spot_img
Home Blog Page 1339

ଅମଳ ବେଳେ ଧାନ କ୍ଷେତରେ ଚକଡ଼ା ପୋକ ଆତଙ୍କ

ନନ୍ଦିଘୋଷ ବ୍ୟୁରୋ: ଧାନ ପାଚିବାର ସମୟ। ଆଉ କିଛି ଦିନ ପରେ ଅମଳ ହେବ ଧାନ । କ୍ଷେତରେ ଲହଡ଼ି ମାରୁଥୁବା ଫସଲକୁ ଦେଖି ଖୁସି ହେଉଥିବା ଚାଷୀଙ୍କ ଉପରେ ଚଡ଼କ ପକାଇଛି ଚକଡା଼ ପୋକ l ସନ୍ଧ୍ୟା ପର୍ଯ୍ୟନ୍ତ ସବୁ ଠିକଠାକ୍ ଥିବା ସତେଜ ଧାନ କ୍ଷେତ ସକାଳ ପାଇଲା ବେଳକୁ ଚକଡା଼ ଚକଡା଼ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳୁଛି। ଚକଡା଼ ପୋକ ମାଡି ଯାଉଛନ୍ତି । ରାତି ଭିତରେ ଏକର ଏକର ଚାଷ ଜମି ନଷ୍ଟ କରିଦେଉଛନ୍ତି  l କାମ କରୁନି କୀଟ ନାଶକ ମେଡିସିନ ଚିନ୍ତାରେ କୋରାପୁଟ ଜିଲ୍ଲା ପଟାଙ୍ଗି ଅଞ୍ଚଳ ର ଚାଷୀ l ପ୍ରଭାବିତ କ୍ଷେତ୍ର  ପରିଦର୍ଶନ କଳା ରାଜସ୍ବ ଓ କୃଷି ବିଭାଗ l

ଅମଳ ହେବାକୁ ଥିବା ଧନ କ୍ଷେତରେ ମାଡ଼ିଯାଉଛନ୍ତି ଚକଡ଼ା ହୋକ । ଆଉ କିଛି ଦିନ ପରେ ହୋଇଥାନ୍ତା ଧନ ଅମଳ । ଭଲ ଫସଲ ହୋଇଥିବା ଦେଖି ଖୁସୀଥିବା କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଧାନ ଫସଲରେ ମାଡ଼ି ଚାଲିଛନ୍ତି ଚକଡ଼ା ପୋକ । ଏକର ଏକର ଚାଷ ଜମି ନଷ୍ଟ କରିଦେଉଛନ୍ତି । ଲହ ଲହକ ଫସଲ ଦେଖି ବର୍ଷକ ପାଇଁ ଯୋଜନା ପ୍ରସ୍ତୁତ କରି ଖୁସି ମାନାଉ  ଥିବା ଚାଷୀଙ୍କମନ ଭାଙ୍ଗି ପଡ଼ିଛି। ଚକଡା ପୋକକୁ ଦମନ କରିବାକୁ ଯେତେ ମେଡ଼ିସିନ ପ୍ରୟୋଗ କଲେ ମଧ୍ୟ କିଛି କାମରେ ଆସୁନାହିଁ । ଆଉ ମାତ୍ର ଦିନ କେଇଟାରେ ଫସଲ ଅମଳ ହୋଇଥାନ୍ତା । ତା ପୂର୍ବରୁ ଚକଡ଼ା ପୋକ ସବୁ ନଷ୍ଟ କରିଦେବାକୁ ବସିଛନ୍ତି । ପୋକ ମୁହଁରେ ଯିବାକୁ ବସିଥିବା ଧାନ ଫସଲ ଦେଖି ଚିନ୍ତାରେ ଚାଷୀ  ।

କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକର ନୂଆ ଗାଁ ପଞ୍ଚାୟତ, ଗଲିଗବଦର ଅଞ୍ଚଳରେ ଚାଷ  ଜମିରେ ବ୍ୟାପକ ଭାବେ ଚକଡା଼ ପୋକ ଲାଗିଥିବା ଦେଖିବାକୁ ମିଳିଛି । ଏହା ଚାଷୀଙ୍କ ନିଦ ହଜାଇ ଦେଇଛି l ସେପଟେ କୃଷି ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଛି । ପ୍ରତିକାର ସକାଶେ  ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପରିବର୍ତ୍ତେ କୃଷି ବିଭାଗ ଦାୟିତ୍ଵହୀନତା ହୋଇ ହାଲୁକା ଭାବରେ ନେଉଛି। ପୋକ ଲାଗି ୨ରୁ ଅଢେଇ ହେକ୍ଟର ନଷ୍ଟ ହୋଇଥିବା କହିଛି l

ଚକଡା଼ ପୋକକୁ ଦମନ ସକାଶେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ରହିଛି । ନହେଲେ କିଛି ଦିନ ମଧ୍ୟରେ ଶହ ଶହ ଏକରରେ ଚକଡ଼ା ପୋକ ମାଡି ଫସଲ ନଷ୍ଟ କରିଦେବା ଆଶଙ୍କାରେ ପଟାଙ୍ଗୀ ଅଞ୍ଚଳର ଚାଷୀ କୁଳ ।

 

 

ପୁଅ ସହ ଆମ ଫଟୋ ଉଠାଇ ତାକୁ ଏଡିଟ କରାଯାଇଛି : ପଣ୍ଡିତ କାଶୀନାଥ ମିଶ୍ର

ନନ୍ଦିଘୋଷ ବ୍ୟୁରୋ: ଖଣ୍ଡଗିରି କୁନି କଳକୀଙ୍କ ଘଟଣାକୁ ନେଇ ଆଶ୍ରମ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ୟକ୍ତ ଲୋକେ ତାଲା ଭାଙ୍ଗି ପଶିଥିବାବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ଏଭଳି ଅପ୍ରତିକର ପରିସ୍ଥିତି ଉପୁଜିବା ପରେ ଏବେ ସମାନାକୁ ଆସିଛନ୍ତି କୁନି ସାରଥୀଙ୍କ ବାପା । ପୁଅକୁ ନେଇ ଏକ ଭିଡିଓ ମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, କିଛି ବର୍ଷ ତଳେ ଜଣଙ୍କ ଘରେ ପୁଅର ଜନ୍ମଦିନ ପାଳିଥିଲୁ । ସେ ବ୍ୟକ୍ତି ଆମର ଫଟୋ ଉଠାଇଥିଲେ । ପୁଅ ସହ ଆମ ଫଟୋ ଉଠାଇ ତାକୁ ଏଡିଟ କରାଯାଇଛି ।

ପୁଅ ପାଦ ତଳେ ତୁଳସୀ ରଖି ଭାଣ୍ଡାମୀ କରିଛନ୍ତି । ଏ ଫଟୋ ଏବେର ନୁହେଁ, ୧୦ ବର୍ଷତଳର ଫଟୋ। ପୁଅକୁ ସେତେବେଳେ ୪/୫ ବର୍ଷ ହୋଇଥିଲା । ମନ୍ଦ ଉଦ୍ଦେଶ୍ୟ ରଖି କିଛି କୁଚକ୍ରୀ ଏଭଳି କରିଛନ୍ତି । ପୁଅ ପାଦ ତଳେ ତୁଳସୀ ରଖି ଫଟୋ ଉଠାଇଛନ୍ତି କୁଚକ୍ରୀ । କୁଚକ୍ରୀମାନେ ମୋ ସହ ଥିଲେ, ଦୂରେଇ ଯାଇ ଏଭଳି କରିଛନ୍ତି । ମୁଁ କେବେ ବି କହିନି ମୋ ପୁଅ ଠାକୁର । ମୁଁ ଓଡ଼ିଆ ଲୋକ, ଜଗନ୍ନାଥ ସଂସ୍କୃତିର ବିଶ୍ୱାସ କରେ । ମୁଁ ଜଣେ ଆଧ୍ୟାତ୍ମିକବାଦୀ ଲୋକ, ପ୍ରବଚନ ଦିଏ । ଏ ଫଟୋ ବହୁତ ପୁରୁଣା ଫଟୋ । କାହାର ବ୍ୟକ୍ତିଗତ ମତକୁ ନେଇ ମୋର କିଛି କହିବାର ନାହିଁ । ମୁଁ ଭୁଲ କରିନି, ଶ୍ରୀଜଗନ୍ନାଥ ମୋତେ ନ୍ୟାୟ ଦେବେ ବୋଲି କହିଛନ୍ତି କାଶୀନାଥ ।

 

ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଆପ୍ ଛାଡ଼ିଲେ କୈଳାସ ଗେହଲଟ

ନୂଆଦିଲ୍ଲୀ: ଦିଲ୍ଲୀର ଆପ୍ ସରକାର ଓ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଲାଗିଛି ବଡ଼ ଝଟକା । ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଦଳ ଛାଡ଼ିଲେ କୈଳାସ ଗେହଲଟ । ନିଜର ଇସ୍ତଫା ପତ୍ର ସେ ଦଳ ମୁଖ୍ୟ ଅରିବନ୍ଦ କେଜ୍ରିଓ୍ବାଲଙ୍କ ପାଖକୁ ପଠାଇ ଦେଇଛନ୍ତି ।

କୈଳାସ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି, ଆପ୍ ବର୍ତ୍ତମାନ ଲୋକଙ୍କ ସେବା କରିବା ବଦଳରେ ନିଜ ରାଜନୈତିକ ଉଚ୍ଚ ଅଭିଳାଷ ଚରିତାର୍ଥ କରିବାରେ ଲାଗିଛି । ଯମୁନାକୁ ସଫା କରିବାକୁ ଆମେ ପ୍ରତିଶ୍ରୁତି ଦେଇଥିଲୁ । କିନ୍ତୁ ଏବେ ତାହା ବହୁତ ପ୍ରଦୂଷିତ ହୋଇଛି । ସେହିପରି ଶିଷ ମହଲ ପରି ଅନେକ ପ୍ରସଙ୍ଗ ଆମକୁ ଲଜ୍ଜିତ କରିଛି । ଦଳ ଏବେ ବହୁତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ।

ଆଗକୁ ସେ ଉଲ୍ଲେଖ କରିଛନ୍ତି, ଆପ୍ ସରକାର କେବଳ କେନ୍ଦ୍ର ସରକାର ସହିତ ଲଢ଼େଇ କରୁଛି । ଲୋକଙ୍କର ସେବା ଉପରେ ଗୁରୁତ୍ଵ ଦେଉନାହିଁ । ମୁଁ ଦିଲ୍ଲୀବାସୀଙ୍କ ସେବା କରିବାକୁ ଚାହୁଁଛି । ତେଣୁ ଆପ୍ ଛାଡ଼ିବା ଛଡ଼ା ଆଉ କିଛି ବିକଳ୍ପ ନାହିଁ ।

ତେବେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ କିଛି ସୂଚନା ଦେଇନାହାନ୍ତି କୈଳାସ । ଆସନ୍ତାବର୍ଷ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାର ଅଛି । ତା’ପୂର୍ବରୁ ଆପ୍ ସରକାରରେ ଆରମ୍ଭ ହେଲାଣି ହଲଚଲ୍ । ଦିଲ୍ଲୀ ରାଜନୀତିରେ ଆଗକୁ ଆହୁରି ଅନେକ ଘଟଣା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଟ୍ରାଫିକ ପୋଲିସ କନଷ୍ଟେବଳ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

ବାରିପଦା: ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ବାରିପଦାରେ ଟ୍ରାଫିକ ପୋଲିସ କନଷ୍ଟେବଳ ପାଇଁ ହୋଇଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆସିଛି । ଏନେଇ ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ ହୃଷୀକେଶ ଦାସ । ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ରର ସିଲ ଖୋଲାଥିବା ଅଭିଯୋଗ ହୋଇଛି ।

ବାରିପଦାର ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଚାଲିଥିଲା । ତେବେ ପ୍ରଶ୍ନପତ୍ର ଲିକ୍ ନେଇ ପରୀକ୍ଷା କେନ୍ଦ୍ରରେ ପରୀକ୍ଷକଙ୍କୁ ପଚାରିବାରୁ କୌଣସି ସଠିକ୍ ଉତ୍ତର ପାଇ ନଥିଲେ ଅଭିଯୋଗକାରୀ ।

ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ: ସ୍ବର୍ଣ୍ଣ ବିଜୟୀ ଟିମ୍ ଓଡ଼ିଶାକୁ ଭବ୍ୟ ସ୍ବାଗତ

ଭୁବନେଶ୍ବର: ସ୍ବର୍ଣ୍ଣ ପଦକ ହାସଲ କଲା ଫେରିଥିବା ଓଡ଼ିଶା ହକି ଟିମକୁ ଭବ୍ୟ ସ୍ବାଗତ । ପୁରୁଷ ଜାତୀୟ ଚମ୍ପିୟାନସିପରେ ଚାମ୍ପିୟନ ହୋଇ ରାଜ୍ୟକୁ ଫେରିଛି ଓଡ଼ିଶା ହକି ଟିମ୍ । ଏହି ଅବସରରେ ବିଜୟୀ ଟିମକୁ ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଛି ।

୧୪ ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପରେ ଟିମ ଓଡ଼ିଶା ସ୍ବର୍ଣ୍ଣ ପଦକ ହାସଲ କରିଛି । ଚେନ୍ନାଇର ମେୟର ରାଧାକ୍ରିଷ୍ଣନନ୍‌ ହକି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଟିମ ଓଡିଶା ୫-୧ ଗୋଲରେ ଟିମ୍ ହରିୟାଣାକୁ ପରାସ୍ତ କରିଛି । ଏହି ମ୍ୟାଚରେ  ଶିଲାନନ୍ଦ ଲାକ୍ରା ହ୍ୟାଟ୍ରିକ ଗୋଲ୍ କରିଥିବା ବେଳେ ରଜତ ଆକାଶ ତିର୍କୀ ଓ ପ୍ରତାପ ଲାକ୍ରା ଉଭୟ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶିଲାନନ୍ଦ ଲାକ୍ରାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ୧୯୯୩ରେ ଓଡିଶା ଦଳ ସେମି ଫାଇନାଲ ଖେଳିଥିଲା । ବିଜୟକୁ ନେଇ ଖୁସିବ୍ୟକ୍ତ କରିଛନ୍ତି କୋଚ୍, ଅଧିନାୟକ ଓ ଶୁଭେଚ୍ଛୁ ।

ବୈକୁଣ୍ଠ ଧାମ ଘଟଣା: ତାଲା ଭାଙ୍ଗି ଆଶ୍ରମରେ ପଶିଲେ ଲୋକେ, ଲୁଚି ପଳାଇଲେ କୁନି ସାରଥୀ

ଭୁବନେଶ୍ବର: ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏକ ଛାଟ ପିଲାକୁ କୁନି ସାରଥୀ ବନାଇବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ଆଶ୍ରମର ତାଲା ଭାଙ୍ଗି ଭିତରେ ପଶିଛନ୍ତି । ଅନ୍ୟପଟେ କୁନି ସାରଥୀ ମୁହଁ ଲୁଚାଇ ଆଶ୍ରମରୁ ଫେରାର ହୋଇଯାଇଛନ୍ତି । ଯାହାର ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ ।

ମାମଲା ରୁଜୁ କଲା ଶିଶୁ ସୁରକ୍ଷା ଆୟୋଗ

ସେପଟେ ଘଟଣାକୁ ନେଇ ମାମଲା ରୁଜୁ ହୋଇଛି । ଆଶ୍ରମରେ ଶିଶୁଙ୍କୁ ବାବା ହିସାବରେ ବ୍ୟବହାର କରିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ଶିଶୁ ସୁରକ୍ଷା ଆୟୋଗ । ଏହି ପ୍ରସଙ୍ଗରେ ଅଭିଯୋଗ ପାଇବା ପରେ କମିଶନ ମାମଲା ରୁଜୁ କରିବା ସହ ଭରତପୁର ଥାନା ଆଇଆଇସିଙ୍କୁ ରିପୋର୍ଟ ମଗାଯାଇଛି । ଏଥିସହ ସିଡବ୍ଲୁସି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର ।

ସୂଚନାଯୋଗ୍ୟ, ପ୍ରତି ରବିବାର ଆଶ୍ରମରେ ଭକ୍ତଙ୍କ ଭିଡ଼ ଲାଗେ । କୁନି ସାରଥୀଙ୍କ ଦରକାର ଲାଗେ । ହେଲେ ବିବାଦ ପରେ ଆଜି ରବିବାର ହୋଇଥିଲେ ବି ଭକ୍ତଙ୍କୁ ଦେଖିବାକୁ ମିଳି ନଥିଲା । ଏପରିକି କୁନି ସାରଥୀଙ୍କ ମଧ୍ୟ ଦେଖା ମିଳି ନଥିଲା ।

ବାବା ଚଢୁଥିଲେ KTM ବାଇକ୍

ଉତ୍ତେଜନା ପରେ ଆଶ୍ରମରେ ପୋଲିସ ପହଞ୍ଚିଛି । ଆଶ୍ରମ ମଧ୍ୟରେ ଦାମୀ କାର୍ ଓ ବାଇକ୍ ଥୁଆ ହୋଇଥିବା ଦେଖିବାକୁ ମିଳିଛି । ଏପରିକି କୁନି ସାରଥୀ (ବାବା) KTM ବାଇକ ଚଢୁଥିବା ମଧ୍ୟ ଅଭିଯୋଗ ହେଉଛି ।

ଜଗନ୍ନାଥଙ୍କ ଜମିକୁ ନେଇ ସରକାର ରାଜନୀତି ଛାଡ଼ି, କିଛି କାମ କରନ୍ତୁ: ବିଜେଡି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ଉଚ୍ଛେଦ, କିଣାବିକା ଓ କର୍ପସ ଫଣ୍ଡ ଗଠନକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ସମାଲୋଚନା । ପୁରୀର ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ କଲେ ସମାଲୋଚନା । କହିଲେ- ରାଜ୍ୟ ସରକାର ମହାପ୍ରଭୁଙ୍କୁ ନେଇ ରାଜନୀତି ଛାଡି କିଛି କାମ କରନ୍ତୁ ।

ସେ, କହିଛନ୍ତି, ମହାପ୍ରଭୁଙ୍କୁ ନେଇ ରାଜନୀତି ଛଡ଼ା ଆଉ କିଛି କଥା ନାହିଁ ବିଜେପି ସରକାରର । ଏଯାଏଁ ମ୍ୟାନେଜିଂ କମିଟି କରିପାରୁ ନାହାଁନ୍ତି । ଯଦି ବିକ୍ରି ହୋଇଛି ଜଗନ୍ନାଥ ଜମି, ତା’ହାଲେ ରାଜସ୍ଵ ବିଭାଗ ରେକର୍ଡ ଯାଞ୍ଚ କରନ୍ତୁ । ଲୋକଙ୍କ ଜମିଜମା ରେକର୍ଡ ଭୁକ୍ତ କରିପାରୁ ନାହାଁନ୍ତି । ନିଜ ଭୁଲ ଲୁଚେଇବା ପାଇଁ ଏଭଳି ବୟାନ ବାଜି କରୁଛନ୍ତି । ନବୀନ ପଟ୍ଟନାୟକ ଯାହା କାର୍ଯ୍ୟକ୍ରମ କରିଥିଲେ, ତାକୁ ମଲା ମିରିଗରେ ପାହାର ପକେଇ ବର୍ତ୍ତମାନର ସରକାର କହୁଛନ୍ତି ଯେ ଶିକାର କଲୁ । ବର୍ଷ ବର୍ଷ ଧରି ପୁରୀରେ ରହିଥିବା ଲୋକଙ୍କୁ ଆଗ ଜମିପଟ୍ଟା ଦିଅନ୍ତୁ ରାଜ୍ୟ ସରକାର । ଅଯଥା ରାଜନୀତି କରନ୍ତୁନି । ମହାପ୍ରଭୁଙ୍କ ନୀତିକାନ୍ତି ସ୍ଵୟଂ ମହାପ୍ରଭୁ ହିଁ କରନ୍ତି । ଯେଉଁମାନେ କହୁଛନ୍ତି କର୍ପସ ଫଣ୍ଡରେ ନୀତିକାନ୍ତି କରାଇବେ, ସେ ସରକାର ଶୀଘ୍ର ଭାଙ୍ଗିଯିବ ।

ସୂଚନାଯୋଗ୍ୟ, ବାସେଳୀ ସାହି ଥାନା ଅଧୀନରେ ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜବରଦଖଲ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି । ଏହାସହ ସେ କହିଛନ୍ତି, ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କାମ ଆରମ୍ଭ କରିଛି । ୨୦୦୩ର ୟୁନିଫର୍ମ ପଲିସି ଆଧାରରେ ଶ୍ରୀଜଗନ୍ନାଥଙ୍କ ଜବରଦଖଲ ଜମିକୁ ମୁକ୍ତ କରାଯିବ । ମହାପ୍ରଭୁଙ୍କ ପାଇଁ ୮୦୦ରୁ ୧୦୦୦ କୋଟିର କର୍ପସ ଫଣ୍ଡ ଗଠନ ହେବ । ଏଥିରେ ସୁବିଧାରେ ମହାପ୍ରଭୁଙ୍କ ନୀତିକାନ୍ତି ହେବ । ବ୍ୟବହାର ଯୋଗ୍ୟ ଜମି ପାଇଁ ରିହାତି ଦରରେ ଜମି ଦିଆଯିବ । ପ୍ରଥମେ ଓଡ଼ିଶା ଭିତରେ ଥିବା ଜଗନ୍ନାଥଙ୍କ ଜମି ଚିହ୍ନଟ ହୋଇଛି । ଏହାପରେ ବାହାରେ ଥିବା ଜମିର ଚିହ୍ନଟ ପ୍ରକ୍ରିୟା କରାଯିବ । ଉଭୟ ବିକ୍ରେତା ଓ କ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମହାପ୍ରଭୁଙ୍କ ଇଞ୍ଚେ ଜମି ବିକ୍ରି ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଯାହାର ଜବାବ ଦେଇ ବିଜେଡି ସାଂସଦ ସରକାରକୁ କଟୁ ସମାଲୋଚନା କରିଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଜଗନ୍ନାଥଙ୍କ ଜମି ବହୁତ ଜାଗାରେ ବହୁ ବର୍ଷରୁ ଜବରଦଖଲ ହୋଇଛି । ହେଲେ ନିଷ୍ପତ୍ତି ହୋଇପାରୁନି । ବିଧାନସଭା କମିଟି ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ଆଲୋଚନା କରିଛି । ସବୁ ଜମିକୁ ଜବରଦଖଲ ମୁକ୍ତ କରାଯାଉ । ଯେଉଁମାନେ ଜଗନ୍ନାଥଙ୍କ ଜମି ବିକ୍ରି କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଯେଉଁମାନେ ପଟ୍ଟା ପାଇ ନାହାନ୍ତି, ସେମାନଙ୍କୁ ତୁରନ୍ତ ଦିଆଯାଉ ।

ସୁନା ଚେନ୍ ଝାମ୍ପି ନେଉଥିବା ପ୍ରଫୁଲ୍ଲ ସମେତ ୧୫ ଗିରଫ, କୋର୍ଟ ଚାଲାଣ

ଭୁବନେଶ୍ବର: ରାଜଧାନୀରେ ଲୁଟପାତ ମଚାଇ ଥିବା ଚେନ ଲୁଟେରା ଗ୍ୟାଙ୍ଗର ଖେଳ ତମାମ । ଅଭିଯୁକ୍ତ ପ୍ରଫୁଲ୍ଲ ନାୟକ ସମେତ ୧୫ ଜଣ ଗିରଫ । ସମସ୍ତଙ୍କୁ କରାଯାଇଛି କୋର୍ଟ ଚାଲାଣ । କଳା ପଲସରରେ ରାଜଧାନୀର ଗଳିକନ୍ଦିରେ ବୁଲି ବୁଲି ଝାମ୍ପି ନେଉଥିଲେ ସୁନା ଚେନ୍ । ପୂର୍ବରୁ ଗ୍ୟାଙ୍ଗର ଅନ୍ୟତମ ସଦସ୍ୟ ଫିରୋଜକୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ଫିରୋଜ ଓ ପ୍ରଫୁଲ୍ଲ ଚେନ ଲୁଟିବା ପରେ ଫେରାର ବେଳେ ହେଉଥିବାର ସିସିଟିଭି ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଭିଡିଓରେ ଦେଖିବାକୁ ମିଳୁଛି, ଦୁଇ ଲୁଟେରା ଚେନ୍ ଝାମ୍ପିବା ପରେ କଳା ପଲସରରେ ଫେରାର ହୋଇଯାଉଛନ୍ତି । ପେସାଦାର ଫିରୋଜ ଗାଡ଼ି ଚଳାଉଥିବା ବେଳେ ପଛରେ ବସିଛି ଗ୍ୟାଙ୍ଗର ମୁଖ୍ୟ ସହଯୋଗୀ ପ୍ରଫୁଲ୍ଲ । ସିସିଟିଭି ଦେଖି ମୁଁହ ଲୁଚେଇ ଲୁଚେଇ ଖସି ଯିବାକୁ ଉଦ୍ୟମ ଚଳାଇଛନ୍ତି । ଶେଷରେ ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ ପୋଲିସ ।

ସୂଚନାଯୋଗ୍ୟ, ଫିରୋଜ ନାଁରେ କେବଳ କମିଶନରେଟ ନାଁରେ ମାଳମାଳ ମାମଲା ରହିଛି । ଗତ ୯ ତାରିଖରେ ଗିରଫ ହୋଇଥିଲା ଫିରୋଜ ।

ରବିବାର ଖାଁ ଖାଁ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ: ଲାଗିନି କୁନି ସାରଥୀଙ୍କ ଦରକାର, ନାହିଁ ଭକ୍ତଙ୍କ ଦେଖା

ଭୁବନେଶ୍ବର: ଆଜି ରବିବାର । ଜମିଥାନ୍ତା ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ ଭିଡ଼ । ଲାଗିଥାନ୍ତା କୁନି ସାରଥୀଙ୍କ ଦରବାର । ହେଲେ ଆଜି ଏମିତି କିଛି ଏଠାରେ ଦେଖିବାକୁ ମିଳୁନି । କୁନି ସାରଥୀ ଓ ତାଙ୍କ ପାଦରେ ତୁଳସୀ ଥୁଆଯିବା ବିବାଦ ବଢିବା ପରେ ଖାଁ ଖାଁ ଆଶ୍ରମ । କୁନି ସାରଥୀ ଆସି ନାହାନ୍ତି । ଆଶ୍ରମ କର୍ତ୍ତୃପକ୍ଷଙ୍କ ଦେଖାନାହିଁ । ଏପରିକି, ପିଲାଟିକୁ ଭଗବାନ ଭାବୁଥିବା ଭକ୍ତଙ୍କର ବି ଦେଖାନାହିଁ । ଫାଟକରେ ତାଲା ପଡିଛି । ଆଶ୍ରମ ବାହାର ଓ ଭିତରେ କାହାରିଙ୍କୁ ଦେଖିବାକୁ ମିଳୁନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରବିବାର ଆଶ୍ରମରେ ଭକ୍ତଙ୍କ ଭିଡ଼ ଜମେ । କିନ୍ତୁ ଆଜି ରବିବାର ଥିଲେ ମଧ୍ୟ ବିବାଦ ହୋଇଥିବାରୁ ଆଶ୍ରମରେ କାହାକୁ ଦେଖିବାକୁ ମିଳୁନାହିଁ ।

ସୂଚନାଯୋଗ୍ୟ, ଏଠି ଭକ୍ତଙ୍କ ପାଇଁ ଡ୍ରେସ କୋଡ଼ ମଧ୍ୟ ରହିଛି । ଭକ୍ତମାନେ ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତି । ଏଥିସହିତ ଆଶ୍ରମଠାରୁ ୨୦୦ ମିଟର ଦୂରରେ ଆଶ୍ରମର ଏକ ଗୋଦାମ ସହ ଭକ୍ତଙ୍କ ରହିବା ପାଇଁ ଘର ରହିଛି । ଏହି ତିନି ମହଲା ଘରେ ଆଶ୍ରମର ଖାଦ୍ୟ ପ୍ରସ୍ତୁତି ପାଇଁ ଗ୍ରୋସୋରି ସାମଗ୍ରୀ ସହ ଭକ୍ତମାନେ ଆସିଲେ ସେଠି ରୁହନ୍ତି ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

ହେଲେ ଆଶ୍ରମକୁ ନେଇ ବିବାଦ ହେବା ପରେ ଗୋଦାମ ପରିସରରେ ମଧ୍ୟ ତାଲା ପଡିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କୁନି ସାରଥୀ ପାଦରେ ପବିତ୍ର ତୁଳସୀ ରଖିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଶ୍ରମ ମୁଖ୍ୟ ଟ୍ରଷ୍ଟି ପାଣ୍ଡବ ପରିଡ଼ା । କୁନି ସାରଥୀଙ୍କ ପାଦତଳେ ତୁଳସୀ ରଖିବା ଫଟୋ ଏବେକାର ନୁହେଁ ବୋଲି ସେ କହିଛନ୍ତି । ଏହି ଫଟୋ ୧୦ ବର୍ଷ ତଳର । ଯିଏବି ତୁଳସୀ ପାଦରେ ଦେଇଛି ସେଥିପାଇଁ ଗଣମାଧ୍ୟମ ଆଗରେ ହାତ ଯୋଡି କ୍ଷମା ମାଗିଛନ୍ତି ଆଶ୍ରମ ଟ୍ରଷ୍ଟି ପାଣ୍ଡବ ପରିଡା

ଜଙ୍ଗଲରେ ପଡ଼ିଛି ପୁଳା ପୁଳା ସ୍କୁଲ ଡ୍ରେସ୍ ଓ ଜୋତା

କୋରାପୁଟ: ବୈପାରୀଗୁଡ଼ା ନିକଟ ଜଙ୍ଗଲରେ ପଡିଛି ପୁଳା ପୁଳା ଜୋତା ସହ ଡ୍ରେସ । ଏଗୁଡିକ ସ୍କୁଲ ଡ୍ରେସ୍ ବୋଲି କୁହାଯାଉଛି । ତେବେ କିଏ ଓ କାହିଁକି ଏତେ ପରିମାଣରେ ଡ୍ରେସ ଓ ଜୋତା ଏଠାରେ ପକାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କିଛି ବର୍ଷ ହେବ ଏହି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଥିଲା । ହେଲେ ଏବେ ଅଞ୍ଚଳରେ ସେମାନଙ୍କ ପ୍ରଭାବ ନାହିଁ । ଏମିତି ସ୍ଥିତିରେ ଏହା ମାଓବାଦୀଙ୍କ କାମ କି ଆଉ କିଏ ଏହାକୁ ଗଦା କରିଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ତେବେ ଏତେ ପରିମାଣରେ ଜୋତା ଓ ଡ୍ରେସ ଏମିତି ପଡ଼ିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହା ମାଓବାଦୀଙ୍କ କାମ ହୋଇଥାଇ ପାରେ ଭାବେ ଲୋକେ ଭୟଭୀତ ହୋଇଯାଇଛନ୍ତି ।