spot_img
Home Blog Page 1304

୧୯ ଲକ୍ଷ ଟଙ୍କା ନକଲି ନୋଟ କାରବାର ଅଭିଯୋଗରେ ୩ ଗିରଫ

ବ୍ରହ୍ମପୁର: ନକଲି ନୋଟ କାରବାର ରାକେଟର ପର୍ଦ୍ଦାଫାଶ । ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ଠକି ୧୯ ଲକ୍ଷ ଟଙ୍କାର ନକଲି ନୋଟ ରଖି ସେହି ପରିମାଣର ଅସଲି ନୋଟ ନେଇ ଚମ୍ପଟ ମାରିଥିବା ଠକଙ୍କୁ କାବୁ କଲା ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ । ନକଲି ନୋଟ୍ କାରବାର ସଂପୃକ୍ତ ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ପି ଜଣେ ଅଭିଯୁକ୍ତ ଫେରାର୍ ଅଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ କଟକର ଅଜୟ ମହାପାତ୍ର, ବଟକୃଷ୍ଣ ପ୍ରଧାନ ଏବଂ ବ୍ରହ୍ମପୁରର ଶିବଶଙ୍କର ପଟ୍ଟନାୟକ । ପୂର୍ବ ଆଲୋଚନା ଅନୁଯାୟୀ ୬୦ ଲକ୍ଷ ଟଙ୍କାର ଝୁମର ପାଇଁ ପ୍ରଥମେ ୧୯ ଲକ୍ଷ ଟଙ୍କା ଦେବାକୁ ବ୍ରହ୍ମପୁରର ବ୍ୟବସାୟୀ ପ୍ରମୋଦ ସାହୁଙ୍କୁ  କହିଥିଲେ ଦଲାଲ । ପ୍ରମୋଦ ଟଙ୍କା ଦେବାକୁ କଟକର ୨ ଜଣ ବ୍ୟକ୍ତିଙ୍କୁ ନୂଆ ବସ୍‌ଷ୍ଟାଣ୍ଡ ନିକଟକୁ ଡାକିଥିଲେ । ସୁଯୋଗ ଦେଖି ଅଭିଯୁକ୍ତମାନେ ପ୍ରମୋଦଙ୍କ ଟ୍ରଙ୍କର ତାଲା ଖୋଲି  ଅସଲି ୧୯ ଲକ୍ଷ ବାହାର କରି ନକଲି ୧୯ ଲକ୍ଷ ଟଙ୍କାର କାଗଜ ନୋଟ ଭର୍ତ୍ତି କରି ଦେଇଥିଲେ । ଏହାପରେ ଅଭିଯୁକ୍ତମାନେ ପ୍ରମୋଦ ଏବଂ ତାଙ୍କ ସହଯୋଗୀଙ୍କୁ ଟ୍ରଙ୍କଟିକୁ ଅନ୍ୟ ଏକ ସ୍ଥାନକୁ ଆଣିବାକୁ କହିଥିଲେ । ଟ୍ରଙ୍କଟି ପୂର୍ବାପେକ୍ଷା ଓଜନିଆ ଲାଗିବାରୁ ପ୍ରମୋଦ ଓ ତାଙ୍କ ସହଯୋଗୀ ଯାଞ୍ଚ କରିବା ବେଳେ ସେଥିରୁ ନକଲି କାଗଜ ନୋଟ୍ ବାହାରିଥିଲା । ପ୍ରମୋଦ ବୈଦ୍ୟନାଥପୁର ଥାନାକୁ ଖବର ଦେଇ ଏନେଇ ଜଣାଇଥିଲେ ।

ବୈଦ୍ୟନାଥପୁର, ଗୋପାଳପୁର, ଗୋଳନ୍ଥରା ଓ ଛତ୍ରପୁର ଆଇଆଇସିଙ୍କୁ ନେଇ ଗଠିତି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୯ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

ବସ୍ ଓଲଟି ୧୦ ମୃତ, ୨୦ରୁ ଅଧିକ ଆହତ

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାଜ୍ଯ ପରିବହନ ବିଭାଗ ବସ୍ ଓଲଟି ୧୦ ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଚନ୍ତି । ବସଟି ନାଗପୁରରୁ ଗୋନ୍ଦିଆ ଯାଉଥିବାବେଳେ ଦୁର୍ଘଟଣା ଘଟିଛି ।

ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ଓଲଟି ପଡିଥିଲା । କ୍ରେନ ଜରିଆରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଆହତଙ୍କୁ ଗୋନ୍ଦିଆ ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୃନ୍ଦାବନ ତୋଳା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାକୁ ନେଇ ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଶୋକବ୍ଯକ୍ତ କରିଛନ୍ତି ।

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଡିଜିପି ସମ୍ମିଳନୀରେ ହେବେ ସାମିଲ

ଭୁବନେଶ୍ବର: ସ୍ବତନ୍ତ୍ର ବିମାନରେ ଆସି ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଆସି ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଓଡ଼ିଶାରେ ଚାଲିଥିବା ଡିଜିପି ସମ୍ମିଳନୀରେ ହେବେ ସାମିଲ । ଆଜି ପ୍ରଧାନମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆସନ୍ତାକାଲି ଡିଜିପି ଓ ଆଇଜିପି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଭୁବନେଶ୍ଵରରେ ଆରମ୍ଭ ହୋଇଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟ ପ୍ରମୁଖ ଯୋଗ ଦେଇଛନ୍ତି । ଏହାସହ ସମ୍ମିଳନୀରେ ବିଭିନ୍ନ ରାଜ୍ୟରୁ ଆସିଥିବା ପୋଲିସ ଡିଜି ଓ ଆଇଜି ସାମିଲ ହୋଇଛନ୍ତି । ସମ୍ମିଳନୀରେ ସିବିଆଇ ନିର୍ଦ୍ଦେଶକ, ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ପୋଲିସ ଏକାଡେ଼ମୀ ନିର୍ଦ୍ଦେଶକ ମଧ୍ୟ ସାମିଲ ହୋଇଛନ୍ତି । ଏହାସହ ବିଭିନ୍ନ ସୁରକ୍ଷା ସଂଗଠନର ମୁଖିଆମାନେ ମଧ୍ୟ ଯୋଗ ଦେଇଛନ୍ତି । ସେପଟେ କଡ଼ା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ଵର । ଡିଜିପି ସମ୍ମିଳନୀ ଲାଗି ରାଜଧାନୀ ଭୁବନେଶ୍ଵରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଟୋକନ ସମସ୍ୟାକୁ ନେଇ ଜିଲ୍ଲାପଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

ବରଗଡ଼: ବରଗଡ ଜିଲ୍ଲାରେ ଟୋକନ ସମସ୍ୟା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଜୟ କିସାନ ଆନ୍ଦୋଳନର ସଦସ୍ୟ ଏବଂ ଶତାଧିକ ଚାଷୀ । ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ ନହେଲେ ଚାଷୀ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଜିଲ୍ଲାରେ ଟୋକନ ସମସ୍ୟା ବଢିବାରେ ଲାଗିଛି । ଚାଷୀଙ୍କ ଜମି ତୁଳନାରେ ଠିକ ପରିମାଣରେ ଟୋକନ ଆସି ନଥିବା ବେଳେ ଅଧିକାଂଶ ଚାଷୀଙ୍କ ଧାନ ଅମଳ ହୋଇ ସାରିଛି । ହେଲେ ଜାନୁୟାରୀ ଶେଷ ଓ ଫେବୃଆରୀ ପ୍ରଥମରେ ଟୋକନ ଆସିଛି ।  ଯାହାକୁ ନେଇ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଅନ୍ୟପଟେ FAQ  ଧାନ ନାଁରେ ଚାଷୀଙ୍କଠାରୁ ଏକ ପ୍ରକାର ଲୁଟ କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଏନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ଟୋକନ ସମସ୍ୟାର ଶୀଘ୍ର ସମାଧାନ କରାଯାଉ ବୋଲି ଦାବି କରାଯାଇଛି । ଦାବି ପୂରଣ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ ବୋଲି ଖୋଲା ଚେତାବନୀ ଦେଇଛନ୍ତି ଚାଷୀ ।

ରାଜ୍ୟ ସରକାରଙ୍କ ଏକଛତ୍ରବାଦ ଶାସନ, ବିଧାୟକଙ୍କୁ ମିଳୁନି କ୍ବାର୍ଟର୍ସ !

ଭୁବନେଶ୍ବର: ବିଧାୟକଙ୍କୁ ମିଳୁନି କ୍ବାର୍ଟର୍ସ । ଗେଷ୍ଟ ହାଉସରେ ରହିବାକୁ ହେଉଥିଲେ ବାଧ୍ୟ । ଏବେ ଡିଜିପି ସମ୍ମିଳନୀ ଆରମ୍ଭ ହୋଇଥିବାରୁ ସେମାନଙ୍କୁ ଗେଷ୍ଟ ହାଉସରୁ ବି କାଢ଼ି ଦିଆଗଲା । ଯାହାକୁ ନେଇ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଏତାଦୃଶ୍ୟ କାମକୁ ନେଇ ବର୍ଷିଛନ୍ତି ବିଧାୟକ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି । ରାଜ୍ୟ ସରକାର ବିଧାୟକମାନଙ୍କୁ ଅଣଦେଖା କରୁଛନ୍ତି । ବିଧାୟକ ହେବାର ୫ ମାସ ହେଲାଣି ଘର ଯୋଗାଇ ଦେଲେ ନାହିଁ ରାଜ୍ଯ ସରକାର । ଆମେ ଆମ ଠିକଣା ଖୋଜୁଛୁ । କେତେବେଳେ ଅତିଥି ଭବନ ତ କେତେବେଳେ ହୋଟେଲ ହୋଇଛି ଆମର ଠିକଣା l ଆମକୁ ଲୋକଙ୍କ ସହ ମିଶିବାରେ ଅସୁବିଧା ହେଉଛି l ଏହା ଠିକ୍ ନୁହେଁ l ଯଦି ଜନ ପ୍ରତିନିଧିମାନେ ଏତେ ଅସୁବିଧାରେ ଅଛନ୍ତି, ତେବେ ଲୋକେ କିପରି ଥିବେ ଅନୁମାନ କରନ୍ତୁ ବୋଲି ସମାଲୋଚନା କରି କହିଛନ୍ତି ରାମଚନ୍ଦ୍ର ।

ସେହିପରି କଂଗ୍ରେସର ଅନ୍ଯତମ ବିଧାୟକ ସାଗର ଦାସ କହିଛନ୍ତି, ଡିଜିପି ସମ୍ମିଳନୀରେ ବିଜେପି ତାହାର ଦଳୀୟ ପ୍ରଚାର କରୁଛି l କର୍ପୋରେଟ ଷ୍ଟାଇଲରେ ସରକାର ଚଳାଉଛନ୍ତି ଓ ଦଳୀୟ ପ୍ରଚାର କରୁଛନ୍ତି l ବିଧାୟକମାନଙ୍କୁ ବହୁତ ହଇରାଣ କରୁଛନ୍ତି l ଜନ ପ୍ରତିନିଧିମାନଙ୍କୁ ହଇରାଣ କରାଯାଉଛି l ସରକାରୀ କ୍ବାର୍ଟର୍ସ ଦେଉନାହାନ୍ତି l

ସେହିପରି ନିର୍ବାଚିତ ଜନ ପ୍ରତିନିଧିଙ୍କୁ ରାଜ୍ୟ ସରକାର ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ବିଧାୟକଙ୍କ ଠିକଣା କ’ଣ ତାହା କାହାକୁ ଜଣାନାହିଁ l ବହୁତ ଅସୁବିଧାରେ ବିଧାୟକମାନେ ଏ ଜାଗାରୁ ସେ ଜାଗାକୁ ସ୍ଥାନାନ୍ତରିତ ହେଉଛନ୍ତି l ସରକାରୀ କ୍ବାର୍ଟର୍ସ ନମିଳିବାରୁ ଲୋକଙ୍କୁ ଭେଟିବାରେ ଅସୁବିଧା ହେଉଛି ବୋଲି କହିଛନ୍ତି ସାରଦା ।

ହେଲେ ବିଜେପି ପକ୍ଷରୁ ଅଜବ ଦୃଷ୍ଟି ଉପସ୍ଥାପନ କରାଯାଇଛି । ବିଜେପି ବିଧାୟକ ମନୋରଞ୍ଜନ ଦ୍ଯାନ ସମାନ୍ତରାୟ କହିଛନ୍ତି, ଡିଜିପି ସମ୍ମିଳନୀ ପରି ଦେଶର ଏକ ବଡ଼ ବୈଠକ ଓଡ଼ିଶାରେ ହେଉଛି, ତେଣୁ ଟିକେ ଅସୁବିଧା ହେବ ।

ସମ୍ଭଲ ସ୍ଥିତି ଅସମ୍ଭାଳ : ଶାହି ଜାମା ମସଜିଦ ଅଞ୍ଚଳରେ ଶୁକ୍ରବାର ପ୍ରାର୍ଥନାକୁ ନେଇ ପଥରମାଡ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ସମ୍ଭଲ ହିଂସା ମାମଲା। ଶାହି ଜାମା ମସଜିଦ ସର୍ଭେ ଲାଗି ଶାହି ଇଦଗା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ନହେବା ଯାଏ ନିମ୍ନକୋର୍ଟରେ କୌଣସି ଶୁଣାଣି ହୋଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସେପଟେ ଆଜି ବିଭିନ୍ନ ସ୍ଥାନରେ ହୋଇଛି ପଥରମାଡ। ସ୍ଥିତି ନିୟନ୍ତ୍ରଣ ରଖିବାକୁ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ସଶସ୍ତ୍ର ପୋଲିସ। ସମ୍ଭଲସ୍ଥିତ ଶାହି ଜାମା ମସଜିଦର ସର୍ଭେକୁ ନେଇ କିଛି ଦିନ ଧରି ଉତ୍ତେଜନା ଜାରି ରହିଛି। ଆଜି ଚାନ୍ଦାଉସି କୋର୍ଟରେ ମସଜିଦ ସର୍ଭେ ରିପୋର୍ଟ ଦାଖଲ ହୋଇପାରିନାହିଁ। ଶୁକ୍ରବାର ପ୍ରାର୍ଥନା ନେଇ ଉତ୍ତେଜନା ବୃଦ୍ଧି ପାଇଛି।

ସର୍ଭେ ବେଳେ ସୃଷ୍ଟି ହୋଇଥିବା ହିଂସାରେ ୪ ଜଣଙ୍କ ମୃତ୍ଯୁ ଓ ଅନେକ ପୋଲିସ ଅଧିକାରୀ ଆହତ ହେବା ଘଟଣା ପରେ ଥମୁନି ଉତ୍ତେଜନା। ଜାମା ମସଜିଦ ବନାମ ହରିହର ମନ୍ଦିର ଘଟଣାକୁ ନେଇ ଏବେ ତୀବ୍ର ଉତ୍ତେଜନା ଜାରି ରହିଛି। ବିଭିନ୍ନ ସ୍ଥାନରେ ୧୫ କମ୍ପାନୀ ନିରାପତ୍ତା ବାହିନୀ ମୁତୟନ କରାଯାଇଛି। ସାରା ସମ୍ଭଲକୁ ୫୫ ସେକ୍ଟରରେ ବିଭକ୍ତ କରାଯାଇ ଏହାର ଆଇନ ଶୃଙ୍ଖଳା ଲାଗି ବିଭିନ୍ନ ଟିମକୁ ଦାୟିତ୍ବ ଦିଆଯାଇଛି। ଡ୍ରୋନ ଜରିଆରେ ସ୍ଥିତି ଉପରେ ସଜାଗ ନଜର ରଖାଯାଇଛି।

ଆରମ୍ଭ ହେଲା ଡିଜିପି ସମ୍ମିଳନୀ : ଯୋଗଦେଲେ ଅମିତ ଶାହ ଓ ଅଜିତ ଡୋଭାଲ

ଭୁବନେଶ୍ଵର : ଭୁବନେଶ୍ଵରରେ ଆରମ୍ଭ ହେଲା ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସ୍ଵତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ । ଭୁବନେଶ୍ଵରରେ ପହଞ୍ଚିବାପରେ ସେ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଆଜିଠାରୁ ୩ ଦିନ ବ୍ୟାପୀ ଡିଜିପି ସମ୍ମିଳନୀ ଚାଲିବ । ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟ ପ୍ରମୁଖ ଯୋଗ ଦେଇଛନ୍ତି। ଏହାସହ ସମ୍ମିଳନୀରେ ବିଭିନ୍ନ ରାଜ୍ୟରୁ ଆସିଥିବା ପୋଲିସ ଡିଜି ଓ ଆଇଜି ସାମିଲ ହୋଇଛନ୍ତି। ସମ୍ମିଳନୀରେ ସିବିଆଇ ନିର୍ଦ୍ଦେଶକ, ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ପୋଲିସ ଏକାଡେ଼ମୀ ନିର୍ଦେଶକ ମଧ୍ୟ ସାମିଲ ହୋଇଛନ୍ତି। ଏହା ସହ ବିଭିନ୍ନ ସୁରକ୍ଷା ସଂଗଠନର ମୁଖିଆ ମାନେ ମଧ୍ୟ ଯୋଗ ଦେଇଛନ୍ତି। ସେପଟେ କଡ଼ା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ଵର । ଡିଜିପି ସମ୍ମିଳନୀ ଲାଗି ରାଜଧାନୀ ଭୁବନେଶ୍ଵରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଖଲ୍ଲିକୋଟରୁ ୭୩ଟି ଜିଏସଟି ବିହୀନ ରୁପା ଇଟା ଜବତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲିକୋଟ ପୋଲିସ ହାତରେ ଲାଗିଲା GST ବିହୀନ ରୁପା ଇଟା। କେଶପୁର ଛକ ଠାରେ ଖଲ୍ଲିକୋଟ ପୋଲିସ ଦ୍ବାରା ଗାଡ଼ି ଚେକିଂ ବେଳେ ଗୋଟିଏ କାରରୁ ୭୩ ଗୋଟି ରୁପା ଇଟା ସହିତ ନଗଦ ପାଞ୍ଚ ଲକ୍ଷ ୪୨ ହଜାର ୬୦୦ଟଙ୍କା ଜବତ ହୋଇଛି। ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କରି ଗୁଇନ୍ଦା ଟିମକୁ ହସ୍ତାନ୍ତର କରିଛି ଖଲ୍ଲିକୋଟ ପୋଲିସ। ରୁପା ଇଟାର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ବ୍ୟକ୍ତି ଦୁଇ ହେଲେ କୋଲକାତାର ଅରୂପ ଭୂୟାଁ ଓ ଭୁଦେବ ଚୌକ ପଶ୍ଚିମ ବଙ୍ଗ ଅଂଚଳର ଉଦୀପ ସାଙ୍କି। ଏହି ଦୁଇଜଣ କାରା ଯୋଗେ ବ୍ରହ୍ମପୁରରୁ କୋଲକାତା ଯାଉଥିବାବେଳେ ଧରିଥିଲା ଖଲ୍ଲିକୋଟ ପୋଲିସ

ରାଜ କୁନ୍ଦ୍ରାଙ୍କ ବାସଭବନରେ ଇଡି ରେଡ୍

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଜନେସମ୍ଯାନ ରାଜ କୁନ୍ଦ୍ରାଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ। ରାଜ କୁନ୍ଦ୍ରାଙ୍କ ସମେତ ଅନ୍ଯ କେତେକ ବ୍ଯକ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ବି ଇଡି ରେଡ କରିଛି। ମୁମ୍ବାଇ ଓ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଏହି ରେଡ ହୋଇଛି।

ପୂର୍ବରୁ ଆଇପିସିର ବିଭିନ୍ନ ଧାରା ଓ ସୂଚନା ପ୍ରଯୁକ୍ତି ଆଇନର ବିଭିନ୍ନ ଧାରା ଅନୁସାରେ ଗତ ଜୁଲାଇ ୨୦୨୧ରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ମୋବାଇଲ ଆପ୍ଲିକେସନ ଜରିଆରେ ପର୍ଣ୍ଣୋଗ୍ରାଫିକ କଣ୍ଟେଣ୍ଟର ପ୍ରଡକ୍ସନ ଓ ଡିଷ୍ଟ୍ରିବ୍ଯୁସନ ଜରିଆରେ ଅର୍ଥ ଚାଲାଣ ଅଭିଯୋଗ କ୍ରମେ ଏହି ରେଡ ହୋଇଛି। ଗତ ୨୦୨୧ରେ ବି ପର୍ଣ୍ଣୋଗ୍ରାଫିକ ପ୍ରଡକ୍ସନ ମାମଲାରେ ଇଡି ରେଡ କରିଥିଲା।

ଅଷ୍ଟ୍ରେଲିଆରେ କଡ଼ା ହେଲା ଆଇନ : ୧୬ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ସୋସିଆଲ ମିଡିଆ ମନା

ନନ୍ଦିଘୋଷ ବ୍ୟୁରୋ :  ଅଷ୍ଟ୍ରେଲିଆରେ ଏଣିକି ୧୬ ବର୍ଷରୁ କମ୍ ବୟସର ପିଲା ବ୍ଯବହାର କରିପାରିବେନି ଫେସବୁକ, ଇନଷ୍ଟାଗ୍ରାମ ଓ ଏକ୍ସ । ଅଷ୍ଟ୍ରେଲିଆ ସାଂସଦରେ ଗୃହୀତ ହୋଇଛି ଏହି ଐତିହାସିକ ପ୍ରସ୍ତାବ । ବିଶ୍ବରେ ପ୍ରଥମ ଥର ଲାଗି ଏହି ବ୍ଯାନ ସୋସିଆଲ ମିଡିଆ ଉପରେ ଲାଗିଛି । ଦେଶର ଉଭୟ ସଦନରେ ଏହି ବିଲ୍ ପାସ୍ ହେବା ଫଳରେ କମ୍ ବୟସର ପିଲାଙ୍କ ଆକାଉଣ୍ଟ ଖୋଲିବା ଏଣିକି ସମ୍ଭବ ହୋଇପାରିବ ନାହିଁ । ଯେଉଁ ପ୍ଲାଟଫର୍ମ ଏହି ନିୟମ ପାଳନରେ ବ୍ଯର୍ଥ ହେବେ ସେମାନଙ୍କ ଉପରେ ପ୍ରାୟ ୩୨.୬ ମିଲିୟନ ଡଲାରର ଜରିମାନା ବ୍ଯବସ୍ଥା କରାଯାଇଛି । ଏହି କଡା ବିଲ୍ ଗତ ବୁଧବାର ନିମ୍ନ ସଦନରେ ଓ ଗୁରୁବାର ଉଚ୍ଚ ସଦନରେ ଗୃହୀତ ହୋଇଥିଲା ।

ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ବିଲକୁ ନେଇ କେନ୍ଦ୍ରୀୟ-ବାମପନ୍ଥୀ ନେତା ତଥା ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାଲିଜ ବେଶ ଆଶାବାଦୀ ଅଛନ୍ତି । ପିଲାଙ୍କୁ ନୈତିକତା ଅଭିମୁଖୀ କରିବା ଲାଗି ସରକାର ଏହି ପଦକ୍ଷେପ ନେଇଥିବାବେଳେ କିଶୋରକିଶୋରୀଙ୍କଠାରୁ ବିରୋଧାଭାସ ଆସିଛି । ଟ୍ୟୁଟୋରିଆଲ, ଆର୍ଟ କ୍ଷେତ୍ରରେ ସେମାନେ କ୍ଷତିଗ୍ରସ୍ତ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଶିକ୍ଷା କ୍ଷେତ୍ରରେ ସୋସିଆଲ ମିଡିଆ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା ବୋଲି କହିଛନ୍ତି ଛାତ୍ରଛାତ୍ରୀ । ତେବେ ପିଲାମାନଙ୍କୁ ହ୍ବାଟସଆପ, ୟୁଟ୍ଯୁବ ଆଦି ବ୍ଯବହାର କରିବାରେ ପ୍ରତିବନ୍ଧକ ଲଗାଯାଇ ନପାରେ ବୋଲି ସୂଚନା ମିଳିଛି । ସ୍ପେନ, ଫ୍ଲୋରିଡା ଆଦି ଦେଶରେ ନାବାଳକ, ନାବାଳିକାଙ୍କ ଲାଗି ସୋସିଆଲ ମିଡିଆ ବ୍ଯାନ ଲାଗି ପ୍ରସ୍ତାବ ଦିଆଯାଇଥିବାବେଳେ ଚୀନରେ ଏକ ବିଚିତ୍ର ନିୟମ ରହିଛି । ୧୪ବର୍ଷରୁ କମ ବୟସର ପିଲାମାନେ ଦୋୟୁନି ପ୍ଲାଟଫର୍ମକୁ ଦିନରେ ସର୍ବାଧିକ ୪୦ ମିନଟ ବ୍ଯବହାର କରିବାର ପ୍ରାବଧାନ ରହିଛି । ଚୀନରେ ଅନଲାଇନ ଗେମିଂ ଉପରେ ବି ସୀମିତ କଟକଣା ରହିଛି ।