spot_img
Home Blog Page 1290

ଦେବେନ୍ଦ୍ର ଫଡନବିସ ହେବେ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ! ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

ମୁମ୍ବାଇ : ଦେବେନ୍ଦ୍ର ଫଡନବିସ ହେବେ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ। ଆଜି ମୁମ୍ବାଇରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି। ବିଜେପି ବିଧାୟକ ଦଳ ବୈଠକରେ ଫଡନବିସଙ୍କ ନାମ ପ୍ରସ୍ତାବ ଦେଇଥିଲେ ଚନ୍ଦ୍ରକାନ୍ତ ପାଟିଲ। ଏହି ପ୍ରସ୍ତାବକୁ ପଙ୍କଜା ମୁଣ୍ଡେ, ପ୍ରବୀଣ ଡେରକର ଓ ଅଶୋକ ରାଓ ସମର୍ଥନ କରିଥିଲେ। ପରେ ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଆସନ୍ତା କାଲି ମୁମ୍ବାଇରେ ଆୟୋଜିତ  ଶପଥ ଗ୍ରହଣ ଉତ୍ସବରେ ଫଡନବିସ ଶପଥ ନେବେ। ଫଳରେ ଗତ ୨୩ ତାରିଖରୁ ଚାଲିଆସିଥିବା ଚର୍ଚ୍ଚାର ଅବସାନ ଘଟିଛି। ଆଜିର ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଉପମୁଖ୍ଯମନ୍ତ୍ରୀ ପଦ ନେଇ ଏକନାଥ ସିନ୍ଦେ ରାଜି ହୋଇପାରନ୍ତି ବୋଲି ସୂଚନା ମିଳିଛି। ସେପଟେ ସୁବିଧାଜନକ ସ୍ଥିତିରେ ଅଛନ୍ତି ଉପମୁଖ୍ଯମନ୍ତ୍ରୀ ଅଜିତ ପାୱାର।  ଆସନ୍ତାକାଲି ମୁଖ୍ଯମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ପୂର୍ବରୁ ଘୋଷଣା ହୋଇଛି।

ସମ୍ଭଲ ଯିବା ବେଳେ ରାହୁଲ ଗାନ୍ଧୀଙ୍କୁ ଅଟକାଇଲା ପୋଲିସ

ଲକ୍ଷ୍ନୌ : ହିଂସା ଅଧ୍ଯୁଷିତ ଉତ୍ତରପ୍ରଦେଶ ସମ୍ଭଲକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଗସ୍ତ। ତେବେ ଦିଲ୍ଲୀ ଓ ନୋଏଡା ମଧ୍ଯସ୍ତ ଘାଜିପୁର ସୀମାରେ ରାହୁଲ ଟିମକୁ ଅଟକାଇଛି ପୋଲିସ। ବିବାଦୀୟ ମସଜିଦ ପ୍ରସଙ୍ଗକୁ କେନ୍ଦ୍ର କରି ଗତ କିଛି ଦିନ ଧରି ସମ୍ଭଲରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ରାଜ୍ଯ ସରକାର ଶାନ୍ତି ଫେରାଇଆଣିବାରେ ବିଫଳ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ଗସ୍ତ କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ। ଗସ୍ତକୁ ନେଇ ଗାଜିପୁର ସୀମାରେ କଡାସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି। ସେପଟେ ହିଂସାକାଣ୍ଡକୁ ନେଇ ୪ ଜଣ ବ୍ଯକ୍ତିଙ୍କ ମୃତ୍ଯୁ ହେବା ପରେ ସମ୍ଭଲରେ ନିଷେଧାଦେଶ ଜାରି କରାଯାଇଛି। ଏହି ହିଂସାକାଣ୍ଡକୁ ନେଇ ସ୍ଥାନୀୟ ସମାଜବାଦୀ ପାର୍ଟି ସାଂସଦ ଜିଆ ଉର ରେହମାନ, ସମାଜବାଦୀ ପାର୍ଟି ବିଧାୟକ ମହମ୍ମଦଙ୍କ ପୁଅ ସୋହେଲ ଇକବଲଙ୍କ ସମେତ ୭୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆସନ୍ତା ଡିସେମ୍ବର ୩୧ ଯାଏ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ପ୍ରଶାସନ। ପୂର୍ବରୁ ସମାଜବାଦୀ ପାର୍ଟିର ଏଖ ପ୍ରତିନିଧି ଦଳ ଉପରେ ରୋକ ଲଗାଇଥିଲା ଜିଲ୍ଲା ପ୍ରଶାସନ। ରାହୁଲଙ୍କ ସହ ଉତ୍ତରପ୍ରଦେଶର ୫ଜଣ ସାଂସଦ ବି ସମ୍ଭଲ ଗସ୍ତ କରୁଥିବା ସୂଚନା ମିଳିଛି। ସେପଟେ କଂଗ୍ରେସ ପ୍ରତିନିଧି ଦଳକୁ ଅଟକାଇବା ଲାଗି ଗୌତମବୁଦ୍ଧ ନଗର ଓ ଗାଜିଆବାଦ ପୋଲିସ କମିଶନର ଏବଂ ଅମରୋହା ଓ ବୁଲନ୍ଦ ସହର ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ମାଜିଷ୍ଟ୍ରେଟ ରାଜେନ୍ଦ୍ର ପେନସିଆ।…

ସ୍ୱର୍ଣ୍ଣ ମନ୍ଦିରରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ

ଚଣ୍ଡିଗଡ : ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ ହୋଇଛି । ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଛି । ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ସେବା କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଛି । ଗୁଳିମାଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁଖବୀର ସିଂ ବାଦଲ ।

ଆକ୍ରମଣକାରୀଙ୍କ ନାଁ ନାରାୟଣ ସିଂ ଚୌରା । ସେ ସୁଖବୀର ସିଂହ ବାଦଲଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଚଳାଇବା ପରେ ସେଠାରେ ଉପସ୍ଥିତ ସ୍ୱର୍ଣ୍ଣ ମନ୍ଦିର କର୍ମଚାରୀ ଓ ଶ୍ରଦ୍ଧାଳୁମାନେ ତାଙ୍କୁ କାବୁ କରିଥିଲେ। ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ଏଲପିଜି ବୋଝେଇ ଟ୍ରକରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବ୍ରହ୍ମପୁର : ଏଲପିଜି ବୋଝେଇ ଟ୍ରକରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଗଞ୍ଜାମ ଜିଲ୍ଲାର ପୁଇଁତଳl ଛକ ଠାରେ ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକରେ ନିଆଁ ଲାଗି ଡ୍ରାଇଭର କ୍ଯାବିନ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗଞ୍ଜାମ ଥାନା ପୁଇତଳl ଛକ ନିକଟରେ ଏଲପିଜି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା। ଗାଡିଟି ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏଲପିଜି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ସଟ ସର୍କିଟ ଯୋଗୁଁ ଅଚାନକ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି ।ନିଆଁ ଲାଗିଥିବା ଡ୍ରାଇଭର ଜାଣି ପାରି ଟ୍ରକଟିକୁ ସେଠାରେ ଅଟକାଇବା ସହ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ । ଛତ୍ରପୁର ଅଗ୍ନିଶମ ବିଭାଗ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ଟ୍ରକର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା । ତେବେ ଟ୍ରକର ଡାଲା ପଟେ ନିଆଁ ଲାଗିନଥିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ସଠିକ ସମୟରେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେl

ପଥରରେ ଛେଚି ଜଳଖିଆ ଦୋକାନୀଙ୍କୁ ହତ୍ୟା

ପୁରୀ : ପୁରୀରେ ବୀଭତ୍ସ ହତ୍ୟା। ପଥରରେ ଛେଚି ଜଳଖିଆ ଦୋକାନୀଙ୍କୁ ହତ୍ୟା।  ମୃତକ ହେଉଛନ୍ତି ଖଣ୍ଡିଆବନ୍ଧର ସୁଦର୍ଶନ ସାହୁ । ଶ୍ରୀସେତୁ ନିକଟରେ କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ହତ୍ୟା କରିଥିବା ସୂଚନା ମିଳିଛି। ସୁଦର୍ଶନ ମାର୍କେଟ ଛକ ନିକଟରେ ଗୋଟିଏ ଉଠା ଜଳଖିଆ ଦୋକାନ କରିଥିଲେ । ଗତକାଲି ରାତିରେ ଦୋକାନରୁ ଫେରି ଆଉ ଘରକୁ ଯାଇନଥିଲେ । ସକାଳୁ ତାଙ୍କ ମୃତଦେହ ଶ୍ରୀସେତୁ ତଳେ ପଡିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୋଲିସ।

 

ଓଡ଼ିଶା ସମେତ ଆଠ ରାଜ୍ୟରେ ଭୂମିକମ୍ପର ଝଟକା

ନୂଆଦିଲ୍ଲୀ : ଆଜି ଭୂମିକମ୍ପରେ ଥରିଲା ଭାରତର ୮ ରାଜ୍ୟ। ସକାଳେ ୩ ଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ଓଡିଶା ସମେତ ଆଠ ରାଜ୍ୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଓଡ଼ିଶା, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି । ତିନୋଟି ରାଜ୍ୟରେ ଘଟିଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ମାପ କରାଯାଇଥିଲା।

ଆଜି ସକାଳୁ  ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୮ ମିନିଟରେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ୫ ରୁ ୭ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଛି।  ଖୁବ୍ କମ ସମୟ ପାଇଁ ଝଟକା ଅନୁଭୂତ ହୋଇଥିଲା। ତେବେ ଝଟ୍‌କା ଅନୁଭୂତ କରିବା ପରେ ଲୋକେ ଭୟଭୀତ ହେବା ସହ କିଛି ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ।

ପ୍ରାୟ ସକାଳ ୭ଟା ବେଳେ ତେଲେଙ୍ଗାନାର ମୁଲୁଗ ଜିଲ୍ଲାରେ ଏକ ଭୂମିକମ୍ପ ହୋଇଥିଲା। ତେଲେଙ୍ଗାନା ବ୍ୟତୀତ ଛତିଶଗଡରେ ମଧ୍ୟ ଭୂମିକମ୍ପ ହୋଇଛି। ଉଭୟ ରାଜ୍ୟରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରହିଥିଲା। ଛତିଶଗଡର ବିଜାପୁର, ସୁକମା ଏବଂ ଜଗଦଲପୁରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ବିଜାପୁରର ସମସ୍ତ ଚାରିଟି ବ୍ଲକରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।

ଡିସେମ୍ବର ୪ ତାରିଖ ସକାଳେ ଭାରତରେ ଏକ ଭୂମିକମ୍ପ ହୋଇଥିଲା। ଏହାପୂର୍ବରୁ ଗତ ୨୪ ଘଣ୍ଟା ମଧ୍ୟରେ ପୃଥିବୀର ଆହୁରି ୩ ଟି ଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ସକାଳେ ଉତ୍ତର ଫିଲିପାଇନ୍ସରେ ଏକ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରହିଥିଲା । ଏହାପୂର୍ବରୁ ଆଫ୍ରିକାର ଦକ୍ଷିଣ-ପଶ୍ଚିମରେ ଏକ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ରହିଥିଲା ।  ଗୁଆମ ଦେଶରେ ମଧ୍ୟ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫ ରହିଥିଲା । ଭୂମିକମ୍ପର ପ୍ରଭାବ ଫିଲିପାଇନ୍ସର କୋଠା ଭାଙ୍ଗିଯାଇଛି । ଅନ୍ୟ ଦୁଇ ଦେଶରେ ହୋଇଥିବା ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ଭୂମିକମ୍ପରେ ଥରିଲା ମାଲକାନଗିରି

ମାଲକାନଗିରି : ଆଜି ସକାଳୁ ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୮ ମିନିଟରେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ୫ ରୁ ୭ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଛି।  ଖୁବ୍ କମ ସମୟ ପାଇଁ ଝଟକା ଅନୁଭୂତ ହୋଇଥିଲା। ତେବେ ଝଟ୍‌କା ଅନୁଭୂତ କରିବା ପରେ ଲୋକେ ଭୟଭୀତ ହେବା ସହ କିଛି ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ।

ଉତ୍ତର ଫିଲିପାଇନ୍ସରେ ଭୂମିକମ୍ପ : ଥରିଲା କୋଠା, ଫାଟିଲା ରାସ୍ତା

ନୂଆଦିଲ୍ଲୀ : ଉତ୍ତର ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ । ବୁଧବାର ସକାଳେ ଇଲୋକୋସ୍ ପ୍ରଦେଶର ବାଙ୍ଗୁଇରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରହିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଲୁଜନ ଅଞ୍ଚଳରେ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ତଳେ ରହିଥିଲା। ଫିଲିପାଇନ୍ସର ଭୂମିକମ୍ପ ବିଜ୍ଞାନ ଏଜେନ୍ସି PHIVOLCS କହିଛି ଯେ, ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ନାହିଁ, କିନ୍ତୁ କମ୍ପନ ଯୋଗୁଁ ଲୋକମାନେ କୋଠା, ଗଛ ଦୋହଲିବାର ଦେଖିଛନ୍ତି। ଏଥି ସହିତ ଅନେକ ଅଞ୍ଚଳରେ ରାସ୍ତା ଓ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବାଙ୍ଗୁଇ ସହରର ବିପର୍ଯ୍ୟୟ ଅଧିକାରୀ କହିଛନ୍ତି, ଏହି ଭୂମିକମ୍ପ ଲୋକଙ୍କ ମଧ୍ୟରେ ଏତେ ଆତଙ୍କ ସୃଷ୍ଟି କରିଛି ଯେ ସେମାନେ ନିଜ ପରିବାରକୁ ନେଇ ରାସ୍ତାରେ ବସିଥିଲେ।

ଫିଲିପାଇନ୍ସ ପୂର୍ବରୁ ଆଫ୍ରିକାର ଦକ୍ଷିଣ-ପଶ୍ଚିମରେ ଏକ ଭୂମିକମ୍ପ ହୋଇଛି, ଯାହାର ତୀବ୍ରତା ରିଚ୍ଟର ସ୍କେଲରେ ୪.୯ ରହିଥିଲା। ଭାରତୀୟ ସମୟ ମଙ୍ଗଳବାର ସକାଳ ୯.୨୫ ରେ ଏହି ଭୂମିକମ୍ପ ଘଟିଛି।

ଖସିବ ପାରଦ, ୨ ଦିନ ପରେ ରାଜ୍ୟକୁ ଫେରିବ ଶୀତ

ଭୁବନେଶ୍ବର : ଆଉ ୨ ଦିନ ପରେ ରାଜ୍ୟକୁ ଫେରିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ୨ରୁ ୪ ଡିଗ୍ରୀ ପାରଦ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି ଆକଳନ କରାଯାଇଛି। ବାତ୍ୟା ଫେଙ୍ଗଲ ପ୍ରଭାବରେ ରାଜ୍ୟର ଉପକୂଳ ଏବ ଦକ୍ଷିଣ ଓଡିଶାର କୋହଲା ପାଗ ସହ ହାଲୁକା ବର୍ଷା ଲାଗି ରହିଥିଲା। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗର ପ୍ରଭାବ ନ ଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି ।ଆଜି କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବର୍ଷା ହେବା । ୫ ତାରିଖରେ ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ୬ ତାରିଖରେ ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି । ୭ ତାରିଖରୁ ୯ ତାରିଖ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା କମିବ ।

ଆନ୍ଦୋଳନରୁ ଓହରିଲେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ

କୋଲକାତା :ଆନ୍ଦୋଳନରୁ ଓହରିଲେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ। କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ। ଶୀତଳଭଣ୍ଡାର କର୍ମଚାରୀ ମଧ୍ୟ ଆନ୍ଦୋଳନରୁ ଓହରିଛନ୍ତି। ଆଜିଠୁ ଶୀତଳ ଭଣ୍ଡାରରୁ ପୂର୍ବପରି ଆଳୁ ବାହାରକୁ ଆସିବ ବୋଲି ସମ୍ଭାବନା କରାଯାଉଛି। ହୋଲସେଲ୍ ଓ ରିଟେଲ ମାର୍କେଟକୁ ଆଳୁ ପଠାଯିବ। ଯେପରି ଆଳୁ ଅନ୍ୟ ସ୍ଥାନକୁ ଯାଉଥିଲା ତାହା ପୂର୍ବପରି ଚାଲିବ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ପରେ ଓଡ଼ିଶାକୁ ଆଳୁ ଆସିବ ବୋଲି ଆଶା କରାଯାଉଛି। ତେବେ କେବେ ଆଳୁ ଆସିବ, ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡ଼ି ନାହିଁ। ପଶ୍ଚିମବଙ୍ଗ ସରକାର ରାଜ୍ୟ ବାହାରକୁ ଆଳୁ ଚାଲାଣ ଉପରେ ରୋକ୍ ଲଗାଇଥିଲେ। ଏହାର ପ୍ରତିବାଦରେ ଶୀତଳ ଭଣ୍ଡାର ଆଳୁ ବ୍ୟବସାୟୀ ଓ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଆଳୁ ବ୍ୟବସାୟୀମାନେ ସୋମବାରଠାରୁ ଆନ୍ଦୋଳନରେ ବସିଥିଲେ। ଯାହାଫଳରେ ରାଜ୍ୟ ଭିତରେ ଆଳୁ ଚାଲାଣ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଖାଉଟି ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସଂଘର ଦାବି, ବର୍ତ୍ତମାନ ମହଜୁଦ୍ ଥିବା ଅଢ଼େଇ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ରାଜ୍ୟ ବାହାରକୁ ଚାଲାଣ ନହେଲେ ନଷ୍ଟ ହୋଇଯିବ। ତେଣୁ ଯଥାଶୀଘ୍ର ଆଳୁ ଚାଲାଣ ପାଇଁ ରାଜ୍ୟ ସରକାର ଅନୁମତି ଦିଅନ୍ତୁ ବୋଲି ସଂଘ ଦାବି କରିଥିଲା।