spot_img
Home Blog Page 1266

ସମଲିଙ୍ଗୀ ବିବାହ ମାମଲା: ଆଜି ରିଭ୍ଯୁ ପିଟିସନର ବିଚାର କରିବେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ସମଲିଙ୍ଗୀ ବିବାହ ମାମଲା । ଆଜି ଏସଂକ୍ରାନ୍ତ ବିଭିନ୍ନ ରିଭ୍ଯୁ ପିଟିସନର ବିଚାର କରିବେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ । ସୁପ୍ରିମକୋର୍ଟଙ୍କ ସମ୍ଭାବ୍ଯ ନିଷ୍ପତ୍ତି ଉପରେ ରହିଛି ଏଲଜିବିଟିକ୍ୟୁଆଇଏଙ୍କ ନଜର । ଗତ ଜୁଲାଇ ୨୦୨୪ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏହି ଖଣ୍ଡପୀଠରୁ ଅବ୍ୟାହତି ନେବା ସହ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କୌଲ, ରବୀନ୍ଦର ଭଟ ଓ ହିମା କୋହଲି ଅବସର ନେବା ପରେ ଏହି କମିଟିକୁ ପୁନର୍ଗଠିତ କରାଯାଇଥିଲା । ନୂଆ କମିଟିରେ ସଦସ୍ଯମାନେ ହେଉଛନ୍ତି ଜଷ୍ଟିସ ଭୂଷଣ ଗଭାଇ, ସୂର୍ଯ୍ୟ କାନ୍ତ, ବି.ଭି. ନାଗରତ୍ନା, ପିଏସ ନରସିଂହ୍ମା ଓ ଦୀପଙ୍କର ଦତ୍ତ । ଏହି ଗୁରୁତ୍ବପୂର୍ଣ୍ଣ ମାମଲାକୁ କେବଳ ଖଣ୍ଡପୀଠ ସ୍ତରରେ ସମୀକ୍ଷା କରାଯିବ । ଆବଶ୍ଯକ ପଡିଲେ ଏହାର ଶୁଣାଣି ଖୋଲା କୋର୍ଟରେ ହୋଇପାରେ । ଗତ ୨୦୨୩ ଅକ୍ଟୋବର ୧୭ର ରାୟରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ଯତା ଦେବାକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଥିଲେ ।

ଏହା ସହ ଏହି ପ୍ରସଙ୍ଗରେ ସଂସଦ ଓ ରାଜ୍ଯ ବିଧାନସଭା ନିଷ୍ପତ୍ତି ନିଅନ୍ତୁ ବୋଲି କହିଥିଲେ ଖଣ୍ଡପୀଠ । ୨୦୨୩ ଅକ୍ଟୋବର ୧୭ ରାୟରେ ୫ ଜଣିଆ ଖଣ୍ଡପୀଠରୁ ୩ ଜଣ ଅର୍ଥାତ ଜଷ୍ଟିସ ଭଟ୍ଟ, କୋହଲି ଓ ନରସିହ୍ମା ସମଲିଙ୍ଗୀ ବିବାହକୁ ବିରୋଧ କରିଥିବାବେଳେ ୨ ଜଣ ଅର୍ଥାତ ଜଷ୍ଟିସ ଚନ୍ଦ୍ରଚୂଡ଼ ଓ କୌଲ ସମର୍ଥନ କରିଥିଲେ । ସମଲିଙ୍ଗୀ ବିବାହ ଓ ସେହି ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣ କରିବା ଏକ ସାମ୍ବିଧାନିକ ଅଧିକାର ବୋଲି ଏହି ଦୁଇ ଜଣ ମତ ଦେଇଥିଲେ । ସମଲିଙ୍ଗୀ ବିବାହ ଏକ ସାମ୍ବିଧାନିକ ଅଧିକାର ଦର୍ଶାଇ ସୁପ୍ରିମକୋର୍ଟରେ କେତେକ ପିଟିସନ ଦାୟର ହୋଇଥିଲା ।

ପିଟିସନରକାରୀମାନେ କହିଛନ୍ତି- ୨୦୧୮ରେ ନବତେଜ ସିଂ ଜୋହର ବନାମ କେନ୍ଦ୍ର ସରକାର ଏବଂ ୨୦୧୪ରେ ନଲସା ବନାମ କେନ୍ଦ୍ର ସରକାର ମାମଲାରେ ଏଲଜିବିଟିକ୍ୟୁଆଇଏ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ଏହି ମାମଲାର ପୁନର୍ବିଚାର କରାଯାଉ ।  ନବତେଜ ସିଂ ମାମଲାରେ ସୁପ୍ରିମକୋର୍ଟ ଦୁଇ ଜଣ ବୟସ୍କଙ୍କ ସହମତିଭିତ୍ତିକ ଯୌନ ସମ୍ପର୍କ ଅପରାଧ ନୁହେଁ ବୋଲି କହିଥିଲେ । ସେହିପରି ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ ବା ନାଲସା ମାମଲାରେ ସୁପ୍ରିମକୋର୍ଟ କହିଥିଲେ- ଟ୍ରାନ୍ସଜେଣ୍ଡରମାନେ ହେଉଛନ୍ତି ତୃତୀୟ ଲିଙ୍ଗୀ ଏବଂ ଲିଙ୍ଗଗତ ସମାନତା ଓ ଆତ୍ମସମ୍ମାନ ସେମାନଙ୍କ ମୌଳିକ ଅଧିକାର ।

ତିରୁପତି ମନ୍ଦିରରେ ଦଳାଚକଟା: ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୨୫ ଆହତ

ତିରୁମାଲା: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଆଜି ଏକ ବଡ଼ ଅଘଟଣ ଘଟିଥିଲା । ବୈକୁଣ୍ଠ ଦର୍ଶନ ଦ୍ବାର ଟିକେଟ କେନ୍ଦ୍ର ନିକଟରରେ ଦଳାଚକଟାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏଥିସହିତ ୨୫ ଜଣ ଆହତ ହୋଇଥିଲେ । ବୈକୁଣ୍ଠ ଦ୍ବାର ଦର୍ଶନ ୧୦ ଦିନ ପାଇଁ ଖୋଲିଥିଲା । ତେଣୁ ଟୋକନ ନେବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକଙ୍କର ଭିଡ଼ ଜମିଥିଲା । ବୈକୁଣ୍ଠ ଦ୍ବାର ଦର୍ଶନ ପାଇଁ ତିରୁପତିର ବିଭିନ୍ନ ଟିକେଟ କେନ୍ଦ୍ରରେ ଲୋକମାନେ ରୁଣ୍ଡ ହୋଇଥିଲେ । ସମସ୍ତ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଟୋକନ ପାଇଁ ପାଖାପାଖି ୪ ହଜାର ଲୋକ ଭିଡ଼ ଜମାଇଥିଲେ । ପରିସ୍ଥିତି ବିଷୟରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ମନ୍ଦିର କମିଟିର ଅଧ୍ୟକ୍ଷଙ୍କ ସହ ଫୋନରେ କଥା ହୋଇଥିଲେ । ଏହି ଘଟଣାର ମୃତାହତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିଥିଲେ । ଗୁରୁବାର ସକାଳ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲକୁ ଯାଇ ସମସ୍ତ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବେ ।

ଆସନ୍ତା ୧୦ରୁ ୧୯ ତାରିଖ ଯାଏ ତିରୁମାଲା ତିରୁପତି ଦେବସ୍ଥାନମ ବା ଟିଟିଡି ପକ୍ଷରୁ ବୈକୁଣ୍ଠ ଏକାଦଶୀ ଓ ବୈକୁଣ୍ଠ ଦ୍ବାର ଦର୍ଶନମ କାର୍ଯ୍ୟକ୍ରମ ହେବାର ଥିଲା। ଟିଟିଡି ବୋର୍ଡର ଅଧ୍ୟକ୍ଷ ବି.ଆର. ନାଇଡୁ ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନାଇଡୁ। ବୈକୁଣ୍ଠ ଏକାଦଶୀ ଓ ବୈକୁଣ୍ଠ ଦ୍ବାର ଦର୍ଶନମ କାର୍ଯ୍ୟକ୍ରମରେ ପ୍ରାୟ ୭ ଲକ୍ଷ ଶ୍ରଦ୍ଧାଳୁ ସମାଗମ ହେବାର ଆଶା ରଖିଛି ଟିଟିଡି। ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଲାଗି ଟିକେଟ ବ୍ୟବସ୍ଥା କରାଯିବା ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

ମଦ ଦୋକାନରୁ ଟଙ୍କା ଚୋରି ମାମଲାର ପର୍ଦାଫାଶ: ୪ ଅଭିଯୁକ୍ତ ଗିରଫ

କାଶୀପୁର: ମଦ ଦୋକାନରୁ ଟଙ୍କା ଚୋରି ମାମଲାର ପର୍ଦାଫାଶ ହୋଇଛି । ଏହି ମାମଲାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏଥିସହିତ ୨ ଲକ୍ଷ ୫୦ ହଜାର ଟଙ୍କା ଓ ବୁଲେଟ ଜବତ ହୋଇଛି । ଏକ ମଦ ଦୋକାନରୁ ନଗଦ ଟଙ୍କା ଚୋରି ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ନଗଦ ଟଙ୍କା, ଗୋଟିଏ ଗଇଁତି ଓ ଗୋଟିଏ ବୁଲେଟ ଗାଡି ଜବତ କରିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ପୋଲିସ । ଗିରଫ ୪ଜଣ ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ଗେରାପୁଟ ଗ୍ରାମର ଆକାଶ ହିକକା, ରମାକାନ୍ତ କୁଲୁସିକା, ପ୍ରଦୀପ ମେଲେକା ଓ ଶିବ କାଡ୍ରାକା । ଜାନୁୟାରୀ ୫ ତାରିଖରେ ଚାନ୍ଦିଲି ଥାନା ଅଧୀନସ୍ଥ ଥେରୁବାଲି ସ୍ଥିତ ବିଦେଶୀ ମଦ କାଉଣ୍ଟଟରରୁ ନଗଦ ୨ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଥିଲା । ଏନେଇ ମ୍ୟାନେଜର ଅନିଲ କୁମାର ୬ ତାରିଖରେ ଚାନ୍ଦିଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଚାନ୍ଦିଲି ଥାନା ପୋଲିସ ଘଟଣାର ତଦନ୍ତ କରିଥିଲା । ଉକ୍ତ ତଦନ୍ତରେ ଗିରଫ ୪ଜଣଙ୍କ ସମ୍ପୃକ୍ତି ରହିଥିବା ଜାଣିବା ପରେ ପୋଲିସ ଯୋଜନା ଭିତିରେ ସେମାନଙ୍କୁ ଗିରଫ କରିବା ସହିତ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଜବତ କରିଥିବା ଜଣାପଡିଛି ।

ଏକ ଦେଶ ଏକ ନିର୍ବାଚନ: ନୂଆଦିଲ୍ଲୀରେ ପ୍ରଥମ ଯୁଗ୍ମ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ । ଆଜି ନୂଆଦିଲ୍ଲୀରେ ଏନେଇ ପ୍ରଥମ ଯୁଗ୍ମ ସଂସଦୀୟ କମିଟି ବୈଠକ ବସିଥିଲା। ବୈଠକରେ ଆଇନ ଓ ନ୍ୟାୟ ମନ୍ତ୍ରାଳୟର କର୍ତ୍ତୃପକ୍ଷଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ। ୩୯ଜଣିଆ କମିଟିରେ ବିଜେପି ସାଂସଦ ପିପି ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଏଥରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ, ଜେଡିୟୁର ସଞ୍ଜୟ ଝା, ଶିବସେନାର ଶ୍ରୀକାନ୍ତ ସିନ୍ଦେ, ଆପର ସଞ୍ଜୟ ସିଂ, ଟିଏମସିର କଲ୍ୟାଣ ବାନାର୍ଜୀଙ୍କ ସମେତ ବିଭିନ୍ନ ଦଳର ସଦସ୍ୟମାେନ ସାମିଲ ହୋଇଥିଲେ। ଗତ ଶୀତକାଳୀନ ଅଧିବେଶନରେ ଲୋକସଭାରେ ସମ୍ବିଧାନର ୧୨୯ ସଂଶୋଧନ ବିଲ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ ଆଗତ ହୋଇଥିଲା। ପ୍ରଥମେ ଜେପିସିର ସଦସ୍ୟ ସଂଖ୍ୟା ୩୧ ଥିବାବେଳେ ପରେ ତାହାକୁ ୩୯କୁ ବୃଦ୍ଧି କରାଯାଇଥିଲା। ସେଥିରେ ଲୋକସଭାର ୨୭ ଓ ରାଜ୍ୟସଭାର ୧୨ ସଦସ୍ୟ ରହିଛନ୍ତି। ପ୍ୟାନେଲର ପ୍ରମୁଖ ସଦସ୍ୟମାନେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପୁରୁଷୋତ୍ତମ ରୂପାଲା, ମନୀଷ ତିୱାରୀ, ଅନୀଲ ବାଲୁନି, ବାନସୁରୀ ସ୍ବରାଜ ପ୍ରମୁଖ।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସାକୁ ପରିବର୍ଦ୍ଧିତ କଲେ ଭାରତ ସରକାର

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସାକୁ ପରିବର୍ଦ୍ଧିତ କରିଛନ୍ତି କେନ୍ଦ୍ର ସରକାର। ଗତବର୍ଷ ଅଗଷ୍ଟ ମାସରରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ ହସିନା। ବାଂଲାଦେଶ ହାତରେ ପ୍ରତ୍ୟର୍ପଣ କରିବା ଲାଗି ଅନ୍ତରୀଣ ସରକାରଙ୍କ ପକ୍ଷରୁ ଚାପ ପଡୁଥିବା ବେଳେ ଭିସା ଅବଧିକୁ ବଢାଇଛନ୍ତି କେନ୍ଦ୍ର ସରକାର। ଗତ ବର୍ଷ ଅଗଷ୍ଟ ୫ରେ ଢାକାରୁ ଚାଲିଆସିଥିବା ହସିନାଙ୍କୁ ଭାରତ ଆଶ୍ରୟ ଦେଇଥିଲା । ହସିନାଙ୍କ ଭାରତ ରହଣୀ ଅବଧି ବୃଦ୍ଧି ଏକ ପାରିପାର୍ଶ୍ବିକ ପଦକ୍ଷେପ ବୋଲି ଭାରତ ପକ୍ଷରୁ କୁହାଯାଇଛି। ଗତ ଡିସେମ୍ବର ୨୩ ତାରିଖରେ ହସିନାଙ୍କୁ ବାଂଲାଦେଶ ହାତରେ ପ୍ରତ୍ଯର୍ପଣ କରିବା ଲାଗି ଭାରତ ନିକଟରେ ଦାବି କରିଥିଲେ ଅନ୍ତରୀଣ ସରକାର। ଗତ ୭ ତାରିଖରେ ଶେଖ ହସିନାଙ୍କ ସମେତ ୯୭ ଜଣଙ୍କ ପାସପୋର୍ଟ ରଦ୍ଦ କରିଥିଲେ ଅନ୍ତରୀଣ ସରକାର।

୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ, ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବିମାନ ବନ୍ଦରରୁ ରାଜଭବନ ଅଭିମୁଖେ ଗଲା ପ୍ରଧାନମନ୍ତ୍ରୀଙ୍କ କାରକେଡ। ରାଜଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ସକାଳେ ରାଜଭବନରୁ ବାହାରି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ମୋଦି ।

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ପହଞ୍ଚି ସାରିଥିବାରୁ ବିମାନ ବନ୍ଦରରୁ ରାଜଭବନ ରାସ୍ତାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

କେରଳ ମଲାପୁରମ ତିରୁରରେ ଅଘଟଣ : ହାତୀ ଆକ୍ରମଣ ଓ ଦଳାଚକଟାରେ ୧୭ ଆହତ

ନନ୍ଦିଘୋଷ ବ୍ୟୁରୋ :  ଉତ୍ସବ ବେଳେ ମାତିଲା ହାତୀ । ଉତ୍ସବ ଅବସରରେ ହାତୀକୁ ସୁସଜ୍ଜିତ କରି ଲୋକେ ଏହାର ମଜା ନେଉଥିବାବେଳେ ଉତ୍ୟକ୍ତ ହାତୀ ଆକ୍ରମଣରେ ୧୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ଯରୁ ଜଣେ ଅତି ଗୁରୁତର ହୋଇଛନ୍ତି। କେରଳ ମଲାପୁରମରେ ଘଟିଛି ଘଟଣା। ତିରୁରରେ ଆୟୋଜିତ ହେଉଥିଲା ପୁଥିୟାଙ୍ଗାଦି ଉତ୍ସବ। ସେଥିରେ ସାମିଲ ହୋଇଥିଲେ ସହସ୍ରାଧିକ ଲୋକ। ଏଥିରେ ୫ଟି ହାତୀଙ୍କୁ ସୁନାରେ ସାଜସଜ୍ଜା କରାଯାଇଥିଲା।

କେତେକ ଲୋକ ହାତୀକୁ ନେଇ ଭିଡିଓ ସୁଟ୍ କରୁଥିଲେ। ମାତ୍ର ହଠାତ ସେମାନଙ୍କ ମଧ୍ଯରୁ ଗୋଟିଏ ହାତୀ ହଠାତ୍ ହିଂସ୍ର ହୋଇ ଉଠିଥିଲା। ପରେ ଲୋକଙ୍କ ଉପରକୁ ମାଡିଯାଇଥିଲା। ସେହି ହାତୀର ନାମ ଥିଲା ପକ୍କାଥୁ ଶ୍ରୀକୁଟ୍ଟନ। ହାତୀଟି ଜଣେ ଲୋକଙ୍କୁ ଶୂନ୍ଯକୁ ଉଠାଇ କଚାଡି ଦେଇଥିଲା। ଆହତଙ୍କୁ ସ୍ଥାନୀୟ କୋଟାକ୍କାଲସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କିତ ଲୋକ ଏଣେତେଣେ ଦୌଡିବାରୁ କିଛି ଲୋକ ଦଳାଚକଟାରେ ଆହତ ହୋଇଥିଲେ। ପ୍ରାୟ ୨ ଘଣ୍ଟା ପରେ ଉନ୍ମତ୍ତ ହାତୀକୁ ନିୟନ୍ତ୍ରଣକୁ ଅଣାଯାଇଥିଲା।

ଶିଶ୍ ମହଲ୍ ବନାମ ରାଜମହଲ ; ଚର୍ଚ୍ଚାରେ ଆଡ଼ମ୍ବରପୂର୍ଣ୍ଣ ବାସଭବନ

ନୂଆଦିଲ୍ଲୀ :  ଦିଲ୍ଲୀରେ ଶିଶ୍ ମହଲ ରାଜନୀତିକୁ ନେଇ ହାଇଡ୍ରାମା। ବିଜେପିର ଅଭିଯୋଗ ଯେ, କେଜରିୱାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ୫୨ କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କ ସରକାରୀ ବାସଭବନକୁ ମରାମତି କରିଥିଲେ। ସେଠାରେ ରହିଛି ସୁଇମିଂ ପୁଲ୍‌, ମଦ ବାର୍। କେଜରିୱାଲଙ୍କ ଦୁର୍ନୀତିମୁକ୍ତ ଶାସନ ଓ ଆମ୍ ଆଦମୀ ଚେହେରା ଧୁଆଁବାଣ ବୋଲି ବିଜେପି ଅଭିଯୋଗ କରିଆସୁଛି। ଏପରିକି ସିସ୍ ମହଲକୁ ନିର୍ବାଚନୀ ପ୍ରସଙ୍ଗ କରିଛି। ବିଜେପିର ଏହି ଅଭିଯୋଗ କେତେ ସତ କେତେ ମିଛ,ତାର ରିୟଲିଟି ଚେକ୍ ପାଇଁ ଆଜି ମିଡିଆ ଧରି ସେଠାରେ ପହଞ୍ଚିଥିଲେ ଆପ୍ ନେତା। କିନ୍ତୁ ପୋଲିସ ବ୍ୟାରିକେଡ୍ ସହିତ କଡ଼ା ସୁରକ୍ଷା କରିଥିଲା।

ଆପ୍ ନେତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଭିତରେ କାହାକୁ ପଶିବାକୁ ଦେଇନଥିଲା। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଆପ୍ ନେତା ଓ ପୋଲିସ। ଆପ୍ ନେତା ତଥା ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ଵାଜ ପ୍ରଶ୍ନ କରିଛନ୍ତି, ଯଦି ବିଜେପିର ଅଭିଯୋଗ ସତ, ତେବେ ତାର ଯାଞ୍ଚ ପାଇଁ କାହିଁକି ମିଡିଆକୁ ଭିତରକୁ ଛାଡୁନି। ଡର କାହାକୁ। ଏଥିରୁ ବିଜେପିର ମିଛ ଧରା ପଡ଼ିଛି ବୋଲି ସେ କହିଛନ୍ତି।

ଏହା ସହିତ ଆପ୍ ଅଭିଯୋଗ କରିଛି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି ୨୭୦୦ କୋଟି ଟଙ୍କା। କରୋନା ସମୟରେ ଯେତେବେଳେ ସାରା ଦେଶ, ସାରା ବିଶ୍ଵ ସଂକଟ ଦେଇ ଗତି କରୁଥିଲା, ସେତେବଳେ ଖର୍ଚ୍ଚ କରାଯାଇଥିଲା ୨୭ ଶହ କୋଟି ଟଙ୍କା। ସତ ପରଖିବା ପାଇଁ ସଂଜୟ ସିଂହ ଓ ସୌରଭ ଭରଦ୍ଵାଜ ଆପ୍ କର୍ମୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡ଼େ ଯିବା ବେଳେ ସମସ୍ତଙ୍କୁ ଅଟକାଇଥିଲା ପୋଲିସ । ଏହି ବିବାଦକୁ ନେଇ ଆଜି ଦିନ ସାରା ଆପ୍ – ବିଜେପି ବାକ୍ ଯୁଦ୍ଧ ଜାରି ରହିଛି।

ଭାଣିଜୀର ପ୍ରେମ ବିବାହକୁ ନେଇ କ୍ଷୁବ୍ଧ ମାମୁଁ ଭୋଜିରେ ମିଶାଇଲା ବିଷ !

ମୁମ୍ବାଇ: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସାଧାରଣ ଭାବେ ଜାଣିଜୀଙ୍କ ବିବାହରେ ମାମୁଁଙ୍କର ବଡ଼ ଭୂମିକା ରହିଥାଏ । ନିର୍ବନ୍ଧ ଠାରୁ ଆରମ୍ଭ କରି ବାହାଘର ଶେଷ ପର୍ଯ୍ୟନ୍ତ ମାମୁଁ ସମସ୍ତ ମୁଖ୍ୟ କାର୍ଯ୍ୟ ତୁଲାଇଥାନ୍ତି । ମାତ୍ର ଏଠାରେ ଜଣେ ମାମୁଁ ଯେଉଁ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି, ତାହା ସଭ୍ୟ ସମାଜ ପାଇଁ ପାଇଁ ଗ୍ରହଣୀୟ ନୁହେଁ । ନିଜ ଭାଣିଜୀଙ୍କ ବିବାହର ରିସେପ୍ସନ ଭୋଜିରେ ବିଷ ମିଶାଇ ଦେଇଥିଲେ ମାମୁଁ । ଭାଣିଜୀଙ୍କ ବିବାହକୁ ମାମୁଁ ବିରୋଧ କରିଆସୁଥିଲେ । ସେଥିପାଇଁ ଅଭିଯୁକ୍ତ ମାମୁଁ ଏହି ହରକତ କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ପନହାଲା ତହସିଲର ଉଟ୍ରେ ଗ୍ରାମରେ ଏହି ଅଘଟଣ ଘଟିଥିଲା ।  ଭଲକଥା ଯେ, ଭୋଜି ଖାଇବା ପୂର୍ବରୁ ଘଟଣାଟି ପ୍ରଘଟ ହୋଇଯାଇଥିଲେ ଏବଂ ଏହାକୁ କେହି ଖାଇ ନଥିଲେ । ପରେ ଖାଦ୍ୟର ସାମ୍ପଲ ଟେଷ୍ଟିଂ ପାଇଁ ପଠାଗଲା । ପୋଲିସର ସୂଚନା ଅନୁଯାୟୀ, କିଛି ଲୋକ ଅଭିଯୁକ୍ତ ମାମୁଁକୁ ବାନ୍ଧି ଦେଇଥିଲେ ହେଲେ ସେ ସେଠାରୁ ସୁଯୋଗ ଦେଖି ଖସି ପଳାଇଲା ।

ଅଭିଯୁକ୍ତ ମାମୁଁ ହେଉଛି ଗାଁର ମହେଶ ପାଟିଲ । ପୋଲିସର ସୂଚନା ମୁତାବକ, ମାମୁଁଘରେ ହିଁ ଛୋଟ ବେଳୁ ଭାଣିଜୀର ଲାଳନ ପାଳନ ହୋଇଥିଲା । ହେଲେ ଅଭିଯୁକ୍ତର ଜାଣିଜୀ ଗାଁର ଜଣେ ଯୁବକକୁ ପ୍ରେମ କରୁଥିଲା ଏବଂ ତାସହ ପଳାୟନ କରି ବିବାହ କରିଥିଲା । ଯାହା ମାମୁଁ ମହେଶ ଗ୍ରହଣ କରିପାରୁ ନଥିଲେ । ଏଥିପାଇଁ ସେ ମଙ୍ଗଳବାର ଭାଣିଜୀର ବିବାହ ରିସେପସନକୁ ଯାଇ ରାଗରେ ଅତିଥିଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଭୋଜିରେ ବିଷ ମିଶାଇଦେଲା । ଏହା କରୁଥିବା ବେଳେ ସେଠାରେ ଥିବା ଲୋକ ଦେଖି ତାକୁ ଧରିପକାଇଲେ, ହେଲେ ସେ ସେଠାରୁ ଖସିପଳାଇଲା ।  ଏବେ ଅଭିଯୁକ୍ତ ମାମୁଁ ନାଁରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଦିନକୁ ଦିନ ବଲାଙ୍ଗୀରରେ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି

ବଲାଙ୍ଗୀର : ସରକାର ବଦଳିବା ପରେ ବଲାଙ୍ଗୀର ଜିଲ୍ଲାରେ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି  । ଥାନା ସାମ୍ନାରେ ପୋଲିସ ଅଧିକାରୀ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିବାକୁ ପଛାଇନାହାନ୍ତି ଅପରାଧି  । ବେଆଇନ ଜମି କାରବାର, ଦାଦାବଟି ଓ ନିଶା କାରବାର ହୁହୁ ହୋଇ ବଢ଼ି ଚାଲିଛି  । ଗତ କିଛିମାସ ଭିତରେ ସିରିଜ୍ ହତ୍ୟାକାଣ୍ଡ, ମରଣାନ୍ତକ ଆକ୍ରମଣ, ଲୁଟ, ଡକାୟତି ଘଟଣା ବଢ଼ିଛି  । ଗଳି ଗଳିରେ କପ୍ ସିରଫ, ନିଶା ଟାବଲେଟ ସହ ବେଆଇନ ମଦ କାରବାର ଚାଲିଛି  । ଅଭିଯୋଗ ପରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଶୂନ ।

ଗତକିଛି ଦିନ ତଳେ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଦଳିତ ଛାତ୍ରୀଙ୍କୁ ମଇଳା ବୋଳିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନଥିବା ଅଭିଯୋଗ ହୋଇଛି  । ପୋଲିସ ନିରପେକ୍ଷ ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ବଲାଙ୍ଗୀର ବିଧାୟକ ଉଦବେଗ ପ୍ରକାଶ କରି ବଲାଙ୍ଗୀର ଏସପିଙ୍କ ସହ ଆଲୋଚନା କରିଛନ୍ତି  । ବିଧାୟକଙ୍କ ସହ ବିଭିନ୍ନ ସଂଗଠନର ମହିଳା ମାନେ ଉପସ୍ଥିତ ରହିଥିଲେ  । ସିସିଟିଭିରେ ଚିହ୍ନଟ କରାଯାଇ ଅସାମାଜିକ ଓ ନିଶାସକ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବଲାଙ୍ଗୀର ଏସପି ।