spot_img
Home Blog Page 1341

ଦରଦାମ୍ ବୃଦ୍ଧିରେ ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଲୋକେ

ନନ୍ଦିଘୋଷ ବ୍ୟୁରୋ: ଦରଦାମ୍ ବୃଦ୍ଧିରେ ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଲୋକେ। ଦର ବୃଦ୍ଧି ଏତେ ବଢ଼ିଲାଣିରେ ମରମକୁ ବାଧିଲାଣି। ପନିପରିବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ପଦାର୍ଥର ଦାମ୍ ଏତେ ବଢ଼ିଛି ଯେ, ମାସ ଅଧା ନ ହେଉଣୁ ପକେଟ ଖାଲି। କେବଳ ଯେ ଖାଉଟିଙ୍କୁ ବାଧୁଛି, ତାହା ନୁହେଁ ବ୍ୟବସାୟୀ ମଧ୍ୟ ହନ୍ତସନ୍ତ। ଏହାକୁ ନେଇ ବ୍ୟବସାୟୀ ସଂଘ ଶ୍ୱେତପତ୍ର ପ୍ରକାଶ କରିଛି। ଆସନ୍ତା ୨୧ ତାରିଖ ପରେ ସାରା ରାଜ୍ୟ ବୁଲି ଚାଷୀ, ବ୍ୟବସାୟୀ ଓ ସାଧାରଣ ଖାଉଟିଙ୍କ ସହ ବୈଠକ କରିବାକୁ ବ୍ୟବସାୟୀ ମହାସଂଘ ନେଇଛି ନିଷ୍ପତ୍ତି।  କରିବାକୁ ନିଷ୍ପତ୍ତି ନେଇଛି। ଏହି ସମୟରେ ଦରଦାମ ବୃଦ୍ଧିର କାରଣ ଓ ଏଥିପାଇଁ କିଏ ଦାୟୀ, ତାହାର ଖୁଲାସା କରାଯିବ।

ଦରଦାମ୍ ବୃଦ୍ଧିକୁ ନେଇ ରାଜ୍ୟର ବ୍ୟବସାୟୀ ମହାସଂଘର ଶ୍ଵେତପତ୍ର। ଏଥିରେ  ସଂଘ ଅଭିଯୋଗ କରିଛି – ଦରଦାମ ନିୟନ୍ତ୍ରଣ ପାଇଁ ସରକାର କିଛି କରୁ ନାହାନ୍ତି। ବରଂ କର୍ପୋରେଟ ହାଉସ୍ ସ୍ଵାର୍ଥକୁ ଗୁରୁତ୍ଵ ଦେଉଛନ୍ତି। ସରକାର ଓ କର୍ପୋରେଟ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଖାଉଟି, ଚାଷୀ ଓ ବ୍ୟବସାୟୀ ହନ୍ତସନ୍ତ। ପ୍ରତିବାଦରେ ଆସନ୍ତା ୨୧ ଓ ୨୨ ପରେ ରାଜ୍ୟ ବ୍ୟବସାୟୀ ମହାସଂଘ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲିବ। ଉତ୍ତର ଓଡ଼ିଶାରୁ ଆରମ୍ଭ ହେବ ଅଭିଯାନ। ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ନେଇ କରାଯିବ ବୈଠକ।

ଦରଦାମ ବୃଦ୍ଧିର ପ୍ରକୃତ କାରଣ କଣ ଓ ଏଥିପାଇଁ ଦାୟୀ କିଏ, ଏହାର ଖୁଲାସା କରିବ ବ୍ୟବସାୟୀ ମହାସଂଘ। ସୁଧାକର ପଣ୍ଡା ଦାବି କରିଛନ୍ତି, ଦରଦାମ ବୃଦ୍ଧିର ମୁଖ୍ୟ କାରଣ ସାଜିଥିବା କର୍ପୋରେଟ ହାଉସକୁ ଆଇନ ପରିସରକୁ ଆଣନ୍ତୁ ସରକାର। ନଚେତ ୨୦୨୫ ପ୍ରଥମାର୍ଦ୍ଧରେ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ସରକାର ଆକ୍ରୋଶ ମୂଳକ ପଦକ୍ଷେପ ନେଲେ ବରଦାସ୍ତ କରାଯିବ ନାହିଁ। ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଆଲୋଚନା କରିବାକୁ ୨ ମାସ ତଳେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ବ୍ୟବସାୟୀ ମହାସଂଘ। କିନ୍ତୁ ସରକାର ସହଯୋଗ କରିନଥିବା ସୁଧାକର  ପଣ୍ଡା ଅଭିଯୋଗ କରିଛନ୍ତି।

ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ବିଜେପି ସରକାରର ବିଫଳତା ଓ ଅନ୍ୟ ଜନମାରଣ ନୀତି ବିରୋଧରେ ସିପିଆଇ ମଧ୍ୟ ରାଜ୍ୟବ୍ୟାପୀ ସଂଗ୍ରାମ କରିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ଦଳର ସାଙ୍ଗଠନିକ ସମ୍ମିଳନୀରେ ହୋଇଛି ଆଲୋଚନା। ସିଟିଜେନସ ଫୋରମ୍ ବି କହିଛି-ଦରଦାମ ନିୟନ୍ତ୍ରଣ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ଏହାକୁ ସରକାର ତୁରନ୍ତ ଗୁରୁତ୍ୱର ସହ ନିଅନ୍ତୁ, ଦରଦାମ କମାନ୍ତୁ। ଲୋକଙ୍କ କଷ୍ଟକୁ ସରକାର ଅଣଦେଖା କରନ୍ତୁ ନାହିଁ ବୋଲି କୁହାଯାଇଛି।

ଦରଦାମ ବୃଦ୍ଧିର କଷ୍ଟ ପ୍ରତ୍ୟେକ ବର୍ଗର ଲୋକେ ଭୋଗୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ତ ଦୂରର କଥା, ଏ ସମ୍ପର୍କରେ ସବୁ ବର୍ଗର ଲୋକଙ୍କ ସହ ଆଲୋଚନା ମଧ୍ୟ କରାଯାଉ ନାହିଁ, ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।

ଫ୍ଲପ ମାରୁଛି ଷ୍ଟାର୍ଟ୍ ଅପ୍ ଇଣ୍ଡିଆ, ମେକ୍ ଇନ୍-ଇଣ୍ଡିଆ ନୀତି

ନନ୍ଦିଘୋଷ ବ୍ୟୁରୋ: କମୁଛି ରପ୍ତାନୀ, ବଢୁଛି ଆମଦାନୀ । ଅନ୍ୟଦେଶ ଉପରେ ଭାରତର ନିର୍ଭରଶୀଳତା ଏତେ ହେଲାଣି ଯେ ବାଣିଜ୍ୟିକ ନିଅଣ୍ଟ ସବୁ ସୀମା ପାର୍ କରିଛି । କାମ ଦେଉନି ଷ୍ଟାର୍ଟ୍ ଅପ୍ ଇଣ୍ଡିଆ, ମେକ୍ ଇନ୍-ଇଣ୍ଡିଆ ନୀତି । ବିଶ୍ବ ମାନ୍ଦାବସ୍ଥା ପ୍ରଭାବ ଏବେ ଧୀରେ ଧୀରେ ଦେଶର ଅର୍ଥନୀତିକୁ ଗ୍ରାସ କରୁଛି। ଶିଳ୍ପପତିଙ୍କ ଅଭିଯୋଗ ଦେଶର ଇଜ୍-ଅଫ-ଡୁଇଙ୍ଗ ଏ ପର୍ଯ୍ୟନ୍ତ ଆଶାଜନକ ଉନ୍ନତି କରିପାରିନି । ଏନଫୋର୍ସ୍ମେଣ୍ଟ ଏଜେନସିଙ୍କ ମାତ୍ରାଧିକ ଚେକିଂ ବ୍ଲକିଂ ଯୋଗୁ ବର୍ଷକର ୯ ମାସ ଖାତା ସଜାଡିବାରେ ଲାଗୁଛି । ସରକାରୀ ନୀତି ଏପରି ଯେଉଁଥିରେ ବଡ଼ ବଡ଼ କର୍ପୋରେଟ ସଂସ୍ଥାଙ୍କ ଆଗରେ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗୀ ତିଷ୍ଟି ପାରୁନାହାନ୍ତି ।

ଆତ୍ମନିର୍ଭର ଭାରତ ନା ଅନ୍ୟଦେଶ ଉପରେ ନିର୍ଭରଶୀଳ ଭାରତ ! ଦେଶର ଆମଦାନୀ ସବୁ ସୀମା ପାର୍ କରିଛି । ଗ୍ରାସକଲାଣି ଦେଶର ବାଣିଜ୍ୟ ନିଅଣ୍ଟ । ଖାଲି ହେଉଛି ବିଦେଶୀ ମୁଦ୍ରା ଭଣ୍ଡାର । କେନ୍ଦ୍ର ସରକାରଙ୍କ ନାରା ଟ୍ରିଲିୟନ୍ ଅର୍ଥନୀତିର ଦେଶ ପାଲଟିଛି ଭାରତ । ଆମଦାନୀ ବୃଦ୍ଧି ଯୋଗୁ ଗଲା ଅକ୍ଟୋବରରେ ଦେଶର ବାଣିଜ୍ୟ ନିଅଣ୍ଟ ପହଞ୍ଚିଛି ୨୭.୧୪ ବିଲିୟନ୍ ଡଲାରରେ । ଯାହାକି ୨୦୨୪ ସେପ୍ଟେମ୍ବର ତୁଳନାରେ ୬.୩୪ ବିଲିୟନ ଡଲାର ଅଧିକ । ବିଦେଶରୁ ପେଟ୍ରୋଲ, ସୁନା ସମେତ ଅନ୍ୟ ଶିଳ୍ପ ସାମଗ୍ରୀ ଆମଦାନୀ ଏତେ ବଢିଛି ଯେ, ଚୀନ, ତାଇଓ୍ବାନ୍, ମାଲେସିଆ, ଆମେରିକାରୁ ଆମଦାନୀ ନ କଲେ ଦେଶରେ ଉତ୍ପାଦନ ଠପ୍ ହୋଇଯିବ ।

ଏଥିପାଇଁ ଶିଳ୍ପପତିଙ୍କ ଯୁକ୍ତି ଭିନ୍ନ ଭିନ୍ନ । ଇଜ୍ ଅଫ୍ ଡୁଇଙ୍ଗ ଭାରତରେ ଏ ପର୍ଯ୍ୟନ୍ତ ସବୁ ଉଦ୍ୟୋଗକୁ ସୁହାଇଲା ଭଳି ହେଉନାହିଁ । ତା ସଙ୍ଗେ ବିଭିନ୍ନ ସରକାରୀ ଏନଫୋର୍ସମେଣ୍ଟ୍ କର୍ତ୍ତୃପକ୍ଷ ବ୍ୟବସାୟୀ, ଶିଳ୍ପପତିଙ୍କୁ କାଗଜ ପତ୍ର ଠିକ୍ କରିବା ନାଁରେ ମାତ୍ରାଧିକ ହଇରାଣ କରୁଛନ୍ତି । ଭାରତରେ ଉତ୍ପାଦନ ଖର୍ଚ୍ଚ ଯେତିକି ବୃଦ୍ଧି ପାଇଛି ସେ କ୍ଷେତ୍ରରେ ଆମଦାନୀ ଶସ୍ତା ପଡ଼ୁଛି । ଭାରତୀୟ ଶିଳ୍ପ ଉତ୍ପାଦ ଅଧିକ ଦର ରହୁଥିବାରୁ ଅନ୍ତରାଷ୍ଟ୍ରୀୟ ବଜାରରେ ପ୍ରତିଯୋଗିତା କରିପାରୁନି । କେନ୍ଦ୍ର ସରକାରଙ୍କ ନୀତି ଏପରି କିଛି ମୁଷ୍ଟିମେୟ ବଡ଼ କର୍ପୋରେଟ୍ ସଂସ୍ଥାଙ୍କୁ ସୁହାଉଛି । ବାକି ଛୋଟ ଓ କ୍ଷୁଦ୍ର ଉଦ୍ୟୋଗୀ ସେମାନଙ୍କ ଉତ୍ପାଦ ପାଇଁ ବଜାର ସୁବିଧା ପାଇପାରୁନାହାନ୍ତି । ଅନ୍ୟପଟେ ଆଉ କେତେକ ଉଦ୍ୟୋଗୀ ଏହାର ସକାରାତ୍ମକ ଦିଗକୁ ଦେଖୁଛନ୍ତି ।

ଓଡ଼ିଶାରେ ପୂର୍ବ ସରକାର ସମୟରେ ଜେଏସ୍ଡବ୍ଲୁ ଇଭି ଶିଳ୍ପ ପାଇଁ ଏମ୍ଓୟୁ ସ୍ବାକ୍ଷର ହୋଇଥିଲା । ତତ୍କାଳୀନ ସରକାର ଏ ନେଇ ଜମି ମଧ୍ୟ ଆବଣ୍ଟନ କରିଥିଲେ । କିନ୍ତୁ ଜେସଡବ୍ଲୁ ଓଡ଼ିଶାରୁ ଏହି ପ୍ରକଳ୍ପକୁ ଉଠାଇ ନେଲାଣି । ସେହିପରି କେନ୍ଦ୍ରାପଡ଼ାରେ ନବୀନ ସରକାର ସମୟରେ ହୋଇଥିବା ନିପନ୍ ଆର୍ସେଲର ମିତ୍ତଲ କମ୍ପାନୀ ମଧ୍ୟ ଆନ୍ଧ୍ରକୁ ଚାଲିଗଲାଣି ।

ବିଶିଷ୍ଟ ଶିଳ୍ପୋଦ୍ୟୋଗୀଙ୍କ ଅଭିଯୋଗ ଲକ୍ଷାଧିକ କୋଟି ଟଙ୍କାର ପୁଞ୍ଜି ରାଜ୍ୟରୁ ଫେରିଯାଉଛି ଅଥଚ ଏବର ବିଜେପି ସରକାର ସେ ନେଇ କିଛି ବି ତତ୍ପରତା ଦେଖାଉ ନାହାନ୍ତି । ଏସବୁ ବହୁ ରାଷ୍ଟ୍ରୀୟ କମ୍ପାନୀ ପ୍ରତିଷ୍ଠା ହୋଇଥିଲେ ରାଜ୍ୟରେ ବହୁ ଲୋକଙ୍କୁ ରୋଜଗାର ମିଳିଥାନ୍ତା । ରାଜ୍ୟର ଅଭିବୃଦ୍ଧି ହେବା ସହ ଦେଶର ରପ୍ତାନୀ ଉପରେ ବଡ଼ ଫରକ ଆସିଥାନ୍ତା । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ନୀତି ଉପରେ ଆଉଥରେ ପୁନର୍ବିଚାର କରିବା ଦରକାର ।

ଯୋଜନା ଓ ନୀତି କରିବାରେ ନୀତି ନିର୍ଦ୍ଧାରକଙ୍କ ଅବହେଳା ନାହିଁ । କିନ୍ତୁ ବାସ୍ତବରେ ତାର ସଠିକ ରୂପାୟନ କଣ ହେଉଛି ତାକୁ ପରଖିବାକୁ କେବେ ବି ଆନ୍ତରିକତା ଦେଖାଇନାହାନ୍ତି  । ଦରଦାମ ଏତେ ବଢୁଲାଣି ଯେ, ସାଧାରଣ ଲୋକଟି ପରିବାର ଚଳାଇପାରୁନି । ରୋଜଗାର କଥା ତ ଛାଡ଼ । ଦେଶକୁ ଶିଳ୍ପ କ୍ଷେତ୍ରରେ ଆତ୍ମନିର୍ଭର କରିବାକୁ ହୁଏତ ଲାଗିପାରେ ଆଉ କିଛି ଦଶନ୍ଧି।

ସୁନୀତା ୱିଲିୟମ୍ସଙ୍କ ଉପରେ ଆସୁଛି ବଡ ବିପଦ!

ନନ୍ଦିଘୋଷ ବ୍ୟୁରୋ: ସୁନୀତା ୱିଲିୟମ୍ସଙ୍କ ଉପରେ ବଡ ବିପଦ ଆସୁଛି! ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫାଟ, ଅନେକ ସ୍ଥାନରୁ ଲିକ୍ । ଅନେକ ବର୍ଷ ଧରି ISS ରେ ସାମାନ୍ୟ ଲିକ୍ ହୋଇଥିଲା ଯାହା ବର୍ତ୍ତମାନ ବୃଦ୍ଧି ପାଇଛି  । ଏହି ଖାଲଗୁଡ଼ିକ 50 ରୁ ଅଧିକ ହୋଇଯାଇଛି ଯେଉଁଥିପାଇଁ ସୁନୀତା ୱିଲିୟମ୍ସ ବିପଦରେ ଅଛନ୍ତି। ଏବେ ନାସା ମଧ୍ୟ ଏ ବିଷୟରେ ଚିନ୍ତିତ ଅଛି । ଏକ ଅନୁସନ୍ଧାନ ରିପୋର୍ଟ ରେ କୁହାଯାଇଛି ଆଇଏସ୍ ଏସ୍ ଉପରେ ବିପଦ ରହିଛି ଏବଂ ସମସ୍ତ ମହାକାଶଚାରୀ ମଧ୍ୟ ସୁରକ୍ଷିତ ନୁହଁନ୍ତି।

ଭାରତୀୟ ମୂଳ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ବର୍ତ୍ତମାନ ଏକ ନୂତନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାସ୍ତବରେ, ବହୁ ବର୍ଷ ଧରି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ସାମାନ୍ୟ ଲିକ୍ ହୋଇଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇଛି | ଖାଲଗୁଡ଼ିକ 50 ରୁ ଅଧିକ ହୋଇଯାଇଛି, ଯେଉଁଥିପାଇଁ ସୁନୀତା ବିପଦରେ ଅଛନ୍ତି। ଏବେ ନାସା ମଧ୍ୟ ଏ ବିଷୟରେ ଚିନ୍ତିତ ଅଛନ୍ତି ।

ଋଷ ମଧ୍ୟ ଚେତାବନୀ ଦେଇଛି

ପୃଥିବୀର କକ୍ଷପଥରେ ଥିବା ଲ୍ୟାବରେ ମାଇକ୍ରୋ କମ୍ପନ ଘଟୁଛି ବୋଲି ଋଷ ମଧ୍ୟ ଚେତାବନୀ ଦେଇଛି। ଏଥି ସହିତ ନାସା କହିଛି ଯେ ସ୍ପେସ୍ ଷ୍ଟେସନରୁ ବହୁ ପରିମାଣର ବାୟୁ ବାହାରୁଛି, ଯାହା ଏକ ଆଲାର୍ମ ଘଣ୍ଟି ଅଟେ। ଏହି ସମସ୍ୟାର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ିନାହିଁ ।

ଜୁନ୍ ଠାରୁ ISS ରେ ଅଟକି ରହିଛନ୍ତି |

ସୁନୀତା ୱିଲିୟମ୍ସ ତାଙ୍କ ସହଯୋଗୀ ମହାକାଶଚାରୀ ବଚ୍ ୱିଲମୋରଙ୍କ ସହ ଜୁନ୍ ମାସରୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଅଛନ୍ତି। ଉଭୟ ୧୫୦ ଦିନରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫସି ରହିଛନ୍ତି | ଉଭୟ ମହାକାଶଚାରୀ ବୋଇଙ୍ଗ ଷ୍ଟାରଲିନର୍ ମହାକାଶଯାନକୁ ନେଇ ଜୁନ୍ ୬ରେ ISS ରେ ପହଞ୍ଚିଥିଲେ। ଆସନ୍ତା ବର୍ଷ ଫେବୃଆରୀରେ ସେମାନେ ଫେରିବେ ବୋଲି ଆଶା କରାଯାଉଛି।

ତେବେ ସ୍ପେସ୍ ଷ୍ଟେସନରେ ଏତେ ଦିନ ଧରି ରହୁଥିବା ସୁନୀତା ୱିଲିୟମ୍ସଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଥର ଚିନ୍ତା ପ୍ରକଟ କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେବାବେଳେ ନାସା ପୁଣି ଥରେ ଖବର ଦେଇଛି। ନାସା କହିଛି ଯେ ମହାକାଶରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ନିରାପଦରେ ଅଛନ୍ତି।

ମହାକାଶଚାରୀ ସୁନିତା ଓ୍ବିଲିୟମ୍ସ ପୃଥିବୀ ଫେରିବା ସମ୍ଭାବନା କ୍ଷୀଣ ହେଉଛି । ଫେରବ୍ରୁଆରି ମାସରେ ସୁନିତା ଏବଂ ତାଙ୍କ ସାଥି ଭୂ-ପୃଷ୍ଠକୁ ଫେରିଥାନ୍ତେ, ମାତ୍ର ଏହା ମୁସ୍କିଲ୍ ହେବାରେ ଲାଗିଛି । ଇଣ୍ଟର ନ୍ୟାସନାଲ ସ୍ପେଶ୍ ଷ୍ଟେସନକୁ ନେଇ ଆମେରିକା ମହାକାଶ ଗବେଷଣା ସଂସ୍ଥା ‘ନାସା’ ଚିନ୍ତାଜନକ ଖବର ଦେଇଛି । ଆଇଏସଏସରେ ଗତ ୫ ବର୍ଷ ହେଲା ଛିଦ୍ର ସୃଷ୍ଟି ହୋଇଛି । ଏହି ଛିଦ୍ର ଏବେ ୫୦ରୁ ଅଧିକ ସ୍ଥାନରେ ହୋଇଛି । ଏହାଛଡ଼ା ଇଣ୍ଟର ନ୍ୟାସନାଲରେ ସ୍ପେଶ୍ ଷ୍ଟେସନରେ ଫାଟ ସୃଷ୍ଟି ହୋଇଥିବା ‘ନାସା’ ସୂଚନା ଦେଇଛି । ଫଳରେ ସୁନିତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥିଙ୍କ ପାଇଁ ବିପଦ ବଢ଼ିବାରେ ଲାଗିଛି ।

ଋଷ୍ ଲ୍ୟାବର ବୈଜ୍ଞାନିକ ମାଇକ୍ରୋ ବାଇବ୍ରେସନ ଦାବି କରିଛନ୍ତି, ସ୍ପେଶ୍ ଷ୍ଟେସନ ମଧ୍ୟକୁ ପବନ ପ୍ରବେଶ କରିବାର ଅର୍ଥ ସତର୍କ ଘଣ୍ଟି ସଦୃଶ । ହେଲେ ଏହାର ସମାଧାନ ପାଇଁ ତଥା ଜୀବନ ବଞ୍ଚାଇବାକୁ ନାସା କୌଣସି ନା କୌଣସି ଉପାୟ ବାହାର କରିବ । ଇଣ୍ଟର ନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ପ୍ରଥମେ ୟବେଜଦା ମଡ୍ୟୁଲାର୍ ସିଷ୍ଟମରେ ଛିଦ୍ର ସୃଷ୍ଟି ହୋଇଥିଲା । ଆଇଏସଏସର ଏହି ସ୍ଥାନରୁ ଡାକିଙ୍ଗ ପୋର୍ଟ ପର୍ଯ୍ୟନ୍ତ ଯିବା ପାଇଁ ଏକ ସୁଡ଼ଙ୍ଗ ରହିଛି । ଏହାର କିଛି ଅଂଶ କଣ୍ଟ୍ରୋଲ ରୁମ୍ ସହିତ ଯୋଡ଼ି ହୋଇ ରହିଛି । ସ୍ପେଶ୍ ଷ୍ଟେସନର ଏହି ସମସ୍ୟାର ମୁଖ୍ୟ କାରଣ ଏହା ନାସା ଏବଂ ଋଷ୍ ଏଜେନ୍ସି ରାସକୋମସ୍ । ଦୁଇ ସଂସ୍ଥା ଅସହମତି ପାଇଁ ଛିଦ୍ର ସଂଖ୍ୟା ବଢ଼ିବାରେ ଲାଗିଛି । ଏହାର କୌଣସି ସମାଧନ ନହେଲେ ଏହା ସ୍ପେଶ୍ ଷ୍ଟେସନ ପାଇଁ ବିପତ୍ତ, ଯାହାକୁ ନେଇ ମହକାଶଚାରୀ ଏବଂ ବୈଜ୍ଞାନିକଙ୍କ ଚିନ୍ତା ବଢ଼ିଛି ।

ନୟନତାରାଙ୍କ ବାୟୋଗ୍ରାଫି : ଏହି କାରଣରୁ ଧନୁଷଙ୍କ ସହ ବିବାଦ, ଆସିଲା ନୋଟିସ୍

ନନ୍ଦିଘୋଷ ବ୍ୟୁରୋ: ଦୁଇ ଜଣାଶୁଣା ଦକ୍ଷିଣୀ କଳାକାରଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଲେଡି ସୁପରଷ୍ଟାର ନୟନତାରା ଏବଂ ଧନୁଷଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିବାଦ । ଯାହାକି ନୟନତାରାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଦେଖିବା ପରେ ବେଶ ଭଲଭାବେ ବାରି ହୋଇ ଯାଉଛି । ଆଗାମୀ ଦିନରେ ନୟନତାରାଙ୍କ ଏକ ବାୟୋଗ୍ରାଫି ଉପରେ ଆଧାରିତ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ଏହାର ଟ୍ରିଜର ରିଲିଜ ହୋଇଥିବାବେଳେ ଏହାକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ତେବେ ଏଥିରେ ଧନୁଷଙ୍କ ଦ୍ବାରା ପ୍ରଯୋଜିତ ଏକ ଫିଲ୍ମର ଏକ ମ୍ୟୁଜିକ୍ ବ୍ୟବହାର କରାଯାଇଛି । ଅଳ୍ପ ସମୟର ମ୍ୟୁଜିକ୍ ବ୍ୟବହାର କରାଯାଇଥିବାବେଳେ ଏହାକୁ ନେଇ ଲିଗାଲ ନୋଟିସ୍ ପଠାଇଛନ୍ତି ଧନୁଷ ।

କ୍ଷମା ମାଗିବା ସହ ୧୦ କୋଟି ଟଙ୍କାର ଭରଣ ପାଇଁ ନୋଟିସ ପଠାଇଛନ୍ତି ଧନୁଷ । ଯାହାକୁ ନେଇ ବର୍ଷିଛନ୍ତି ନୟନତାରା । ସେ କହିଛନ୍ତି କି, ଧନୁଷ ଜଣେ ଭଲ ଅଭିନେତା ଆଉ ତାଙ୍କ ପରିବାରର ବହୁ ଲୋକ ଏହି ସିନେମା ଇଣ୍ଡଷ୍ଟ୍ରିର ମାତ୍ର ସେ ଏଭଳି ଏକ କାମ କରିବେ ଏହା କେବେ ଭାବି ନଥିଲୁ । ତାଙ୍କ ଫିଲ୍ମର ଅଳ୍ପ କିଛି ସମୟର ମ୍ୟୁଜିକ୍ ବ୍ୟବହାର ପାଇଁ ଆମେ ଅନେକଥର ତାଙ୍କ ଅନେକବାର ଯୋଗାଯୋଗ କରିଛୁ । ମାତ୍ର ସେ ଶୁଣି ନଥିଲେ । ଆଉ ଏବେ ଲିଗାଲ ନୋଟିସ ପାଠାଇବା ପରେ ଏହାକୁ ନିନ୍ଦା କରିଛନ୍ତି ନୟନତାରା । ସେ କହିଛନ୍ତି କି, ଆମେ ମଧ୍ୟ ପୁଣିଥରେ ଏଡିଟିଙ୍ଗ କରି ଏହାକୁ ହଟାଇ ଦେଇଛୁ ।

ରକ୍ଷଣାବେକ୍ଷଣା ଅଭାବରୁ ହରାଇଲାଣି ସତ୍ତା, ଜରାଜୀର୍ଣ୍ଣ ଅବସ୍ଥାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର

ନନ୍ଦିଘୋଷ ବ୍ୟୁରୋ: ଜରାଜୀର୍ଣ୍ଣ ଅବସ୍ଥାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିଲା ପଥପ୍ରାନ୍ତ ସୁବିଧାକେନ୍ଦ୍ର । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏବେ ୪ ମାସ ହେବ ବନ୍ଦ ହୋଇ ପଡିଛି । ଫଳରେ ପଥଚାରୀ ଓ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କାମରେ ଆସୁନି ପଥପ୍ରାନ୍ତ ସୁବିଧା କେନ୍ଦ୍ର । ରକ୍ଷଣାବେକ୍ଷଣା ଅଭାବରୁ ହରାଇଲାଣି ସତ୍ତା । ୪ ମାସ ହେବ ବନ୍ଦ ହୋଇପଡିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଚାରିଆଡେ ମାଡିଗଲାଣି ଗଛ । ଏ ହେଉଛି ବଲାଙ୍ଗୀର ଜିଲ୍ଲା  ବଙ୍ଗୋମୁଣ୍ଡା -କଣ୍ଟାବାଞ୍ଜି ୪୨ନଂ ରାଜ୍ୟ ରାଜପଥର କୁଦୋଭଟା ନିକଟରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରର ଦୃଶ୍ଯ । ପଥଚାରୀଙ୍କ ସୁବିଧା ପାଇଁ ୨୦୧୮ ମସିହାରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ଏହି ସୁବିଧା କେନ୍ଦ୍ର ଆରମ୍ଭ ହୋଇଥିଲା । ଏହି କେନ୍ଦ୍ରରେ ଶୌଚାଳୟ, ପାର୍କିଂ, ଶିଶୁ ଉଦ୍ୟାନ, ପିଇବାପାଣି ଆଦି ଅନେକ ସୁବିଧା ଥିଲା । ହେଲେ କୌଣସି କାରଣ ବଶତଃ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ୪ମାସ ହେଲା ବନ୍ଦ ହୋଇ ପଡିରହିଛି । ଫଳରେ ସାଧାରଣ ଲୋକଙ୍କ ସମେତ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

୨୦୧୮ରୁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଆରମ୍ଭ ହେବା ପରେ ୧୩ ଜଣ କର୍ମଚାରୀ ଏଠାରେ ନିଯୁକ୍ତି ପାଇଥିଲେ । ୨୦୨୦ ମସିହାରୁ ୨୦୨୪ ଜୁନ ମାସ ପର୍ଯ୍ୟନ୍ତ ୬ ଜଣ କର୍ମଚାରୀ ଏଠାରେ କାମ କରୁଥିଲେ । ହେଲେ ୪ ମାସ ହେଲା ପଥପ୍ରାନ୍ତ କେନ୍ଦ୍ର ବନ୍ଦ ଥିବାରୁ କର୍ମଚାରୀ ମାନେ କାମ ହରାଇ ଘରେ ବସିଛନ୍ତି । ଏବଂ କିଛି କର୍ମଚାରୀମାନେ ନିଜର ବକେୟା ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି । ଏଥିସହିତ ସାଧାରଣ ଜନତା ମଧ୍ଯ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଅତିଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ କାର୍ଯ୍ଯକ୍ଷମ କରାଯିବ ବୋଲି କହିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ।

 

ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲକାରୀଙ୍କ ବରୋଧରେ ଏତଲା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବେଆଇନ୍ ଭାବରେ ଜବରଦଖଲକାରୀ ବିରୋଧରେ ଏତଲା l ପୁରୀ ମାଟିତୋଟା ମୌଜାରେ ଥିବା ଶ୍ରୀ ଜଗନ୍ନାଥଙ୍କ ଜମି ବେଆଇନ ଭାବେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି । ଏନେଇ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳୀସାହି ଥାନାରେ ଏତଲା ଦାଖଲ ଦିଆଯାଇଛି । ମୌଜା- ମାଟିତୋଟା ୟୁନିଟ୍ ନଂ-୧, ଖାତା ନମ୍ବର-୩୮ ର ସମୁଦାୟ ୧୦୯ ଟି ପ୍ଲଟର ଏହି ଜମିକୁ ବେଆଇନ୍ ଜବର ଦଖଲ ହୋଇଥିବା ସୂଚନା ରହିଛି  l ଏହା ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ସ୍ଵାମୀଙ୍କ ଜୀବନ ବଞ୍ଚାଇବାକୁ ସରୋଜିନୀଙ୍କ ସଂଘର୍ଷ

ନନ୍ଦିଘୋଷ ବ୍ୟୁରୋ: ସ୍ଵାମୀଙ୍କ ଜୀବନ ବଞ୍ଚାଇବାକୁ ସରୋଜିନୀଙ୍କ ସଂଘର୍ଷ । ଚିକିତ୍ସା ନିମନ୍ତେ ଅର୍ଥ ସାଜିଛି ବାଧକ । ବାହାଘର ବର୍ଷେ ପରେ ସ୍ଵାମୀଙ୍କ ୨ଟି କୀଡିନ ନଷ୍ଟ ହୋଇଯାଇଥିବା ନେଇ ଜାଣିବାକୁ ପାଇଥିଲେ । ସ୍ଵାମୀଙ୍କୁ ଭଲ କରିବା ପାଇଁ ନିଜର ସମସ୍ତ ସୁନା ,ଗହଣା ଏବଂ ଜାଗା ବାଡି ବିକି ଏବେ ସର୍ବହରା ପାଲଟିଛନ୍ତି। ହେଲେ ସ୍ଵାମୀ ଅଜିତ ଭଲ ନହେବାରୁ ନିଜର ଏକ କୀଡନ ଦେବାକୁ ବସିଛନ୍ତି ସରୋଜିନୀ ।

କେତେବେଳେ ଯେ କାହା ସୁଖର ସଂସାର ଉପରେ କଳା ବାଦଲ ମାଡି ଆସିବ ତାହା କେହି କହିପାରିବେ ନାହିଁ । ସେମିତି ଏକ ଦୁଃଖର କଳା ପାହାଡ ଏବେ ମାଡି ବସିଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧିନସ୍ଥ ବଡ଼ଶିରିବିଳା ପଞ୍ଚାୟତ ତୋରବାଙ୍ଗ ଗାଁର ସରୋଜିନୀ ପ୍ରଧାନଙ୍କ ପରିବାର ଉପରେ। ତିନି ବର୍ଷ ତଳେ କେନ୍ଦୁଝରର ଅଜିତ କୁମାର ସ୍ଵାଇଁଙ୍କୁ ବିବାହ କରିଥିଲେ ସରୋଜିନୀ । ହେଲେ ବିବାହର ବର୍ଷେ ପରେ ଅଜିତଙ୍କ ସ୍ଵାସ୍ଥ୍ଯ ଖରାପ ହେବାରୁ ସ୍ଵାମୀଙ୍କୁ ଧରି ନିଜ ବାପଘରକୁ ଚାଲି ଆସିଥିଲେ ସରୋଜିନୀ । ଆଉ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ଯାଣିବାକୁ ପାଇଥିଲେ ଅଜିତଙ୍କ ଦୁଇଟି ଯାକ କିଡିନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଭିନ୍ନ ଉପାୟରେ ସ୍ଵାମୀଙ୍କ ଚିକିତ୍ସା ପରେ ଅଜିତ ସୁସ୍ଥ ନହେବାରୁ ସରୋଜିନୀ ନିଜର ସମସ୍ତ ସୁନା ,ଗହଣା ଏବଂ ଜାଗା ବାଡି ବିକି ଏବେ ସର୍ବହରା ପାଲଟିଛନ୍ତି ।

ଅଜିତ୍ ବର୍ତ୍ତମାନ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ସ୍ଥିତିରେ ସରୋଜିନୀ ନିଜ ସ୍ଵାମୀଙ୍କୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଶେଷରେ ସ୍ଵାମୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ଏକ କିଡନୀ ଦେବା ପାଇଁ ପତ୍ନୀ ସରୋଜିନୀ ସ୍ଥିର କରିଛନ୍ତି। ହେଲେ ଅପରେଶନ ପାଇଁ ଯେଉଁ ଅର୍ଥ ଆବଶ୍ୟକ ଅଛି ତାହା ସରୋଜିନୀଙ୍କ ପାଇଁ ଯୋଗାଡ଼ କରିବା ଅସମ୍ଭବ ପାଲଟିଛି। ଫଳରେ ସ୍ଵାମୀଙ୍କ ଚିକିତ୍ସା ନିମନ୍ତେ ଏବେ ସରୋଜିନୀ ସରକାରଙ୍କ ପାଖରେ ଆର୍ଥିକ ସହାୟତା ଲୋଡିଛନ୍ତି । ଯଦି କୌଣସି ବଦାନ୍ୟ ବ୍ୟକ୍ତି ସରୋଜିନୀଙ୍କୁ ସାହାର୍ଯ୍ଯ କରନ୍ତେ ତାହାଲେ ଅଜିତ ସୁସ୍ଥ ହୋଇପାରନ୍ତେ । ଏବଂ ପରିବାରରେ ଖୁସିର ଲହରୀ ଖେଳି ପାରନ୍ତା ।

 

ଗେଲ୍ ଇଣ୍ଡିଆର ଗ୍ଯାସ ପାଇପ ବିଛାଇବା ନୀତିକୁ ଚାଷୀଙ୍କ ବିରୋଧ

ନନ୍ଦିଘୋଷ ବ୍ୟୁରୋ: ଗେଲ୍ ଇଣ୍ଡିଆର ଗ୍ୟାସ୍ ପାଇପ୍ ବିଛାଇବା ନୀତିକୁ ଚାଷୀଙ୍କ ବିରୋଧ ।  ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନରେ ଗେଲ୍ ଇଣ୍ଡିଆ ପକ୍ଷରୁ ଜାରି ରହିଛି ଗ୍ୟାସ୍ ପାଇପ ବିଛାଇବା କାର୍ଯ୍ୟ । ଫଳରେ ଏକର ଏକର ଜମି ହରାଇବାକୁ ବସିଛନ୍ତି ଚାଷୀ । ହେଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବର୍ତ୍ତମାନର ବଜାର ଦର ଅନୁସାରେ ଉଚିତ୍ ମୂଲ୍ଯ ଦିଆଯାଉନଥିବା ଅଭିଯୋଗ । ଯାହାକୁ ନେଇ ଚାଷୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଗେଲ୍ ଇଣ୍ଡିଆର ଗ୍ଯାସ ପାଇପ ବିଛାଇବା ନୀତିକୁ ଚାଷୀଙ୍କ ବିରୋଧ । ଗଜପତି ଜିଲ୍ଲା ଗୋଷାଣି ବ୍ଲକର ବିଭିନ୍ନ ସ୍ଥାନରେ ଗେଲ୍ ଇଣ୍ଡିଆ ପକ୍ଷରୁ ଜାରି ରହିଛି ଗ୍ୟାସ୍ ପାଇପ ବିଛାଇବା କାର୍ଯ୍ୟ । ଏଥିରେ ପ୍ରାୟତଃ ୫୦ ଫୁଟ ପ୍ରଶସ୍ତରେ ଜମି ଅଧିଗ୍ରହଣ କରୁଛି କମ୍ପାନୀ । ଫଳରେ ଏକର ଏକର ଜମି ହରାଇବାକୁ ବସିଛନ୍ତି ଚାଷୀ । କ୍ଷତିଗ୍ରସ୍ତ ଚାଷୀଙ୍କୁ ବର୍ତ୍ତମାନର ବଜାର ଦର ଅନୁସାରେ ଉଚିତ୍ ମୂଲ୍ଯ ଦିଆଯାଉନଥିବା ଅଭିଯୋଗ । ଫଳରେ କମ୍ପାନୀର ଜମି ଅଧିଗ୍ରହଣ ନୀତିକୁ ବିରୋଧ କରି ଚାଷୀମାନେ ନିଜ ନିଜ ଚାଷ ଜମି ଛାଡିବାକୁ ରାଜି ହେଉନାହାଁନ୍ତି । ଯାହାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ତ ହୋଇଛନ୍ତି ଚାଷୀ। ବର୍ତ୍ତମାନ ଏହି ମାମଲା ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ରହିଛି। କେତେକ ଜମିକୁ ନେଇ ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରଧିନ ରହିଥିଲେ ମଧ୍ୟ ଗେଲ୍ ଇଣ୍ଡିଆ ତରଫରୁ ଜମି ଖୋଳିବାକୁ ନୋଟିସ ଜାରି କରାଯାଇଛି। ଏବଂ କମ୍ପାନୀ ପକ୍ଷରୁ ଜବରଦସ୍ତି ଭାବେ ଗ୍ୟାସ୍ ପାଇପ ବିଛାଇବା ପାଇଁ ଉଦ୍ୟମ କରାଯାଉଥିବାରୁ ଏହାକୁ ଦୃଢ ବିରୋଧ କରିଛନ୍ତି କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷୀମାନେ।  ତେବେ ଗୋଟିଏ ସରକାରୀ କମ୍ପାନୀ ପ୍ରତି ପ୍ରଶାସନର ଅନୁକମ୍ପା ମୂଳକ ପଦକ୍ଷେପକୁ ତୀବ୍ର ନିନ୍ଦା କରାଯାଇଛି।

ଗେଲ୍ ଇଣ୍ଡିଆ ତରଫରୁ ଯେଉଁ ପାଇପ ବିଛାଇବା କାର୍ଯ୍ଯ ଆରମ୍ଭ ହୋଇଛି ତାହା ଦ୍ବାରା ଚାଷୀଙ୍କର ବର୍ଷକର ଦାନାପାଣି ନଷ୍ଟ ହେବାକୁ ବସିଛି । ବର୍ତ୍ତମାନ ଜମିରେ ଧାନ ଫସଲ ରହିଛି । କିଛି ଦିନ ମଧ୍ୟରେ ଅମଳ ହେବ ଧାନ। ଏପରି ସମୟରେ ଜୋର ଜବରଦସ୍ତ ଜମି ଖୋଳିବାକୁ ଜେସିବି ମେସିନ ନେଇ ପହଞ୍ଚିଛି ଗେଲ୍ ଇଣ୍ଡିଆ କମ୍ପାନୀ । ଯାହାକୁ ନେଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି ପ୍ରଭାବିତ ହେବାକୁ ଥିବା ଚାଷୀମାନେ।  ଚାଷୀମାନେ କହିଛନ୍ତି ଯେ, ଜମିର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ ନ କଲେ ଆମ୍ଭେ ଇଞ୍ଚେ ଜମି ଦେବୁ ନାହିଁ । ମାନ୍ୟବର ଉଚ୍ଚ ନ୍ୟାୟାଳୟର ରାୟ ନଆସିବା ପର୍ଯ୍ୟନ୍ତ ଆମ୍ଭେ କାହାରି କଥା ଶୁଣିବୁ ନାହଁ ବୋଲି କହିଛନ୍ତି । ଯଦି ଜବରଦସ୍ତି ଭାବେ ଗ୍ୟାସ୍ ପାଇପ୍ ବିଛା ଯାଏ ତେବେ ଘୋର ପ୍ରତିବାଦ କରାଯିବ । ଗେଲ୍ ଇଣ୍ଡିଆ ପକ୍ଷରୁ ଗାରାବନ୍ଧ ଅଞ୍ଚଳରେ ଗ୍ୟାସ୍ ପାଇପ ଲାଇନ ବିଛାଇବା ପାଇଁ ସମସ୍ତ ଉପକରଣ ନେଇ ପହଞ୍ଚିଛି କମ୍ପାନୀ। ଯାହାକୁ ଦେଖି ଚାଷୀମାନେ ଛାନିଆ ହୋଇପଡିଛନ୍ତି ।

ମହାରାଷ୍ଟ୍ର ଅମରାବତୀରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ

ନନ୍ଦିଘୋଷ ବ୍ୟୁରୋ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହେଲିକପ୍ଟରକୁ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ। ମହାରାଷ୍ଟ୍ରର ଅମରାବତୀକୁ ନିର୍ବାଚନ ପ୍ରଚାର ଲାଗି ରାହୁଲ ହେଲିକପ୍ଟରରେ ଯାଇଥିବାବେଳେ ତାହାକୁ ଯାଞ୍ଚ କରିଛନ୍ତି ଅଧିକାରୀ। ଏହି ଯାଞ୍ଚକୁ ନେଇ ରାଜନୀତି ଜୋର ଧରିଛି। କିଛି ଦିନ ତଳେ ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେଙ୍କ ହେଲିକପ୍ଟର ଯାଞ୍ଚ ହୋଇଥିଲା। ଗତକାଲି ଝାଡଖଣ୍ଡରେ ରାହୁଲଙ୍କ ହେଲିକପ୍ଟରକୁ ଘଣ୍ଟାଏ ବିଳମ୍ବରେ ଉଡାଣ ଅନୁମତି ମିଳିଥିଲା। ଆଜି ପୁଣି ତାଙ୍କ ହେଲିକପ୍ଟରକୁ ଯାଞ୍ଚ କରାଯିବାକୁ ନେଇ ରାଜନୀତି ଜୋର ଧରିଛି। ହେଲିକପ୍ଟର ଯାଞ୍ଚ ଚାଲିଥିବାବେଳେ ରାହୁଲ ଓହ୍ଲାଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ଦେଖାଯାଇଥିଲା।

ନିର୍ବାଚନୀ ସଭା ବାତିଲ ହେବା କିମ୍ବା ବିଳମ୍ବ କରିବା ଉଦ୍ଦେଶ୍ଯରେ ରାହୁଲଙ୍କ ହେଲିକପ୍ଟରକୁ ଜାଣିଶୁଣି ବିଳମ୍ବିତ କରାଗଲା ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ନିର୍ବାଚନୀ ସଭାରେ ରାହୁଲ ଏମଭିଏ ପକ୍ଷରୁ ଦିଆଯାଇଥିବା ଗ୍ଯାରେଣ୍ଟି ସମ୍ପର୍କରେ ଉପସ୍ଥାପନ କରିଥିଲେ। ସେପଟେ ଏନସିପି ନେତା ଶରଦ ପାୱାରଙ୍କ ହେଲିକପ୍ଟରକୁ ବି ରାଇଗଡରେ ଯାଞ୍ଚ କରାଯାଇଛି। ପୂର୍ବରୁ ଅମିତ ଶାହ, ଦେବେନ୍ଦ୍ର ଫଡନବିସ, ଏକନାଥ ସିନ୍ଦେ, ଅଜିତ ପାୱାର ଓ ଅନ୍ଯମାନଙ୍କ ହେଲିକପ୍ଟର ଯାଞ୍ଚ ହୋଇଥିବାର ଭିଡିଓ ବିଜେପି ପକ୍ଷରୁ ସେୟାର କରାଯାଉଛି। ସେପଟେ ମହାରାଷ୍ଟ୍ର ଶିରଦିରେ ନିର୍ବାଚନ ପ୍ରଚାର କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି।

ଆଦିବାସୀଙ୍କ ଭାଷାକୁ ସଂରକ୍ଷିତ ରଖିବାକୁ ବିଜେଡିର ଦାବି

ନନ୍ଦିଘୋଷ ବ୍ୟୁରୋ: ହୋ, ମୁଣ୍ଡାରୀ, ଭୂମିଜ, ସୌରା, କୁଇ ପରି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବକୁ ଦାବି କରିଛି ବିଜେଡି। ଏକ ପ୍ରେସମିଟରେ ଦେବୀ ମିଶ୍ର କହିଛନ୍ତି, ଆଦିବାସୀଙ୍କ ଭାଷାକୁ ସଂରକ୍ଷିତ ରଖାଯାଉ। ଏହି ସବୁ ଭାଷାକୁ ସମ୍ଵିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ନବୀନ ସରକାର ଆଗରୁ ବାରମ୍ଵାର ଦାବି କରିଥିଲେ। ବିଜେଡି କହିଛି, କେନ୍ଦୁ ପତ୍ରରେ ୧୮ ପ୍ରତିଶତ GST ଲଗାଯାଇଛି। ଏହାକୁ ଉଚ୍ଛେଦ କରାଯାଉ। ଭଗବାନ ବିର୍ସା ମୁଣ୍ଡାଙ୍କୁ ଆଦିବାସୀମାନେ ପୂଜା କରନ୍ତି। ଗତକାଲି ତାଙ୍କର 150  ତମ ଜୟନ୍ତୀ ପାଳନ କରାଯାଇଛି। ତାଙ୍କ ନାଁରେ ଆଦିବାସୀଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକ ରାଉରକେଲାରେ ବିଶ୍ଵସ୍ତରୀୟ ଷ୍ଟାଡିଅମ କରିଛନ୍ତି। ଆଦିବାସୀଙ୍କ ପାଇଁ ଶିକ୍ଷା, ଯୋଗାଯୋଗ, ହଷ୍ଟେଲ, ସ୍ୱାସ୍ଥ୍ୟ ପରି ସୁବିଧା ନବୀନ କରିଥିଲେ। ତିନି ମେଡିକାଲ କଲେଜ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ନେତାଙ୍କ ନାଁରେ କରାଯାଇଛି। ବିଜେପି ସରକାର ମଧ୍ୟ ଆଦିବାସୀଙ୍କ ପାଇଁ ଯାହା ଦରକାର, ସବୁ କରନ୍ତୁ ବୋଲି ଦାବି କରିଛି ବିଜେଡି।