spot_img
Home Blog Page 1279

ଆଡିଲେଡ୍‌ ଟେଷ୍ଟରେ ଜିତିଲା ଅଷ୍ଟ୍ରେଲିଆ; ଭାରତକୁ ୧୦ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ

ନନ୍ଦିଘୋଷ ବ୍ୟୁରୋ: ଆଡିଲେଡ୍‌ ଟେଷ୍ଟରେ ଜିତିଲା ଅଷ୍ଟ୍ରେଲିଆ । ଭାରତକୁ ୧୦ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ। ଏହା ସହିତ ଚଳିତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ୧-୧ ସ୍ଥିତିରେ ପହଞ୍ଚି ଯାଇଛନ୍ତି ଉଭୟ ଦଳ।  ପର୍ଥରେ ଟେଷ୍ଟ ୨୯୫ ରନ୍‌ରେ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆକୁ ଆଡିଲେଡ୍ ଓଭାଲରେ ଭାରତ ଦେଇଥିଲା ମାତ୍ର ୧୯ ରନ୍‌ର ବିଜୟ ଲକ୍ଷ୍ୟ। ଅଷ୍ଟ୍ରେଲିଆ ଏହାକୁ କୌଣସି ୱିକେଟ୍ ନହରାଇ ୩.୨ ଓଭରରେ ହାସଲ କରି ନେଇଥିଲା।

ଗତକାଲି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ୍ କରି ଅଲ୍‌ ଆଉଟ୍ ହେବା ପରେ ଭାରତର ଦ୍ୱିତୀୟ ଇନିଂସ କରିଥିଲା। କିନ୍ତୁ ଦଳର ପ୍ରଦର୍ଶନ ଭଲ ନଥିଲା। ପ୍ରଥମ ଇନିଂସ ଭଳି ଦଳ ଖୁବ୍‌ଶୀଘ୍ର ୱିକେଟ୍ ହରାଇଥିଲା। ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୧୨୮ ରନ୍ କରି ୫ଟି ୱିକେଟ୍ ହରାଇଥିଲା। ଆଉ ଆଜି ଭାରତର ବାକି ୫ଟି ୱିକେଟ୍ ପଡ଼ିଯାଇଥିଲା। ଆଜି ପ୍ରଥମ ଓଭରରେ ଯାଇଥିଲା ଋଷଭ ପନ୍ତଙ୍କ ୱିକେଟ୍‌। ତା’ପରେ ଅଳ୍ପ ସମୟ ବ୍ୟବଧାନରେ ଆଉଟ୍ ହୋଇଯାଇଥିଲେ ଅନ୍ୟ ସମସ୍ତ ଖେଳାଳୀ।

ଓପନର ଯଶସ୍ୱୀ ଜୈସୱାଲ ଓ କେଏଲ୍ ରାହୁଲ ଯଥାକ୍ରମେ ୨୪ ଓ ୭ ରନ୍ କରି ଆଉଟ୍ ହୋଇଥିଲେ। ପର୍ଥରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଏହି ଦୁଇ ବ୍ୟାଟରଙ୍କ ମଧ୍ୟରେ ୨୦୧ ରନ୍‌ର ପାର୍ଟନରଶିପ ହୋଇଥିଲା। ତେଣୁ ଏଥର ବି ସେମାନଙ୍କ ଉପରେ ଏକ ବଡ଼ ପାର୍ଟନରଶିପର ଆଶା ରଖିଥିଲେ ସମସ୍ତେ। କିନ୍ତୁ ଉଭୟ ନିରାଶ କରିଥିଲେ। ପ୍ରଥମ ଇନିଂସରେ ୩୧ ରନ୍ କରିଥିବା ଶୁବମନ ଗିଲ ଦ୍ୱିତୀୟ ଇନିଂସରେ ୨୮ ରନ୍ କରିଥିଲେ। ସେହିଭଳି ପ୍ରଥମ ଇନିଂସରେ ବିଫଳ ହୋଇଥିବା ବିରାଟ କୋହଲି ଦ୍ୱିତୀୟ ଇନିଂସରେ ମଧ୍ୟ ସଫଳ ହୋଇପାରି ନଥିଲେ। ପ୍ରଥମ ଇନିଂସରେ ୭ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୧ ରନ୍ କରି ଆଉଟ୍ ହୋଇଥିଲେ। ଋଷଭ ପନ୍ତ ମଧ୍ୟ ଫେଲ୍ ମାରିଲେ। ଦ୍ୱିତୀୟ ଇନିଂସରେ ସେ ୨୮ ରନ୍ କରି ଆଉଟ୍ ହେଲେ। ରୋହିତ ଶର୍ମା ୬ ନମ୍ବରରେ ଖେଳିବାକୁ ଆସିଥିବା ପ୍ରଥମ ଇନିଂସରେ ୩ ଓ ଦ୍ୱିତୀୟ ଇନିଂସରେ ୬ ରନ୍ କରିଥିଲେ।  ୭ ନମ୍ବରରେ ଆସୁଥିବା ନୀତୀଶ କୁମାର ରେଡ୍ଡୀ ଭଲ ଖେଳୁଥିଲେ। କିନ୍ତୁ ଏକ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ପ୍ରଥମ ଇନିଂସରେ ୪୨ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ୪୨ ରନ୍ କରି ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୭, ହର୍ଷିତ ରାଣା ଶୂନ ଓ ମହମ୍ମଦ ସିରାଜ ୭ ରନ୍ କରି ଆଉଟ୍ ହୋଇଥିଲେ।

ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍‌ସ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୨ ଓ ସ୍କଟ ବୋଲାଣ୍ଡ ୩ଟି ୱିକେଟ୍ ନେଇଥିଲେ।

 

ଏଣିକି ରେଲଓ୍ବେ ଟ୍ରାକରେ ହାତୀ ମୃତ୍ୟୁ ରୋକିବ AI ଟାଓ୍ବାରର ଆଡଭାନ୍ସ ଟେକ୍ନୋଲୋଜି

ଭୁବନେଶ୍ୱର: ଏଣିକି ରେଲଓ୍ବେ ଟ୍ରାକରେ ଥିବା AI ଟାଓ୍ବାରର ଆଡଭାନ୍ସ ଟେକ୍ନୋଲୋଜିରେ ହାତୀଙ୍କୁ କରାଯିବ ଚିହ୍ନଟ। ରାଜ୍ୟର ହାତୀ ପ୍ରବଣ ଜିଲ୍ଲାରେ ବନବିଭାଗ ଏହା ସ୍ଥାପିତ କରୁଛି । ପ୍ରଥମ ଥର ପାଇଁ ରାଉରକେଲା ବନ ବିଭାଗର ବନ୍ଧମୁଣ୍ଡା-ବାର୍ସୁଆନ୍ ଟ୍ରାକରେ କରାଯାଇଛି।

ନାଇଟ ପାଟ୍ରୋଲିଂ ଜରିଆରେ ମଧ୍ୟ ହାତୀ ମାନଙ୍କ ଗତିବିଧି ଲକ୍ଷ୍ୟ କରାଯାଉଛି । ଏନେଇ ବନବିଭାଗ ତରଫରୁ ସୂଚନା ଦିଆଯାଇଛି। ବନବିଭାଗର ଏହି ସବୁ ନୂଆ ପଦ୍ଧତିରେ ହାତୀ ମୃତ୍ୟୁକୁ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି  ।

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ସୁନ୍ଦରଗଡ଼: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ରାଜଗାଙ୍ଗପୁର ରେଳ ଷ୍ଟେସନର କିଛି ଦୂରରେ ନିର୍ମାଣଧୀନ ରେଳ ଓଭର ବ୍ରିଜ ନିକଟରେ ଲୁପ ଲାଇନରେ ମାଲବାହୀ ଟ୍ରେନର ବଗି ଲାଇନଚ୍ୟୁତ ହୋଇଛି । ଚକ ନିକଟରେ ଥିବା ସ୍ପ୍ରିଂଙ୍ଗ ଭାଙ୍ଗି ଯିବାରୁ ବଗିର ଚକ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ତେବେ ଅଟୋ ଚାଳକ ମାଲଗାଡିର ଗାର୍ଡକୁ ଅବଗତ କରିବା ପରେ ଟ୍ରେନଟି ରହିଥିଲା । ଗାଡିର ବେଗ କମ ଥିବାରୁ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ ।

ଖବର ପାଇ ଘଟଣାସ୍ଥଳରେ ରେଳ ବିଭାଗର ଷ୍ଟେସନ ମ୍ୟାନେଜର ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ନବରଙ୍ଗପୁର: ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ । ଗତ କିଛିଦିନ ତଳେ ପଡୋଶୀ ଛତିଶଗଡରୁ ଏକ ହାତୀ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଘାରପାଣି ଜଙ୍ଗଲକୁ ପସିଆସିଥିଲା । ଶିକାରୀଙ୍କ ଦ୍ବାରା ଜଙ୍ଗଲରେ ଲଗାଯାଇଥିବା ବିସ୍ଫୋରକ ଫାଟି ହାତୀ ଛୁଆର ପାଟିରେ ଆଘାତ ଲାଗିଥିଲା । ଛତିଶଗଡ଼ ବନବିଭାଗ କର୍ମଚାରୀ ଡ୍ରୋନ ଦ୍ବାରା ହାତୀ ଶାବକକୁ ଠାବ କରି ଚିକିତ୍ସା ଆରମ୍ଭ କରିଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪ ଥର ଚିକିତ୍ସା କରାଯାଇଥିବା ସତ୍ୱେ ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ ରାଜାପୋଡାଓ ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଛତିଶଗଡ଼ ବନବିଭାଗ ହାତୀର ମରଶରୀରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

 

ସାରା ଦେଶରେ ଚାଲିଛି ସିବିଆଇ ରେଡ୍: ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ୍ ଉପରେ ସିବିଆଇ ରେଡ୍

ଭୁବନେଶ୍ବର: ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ୍ ଉପରେ ସିବିଆଇ ରେଡ୍। ସାରା ଦେଶରେ କମ୍ପାନୀ ଉପରେ ହେଉଛି ରେଡ୍। ଦିଲ୍ଲୀ, କୋଲକାତା ସମେତ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ କରାଯାଇଛି ଅତର୍କିତ ଚଢ଼ାଉ। ଏହି କ୍ରମରେ ଓଡ଼ିଶାରେ ଭୁବନେଶ୍ବର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି। ଭୁବନେଶ୍ବର, କଟକ, ଛତ୍ରପୁରରେ ସିବିଆଇ ପକ୍ଷରୁ ବ୍ୟାପକ ଚଢ଼ାଉ ହେଉଛି। ଭୁବନେଶ୍ବର ରାମ ମନ୍ଦିର ପାଖରେ ଥିବା ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡର ଜୋନାଲ ଅଫିସ, ନୟାପଲୀରେ ଥିବା ବ୍ରାଞ୍ଚ ଅଫିସ, କଟକ ନଖରାରେ ଥିବା ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡର ମାଲିକ ଦେବଦତ୍ତ ମହାପାତ୍ରଙ୍କ ଘରେ ସିବିଆଇ ପକ୍ଷରୁ ରେଡ୍ ହୋଇଛି।

ଏହା ପୂର୍ବରୁ ସିବିଆଇର ୨ଟି ଟିମ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ହୋଟେଲ ମେ’ ଫେୟାର ଆଗରୁ ଲକ୍ଷାଧିକ ନଗଦ ଟଙ୍କା ସହ ଏକ ଦାମୀ କାରରେ ଡିଲ ହେଉଥିବା ବେଳେ ଧରିଥିଲା। ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ କରିଥିବା ନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହୋଇଛି । ଯାହା ଫଳରେ ଦିଲ୍ଲୀ, କୋଳକାତା ଏବଂ ଓଡ଼ିଶାରେ ରେଡ଼ ଜାରି ରହିଛି।

ଦେଶ ଛାଡି ପଳାଇଲେ ସିରିଆ ରାଷ୍ଟ୍ରପତି !

ନନ୍ଦିଘୋଷ ବ୍ୟୁରୋ: ଗୃହ ଯୁଦ୍ଧରେ କମ୍ପୁଛି ସିରିଆ। କେତେବେଳେ ବି ସିରିଆ ଅକ୍ତିଆର କରିପାରନ୍ତି ବିଦ୍ରୋହୀ। ସିରିଆରେ ବସର୍ ଅଲ୍ ଅସଦ୍ ଶାସନର ପତନ ଆଶଙ୍କା ରହିଛି। କୁହାଯାଉଛି ଯେ, ବିଦ୍ରୋହୀ ସେନା ମାନେ ରାଜଧାନୀ ଦାମାସକସ୍ ରେ ପ୍ରବେଶ କରିସାରିଛନ୍ତି। ବିଦ୍ରୋହୀ ସେମାନଙ୍କର ତୋପ ଏବଂ ବନ୍ଧୁକ ସହିତ ଦାମାସକସ୍ ରେ ପହଞ୍ଚିଛନ୍ତି। ଏଭଳି ପରିସ୍ଥିତିରେ ଦେଶ ଛାଡିଛନ୍ତି ସିରିଆ ରାଷ୍ଟ୍ରପତି ବଶର ଅଲ୍-ଅସଦ ।

ଏକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ରାଷ୍ଟ୍ରପତି ବଶର ଅଲ୍-ଅସଦ ଏକ ସ୍ୱତନ୍ତ୍ର ବିମାନରେ ଏକ ଅଜ୍ଞାତ ଗନ୍ତବ୍ୟ ସ୍ଥାନକୁ ଚାଲିଯାଇଛନ୍ତି।

ଚାରିଆଡୁ ବିଦ୍ରୋହୀ ସୈନ୍ୟ ଘେରି ରହିଥିବା ସୂଚନା ମିଳିଛି। ସିରିଆର ୪ଟି ପ୍ରମୁଖ ସହର କବଜା କରିବା ସହିତ ଅନେକ ସ୍ଥାନରେ ଗୁଳିବିନିମୟ ଜାରି ରହିଛି । ସିରିଆର ଦାର ସହରକୁ ଅକ୍ତିଆର କରିଛନ୍ତି ବିଦ୍ରୋହୀ। ଦାର ସହ ହୋମ୍ସ ଭଳି ଅନ୍ୟ ପ୍ରମୁଖ ସହରଗୁଡିକ ଉପରେ କବଜା କରିଛନ୍ତି ବିଦ୍ରୋହୀ।

ସିରିଆ ଲାଗି ସଂକଟ ବଢିବାରେ ଲାଗିଛି। ୨୦୧୧ରୁ ଆରମ୍ଭ ହୋଇଥିବା ଗୃହଯୁଦ୍ଧର ଭୟଙ୍କର ପରିଣତି ଭୋଗୁଛନ୍ତି ଦେଶବାସୀ। ଅବସାନ ହୋଇପାରେ ୨୪ ବର୍ଷର ଶାସନ। ଆଗକୁ ମାଡିଚାଲିଛି ଆବୁ ମହମ୍ମଦ ଅଲ ଜୋଲାନୀ ନେତୃତ୍ବାଧୀନ ଇସଲାମିକ ସଂଗଠନ ହାୟତ ତାହିରିର ଅଲ ଶାମ ବା ଏଚଟିଏସ।

ସେପଟେ ସୀମାକୁ ସିଲ୍ କରିଛି ଜୋର୍ଡାନ। ତୁରନ୍ତ ସିରିଆ ଛାଡିବା ଲାଗି ଭାରତ, ଆମେରିକା, ରୁଷିଆ, ବ୍ରିଟେନ, ଇରାନ ସମେତ ବିଭିନ୍ନ ରାଷ୍ଟ୍ର ନିଜ ଦେଶର ନାଗରିକଙ୍କୁ ଦେଇଛନ୍ତି ନିର୍ଦ୍ଦେଶ। ସମସ୍ୟାର ସମାଧାନ ଲାଗି ତୁର୍କୀ ବୈଦେଶିକ ମନ୍ତ୍ରୀ ହାକାନ ଫିଦାଙ୍କ କଥା ହୋଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ। ରାଷ୍ଟ୍ରପତି ଅସଦଙ୍କୁ ରୁଷିଆ ଓ ଇରାନ ସମର୍ଥନ କରୁଥିବାବେଳେ ବିଦ୍ରୋହୀଙ୍କୁ ସମର୍ଥନ କରୁଛି ତୁର୍କୀ।  ପ୍ରଥମ ଥର ଲାଗି ଅସଦ ବଂଶ ଶାସନର ପତନ ଘଟିବା ଅବଶ୍ଯମ୍ଭାବୀ ହୋଇଛି । ମୁକ୍ତିଯୁଦ୍ଧରେ ସହାୟତା କରିବା ଲାଗି ରୁଷିଆ ଓ ଚୀନକୁ ଏଚଟିଏସ ଅନୁରୋଧ କରିଛି ।

 

ରାଜ୍ୟରୁ ଗାଏବ ଶୀତ, ପିଛା ଛାଡୁନି ବର୍ଷା

ଭୁବେଶ୍ୱର: ପିଛା ଛାଡୁନି ବର୍ଷା। ରାଜ୍ୟରୁ ଗାଏବ ଶୀତ। ଡିସେମ୍ବର ମାସ ୮ ତାରିଖ ହେଲାଣି କିନ୍ତୁ ଶୀତ ନାହିଁ। ସବୁ ବର୍ଷ ଏହି ସମୟରେ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହୋଇଥାଏ। କିନ୍ତୁ ବଙ୍ଗୋପସାଗରରେ ଘନଘନ ସିଷ୍ଟମ ପାଇଁ ଏ ବର୍ଷ ଶୀତ ବି ନାହିଁ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ସ୍ବାଭାବିକ ତୁଳନାରେ ୨ ରୁ ୩ ଡିଗ୍ରୀ ଉପରେ ରହୁଛି ପାରଦ। ଫଳରେ ଶୀତ ଦିନରେ ବି ଫ୍ୟାନ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି ଲୋକେ।

ସେପଟେ ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜିଠାରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଏହାସହ ଆସନ୍ତା ୨୪ ଘଣ୍ଟାରେ ନୟାଗଡ ଜଗତସିଂହପୁର, କେନ୍ଦ୍ରାପଡା ,ଭଦ୍ରକ, ପୁରୀ, ଗଂଜାମ, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବଲପୁରର ଜମନକିରାରେ ହାତୀ ଆତଙ୍କ, ବନ ବିଭାଗ କର୍ଣ୍ଣପାତ କରୁନଥିବା ଅଭିଯୋଗ

ସମ୍ବଲପୁର: ସମ୍ବଲପୁରର ଜମନକିରାରେ ହାତୀ ଆତଙ୍କ। ପ୍ରତ୍ୟେକ ଦିନ ୩୦ରୁ ଅଧିକ ହାତୀ ପଲ ଗାଁ ନିକଟକୁ ଆସି ଧାନ ଫସଲ ଖାଇବା ସହ ଘର ଭାଙ୍ଗୁଛନ୍ତି। ଏନେଇ ଅଞ୍ଚଳବାସୀ ବନବିଭାଗ ନିକଟରେ ଅଭିଯୋଗ କଲେ ସୁଦ୍ଧା ବନବିଭାଗ କୌଣସି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ପ୍ରତ୍ୟେକ ଦିନ ହାତୀ ମଣିଷ ଲଢେଇ ହେଉଥିବା ବେଳେ କେତେ ବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷ ଜୀବନ ହାରୁଛି । ତେଣୁ ବନବିଭାଗ ଲୋକଙ୍କ ସହ ମିଶି କାମ କରନ୍ତୁ ବୋଲି ଅଞ୍ଚଳବାସୀ କହିଛନ୍ତି ।

ପୋଲିସ ପୋଷାକରେ ଥିବା ସନ୍ଦିଗ୍ଧ ବାଂଲାଦେଶୀ ଗିରଫ

କେନ୍ଦ୍ରାପଡା: ଓଡ଼ିଶା ପୋଲିସ ପୋଷାକ ପିନ୍ଧିଥିବା ସନ୍ଦିଗ୍ଧ ବାଂଲାଦେଶୀ ଗିରଫ । ହେପାଜତକୁ ନେଇ ପଚରାଉଚରା ଚଳାଇଛି ପାଟକୁରା ପୋଲିସ। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ବଜାର ନିକଟରେ ଜଣେ ସନ୍ଦିଗ୍ଧ ଓଡ଼ିଶା ପୋଲିସର ପୋଷାକ ପିନ୍ଧି ଯାଉଥିଲା । ଏହାଦେଖି କିଛି ଲୋକେ ତାକୁ ଅଟକାଇ ପରିଚୟ ପଚାରିଥିଲେ । ଉତ୍ତରରେ ସେ ପ୍ରଥମେ ହିନ୍ଦୁ ବୋଲି ପରିଚୟ ଦେଇଥିଲା । ପରେ ସେ ତାର ନାଁ ସଲିମ ଖାନ ଓ ସେ ବାଂଲାଦେଶରୁ ଆସିଥିବା କହିଥିଲା । ଲୋକମାନେ ସଙ୍ଗେ ସଙ୍ଗେ ପାଟକୁରା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବ୍ୟକ୍ତି ଜଣଙ୍କୁ ଗିରଫ କରିବା ସହ ତା ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ।

ତେବେ ବ୍ୟକ୍ତି ଜଣକ କାହିଁକି ପୋଲିସ ପୋଷାକ ପିନ୍ଧିଥିଲେ, କାହିଁକି ନିଜ ନିକଟରେ ମାରଣାସ୍ତ୍ର ରଖିଥିଲେ ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଇନପୁଟ୍ ସବସିଡି ଦେବେ ମୁଖ୍ୟମନ୍ତ୍ରୀ: ଚାଷୀ ପାଇବେ ୮ ଶହ ଟଙ୍କାର ଇନପୁଟ୍ ସବସିଡି

ଭୁବନେଶ୍ୱର: ଇନପୁଟ୍ ସବସିଡି ଦେବେ ମୁଖ୍ୟମନ୍ତ୍ରୀ। ଚାଷୀ ପାଇବେ ୮ ଶହ ଟଙ୍କାର ଇନପୁଟ୍ ସବସିଡି। ଆଜି ଚାଷୀଙ୍କୁ ଧାନର ଇନପୁଟ ସହାୟତା ରାଶି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୮ଶହ ଟଙ୍କାର ଇନପୁଟ୍ ସବସିଡି ବଣ୍ଟନ କରିବେ।

୨୦୨୪ ସାଧାରଣ ନିର୍ବାଚନରେ ଧାନ ଏମଏସପି ୩୧ ଶହ ଟଙ୍କା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କ୍ଷମତାକୁ ଆସିବା ପରେ ବିଜେପି ସରକାର ମଧ୍ୟ ୨୩ ସହ ଏମଏସପି ସହ ୮ ଶହ ଟଙ୍କା ଇନପୁଟ ସବସିଡି ଘୋଷଣା କରିଥିଲେ। ଏବେ ଧାନ ବିକ୍ରି ପରେ ୨୩ଶହ ଟଙ୍କା ଏମଏସିପ ଚାଷୀ ପାଉଥିବା ବେଳେ ଆଜିଠାରୁ ଚାଷୀ ଇନପୁଟ୍ ସବସିଡି ବାବଦକୁ ପାଇବେ ୮ ଶହ ଟଙ୍କା। ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏହି ଟଙ୍କା। ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୁରଭଞ୍ଜ, କନ୍ଧମାଳ, ଜଗତସିଂହପୁର, ଭଦ୍ରକ ଜିଲ୍ଲାରେ ଆସନ୍ତାକାଲି ସମାବେଶ କରି ବଣ୍ଟା ହେବ ଇନପୁଟ ସବସିଡ଼ି।