spot_img
Home Blog Page 1314

ସମ୍ବଲପୁର ଜିଲ୍ଲାରେ ମଣ୍ଡିରୁ ଉଠିପାରୁନି ଧାନ, ମାନ ନିର୍ଦ୍ଧାରଣକୁ ନେଇ ବଢୁଛି ଅସନ୍ତୋଷ

ସମ୍ବଲପୁର : ଧାନକିଣା ଆରମ୍ଭରୁ ଅବ୍ଯବସ୍ଥା । ମାନ ନିର୍ଦ୍ଧାରଣକୁ ନେଇ ଅସନ୍ତୋଷ ଚାଷୀ । କଟନୀ ଛଟନୀ ଭୟରେ ମିଲକୁ ଧାନ ନେବାକୁ ଚାଷୀ ନାରାଜ । ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ଯଳୟ ଆଗରେ ଧାରଣା । ସମ୍ବଲପୁରରେ ମଣ୍ଡିରୁ ଉଠିପାରୁନି ଧାନ । ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲେ ସୁଦ୍ଧା ଚାଉଁରପୁର ମଣ୍ଡିରୁ ଉଠିପାରୁନି ଧାନ । ହେଲେ ମିଲକୁ ଧାନ ନେବା ପାଇଁ ପରୋକ୍ଷରେ ଯୋଗାଣ ବିଭାଗ ଓ ସମବାୟ ବିଭାଗ କହୁଥିବାବେଳେ ଚାଷୀ ନିଜ ଜିଦରେ ଅଟଳ ।  ନିୟମ ହିସାବରେ ୧୭ ପ୍ରତିଶତ ତଳକୁ ମର୍ସଚାଇଜ୍ ଧାନ ଏଫଏକକ୍ଯୁ ଧାନ । ଚାଷୀ ଆଣିଥିବା ଧାନରେ ୧୨ ପ୍ରତିଶତ ମର୍ସରାଇଜ ରହିଛି । ହେଲେ ସମାନ ଧାନ ସିଧା ମିଲକୁ ଗଲେ ଏଫଏକ୍ଯୁ ନାହିଁ କହି ମିଲର୍ସ କଟନୀ ଛଟନୀ କରିବ । ଫଳରେ  ମଣ୍ଡିରୁ ଯୋଗାଣ ବିଭାଗ ହିସାବ ନିକାଶ କରି ନିଜେ ମିଲ ପଠାଉ ବୋଲି ଅଡି ବସିଛି ଚାଷୀ ।

ସବୁଠାରୁ ବଡ଼କଥା ହେଲା ଚଳିତ ବର୍ଷ କଟଣୀ କରାଯିବ ନାହିଁ ବୋଲି କହିଥିଲେ ସରକାର । କିନ୍ତୁ ଆରମ୍ଭରୁ କଟନୀ ଆରମ୍ଭ ହୋଇଛି । ପୂର୍ବରୁ ଶହେ କିଲୋ ପିଛା କିଛି ମାତ୍ରାରେ କଟା ଯାଉଥିଲା । କିନ୍ତୁ ଏବେ ତାହା ବସ୍ତା ପ୍ରତି କଟୁ ଥିବାରୁ ଚିନ୍ତାରେ ଜିଲ୍ଲାର ଚାଷୀ । ତେଣୁ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେଣି ବିଭିନ୍ନ କୃଷକ ସଂଗଠନ l ଆଗକୁ ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ ରାଜ ରାସ୍ତାକୁ ଚାଷୀ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l ଯଦି ମିଲକୁ ଧାନ ସିଧାସଳଖ ନିଆଯିବ ତାହେଲେ ବହୁ ପରିମାଣରେ କଟନୀ ଛଟନୀ କରାଯିବ । ସେହି ଭୟରେ ଶୀତ କାକରରେ ରାତି ତମାମ ନିଜର ଫସଲ ଜଗିଛନ୍ତି ଚାଷୀ ।

ତେଜିଲା ଡାଲମିଆ ରିଫେକ୍ଟୋରିଜ୍ ବିବାଦ : ପୂନଃ ନିଯୁକ୍ତି ଓ ବକେୟା ଦରମା ପ୍ରଦାନ ଦାବିରେ ଯୁଦ୍ଧଂଦେହୀ ଡାକରା

ବାଲେଶ୍ବର : ହକ୍ ପାଇଁ ଅଣ୍ଟା ଭିଡ଼ିଲେ ଶ୍ରମିକ । ପୂନଃ ନିଯୁକ୍ତି ଦାବିରେ ଯୁଦ୍ଧଂଦେହୀ ଡାକରା । ଜାତୀୟ ରାଜପଥ ଅବରୋଧ ପାଇଁ ମିଳିତ ସଂଗଠନର ଘୋଷଣା । ରୋଜଗାର ଗଲା । ଭବିଷ୍ଯତ ଅନ୍ଧାର ହୋଇଗଲା । ପିଲାଙ୍କ ପାଠପଢାରେ ବନ୍ଧା ହେଲାଣି ଡୋରୀ । ତେଣୁ କମ୍ପାନୀ ବିରୋଧରେ ଜୋରଦାର ସଂଗ୍ରାମ ପାଇଁ ଯୋଜନା ଆରମ୍ଭ କରିଛି ମିଳିତ ଶ୍ରମିକ ସଂଗଠନ । ବାଲେଶ୍ବରରେ ଥିବା ଡ଼ାଲମିଆ ରିଫେକ୍ଟୋରିଜ୍ ଲିମିଟେଡ଼ କମ୍ପାନୀରେ । ବାରମ୍ବାର ତ୍ରିପାକ୍ଷିକ ବୈଠକ ବସିଛି । ବିର୍ଲା ଟାୟାରରେ କାମ କରିଥିବା ଶ୍ରମିକ ମାନଙ୍କୁ ପୁନଃନିଯୁକ୍ତି ଦେବାକୁ ଶ୍ରମିକ ସଂଗଠନ ଦାବି କରିଚାଲିଛି । ହେଲେ ବିଭିନ୍ନ ବାହାନାକରି ପୁରୁଣା କମ୍ପାନୀକୁ କିଣିଥିବା ଡ଼ାଲମିଆ ରିଫେକ୍ଟୋରିଜ୍ ଲିମିଟେଡ଼ ଏହାକୁ ଏଡ଼ାଇ ଚାଲିଛି । ଏପରିସ୍ଥିତିରେ ପ୍ରଶାସନର ନୀରବତା ସମସ୍ତଙ୍କୁ ଚକିତ କରିଛି । ୨୦୨୦ ରେ ପୁରୁଣା କମ୍ପାନୀ ବିର୍ଲା ଟାୟାର ବନ୍ଦ ଘୋଷଣା କରିବା ପରେ ଶ୍ରମିକମାନେ ଦିନ ମଜୁରିଆ ଭାବେ ପରିବାର ଚଳାଇଛନ୍ତି । ଭବିଷ୍ଯତ ତିଆରି କରିବାକୁ ଆଶାକରି ଯାହା ପାଇଁ ଅଧା ଜୀବନ ଦେଇଥିଲେ, ସେହି କମ୍ପାନୀ ଆଜି ତାଙ୍କୁ ଦୟନୀୟ ଅବସ୍ଥାରେ ଛାଡ଼ି ଦେଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।

କମ୍ପାନୀ କ୍ଷତିରେ ଚାଲୁଥିବା ଦର୍ଶାଇ ବିର୍ଲା ଟାୟାର କମ୍ପାନୀ ୨୦୨୦ ମାର୍ଚ୍ଚ ମାସ ୧୨ ତାରିଖରେ ବନ୍ଦ ଘୋଷଣା କରିଥିଲା । ସେହିଦିନ ପର୍ଯ୍ୟନ୍ତ ୬୫୦ ସ୍ଥାୟୀ ଓ ୫୨୫ ଅସ୍ଥାୟୀ କର୍ମଚାରୀଙ୍କର ୨୪ ମାସର ଦରମା ବାକି ରହିଥିଲା । ଶ୍ରମିକ ସଂଗଠନ ଓ ବିର୍ଲା ଟାୟାରକୁ କଞ୍ଚାମାଲ ଯୋଗାଇଥିବା କମ୍ପାନୀମାନଙ୍କ ତରଫରୁ ମାମଲା NCLTରେ ପହଞ୍ଚିଥିଲା । NCLTର ନିର୍ଦ୍ଦେଶ ଅନୁସାରେ ଏହି କମ୍ପାନୀକୁ ଡ଼ାଲମିଆ ରିଫେକ୍ଟୋରିଜ୍ ଲିମିଟେଡ଼ ହାତକୁ ନେଇଥିଲା । ପୁରୁଣା କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ, ପୁରୁଣା କର୍ମଚାରୀଙ୍କୁ ପୁନଃନିଯୁକ୍ତି, ଅବସର ବୟସ ୬୦ ବର୍ଷରୁ ଉର୍ଦ୍ଧ ବୟସର ଶ୍ରମିକଙ୍କୁ ଅବସର କାଳୀନ ସମସ୍ତ ସୁବିଧା ପ୍ରଦାନ କରିବା, ପୂର୍ବ କମ୍ପାନୀକୁ କଞ୍ଚାମାଲ ଯୋଗାଇଥିବା କମ୍ପାନୀ ମାନଙ୍କର ବକେୟା ପୈଠକରିବା ଭଳି ଏକାଧିକ ସର୍ତ୍ତ ରହିଥିଲା । ଏନେଇ ପ୍ରଶାସନ, ଶ୍ରମିକ ସଂଗଠନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ବାରମ୍ବାର ବୈଠକ ବସିଛି । ହେଲେ ବୈଠକରେ ସମସ୍ତ ସର୍ତ୍ତ ମାନିବାକୁ ରାଜି ହୋଇ ବାସ୍ତବରେ ଶ୍ରମିକଙ୍କୁ ଠକି ଚାଲିଛି କମ୍ପାନୀ । ଏନେଇ ଆସନ୍ତା ୨୯ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯିବାକୁ ମିଳିତ ଶ୍ରମିକ ସଂଗଠନର ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେପଟେ ଏ ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ସୂଚନା ନଥିବା ଜିଲ୍ଲାପାଳ ମନ୍ତବ୍ୟ ଦେବା ନିଆଁରେ ଘିଅ ଢାଳିବା ଭଳି ସ୍ଥିତି ସୃଷ୍ଟି କରିଛି। ଠକୁଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ସହଯୋଗ କରୁଛି ଜିଲ୍ଲା ପ୍ରଶାସନ । ପାରିବାରିକ ସ୍ଥିତି ବିଗୁଡୁଥିବାରୁ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି ଶ୍ରମିକ ।

ଜେଲରୁ ମୁକୁଳିଲେ ୧୪ ଜଣ ଆଜୀବନ ସଜା କାଟୁଥିବା କଏଦୀ

ଭୁବନେଶ୍ବର : ସମ୍ବିଧାନ ଦିବସ ଅବସରରେ ଜେଲରୁ ମୁକୁଳିଲେ ୧୪ ଜଣ ଆଜୀବନ ସଜା କାଟୁଥିବା କଏଦୀ । ହତ୍ୟା, ଦୁଷ୍କର୍ମ, ଡକାୟତି ଭଳି ସଂଗୀନ ଅଭିଯୋଗରେ ଆଜୀବନ ସଜା କାଟୁଥିବା ଏହି କଏଦୀଙ୍କୁ ଆଜି ଛାଡିଦିଆଯାଇଛି । ଯେଉଁଥିରେ ରାଉଲକେଲାରୁ ୨ ଜଣ, ଜାମୁଝରି ଜେଲରୁ ୩, କୋରାପୁଟ ଜେଲରୁ ୪ ଜଣ, ସମ୍ବଲପୁର, ଭୁବନେଶ୍ୱର ଓ ଫୁଲବାଣୀ, ବଣାଇଗଡ଼ ଓ ଦେବଗଡ଼ରୁ ଜଣେ ଲେଖା କଏଦୀ ଜେଲରୁ ମୁକୁଳିଛନ୍ତି । ଜେଲରେ କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ଜେଲ ବିଭାଗ ଏମାନଙ୍କ ମୁକ୍ତି ଲାଗି ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସୁପାରିସ କରିଥିଲା । ଏହି କଏଦୀଙ୍କୁ ମୁକୁଳାଇବା ପାଇଁ ରାଜ୍ୟ ସରକାରଙ୍କଠୁ ଅନୁମୋଦନ ମିଳିବା ପରେ ଏହି କଏଦୀମାନେ ଆଜି ମୁକ୍ତିର ସ୍ବାଦ ଚାଖିଛନ୍ତି ।  ସେପଟେ BNS-୪୭୯ ଦଫାରେ ୧୦ ଜଣ ବିଚାରାଧୀନ କଏଦୀଙ୍କୁ ମଧ୍ୟ ଜେଲରୁ ଜାମିନ ଦିଆଯାଇଛି ।  ଯେଉଁଥିରେ ଭୁବନେଶ୍ୱରରୁ ୯ ଜଣ ଜଗତସିଂହପୁରରୁ ଜଣେ କଏଦୀ ସାମିଲ ଅଛନ୍ତି । ଏମାନେ ନିଜ ସଜାର ଏକ ତୃତୀୟାଂଶ ଅବଧି ଜେଲରେ କାଟିସାରିଛନ୍ତି । ସେହିପରି ଅନୁଗୁଳ, ରାଉରକେଲା ଓ ପାଟଣାଗଡ଼ରୁ ଜଣେ ଲେଖାଏଁ କଏଦୀଙ୍କୁ ଛାଡିବା ପାଇଁ ସୁପାରିଶ ହୋଇଛି ।

ବିପର୍ଯ୍ୟୟ ସ୍କୁଲ ବ୍ୟବସ୍ଥା : ପାଠପଢ଼ା ଛାଡ଼ି ବାହାରେ ବୁଲୁଛନ୍ତି ପିଲା

ଆସିକା : ସ୍କୁଲରେ ପାଠପଢ଼ା ସମୟରେ ବାହାରେ ବୁଲୁଛନ୍ତି ପିଲା । ଆଉ କିଛି ପିଲା ସ୍କୁଲ ପାଖ ପୋଖରୀ ହୁଡ଼ାରେ ବସି ଗପସପ୍ କରୁଛନ୍ତି । ସେପଟେ କ୍ଲାସ ରୁମରେ ମଧ୍ୟ ପିଲାମାନେ ଡିଆଁଡିଇଁ, ହୋ ହଲ୍ଲା କରୁଛନ୍ତି । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ହରିପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ । ସ୍କୁଲରେ ଶୌଳାଚଳୟ ନଥିବା ବେଳେ ପାଚେରୀ ନଥିବାରୁ ପିଲାମାନେ ବାହାରେ ବୁଲୁଛନ୍ତି । ଏହି ସ୍କୁଲରେ ପାଠପଢ଼ା ପାଇଁ ୧୩ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ମାତ୍ର ୩ରୁ ୪ଜଣ ଶିକ୍ଷକ ଆସି ଦାୟିତ୍ଵ ତୁଲାଉ ଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି ।  ଶିକ୍ଷକମାନେ ସ୍କୁଲ ଆସୁନଥିବାରୁ ପାଠ ପଢ଼ା ହେଉନାହିଁ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ସେପଟେ ପିଲାଙ୍କ ଭବିଷ୍ଯତ ନେଇ ଚିନ୍ତାରେ ଅଭିଭାବକ ।

ରାଜ୍ୟରେ ସରକାର ପରିବର୍ତ୍ତନ ପରେ ବିପର୍ଯ୍ୟସ୍ତ ହୋଇ ପଡିଛି ଶିକ୍ଷା ବ୍ୟବସ୍ଥା l ସ୍କୁଲରେ ଶିକ୍ଷକ କ୍ଲାସ ସମୟରେ ଧ୍ଯାନ ଦେଉନଥିବାରୁ ଢିଲା ହୋଇଛି ପାଠପଢ଼ା । ଯାହା ଧରାକୋଟ ବ୍ଲକର ହରିପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୩୦ଜଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୧୩ଜଣ ଶିକ୍ଷକ ରହିଛନ୍ତି । ବାକି ଶିକ୍ଷକ କୁଆଡ଼େ ଗଲେ ବୋଲି ଉଠିଛି ପ୍ରଶ୍ନ । ସେପଟେ ୨ଜଣ ଶିକ୍ଷକ ତାଲିମରେ ଯାଇଥିବା, ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ କହିଥିବା ବେଳେ ୫ଜଣ ଶିକ୍ଷକ ତାଲିମ ଯାଇଥିବା କହୁଛନ୍ତି ଧରାକୋଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ । କଥାରେ ତାଳମେଳ ରହୁ ନଥିବାରୁ ପିଲାଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି । ହରିପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ାରେ ଅବହେଳା ହେଉଥିବା ବେଳେ । ପ୍ରଧାନ ଶିକ୍ଷୟତ୍ରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କଥାରେ ତଳ ମେଳ ରହୁନାହିଁ l ନିଯୁକ୍ତି ପାଇ ଦାୟିତ୍ଵ ତୁଲାଉନଥିବା ଶିକ୍ଷକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଗାଁକୁ ନାହିଁ ରାସ୍ତା, ଜମି ହୁଡ଼ାରେ ଯାତାୟତ କରୁଛନ୍ତି ଲୋକେ

ଗଜପତି : ରାସ୍ତା ନଥିବାରୁ ସାତସପନ ପାଲଟିଛି ଗାଁର ବିକାଶ । ଚାଷ କ୍ଷେତ ମଧ୍ୟରେ ଓଣ ଓସାରିଆ କଚ୍ଚା ପାଦଚଲା ରାସ୍ତାରେ ଯାତାୟତ କରୁଛନ୍ତି ଲୋକେ । ଏକ ପ୍ରକାର ଅଭିଶପ୍ତ ଜୀବନ ବିତାଉଛନ୍ତି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଘୁରୁଣି ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗାଁ ଲୋକେ। ରାଜସ୍ଵ ଗ୍ରାମ ହୋଇଥିଲେ ମଧ୍ୟ ଦୀର୍ଘ ଦିନର ଦାବି ପରେ ଗାଁକୁ ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ । ରାସ୍ତା ନଥିବାରୁ ଜମି ହୁଡ଼ା ହିଁ ଯାତାୟତର ଏକମାତ୍ର ମାଧ୍ୟମ ପାଲଟିଛି । ବର୍ଷାଦିନେ ଗ୍ରାମବାସୀଙ୍କ ସମସ୍ୟା ବଢ଼ିଯାଏ। ରୋଗୀ ଚିକିତ୍ସା ପାଇଁ, ଗର୍ଭବତୀଙ୍କୁ ହସ୍ପିଟାଲ ନେବାକୁ ଅବା ପଞ୍ଚାୟତ ତଥା ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ହେଲେ ଏହି ଜମି ହୁଡ଼ାରେ ଏକ କିଲୋଟମିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାଯାଏ ଯିବାକୁ ପଡ଼େ । ବର୍ଷା ଦିନେ ଛାତ୍ରଛାତ୍ରୀଙ୍କୁ ପାଖ ଗାଁ ସ୍କୁଲକୁ ଯିବା ଏକପ୍ରକାର ଠପ୍ ହୋଇଯାଏ । ବାରମ୍ବାର ଅଭିଯୋଗ ପରେ ପ୍ରଶାସନର ଅବହେଳା ପାଇଁ ଏଯାଏଁ ରାସ୍ତା ନିର୍ମାଣ ହୋଇ ପାରିନାହିଁ ରାସ୍ତା। ଫଳରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ ।

ଲକ୍ଷ୍ମୀପୁର ଗାଁର ରାସ୍ତାକୁ ଅବରୋଧ କରି ଘେରି ରହିଥିବା ଚାଷ ଜମି । ଯାହା ରାସ୍ତା ନିର୍ମାଣର ବାଧକ ସାଜିଛି । ଅଧିକାଂଶ ଜମି ଛତ୍ରପୁର ଗ୍ରାମବାସୀଙ୍କ ହୋଇଥିବା ବେଳେ ଅଳ୍ପ କିଛି ଜମି ଲକ୍ଷ୍ମୀପୁର ଗ୍ରାମବାସୀଙ୍କର । ରାସ୍ତା ନିର୍ମାଣ ପାଇଁ ଜମି ମାଲିକ ଜମି ଛାଡୁ ନଥିବା ବେଳେ ସମାଧାନ ପାଇଁ ପ୍ରସାସନିକ ସ୍ତରେ କୌଣସି ଉଦ୍ୟମ ହେଉନାହିଁ। ଫଳରେ ଗାଁକୁ ରାସ୍ତା ନିର୍ମାଣ ସମ୍ଭବପର ହୋଇପାରିନାହିଁ । ଏହାର ସମାଧାନ ନିମନ୍ତେ ବ୍ଲକ ପ୍ରଶାସନ ତଥା ଜନ ପ୍ରତିନିଧି ହସ୍ତକ୍ଷେପ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ସେପଟେ ନୂତନ ଭାବେ ଦାୟିତ୍ଵ ନେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଦ୍ୟମ କରିବେ ବୋଲି କହିଛନ୍ତି । ଗାଁକୁ ରାସ୍ତା ନଥିବାରୁ ଗାଁର ବିକାଶ ସାତସପନ ପାଲଟିଛି । ବିଭିନ୍ନ ସ୍ତରରେ ଉଦ୍ୟମ କରି ଲକ୍ଷ୍ମୀପୁରବାସୀ ହାର ମାନିନେଇଥିବା ବେଳେ ପ୍ରଶାସନ କେବେ ଦୃଷ୍ଟି ଦେଉଛି, କେବେ ରାସ୍ତା ନିର୍ମାଣ ହୋଇପାରୁଛି, ତାକୁ ଦେଖିବାକୁ ବାକିରହିଲା ।

ଜମିପଟ୍ଟା ପାଇଁ ହଜାର ହଜାର ଟଙ୍କା ମାଗୁଛନ୍ତି ଆରଆଇ !

ମାଥିଲି : କୁକୁଡା ଦେଲେ ପଟ୍ଟା ଦେବି ! ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରାଜସ୍ବ ନିରୀକ୍ଷକଙ୍କ ବିରୋଧରେ ଆସିଛି ଏମିତି ଅଭିଯୋଗ  । କୁକୁଡା ସହ ମୋଟା ଅଙ୍କ ବି ଦାବି କରୁଛନ୍ତି ଆରଆଇ । ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ନିରିହ ଆଦିବାସୀ  । ଜମିପଟ୍ଟା ନାଁରେ ନିରୀହ ଆଦିବାସୀଙ୍କୁ ଲୁଟ କରୁଛନ୍ତି ରାଜସ୍ବ ନିରୀକ୍ଷକ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲି ଓ ମହୁପଦର ଅଞ୍ଚଳର ୯୦ ଜଣ ଆଦିବାସୀ ଏଭଳି ଅଭିଯୋଗ କରିଛନ୍ତି। କାହାକୁ କୁକୁଡା ମାଗୁଛନ୍ତି ତ କାହାକୁ ମୋଟ ଅଙ୍କର ଲାଞ୍ଚ ମାଗୁଛନ୍ତି। ୪୦ ରୁ ୫୦ ହଜାର ଟଙ୍କା ଦାବି କରୁଛନ୍ତି ଆରଆଇ । ମାଓପ୍ରବଣ ଅଂଚଳର ଲୋକଙ୍କୁ ବିଶ୍ବାସ ଜନ୍ମାଇ ଜମିପଟ୍ଟା, ଘରଡିହ ପଟ୍ଟା, ଜମି ଭାଗବଣ୍ଟା ଓ ଜଙ୍ଗଲ ଜମି ପଟ୍ଟା ଦେବାକୁ କହି ପ୍ରତି ଲୋକଙ୍କ ଠାରୁ ୪୦ ରୁ ୫୦ ହଜାର ଟଙ୍କା ଆଦାୟ କରିଛନ୍ତି ମହୁପଦର ଆରଆଇ କାହ୍ନୁ ଚରଣ ସ୍ବାଇଁ । ଆରଆଇଙ୍କ ଏଭଳି ନିର୍ଯ୍ଯାତନା ବିରୋଧରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି ଦୁଇ ପଞ୍ଚାୟତ ଲୋକେ ।

ପୂର୍ବରୁ ମାଓବାଦୀଙ୍କ ଦଖଲରେ ଥିଲା କମାରପାଲି ଓ ମହୁପଦର । ଧିରେ ଧିରେ ସୁରକ୍ଷା ବାହିନୀର ହସ୍ତକ୍ଷେପ ପରେ ମୁଖ୍ଯସ୍ରୋତରେ ସାମିଲ ହୋଇଛନ୍ତି ଲୋକେ। ଲୋକଙ୍କ ପାଖରେ ପହଁଚିଛି ବିକାଶ। ହେଲେ ଆଦିବାସୀ ଲୋକଙ୍କ ସରଳତାର ସୁଯୋଗ ନେଇ ସରକାରୀ ଅଧିକାରୀ ସେମାନଙ୍କୁ ଲୁଟ କରିବା ଆରମ୍ଭ କରିଦେଇଛନ୍ତି। ଉପାନ୍ତ ଅଞ୍ଚଳର ଡଙ୍ଗରିଗୁଡା, ଗଲିଆଗୁଡା, କୋସ୍ରାଭଟ୍ଟା, ଗୁରୁଗୁଡା , ମହୁପଦର, ପେମ୍ରାଗୁଡା, ମୁଣ୍ତାଗୁଡା, କମାରପାଲି, ଚେରକୋପା ପ୍ରମୁଖ ଗାଁ ଲୋକେ ରାଜସ୍ବ ନିରୀକ୍ଷକଙ୍କୁ ଲକ୍ଷାଧିକ ଟଙ୍କା ଦେଇଛନ୍ତି । ଏବେ ଅଭିଯୋଗ ମିଳିବା ପରେ ମାଥିଲି ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜମିପଟ୍ଟା ବାବଦରେ ନେଇଥିବା ଅର୍ଥ ଫେରସ୍ତ ସହ ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛି ମାଲକାନଗିରି ଜିଲା ଆଦିବାସୀ ସଂଘ ।

ବିରଜା ପ୍ରକଳ୍ପ ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଣବ,କହିଲେ ସରକାର ଆଗ କାମ କରନ୍ତୁ

ଭୁବନେଶ୍ବର : ବିରଜା ମନ୍ଦିର ପ୍ରକଳ୍ପ କାମ ତ୍ବରାନ୍ବିତ କରିବାକୁ ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । କାମ ନହେଲା ପର୍ଯ୍ୟନ୍ତ କିଛି କହିବି ନାହିଁ । କହିବା ଓ କରିବାରେ ବହୁତ ଫରକ ଅଛି । ନବୀନ ସରକାର କେବଳ କାମରେ ବିଶ୍ବାସ କରନ୍ତି । ରାଜ୍ଯ ସରକାର କାମ କରି ଦେଖାନ୍ତୁ ତାପରେ ମୁଁ ମୋ ପ୍ରତିକ୍ରିୟା ରଖିବି ବୋଲି ସେ କହିଛନ୍ତି। ସେହିଭଳି କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସେ କହିଛନ୍ତି ଯେ, ମୁଁ ଭାବୁଥିଲି ମୋର ଆଉ ଦୁଇ ଭାଇ ଅଛନ୍ତି ସେମାନେ କେବେ ଗିରଫ ହେବେ। ଭାରତ ବର୍ଷରେ ଏବେ ତଦନ୍ତକାରୀ ସଂସ୍ଥା ନିକଟରେ ଆପଣଙ୍କୁ ଆପଣଙ୍କର ସତୀତ୍ବ ପରିକ୍ଷା ଦେବାକୁ ପଡିବ। କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରି ସେ କହିଛନ୍ତି, ସବୁ ସତ ପଦାକୁ ଆସୁ, ଲୋକେ ଜାଣନ୍ତୁ ପ୍ରକୃତ ସତ।

ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ଚାଷୀ

ବରଗଡ଼ : ବରଗଡ଼ ଜିଲ୍ଲାପାଳ ଅଫିସ ଘେରିଲେ ଜୟକିଶାନ ଆନ୍ଦୋଳନର ଶତାଧିକ ଚାଷୀ। ଜୟକିଶାନ ଆନ୍ଦୋଳନର ଶତାଧିକ ଚାଷୀ ବରଗଡ଼ ଜିଲ୍ଲାପାଳ ଅଫିସ୍ ଘେରିବା ସହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାରି ବର୍ଷ ତଳେ ୩ କଳା କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଦୀର୍ଘ ୧୩ ମାସ ଧରି କୃଷକ ଆନ୍ଦୋଳନ ହୋଇଥିଲା। ଦୀର୍ଘ ମାସର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩  କଳା କୃଷି ଆଇନକୁ ରଦ୍ଦ ପାଇଁ ଘୋଷଣା କରିଥିଲେ। ସଂଯୁକ୍ତ କୃଷକ ମୋର୍ଚ୍ଚlର ଦାବି ଗୁଡିକୁ ପାଳନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସେହି ଦାବି ଗୁଡିକୁ ପାଳନ ନକରି କୃଷକମାନଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି ଚାଷୀ। ଏହାସହ ଗ୍ରେନ ଅନାଲାଇଜର ମେସିନ୍ ନାଁରେ ଚାଷୀଙ୍କୁ ହଇରାଣ ନକରି ଧାନ କିଣା ବିକ୍ରି ପ୍ରକ୍ରିୟା ଠିକ୍ କରିବାକୁ ଦାବି କରିଛନ୍ତି। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ୩ଶହ ୟୁନିଟ ବିଜୁଳି ଦାବି ପୂରଣ ନହେଲେ ଆଗମୀ ଦିନରେ ପୁଣିଥରେ ଆନ୍ଦୋଳନ ହେବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଗଭୀର ଅବପାତରେ ପରିଣତ ହେଲା ଅବପାତ, ୨୯ ତାରିଖ ମଧ୍ୟରେ ଉପକୂଳ ଛୁଇଁବ ବାତ୍ୟା !

ଭୁବନେଶ୍ବର : ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ । ବର୍ତ୍ତମାନ ଗଭୀର ଅବପାତଟି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟାର ନାଁ ଫେଙ୍ଗାଲ ରହିଥିବା ବେଳେ ଏହାର ନାମକରଣ କରିଛି ସାଉଦି ଆରବ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଗଭୀର ଅବପାତ । ବର୍ତ୍ତମାନ ଅବପାତଟି ନାଗାପାଟନମ୍ ଠାରୁ ୫୯୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି । ୨୯ ତାରିଖ ମଧ୍ୟରେ ବାତ୍ୟାଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଆଇଏମଡି । ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । କିନ୍ତୁ ବାତ୍ୟା ପ୍ରଭାବରେ କୋହଲା ପାଗ ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ୨୮ ତାରିଖରୁ ୩୦ ନଭେମ୍ବରରେ ସାମୁଦ୍ରିକ ବାୟୁର ପ୍ରଭାବ ରହିବ । ଉପକୂଳ ଓ ଦକ୍ଷିଣ ଜିଲ୍ଲା ତଥା କିଛି ସଂଲଗ୍ନ ଜିଲ୍ଲା ଯଥା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡାର କିଛି କିଛି ଅଂଚଳମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ବର୍ଷା ପରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଶୀତ କମିବା ସହ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ସେହିଭଳି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ, କଳାହାଣ୍ଡି ଏବଂ କନ୍ଧମାଳରେ କୁହୁଡି ନେଇ ସତର୍କତା ଜାରି କରାଯାଇଛି ।  ବର୍ତ୍ତମାନ ଅଧିକାଂଶ ଜିଲ୍ଲାମାନଙ୍କରେ ଖରିଫ ଧାନ ଅମଳ କାର୍ଯ୍ୟକ୍ରମ ଚାଲୁଥିବାରୁ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ବେଆଇନ ଭାବେ ଗାଡ଼ିରୁ ଟଙ୍କା ଆଦାୟ ଅଭିଯୋଗରେ ୫ ଅଟକ

ପୁରୁଷୋତ୍ତମପୁର : ବ୍ରହ୍ମପୁର ୧୬ ନମ୍ଵର ଜାତୀୟ ରାଜପଥରେ ବେଆଇନ ଭାବେ ଗାଡ଼ିରୁ ଟଙ୍କା ଆଦାୟ ଅଭିଯୋଗରେ ୫ ଅଟକ। ସେମାନଙ୍କ ମଧ୍ୟରେ ଅଛନ୍ତି ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, କନିଷ୍ଠ ମୋଟରଯାନ ନୀରିକ୍ଷକଙ୍କ ସହ ତିନି ଦଲାଲ। ୨୦୨୨ ରୁ ବେଆଇନ ଭାବେ ଜାତୀୟ ରାଜପଥରେ ବିଭିନ୍ନ ଗାଡ଼ିକୁ ଅଟକାଇ ଟଙ୍କା ଆଦାୟ କରୁଥିଲେ। ଗୋଟିଏ ଗାଡ଼ି ପିଛା ଦୁଇ ଶହ ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲେ ଦଲାଲମାନେ। ବେଆଇନ ଭାବେ ଆଦାୟ ହୋଇଥିବା ଟଙ୍କାକୁ ଦଲାଲ ଓ ଅଧିକାରୀମାନେ ନିଜ ନିଜ ମଧ୍ୟରେ ବାଣ୍ଟି ନେଉଥିଲେ। ଟଙ୍କା ନେଣଦେଣ ସହ ଗାଡ଼ିର ସମସ୍ତ ତଥ୍ୟ ୱାଟସଆପରେ ଅପଡେଟ କରୁଥିଲେ। ଅଟକ ଏଆରଟିଓଙ୍କ ଘରେ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଘଟଣାକୁ ନେଇ ତଦନ୍ତ ଜାରି ଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ ।