spot_img
Home Blog Page 1297

୩ ଦିନ ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା

ଭୁବନେଶ୍ବର: ୩ ଦିନ ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା। ୩ ଦିନିିଆ ଓଡ଼ିଶା ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଫେରିଯିବା ପରେ, ଓଡ଼ିଶା ପାଇଛି କଣ ତାହାକୁ ନେଇ ଗୃହରେ ସରଗରମ ଆଲୋଚନା ହୋଇପାରେ। ଆଜି ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି।

ଶୂନ୍ୟକାଳରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପୂର୍ବତଟ ରେଳପଥକୁ ସଙ୍କୁଚିତ କରିବା, ଆମ୍ବ ଟାକୁଆ, କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ଗୃହରେ ଘମାଘୋଟ ଆଲୋଚନା ହୋଇପାରେ। ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପରେ ଆଲୋଚନା ହେବ। ପୂର୍ବରୁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିଥଲ।

ହାତୀ ଆକ୍ରମଣରେ ଆହତ ବନ କର୍ମଚାରୀଙ୍କ ମୃତ

ବଲାଙ୍ଗୀର: ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ମୃତ । ବଲାଙ୍ଗୀର କଣ୍ଟାବାଞ୍ଜି ରେଞ୍ଜ ଢୋଲମାନ୍ଦଲ ସେକ୍ସନ ବାନ୍ଧନପାଲୀ ଗାଁ ନିକଟରେ ତିନି ଜଣ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା ହାତୀ । ଗୁରୁତର ଥିବା ବନ କର୍ମଚାରୀ ରୁପେଶ ଛତ୍ରିଆଙ୍କ ମୃତ୍ୟୁ ଘଟିଛି ।

ଗୋଠଛଡ଼ା ଦନ୍ତାକୁ ଘଉଡାଇବା ବେଳେ ହାତୀ ଆକ୍ରମଣରେ ତିନି ବନ କର୍ମଚାରୀ  ଆହତ ହୋଇଥିଲେ । ଏଥିରେ ୨ ଜଣ ଗୁରୁତର ହୋଇପଡିଥିଲେ । ଗୁରୁତର ରୂପେଶଙ୍କ ଆଜି ମୃତ୍ୟୁ ଘଟିଛି । ପ୍ରଶାନ୍ତ ନାୟକ ନାମକ ଅନ୍ୟ ଜଣେ ବନ କର୍ମଚାରୀ ଏବେ ବି ଗୁରୁତର ଅଛନ୍ତି । ପାରାଷ୍ଟାଫ୍ ତାରେଶ୍ୱର ରଣା ନାମକ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି I ବଲାଙ୍ଗୀର ମେଡିକାଲରେ ବଲାଙ୍ଗୀର ଡିଏଫଓ ଡିଏଫଓଙ୍କ ସହ ବନ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝାସୁଝା କରିଛନ୍ତି I

ଗତ ୧୫ ଦିନ ହେଲା ଗୋଠଛଡା ହାତୀ ଆତଙ୍କ ସୃଷ୍ଟି କରିଥିଲା । ହାତୀ ଘଉଡାଇବାକୁ କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଓ ତୁରେକେଲା ରେଞ୍ଜର ପାଖାପାଖି ୩୦ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ I ଘଉଡାଇବା ସମୟରେ ହାତୀଟି ବୁଲି ପଡ଼ି ଆକ୍ରମଣ କରିଥିଲା । ଜୀବନ ରକ୍ଷା ପାଇଁ କର୍ମଚାରୀମାନେ ଯିଏ ଯୁଆଡେ ଦୌଡ଼ି ଚାଲିଯାଇଥିଲେ I ହାତୀ ୩ ଜଣକୁ ପାଖରେ ପାଇ ଆକ୍ରମଣ କରିଥିଲା I ଉପସ୍ଥିତ କର୍ମଚାରୀ ପାଟି ଧାଇଁ ଆସିବାରୁ ହାତୀ ଚାଲିଯାଇଥିଲା I ପରେ ସେମାନଙ୍କୁ ଉଦ୍ଧାର କରି ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା I ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା ।

ପୂର୍ବତଟ ରେଳବାଇରୁ ୱାଲ୍ଟିୟର ଡିଭିଜନକୁ ବିଚ୍ଛିନ୍ନ କରିବାକୁ ନେଇ ଶ୍ରୀକାନ୍ତଙ୍କ ଉଦବେଗ

ଭୁବନେଶ୍ବର: ପୂର୍ବତଟ ରେଳବାଇରୁ ୱାଲ୍ଟିୟର ଡିଭିଜନକୁ ବିଚ୍ଛିନ୍ନ କରିବା ଓ ଏହାକୁ ଦକ୍ଷିଣ କେନ୍ଦ୍ରୀୟ ରେଳ ଜୋନ୍ ସହିତ ମିଶ୍ରଣ କରିବାର ନିଷ୍ପତ୍ତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା l ଓଡିଶାର ହକ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି l

ଚିଠିରେ ଶ୍ରୀକାନ୍ତ ଲେଖିଛନ୍ତି, ୧୯୯୬ରେ ଏହାର ପ୍ରତିଷ୍ଠା ପରଠାରୁ, ଇଷ୍ଟକୋଷ୍ଟ ରେଲୱେ କ୍ରମାଗତ ଭାବରେ ଭାରତୀୟ ରେଳବାଇରେ ସର୍ବାଧିକ ରାଜସ୍ୱ ଯୋଗଦାନକାରୀଙ୍କ ମଧ୍ୟରେ ସ୍ଥାନିତ ହୋଇଛି । ୱାଲ୍ଟିୟର ଡିଭିଜନର ଅପସାରଣ ଏହାକୁ ଯଥେଷ୍ଟ ଦୁର୍ବଳ କରିବ । ଏହାର କାର୍ଯ୍ୟକଳାପ ଓ ଓଡିଶାର ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିପଦରେ ପକାଇବ । ପୂର୍ବ ବିଚାର ବିମର୍ଶରେ ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ-କେନ୍ଦ୍ର ରେଳ ଜୋନ୍ ନିର୍ମାଣକୁ ପୃଥକ କରାଯାଇଥିଲା । ଯଦିଓ ବର୍ତ୍ତମାନର ସରକାର ରାଜ୍ୟ କୈନ୍ଦ୍ରିକ ଅଞ୍ଚଳକୁ ପ୍ରାଥମିକତା ଦେଉଛନ୍ତି । ତେବେ ଓଡିଶାକୁ ମଧ୍ୟ ଏହାର ବ୍ୟାପକ ରେଳ ଜୋନ୍ ଅନୁମତି ଦିଆଯିବା ଜରୁରୀ । ଉତ୍ତର ପ୍ରଦେଶରେ ଏକ ନୂତନ ରେଳ ବିଭାଗ ପ୍ରତିଷ୍ଠା କରି ସୁନ୍ଦରଗଡ, ବାଲେଶ୍ବର ଓ ମୟୂରଭଞ୍ଜକୁ ପୂର୍ବତଟ ରେଳବାଇରେ ମିଶ୍ରଣ କରିବାକୁ ମୁଁ ଦୃଢ ଭାବେ ସମର୍ଥନ କରୁଛି ବୋଲି କହିଛନ୍ତି ଶ୍ରୀକାନ୍ତ । ଏହାସହ ରାୟଗଡାରେ ଅନ୍ୟ ଏକ ରେଳ ବିଭାଗ ସୃଷ୍ଟି କରିବା ଦ୍ବାରା କାର୍ଯ୍ୟକ୍ଷମତା ବୃଦ୍ଧି କରିବ । ବର୍ଷ ବର୍ଷ ଧରି ପୂର୍ବତଟ ରେଳପଥ ଏହାର ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ୱାଲ୍ଟିୟର ଡିଭିଜନ୍ ସହିତ ଓଡିଶାର ପ୍ରଗତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଓ ଏହାର ମୂଳ ଗଠନକୁ ଭାଙ୍ଗିବା ପରିବର୍ତ୍ତେ ପୂର୍ବତଟ ରେଳପଥକୁ ସୁଦୃଢ କରିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଶ୍ରୀକାନ୍ତ । ଓଡିଶାବାସୀଙ୍କ ଚାହିଦା ଅନୁଯାୟୀ ଅଧିକ ବିସ୍ତୃତ ରେଳ ଜୋନ୍ ପ୍ରଦାନ କରି ଓଡିଶା ପାଇଁ ସମାନ ଚିକିତ୍ସା ସୁନିଶ୍ଚିତ କରିବାକୁ ଚିଠିରେ ନିବେଦନ କରିଛନ୍ତି କଂଗ୍ରେସ ନେତା ଶ୍ରୀକାନ୍ତ ଜେନା l

ଡିଆଇଜି ଓ ଆଇଜିପି ସମ୍ମିଳନୀରେ ସ୍ମାର୍ଟ ପୋଲିସିଂ ଉପରେ ମୋଦିଙ୍କ ଗୁରୁତ୍ବ

ଭୁବନେଶ୍ବର: ଭୁବନେଶ୍ଵରରେ ଆୟୋଜିତ ସର୍ବଭାରତୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ସ୍ମାର୍ଟ ପୋଲିସିଂ ଉପରେ ଗୁରୁତ୍ଵାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସମ୍ମିଳନୀର ଥିଲା ଶେଷ ଦିନ । ଏହି ଅବସରରେ ଯୋଗ ଦେଇଥିବା ପୋଲିସ ଅଧିକାରୀଙ୍କୁ ସ୍ମାର୍ଟ ପୋଲିସିଂର ମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହାସହ ପୋଲିସର କାର୍ଯ୍ୟରେ ସ୍ଵଚ୍ଛତା ସହ ଲୋକଙ୍କ ଯେପରି ବିଶ୍ଵାସଭାଜନ ହୋଇପାରିବ ସେଥିପ୍ରତି ଗୁରୁତ୍ଵାରୋପ କରିଥିଲେ ।

ପୋଲିସ ବ୍ୟବସ୍ଥା ରଣନୀତିକ, ଯତ୍ନଶୀଳ ଓ ଗ୍ରହଣଯୋଗ୍ୟ ଯେପରେ ହୋଇପାରିବ ସେଥିପ୍ରତି ଗୁରୁତ୍ଵାରୋପ କରିଥିଲେ ପ୍ରଧାନମନ୍ତ୍ରୀ । କର୍ମଚାରୀଙ୍କ ଉପରେ ଯେପରି ବୋଝ କମ କରାଯାଇପାରିବ ସେଥିରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ଵ ଦେଇଥିଲେ । ବିକଶିତ ଭାରତ ଲକ୍ଷ୍ୟ ନେଇ ପୋଲିସର ଆଧୁନିକୀକରଣରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ଵ ଦେଇଛନ୍ତି ।

ସାଇବର ଫ୍ରଡ ରୋକିବାକୁ ପୋଲିସ ହାକାଥନ ଉପରେ ଗୁରୁତ୍ଵ ଦେଇଛନ୍ତି। ଏହାସହ ବନ୍ଦର ସୁରକ୍ଷାକୁ ଗୁରୁତ୍ଵ ଦେବା ସହ ଏହା ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଦେଶର ସୁରକ୍ଷା, ଆତଙ୍କବାଦ ମୁକାବିଲା, ମାଓବାଦ ସମସ୍ଯା, ସାଇବର ଅପରାଧ, ଅର୍ଥନୈତିକ ନିରାପତ୍ତା, ଅନୁପ୍ରବେଶ, ଉପକୂଳ ସୁରକ୍ଷା ଉପରେ ଗୁରୁତ୍ଵାରୋପ କରିଛନ୍ତି ମୋଦି ।

ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଦେଶର ସୁରକ୍ଷାକୁ ନେଇ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ଶୃଙ୍ଖଳା ନିୟନ୍ତ୍ରଣକୁ ଗୁରୁତ୍ଵ ଦିଆଯାଇଛି । ସୀମା ସୁରକ୍ଷାକୁ ନେଇ ହୋଇଛି ଆଲୋଚନା । ଆତଙ୍କବାଦୀଙ୍କୁ ମାତ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଶାନ୍ତି ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା । ୩ ଦିନ ଧରି ଚାଲିଥିବା ଏହି ବୈଠକରେ ମୋଟ ୧୫୦ ପ୍ରତିନିଧି ମଣ୍ଡଳୀ ସାମିଲ ହୋଇଥିଲେ ।

ନରମିଲେ ଏକନାଥ ସିନ୍ଦେ, ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବାକୁ କରୁଛନ୍ତି ଚେଷ୍ଟା

ମୁମ୍ବାଇ: ବିଜେପି ମହାରାଷ୍ଟ୍ରର ଶପଥ ଗ୍ରହଣ ତାରିଖ ଘୋଷଣା କରିବା ପରେ ନରମିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଏବେ ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଲାଗିପଡ଼ିଛନ୍ତି ।

ଅଠାକାଠିରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ବିଜେପି ଉପରେ ଚାପ ପକାଇବାକୁ ସେ ଯେଉଁ ଚେଷ୍ଟା କରିଥିଲେ, ତାହା କାମ ଦେଇ ନାହିଁ । ବରଂ ତାଙ୍କ ଉପରେ ଚାପ ପଡ଼ିଛି । ବିଜେପି ଏକ ପ୍ରକାର ସଂକେତ ଦେଇଛି ଯେ, ଏକନାଥ ସିନ୍ଦେ ନ ହେଲେ ମଧ୍ୟ ସରକାର ହେବ । ସେଥପାଇଁ ଗତକାଲି ହିଁ ଶପଥ ଗ୍ରହଣର ତାରିଖ ଘୋଷଣା କରିଦେଲା ବିଜେପି । ଏହାପରେ ଏକନାଥ ସିନ୍ଦେ ନରମିଛନ୍ତି । ସେ କହିଛନ୍ତି, ବିଜେପିର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତିକୁ ସେ ବିରୋଧ କରିବେ ନାହିଁ, ସମ୍ମାନ ଦେବେ ।

ନିଜ ପତ୍ତା କଟିଥିବା ସ୍ପଷ୍ଟ ହେବା ପରେ ଏବେ ଏକନାଥ ଲାଗିଛନ୍ତି, କେମିତି ହେଉ ତାଙ୍କ ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ରୁଷି କରି ସେ ଅସୁସ୍ଥ ବାହାନାରେ ଗାଁକୁ ପଳାଇଥିଲେ । ଆଜି ଥାଣେକୁ ଫେରି ଆସିଛନ୍ତି । କହିଛନ୍ତି, ବିଜେପିର ଯିଏ ବି ମୁଖ୍ଯମନ୍ତ୍ରୀ ହେଲେ ତାଙ୍କର ସମର୍ଥନ ରହିବ । ଆସନ୍ତାକାଲିର ବୈଠକରେ ସବୁକିଛି ସ୍ପଷ୍ଟ ହେବ । ଆସନ୍ତା ୫ ତାରିଖରେ ରାଜ୍ଯରେ ନୂଆ ମୁଖ୍ଯମନ୍ତ୍ରୀ ଶପଥ ନେବେ ବୋଲି ବିଜେପି ପକ୍ଷରୁ ଗତକାଲି କରାଯାଇଥିଲା ଘୋଷଣା ।

ଗୋଡ଼ାଇ ଗୋଡ଼ାଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଦସ୍ୟଙ୍କୁ ଧରୁଛି ପୋଲିସ

ନୂଆଦିଲ୍ଲୀ: ଆଇନ ଜାଲରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ବିଷ୍ଣୋଇର ସହଯୋଗୀଙ୍କୁ ଗୋଡ଼େଇ ଗୋଡ଼େ଼ଇ ଧରୁଛି ପୋଲିସ । ସାରା ଦେଶରେ ଚାଲିଛି ଅଭିଯାନ । ଏହି କ୍ରମରେ ମଧ୍ଯପ୍ରଦେଶର ଇନ୍ଦୋରରୁ ଲରେନ୍ସର ୪ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ସେମାନେ ବିଭିନ୍ନ ଅପରାଧରେ ଜଡ଼ିତ ଅଛନ୍ତି । ତାଙ୍କୁ ଜେରା କରି ବିଷ୍ଣୋଇ ଗ୍ୟାଙ୍ଗର ଅପରାଧ ଓ ଭବିଷ୍ୟତର ଯୋଜନା ସଂପର୍କରେ ପୋଲିସ ତଥ୍ୟ ଗ୍ରହଣ କରିବ ବୋଲି ଜଣାପଡ଼ିଛି । ମୁମ୍ବାଇର ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଓ ସଲମାନ ଖାନଙ୍କୁ ଖୋଲାଖୋଲି ଧମକ ଦେବା ପରେ ଚର୍ଚ୍ଚାକୁ ଆସିଛି ବିଷ୍ଣୋଇ ଗ୍ୟାଙ୍ଗ । ସର୍ଦ୍ଦାର ଲରେନ୍ସ ନିଜେ ଗୁଜରାଟର ସାବରମତୀ ଜେଲରେ ଥିବା ବେଳେ ସେଠାରୁ ସେ ଗ୍ୟାଙ୍ଗ ଅପରେଟ କରୁଛି । ତା’ ଭାଇ ଅଛି ଆମେରିକାରେ । ଆମେରିକାରେ ତାକୁ ଗିରଫ କରାଯାଇଛି ।

ସ୍କୁଟିରେ ମଦ ଚାଲାଣ ବେଳେ ଆଶା ଓ ଅଙ୍ଗନବାଡି ଦିଦି ଗିରଫ

ଖୋର୍ଦ୍ଧା: ଜଣେ ଆଶାଦିଦି, ଆଉ ଜଣେ ଅଙ୍ଗନବାଡି ଦିଦି । ଜଣଙ୍କ କାମ ସ୍ବାସ୍ଥ୍ୟସେବାରେ ସହଯୋଗ କରିବା ଓ ଅନ୍ୟ ଜଣଙ୍କ କାମ ଅଞ୍ଚଳର କୁନି କୁନି ଶିଶୁଙ୍କ ଶିକ୍ଷାର ମୂଳଦୁଆ ପକାଇବା । ହେଲେ ଏଠି ଆମେ ଯେଉଁ ଆଶା ଓ ଅଙ୍ଗନବାଡି ଦିଦିଙ୍କ କଥା କହିବାକୁ ଯାଉଛୁ, ତାଙ୍କ କାରନାମା ଶୁଣିଲେ ଆପଣ କହିବେ ‘ହେ ପ୍ରଭୁ…’ । ହଁ ଆଜ୍ଞା, ଏଠି ଆଶାଦିଦି ଓ ଅଙ୍ଗନବାଡି ଦିଦି ଏକାଠି ହୋଇ ଚୋରା ମଦ କାରବାର କରୁଛନ୍ତି । ଏମିତି ଦୁଇ ମହିଳାଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କ ସ୍କୁଟି ଜବତ କରିଛି । ଘଟଣା ଘଟିଛି ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ।

କୋଷରଣାରୁ ବାଣପୁର ଆସୁଥିବାବେଳେ ସେମାନଙ୍କୁ ଦେଶୀ ମଦ ସହ ଧରିଥିଲା ବାଣପୁର ପୋଲିସ । ପାଟ୍ରୋଲିଂରେ ମୁତୟନ ଥିବା ପୋଲିସର ସେମାନଙ୍କ ଉପରେ ନଜର ପଡିଥିଲା । ସନ୍ଦେହରେ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚବେଳେ ସେମାନଙ୍କ ଗାଡ଼ିରୁ ୩ ବସ୍ତାରେ ୧୫୦ ପ୍ୟାକେଟ ଭର୍ତ୍ତି ଦେଶୀ ମହୁଲି ମଦ ଜବତ ହୋଇଥିଲା । କୋଷରଡ଼ାରୁ ବାଣପୁର ବିକ୍ରି ପାଇଁ ଏହି ମଦ ସେମାନେ ନେଉଥିଲେ । ପରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ବରବରା ପଞ୍ଚାୟତ କୋଶଡା ଗାଁର ଅଙ୍ଗନବାଡି ଦିଦି ଓ ଆଶାକର୍ମୀ ।

ସରକାରୀ ଗାଡ଼ିର ବ୍ଯାପକ ଅପବ୍ଯବହାର: ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ହେଲେ ଲାଗୁଛି ବ୍ଯକ୍ତିଗତ କାମରେ

ଭୁବନେଶ୍ବର: ସରକାର କା ମାଲ୍ ଦରିଆମେ ଡାଲ୍ । ସରକାରୀ ବାବୁଙ୍କୁ ଦିଆଯାଇଥିବା ଗାଡ଼ି ବ୍ଯବହାର କରୁଛନ୍ତି ପରିବାର ଲୋକ । ସରକାର ନିୟମର ହେଉଛି ବ୍ଯାପକ ଉଲ୍ଲଂଘନ । କେବଳ ରାଜଧାନୀ ଭିତରେ ନୁହେଁ, ଦୂରଦୂରାନ୍ତରୁ ବି ବେଫିକର ଆସୁଛନ୍ତି ବାବୁ । ରାଜକୋଷରୁ ଅର୍ଥ ଅପବ୍ୟୟ ହେଉଥିବାବେଳେ ଆଦର୍ଶରୁ ବିଚ୍ଯୁତ ହେଉଛନ୍ତି ସରକାରୀ ଅଧିକାରୀ ।

ଭୁବନେଶ୍ବରର ଏକ ସପିଂ ମଲ ଆଗରେ ସରକାରୀ ଗାଡିର ଲମ୍ବା ଲାଇନ୍ ଲାଗିଛି । ଆଉ ମଲ ଭିତରକୁ ଯାଇଛନ୍ତି ସରକାରୀ ବାବୁ ଓ ତାଙ୍କ ପରିବାର ଲୋକେ । ଇଏ କେବଳ ରାଜଧାନୀ ଭୁବନେଶ୍ବରର ନୁହେଁ, ସବୁଆଡେ ଏକା ଅବସ୍ଥା । ଅଧିକାରୀମାନଙ୍କ ଯାତାୟାତ ବାବଦକୁ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଗାଡି ବ୍ୟବହାର ହେଉଛି ବ୍ଯକ୍ତିଗତ କାମରେ । ଏହି ମଲ ଆଗରେ ଲାଗିଥିବା ଗାଡି କେବଳ ରାଜଧାନୀରେ ଚାକିରି କରିଥିବା ସରକାରୀ ବାବୁଙ୍କର ନୁହେଁ । ଶନିବାର ଓ ରବିବାର ଛୁଟି ଦୃଷ୍ଟିରୁ ବ୍ରହ୍ମପୁର, ପୁରୀ ତଥା ଅନ୍ଯ ଦୂର ଅଞ୍ଚଳରୁ ବି ଆସିଛି ସରକାରୀ ଗାଡ଼ି ।

ଓଡିଶା ଟ୍ରାଭେଲିଂ ଆଲାଉନ୍ସ ରୁଲ୍ସ ଅନୁଯାୟୀ କେଉଁ ପାହ୍ଯାର ଅଧିକାରୀ ସରକାରୀ ଗାଡିର କିଭଳି ବ୍ଯବହାର କରିବେ ସେନେଇ ନିର୍ଦ୍ଦେଶାବଳୀ ରହିଛି । ଜଣେ ଅଧିକାରୀ ଗାଡି ବ୍ଯବହାର କରିବା ପୂର୍ବରୁ ସମ୍ପୃକ୍ତ ଗାଡିର ଅଫିସର ଇନଚାର୍ଜଙ୍କଠାରୁ ଅନୁମତି ନେବେ । ଯଦି ଅଧିକ ବ୍ଯବହାର କରନ୍ତି ତେବେ ତାଙ୍କୁ ଭଡା ପଇଠ କରିବାକୁ ପଡିବ । ମନୋରଞ୍ଜନ ପାର୍ଟି, ପ୍ଲେଜର ଟ୍ରିପ କିମ୍ବା କୌଣସି ବିବାହ ଉତ୍ସବରେ ସରକାରୀ ଗାଡିର ବ୍ଯବହାରକୁ ସ୍ପଷ୍ଟ ବାରଣ କରାଯାଇଛି । ଯଦି ଏଥିରେ ଉଲ୍ଲଘଂନ କରାଯାଏ ବିଭାଗୀୟ କାର୍ଯ୍ଯାନୁଷ୍ଠାନ, କ୍ଷତିଭରଣା, ପଦୋନ୍ନତି ରୋକିବା ପରି ନିୟମ ରହିଛି । ହେଲେ ସବୁ ନିୟମକୁ କରାଯାଉଛି ଫୁ ।

ସରକାରୀ ଅଧିକାରୀ ସାଧୁତା ଓ କର୍ତ୍ତବ୍ଯ ପରାୟଣତା କ୍ଷେତ୍ରରେ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ହେବା ବଦଳରେ ଆଇନକୁ ଖୋଲାଖୋଲି କରୁଛନ୍ତି ଉଲ୍ଲଂଘନ ।

ବର୍ଷ ବର୍ଷ ଧରି ବିଚାରପତି ପଦବୀ ଖାଲି, ହୋଇପାରୁନି ମାମଲାର ଶୁଣାଣି: ହାଇକୋର୍ଟରେ ପଡ଼ିଛି ୧ ଲକ୍ଷରୁ ଅଧିକ ମାମଲା

କଟକ: ରାଜ୍ଯରେ ଖାଲିପଡିଥିବା ବିଚାରପତି ପଦବୀ ନିଯୁକ୍ତିରେ ବିଳମ୍ବ ଯୋଗୁଁ ନ୍ଯାୟ ଅପେକ୍ଷାରେ ୪ ଲକ୍ଷରୁ ଅଧିକ ଆବେଦନକାରୀ । ହାଇକୋର୍ଟ ବିତାରପତି ନିଯୁକ୍ତି ପାଇଁ ସ୍ବତନ୍ତ୍ର କଲେଜିୟମ ବ୍ଯବସ୍ଥା ଥିବାବେଳେ ନିମ୍ନ ଅଦାଲତର ନିଯୁକ୍ତି ହାଇକୋର୍ଟଙ୍କ ପରାମର୍ଶରେ ରାଜ୍ଯ ସରକାର କରିଥାନ୍ତି । ତେବେ ବିଚାରପତି ନିଯୁକ୍ତିରେ ବିଳମ୍ବ ଯୋଗୁଁ ହାଇକୋର୍ଟରୁ ଆରମ୍ଭ କରି ନିମ୍ନ ଅଦାଲତ ସବୁଠି ବର୍ଷ ବର୍ଷ ଧରି ଗଡୁଛି ମାମଲା । ଭାଗ୍ଯକୁ ଆଦରି ଚାଲିଛନ୍ତି ଦୁଇ ପକ୍ଷର ଲୋକେ ।

ବିଶ୍ବନାଥ ଚାନ୍ଦ, ଘର ସାଲେପୁର ଜିଲ୍ଲା ତଟିକଟା । ଏବେ ରହୁଛନ୍ତି ଭୁବନେଶ୍ବରରେ । ୧୯୯୫ ମସିହାରେ ଦୂରଦର୍ଶନରେ ସାଇଟମ୍ୟାନ ଭାବେ କାର୍ଯ୍ଯ ଆରମ୍ଭ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ କାର୍ଯ୍ଯରୁ ଛଟେଇ ହେବାରୁ ୧୯୯୮ରେ ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବୁନାଲର ନେଲେ ଆଶ୍ରୟ । ଗତ ୨୮ ବର୍ଷ ଧରି କେବେ ଟ୍ରିବୁନାଲ ତ ଆଉ କେବେ ହାଇକୋର୍ଟଙ୍କ ଚକ୍କର କାଟି କାଟି ଏବେ ତାକୁ ୫୩ ବର୍ଷ । ହେଲେ ଏଯାଏଁ ତାଙ୍କୁ ମିଳିନି ନ୍ୟାୟ ।

ଏଇ ଗୋଟିଏ ନୁହେଁ ଏଭଳି ରାଜ୍ଯରେ ମୋଟ ୪ ଲକ୍ଷ ୩୭ ହଜାର ୮୧୦ ମାମଲା ବିଭିନ୍ନ କୋର୍ଟରେ ପଡିରହିଛି । ସେ ମଧ୍ୟରୁ ହାଇକୋର୍ଟରେ ରହିଛି ୧ ଲକ୍ଷ ୪୫ ହଜାର ୬୪୦ ମାମଲା । ଜିଲ୍ଲା ଓ ଅଧସ୍ତନ ନ୍ଯାୟାଳୟମାନଙ୍କରେ ସର୍ବାଧିକ ୧୫ ହଜାର ୧୭୦ ମାମଲା ରହିବା ଉଦବେଗଜନକ । ଏଥିରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୨୫୩ ଓ ବରଗଡରେ ସର୍ବନିମ୍ନ ୩୯ ମାମଲା ରହିଛି । ସେହିଭଳି ୩୯ ହଜାର ୪୫୬ଟି ସିଭିଲ ସୁଟ ମାମଲା ରହିଛି । ଏହି ବର୍ଗରେ ଖୋର୍ଦ୍ଧାରେ ସର୍ବାଧିକ ୬ ହଜାର ୬୯ ମାମଲା ଥିବାବେଳେ ଝାରସୁଗୁଡାରେ ସବୁଠାରୁ କମ ୪୧ ମାମଲା ରହିଛି ।

ରାଜ୍ଯରେ ପଡି ରହିଥିବା ଏତେ ସଂଖ୍ଯକ ମାମଲାର କେବେ ଶୁଣାଣି ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ଯସଭାରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲ ସୂଚନା ଦେଇ କହିଛନ୍ତି, ଓଡିଶାରେ ଏବେ ଜିଲ୍ଲା ଓ ଅଧସ୍ତନ ନ୍ଯାୟାଳୟମାନଙ୍କରେ ୧୯୯ଟି ଜଜ୍ ପଦବୀ ଖାଲି ପଡିଛି । ଓଡ଼ିଶା ହାଇକୋର୍ଟରେ ମୋଟ ୩୩ ଜଜଙ୍କ ମଧ୍ୟରୁ ୧୯ ଜଣ ଅଛନ୍ତି । ୧୪ଟି ବିଚାରପତି ପଦବୀ ଖାଲି ପଡ଼ିଛି । ଜିଲ୍ଲା ଓ ରାଜ୍ୟ ଖାଉଟି ଅଦାଲତରେ ମଧ୍ୟ ବିଚାରପତି ଖାଲି ପଡ଼ିଛି ।ସେପଟେ ବର୍ତ୍ତମାନ ସୀମିତ ସଂଖ୍ଯକ ବିଚାରପତି ଥିବାରୁ ସେମାନଙ୍କ ଉପରେ କାର୍ଯ୍ଯର ଚାପ ମଧ୍ଯ ଅଧିକ ରହୁଛି ବୋଲି କହିଛନ୍ତି ପୂର୍ବତନ ବିତାରପତି ।

ସୀମିତ ସଂଖ୍ଯକ ବିଚାରପତିଙ୍କୁ ନେଇ ଓଡିଶା ହାଇକୋର୍ଟ ଚଳିତବର୍ଷ ମୋଟ ୮୩ ହଜାର ୭୫୩ଟି ମାମଲାର ରାୟ ପ୍ରକାଶ କରିଛନ୍ତି । ଅନ୍ଯପଟେ ବର୍ତ୍ତମାନ ହାଇକୋର୍ଟରେ ପଡିରହିଥିବା ୧୦ ବର୍ଷରୁ ଊର୍ଦ୍ଧ୍ଵ ମାମଲା ମଧ୍ଯ୍ଯରୁ ୫୫ ପ୍ରତିଶତ ଦେୱାନୀ ଓ ୪୫ ପ୍ରତିଶତ ମାମଲା ଫୌଜଦାରୀ ବୋଲି ଜଣାପଡିଛି ।

ଆରମ୍ଭ ହେଲା କୋଣାର୍କ ଉତ୍ସବ: ନୃତ୍ୟରସରେ ରଙ୍ଗୀନ ହେବ ଶୀତୁଆ ସନ୍ଧ୍ୟା

କୋଣାର୍କ: ଆରମ୍ଭ ହେଲା ୩୫ ତମ କୋଣାର୍କ ଉତ୍ସବ । ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ପାଇଁ ଉତ୍ସବ ମୁଖର କୋଣାର୍କ । ଶାସ୍ତ୍ରୀୟ ନୃତ୍ୟରେ କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ । ଦେଶର କଳା ସଂସ୍କୃତିର ପ୍ରଚାର ପ୍ରସାର ଓ ପର୍ଯ୍ଯଟନ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ପ୍ରତିବର୍ଷ ପରି ଚଳିତବର୍ଷ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ସହିତ ଚନ୍ଦ୍ରଭାଗା ସ୍ଵର୍ଣ୍ଣିମ ବେଳାଭୂମିରେ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେଉଛି ।

କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରାଭାଗା ବେଳାଭୂମିକୁ ନୂଆ ରୂପରେ ସଜ୍ଜିତ କରାଯାଇଛି । ବିଶେଷ କରି ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ ସଜ୍ଜା, ତୋରଣ ନିର୍ମାଣ, ଆଲୋକ ସଜ୍ଜା, ଅନ୍ୟାନ୍ୟ ବାହ୍ୟ ସାଜ ସଜ୍ଜା ସହ ଚନ୍ଦ୍ରଭାଗାରେ ବାଲୁକା କଳା ପ୍ରଦର୍ଶନ ପାଇଁ ବ୍ଯାରିକେଟ ନିର୍ମାଣ ହୋଇଛି ।

କୋଣାର୍କକୁ ପର୍ଯ୍ୟଟକମାନେ ଆସିବା ପାଇଁ ରାଜ୍ୟ ଓଟିଡିସି ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ଆମେରିକା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ବେଲାରୁଷ ଆଦି ୬ଟି ଦେଶର ବିଦେଶୀ ଶିଳ୍ପୀଙ୍କ ସମେତ ରାଜ୍ଯ ବାହାରୁ ସମୁଦାୟ ୧୦୦ରୁ ଅଧିକ ବାଲୁକା ଶିଳ୍ପୀ ସେମାନଙ୍କ ବାଲୁକା କଳା ପ୍ରଦର୍ଶନ କରିବାକୁ ଆସିଛନ୍ତି । ମୋଟ ୩୮ଟି ଷ୍ଟଲରେ ବାଲୁକା କଳା ପ୍ରଦର୍ଶନ ହେଉଛି । କୋଣାର୍କ ଉତ୍ସବ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ପକ୍ଷରୁ ପରିମଳ ବ୍ୟବସ୍ତା, ପାନୀୟ ଜଳ ଯୋଗାଣ, ପାର୍କିଂ ଓ ମୀନାବଜାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।