ଭୁବନେଶ୍ବର: ଜାଗମରା ନୂଆ ରୋଡରେ ଜମିଲା ପଥ ଉତ୍ସବ । ରାସ୍ତାରେ ଜମିଲା ନାଚ ଗୀତର ଆସର । ମେୟର ସୁଲୋଚନା ଦାସଙ୍କ ସମେତ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂ, କମିସନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ । ସେପଟେ ରାଜରାସ୍ତାରେ ଦେଖିବାକୁ ମିଳିଥିଲା କୁନି କୁନି ପିଲାମାନଙ୍କ ଦ୍ବାରା ପ୍ରସ୍ତୁତ କଳାକୃତି ।
ବାଘ ଆତଙ୍କ, ସନ୍ଧ୍ୟା ପରେ ଘରୁ ବାହାରୁ ନାହାନ୍ତି ଲୋକେ
ଗଞ୍ଜାମ: ଦିଗପହଣ୍ଡି ଅଞ୍ଚଳରେ ବାଘ ଆତଙ୍କ । ସଞ୍ଜ ନଇଁଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ସିସିଟିଭିରେ ବନ୍ୟ ଜନ୍ତୁ ଭିଡିଓ କଏଦ ହେବା ପରେ ସ୍ଥାୟୀନ ଲୋକଙ୍କ ମଧ୍ୟରେ ଭୟର ବାତାବରଣ । କିଛିଦିନ ହେଲା ଦୁଇ ଦୁଇ ଥର ସିସିଟିଭିରେ କଏଦ ହେଲାଣି ବନ୍ୟ ଜନ୍ତୁ ଫୋଟୋ । ଭିଡିଓ ଭାଇରଲ ହେବା ପରେ ବାଘ ଗୁଜବ ଲୋକଙ୍କୁ ଭୟଭୀତ କରିଛି । ଖବର ଦେବା ପରେ ମଧ୍ୟ ବନ ବିଭାଗ ନୀରବ ଥିବା ଲୋକେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ଦିଗପହଣ୍ଡିର ସିମାଞ୍ଚଳ ପ୍ରଧାନଙ୍କ ଘରେ ଲାଗିଥିବା ସିସିଟିଭିରେ ଏକ ବନ୍ୟଜନ୍ତୁର ଭିଡିଓ କଏଦ ହୋଇଛି । ତେବେ ଏହା ବାଘ ନା ଅନ୍ୟ କୌଣସି ଜନ୍ତୁ ତାହା ବର୍ତ୍ତାମାନ ସୁଦ୍ଧା ସ୍ପଷ୍ଟ ହୋଇନି । କିଛିଦିନ ତଳେ ଦିଗପହଣ୍ଡି ସାନଖେମୁଣ୍ଡି ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା ।
ଆଜିଠୁ କଲବଲ କରିବ ଘନ କୁହୁଡ଼ି
ଭୁବନେଶ୍ବର: ଶୀତରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଏହାସହ କୁହୁଡ଼ି ବଢ଼ାଇଛି ସମସ୍ୟା । ଆଉ ଏହାରି ଭିତରେ ଘନ କୁହୁଡ଼ି ଆହୁରି କଲବଲ କରିବ ବୋଲି ଜଣଶପଡିଛି । ଆଜିଠାରୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଯିବନି ରାସ୍ତା । ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ କୁହୁଡିର ରାଜ୍ । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ ଓ କୋରାପୁଟ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅବସ୍ଥା ସୃଷ୍ଟି ହୋଇପାରେ । ଏହାସହ ଝାରସୁଗୁଡା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଫଳରେ ପ୍ରଭାବିତ ହେବ ପରିବହନ ସେବା । ଏଥିପାଇଁ ରାତି ୨ଟାରୁ ସକାଳ ୧୦ ଟା ମଧ୍ୟରେ ଘାଟି ରାସ୍ତା ଓ ଦୁର୍ଘଟଣା ପ୍ରବଣ ଜୋନ୍ ଉପରେ ସ୍ବତନ୍ତ୍ର ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି ।
ସେପଟେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ତାପମାତ୍ରା । ଅଧିକାଂଶ ଜିଲ୍ଲାରେ ୨ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢିବ । ଫଳରେ ତାପମାତ୍ରା ଉପରମୁହାଁ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ୩ ଦିନ ପରେ ରାଜ୍ୟରେ ପୁଣି ଶୀତ ବଢିବ । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ଶୀତ ଲହରୀ ଅନୁଭୂତ ହୋଇପାରେ ।
ଦେଶରେ ଧୀରେ ଧୀରେ କାୟା ମେଲାଉଛି HMPV: ସରକାର ଜାରି କଲେ ମାର୍ଗଦର୍ଶିକା
ନୂଆଦିଲ୍ଲୀ: ଭାରତରେ ଧୀରେ ଧୀରେ କାୟା ମେଲାଉଛି HMPV ଭୂତାଣୁ । ଆସାମରେ ପ୍ରଥମ ହ୍ୟୁମାନ ମେଟାନ୍ୟୁମୋଭାରଇସ୍ ସାମ୍ନାକୁ ଆସିଛି । ଜଣେ ୧୦ ମାସର ଶିଶୁ ଏହି ମାରାତ୍ମକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଶିଶୁକୁ ବର୍ତ୍ତମାନ ଡେବ୍ରୁଗଡ଼ର ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ସେପଟେ ଆସାମରେ ପ୍ରଥମ ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟରେ ଆତଙ୍କ ଖେଳିଯାଇଛି । ଆସାମରେ HMPV ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ଏହା ୧୬ତମ ମାମଲା ହୋଇଛି । ଗୁଜରାଟରେ ସର୍ବାଧିକ ୫ଟି ହ୍ୟୁମାନ ମେଟାନ୍ୟୁମୋ ଭାରଇସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ରାଜସ୍ଥାନ ଏବଂ ଗୁଜରାଟରେ ଗୋଟିଏ ଲେଖାଏଁ କେସ୍ ପିଜିଟିଭ୍ ଆସିଥିଲା । ଏହା ପୂର୍ବରୁ ଗୁରୁବାର ତିନି ଜଣଙ୍କ ରିପୋର୍ଟରେ HMPV ପଜିଟିଭ୍ ଆସିଥିଲା । ପଡୋଶୀ ଦେଶରେ ସଂକ୍ରମଣ ମାମଲାରେ ଦ୍ରୁତଗତି ମାଡ଼ି ମାଡ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସିକ୍କିମ୍ ସରକାର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ।
ଇଂଲଣ୍ଡ ବିପକ୍ଷ T-20 ପାଇଁ ଭାରତୀୟ ଦଳ ଘୋଷଣା: ୧୪ ମାସ ପରେ ପ୍ରତ୍ୟାବର୍ତ୍ତନ କଲେ ମହମ୍ମଦ ଶାମୀ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଇଂଲଣ୍ଡ ବିପକ୍ଷରେ ଭାରତ ୫ଟି T-20 ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ବ ସମ୍ଭାଳିବେ । ଅନ୍ୟପକ୍ଷରେ ଅକ୍ଷର ପଟେଲଙ୍କୁ ଏହି ସିରିଜ ପାଇଁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ଟିମରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ସାମିଲ କରାଯାଇଛି । ଦୀର୍ଘ ୧୪ ମାସ ପରେ ଦଳକୁ ଫେରିଛନ୍ତି ମହମ୍ମଦ ଶାମୀ । ଶେଷ ଥର ପାଇଁ ଶାମୀ ୨୦୨୩ ଦିନିକିଆ ବିଶ୍ବକପରେ ଖେଳିଥିଲେ । ଆହତ ଜନିତ ସମସ୍ୟା କାରଣରୁ ଶାମୀ ଅଷ୍ଟ୍ରଲିଆ ଗସ୍ତରୁ ମଧ୍ୟ ବାଦ୍ ପଡ଼ିଥିଲେ । ପ୍ରଥମ ଟି-୨୦ ଜାନୁଆରୀ ୨୨ରେ କୋଲକତାରେ ଖେଳାଯିବ ଓ ପ୍ରଥମ ଦିନିକିଆ ଫେବୃଆରୀ ୬ରେ ନାଗପୁର ଠାରେ ଖେଳାଯିବ ।
ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ (ଓ୍ବିକେଟ କିପର), ଅଭିଷେକ ବର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ-ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ଶାମୀ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଈ, ଓ୍ବାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ (ଓ୍ବିକେଟ କିପର) ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏହି ଲିଷ୍ଟରେ ଦଳ ପକ୍ଷରୁ ୨୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଆମ ଆଦମୀ ପାର୍ଟି (ଆପ) ଛାଡ଼ି ବିଜେପିରେ ସାମିଲ ହୋଇଥିବା କପିଲ ମିଶ୍ରାଙ୍କୁ ଦଳ କରାବଲ ନଗର ଆସନରୁ ଟିକେଟ ଦେଇଛି । ସେହିପରି ହରୀଶ ଖୁରାନାଙ୍କୁ ମୋତୀ ନଗର ବିଧାନସଭା ଆସନରୁ ଟିକେଟ ଦିଆଯାଇଛି । ଏହି ଲିଷ୍ଟରେ ୫ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଗ ୭ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିଲା । ନିର୍ବାଚନ କମିଶନ ପ୍ରେସମିଟ ମାଧ୍ୟମରେ ଏନେଇ ଘୋଷଣା କରିଥିଲେ । ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ କହିଥିଲେ । ଜାନୁଆରୀ ୧୦ରେ ବିଜ୍ଞପ୍ତି ପାଇଥିଲା । ଜାନୁଆରୀ ୧୭ରେ ନାମାଙ୍କନର ଶେଷ ତାରିଖ ରହିଛି । ଜାନୁଆରୀ ୧୮ରେ ନାମାଙ୍କନପତ୍ର ଯାଞ୍ଚ ହେବ ଓ ଜାନୁଆରୀ ୨୦ରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବ । ଫେବୃଆରୀ ୫ରେ ମତଦାନ ଗ୍ରହଣ କରାଯିବ ଓ ଫେବୃଆରୀ ୮ରେ ଗଣତି କରାଯିବ ।

