spot_img
Home Blog Page 1271

ମହାପ୍ରଭୁଙ୍କ ଦର୍ଶନ କରି ପାପମୋଚନ ପାଇଁ କଂସ ମହାରାଜଙ୍କ ପ୍ରାର୍ଥନା

ପୁରୀ: ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ମହାରାଜ କଂସଙ୍କୁ ହତ୍ୟା କରି ପୃଥିବୀକୁ ପାପ ମୁକ୍ତ କରିଛନ୍ତି କୃଷ୍ଣ । ଧନୁଯାତ୍ରା ଶେଷ ପରେ କଂସ ଭୁମିକାରେ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନ ପୁରୀ ଯାଇ ପାପମୋଚନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ପୁରୀରେ ପହଞ୍ଚିବା ପରେ କଂସ ମହାରାଜ ମହୋଦଧିରେ ବୁଡ଼ ପକାଇ ଥିଲେ । ଏହାପରେ ଶ୍ରୀମନ୍ଦିର ଯାଇ ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ । ଏଗାର ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରାର ଗତ ରାତିରେ ଜବନିକା ପଡ଼ିବା ପରେ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଥିବା ବେଳେ ମହୋଦଧିରେ ସ୍ନାନ କରିଥିଲେ । ମହୋଦଧିରେ ସ୍ନାନ କରି ନିଜର ପଇତା ବିସର୍ଜନ ଓ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ।

ଖଣ୍ଡଗିରି ମେଳାକୁ ନିଶା ଓ ସାହୁ ଭାଉଜଙ୍କୁ ମନା

ଭୁବନେଶ୍ବର: ଖଣ୍ଡଗିରି ମେଳାରେ ଆଇଟମ୍ ଡ୍ରାନ୍ସ ଉପରେ ଲାଗିବ ଆଙ୍କୁଶ । ଏଥର ଖଣ୍ଡିଗିରି ଯାତ୍ରାକୁ ନିଶା ମହାରଣା ଓ ସାହୁ ଭାଉଜଙ୍କୁ ମନା । ଆଇଟମ ଡ୍ଯାନ୍ସକୁ କରାଯିବ ବ୍ୟାନ ।  ହେବନି ଅଶ୍ଳୀଳ ନୃତ୍ୟ ।

ଆଜି ପୋଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏଭଳି ବଡ଼ ନିଷ୍ପତ୍ତି ନିଆଯାଇଛି । ଖଣ୍ଡଗିରୀ ଥାନା ପରିସରରେ ଖଣ୍ଡଗିରି ମେଳା ନେଇ ବୈଠକ ବସିଥିଲା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ । ଆଇଟମ ଡ୍ୟାନ୍ସ ନାଁରେ ଓଡ଼ିଆ ସଂସ୍କୃତିକୁ କରାଯାଉଥିଲା ଅପମାନ । ଆଜି ଆଲୋଚନାରେ ଶୃଙ୍ଖଳିତ ଯାତ୍ରା ସହ ସ୍ବେଚ୍ଛାସେବୀ ନିୟୋଜିତ କରିବା ନେଇ ହୋଇଛି ଆଲୋଚନା । ଆଜିର ବୈଠକରେ ହୋଇଥିବା ନିଷ୍ପତ୍ତିକୁ କଳାକାର ଓ ଜନ ସାଧାରଣ ସ୍ବାଗତ କରିଛନ୍ତି । ଏବେ ଭଲ ପରମ୍ପରା ଆରମ୍ଭ ହେବ ବୋଲି ମତ ପ୍ରକାଶ ପାଇଛି ।

ଜଣାପଡ଼ିଲା ମୋଟାପଣର କାରଣ

ନୂଆଦିଲ୍ଲୀ: ମୋଟାପଣର ବୈଜ୍ଞାନିକ କାରଣ ହେଲା ସ୍ପଷ୍ଟ । ମସ୍ତିଷ୍କ ଦହିର ଯଦି ପୂର୍ଣ୍ଣ ମାତ୍ରାରେ ବିକାଶ ନ ହୁଏ, ତା’ହେଲେ ତରୁଣ ଓ ତରୁଣୀଙ୍କ ଅତିମାତ୍ରାରେ ସବୁବେଳେ ଖାଇବାର ପ୍ରବଳ ଇଚ୍ଛା ଜାଗ୍ରତ ହୁଏ । ବୁଦ୍ଧି ଓ ସ୍ମରଣ ଶକ୍ତି ହ୍ରାସ ପାଏ । ମସ୍ତିଷ୍କର ଅସ୍ବାଭାବିକ ବିକାଶ ଯୋଗୁଁ ଯାହା ପାଏ ବ୍ୟକ୍ତି ଖାଇଚାଲେ । ଫଳରେ ବଢିଥାଏ ମୋଟାପଣ । ପରେ ରୋଗଗ୍ରସ୍ତ ହୋଇଯାଏ ଜୀବନ । ଲଣ୍ଡନର କିଙ୍ଗ୍ କଲେଜ୍ ବୈଜ୍ଞାନିକ ୧୪ରୁ ୨୩ ବର୍ଷ ବୟସର ୧ ହଜାର ଯୁବକଯୁବତୀଙ୍କ ବ୍ରେନ୍ ଏମଆରଆଇ କରି ଏପରି ନୂଆ ତଥ୍ୟ ଆବିଷ୍କାର କରିଛନ୍ତି । ବିଶେଷଜ୍ଞଙ୍କ ମତ, ମା’ ଗର୍ଭରେ କିମ୍ବା ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁର ଅପପୁଷ୍ଟି ରହିଲେ ଏପରି ହୋଇଥାଏ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଔଷଧ ସେବନ କଲେ ଏସବୁ ରୋଗୀଙ୍କୁ କିଛିଟା ଆରୋଗ୍ୟ କରି ହେବ ।

କଥାରେ ଅଛି, ଦହି ଚହଲିଲେ ମଣିଷ କରେ ବିକୃତ ବ୍ୟବହାର । ମସ୍ତିଷ୍କର ଦହି ବା କର୍ଟେକ୍ସ୍ ଦୁର୍ବଳ ଥିଲେ ବ୍ୟକ୍ତି ମଧ୍ୟରେ ଅଧିକରୁ ଅଧିକ ଖାଇବାକୁ ଇଚ୍ଛା ହୋଇଥାଏ । ଏହା ଅପରିପକ୍ବ ମସ୍ତିଷ୍କର ଏକ ପ୍ରକାର ରୋଗ । ଭୋକ ଥାଉ କି ନ ଥାଉ, ଯେତେବେଳେ ଯାହା ଚାହିଁଲା ଖାଇଲେ । ଲଣ୍ଡନର କିଙ୍ଗ କଲେଜ୍ ବୈଜ୍ଞାନିକମାନେ ଇଂଲଣ୍ଡ, ଆୟରଲାଣ୍ଡ, ଫ୍ରାନ୍ସ, ଜର୍ମାନୀର ୧୪ରୁ ୨୩ ବର୍ଷ ବୟସର ୧ ହଜାର ତରୁଣ ଓ ତରୁଣୀଙ୍କ ବ୍ରେନ୍ ଏମଆରଆଇ କଲାପରେ ଏହି ନୂଆ ତଥ୍ୟ ଆବିଷ୍କାର କରିଛନ୍ତି । ମସ୍ତିଷ୍କର ବାହ୍ୟ ଆବରଣରେ ଥିବା କର୍ଟେକ୍ସ ପତଳା ହେବା କିମ୍ବା ଆବଶ୍ୟକତା ତୁଳନାରେ ଘନତ୍ବ ନହେବା ସମ୍ପୃକ୍ତ ବ୍ୟକ୍ତିକୁ ଡର, ଭୟ, ଆତଙ୍କିତ ହେବା ସହ ଖାଇବାର ପ୍ରବଳ ଇଚ୍ଛା ଜନ୍ମାଏ । ବିଶେଷଜ୍ଞଙ୍କ ମତରେ ଶିଶୁଟି ଗର୍ଭାବସ୍ଥାରେ ଯଦି ସନ୍ତୁଳିତ ଓ ପୁଷ୍ଟିଯୁକ୍ତ ଖାଦ୍ୟ ନପାଏ ତା’ହେଲେ ସେହି ଶିଶୁ ତରୁଣ ବୟସରେ ପହଞ୍ଚିବା ପରେ ତା ମସ୍ତିଷ୍କର ଏପରି ଅସ୍ବାଭିବକତା ଦେଖାଦିଏ । ଏପରିକି ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁଙ୍କର ବି ଏହି ଲକ୍ଷଣ ଦେଖାଦେଇଥାଏ । ମସ୍ତିଷ୍କର କର୍ଟେକ୍ସ ବା ଦହି ମଣିଷର ନିଷ୍ପତ୍ତି ନେବାର ଦକ୍ଷତା ଓ ଭାବାବେଗକୁ ନିୟନ୍ତ୍ରଣ କରିଥାଏ । ଅସ୍ବାଭାବିକ ଭାବେ ଖାଦ୍ୟ ଖାଇବା ଦ୍ବାରା ବଢେ ମୋଟାପଣ । ମୋଟାପଣ ଯୋଗୁଁ ତରୁଣ ଓ ଯୁବ ବୟସରୁ ରୋଗୀଟି ହୃଦରୋଗ, ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡ଼ିତ ହୋଇ ମୃତ୍ୟୁମୁଖରେ ବି ପଡ଼ିଥାଏ । ଏଲୋପାଥି ଡାକ୍ତରଙ୍କ ମତରେ ଯଦି ଏଭଳି ରୋଗୀର ଲକ୍ଷଣ ଦେଖାଦେବା ଆରମ୍ଭରୁ ଚିକିତ୍ସା କରାଯାଏ ତା’ହେଲେ କିଛିଟା ତା ମସ୍ତିଷ୍କର ବିକାଶ ହୋଇପାରିବ ।

ଏଭଳି ରୋଗୀଙ୍କୁ ଲକ୍ଷଣ ଦେଖି ହୋମିଓପାଥୀ ଚିକିତ୍ସା ବି କରାଯାଇପାରେ । ବିଶେଷଜ୍ଞଙ୍କ ମତରେ ରୋଗୀର ଗମ୍ଭୀରତାକୁ ଅନୁଧ୍ୟାନ କଲେ ଜଣାପଡ଼େ, ଏଭଳି ରୋଗୀଙ୍କର ଶରୀର ଅତ୍ୟଧିକ ପୃଥଳ ହେବା ସହ ତାଙ୍କ ମସ୍ତିଷ୍କର ବିକାଶ ହୋଇ ନଥାଏ । ଛୋଟ ଛୋଟ କଥାକୁ ସେମାନେ ବୁଝିପାରନ୍ତି ନାହିଁ । ପାଠ ହେଉକି ସାଠ କୌଣସି କଥାରେ ତାଙ୍କର ଧ୍ୟାନ ରହେ ନାହିଁ । ସବୁବେଳେ ବିଚଳିତ ଓ ଅନ୍ୟମନସ୍କ ରହିଥାନ୍ତି । ଏଥିପାଇଁ କିଛିଟା ପାରିପାର୍ଶ୍ବିକ ପରିବେଶ ହିଁ ଦାୟୀ । ବେଳେବେଳେ ରୋଗୀ ଅସ୍ବାଭାବିକ ଭାବେ ପାଗଳ ଭଳି ବ୍ୟବହାର କରି କେବଳ ଖାଦ୍ୟ ଖାଇଚାଲେ । ଏପରି ରୋଗୀ ଦୁଇ ପ୍ରକାରର । ଗୋଟିଏ ପ୍ରକାର ରୋଗୀ ଯାହା ଦେଖେ ତାହା ଖାଇଚାଲେ । ଆଉ ଗୋଟିଏ ପ୍ରକାର ରୋଗୀ ଖାଇ ଖାଇ ବାନ୍ତି କରେ ସିନା ଖାଦ୍ୟ ଦେଖିଲେ ଛାଡ଼େନା । ରୋଗୀର ଲକ୍ଷଣ ଦେଖି ତାକୁ କାଲକେରିଆ କାର୍ବ, ବାରାଇଟା କାର୍ବ, ବାରାଇଟା ମ୍ୟୁର୍, ବାରାଇଟା ଫସ୍, ମେରୋରିନମ୍ ଓ ବେଲାଡୋନା ଆବଶ୍ୟକ ମାତ୍ରା ଅନୁଯାୟୀ ଦିଆଯାଏ । ସାଧାରଣତଃ ଏ ପ୍ରକାର ରୋଗୀଙ୍କୁ ଆରୋଗ୍ୟ ଲାଭ କରିବା ପାଇଁ ୬ ମାସ, ବର୍ଷେ କିମ୍ବା ଦୁଇବର୍ଷରୁ ଅଧିକ ସମୟ ଲାଗିଥାଏ । କିନ୍ତୁ ଧୈର୍ଯ୍ୟର ସହ ଔଷଧ ସେବନ କଲେ ଏପରି ଜନ୍ମଗତ ରୋଗକୁ ଠିକ୍ କରିହୁଏ ।

ଆଜି କାଲି ଫାଷ୍ଟଫୁଡ୍ ପ୍ରତି ଯୁବଗୋଷ୍ଠୀ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଧାରଣା ଥିଲା ଯେ, କେବଳ ଫାଷ୍ଟ୍ଫୁଡ୍ ହିଁ ମୋଟାପଣର କାରଣ ହେଉଛି । କିନ୍ତୁ ଏବେ ଆବିଷ୍କାର ହୋଇଥିବା ନୂଆ ବୈଜ୍ଞାନିକ ତଥ୍ୟ ଓବେସିଟି ଦୂର କରି ସମ୍ପୃକ୍ତ ଯୁବବ୍ୟକ୍ତିର ଜୀବନ ସୁଧାରି ପାରିବ ବୋଲି ବିଶେଷଜ୍ଞ ଆଶା ରଖିଛନ୍ତି ।

ଥମୁନି ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବିବାଦ: ବିନା ଟ୍ରାଏଲରେ ହେବ ଧାଡ଼ଇ ଦର୍ଶନ

ପୁରୀ: ଶ୍ରୀମନ୍ଦିରେ ଧାଡ଼ି ଦର୍ଶନକୁ ନେଇ ଥମିବାର ନାଁ ନେଉନି ବିବାଦ । ଆସନ୍ତା ୨୦ ତାରିଖରୁ ଧାଡ଼ି ଦର୍ଶନ ଆରମ୍ଭ ହେବା ନେଇ ପୁଣି ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ । ପୂର୍ବରୁ ଟ୍ରାଏଲ ରନ୍ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବାକୁ ଘୋଷଣା ହୋଇଥିଲା । ହେଲେ ଏବେ ବିନା ଟ୍ରାଏଲ ରନରେ ଧାଡ଼ି ଦର୍ଶନ ଆରମ୍ଭ ହେବ । ଏପରି ହେଲେ ଦର୍ଶନ ବ୍ୟବସ୍ଥାର ବାସ୍ତବିକ ଚିତ୍ର ଜାଣି ପାରିବେ ନାହିଁ ରାଜ୍ୟ ସରକାର । ଯାହା ଭକ୍ତଙ୍କୁ ଅସୁବିଧାରେ ପକାଇବ ବୋଲି ମତ ରଖିଛନ୍ତି ସେବାୟତ ।

ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ। ସବୁ ବ୍ୟବସ୍ଥା ସରିଥିବା ନେଇ ରାଜ୍ୟ ସରକାରଙ୍କ ଦାବି। ଏହାଦ୍ବାରା ଦର୍ଶନ ଶୃଙ୍ଖଳିତ ହେବ ବୋଲି ଲକ୍ଷ୍ୟ ରଖିଛନ୍ତି ସରକାର । ହେଲେ ଧାଡ଼ି ଦର୍ଶନ ଏବେ ସବୁଠାରୁ ବିବାଦୀୟ ମୋଡ଼ରେ ଛିଡ଼ା ହୋଇଛି । ପୂର୍ବରୁ ନୂଆ ବର୍ଷରୁ ଧାଡ଼ି ଦର୍ଶନ ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର । ଏହା ପୂର୍ବରୁ ଡିସେମ୍ବର ୨୭ ଓ ୨୮ରେ ହୋଇଥାନ୍ତା ଟ୍ରାଏଲ ରନ୍ । ହେଲେ ନୂଆ ବର୍ଷରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥଗିତ ରହିଥିଲା ଧାଡ଼ି ଦର୍ଶନ ବ୍ୟବସ୍ଥା । ବହୁ ମାନସ ମନ୍ଥନ ପରେ ଏବେ ଜାନୁଆରୀ ୨୦ରୁ ଧାଡ଼ି ଦର୍ଶନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିପାଇଁ ଜାନୁଆରୀ ୧୭ ଓ ୧୮ରେ ହୋଇଥାନ୍ତା ଟ୍ରାଏଲ ରନ୍ । କିନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଧାଡ଼ି ଦର୍ଶନର ତାରିଖ ସ୍ଥିର ହୋଇ ନଥିବା କହିଥିଲେ । ଶେଷରେ ବିନା ଟ୍ରାଏଲ ରନରେ ଏହି ବ୍ୟବସ୍ଥା ଲାଗୁ କରିବାକୁ କହିଛନ୍ତି ଆଇନମନ୍ତ୍ରୀ । ତେବେ ବିନା ଟ୍ରାଏଲ କିଭଳି ଦର୍ଶନ ଶୃଙ୍ଖଳିତ ହେବ, ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ମୁଖ୍ୟ ପ୍ରଶାସକ ଓ ଆଇନମନ୍ତ୍ରୀଙ୍କ ମତ ପାର୍ଥକ୍ୟ ଯୋଗୁଁ ଧାଡ଼ି ଦର୍ଶନର ବିବାଦୀୟ ଦିଗ ଅନେକ ପ୍ରଶ୍ନ ଠିଆ କରିଛି । ସେବାୟତମାନେ ବିଭିନ୍ନ ଦିଗକୁ ଦେଖି ଟ୍ରାଏଲ୍ ରନ୍ ପାଇଁ ଦାବି କରିଛନ୍ତି । ଦୁଇରୁ ତିନି ଦିନ ଟ୍ରାଏଲ ରନ୍ କରା ନଗଲେ, ଦର୍ଶନର ସ୍ଥିତି ଓ ଭକ୍ତଙ୍କ ଅସୁବିଧା ସମ୍ପର୍କରେ ରାଜ୍ୟ ସରକାର ଅବଗତ ହୋଇପାରିବେ ନାହିଁ । ଧାଡ଼ି ଦର୍ଶନ ପାଇଁ ହୁଣ୍ଡି କେଉଁଠିକୁ ସ୍ଥାନାନ୍ତର ହେବ, ସେ କଥା ବି ଏଯାଏଁ ସ୍ପଷ୍ଟ ହୋଇନି । ଧାଡ଼ି ଦର୍ଶନରେ ଏକା ସଙ୍ଗେ କେତେ ଭକ୍ତ ଯାଇ ପାରିବେ, ତାହା ବି ଅସ୍ପଷ୍ଟ ରହିଛି । ବର୍ତ୍ତମାନ ଘଣ୍ଟାକୁ କେତେ ଭକ୍ତ ଦର୍ଶନ କରୁଛନ୍ତି, ତାହାର ବି ଚିଠା ନାହିଁ । ପୁଣି ମନ୍ଦିର ବାହାରେ ଭକ୍ତଙ୍କ ସଂଖ୍ୟା ବଢ଼ିଲେ, ସ୍ଥିତି ଆହୁରି ଅସମ୍ଭାଳ ହେବ । ଯେପରି ଚାରି ଦ୍ବାର ଖୋଲିବା ପରେ ଶ୍ରୀମନ୍ଦିର ଭିତରେ ଭିଡ଼ ଅସମ୍ଭାଳ ହୋଇଥିଲା, ଟ୍ରାଏଲ ରନ୍ ନହେଲେ ଭିଡ଼ର ଅନୁମାନ ଲଗାଇ ହେବ ନାହିଁ ବୋଲି ମତ ରଖିଛନ୍ତି ସେବାୟତ ।

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି । ମନ୍ଦିର ଭିତରର ଆନୁଷଙ୍ଗିକ ବ୍ୟବସ୍ଥାକୁ ଗୁରୁତ୍ବ ଦିଆ ନଯାଇ, ଯଦି ବାହାଃ ବାହାଃ ନେବାକୁ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯାଏ, ତେବେ ଏହା ଭକ୍ତଙ୍କ ଭିତରେ ଅସନ୍ତୋଷ ବଢ଼ାଇବାର ସମ୍ଭାବନା ରହିଛି ।

ମକର ସଂକ୍ରାନ୍ତିରେ ଉପବାସରେ ରହିଲେ ପ୍ରଭୁ ଲିଙ୍ଗରାଜ, ବସିଛନ୍ତି ମନ୍ଦିର ବାହାରେ

ଭୁବନେଶ୍ବର: ମକର ସଂକ୍ରାନ୍ତିରେ ଉପାସରେ ଲିଙ୍ଗରାଜ । ଏବେ ବି ମନ୍ଦିର ବାହାରେ ରହିଛନ୍ତି ମହାପ୍ରଭୁ । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ । ଜରୁରୀ ବୈଠକ ଡାକିଲେ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ । ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଲା ବୈଠକ । କିନ୍ତୁ ବାହାରି ପାରିଲାନି ସମାଧାନର ବାଟ । ଗତକାଲି କ୍ଷୀର ଆଉଟା ନୀତି ବଡୁ ନିଯୋଗ କରିବା ପରେ ବିବାଦ ଆରମ୍ଭ ହୋଇଥିଲା । ଏହି ନୀତିକୁ ସୁଆର ମହାସୁଆର ନିଯୋଗ କରିବାକୁ ଦାବି କରିଥିଲେ । ଏହିଠାରୁ ବିବାଦ ଆରମ୍ଭ ପରେ ନୀତି ବନ୍ଦ ଆଉ ଫଳ ହେଲା ଠାକୁର ଉପାସ । ମକର ସଂକ୍ରାନ୍ତିରେ ଏଭଳି ଘଟଣା ଘଟିଥିଲେ ବି ସରକାର ଓ ମନ୍ଦିର ଟ୍ରଷ୍ଟବୋର୍ଡ ହାତ ଟେକି ଦେଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।

ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ବିଦ୍ରୋହ, ଠାକୁର ଖାଡ଼ା ଉପାସ । ମକର ସଂକ୍ରାନ୍ତିରେ ବି ମହାପ୍ରଭୁ ହୀନସ୍ତା । ନା ହେଲା ମଙ୍ଗଳ ଆଳତି, ନା ହେଲା ଅବକାଶ ନୀତି । ମକର ମଣ୍ଡପରେ ଏବେ ବି ବସିଛନ୍ତି ଲିଙ୍ଗରାଜ । ଘନ ଘନ ବୈଠକରେ ବି ହେଲାନି ସମାଧାନ । ନୀତିକାନ୍ତିକୁ ନେଇ ବଡୁ-ବ୍ରାହ୍ମଣ-ସୁଆର-ପୂଜାପଣ୍ଡା ନିଯୋଗ ମଧ୍ୟରେ ଲାଗିଛି ବିବାଦ । ସମାଧାନ ପାଇଁ ଚେଷ୍ଟା ଚାଲିଛି କହି ହାତ ଟେକି ଦେଲେ ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ । ଉତ୍ତେଜନା ପାଟିତୁଣ୍ଡରେ ସରିଲା ବୈଠକ । କେବେ ହେବ ସ୍ବାଭାବିକ ନୀତିକାନ୍ତି କାହା ପାଖରେ ନାହିଁ ଉତ୍ତର ।

ମକର ସଂକ୍ରାନ୍ତି ପାଇଁ ମହାପ୍ରଭୁଙ୍କ ନିକଟରେ କ୍ଷୀର ଆଉଟା ହୋଇ ଘୃତ କମ୍ବଳ ଲାଗି କରାଯାଏ । ଏହି ନୀତିକାନ୍ତି ବଡୁ ସେବାୟତ କରିବା ପରେ ଆରମ୍ଭ ହୋଇଛି ବିବାଦ । ଗୋଟିଏ ପଟେ ଏହି ନୀତି ବଡୁ ସେବାୟତ କରିବା ପାଇଁ ଲେଖା ଅଛି ବୋଲି ଅଡି ବସିଥିବା ବେଳେ ସେହି ସେବାକୁ ଆବାହମାନ କାଳରୁ ସୁଆର ସେବାୟତ କରୁଥିଲେ ବୋଲି ସେମାନେ ଦାବି କରିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ ।

ସେପଟେ ବିବାଦକୁ ସମାଧାନ କରିବା ପାଇଁ ନାକେଦମ ହୋଇଛି ମନ୍ଦିର ପ୍ରଶାସନ । ଉଭୟ ପକ୍ଷଙ୍କୁ ନେଇ ଆଜି ମନ୍ଦିର କାର୍ଯ୍ୟାଳୟରେ ବୈଠକ ହୋଇଥିଲା । ବୈଠକ ଆରମ୍ଭରୁ ଉତ୍ତେଜନା ପ୍ରକାଶ ପାଇବା ପରେ ଅଧାରୁ ଚାଲିଯାଇଥିଲେ ବ୍ରାହ୍ମଣ, ପୂଜାପଣ୍ଡା ଏବଂ ସୁଆର ନିଯୋଗ । ପରେ ଖାତା ଖତିଆନ୍ ଧରି ବଡୁ ନିଯୋଗ ନିଜର ଦାବି ରଖିଥିଲା । ତେବେ ଟ୍ରଷ୍ଟବୋର୍ଡ ପୁଣି ସମସ୍ତଙ୍କୁ ଡାକି ପୃଥକ ପୃଥକ ଭାବରେ ଆଲୋଚନା କରିଥିଲା । ଗତକାଲି ଯେଉଁଠାରୁ ନୀତି ବନ୍ଦ ରହିଛି ସେହିଠାରୁ ଆରମ୍ଭ କରିବା ପାଇଁ ଅଡି ବସିଥିଲା ବ୍ରାହ୍ମଣ ନିଯୋଗ । ଯାହା ଫଳରେ ବିବାଦ ସମାଧାନ ହୋଇପାରିନାହିଁ । ତେବେ ବିବାଦ ସମାଧାନ ପାଇଁ ଚେଷ୍ଟା ଚାଲିଛି । ନୀତିକାନ୍ତି ନେଇ ଏକ ତାଲିକା ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ । କେବେ ସ୍ବାଭାବିକ ସ୍ଥିତି ହେବ ସେ ନେଇ ସ୍ପଷ୍ଟ କରିନାହାଁନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ମକର ସଂକ୍ରାନ୍ତିରେ ଲିଙ୍ଗରାଜ ଉପବାସରେ ଥିଲେ ବି ସମାଧାନ କରିବା ପାଇଁ କାହିଁକି ଉଦ୍ୟମ କରୁନାହାଁନ୍ତି ରାଜ୍ୟ ସରକାର ? ଆଇନ ମନ୍ତ୍ରୀ କାହିଁକି ହସ୍ତକ୍ଷେପ କରୁନାହାଁନ୍ତି ? ସ୍ଥାନୀୟ ଜନ ପ୍ରତିନିଧି କୁଆଡେ ଗଲେ ? ମକର ମଣ୍ଡପରୁ କେବେ ମନ୍ଦିରକୁ ଫେରିବେ ଲିଙ୍ଗରାଜ ? ନା ସେବାୟତ ସେବାୟତ ବିବାଦରେ ଏମିତି ଦିନ ପରେ ଦିନ ଉପବାସରେ ରହିବେ ଠାକୁର ?

ଦର ବୃଦ୍ଧି ତାଲିକାରେ ଓଡ଼ିଶା ଏକ ନମ୍ବର: ଓଡ଼ିଶାର ଗ୍ରାମୀଣ ବଜାର ଦେଶର ସବୁଠାରୁ ମହଙ୍ଗା ବଜାର

ଭୁବନେଶ୍ବର: ରାଜ୍ୟରେ ଦରଦାମ୍ ବୃଦ୍ଧି ଅସମ୍ଭାଳ । କେବଳ ଆଳୁ, ପିଆଜ, ପରିବା ନୁହେଁ, ଡାଲି, ତେଲ, ଲୁଣ, ଚାଉଳରେ ଅହେତୁକ ଦରବୃଦ୍ଧି ଖାଉଟିଙ୍କୁ କରୁଛି ଘାଇଲା । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସ୍ଥିତି ସଙ୍ଗୀନ । ୨୦୨୪ ଡିସେମ୍ବର ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଅନୁସାରେ ଦରଦାମ୍ ବୃଦ୍ଧି ତାଲିକାରେ ସାରା ଦେଶରେ ଓଡ଼ିଶା ଏକ ନମ୍ବର । ଖୁଚୁରା ମୁଦ୍ରାସ୍ଫୀତି ଜାତୀୟ ହାର ୫.୨୨ ଥିବା ବେଳେ ଓଡ଼ିଶାରେ ୬.୯୬ ପ୍ରତିଶତରେ ପହଞ୍ଚିଛି । ଓଡ଼ିଶାରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ଉଦବେଗଜନକ ହୋଇଛି ।

ଡବଲ ଇଞ୍ଜିନ ସରକାରରେ ଡବଲ୍ ଝଟକା । ଓଡ଼ିଶାର ଗ୍ରାମୀଣ ବଜାର ଦେଶର ସବୁଠାରୁ ମହଙ୍ଗା ବଜାର । ଦରବୃଦ୍ଧି ତାଲିକାରେ ସାରା ଦେଶରେ ଓଡ଼ିଶା ଏକ ନମ୍ବର । ରାଜ୍ୟର ମୁଦ୍ରାସ୍ଫୀତି ବି ଜାତୀୟ ହାରଠାରୁ ଖୁବ୍ ଅଧିକ । ଦରଦାମ୍ ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର ପ୍ରସଙ୍ଗ ହୋଇଛି । କେବଳ ଆଳୁ, ପିଆଜ ନୁହେଁ, ବରଂ ତେଲ, ଲୁଣ, ଡାଲି ଦର ବି ଆକାଶଛୁଆଁ । ସହରାଞ୍ଚଳରେ ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଓଡ଼ିଶାର ହାର ଜାତୀୟ ହାରଠାରୁ ଅଧିକ ରହିଛି । ଦେଶର ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୫.୭୬ ଥିବା ବେଳେ ଓଡ଼ିଶାରେ ଏହା ୭.୭୯ ରେ ପହଞ୍ଚିଛି । ସହରାଞ୍ଚଳରେ ଜାତୀୟ ହାର ୪.୫୮ ଥିବା ବେଳେ ଓଡ଼ିଶାରେ ମୁଦ୍ରାସ୍ଫୀତି ୪.୭୫ ରହିଛି । ସାମଗ୍ରିକ ଭାବେ ଜାତୀୟ ସ୍ତରରେ ମୁଦ୍ରାସ୍ଫୀତି ୫.୨୨ ଥିବା ବେଳେ ଓଡ଼ିଶାରେ ଏହା ୬.୯୬ ପ୍ରତିଶତ ରହିଛି । ନିଜସ୍ବ ଉତ୍ପାଦନ କମିବା, ଖାଦ୍ୟଦ୍ରବ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ବଢିଥିବା ଯୋଗୁଁ ଓଡ଼ିଶାରେ ସ୍ଥିତି ଖରାପ ଆଡ଼କୁ ଯାଉଛି ।

ଖୁଚୁରା ବଜାରରେ ଆଳୁ ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଡିସେମ୍ବର ୨୦୨୩ ତୁଳନାରେ ଆଳୁ ଦର ୧୦୦ ପ୍ରତିଶତ ବଢିଛି । ରିପୋର୍ଟ ଅନୁସାରେ ଆଳୁର କ୍ବିଣ୍ଟାଲ ପିଛା ଦର ଏବେ ୩୩୫୦ଟଙ୍କା ରହିଛି, ଯାହା ସାରା ଦେଶରେ ସର୍ବାଧିକ । ଦରଦାମ୍ ବୃଦ୍ଧି ସାଙ୍ଗକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆହୁରି ଦୁର୍ବଳ ହେଉଛି । ଦେଶରେ ଗଚ୍ଛିତ ବୈଦେଶିକ ମୁଦ୍ରା ପରିମାଣ ବି କମୁଛି । ଓଡ଼ିଶା ସରକାର ଗତ ୩ ବର୍ଷରେ କୌଣସି ଋଣ କରି ନଥିବା ବେଳେ ବିଜେପି ସରକାର ପ୍ରଥମ ବଜେଟରେ ୫୫ ହଜାର କୋଟି ଟଙ୍କା ଋଣ କରିବାକୁ ଯୋଜନା କରିଛନ୍ତି । ନବୀନ ସରକାର ଅମଳରେ ଆର୍ଥିକ ପରିଚାଳନାରେ ଓଡ଼ିଶା ଆଗରେ ଥିବା ବେଳେ ଏବେ ସ୍ଥିତି ଉଦବେଗଜନକ ବୋଲି ବିଜେଡ଼ି କହିଛି । ନୂଆ ସରକାର କେବଳ ଉତ୍ସବରେ ମାତିଥିବା ବେଳେ ସାଧାରଣ ଲୋକଙ୍କ ଲାଗି ଚିନ୍ତା କରିବା ପାଇଁ ସମୟ ନାହିଁ ବୋଲି କହିଛି କଂଗ୍ରେସ ।

ରାଜ୍ୟରେ ଲଗାତାର ଭାବେ ଆଳୁ ସଙ୍କଟ ଲାଗି ରହିଛି । ସେପଟେ ଦର କମାଇବା ଲାଗି ସରକାରଙ୍କର ଆନ୍ତରିକତା ନାହିଁ । ଅନ୍ୟ ରାଜ୍ୟରୁ ଆଳୁ ଆସୁଥିବାବେଳେ ପୂର୍ବ ସରକାର ଉପରେ ଦୋଷ ଦେଇ ବିଜେପି ସରକାର ଖସିଯିବାକୁ ବସିଛି ।

ବନୀକରଣ ନାଁରେ ଟଙ୍କା ଖାଇଗଲେ ବାବୁ, ତଦନ୍ତ ଦାବି

ବଲାଙ୍ଗୀର: ବନୀକରଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ ଅଭିଯୋଗ । ଆରଟିଆଇ ତଥ୍ୟରେ ସାମ୍ନାକୁ ଆସିଲା ସାଂଘାତିକ ସତ । ଗତ ୧୦ ବର୍ଷରେ ୧୯୦ କୋଟି ଟଙ୍କା ଅନୁଦାନରେ ୭୫ ଲକ୍ଷ ହେକ୍ଟର ବନୀକରଣ କରାଯାଇଥିବା କୁହାଯାଉଥିବା ବେଳେ ଏଥିରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା । ଏପରିକି ଅନେକ ଜାଗାରେ ଗଛ ନ ଲଗାଇ କାମ୍ପା ଯୋଜନା ଟଙ୍କା ହରିଲୁଟ ହୋଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, କ୍ଷତିପୂରକ ବନୀକରଣ ପାଇଁ ବଲାଙ୍ଗୀର ଜିଲ୍ଲାକୁ କାମ୍ପା ଯୋଜନାରେ ଗତ ୧୦ ବର୍ଷରେ ୧୯୭ କୋଟି ଟଙ୍କା ଆସିଛି । ହେଲେ ସେଥିରୁ ୭ କୋଟି ଟଙ୍କା ଫେରିଯାଇଛି । ତେବେ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରାୟ ୭୫ ଲକ୍ଷ ଚାରା ଲଗାଯାଇଥିବା ଆରଟିଆଇ ତଥ୍ଯ କହୁଛି । ଜିଲ୍ଲାର ବଲାଙ୍ଗୀର, ଲୋଇସିଂହା, ପାଟଣାଗଡ, ଟିଟିଲାଗଡ, ମୁରିବାହାଲ, ସଇଁତଲା, ଦେଓଗାଁ ଭଳି ୧୧ଟି ଫରେଷ୍ଟ ରେଞ୍ଜରେ ବୃକ୍ଷରୋପଣ କରାଯାଇଛି । ଗୋଟିଏ ଚାରା ପିଛା ଅଢେଇ ଶହ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜିଲ୍ଲାର ଜନସଂଖ୍ୟା ଅନୁସାରେ ଜଣ ପିଛା ୫ଟି ଗଛ ଲଗାଯାଇଥିବା ତଥ୍ଯ କହୁଛି । ଏବେ ପ୍ରଶ୍ନ ଉଠୁଛି ଏତେ ବୃକ୍ଷରୋପଣ ସତ୍ତ୍ବେ ଜିଲ୍ଲାର ତାପମାତ୍ରା କାହିଁକି ବୃଦ୍ଧି ପାଉଛି ? ଏହାଛଡ଼ା ଲୋକେ କାମଧନ୍ଦା ଅଭାବରୁ ଦାଦନ ଯାଉଥିବା ବେଳେ ଯୋଜନା ଅର୍ଥ କାହିଁକି ଫେରାଇ ଦିଆଗଲା ବୋଲି ସୂଚନା ଅଧିକାର କର୍ମୀ ପ୍ରଶ୍ନ କରିଛନ୍ତି ।

ବନୀକରଣ ଟଙ୍କା ସିଧାସିଧା ବାବୁଙ୍କ ପକେଟ ଯାଇଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ଓ ସଚେତନ ନାଗରିକ । ଯେଉଁ ଜିଲ୍ଲାରେ ନବୀକରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ସେଠାକୁ ପୁଣି ଆଦାନୀ ବନୀକରଣ କରିବାକୁ ଆସୁଛି । ଆଦାନୀ କର୍ପୋରେଟ କମ୍ପାନୀ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ବନୀକରଣ ନାଁରେ ଜମି କିଣିଛି । କିନ୍ତୁ ସେହି ଅଞ୍ଚଳଗୁଡିକରେ ପ୍ରତିବର୍ଷ ୫୦ ହଜାର ଗଛ ଲଗାଯାଇଥିବା ତଥ୍ୟରୁ ଜଣାପଡ଼ିଛି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛି ବଲାଙ୍ଗୀର ବନବିଭାଗ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନୀକରଣ କରାଯାଇଛି । ଯଦି ଅଭିଯୋଗକାରୀ ଚାହିଁବେ ଆମ ସହିତ ଯାଇ ତଦାରଖ କରିପାରିବେ ବୋଲି କହିଛନ୍ତି ବଲାଙ୍ଗୀର ଏସିଏଫ ।

ସୀମାରେ ତାରବାଡ଼ ଲଗାଇବାକୁ ଭାରତକୁ କାହିଁକି ଦେଉନି ବାଂଲାଦେଶ ?

ନୂଆଦିଲ୍ଲୀ: ସୀମା ପ୍ରସଙ୍ଗକୁ ନେଇ ଭାରତ ଓ ବାଂଲାଦେଶ ମଧ୍ଯରେ ବଢୁଛି ତିକ୍ତତା । ତାରବାଡ ନିର୍ମାଣକୁ ବିରୋଧ କରୁଛି ବାଂଲାଦେଶ । ହେଲେ କାହିଁକି ? ଏହି ପ୍ରସଙ୍ଗକୁ ନେଇ କୂଟନୈତିକ ବିବାଦ ଜାରି ରହିଛି । ବିଶେଷ କରି ଆତଙ୍କବାଦୀ ସଂଗଠନ ଜମାଏତ-ଇ-ଇସଲାମି ଚାପରେ ବାଂଲାଦେଶ ସରକାର କାର୍ଯ୍ୟ କରୁଛି । ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଏଥିରେ ସହାୟତା ଦେଉଛି । ଯାହା ଏହି ବିବାଦର କାରଣ ବୋଲି କୁହାଯାଉଛି ।

ଭାରତ-ବାଂଲାଦେଶ ୪ ହଜାର ୧୫୬ କିମି ସୀମା ସେୟାର କରୁଛନ୍ତି । ଭାରତ ବର୍ତ୍ତମାନ ସୁଦ୍ଧା ୩ ହଜାର ୨୭୧ କିମି ସୀମରେ ତାରବାଡ଼ ଲଗାଇ ସାରିଲାଣି । ତେବେ ଅବଶିଷ୍ଟ ୮୮୫ କିମି ସୀମାରେ ତାରବାଡ ନିର୍ମାଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି ଜମାଏତ । ସୀମାର ଚପାଇ, ନବାବଗଞ୍ଜ, ନାଓଗାଁ, ଲାଲମୋନିରହାଟ ଓ ତିନ୍ ବିଘା କରିଡର ଆଦି ସ୍ଥାନରେ ଜମାଏତ ସଶସ୍ତ୍ର ବିରୋଧ ପ୍ରଦର୍ଶନ କରୁଛି ।

ହେଲେ ଏହି ବିରୋଧର କାରଣ ହେଲା ଯଦି ସୀମାର ଏହି ଅଂଶରେ ତାରବାଡ଼ ବିଛାଯାଏ ତେବେ ଗୋଚାଲାଣ ଓ ଡ୍ରଗ୍ସ ଟ୍ରାଫିକିଂରେ ବାଧା ସୃଷ୍ଟି ହେବ ବୋଲି କୁହାଯାଉଛି । ଗତ ରବିବାର ତାରବାଡ଼ ପ୍ରସଙ୍ଗରେ ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ ଜାରି କରିଥିଲା ବାଂଲାଦେଶ । ଜବାବରେ ଭାରତର ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ବାଂଲାଦେଶର ଡେପୁଟି ହାଇ କମିଶନର ନୁରାଲ ଇସଲାମଙ୍କୁ ସମନ ଜାରି କରିଥିଲା । ପ୍ରଶ୍ନ ଉଠୁଛି ତାରବାଡକୁ କାହିଁକି ବାଂଲାଦେଶ ବିରୋଧ କରୁଛି ?

ବାସ୍ତବ କଥା ହେଲା, ଏହାରି ମୂଳରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ବି ରହିଛି । ବାଂଲାଦେଶକୁ ଆଇଏସଆଇର ପ୍ରବେଶ ରହିଛି । ପଶ୍ଚିମବଙ୍ଗ ଓ ପୂର୍ବାଞ୍ଚଳରେ ଅପରାଧୀକ କାର୍ଯ୍ୟର ପ୍ରସାର ଲାଗି ଉନ୍ମକ୍ତ ସୀମା ବ୍ୟବହାର ଲାଗି ଆଇଏସଆଇ ଚାହୁଁଛି । ଏପରିକି ଏହି ସବୁ ସ୍ଥାନରେ ସୌର ଆଲୋକ ଲଗାଇବାକୁ ବି ବିରୋଧ କରୁଛନ୍ତି ବିଜିବି ଓ ଆଇଏସଆଇ । ଏହି ଖୋଲାପଥ ଦେଇ ବାଂଲାଦେଶୀମାନେ ଭାରତକୁ ଆସିବେ, ଜମାଏତ ଓ ଅନ୍ଯାନ୍ୟ ଆତଙ୍କବାଦୀ ସଂଗଠନ ଲାଗି ସ୍ଲିପର ସେଲ ଜରିଆରେ କାମ କରିବେ ବୋଲି ଜଣାଯାଇଛି । ଏପରିକି ଆଇଏସଆଇଏସ କର୍ମୀ ବି ପ୍ରବେଶ କରିବା ଆଶଙ୍କା ରହିଛି ।

ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ପାର୍ଲାମେଣ୍ଟାରୀ ପ୍ୟାନେଲର ନୋଟିସ୍

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପ୍ରସଙ୍ଗକୁ ନେଇ ବିବାଦୀୟ ମନ୍ତବ୍ଯ ଦେଇ ଅଡୁଆରେ ମେଟା ସିଇଓ ମାର୍କ ଜୁକରବର୍ଗ । ତାଙ୍କ ନିକଟକୁ ପାର୍ଲାମେଣ୍ଟାରୀ ପ୍ଯାନେଲ ପକ୍ଷରୁ ସମନ ଜାରି କରାଯିବ ବୋଲି ସୂଚନା ମିଳିଛି । ଜୁକରବର୍ଗ କକହିଥିଲେ,  କୋଭିଡ-୧୯ରେ ଦୁର୍ବଳ ପରିଚାଳନା ଯୋଗୁଁ ଏନଡିଏ ସରକାର ୨୦୨୪ ଲୋକସଭା ନିର୍ବାଚନ ପ୍ରକୃତରେ ହାରିଥିଲା ।

ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ଏହି ଭୁଲ୍ ସୂଚନା ପ୍ରସାରଣ କରୁଥିବାରୁ ମେଟା କ୍ଷମା ମାଗିବା ଉଚିତ । ଭୁଲ୍ ସୂଚନା ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଭାବମୂର୍ତ୍ତି କ୍ଷୁଣ୍ଣ କରିଥାଏ । ଭାରତୀୟ ପାର୍ଲାମେଣ୍ଟ ଓ ଭାରତୀୟଙ୍କ ନିକଟରେ ଭୁଲ ସୂଚନା ଲାଗି ମେଟା କ୍ଷମା ପ୍ରାର୍ଥନା କରୁ ।

ଗତ ଜାନୁଆରୀ ୧୦ରେ ଫେସବୁକ ସହ ପ୍ରତିଷ୍ଠାତା ଜୁକରବର୍ଗ କହିଥିଲେ, କୋଭିଡ ୧୯ ପରିଚାଳନାରେ ବିଫଳତା କାରଣରୁ ସେହି ସମୟରେ କ୍ଷମତାସୀନ ଥିବା ବିଶ୍ବର ଅଧିକାଂଶ ସରକାର ଉପରେ ଲୋକଙ୍କ ଆସ୍ଥା ତୁଟିଯାଇଥିଲା । ୨୦୨୪ରେ ଭାରତ ସମେତ ଅନେକ ରାଷ୍ଟ୍ରରେ ନିର୍ବାଚନ ହୋଇଥିଲା । କୋଭିଡ ଜନିତ ଅର୍ଥନୀତି ପରିଚାଳନାରେ ବିଫଳତା ହେତୁ ବିଶ୍ବର ଅଧିକାଂଶ ରାଷ୍ଟ୍ର ନିର୍ବାଚନରେ ହାରିଥିଲେ । ଏହି ମନ୍ତବ୍ଯ ଲାଗି ଜୁକରବର୍ଗଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ର ରେଳବାଇ, ସୂଚନା ଓ ପ୍ରସାରଣ ତଥା ଇଲକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗତ ୨୦୧୪ ଓ ୨୦୧୯ ନିର୍ବାଚନରେ ଏନଡିଏ ପୂର୍ଣ୍ଣ ସଂଖ୍ଯା ଗରିଷ୍ଠତା ହାସଲ କରିଥିଲେ ବି ୨୦୨୪ ନିର୍ବାଚନରେ ଏନଡିଏ ବିଶେଷ ସଫଳତା ହାସଲ କରି ନଥିଲା ।

ବରଗଡ଼ ଧନୁଯାତ୍ରାରୁ ନିଖୋଜ ଯୁବତୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର

ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ହୋଇଛି । ହେଲେ ଧନୁଯାତ୍ରାରେ ନିଖୋଜ ହୋଇଥିବା ଜଣେ ଯୁବତୀଙ୍କୁ ନେଇ ଏବେ ଚର୍ଚ୍ଚା । ନିଖୋଜ ଯୁବତୀଙ୍କୁ ୩୦ରୁ ୩୫ ଘଣ୍ଟା ପରେ ଉଦ୍ଧାର କରାଯାଇଛି । ହେଲେ ରକ୍ତାକ୍ତ ଅବସ୍ଥାରେ ।

ସୂଚନାଯୋଗ୍ୟ, ଧନୁଯାତ୍ରା ଦେଖିବାକୁ ଆସିଥିବା ଯୁବତୀ ଜଣଙ୍କ ନିଖୋଜ ହୋଇଯାଇଥିଲେ । ପ୍ରାୟ ୩୫ ଘଣ୍ଟା ପରେ କୁର୍ଲା ଜଙ୍ଗଲରୁ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଯୁବତୀଙ୍କ ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ରହିଛି । ମୁଣ୍ଡରେ ଆଘାତ ଲାଗିଥିବାରୁ ଯୁବତୀଙ୍କ ମାନସିକ ସ୍ଥିତି ଠିକ୍ ରହୁ ନଥିବା କହିଛନ୍ତି ସମ୍ପର୍କୀୟ । ଅପହରଣ ପରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଛି । ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଯେମିତି ଅଛି ଏହା ଜଣଙ୍କର କାମ ନୁହେଁ ବୋଲି ସନ୍ଦେହ କରାଯାଉଛି । ଆଉ ସେହି ଦୃଷ୍ଟିରୁ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇ ପାରିଥାଏ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ନ୍ୟାୟ ପ୍ରଦାନ ଦାବିରେ ପ୍ରଶାସନ ନିକଟରେ ପରିବାର ଲୋକେ ଦାବି କରିଛନ୍ତି ।