ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଧାନକିଣାରେ ଅନିୟମିତତା ଅଭିଯୋଗ । ମଣ୍ଡିରେ ପଡିରହିଛି ଶହ ଶହ କ୍ବିଣ୍ଟାଲ ଧାନ। ଆଉ ଯେଉଁଠି ଧାନ ଉଠୁଛି ସେଠାରେ କଟନି ଛଟନି ଅଭିଯୋଗ। ଅଭାବୀ ଧାନ ବିକ୍ରିକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ଜଗତସିଂହପୁର ପୌର ପରିଷଦ ତିନି ନଂ ୱାର୍ଡରେ ସାଂଗଠନିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସ୍ତରୀୟ କୃଷକ ନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ବ୍ଲକସ୍ତରୀୟ ଚାଷୀ ସଂଗଠକ ମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।
ଆଜି ସରୁଛି ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରଚାର: ଆସନ୍ତା ୫ରେ ଭୋଟ, ୮ରେ ଗଣତି
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ। ଆଜି ସରୁଛି ପ୍ରଚାର। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ସରିବ ପ୍ରଚାର । ଗୋଟିଏ ମୁହୂର୍ତ୍ତ ବି ଛାଡିବାକୁ ଚାହୁଁନାହାନ୍ତି ପ୍ରାର୍ଥୀ। ଜୋରସୋରରେ ପ୍ରଚାର ଚଳାଇଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ। ଆମ ଆଦମୀ ପାର୍ଟି ନେତା ଅରବିନ୍ଦ ଜରିୱାଲଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ପ୍ରଚାର ମୈଦାନରେ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ଏବଂ ସଞ୍ଜୟ ସିଂହଙ୍କ ସହିତ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ହରଭଜନ ସିଂହଙ୍କ ଜୋରଦାର ପ୍ରଚାର ଚାଲିଛି । ରୋଡ୍ ସୋ ସହିତ ସାଧାରଣ ସଭା କରି ଜନସାଧାରଣଙ୍କଠାରୁ ଭୋଟ୍ ପାଇଁ ନିବେଦନ କରୁଛନ୍ତି ଆପ୍ ନେତା । ଦିଲ୍ଲୀରେ ନିର୍ବାଚନ ପ୍ରଚାରର ଶେଷ ଦିନରେ, ବିଜେପି ଏବଂ ଆମ ଆଦମୀ ପାର୍ଟି ସେମାନଙ୍କର ସପୂର୍ଣ୍ଣ ଶକ୍ତି ଖଟାଇ ଦେଇଛନ୍ତି ।
ଆଜି ପ୍ରଚାରର ଶେଷ ଦିନରେ ବିଜେପି ଏବଂ ଆମ ଆଦମୀ ପାର୍ଟି ଉଭୟ ଗୋଟିଏ ପରେ ଗୋଟିଏ ରୋଡ୍ ସୋ ଏବଂ ରାଲି କରୁଛନ୍ତି । ଆଜି ବିଜେପିର ୨୨ ଟି ଏବଂ ଆମ ଆଦମୀ ପାର୍ଟିର ୯ଟି ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରେ ଶାସକ ଆମ ଆଦମୀ ପାର୍ଟି ପକ୍ଷରୁ ଅରବିନ୍ଦ କେଜରିୱାଲ, ସଞ୍ଜୟ ସିଂହ ଏବଂ ଅନେକ ନେତା ଶେଷ ଦିନରେ ପ୍ରଚାର ପାଇଁ ମୈଦାନକୁ ବାହାରିଛନ୍ତି । ସେହି ସମୟରେ, ବିଜେପି ମଧ୍ୟ ଦିଲ୍ଲୀ ନିର୍ବାଚନ ପାଇଁ ସମସ୍ତ ଶକ୍ତି ଖଟାଇ ଦେଇଛି । ବିଜେପି ପକ୍ଷରୁ ପ୍ରଚାରରେ ସାମିଲ ହୋଇଛନ୍ତି ଏକାଧିକ କେନ୍ଦ୍ରମନ୍ତ୍ରୀ। କଂଗ୍ରେସ ପକ୍ଷରୁ ସନ୍ଦୀପ ଦିକ୍ଷୀତ ମଧ୍ୟ ଜୋରସୋର ପ୍ରଚାର କରିଛନ୍ତି। ମଇଦାନରେ ପ୍ରଚାରର ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ଏଥର ହାଟ୍ରିକ ଲକ୍ଷ୍ୟରେ ରହିଛି ଆପ୍ । ସେପଟେ କୌଣସି ପ୍ରକାରେ କ୍ଷମତାକୁ ଆସିବା ଲାଗି ବିଜେପି ଓ କଂଗ୍ରେସ ଚଳାଇଛନ୍ତି କସରତ । ଦିଲ୍ଲୀ ନିର୍ବାଚନରେ ଆସନ୍ତା ୫ ତାରିଖରେ ହେବ ଭୋଟ ଗ୍ରହଣ। ଫେବୃଆରୀ ୮ରେ ହେବ ଭୋଟ ଗଣତି ।
ସ୍ତ୍ରୀକୁ ହାଇ ହିଲ୍ ଦେଲେନି ସ୍ୱାମୀ, ଗଲେ ଜେଲ୍ !
ନନ୍ଦିଘୋଷ ବ୍ୟୁରୋ: ହାଇ ହିଲ୍ ସ୍ୟାଣ୍ଡେଲକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ । ସ୍ତ୍ରୀକୁ ହାଇ ହିଲ୍ ଦେବାକୁ ମନାକଲେ ସ୍ୱାମୀ। ଥାନାରେ ସ୍ୱାମୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଆଗ୍ରାରେ ।
ସୂଚନା ଅନୁଯାୟୀ, ଆଗ୍ରାରେ ରହୁଥିବା ଯୁବକ-ଯୁବତୀ ୨୦୨୪ରେ ବିବାହ କରିଥିଲେ। ଯୁବତୀଙ୍କୁ ଛୋଟବେଳୁ ହାଇ ହିଲ୍ ପିନ୍ଧିବାର ସଉକ୍ ଥିଲା। ବିବାହ ପରେ ଯୁବତୀ ତାଙ୍କ ସ୍ୱାମୀଙ୍କୁ ହାଇ ହିଲ୍ ଆଣିବା ପାଇଁ କହିଥିଲେ । କିଛି ଦିନ ପରେ ସ୍ୱାମୀ ହାଇ ହିଲ୍ ଆଣିଦେଇଥିଲେ । କିନ୍ତୁ ଗୋଟେ ଦିନ ସ୍ତ୍ରୀ ହାଇ ହିଲ୍ ପିନ୍ଧି ଯାଉଥିବା ବେଳେ ପଡିଯିବାରୁ ଆଘାତ ଲାଗିଥିଲା। ଏହାପରେ ସ୍ୱାମୀ ତାଙ୍କୁ ହାଇ ହିଲ୍ ପିନ୍ଧିବାକୁ ମନାକରିଥିଲେ। କିନ୍ତୁ ଯୁବତୀ ତାଙ୍କ ସ୍ୱାମୀଙ୍କ କଥା ମାନିନଥିଲେ। ସ୍ୱାମୀଙ୍କୁ ଆଉ ଏକ ହିଲ୍ ଆଣିବା ପାଇଁ କହିଥିଲେ । କିନ୍ତୁ ସ୍ୱାମୀ ମନା କରିଦେଇଥିଲେ। ଏନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ମାରପିଟ୍ ହୋଇଥିଲେ। ଏନେଇ ସ୍ତ୍ରୀ ଥାନାରେ ସ୍ୱାମୀଙ୍କ ନାଁରେ ଏତଲା ଦେଇଛନ୍ତି ।
ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ବିକ୍ରି ଆରମ୍ଭ, କେମିତି କରିବେ ବୁକ୍
ଦୁବାଇ: ଫେବୃଆରୀ ୧୯ରୁ ମାର୍ଚ୍ଚ ମାସ ୯ ତାରିଖ ପର୍ଯ୍ୟନ୍ତ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ । ପାକିସ୍ତାନରେ ହେବାକୁ ଥିବା ସମସ୍ତ ମ୍ୟାଚର ଟିକେଟ ବିକ୍ରି ପୂର୍ବରୁ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ICC) ପକ୍ଷରୁ ଆରମ୍ଭ ହୋଇଯାଇଥିଲା । ଏହା ମଧ୍ୟରେ ଭାରତୀୟ ଟିମର ସମସ୍ତ ମ୍ୟାଚର ଟିକେଟ ବିକ୍ରି ଆଜିଠାରୁ ଆରମ୍ଭ ହୋଇଯାଇଛି । ଚାମ୍ପିୟନ୍ସ ଟ୍ରଫିରେ ଭାରତ ନିଜର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ ।
ICC ଆସନ୍ତା ମାସରେ ହେବାକୁ ଥିବା ସମସ୍ତ ଟିକେଟର ଦାମ୍ ଜାରି କରିଛି ICC । ଚାମ୍ପିୟନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା କଡ଼ା ମୁକାବିଲାକୁ ଦେଖିବା ପାଇଁ ଫ୍ୟାନ୍ସ ବେଶ ଉତ୍ସୁକତର ସହ ଚାହିଁ ରହିଛନ୍ତି । ପାକିସ୍ତାନରେ ହେବାକୁ ଥିବା ମାଚର ସମସ୍ତ ଟିକେଟକୁ ଜାନୁଆରୀ ୨୮ରୁ ଅନଲାଇନରେ ବିକ୍ରି ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ଟିମ୍ ଇଣ୍ଡିଆର ମ୍ୟାଚଗୁଡ଼ିକ ପାଇଁ ଆଜି (ଜାନୁଆରୀ ୩) ଠାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଭାରତୀୟ ଟିମର ମ୍ୟାଚଗୁଡ଼ିକ ପାଇଁ ଟିକେଟସର ଓ୍ବିଣ୍ଡୋ ଆଜି ସନ୍ଧ୍ୟା ୫.୩୦ରେ ଖୋଲିବ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନର ମ୍ୟାଚ ପାଇଁ ଟିକେଟର ଦାମ୍ ୧୨୫ ଦିରହମ (ପାଖାପାଖି) ୩ ହଜାର ଟଙ୍କା ରଖାଯାଇଛି ।
ଟିକେଟ ବୁକିଂ ଲିଙ୍କ: https://www.iccchampionstrophy.com/tickets
ଏପ୍ରିଲ ୧ ରୁ କାହିଁକି ନୂଆ ଆର୍ଥିକ ବର୍ଷ ଆରମ୍ଭ ?
ନନ୍ଦିଘୋଷ ବ୍ୟୁରୋ: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡି ଖୋଲିଯାଇଛି। ସାଧାରଣ ବଜେଟ୍ ଏପ୍ରିଲ୍ ୧, ୨୦୨୫ ରୁ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ ଲାଗୁ ହେବ। ଆପଣ କେବେ ଚିନ୍ତା କରିଛନ୍ତି କି ଫେବୃଆରୀ ୧ରେ ଘୋଷଣା ହୋଇଥିବା ବଜେଟ୍ କାହିଁକି ଏପ୍ରିଲ ୧ରୁ ଆରମ୍ଭ ହୋଇଥାଏ? ତେବେ ଜାଣିରଖନ୍ତୁ ଏହା ପଛରେ କଣ ରହିଛି କାରଣ ।
୨୦୨୫-୨୬ ବର୍ଷ ଲାଗି ଅର୍ଥମନ୍ତ୍ରୀ ବଜେଟ୍ ଘୋଷଣା କରିଛନ୍ତି । ନିର୍ମଳାଙ୍କ ଆର୍ଥିକ ପେଡିରେ ମଧ୍ୟବିତ୍ତ, କୃଷି ଉପରେ ଫୋକସ ଦିଆଯାଇଛି। ଏହି ବଜେଟ୍ ଏପ୍ରିଲ ୧, ୨୦୨୫ ରୁ ଆରମ୍ଭ ହୋଇ ୨୦୨୬ ମାର୍ଚ୍ଚ ୩୧ରେ ଶେଷ ହେବ । ଏହା ଏମିତି ଏକ କାର୍ଯ୍ୟସୂଚୀ ଯାହା ସାଧାରଣତଃ ଦେଶର ଅଧିକାଂଶ ଭାଗରେ ଫସଲ ଚକ୍ର ସହିତ ମେଳ ଖାଏ। ଭାରତୀୟ ଅର୍ଥନୀତିରେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଐତିହାସିକ ଭାବରେ ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ।
ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶରେ ମୌସୁମୀ ଚାଲିଥାଏ, ଯାହା ଚାଷରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କୃଷକମାନେ ସାଧାରଣତଃ ଜୁନ୍-ଜୁଲାଇରେ ଫସଲ ବୁଣନ୍ତି ଏବଂ ଅକ୍ଟୋବର-ମାର୍ଚ୍ଚରେ ଅମଳ କରନ୍ତି। ଏଭଳି ପରିସ୍ଥିତିରେ, ଏହି କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟ କରି ସରକାର କୃଷି କ୍ଷେତ୍ର ପାଇଁ ଯୋଜନା ପ୍ରସ୍ତୁତ କରିବା ସହଜ ହୋଇଯାଏ।
ଏପ୍ରିଲ ୧ ରୁ ଭାରତରେ ଆର୍ଥିକ ବର୍ଷ ଆରମ୍ଭ କରିବାର ଅନ୍ୟ ଏକ କାରଣ ହେଉଛି ଭାରତରେ ଆର୍ଥିକ ବର୍ଷର ଆରମ୍ଭ ମଧ୍ୟ ବୈଶାଖ କିମ୍ବା ହିନ୍ଦୁ ନୂତନ ବର୍ଷରୁ ଆରମ୍ଭ ହୋଇଥାଏ । ଏହା ଏପ୍ରିଲରୁ ମାର୍ଚ୍ଚ ପର୍ଯ୍ୟନ୍ତ ଆର୍ଥିକ କାର୍ଯ୍ୟସୂଚୀକୁ ବ୍ୟାଖ୍ୟା କରେ । ଅନେକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ତାରିଖ ବାଛିବାବେଳେ ଭାରତ ସରକାର ନିଶ୍ଚିତ ଭାବରେ ଏହି ସମସ୍ତ ସାଂସ୍କୃତିକ ପରମ୍ପରାକୁ ମନେ ରଖିଥିବେ। ଭାରତରେ ହିନ୍ଦୁ ନୂତନ ବର୍ଷ ସହିତ ଆର୍ଥିକ ବର୍ଷର ଆରମ୍ଭ ମଧ୍ୟ ସାଂସ୍କୃତିକ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉଦ୍ଦେଶ୍ୟ ହୋଇଥାଇପାରେ ।
ଭାରତର ଅନେକ ପରମ୍ପରାରେ ବ୍ରିଟିଶମାନେ ତାଙ୍କର ଛାପ ଛାଡି ଯାଇଛନ୍ତି। ଯେପରିକି ଆର୍ଥିକ ବଜେଟ୍ ସେଥିମଧ୍ୟରୁ ଗୋଟେ । ଏପ୍ରିଲରୁ ଆର୍ଥିକ ବର୍ଷର ଆରମ୍ଭ ଉପରେ ବ୍ରିଟିଶମାନଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି। ବାସ୍ତବରେ, ୭ ଏପ୍ରିଲ ୧୮୬୦ ରେ ଭାରତରେ ବ୍ରିଟିଶ ଶାସନ ସମୟରେ ପ୍ରଥମ ବଜେଟ୍ ଉପସ୍ଥାପିତ ହୋଇଥିଲା। ତା’ପରେ ଏହା ମେ ରୁ ଏପ୍ରିଲ୍ ପର୍ଯ୍ୟନ୍ତ ଥିଲା । ଏହା ପରେ ସମାନ ବ୍ୟବସ୍ଥା ସାତ ବର୍ଷ ପର୍ଯ୍ୟନ୍ତ ଚାଲିଲା। ୧୮୬୫ ମସିହାରେ ବ୍ରିଟିଶ ସରକାର ଭାରତୀୟ ଆକାଉଣ୍ଟ ଯାଞ୍ଚ ପାଇଁ ଏକ କମିଶନ ଗଠନ କରିଥିଲେ। ତେବେ ପ୍ରଥମ ଥର ପାଇଁ ସେହି କମିଶନ ଜାନୁଆରୀ ୧ ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଆର୍ଥିକ ବର୍ଷ ରଖିବାକୁ ସୁପାରିଶ କରିଥିଲେ।
ତେବେ ବ୍ରିଟିଶ ସରକାର ଏଥିପାଇଁ ପ୍ରସ୍ତୁତ ନଥିଲେ, କାରଣ ଉପନିବେଶିକ ସରକାର ଭାରତର ଆର୍ଥିକ ବର୍ଷକୁ ବ୍ରିଟେନ ଭଳି ସମାନ ଧାଡିରେ ରଖିବାକୁ ଚାହୁଁଥିଲେ। ତେଣୁ ଆୟୋଗର ସୁପାରିଶକୁ ଅଣଦେଖା କରି ବ୍ରିଟିଶମାନେ ଭାରତର ଆର୍ଥିକ ବର୍ଷକୁ ୧୮୬୭ ମସିହାରେ ବଦଳାଇ ଦେଇଥିଲେ । ଏହାକୁ ଏପ୍ରିଲ ୧ ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରିଥିଲେ ।
ସ୍କୁଲ ଛୁଟି ଘୋଷଣା କଲେ ସରକରା, ଏହି ଦିନ ରହିବ ଛୁଟି
ନୂଆଦିଲ୍ଲୀ: ଦିଲ୍ଲୀ ସରକାରୀ ଏବଂ ପ୍ରାଇଭେଟ୍ ସ୍କୁଲ ଏବଂ କଲେଜକୁ ନେଇ ଆସିଲା ବଡ ଖବର । ୨୦୨୫ ଫେବୃଆରୀ ୫ ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏପରି ପରିସ୍ଥିତିରେ, ଫେବୃଆରୀ ୫ ତାରିଖରେ ଦିଲ୍ଲୀର ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିବ। ନିର୍ବାଚନ ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଛୁଟି ଘୋଷଣା କରିଛନ୍ତି ଯାହାଦ୍ୱାରା କର୍ମଚାରୀମାନେ ଭୋଟ ଦେଇପାରିବେ।
ଏହା ବ୍ୟତୀତ ଯେଉଁ ସ୍କୁଲ ଏବଂ କଲେଜଗୁଡ଼ିକୁ ମତଦାନ କେନ୍ଦ୍ର କରାଯାଇଛି ସେଗୁଡ଼ିକ ମଧ୍ୟ ଫେବୃଆରୀ ୪ ତାରିଖରେ ବନ୍ଦ ରହିପାରେ।ଏହି ଅନୁଷ୍ଠାନଗୁଡିକରେ ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ହେବ । ଏଥିରେ ଜାମିଆ ମିଲ୍ଲିଆ ଇସଲାମିଆର ସ୍କୁଲ ବିଭାଗ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଫେବୃଆରୀ ୪ ଏବଂ ୫ ରେ ବନ୍ଦ ରହିବ ।
ଏହା ବ୍ୟତୀତ ଲୋକଙ୍କ ମଧ୍ୟରେ ମତଦାନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଦିଲ୍ଲୀରେ ଏକ ରାଲି ଆୟୋଜନ କରାଯାଇଛି। ଛାତ୍ରମାନେ ଏହି ସମାବେଶରେ ପୋଷ୍ଟର ଏବଂ ବ୍ୟାନର ସହିତ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ବାସିନ୍ଦାଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରିଥିଲେ ।
ଭାରତ ଟପ୍ ଟେନ୍ ଶକ୍ତିଶାଳୀ ରାଷ୍ଟ୍ର ସୂଚୀରୁ ବାହର
ନନ୍ଦିଘୋଷ ବ୍ୟୁରୋ: ଭାରତକୁ ବଡ ଝଟକା, ଜାରି ହେଲା ଶକ୍ତିଶାଳୀ ରାଷ୍ଟ୍ରର ସୂଚି। ଶକ୍ତିଶାଳୀ ରାଷ୍ଟ୍ର ସୂଚୀରୁ ବାଦ୍ ପଡିଛି ଭାରତ । ଫୋର୍ବସ୍ ଭାରତ ଟପ୍ ଟେନ୍ ଶକ୍ତିଶାଳୀ ରାଷ୍ଟ୍ର ସୂଚୀରୁ ବାହର ହୋଇଛି ।
ଫୋର୍ବସ୍ ୨୦୨୫ରେ ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି । ଫୋର୍ବସ୍ ୧୦ ଟି ଦେଶକୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଭାରତ ବାଦ୍ ପଡିଛି । ଏହି ତାଲିକା ଅନେକ ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ ଉପରେ ଆଧାରିତ। ଭାରତ ଏଥିରୁ ବାଦ୍ ପଡିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଇଛି । ଭାରତ ଏକ ବୃହତ ଜନସଂଖ୍ୟା, ଚତୁର୍ଥ ବୃହତ୍ତମ ସେନା ଏବଂ ପଞ୍ଚମ ବୃହତ୍ତମ ଅର୍ଥନୀତି ଥିବା ଦେଶ ହୋଇ କିପରି ଏହି ତାଲିକାରୁ ବାଦ୍ ପଡିଲା ବୋଲି ଅନେକ ମହଲରୁ ପ୍ରଶ୍ନ ଉଠିଛି ।
ଫୋର୍ବସ୍ କହିବା ଅନୁଯାୟୀ, ଏହି ସୂଚି ୟୁଏସ୍ ନ୍ୟୁଜ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ର଼୍ୟାଙ୍କିଙ୍ଗ୍ ପାଇଁ ପାଞ୍ଚଟି ମୁଖ୍ୟ ମାପଦଣ୍ଡକୁ ନଜରରେ ରଖାଯାଇ ତାଲିକା ପ୍ରସ୍ତୁତ କରାଯାଏ। ଯେପରିକି ଯେକୌଣସି ଦେଶର ନେତା, ଅର୍ଥନୈତିକ ପ୍ରଭାବ, ରାଜନୈତିକ ପ୍ରଭାବ, ଦୃଢ ଆନ୍ତର୍ଜାତୀୟ ଗଠବନ୍ଧନ ଏବଂ ଶକ୍ତିଶାଳୀ ସୈନ୍ୟ ଉପରେ ଆଧାର କରାଯାଇ ତାଲିକା ପ୍ରସ୍ତୁତ କରାଯାଏ।
୨୦୨୫ରେ ୧୦ଟି ଶକ୍ତିଶାଳୀ ରାଷ୍ଟ୍ର ହେଲେ ଆମେରିକା, ଚୀନ, ଋଷ, UK, ଜର୍ମାନୀ, ଦକ୍ଷିଣ କୋରିଆ, ଫ୍ରାନ୍ସ, ଜାପାନ, ସାଉଦି ଆରବ, ଇସ୍ରାଏଲ ।
ଭାରତର ବିଶାଳ ଜନସଂଖ୍ୟା, ସାମରିକ ଶକ୍ତି ଏବଂ ଅର୍ଥନୈତିକ ପ୍ରଗତିକୁ ବିଚାରକୁ ନେଲେ ଏହାକୁ ଏହି ତାଲିକାରୁ ବାଦ୍ ଦେବେ ଆଶ୍ଚର୍ଯ୍ୟଜନକ। ଭାରତର ଚତୁର୍ଥ ବୃହତ୍ତମ ସେନା ଏବଂ ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ସତ୍ତ୍ୱେ ଶକ୍ତିଶାଳୀ ରାଷ୍ଟ୍ର ହୋଇପାରିନାହିଁ । ଏହାକୁ ନେଇ ଅନେକ ବିଶେଷଜ୍ଞ ଏବଂ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠାଇଛି । ଫୋର୍ବସ୍ ସୂଚୀ ପଦ୍ଧତି ଭାରତର ପ୍ରଭାବକୁ ସଠିକ୍ ଆକଳନ କରିବାରେ ବିଫଳ ହୋଇଛି ବୋଲି ଏଭଳି ସମାଲୋଚନାର କରାଯାଉଛି ।

