spot_img
Home Blog Page 1332

ପୋଲ ନିକଟରୁ ଉଦ୍ଧାର ହେଲା ୨ ଯୁବକଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବରରେ ପୋଲ ନିକଟରୁ ମିଳିଲା ୨ଯୁବକଙ୍କ ମୃତଦେହ। ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଭୋରରେ ଘଟଣାସ୍ଥଳରୁ ଉଦ୍ଧାର କଲା ପିସିଆର ଭ୍ୟାନ। ରାସ୍ତା କଡ଼ରେ ପଡିଛି ୨ ମୋଟରସାଇକେଲ। ମୃତ ଓ ଆହତଙ୍କ ପକେଟରୁ ବାହାରିଲା ଛୁରୀ। ମୃତକ ହେଲେ କାସିମାବାଦର ରକି ଟୁଡୁ ଓ ବିକାଶ ମୁର୍ମୁ। ଆହତ ହେଲେ ଭୋଇସାହିର ଅନନ୍ତ ମାଝୀ ଓ ରାହୁଲ ମାଝୀ। ସମସ୍ତେ ବାଲେଶ୍ବର ସହର ଉପକଣ୍ଠର।

ହଜାରେ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ

ନନ୍ଦିଘୋଷ ବ୍ୟୁରୋ: ହଜାରେ ଦିନରେ ପହଞ୍ଚିଛି ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ଉପରେ ୨୦୨୨ ଫେବ୍ରୁଆରି ୨୪ ତାରିଖରେ। ହଜାରେ ଦିନର ଯୁଦ୍ଧରେ ୟୁକ୍ରେନ ଧ୍ଵଂସ ବିଧ୍ଵଂସ ହୋଇଯାଇଛି। କିନ୍ତୁ ସ୍ଵାଭିମାନ ଛାଡ଼ି ନାହିଁ ଆତ୍ମସମର୍ପଣ କରି ନାହିଁ । ସେପଟେ ରୁଷିଆ ଓ ୟୁକ୍ରେନ ମଧ୍ଯରେ ଚାଲିପାରେ ବଡ଼ ଧରଣର ଯୁଦ୍ଧ। ଆମେରିକା ପ୍ରଦତ୍ତ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ ଲାଗି ୟୁକ୍ରେନକୁ ବାଇଡେନ ପ୍ରଶାସନ ଅନୁମତି ଦେବା ପରେ ପ୍ରଥମ ଥର ଲାଗି ଏହି ଅସ୍ତ୍ର ପ୍ରୟୋଗ କରିଛି ୟୁକ୍ରେନ। ବ୍ରିୟାନସ୍କ ଅଞ୍ଚଳର କାରାଚେଭ ସହରରେ ହିଟ କରିଛି ୟୁକ୍ରେନ ମିସାଇଲ। ରୁଷିଆର ଏକ ସାମରିକ ସ୍ଥଳୀ ଉପରେ ଏହି ହମଲା ହୋଇଛି। ଏହାରି ଭିତରେ ରୁଷିଆ ବରଂ ଟିକେ ଦୁର୍ବଳ ହୋଇ ଯାଇଛି। ଏପରିକି ଯୁଦ୍ଧରେ ସେ ଉତ୍ତର କୋରିଆର ସାହାଯ୍ୟ ନେଇଛି। ସେପଟେ ଏହି ଯୁଦ୍ଧ ଆଣବିକର ରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ରୁଷିଆର ରାଷ୍ଟ୍ରପତି ପୁତିନ ନ୍ୟୁକ୍ଲିୟର ଡକଟରିନ୍ ବଦଳାଇବା ପରେ ଏହି ଆଶଙ୍କା ଦେଖା ଦେଇଛି। ଆଗରୁ ରୁଷିଆର ନିୟମ ଥିଲା ଯେ, ଆଣବିକ ଅସ୍ତ୍ର ନ ଥିବା ଦେଶ ସହିତ ଯୁଦ୍ଧ ହେଲେ ମଧ୍ୟ ସେହି ଦେଶ ବିରୋଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ନାହିଁ। କିନ୍ତୁ ଏବେ ତାକୁ ବଦଳାଇ ଦେଇଛନ୍ତି ପୁତିନ। ବର୍ତ୍ତମାନ ଆଣବିକ ଅସ୍ତ୍ର ନ ଥିବା ଦେଶକୁ ନ୍ୟୁକ୍ଲିୟର ଶକ୍ତି ଥିବା ଦେଶ ଯଦି ସାହାଯ୍ୟ କରନ୍ତି, ତେବେ ରୁଷିଆ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ। ଅର୍ଥାତ  ରୁଷ ପରୋକ୍ଷରେ ଚେତାବନୀ ଦେଇଛି, ଦରକାର ପଡ଼ିଲେ ୟୁକ୍ରେନ ବିରୋଧରେ ଆଣିବକ ଅସ୍ତ୍ର ପ୍ରୟୋଗ କରାଯିବ। କିଛି ଦିିନ ତଳେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ୟୁକ୍ରେନକୁ ଅନୁମତି ଦେଇଥିଲେ ବାଇଡେନ। ଏହା ପରେ ରୁଷିଆ ଉପରେ ଜେଲେନସ୍କି ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରିଥିଲେ ବୋଲି ରୁଷିଆ ଅଭିଯୋଗ କରିଛି। ଏହା ପରେ ପୁତିନ ବିଗିଡ଼ିଛନ୍ତି। ପୁତିନଙ୍କ ଆଭିମୁଖ୍ୟ ଦେଖି ୟୁରୋପ ଛାନିଆ। ଯୁଦ୍ଧ ଘନେଇବା ଆଶଙ୍କାରେ ଖାଦ୍ୟ ପାନୀୟ ମହଜୁଦ ରଖିବାକୁ ନିଜ ନିଜ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।

ଆଜି ମହାରାଷ୍ଟ୍ର ଭୋଟ୍, ୨୮୮ ଆସନ ପାଇଁ ଚାଲିଛି ମତଦାନ

ନନ୍ଦିଘୋଷ ବ୍ୟୁରୋ: ଆଜି ମହାରାଷ୍ଟ୍ର ଭୋଟ। ୨୮୮ ଆସନ ବିଶିଷ୍ଟ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି। ମଇଦାନରେ ଅଛନ୍ତି ମୋଟ ୪ ହଜାର ୧୩୬ ପ୍ରାର୍ଥୀ । ଏଥର ମହାୟୁତି ଓ ମହା ଅଗାଡ଼ି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ଅଛି। ଗୋଟିଏ ପଟରେ ଉଦ୍ଧବ ଠାକରେ, ଶରଦ ପାୱାର ଓ କଂଗ୍ରେସ। ଆରପଟେ ବିିଜେପି, ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଏକନାଥ ସିନ୍ଦେ ଓ ଏନସିପିର ବିଦ୍ରୋହୀ ଗୋଷ୍ଠୀ ଅଜିତ ପାୱାର। ଏହା ସହିତ ଉଭୟ ଗୋଷ୍ଠୀର ବିଦ୍ରୋହୀ ମଧ୍ୟ ମଇଦାନରେ ଅଛନ୍ତି । ତେଣୁ ମୁକାବିଲା ବେଶ ରୋମାଞ୍ଚକର ହୋଇପାରେ। ଏହି ନିର୍ବାନଚ ବିଶେଷ କରି ଉଦ୍ଧବ ଠାକରେ ଓ ଅଜିତ ପାୱାରଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। କାରଣ ନ ଜିତିଲେ ଅସଲି ଶିବସେନାର ଟ୍ୟାଗ୍ ନେଇଯିବେ ଏକନାଥ ସିନ୍ଦେ। ସେହିପରି ଅଜିତ ପାୱାର ଗୋଷ୍ଠୀ ନ ଜିତିଲେ ହୁଏତ, ଅଜିତଙ୍କ ରାଜନୈତିକ ଭବିଷ୍ୟତ ଉପରେ ଉଠିବ ପ୍ରଶ୍ନ।

ରାଜ୍ୟର ଭୋଟର ୯ କୋଟି ୬୩ ଲକ୍ଷ ଥିବା ବେଳେ ପୁରୁଷ ଭୋଟରଙ୍କ  ସଂଖ୍ୟା ୪ କୋଟି ୯୭ ଲକ୍ଷ । ମହିଳା ଭୋଟର ଅଛନ୍ତି ୪ କୋଟି ୬୬ ଲକ୍ଷ। ଯୁବ ଭୋଟରଙ୍କ ସଂଖ୍ୟା ୧ କୋଟି ୮୫ ଲକ୍ଷ। ମୋଟ ପୋଲିଂ ଷ୍ଟେସନ ଅଛି ୧ ଲକ୍ଷ ୧୮୬। ମାଝି ଲଡକୀ ବହିନ ଯୋଜନା ପରେ ମହାୟୁତି ପ୍ରତି ମହିଳା ଭୋଟ ବଢିବା ସମ୍ଭାବନା ରହିଛି। ମହାରାଷ୍ଟ୍ର ବିଧାନସଭାରେ ମହାୟୁତିର ବିଧାୟକ ସଂଖ୍ୟା ୨୦୨ । ବିଜେପିର ୧୦୨, ଏନସିପିର ୪୦, ଶିବସେନାର ୩୮, ବିଭିଏର ୩ ଓ ଏମଏନଏସର ଜଣେ ବିଧାୟକ ଅଛନ୍ତି। ସେହିପରି ମହାବିକାଶ ଅଘାଡିର ବିଧାୟକ ସଂଖ୍ୟା ରହିଛି ୬୯ । କଂଗ୍ରେସର ୩୭, ଶିବସେନା ୟୁବିଟିର ୧୬, ଏନସିପି ଏସପିର ୧୨, ଏସପିର ୨ ଓ ସିପିଏମର ଜଣେ ବିଧାୟକ ରହିଛନ୍ତି। ମହାରାଷ୍ଟ୍ରରେ ପ୍ରବାସୀ ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର  ୮ ପ୍ରତିଶତ ହୋଇଥିବାବେଳେ କେବଳ ମୁମ୍ବାଇରେ ପ୍ରବାସୀ ଲୋକଙ୍କ ସଂଖ୍ଯା ୪୩ ପ୍ରତିଶତ। ନିର୍ବାଚନରେ ଉଭୟ ମହାୟୁତି ଓ ଏମଭିଏ ଖେଳିଛନ୍ତି ମରାଠୀ ଅସ୍ମିତା କାର୍ଡ। ମଇଦାନରେ ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାର। କିଏ ଜିତିବେ କିଏ ହାରିବେ ତାହାକୁ ନେଇ ଜାରି ରହିଛି ସସପେନ୍ସ।

ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣି ଖନନ କରିବାକୁ ହେଉଛି କି ଷଡ଼ଯନ୍ତ୍ର ?

ଭୁବନେଶ୍ବର: ଗନ୍ଧମାର୍ଦ୍ଦନରେ ଥିବା ବକ୍ସାଇଟ ଉତ୍ତୋଳନ କରିବାକୁ କୌଣସି ଘରୋଇ କମ୍ପାନୀ ହାତରେ ଏହି ଜୈବ ବିବିଧତାପୂର୍ଣ୍ଣ ପାହାଡ଼କୁ ଟେକି ଦେବେ କି ରାଜ୍ୟ ସରକାର ? ଗନ୍ଧମାର୍ଦ୍ଦନ ପର୍ବତର ଉଭୟ ପଟେ ଅଦାନୀ ଜମି କିଣିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ପର୍ବତର ପାଦଦେଶରେ ପ୍ରାୟ ୨୦ ଏକର ଜମି କିଣାଯାଇଛି । ଏହାପରେ ଲୋକଙ୍କ ମନରେ ଦେଖା ଦେଇଛି ନାନା ଆଶଙ୍କା ।

ଅଭିଯୋଗ ହୋଇଛି ଅଦାନୀ କମ୍ପାନୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ତହସିଲ ରେଙ୍ଗାଲି ପଞ୍ଚାୟତ ଭରୁଆମୁଣ୍ଡା ମୌଜାରେ ଜମି କିଣିଛି । ଗତ ସେପ୍ଟେମ୍ବର ମାସରେ ଅଦାନୀ ଗ୍ରୁପର ମହାନଦୀ ମାଇନ୍ସ ଓ ମିନେରାଲ୍ସ କମ୍ପାନୀ ନାମରେ ଜମି କିଣାଯାଇଛି । ଜମି ରେଟ ୭୦ରୁ ୮୦ ହଜାର ଥିବା ବେଳେ ଦୁଇ ଲକ୍ଷ୍ୟ ଲେଖାଏଁ ଦେଇ କିଣାଯାଇଛି । ଜମି ବିକିଥିବା ହେମନ୍ତ ବେହେରା ଓ ଡୋଲାମଣି ବେହେରାଙ୍କୁ ପ୍ରଲୋଭିତ କରି କମ୍ପାନୀର ଜମି କିଣିଥିବା କହିଛନ୍ତି ସମସ୍ତେ ।

ସେହିପରି ବେଲପଡ଼ା ତହସିଲ ଡୁଡୁକାମାଲ ଗାଁରେ ମଧ୍ୟ ୩୩ ଏକର ଜମି କିଣାଯାଇଛି । କମ୍ପାନୀର କିଛି ବଡ ଅଧିକାରୀ ପାଟଣାଗଡ଼ରେ ରହି ଜମି କିଣାବିକା କରିଥିବା ଜଣାପଡ଼ିଛି । ଶାସକ ଦଳର ନେତା ବି ଜମି କିଣାବିକା ପ୍ରକ୍ରିୟାରେ ସାମିଲ ଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଗନ୍ଧମାର୍ଦ୍ଦନରେ ୨୦୨ ଲକ୍ଷ ମେଟ୍ରିକ୍ ଟନ୍ ବକ୍ସାଇଟ ମହଜୁଦ ଥିବାର ଆକଳନ କରାଯାଇଛି । ଆଗରୁ ବାଲକୋ କମ୍ପାନୀ ଖଣି ଖନନ କରିବାକୁ ଆସି ବିଫଳ ହୋଇଥିଲା I ଜୋରଦାର ଆନ୍ଦୋଳନ ହୋଇଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ଦେଖି ଶେଷରେ ବାଲକୋ କମ୍ପାନୀ ପଳାଇଥିଲା । ଲୋକେ କୁହା କୁହି ହେଉଛନ୍ତି, ଏବର ସରକାର ତ ଶିଳ୍ପପତିଙ୍କ ପ୍ରେମରେ ଉବୁଟୁବୁ । ସରକାରଙ୍କ ଶିଳ୍ପପତି ପ୍ରେମରେ ଗନ୍ଧମାର୍ଦ୍ଦନ ବଳି ପଡ଼ିବା ନେଇ ସେମାନେ ଆଶଙ୍କା କରିଛନ୍ତି । ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଚୁପ୍ ରହିଥିବାରୁ ଆହୁରି ସନ୍ଦେହ ଘନୀଭୁତ ହୋଇଛି । ସେପଟେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏ ସଂପର୍କରେ ସେ କିଛି ଜାଣି ନାହାନ୍ତି ।

ପୁଟିନ ବଦଳାଇଲେ ପରମାଣୁ ଯୁଦ୍ଧ ନୀତି, ୟୁକ୍ରେନ ଉପରେ କରିବେ କି ଆକ୍ରମଣ

ମସ୍କୋ: ପରମାଣୁ ଯୁଦ୍ଧର ରୂପ ନେବ କି ୟୁକ୍ରେନ ଯୁଦ୍ଧ ? ରୁଷିଆର ରାଷ୍ଟ୍ରପତି ପୁଟିନ ନ୍ୟୁକ୍ଲିୟର ଡକଟରିନ୍ ବଦଳାଇବା ପରେ ଏହି ଆଶଙ୍କା ଦେଖା ଦେଇଛି ।

ଆଗରୁ ରୁଷିଆର ନିୟମ ଥିଲା ଯେ, ଆଣବିକ ଅସ୍ତ୍ର ନ ଥିବା ଦେଶ ସହିତ ଯୁଦ୍ଧ ହେଲେ ମଧ୍ୟ ସେହି ଦେଶ ବିରୋଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ନାହିଁ । କିନ୍ତୁ ଏବେ ତାକୁ ବଦଳାଇ ଦେଇଛନ୍ତି ପୁଟିନ । ବର୍ତ୍ତମାନ ଆଣବିକ ଅସ୍ତ୍ର ନ ଥିବା ଦେଶକୁ ନ୍ୟୁକ୍ଲିୟର ଶକ୍ତି ଥିବା ଦେଶ ଯଦି ସାହାଯ୍ୟ କରନ୍ତି, ତେବେ ରୁଷିଆ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ । ଅର୍ଥାତ ରୁଷ ପରୋକ୍ଷରେ ଚେତାବନୀ ଦେଇଛି, ଦରକାର ପଡ଼ିଲେ ୟୁକ୍ରେନ ବିରୋଧରେ ଆଣିବକ ଅସ୍ତ୍ର ପ୍ରୟୋଗ କରାଯିବ ।

କିଛି ଦିନ ତଳେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ୟୁକ୍ରେନକୁ ଅନୁମତି ଦେଇଥିଲେ ବାଇଡେନ । ଏହାପରେ ରୁଷିଆ ଉପରେ ଜେଲେନସ୍କି ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରିଥିଲେ ବୋଲି ରୁଷିଆ ଅଭିଯୋଗ କରିଛି । ଯାହାକୁ ନେଇ ପୁଟିନ ବିଗିଡ଼ି ଯାଇଥିଲେ । ଆଉ ଏବେ ପୁଟିନଙ୍କ ଆଭିମୁଖ୍ୟ ଦେଖି ୟୁରୋପ ଛାନିଆ । ଯୁଦ୍ଧ ଘନେଇବା ଆଶଙ୍କାରେ ଖାଦ୍ୟ ପାନୀୟ ମହଜୁଦ ରଖିବାକୁ ନିଜ ନିଜ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।

ନବୀନ ସରକାରଙ୍କ ସଫଳତାର ଶ୍ରେୟ ନେଉଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ: ବିଜେଡି

ଭୁବନେଶ୍ବର: ନବୀନ ସରକାରଙ୍କ ସଫଳତାର ଶ୍ରେୟ ନେଉଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ । ପ୍ରେସମିଟ୍ କରି ଏଭଳି ସୂଚନା ଦେଇଛି ବିଜେଡି । ଆଜି ସିଙ୍ଗାପୁର ସ୍ଥିତ ଆଇଟିଇଇଏସ ସହ ରାଜ୍ୟ ସରକାର ଏମଓୟୁ ସ୍ଵାକ୍ଷର କରିଛନ୍ତି । ଏଥିରେ ୯ଟି ଇନୋଭେସନ ପାଠ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦିଆଯିବ ବୋଲି କୁହାଯାଇଛି । ମାତ୍ର ପୂର୍ବ ସରକାର ଓଡ଼ିଶାର ଯୁବପିଢିଙ୍କ ଦକ୍ଷତା ବିକାଶ ପାଇଁ ୨୦୧୭ ମସିହାରେ ସିଙ୍ଗାପୁରର ସେହି ସଂସ୍ଥା ସହ ଏକ ଏମଓୟୁ କରିଥିଲେ । ପରେ ୨୦୨୩ ମସିହାରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଉ ଥରେ ଏମଓୟୁ କରାଯାଇଥିଲା । ଯାହାକୁ ଆଧାର କରି ଓଡ଼ିଶାର ଯୁବକ ଯୁବତୀ ମାନେ ପ୍ରଶିକ୍ଷଣ ପାଉଥିଲେ ।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ, କେବଳ ନାମ ଓ ରଙ୍ଗ ପରିବର୍ତ୍ତନ କରି ବାହାବା ନେବା ପାଇଁ ଉଦ୍ୟମ କରୁଛନ୍ତି । ଆଜିର ଏମଓୟୁ ମଧ୍ୟ ସରକାରଙ୍କ ଏହି ଦିଗରେ ଆଉ ଏକ ପ୍ରୟାସ । ତେଣୁ କପି ପେଷ୍ଟ ନକରି କିଛି କାମ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇ ।

ଖୋଲୁଛି ଖଣ୍ଡଗିରି ବୈକୁଣ୍ଠ ଆଶ୍ରମ ବାବାର ଗୁମର; ମିଳିଲା ଗୁପ୍ତ ଡାଏରୀ, ତାଲିକାରେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ବର: ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମର ଖୋଲୁଛି ଗୁମର । ଆଶ୍ରମଟି ସରକାରୀ ଜମିରେ ଠିଆ ହୋଇଥିବା ଜିଏ ବିଭାଗ ସ୍ପଷ୍ଟ କରିବା ପରେ ଆଜି ବାବାଙ୍କର ପୂଜାର୍ଚ୍ଚନାର ଭିଡିଓ ସାମ୍ନାକୁ ଆସିଛି । ଆଶ୍ରମରେ ଫୁଲ ବିଛାଇ କିଭଳି ବାବାଙ୍କୁ ମହିଳାମାନେ ପୂଜା କରୁଥିଲେ ତାହା ଦେଖିବାକୁ ମିଳିଛି । ଏହାସହ ମହିଳାମାନେ ପାଣି ଢାଳି ବାବାଙ୍କୁ ଗାଧେଇ ଦେଉଥିବାର ଭିଡିଓ ଭାଇରାଲ ହୋଇଛି । ବାବା ନିଜେ ଜଣେ ଯୁବତୀ ସହ ସେଲ୍ଫି ନେଇଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି । ବାବାଙ୍କ ସାନ୍ନିଧ୍ୟ ଲାଭ କରିବାକୁ ହେଲେ କିଭଳି ପୂଜାର୍ଚ୍ଚନା କରିବାକୁ ହେବ ତାହାର ତାଲିକା ମଧ୍ୟ ଏକ ଡାଏରୀରେ ରହିଛି । ବିଶେଷ କରି ବାବାଙ୍କ ପାଖକୁ ଆସିଲେ କ’ଣ କ’ଣ ଖାଇବାକୁ ପଡିବ ତାର ମେନ୍ୟୁ ରହିଛି । ବାବା ସ୍ପର୍ଶ ମାଧ୍ୟମରେ କି କି ରୋଗ ଭଲ କରନ୍ତି ତାହାର ମଧ୍ୟ ଏକ ତାଲିକା ରହିଛି । ତେବେ ବାବାଙ୍କୁ ପୂଜା କରିବା ପାଇଁ ଜଣେ ଭକ୍ତ ୬ ବର୍ଷ ଧରି ନିଜେ ସବୁ ଛାଡି ଜଟ ରଖିଥିଲେ ବୋଲି କହିଛନ୍ତି । କିନ୍ତୁ ବାବାଙ୍କର କିଛି ଚମତ୍କାର ନ ଥିବାରୁ ସପରିବାରେ ଆଶ୍ରମ ଛାଡିଥିଲେ ।

ଖୋଲୁଛି ବୈକୁଣ୍ଠ ଆଶ୍ରମ ବାବାଙ୍କ ଗୁମର । ଆଶ୍ରମରୁ ମିଳିଲା ଆତ୍ମ ଘୋଷିତ କଳକୀ ବାବାଙ୍କ ଡାଏରୀ । ଡାଏରୀରେ ରହିଛି ଅନେକ ରୋଚକ ତଥ୍ୟ । ବାବାଙ୍କୁ ଲାଗି ହେଉଥିଲା ୩୫ ହଜାର ଟଙ୍କାର ଫୁଲ । ତାଲିକାରେ ଗେଣ୍ଡୁ, ରଜନୀଗନ୍ଧା, ପଳାସ, ଗୋଲାପ । ଭକ୍ତ ଥିଲେ ବ୍ୟବସାୟୀ, ବିଧାୟକ, ସାଂସଦ, ପରିବା ବ୍ୟବସାୟୀ ଓ ଶିଳ୍ପପତି । ରିଷ୍ଟ ଖଣ୍ଡନ ପାଇଁ ପ୍ରସ୍ତୁତ ହେଉଥିଲା ବାର୍ଷିକ ଯଜ୍ଞ ତାଲିକା । ଟଙ୍କା ଦେଲେ ଭକ୍ତଙ୍କର ହେଉଥିଲା ସମସ୍ୟା ସମାଧାନ । ଦିନକୁ ଦିନ ଖଣ୍ଡଗିରି ଆତ୍ମଘୋଷିତ କଳକୀ ବାବାଙ୍କ ଗୁମର ଖୋଲିବାରେ ଲାଗିଛି ।

ବାବାଙ୍କୁ ଘେରି ରହୁଥିଲେ ମହିଳା । ପାଣି ଢାଳି ବାବାଙ୍କୁ ଗାଧେଇ ଦେଉଥିଲେ ଭକ୍ତ । ସିଂହାସନରେ ବସି ବାବା ଦେଖାଉଥିଲେ ରାଜକୀୟ ଠାଣୀ । ଯାହାକୁ ପାଉଥିଲେ ମନଇଛା ଦେଉଥିଲେ ନିର୍ଦ୍ଦେଶ । ବାବାଙ୍କ ସାନ୍ନିଧ୍ୟ ଲାଭ କରିବାକୁ ହେଲେ ଭକ୍ତମାନେ ଆମିଷ ଛାଡିବାକୁ କୁହାଯାଉଥିଲା । କିନ୍ତୁ ବାବା ନିଜେ କେଟିଏମ୍ ବାଇକ ଚଢି କାଫେରେ ଯୁବତୀମାନଙ୍କ ସହ ସମୟ ବିତାଉଥିବା ଅଭିଯୋଗ ହୋଇଛି ।

ବାବାଙ୍କ ଡାଏରୀରେ ଜଣେ ଭକ୍ତ ପୂଜା କରିବାକୁ ହେଲେ କେବଳ ଫୁଲ ପାଇଁ ୩୫ ହଜାର ଟଙ୍କାର ଲିଷ୍ଟ ରହିଛି । କେବଳ ପ୍ଳାଷ୍ଟିକ ଫୁଲର ଦାମ ରହିଛି ୨୩ ହଜାର ୪ ଶହ ଟଙ୍କା । ବାବାଙ୍କ ପାଖକୁ ଯିବାକୁ ହେଲେ ଜଣେ ଭକ୍ତ କ’ଣ କ’ଣ ଖାଇବେ ତା’ର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ଆଶ୍ରମର ଟ୍ରଷ୍ଟି । କ୍ଷୀରି, ସର୍ବତ, ହାଲୁଆ, ଖୁଆଠାରୁ ଆରମ୍ଭ କରି ମିଠା ଖେଚୁଡି ଓ ଖିଲିପାନ ବି ତାଲିକାରେ ରହିଛି । ସେହିଭଳି ବାବାଙ୍କ ସ୍ପର୍ଶ ମିଳିଲେ ରକ୍ତଚାପଠାରୁ ଆରମ୍ଭ କରି କୁଷ୍ଠ, ମହାମାରୀ, ହଇଜା, ଆନ୍ତ୍ରିକ ବ୍ୟାଧି, ପକ୍ଷାଘାତ ଓ ପାଗଳାମୀ ଭଳି ରୋଗ ଛାଡି ଚାଲିଯାଏ । ସେହିଭଳି ବାବାଙ୍କ ଗୁଣଗାନ ପାଇଁ ବିଭିନ୍ନ ବହି ଛପାଯାଇଛି । ଅନୁଭୁତିରେ ଭଗବାନ ଶ୍ରୀ ଶ୍ରୀ ସତ୍ୟ ଅନନ୍ତ । ବ୍ୟାସମଣ୍ଡଳରେ ଜଣେ ଭକ୍ତ ବାବାଙ୍କ ମହିମା ଗାନ କରିଛନ୍ତି । କେବଳ ଏତିକି ନୁହେଁ, ବାବାଙ୍କର ଆହୁରି ଏମିତି ଅନେକ ଡାଇରୀ ରହିଛି ଯେଉଁଥିରେ ଅନେକ ରହସ୍ୟ ମଧ୍ୟ ରହିଛି ।

ସେପଟେ ବାବାଙ୍କ ଆଗମନ ପରେ ଜଣେ ଭକ୍ତ ସୁଦାମା ଭଳି ସେବା କରିଥିବା ଆଜି ଗଣମାଧ୍ୟମରେ କହିଛନ୍ତି । ଏହି ଭକ୍ତଙ୍କ କହିବା କଥା ବାବା ଆସିବା ପରେ ପରିବାରର ସମସ୍ତେ ଆମିଷ ଛାଡିବା ସହ ପୂଜାର୍ଚ୍ଚନା କରିଥିଲୁ । ବାପା, ମାଆ, ଭାଇ, ଭଉଣୀ ମିଶି ବାବାଙ୍କର ଗୁଣ ଗାଇଲୁ । ସମୟ ଏପରି ହେଲା ନିଜେ ମୁଣ୍ଡରେ ଜଟ ରଖି ନାମ ସଂକୀର୍ତ୍ତନ କଲୁ । ବାବାଙ୍କୁ ନେଇ ଆସିଥିବା ଅନୁଗତ ବାବାଙ୍କର କାହାଣୀ ଶୁଣାଇ ବିଶ୍ବାସ ଜନ୍ମାଇଲେ । କହିଲେ ବାବା ପୁରୀ ଯିବା ସମୟରେ ତାଙ୍କୁ ଟେକିକି ନେବା କଷ୍ଟ ହୋଇଥିଲା କିନ୍ତୁ ବାବା ବାଇସି ପାହାଚ ଚଢିବା ବେଳେ ଶୋଲ ଭଳିଆ ହାଲୁକା ହେଇଗଲେ । କିନ୍ତୁ ବାସ୍ତବରେ ବାବାଙ୍କର ସେମିତି କିଛି ଚମତ୍କାର ନ ମିଳିବାରୁ ଆଶ୍ରମ ଛାଡିଦେଲୁ ବୋଲି କହିଛନ୍ତି ସେତେବେଳେ ନିଜକୁ ସୁଦାମା କହୁଥିବା ଭକ୍ତ ।

ସେପଟେ ଆଶ୍ରମ ସରକାରୀ ଜମିରେ ଠିଆ ହୋଇଥିବା ଜଣାପଡିବା ପରେ ଏବେ ପୋଲିସ ଆଶ୍ରମକୁ ଜଗି ରହିଛନ୍ତି । ଟ୍ରଷ୍ଟି ପାଣ୍ଡବ ପରିଡା ଏବେ ଫେରାର ଥିବା ବେଳେ ବାବା ବି ଫେରାର ହୋଇଯାଇଛନ୍ତି । ତେବେ ଅପେକ୍ଷା ପ୍ରଶାସନ ଆଶ୍ରମ ଉପରେ କେବେ ବୁଲଡୋଜର ବୁଲାଉଛି ।

କୁଆଡ଼େ ଗଲା ୯୦ ଦିନରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରତିଶ୍ରୁତି ?

ଭୁବନେଶ୍ବର: କୁଆଡ଼େ ଗଲା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରତିଶ୍ରୁତି ? ୨୦୨୪ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ୯୦ ଦିନ ଭିତରେ ଅର୍ଥ ଫେରସ୍ତ କରିବ ବୋଲି କଥା ଦେଇଥିଲା । ଖୋଦ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଘୋଷଣା କରିଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ମନେ ପକାଇଲେ ବି ମିଳୁନି ଉତ୍ତର । ଅଭିଯୋଗ ହୋଇଛି ରାଜ୍ୟରେ ବିଜେପି ସରକାର ଗଢିବାର ୫ ମାସ ବିତିଲାଣି ହେଲେ ଆର୍ଥିକ କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରସ୍ତ କଥା ଯେପରି ଭୁଲି ଯାଇଛନ୍ତି । ମନ୍ତ୍ରୀମାନେ କହୁଛନ୍ତି ଏ ନେଇ ଅନୁଧ୍ୟାନ କରାଯାଉଛି । ସେପଟେ ଆର୍ଥିକ କ୍ଷତିଗ୍ରସ୍ତ ଆସନ୍ତା ଜାନୁଆରୀରେ ବଡ଼ ଧରଣ ବିକ୍ଷୋଭ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

କ୍ଷମତା ପାଇଁ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଦେଲେ ପ୍ରତିଶ୍ରୁତି । କ୍ଷମତାକୁ ଆସିବା ପରେ ଆଉ ମନେ ପଡୁନି । କୁଆଡ଼େ ଗଲା ବିଜେପି ରାଜ୍ୟ ସଭାପତିଙ୍କ ଦମ୍ଭୋକ୍ତି ? କୁଆଡ଼େ ଗଲା ୯୦ ଦିନର ପ୍ରତିଶ୍ରୁତି । ଅଭିଯୋଗ ହୋଇଛି, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଫମ୍ପା ପ୍ରତିଶ୍ରୁତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ତାତିଲେଣି ଚିଟଫଣ୍ଡ ଜମାକାରୀ । ଖୋଦ ବିଜେପି ମଙ୍ଗୁଆଳଙ୍କ କଥାକୁ ଭରସା କରି ଚିଟଫଣ୍ଡ ଜମାକାରୀ ଭୋଟ ଦେଲେ । କ୍ଷମତାକୁ ଆସିବାର ୫ ମାସ ବିତିଲାଣି ହେଲେ ଏ ନେଇ ସରକାର ଏ ଯାଏଁ କିଛି ବି କରିନାହାନ୍ତି । ଚିଟଫଣ୍ଡ ସଂସ୍ଥାଙ୍କ ଦ୍ବାରା ଆର୍ଥିକ କ୍ଷତିଗ୍ରସ୍ତ ଏବେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦେଲେଣି ଚେତାବନୀ ।

ସରକାରକୁ ଆସିବା ପରେ ବୋଧେ ସରକାର ଭୁଲିଗଲେ । ସୂଚନା ଅଧିକାର କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଥକିଲେଣି ପଛକେ ଉତ୍ତର ପାଉନାହାନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣାରେ ପୁଣି ଥରେ ନିବେଦନ କରାଯାଇଛି । ଅଭିଯୋଗ ହୋଇଛି ଯେହେତୁ ସରକାରଙ୍କ ପକ୍ଷରୁ କିଛି ବି ଉତ୍ତର ମିଳୁନି । ଲାଗୁଛି ବୋଧହୁଏ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେପି ମୁଖିଆ ଏପରି କ୍ଷତିଗ୍ରସ୍ତଙ୍କୁ ଜୁମଲା ଦେଖାଇଥିଲେ । ସେପଟେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କହୁଛନ୍ତି ସେହି ପୁରୁଣା କଥା । ସରକାର ଏ ନେଇ ଅନୁଧ୍ୟାନ କରୁଛନ୍ତି ।

ଡବଲ୍ ଇଞ୍ଜିନ ସରକାରରେ ସବୁ ଲୋକଙ୍କ ଦୁଃଖ ଦୂର ହେବ । ହେଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ସରକାରଙ୍କଠାରୁ କିଛି ବି ଜବାବ ପାଉନାହାନ୍ତି । ଆସନ୍ତା ଜାନୁଆରୀ ମାସରେ ସରକାରଙ୍କ ବିରୋଧରେ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚଳାଇଛନ୍ତି ପ୍ରସ୍ତୁତି ।

ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବାକୁ ଆସି ରାଜଧାନୀରେ ସରକାରଙ୍କ ବିଫଳତାର ସତ ବଖାଣିଲେ କନ୍ଧମାଳର ଦୁଇ ଆଦିବାସୀ ମହିଳା

ଭୁବନେଶ୍ବର: ଚାଉଳ ପାଉନୁ, ଆମ୍ବ ଟାକୁଆ ଖାଉଛୁ । ଭୋକ ପାଇଁ ବିଷ ଖାଉଛୁ । ସରକାରଙ୍କୁ ଦୁଃଖ ଜଣାଉଛୁ, ଆମକୁ ବଞ୍ଚିବା ପାଇଁ ଚାଉଳ ଦିଅନ୍ତୁ । ଆମ୍ବ ଟାକୁଆ ଜାଉ ଖାଇ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହେବା ପରେ ରାଜଧାନୀରେ କୋହଭରା କଣ୍ଠରେ ନିଜର ଦୁଃଖ ବଖାଣିଛନ୍ତି କନ୍ଧମାଳର ଦୁଇ ଆଦିବାସୀ ମହିଳା । ସରକାର ଚାଉଳ ତ ଦେଲେନି, କିନ୍ତୁ ଦୁଇ ଓଳି ତ ଖାଇବାକୁ ଦିଅନ୍ତୁ । ଏମିତି କହି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବାକୁ ରାଜଧାନୀକୁ ଆସିଛନ୍ତି ମିତା ପ୍ରଧାନ ଏବଂ ସମୁଦୁଣି । ଅନ୍ୟପଟେ ଆମ୍ବ ଟାକୁଆ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି ଓ କଂଗ୍ରେସ । ସମସ୍ତଙ୍କୁ ରାସନ ଯୋଗାଇ ଦେବାକୁ ବିରୋଧୀ ଦାବି କରିଥିବା ବେଳେ, ବେଫିକର ହୋଇ ବୟାନ ଦେଉଛି ବିଜେପି ।

ଆଖିରେ ଲୁହ, ମନରେ କୋହ । ସରକାର ଦେଲେନି ଚାଉଳ । ଭୋକ ବିକଳରେ ପିଉଛୁ ବିଷ । ଏମିତି କୋହ ଭରା କଣ୍ଠରେ ନିଜର ଦୁଃଖ ଭରା କାହାଣୀ ବଖାଣିଛନ୍ତି ମିତା ପ୍ରଧାନ । ସରଳ ଆଦିବାସୀ ମିତା ମାଆଙ୍କ ଆଖିର ଲୁହ ଆଜି ରାଜଧାନୀରେ ରାଜ୍ୟ ସରକାରଙ୍କୁ ଉପହାସ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଖରେ ପହଞ୍ଚି ମିତା ଏବଂ ତାଙ୍କ ସମୁଦୁଣି ରାଜ୍ୟ ସରକାରଙ୍କୁ ଶୁଣାଇଛନ୍ତି ଯେ କିଭଳି ଭୋକର ବିକଳକୁ ପେଟରେ ମାରିବାକୁ ପଡୁଛି । ଭୋକ ହେଉଛି କିନ୍ତୁ ମିଳୁନି ଚାଉଳ । ଆମ୍ବ ଟାକୁଆ ଖାଇବୁନି ତ କ’ଣ ଖାଇବୁ । ମଲେ ମରିବୁ ପଛେ ଆମ୍ବ ଟାକୁଆ ଖାଇବୁ । ଏମିତି କହିଲା ବେଳେ, ଆଖିରୁ ଧାର ଧାର ହୋଇ ବୋହି ଯାଉଛି ଲୁହ । କୋହଭରା କଣ୍ଠରେ କନ୍ଧମାଳରୁ ଭୁବନେଶ୍ବରକୁ ଆସି ରାଜ୍ୟ ସରକାରଙ୍କୁ କାକୁତି ମିନତି ହୋଇଛନ୍ତି ଏହି ୫୫ ବର୍ଷିୟା ମିତା । ଚାଉଳ ମିଳି ନଥିବାରୁ କିପରି ବାଧ୍ୟ ହୋଇ ଆମ୍ବ ଟାକୁଆ ଜାଉ ଖାଉଛନ୍ତି ତାହାର ଟିକିନିଖି କାହାଣୀ ବଖାଣିଛନ୍ତି । ବଞ୍ଚିବା ପାଇଁ ରାଜ୍ୟ ସରକାର ଦୁଇ ଓଳି ଖାଦ୍ୟ ଯୋଗାଇବାକୁ ସେ ନିବେଦନ କରିଛନ୍ତି ।

ଖାଦ୍ୟ ପାଉ ନଥିବାରୁ ଆମ୍ବ ଟାକୁଆ ଜାଉ ଖାଇ ୩ ଜଣଙ୍କ ଜୀବନ ଗଲା । ରାଜ୍ୟ ସରକାର ଘଟଣାକୁ ଘଣ୍ଟ ଘୋଡ଼ାଉଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସତ ବଖାଣିଛନ୍ତି ଏହି ଦୁଇ ଆଦିବାସୀ ମହିଳା । ନିରୀହ ଆଦିବାସୀଙ୍କ ମୁହଁରୁ ଏଭଳି ସାଂଘାତିକ ସତ ଶୁଣିବା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ବିଜେଡି ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି, ଆମ୍ବ ଟାକୁଆ ଖାଇ ଜୀବନ ଯିବା ବିଜେପି ସରକାରଙ୍କ ପାଇଁ ସତର୍କ ଘଣ୍ଟି । ସରକାର ତୁରନ୍ତ ଏ ଦିଗରେ ସଜାଗ ରୁହନ୍ତୁ । ସମସ୍ତଙ୍କୁ କିପରି ରାସନ ମିଳିବ ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ । ସେହିପରି କଂଗ୍ରେସ ମଧ୍ୟ ବିଜେପି ସରକାରକୁ ସମାଲୋଚନା କରିବା ସାଙ୍ଗକୁ ଆଦିବାସୀ ଓ ଗରିବଙ୍କୁ ୩୫ କେଜି ଚାଉଳ ଯୋଗାଇ ଦେବାକୁ ଦାବି କରିଛି । ହେଲେ ରାଜସ୍ବ ମନ୍ତ୍ରୀ ଏ ପ୍ରସଙ୍ଗକୁ ଏଡାଇ ଦେବା ସହ ମୃତ୍ୟୁ ହେବା ଦୁଃଖ ଦାୟକ ବୋଲି କହିଛନ୍ତି ।

ରାସନ ବ୍ୟବସ୍ଥା ଫେଲ ମାରିଥିବାରୁ ବାଧ୍ୟ ହୋଇ ଆମ୍ବ ଟାକୁଆ ଖାଉଲେ ଲୋକେ । ଯେଉଁଥି ପାଇଁ ଅକାଳେ ଚାଲିଗଲା ୩ ଜଣ ଆଦିବାସୀଙ୍କ ଜୀବନ । କିନ୍ତୁ ସରକାର ସବୁ ଜାଣି ବି ଚୁପ ହୋଇ ବସିଛନ୍ତି । ରାଜଧାନୀ ରାଜରାସ୍ତାରେ କନ୍ଧମାଳର ଦୁଇ ଆଦିବାସୀ ମହିଳା ଲୁହ ଭରା କଣ୍ଠରେ ସତ କଥା ବଖାଣି ସରକାରଙ୍କୁ କରାଇଛନ୍ତି ସତର୍କ । ଯାହା ରାଜ୍ୟ ରଜାନୀତିକୁ ହଲଚଲ କରିଛି ।

ପଦାରେ ପଡିଲା ମୋହନ ସରକାରର ବିଫଳତା, ବାଟବଣା ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

ଭୁବନେଶ୍ବର: ଓଡ଼ିଶାରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟକାରିତା ନୁହେଁ ସନ୍ତୋଷଜନକ । ଏପ୍ରିଲରୁ ସେପ୍ଟେମ୍ବର ଯାଏଁ ନରେଗା ଶ୍ରମିକ ତାଲିକାରୁ ୧୦ ଲକ୍ଷ ଶ୍ରମିକଙ୍କ ନାଁ କଟିଛି । ବିଗତ ବର୍ଷ ତୁଳନାରେ ଏଥର ପ୍ରାୟ ୪୮ ପ୍ରତିଶତ କମ୍ କାମ ମିଳିଛି ନରେଗା ଯୋଜନାରେ । ବିନା ଭିତ୍ତିଭୂମିରେ କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ରାଜ୍ୟରେ ଆଧାର ଲିଙ୍କ ଆକାଉଣ୍ଟରେ ଶ୍ରମିକ ମଜୁରୀ ପୈଠ ବ୍ୟବସ୍ଥା ଯୋଗୁଁ ଲକ୍ଷ ଲକ୍ଷ ଶ୍ରମିକ ପାଉଣା ପାଇବା ପୁର୍ବରୁ ବଞ୍ଚିତ ହୋଇଛନ୍ତି । ପୂର୍ବ ସରକାର ତୁଳନାରେ ଏଥର ସରକାର ନରେଗାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।

ମୋହନ ସରକାରର ଆଉ ଏକ ବିଫଳତା।  ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ଏମଜିଏନଆରଇଜିଏସର ନୈରାଶ୍ୟଜନକ ପ୍ରଦର୍ଶନ । ୨୦୨୪ ଏପ୍ରିଲରୁ ସେପ୍ଟେମ୍ବର ୬ ମାସ ମଧ୍ୟରେ କମିଛି କାମ । କଟିଛି ଲକ୍ଷାଧିକ ଶ୍ରମିକଙ୍କ ନାମ । ସରକାରୀ ତଥ୍ୟକୁ ଭିତ୍ତି କରି ହୋଇଛି ଅନୁଶୀଳନ । ୬ ମାସରେ ଓଡିଶାରେ ମୋଟ  ୮ ଲକ୍ଷ ୭୬ ହଜାର ଶ୍ରମିକଙ୍କ ନାମ ତାଲିକାରୁ ହଟାଯାଇଛି । ଯାହାକି ଆଧାର ଭିତ୍ତିକ ପେମେଣ୍ଟ୍ ସିଷ୍ଟମ (ଏବିପିଏସ୍)ର ଅନୁପାଳନ ଉପରେ ବଢୁଥିବା ଚିନ୍ତାକୁ ଦର୍ଶାଉଛି । ପ୍ରଶାସନିକ ତ୍ରୁଟି ଯୋଗୁଁ ଅନେକ ପ୍ରକୃତ ଶ୍ରମିକଙ୍କୁ ବାଦ ଦିଆଯାଇଛି । କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ରାଜ୍ୟ ସରକାର ଆଧାର ସଂଯୋଗ ବ୍ୟାଙ୍କ ଆକାଉଣ୍ଟରେ ମଜୁରୀ ଦେବାକୁ ସ୍ଥିର କରିଥିବା ବେଳେ ବ୍ୟାଙ୍କିଙ୍ଗ ସେବା ଓ ଇଣ୍ଟରନେଟ ଅଭାବ ଯୋଗୁଁ ପ୍ରକୃତ ଶ୍ରମିକ ମଜୁରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଓଡିଶାର ପ୍ରାୟ ୬.୭% ଶ୍ରମିକ ଏବିପିଏସ୍ ପାଇଁ ଅଯୋଗ୍ୟ, ଯାହାକି ଠିକ୍ ସମୟରେ ମଜୁରୀ ପ୍ରଦାନରେ ବାଧା ସୃଷ୍ଟି କରିଛି । ନୟାଗଡରେ ୧୦.୭% ଓ ବଲାଙ୍ଗୀରରେ ୬.୨% ଅଯୋଗ୍ୟତା ହାର ଅଧିକ ।

ରାଜ୍ୟରେ କାମ ପାଇଁ ଅଧିକ ଚାହିଦା ଥିବା ସତ୍ତ୍ଵେ ୨୦୨୩ ତୁଳନାରେ ୨୦୨୪ରେ ରୋଜଗାର ସୃଷ୍ଟିରେ ୪୮.୪ % ହ୍ରାସ ହୋଇଛି । ପରିଚାଳନା ଅକ୍ଷମତା ଓ ଯୋଗ୍ୟ ଶ୍ରମିକଙ୍କ ଉଚ୍ଛେଦ ଯୋଗୁଁ ଏପରି ହୋଇଛି । ସବୁ ଜିଲ୍ଲାରେ ନିଯୁକ୍ତି ସୃଷ୍ଟି ହ୍ରାସ ପାଇଥିବା ବେଳେ ସର୍ବାଧିକ ଜଗତସିଂହପୁରରେ ୮୨ % ଓ ସର୍ବନିମ୍ନ ଗଞ୍ଜାମରେ ୭୯ % ଶ୍ରମ ଦିବସ ହ୍ରାସ ପାଇଛି । ୨୦୨୨ରେ ୧୦.୪ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିଲା । ୨୦୨୩ରେ ଏହା ୧୧.୩ କୋଟିରେ ପହଞ୍ଚିଥିବା ବେଳେ ୨୦୨୪ରେ ଏହା ୫.୮ କୋଟି ଶ୍ରମ ଦିବସକୁ ହ୍ରାସ ପାଇଛି । ଭୁଲ ଭାବରେ ହଟା ଯାଇଥିବା ଶ୍ରମିକମାନଙ୍କୁ ପୁନଃ ଯୋଡିବା, ସଠିକ ପ୍ରାପ୍ୟ ସୁନିଶ୍ଚିତ କରିବା, ପ୍ରଶାସନ ଦ୍ବାରା ଭୁଲ ଭାବରେ ହଟା ଯାଇଥିବା ଶ୍ରମିକ ସମସ୍ୟାର ତୁରନ୍ତ ସମାଧାନ କରିବା ନିହାତି ଜରୁରୀ ବୋଲି ରିପୋର୍ଟରେ ସୁପାରିଶ କରାଯାଇଛି । ଏବିପିଏସ୍ କାର୍ଯ୍ୟକାରିତାକୁ ବଢାଇବା ସହ ତ୍ରୁଟିର ସମାଧାନ କରି ପ୍ରକ୍ରିୟାକୁ ସରଳ କରିବା ପାଇଁ ଦାବି ହୋଇଛି ।

ରାଜ୍ୟରେ ବିଜେପି ସରକାର ଆସିବା ପରେ ଏମଜିଏନଆରଇଜିଏସ ଦେଖାଦେଇଛି ବ୍ଯାପକ ତ୍ରୁଟି। ରୋଜଗାର ସୃଷ୍ଟି ହ୍ରାସ ସହ ଦେଖାଦେଇଛି ଜିଲ୍ଲାସ୍ତରରେ ଅସମାନତା ।