spot_img
Home Blog Page 12

ଗଛ ମୂଳେ ବସ୍‌କୁ ଅପେକ୍ଷା…

କଟକ: ମରାମତି ହେଉନି ଯାତ୍ରୀ ପ୍ରତୀକ୍ଷାଳୟ । ଗଛ ମୂଳେ ବସ୍‌କୁ ଅପେକ୍ଷା । ହଟୁନି ଜବରଦଖଲ । କଟକ ସହରର ଅନେକ ସ୍ଥାନରେ ଏହି ଅବସ୍ଥା ।  ଫଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଯାତ୍ରୀ ମାନେ ରାସ୍ତା କଡ଼ରେ ଖରାରେ ଓ ଗଛମୂଳେ ବସକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି । ସହରର ବଜ୍ରକବାଟି ନିକଟରେ ଥିବା ପ୍ରତୀକ୍ଷାଳୟର ଅବସ୍ଥା ତ ଅତିଶୋଚନୀୟ । ଏଠାରେ ଲାଗିଥିବା ବିଜ୍ଞାପନ ଫ୍ଲେକ୍ସଗୁଡ଼ିକ ଛିଡ଼ି ବାହାରି ଯାଇଥିବାବେଳେ ପ୍ରତୀକ୍ଷାଳୟର ସମ୍ମୁଖ ଭାଗରେ ଉଠା ଦୋକାନୀମାନେ ଜବରଦଖଲ କରି ବେପାର କରୁଛନ୍ତି । ସେହିଭଳି ଏସସିବି ମେଡ଼ିକାଲକୁ ପ୍ରତ୍ୟେକ ଦିନ ଦୂରଦୂରାନ୍ତରୁ ଅନେକ ରୋଗୀ ଚିକିତ୍ସା ହେବାକୁ ଆସୁଛନ୍ତି । ମେଡ଼ିକାଲ କାମ ସରିବା ପରେ ସେମାନଙ୍କୁ ରାସ୍ତା କଡ଼ରେ ଘଣ୍ଟାଘଣ୍ଟା ଛିଡ଼ା ହୋଇ ବସକୁ ଅପେକ୍ଷା କରିବାକୁ ପଡୁଛି । ଏପରି ଏକ ସମ୍ବେଦନଶୀଳ ଜାଗାରେ ପ୍ରଶାସନ ପକ୍ଷରୁ ଯାତ୍ରୀ ପ୍ରତୀକ୍ଷାଳୟ କରାଯିବାକୁ ସାଧାରଣରେ ଦାବି ହୋଇଛି ।

ଅନ୍ୟପଟେ ଓଏମ୍‌ପି ଗୋଲେଇ ଛକ ଏବଂ ମଧୁପାଟଣା ପରି ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ କୌଣସି ପ୍ରକାର ଯାତ୍ରୀ ପ୍ରତୀକ୍ଷାଳୟ ନଥିବା ଦେଖିବାକୁ ମିଳିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ସ୍ମାର୍ଟ ବସ୍ ଷ୍ଟପ୍ କାର୍ଯ୍ୟକାରୀ କରାଯାଇଥିବା କହିଛନ୍ତି ମେୟର । ଏହା କଟକ ସିଡ଼ିଏ ଅଞ୍ଚଳରୁ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଯେଉଁ ଯେଉଁ ବିଭାଗ ଏଥିପାଇଁ ଦାୟିତ୍ୱରେ ଅଛନ୍ତି ଏଥିପାଇଁ କିଛି ପଦକ୍ଷେପ ନେବେ ବୋଲି ଆଶା ରହିଛି । ଏ ସରକାର କେବଳ ପ୍ରଚାର ଅଭିଯାନର ସରକାର ବୋଲି କହିଛନ୍ତି ମେୟର ସୁବାଷ ସିଂ!

ଯାତ୍ରୀ ପ୍ରତୀକ୍ଷାଳୟକୁ ନେଇ ଏଭଳି ବେପରୁଆ ମନୋଭାବ ଓ ରକ୍ଷଣାବେକ୍ଷଣର ଅଭାବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି !

କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା ବିଶାଳ ଆପାର୍ଟମେଣ୍ଟ: କିନ୍ତୁ ଆଜି ଯାଏଁ ଫିଟିଲାନି ତାଲା !

ନନ୍ଦିଘୋଷ ବ୍ୟୁରୋ: ଜନସାଧାରଣଙ୍କ ଝାଳବୁହା ଟିକସ ପଇସାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଲା ବିଶାଳ ଆପାର୍ଟମେଣ୍ଟ । ହେଲେ ନିର୍ମାଣର ବର୍ଷ ବର୍ଷ ବିତିଯାଇଥିଲେ ବି ଆଜି ଯାଏଁ ଫିଟିଲାନି ତାଲା ! ଏଭଳି ଏକ ସାଂଘାତିକ ପ୍ରଶାସନିକ ଅବହେଳାର ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ୱର ପୌରପାଳିକା ଅଧୀନ କେତକୀପଡ଼ା ୨୯ ନମ୍ବର ୱାର୍ଡରୁ । ପୁରୁଣା ମ୍ୟୁନିସିପାଲିଟି କ୍ୱାର୍ଟର୍ସକୁ ଭାଙ୍ଗି ନିର୍ମାଣ କରାଯାଇଥିଲା ଏହି ନୂତନ ବିଲ୍ଡିଂ। ପୂର୍ବତନ ପୌର ଅଧ୍ୟକ୍ଷା ସୁଜାତା ପାଢ଼ୀଙ୍କ ସମୟରେ ପ୍ରାୟ ୨୦୧୮ ମସିହାରୁ ଆରମ୍ଭ ହୋଇଥିଲା ପ୍ରକଳ୍ପ କାର୍ଯ୍ୟ । ଆପାର୍ଟମେଣ୍ଟ ଢାଞ୍ଚାରେ ପ୍ରାୟ ୨୦ଟି ନୂଆ କ୍ୱାର୍ଟର୍ସ ନିର୍ମାଣ ହେଲା ସତ, କିନ୍ତୁ ଆଜି ପର୍ଯ୍ୟନ୍ତ ଏହା କାହାରି କାମରେ ଲାଗିପାରିଲା ନାହିଁ । କାହିଁକି ଏହା ବନ୍ଦ ହୋଇ ପଡ଼ିରହିଛି, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ। ରକ୍ଷଣାବେକ୍ଷଣ ଅଭାବରୁ କୋଠାର କବାଟ-ଝରକା ଭାଙ୍ଗିରୁଜି ଗଲାଣି ।  ଭିତରୁ ବିଭିନ୍ନ ମୂଲ୍ୟବାନ ଫିଟିଙ୍ଗ୍ସ ଚୋରି ହେବାରେ ଲାଗିଛି। ଏବେ ସରକାରୀ ଅର୍ଥ ଅପବ୍ୟୟ ବିରୋଧରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଜନସାଧାରଣଙ୍କ ଅର୍ଥରେ କୋଠା ତିଆରି ସରିଲା, କୋର୍ଟରୁ କଟକଣା ବି ହଟିଲା, ହେଲେ ଖୋଲିପାରୁନି ମ୍ୟୁନିସିପାଲିଟିର କୁମ୍ଭକର୍ଣ୍ଣ ନିଦ । ବାଲେଶ୍ବର ପୌରପାଳିକାର କଣ୍ଟ୍ରାକ୍ଟର ପୋଷିବା ଓ ପକେଟ୍ ଗରମ କରିବା ଆଭିମୁଖ୍ୟ ବୋଲି ଅଭିଯୋଗ ହୋଇଛି । ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏହାକୁ ଭଡ଼ା ସୂତ୍ରରେ ଲଗାଇବା କିମ୍ବା ବ୍ୟବହାରକ୍ଷମ କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନେଉନାହାନ୍ତି । କାଉନସିଲ୍ ବୈଠକରେ ଏହି ପ୍ରସଙ୍ଗ ବାରମ୍ବାର ଉଠିବା ସତ୍ତ୍ୱେ ବିଭାଗୀୟ ଅଧିକାରୀ କିମ୍ବା ଜନପ୍ରତିନିଧିମାନେ ଏହାକୁ ଗମ୍ଭୀରତାର ସହ ନେଉନଥିବା ଅଭିଯୋଗ ହୋଇଛି। ଖୁବ୍ ଶୀଘ୍ର ସର୍ବସାଧାରଣ ନୋଟିସ୍ ଜାରି କରି କୋଠାକୁ ଭଡ଼ା ସୂତ୍ରରେ ଦିଆଯିବ ବୋଲି ସଫେଇ ଦେଇଛନ୍ତି ପୌର ନିର୍ବାହୀ ଅଧିକାରୀ।

ଜନସାଧାରଣଙ୍କ ରାଜସ୍ୱରେ ତିଆରି ହୋଇଥିବା ସମ୍ପତ୍ତି ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ିରହିବା ନିଶ୍ଚିତ ଭାବେ ପ୍ରଶାସନିକ ଉଦାସୀନତାକୁ ଦର୍ଶାଉଛି।

‘ଅର୍ଣ୍ଣବ’ ନେଲାଣି ଭୟଙ୍କର ରୂପ !

ନନ୍ଦିଘୋଷ ବ୍ୟୁରୋ: ଉପକୂଳ ମୁହାଁ ହେଉଛି ଅତି ଭୀଷଣ ବାତ୍ୟା ଅର୍ଣ୍ଣବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଅତି ଭୀଷଣ ବାତ୍ୟା ବର୍ତ୍ତମାନ ବିଶାଖାପାଟଣା ଠାରୁ ଦକ୍ଷିଣ -ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୧୭୦ କିମି, କାକିନାଡ଼ାଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୧୪୦ କିମି, ମଛଲିପଟନମ ଠାରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ୨୩୦ କିମି, ଗୋପାଳପୁର ଠାରୁ ଦକ୍ଷିଣ ଦିଗରେ ୩୮୦ କିମି, ବାପଟଲା ଠାରୁ ପୂର୍ବ ଦିଗରେ ୩୦୦ କିଲୋମିଟର ଦୂରରେ ରହି ଉପକୂଳ ମୁହାଁ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା  ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ପ୍ରବଳ ସମ୍ଭାବନା ରହିଛି I ଏହା ପରେ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି I ଏହି ସମୟରେ ଏହା ଅତି ଭୀଷଣ ବାତ୍ୟା ରୂପେ ବାପଟଲା ଓ ବିଶାଖାପାଟଣା ମଧ୍ୟରେ, ବିଶେଷ କରି ୟାନାମ ନିକଟ ଦେଇ ଉପକୂଳ ଅତିକ୍ରମ କରିପାରେ। ଏହି ସମୟରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୨୫ ରୁ ୧୩୫ କିଲୋମିଟର ରହିପାରେ। ସେହିପରି ଝଟକା ପବନ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିପାରେ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି।

ଭୁଶୁଡ଼ିଲା ଝୁଲେନ ବ୍ରିଜ

ନନ୍ଦିଘୋଷ ବ୍ୟୁରୋ: ୯ ସେପ୍ଟେମ୍ବର, ୨୦୨୧ । ଭୁଶୁଡ଼ି ପଡ଼ିଲା ଝୁଲେନ ବ୍ରିଜ । ୨୫ ମେ, ୨୦୨୩ । ଆରମ୍ଭ ହେଲା ନୂଆ ବ୍ରିଜ କାମ । ଟେଣ୍ଡରକୁ ୩ ବର୍ଷ ବିତିଲାଣି । ଅଥଚ ବ୍ରିଜ କାମ ସଂପୂର୍ଣ୍ଣ ହୋଇପାରୁନି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଖର୍ଲା ନଦୀ ଉପରେ ଠିଆ ହୋଇଛି ଅଧାଗଢା ପିଲାର । ଦିନ ଥିଲା ଝୁଲେନ ବ୍ରିଜ କୁଚିଣ୍ଡା ସହରକୁ ଜମନକିରା, ଦେବଗଡ଼ ଓ ସମ୍ବଲପୁରକୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଥିଲା । ୨୦୨୧ରେ ବ୍ରିଜଟି ଭୁଶୁଡ଼ି ପଡ଼ିବା ପରେ ଯାତାୟାତ ସଂପୂର୍ଣ୍ଣ ଠପ ହୋଇଯାଇଛି । କୁଚିଣ୍ଡା ଏବଂ ଜମନକିରା ଅଞ୍ଚଳର ଲୋକଙ୍କୁ ଅଧିକ ବାଟ ବୁଲି ଯିବାକୁ ପଡୁଛି ।

ପୁରୁଣା ପୋଲ ସ୍ଥାନରେ ନୂତନ ପୋଲ ନିର୍ମାଣ ଚାଲିଛି । ୧୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ ବରାଦରେ କାମ ଚାଲିଛି । ହେଲେ ପ୍ରଶାସନିକ ଅବହେଳାରୁ କାମ ସରିବାର ନାଁ ଧରୁନି । ବାରମ୍ବାର ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା ଫଳ ଶୂନ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କହିଛନ୍ତି । ଗତବର୍ଷ ଅଧିକ ବର୍ଷା ହେବାରୁ କାମ ସଂପୂର୍ଣ୍ଣ ହୋଇପାରିନାହିଁ । ଯଥାଶୀଘ୍ର କାମ ଶେଷ କରାଯିବ ।

ମନ୍ତ୍ରୀଙ୍କ ପ୍ରତିଶୃତି କେବେ ବାସ୍ତବ ରୂପ ନେଉଛି ? କେବେ ନୂତନ ବ୍ରିଜର ସରୁଛି କାମ ? ତାହା ଦେଖିବାକୁ ବାକି ରହିଲା ।

ବଣ୍ଡାଘାଟିରେ ମିଳୁନି ପିଇବା ପାଣି

ନନ୍ଦିଘୋଷ ବ୍ୟୁରୋ: ଆଦିମ ଜନଜାତିଙ୍କୁ ମିଳୁନି ପିଇବା ପାଣି । ବଣ୍ଡାଘାଟିରେ ଉତ୍କଟ ପାନୀୟ ଜଳ ସଙ୍କଟ । ଭରସା ସାଜିଛି ନାଳ ପାଣି  । ଏ ହେଉଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅଣ୍ଡ୍ରାହାଲ ପଞ୍ଚାୟତ ଶିଶାସାହିର ଦୃଶ୍ୟ । ଗାଁରେ ନା ଅଛି ନଳକୂପ ନା ହେଉଛି ପାନୀୟ ଜଳ ଯୋଗାଣ । ଯେଉଁ ଦୁଇଟି ନଳକୂପ ରହିଛି ତାହା ଅଚଳ ହୋଇପଡ଼ିଛି । ବାଧ୍ୟ ହୋଇ ଏକ କିଲୋମିଟର ଦୂରରେ ଥିବା ନାଳରୁ ପାଣି ଆଣି ଚଳୁଛନ୍ତି ଲୋକେ । ଦୂଷିତ ପାଣି ବ୍ୟବହାର କରିବା ଦ୍ଵାରା ଅନେକ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି ।

ଅଣ୍ତ୍ରାହଲ ପଞ୍ଚାୟତ ଅଧୀନରେ ୪୧ଟି ନଳକୂପ, ୧୫ ସୋଲାର ପିଡବ୍ଲୁଏସଏସ ଏବଂ ୯ ଟି ଝରଣା ଜଳ ଯୋଗାଣ କରାଯାଇଛି । ହେଲେ ଅଧିକାଂଶ ନଳକୂପରୁ ପାଣି ବାହାରୁନି । ପାନୀୟ ଜଳ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା ଫଳ ଶୂନ । ଗୋଟିଏ ପଟେ ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ସରକାର ଅନେକ ଯୋଜନା ଓ ପଦକ୍ଷେପ ନେଉଛନ୍ତି । ଅନ୍ୟପଟେ ଶିଶାସାହିରେ ପିଇବା ପାଣି ପାଇଁ ଲୋକେ ଏବେ ବି ନାଳ ପାଣି ଉପରେ ନିର୍ଭରଶୀଳ । ଯାହା ସମସ୍ତ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଠିଆ କରିଛି ।…

କେବେ ପାନୀୟ ଜଳ ସମସ୍ୟାର ହେବ ସମାଧାନ ? କେବେ ଲୋକଙ୍କୁ ମିଳିବ ପିଇବା ପାଣି ?  ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ ।

କୋଟିଆ ବିବାଦ ପ୍ରସଙ୍ଗ; ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ରାଜନୀତି ନୁହେଁ, ସମାଧାନ ପାଇଁ ଅପିଲ! କୋଟିଆ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ନଦେଖି ସମାଧାନ ପାଇଁ ଗଠନମୂଳକ ପରାମର୍ଶ ଦେବାକୁ ସେ ନବୀନଙ୍କୁ ଆହ୍ୱାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିନଠାରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି। ରାଜ୍ୟର ଭୌଗୋଳିକ ଅଖଣ୍ଡତା ଓ ସୀମା ସୁରକ୍ଷା ପାଇଁ ବିଜେପି ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ। କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ରୋକିବା ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି, ଯାହା ବର୍ତ୍ତମାନ ବିଚାରାଧୀନ ରହିଛି। ସମସ୍ତ ପକ୍ଷ ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ।

କୋଟିଆ ଅଞ୍ଚଳର ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ ସାମାଜିକ-ଅର୍ଥନୈତିକ ଉନ୍ନତି ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯାହା ନିୟମିତ କ୍ଷେତ୍ର ଗସ୍ତ କରି ସମୀକ୍ଷା କରୁଛି।

ବ୍ୟବସ୍ଥା ଆଗରେ ହାର୍ ମାନିଲା ମାନବିକତା; ୭୦ କିମି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଲେ ଦିବ୍ୟାଙ୍ଗ ଛାତ୍ର

ନନ୍ଦିଘୋଷ ବ୍ୟୁରୋ: ବ୍ୟବସ୍ଥା ଆଗରେ ଆଜି ପୁଣି ଥରେ ହାର୍ ମାନିଛି ମାନବିକତା। ଜଣେ ଦୃଷ୍ଟିଶକ୍ତି ହରାଇଥିବା, ସିକିଲିଙ୍ଗ୍ ରୋଗରେ ପୀଡ଼ିତ ଏବଂ ହାତ ଭାଙ୍ଗିଯାଇଥିବା ଦିବ୍ୟାଙ୍ଗ ଛାତ୍ରଙ୍କୁ ସାଧାରଣ ସହଯୋଗ ଟିକିଏ ମଧ୍ୟ ମିଳିଲାନି। ଶେଷରେ କୌଣସି ଉପାୟ ନପାଇ ବାଧ୍ୟ ହୋଇ ଦୀର୍ଘ ୭୦ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ଚାଲିଚାଲି ଘରକୁ ଫେରିବାକୁ ଉଦ୍ୟମ କରିଛନ୍ତି ଏହି ଅସହାୟ ଛାତ୍ର। ରାୟଗଡ଼ା ଜିଲ୍ଲା ଗୁଣୁପୁର ନୂଆ ବସ୍‌ଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟବିଦାରକ ଏବଂ ଅତ୍ୟନ୍ତ ଦୁଃଖଦ ଦୃଶ୍ୟ।

ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ନାକାମାମୁଡ଼ି ପଞ୍ଚାୟତ ଜନ୍ତ୍ରୀ ଗ୍ରାମର ୨୧ ବର୍ଷୀୟ ଯୁବକ ପ୍ରକାଶ ମଣ୍ଡଳ। ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର +୩ କଳା ବିଭାଗର ଶେଷ ବର୍ଷର ଜଣେ ମେଧାବୀ ଦିବ୍ୟାଙ୍ଗ ଛାତ୍ର। ଗତ ଶନିବାର ସେ ଭୁବନେଶ୍ୱରରୁ ଜୁନାଗଡ଼ ଏକ୍ସପ୍ରେସ୍‌ ଯୋଗେ ନିଜ ଘରକୁ ଫେରୁଥିଲେ। ମାତ୍ର ଯାତ୍ରା ସମୟରେ ଟ୍ରେନ୍‌ ଭିତରୁ ତାଙ୍କର ବ୍ୟାଗ୍, ବହିପତ୍ର ଏବଂ ପରିଚୟପତ୍ର ସହ ସମସ୍ତ ଜିନିଷ ଚୋରି ହୋଇଯାଇଥିଲା।

ପଲାସା ଷ୍ଟେସନ୍‌ରେ ଟିକେଟ୍‌ ଯାଞ୍ଚ ସମୟରେ ପ୍ରକାଶଙ୍କ ପାଖରେ ଟିକେଟ୍ ନଥିବାରୁ, ଚେକିଂ କରୁଥିବା TTE ତାଙ୍କର କୌଣସି ଅସୁବିଧା ନଶୁଣି ନିର୍ଦ୍ଦୟ ଭାବେ ତାଙ୍କୁ RPF ପୋଲିସ୍‌ ହାତରେ ଟେକି ଦେଇଥିଲେ ଏବଂ ଟ୍ରେନ୍‌ରୁ ଓହ୍ଲାଇ ଦେଇଥିଲେ। ହାତରେ ଟଙ୍କାଟିଏ ନଥିବାରୁ ଏବଂ ସମସ୍ତ ସାମଗ୍ରୀ ହରାଇଥିବାରୁ ସେ ଘରକୁ ଫେରିବା ପାଇଁ ଷ୍ଟେସନରେ ଅନେକ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ହେଲେ କେହି ଜଣେ ହେଲେ ବି ସହାୟତାର ହାତ ବଢ଼ାଇନଥିଲେ। ନିରୁପାୟ ହୋଇ ସେହି ଦିବ୍ୟାଙ୍ଗ ଅବସ୍ଥାରେ ପଲାସାରୁ ପାଦରେ ଚାଲିଚାଲି ଗୁଣୁପୁର ଅଭିମୁଖେ ବାହାରିଥିଲେ।

ଗୋଟିଏ ପଟେ ସିକିଲସେଲ ରୋଗର ଯନ୍ତ୍ରଣା, ଅନ୍ୟପଟେ ଭଙ୍ଗା ହାତ ଓ କମ୍ ଦୃଷ୍ଟିଶକ୍ତି,ଏସବୁ କଷ୍ଟକୁ ସହି ସେ ପାରଳାଖେମୁଣ୍ଡି ଅତିକ୍ରମ କରି କାଶୀନଗର ବ୍ଲକ୍‌ର ହାଡୁଭାଙ୍ଗୀ ଅଞ୍ଚଳ ପର୍ଯ୍ୟନ୍ତ ପାଦରେ ଚାଲିଚାଲି ପହଞ୍ଚିଥିଲେ। ତେବେ ଏହି ସମୟରେ ଢେପସାହିର ରାମବାବୁ ନାମକ ଜଣେ ବାଇକ୍ ଆରୋହୀ ତାଙ୍କୁ ଏଭଳି ବିକଳ ଅବସ୍ଥାରେ ଦେଖି ରହିଯାଇଥିଲେ। ସେ ପ୍ରକାଶଙ୍କୁ ନିଜ ବାଇକ୍‌ରେ ବସାଇ ଗୁଣୁପୁର ନୂଆ ବସ୍‌ଷ୍ଟାଣ୍ଡରେ ଆଣି ପହଞ୍ଚାଇଥିଲେ।

ଗୁଣୁପୁରରେ ପହଞ୍ଚିବା ପରେ, ରାମବାବୁ ସ୍ଥାନୀୟ ଘରୋଇ ବସ୍ ମାଲିକ ସଂଘର ଯୁଗ୍ମ ସମ୍ପାଦକ ସନ୍ତୋଷ ପାଢ଼ୀଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ସନ୍ତୋଷ ବାବୁ ସମ୍ବେଦନଶୀଳତା ଦେଖାଇ ପ୍ରକାଶଙ୍କୁ ନିଜ ଖର୍ଚ୍ଚରେ ଏକ ଘରୋଇ ବସ୍‌ରେ ଜୟପୁର ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ।

ତେବେ ଏଠାରେ ପ୍ରଶ୍ନ ଉଠୁଛି- ପାରଳାଖେମୁଣ୍ଡିରେ ସରକାରୀ OSRTC ବସ୍ କଣ୍ଡକ୍ଟରଙ୍କୁ ସେ ସାହାଯ୍ୟ ମାଗିଥିଲେ ମଧ୍ୟ ସରକାରୀ ସ୍ତରରେ ତାଙ୍କୁ କୌଣସି ସହାୟତା ମିଳିନଥିଲା ବୋଲି ପ୍ରକାଶ ଅଭିଯୋଗ କରିଛନ୍ତି। ଏହି ଘଟଣା ଆଜି ଆମ ସମାଜ ଓ ସରକାରୀ ବ୍ୟବସ୍ଥାର ଆବେଗହୀନତାକୁ ପଦାରେ ପକାଇଦେଇଛି।

ବାତ୍ୟା ଅର୍ଣ୍ଣବ ପାଇଁ ବାତିଲ୍ ହେଲା ଏକାଧିକ ଟ୍ରେନ୍

ନନ୍ଦିଘାେଷ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ଭୟଙ୍କର ରୂପକୁ ଦୃଷ୍ଟିରେ ରଖି ରେଳ ଯାତାୟାତ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
ସାମୁଦ୍ରିକ ଝଡ଼ ଯୋଗୁଁ ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ପୂର୍ବତଟ ରେଳପଥ ପକ୍ଷରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍‌ ଚଳାଚଳ ରଦ୍ଦ କରାଯାଇଛି। ତେବେ ପାଣିପାଗ ବିଭାଗର ଆଲର୍ଟ ପରେ ଅକ୍ଟୋବର ୨୭ରୁ ନଭେମ୍ବର ୫ ତାରିଖ ମଧ୍ୟରେ ବିଭିନ୍ନ ରୁଟ୍‌ରେ ନିୟମିତ ଚାଲୁଥିବା ସବୁ ଟ୍ରେନ୍‌ ସେବା ବାତିଲ୍ ରହିବ।

ବାତିଲ୍ ହୋଇଥିବା ଟ୍ରେନ୍‌ଗୁଡ଼ିକର ତାଲିକା:

  • ବିଶାଖାପାଟଣା – କିରନ୍ଦୁଲ: ଅକ୍ଟୋବର ୨୯ ରୁ ନଭେମ୍ବର ୪ ତାରିଖ ଯାଏଁ ବାତିଲ୍।
  • କିରନ୍ଦୁଲ୍ – ବିଶାଖାପାଟଣା: ଅକ୍ଟୋବର ୨୯ ରୁ ନଭେମ୍ବର ୪ ତାରିଖ ଯାଏଁ ବାତିଲ୍।
  • ରାଉରକେଲା – ଜଗଦଲପୁର: ଅକ୍ଟୋବର ୨୯ ରୁ ନଭେମ୍ବର ୪ ତାରିଖ ଯାଏଁ ବାତିଲ୍।
  • ଜଗଦଲପୁର – ରାଉରକେଲା: ଅକ୍ଟୋବର ୩୦ ରୁ ନଭେମ୍ବର ୫ ତାରିଖ ଯାଏଁ ବାତିଲ୍।
  • ହାୱଡ଼ା – ଜଗଦଲପୁର: ଅକ୍ଟୋବର ୨୭ ରୁ ଅକ୍ଟୋବର ୩୦ ତାରିଖ ଯାଏଁ ବାତିଲ୍।
  • ଜଗଦଲପୁର – ହାୱଡ଼ା: ଅକ୍ଟୋବର ୨୮ ରୁ ଅକ୍ଟୋବର ୩୧ ତାରିଖ ଯାଏଁ ବାତିଲ୍।

ବାତ୍ୟା ସମୟରେ ରେଳ ଧାରଣାର ସୁରକ୍ଷା ଏବଂ ଯାତ୍ରୀଙ୍କ ଜୀବନଜୀବିକା ପ୍ରତି ରହିଥିବା ବିପଦକୁ ଏଡ଼ାଇବା ପାଇଁ ରେଳବାଇ କର୍ତ୍ତୃପକ୍ଷ ଏହି ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି।

ତେବେ ଏହି ତାରିଖଗୁଡ଼ିକରେ ଯାତ୍ରା ଯୋଜନା କରିଥିଲେ, ଘରୁ ବାହାରିବା ପୂର୍ବରୁ ନିଜ ଟ୍ରେନ୍‌ର ଚଳାଚଳ ସ୍ଥିତି (Live Train Status) ଯାଞ୍ଚ କରିବାକୁ ରେଳପଥ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ରେଳବାଇ ପକ୍ଷରୁ ସମୟସମୟରେ ଜାରି ହେଉଥିବା ଜରୁରୀ ସୂଚନା ଓ ନୂଆ ଅପଡେଟ୍‌ ଉପରେ ନଜର ରଖିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।

୨୫ କି.ମି. ବେଗରେ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଅର୍ଣ୍ଣବ’; ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ

ନନ୍ଦିଘୋଷ ବ୍ୟରୋ: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଅଧିକ ଘନୀଭୂତ ହୋଇ ଏକ ‘ଅତି ଭୀଷଣ ବାତ୍ୟା’ର ରୂପ ନେଇଛି।

ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ସର୍ବୋଚ୍ଚ ସତର୍କତା ସ୍ୱରୂପ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି। ବାତ୍ୟାଟି ଆସନ୍ତା ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ୟାନାମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଗତ ୬ ଘଣ୍ଟା ମଧ୍ୟରେ ଏହି ଝଡ଼ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହାେଇଛି ।

ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୩୮୦ କି.ମି. ଦକ୍ଷିଣ, ବିଶାଖାପାଟଣାଠାରୁ ପ୍ରାୟ ୩୦୦ କି.ମି. ଦକ୍ଷିଣପୂର୍ବ, କାକିନାଡ଼ାଠାରୁ ପ୍ରାୟ ୩୬୦ କି.ମି. ପୂର୍ବ-ଦକ୍ଷିଣପୂର୍ବ, ମଛଲିପଟ୍ଟନମ୍‌ଠାରୁ ପ୍ରାୟ ୪୬୦ କି.ମି. ପୂର୍ବ ଓ ବାପଟ୍‌ଲାଠାରୁ ପ୍ରାୟ ୫୩୦ କି.ମି. ପୂର୍ବରେ ସକ୍ରିୟ ରହିଛି।

ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ‘ଅର୍ଣ୍ଣବ’ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ।
୨୮ ଅକ୍ଟୋବର ପୂର୍ବାହ୍ନ ସୁଦ୍ଧା ଏହା ଏକ ‘ଅତି ଭୀଷଣ ବାତ୍ୟା’ ଭାବେ ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଉପକୂଳର ବାପଟ୍‌ଲା ଏବଂ ବିଶାଖାପାଟଣା ମଧ୍ୟବର୍ତ୍ତୀ ୟାନାମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ।

ସ୍ଥଳଭାଗ ଛୁଇଁବା ବେଳେ ଉପକୂଳରେ ପବନର ନିରନ୍ତର ବେଗ ଘଣ୍ଟା ପ୍ରତି ୧୧୫ ରୁ ୧୨୫ କିଲୋମିଟର ଏବଂ ଝଟକା ପବନର ବେଗ ସର୍ବାଧିକ ୧୪୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ଯଦିଓ ଲ୍ୟାଣ୍ଡଫଲ୍ ଆନ୍ଧ୍ରପ୍ରଦେଶ ଉପକୂଳରେ ହେବ, ତଥାପି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ପବନର ବେଗ ବୃଦ୍ଧି ପାଇବା ଆଶଙ୍କା ରହିଛି।

ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ ରୁ ୧୩୫ କିମି ରହିଥିବା ବେଳେ ବିଶାଖାପାଟଣା ରାଡାରରେ ବାତ୍ୟା ‘ଅର୍ଣ୍ଣବ’ର ଆଖି ସ୍ପଷ୍ଟ ଦୃଶ୍ୟମାନ ହେଉଛି।

+୨ ପରୀକ୍ଷା ପାଇଁ ପ୍ରକ୍ରିୟା ଜାରି

ନନ୍ଦିଘୋଷ ବ୍ୟରୋ: ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରକ୍ରିୟା ଜାରି। ଏଥର ବଢ଼ିବ ପରୀକ୍ଷା ହବ୍ ସଂଖ୍ୟା। ଗତ ବର୍ଷ ୨୧୧ ହବ୍ ଥିଲା, ଏଥର ଆଉ ୩ଟି ହବ୍ ବଢ଼ିବ। ସେହିପରି ଗତବର୍ଷ ୧୩୫୭ ସେଣ୍ଟରରେ ପରୀକ୍ଷା ହୋଇଥିବା ବେଳେ, ଏଥର ଆଉ ଅଧିକ ୬୦ଟି ସେଣ୍ଟର କରାଯିବ। ଖାଲି ସେତିକି ନୁହେଁ ଯେଉଁଠି ସେଣ୍ଟର ହୋଇଥିଲା, ସେଠାରେ ଲାଗିଥିବା ସିସିଟିଭି କାମ କରୁଛି କି ନାହିଁ ତାର ରିପୋର୍ଟ ଦେବାକୁ କାଉନସିଲ୍ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୁହାଯାଇଛି। ୨୦୨୭ ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍, କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍, ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବୋରେଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି। ନଭେମ୍ବର ୩୦ ସୁଦ୍ଧା ସବୁ ସେଣ୍ଟରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାର କନେକସନ କାଉନସିଲ୍ ଅଫିସ ଓ ଜିଲ୍ଲାପାଳ କାର୍ଯ୍ୟାଳୟରେ ରହିବ। ନଭେମ୍ବର ୩୦ ସୁଦ୍ଧା କଲେଜ ନାଁ, କୋଡ୍ ଓ ଇଣ୍ଟରନେଟ୍ ପ୍ରୋଭାଇଡର ଆଦି ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ। ଯେଉଁ ଶିକ୍ଷାନୁଷ୍ଠାନ ଧାର୍ଯ୍ୟ ସମୟ ମଧ୍ୟରେ ଏସବୁ କରିନଥିବେ, ସେମାନଙ୍କ ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯିବ। ତେବେ ଜାନୁଆରୀ ୨ରୁ ପ୍ରାକ୍ଟିକାଲ ଓ ଡିସେମ୍ବର ୨୨ରୁ ଇଣ୍ଟରନାଲ ପରୀକ୍ଷା କରାଯିବ ବୋଲି କହିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ।

ସେପଟେ ଏବେ ବି ପରୀକ୍ଷାକୁ ନେଇ ପିଲାମାନେ ଚାପରେ ଅଛନ୍ତି । ତେଣୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ମନସ୍ତତ୍ତ୍ବବିତ୍। ନିଜ ପିଲାକୁ ଅନ୍ୟ କାହା ସହ ତୁଳନା କରନ୍ତୁ ନାହିଁ। ଏପରିକି ମାର୍କ ନେଇ ବି ଭୟଭୀତ କରାନ୍ତୁ ନାହିଁ। ପ୍ରତିଦିନ ପିଲାଙ୍କ ଶୋଇବା ଓ ଖାଇବା ଉପରେ ଅଭିଭାବକମାନେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ମନସ୍ତତ୍ତ୍ବବିତ୍।

ଏଥର ଏକା ସଙ୍ଗେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ବାଣିଜ୍ୟ, ବିଜ୍ଞାନ ଓ କଳା ପରୀକ୍ଷା ଫଳ । ବାଣିଜ୍ୟ ଓ ବିଜ୍ଞାନ ପରି ଚଳିତ ଥର କଳା ଓ ଧନ୍ଦାମୂଳକ ପରୀକ୍ଷା ମୂଲ୍ୟାୟନ ଅନଲାଇନ ଜରିଆରେ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା କରୁଛି ।