-ତୋଏବା ନିଜକୁ ଦାୟୀ କରିଥିଲେ। ପରବର୍ତ୍ତୀ ସମୟରେ ସଂସଦର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଥିଲା । ତେବେ ୨୦୨୩ ମସିହା ଡିସେମ୍ବର ମାସ ୧୩ରେ ପବ୍ଲିକ ଗ୍ୟାଲେରୀରୁ ଜଣେ ଯୁବକ ଲୋକସଭା ଚ୍ୟାମ୍ବର ମଧ୍ୟକୁ ଲମ୍ଫ ପ୍ରଦାନ କରି ରଙ୍ଗୀନ ଧୂଆଁ  ସ୍ପ୍ରେ କରିଥିଲେ । ହେଲେ ଏଥିରେ କାହାରି କିଛି କ୍ଷତି ହୋଇନଥିବା ବେଳେ ସୁରକ୍ଷା ପ୍ରତି ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ବିଭିନ୍ନ ମସଜିଦ ଓ ଧାର୍ମିକ ପୀଠରେ ଚାଲିଥିବା ସର୍ଭେ ଉପରେ ରୋକ୍

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ମସଜିଦ ଓ ଧାର୍ମିକ ପୀଠରେ ଚାଲିଥିବା ସର୍ଭେ ଉପରେ ରୋକ୍। ଏ ସଂକ୍ରାନ୍ତ ୬ଟି ପିଟିସନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଫଳରେ ଜ୍ଞାନବାପି ମସଜିଦ, ମଥୁରା ଶାହି ଇଦଗା, ସମ୍ଭଲର ଶାହି ଜାମା ମସଜିଦ ଆଦି ପୀଠସ୍ଥଳୀ ଉପରେ ଚାଲିଥିବା ସର୍ଭେ ଉପରେ ରୋକ୍ ଲାଗିଛି। ଏସମ୍ପର୍କରେ ପରବର୍ତ୍ତୀ ଶୁଣାଣି ହେବା ଯାଏ ସ୍ଥଗିତାଦେଶ ଜାରି ରହିବ। ଆସନ୍ତା ୪ ସପ୍ତାହ ମଧ୍ୟରେ ପରବର୍ତ୍ତୀ ଶୁଣାଣି ହେବ।

ଦେଶରେ ମୁସଲିମମାନଙ୍କ ପୀଠଗୁଡିକ ଉପରେ ହିନ୍ଦୁମାନଙ୍କ ଅଧିକାର ସାବ୍ୟସ୍ତ ପ୍ରସଙ୍ଗରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ହିନ୍ଦୁ ପକ୍ଷର ଦାବି ଥିଲା ମୋଗଲ ରାଜତ୍ବ ସମୟରେ ଅନେକ ମନ୍ଦିରକୁ ଭାଙ୍ଗି ସେଠାରେ ମସଜିଦ ନିର୍ମିତ ହୋଇଥିଲା । ଏହା ସହ ଧାର୍ମିକ ପୀଠସ୍ଥଳୀ ଆଇନକୁ ନିମ୍ନକୋର୍ଟ ଅବମାନନା କରୁଥିବା ନେଇ ବି ପିଟିସନରେ ଉଲ୍ଲେଖ ରହିଥିଲା । ଏହି ଆଇନରେ ସ୍ବାଧୀନତା ପରେ କୌଣସି ପୀଠସ୍ଥଳୀକୁ ଅନ୍ୟ ରୂପ ଦିଆଯିବା ଉପରେ କଟକଣା ଲଗାଯାଇଛି । ଏହି ଆଇନକୁ ରଦ୍ଦ କରିବା ଲାଗି ହୋଇଥିବା ଆବେଦନକୁ ସିଜେଆଇ ସଞ୍ଜୀବ ଖନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେ. ଭି. ବିଶ୍ବନାଥନ ମାମଲାର ଶୁଣାଣି କରିଥିଲେ ।

ପୂର୍ବରୁ ଅଯୋଧ୍ୟା ବିଦାଦର ରାୟ ଦେବାବେଳେ ଏହି ଆଇନକୁ ଯଥାର୍ଥ କହିଥିଲେ ୫ ଜଣିଆ ଖଣ୍ଡପୀଠ । ସମ୍ବିଧାନର ମୂଳ ଲକ୍ଷ୍ୟ ରକ୍ଷା ଦିଗରେ ଏହି ଆଇନ ଉଦ୍ଦିଷ୍ଟ ବୋଲି ଖଣ୍ଡପୀଠ କହିଥିଲେ । ଇତିହାସକୁ ପରିବର୍ତ୍ତନ କରିବା ଲାଗି କାହାର ଅଧିକାର ନାହିଁ ବୋଲି କହିଥିଲେ ଖଣ୍ଡପୀଠ । ଅଯୋଧ୍ଯା ରାୟ ପରେ ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ବହୁ ପିଟିସନ ଦାୟର ହୋଇଥିଲା । ବିଜେପିର ଅଶ୍ବିନୀ ଉପାଧ୍ଯାୟ, ସୁବ୍ରମଣ୍ଯମ ସ୍ବାମୀ ଓ ଅନ୍ଯ ହିନ୍ଦୁ ସଂଗଠନ ପକ୍ଷରୁ ଏହି ପିଟିସନ ଦାୟର ହୋଇଥିଲା । କାଶୀ, ମଥୁରା, ଜ୍ଞାନବାପି, ସମ୍ଭଲର ଶାହି ଜାମା ମସଜିଦ, ଆଜମେରର ସୁଫି ସାଧୁ ଖ୍ବାଜା ମୌଇନୁଦ୍ଦିନ ଚିସ୍ତି ମସଜିଦକୁ ନେଇ ବିବାଦ ଲାଗି ରହିଛି।

ରାଜ୍ୟକୁ ଫେରିଲା ଶୀତ ; କୁହୁଡି ପାଇଁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି

ଭୁବନେଶ୍ୱର : ରାଜ୍ୟକୁ ଫେରିଲା ଶୀତ। ସ୍ବାଭାବିକ ହେଲା ତାପମାତ୍ରା । ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକ ହୋଇଛି । ଆସନ୍ତା ଦୁଇ ରୁ ତିନିଦିନ ମଧ୍ୟରେ ଦିନର ତାପମାତ୍ରା ଦୁଇ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ଜାଡ ସହ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତ ଶୁଖିଲା ରହିବ। ଆଗାମୀ ୪ ରୁ ୫ ଦିନ ଯାଏ ସର୍ବନିମ୍ନ ତାପମାତ୍ରା ରେ ପରିବର୍ତ୍ତନ ର କୌଣସି ସମ୍ଭାବନା ନାହିଁ ।

ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଥିବା ବେଳେ ରାତି ତାପମାତ୍ରା ରେ କୌଣସି ପରିବର୍ତ୍ତନ ଦେଖା ଯିବ ନାହିଁ ବୋଲି ବିଭାଗ ଆକଳନ କରିଛି। ତେଣୁ ରାଜ୍ୟରେ ସ୍ୱାଭାବିକ ରହିବ ଶୀତର ପ୍ରକୋପ। ଆସନ୍ତା ୨୪ ଘଣ୍ଟାରେ ପାଗ ଶୁଖିଲା ରହିବା ସହ ଝାରସୁଗୁଡା, ଗଞାମ, କୋରାପୁଟ, କଳାହାଣ୍ଡି, କନ୍ଧମାଳ , ସୁନ୍ଦରଗଡ ଓ ସମ୍ବଲପୁର ରେ ହାଲୁକରୁ ମାଧ୍ୟମ ଧରଣର କୁହୁଡି ଅନୁଭୂତ ହେବ। କେବଳ ସୁନ୍ଦରଗଡରେ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଛି । ସେପଟେ ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ରାଉରକେଲା ରେ ୧୦.୨ ଡ଼ିଗ୍ରୀ ରେକର୍ଡ ହୋଇଛି । ବିଭିନ୍ନ ସ୍ଥାନରେ ଯେପରିକି ରାଉରକେଲା ଭବାନୀପାଟଣା, କୋରାପୁଟ, ଫୁଲବାଣୀ, ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ପାହାଡିଆ ଅଂଚଳର ଜି ଉଦୟଗିରିରେ  ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ ହୋଇଛି।  ସେହିପରି ଭୁବନେଶ୍ୱରରେ ୧୫.୦ ଓ କଟକରେ ୧୩.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

ଚେସ୍ ଦୁନିଆର ନୂଆ ବାଦଶାହ ଡି. ଗୁକେଶ

ନୂଆଦିଲ୍ଲୀ : ଚେସ୍ ଦୁନିଆର ନୂଆ ବାଦଶାହ। ଭାରତର ଡି. ଗୁକେଶ ହୋଇଛନ୍ତି ବିଶ୍ଵ ଚାମ୍ପିୟନ । ପୂର୍ବତନ ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଏହି ବଡ଼ ସଫଳତା ପାଇଛନ୍ତି ଡି. ଗୁକେଶ । ବିଶ୍ଵ ଚେସ୍ ଚାମ୍ପିୟନ ହେବାର ଗୁକେଶ ହେଉଛନ୍ତି ବିଶ୍ଵର ସର୍ବକନିଷ୍ଠ ଖେଳାଳି। ସିଙ୍ଗାପୁରରେ ଖେଳା ଯାଇଥିବା ପ୍ରତିଯୋଗିତାରେ ଶେଷ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ଲିରେନଙ୍କୁ ପରାସ୍ତ କରିବା ସହିତ ଗୁକେଶ ବିଶ୍ଵ ଚେସ୍ ଚାମ୍ପିଅନ୍ଯ ଆଖ୍ୟା ଅର୍ଜନ କରିଛନ୍ତି। ଏବେ ତାଙ୍କୁ ହେଉଛି ମାତ୍ର ୧୮ ବର୍ଷ ୮ ମାସ ୧୪ ଦିନ। ବିଶ୍ଵନାଥ ଆନନ୍ଦଙ୍କ ପରେ ଗୁକେଶ ଦ୍ଵିତୀୟ ଭାରତୀୟ ଭାବେ ବିଶ୍ଵ ଚେସ୍ ଚାମ୍ପିୟନ ହୋଇଛନ୍ତି ।

ତାମିଲନାଡୁର ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଜଣେ ଶିଶୁ ସମେତ ୬ଜଣ ଜୀବନ୍ତ ଦଗ୍ଧ

ଚେନ୍ନାଇ :  ତାମିଲନାଡୁର ଡିଣ୍ଡିଗୁଲରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ଘରୋଇ ହସ୍ପିଟାଲ । ଅଗ୍ନିକାଣ୍ଡରେ ଜଣେ ଶିଶୁ ସମେତ ୬ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି।  ଗୁରୁତର ୨୯ ଆହତଙ୍କୁ ସରକାରୀ ଓ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡ ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ଅଧିକ ହେବା ନେଇ ଆଶଙ୍କା ରହିଛି ବୋଲି କହିଛନ୍ତି ଡିଣ୍ଡିଗୁଲ ଜିଲ୍ଲାପାଳ ଏମ.ଏନ. ପୋଙ୍ଗିଡି। ଗୁରୁବାର ବିଳମ୍ୱିତ ରାତିରେ ତ୍ରିଚି ରୋଡସ୍ଥିତ ସିଟି ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।