spot_img
Home Blog Page 1265

ଆଜିଠୁ ଲାଞ୍ଚୁଆ ସରକାରୀ ବାବୁ ଓ ଠିକାଦାରଙ୍କୁ ୫ ଦିନିଆ ରିମାଣ୍ଡରେ ନେବ CBI

ଭୁବନେଶ୍ୱର: ଆଜି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ପ୍ରଥମ ଦିନ । ଆଜିଠୁ ଲାଞ୍ଚୁଆ ସରକାରୀ ବାବୁ ଓ ଠିକାଦାରଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ସିବିଆଇ । ୩ ଅଭିଯୁକ୍ତଙ୍କୁ ଘନ ଘନ ଜେରାକରି ନୂଆ ନୂଆ ତଥ୍ୟ ଉଗାରିବ ସିବିଆଇ । ଗତକାଲି ଖାରଜ ହୋଇଥିଲା ସ୍ପେଶାଲ କ୍ଳାସ କଣ୍ଟ୍ରାକ୍ଟରଙ୍କ ଜାମିନ । ଦେବଦତ୍ତ ମହାପାତ୍ରଙ୍କ ଜାମିନ ଖାରଜ କରିଥିଲେ ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ ।

ସେପଟେ ଠିକାଦାର ଓ କଂଷ୍ଟ୍ରକସନ ସଂସ୍ଥାର ମଧୁଚନ୍ଦ୍ରିକା ଘଟଣାରେ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଛି । ୧୦ ଲକ୍ଷ ଲାଞ୍ଚ ଘଟଣାରେ ୩ ଜଣଙ୍କୁ ଗିରଫ ପରେ ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ । ପୂର୍ବରୁ ଵାଲାଜି କମ୍ପ୍ଲେକ୍ସ ସ୍ଥିତ ସରକାରୀ ଅଧିକାରୀଙ୍କ ଘର, ଦେବଦତ୍ତ ମହାପାତ୍ରଙ୍କ ପାହାଳ ଉତକଳ ସିଗନେଚର ବିଲ୍ଡିଂରେ ଥିବା ADIPL ଅଫିସ ସିଲ କରିଥିଲା ସିବିଆଇ । ୩ ଅଭିଯୁକ୍ତ ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା ଓ ଚଞ୍ଚଲ ମୁଖାର୍ଜୀଙ୍କ ଆୟ ବହିର୍ଭୁତ ସମ୍ପତ୍ତି ନେଇ ଅଧିକ ଖୋଲତାଡ଼ ହେଉଛି ।

ଉତ୍ତରପ୍ରଦେଶ ହଥରସରେ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିଲେ ରାହୁଲ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ହଥରସକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଗସ୍ତ। ଗତ ନଭେମ୍ବର ୨୪ ସମ୍ଭଲ ହିଂସା ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ବ୍ୟକ୍ତିଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବାର ଦିନକ ପରେ ହଥରସ ଗସ୍ତ କରିଛନ୍ତି ରାହୁଲ। ସେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି। ରାହୁଲଙ୍କ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୨୦୨୦ର ବହୁଚର୍ଚ୍ଚିତ ହଥରସ ବୁଲଗଡି ଦୁଷ୍କର୍ମ ଓ ହତ୍ୟା ଘଟଣାର ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ରାହୁଲ। ପୀଡିତାଙ୍କ କ୍ଷେତ୍ରରେ ଅନ୍ୟାୟ କରାଯାଇଥିଲା ବୋଲି ଅଭିଯୋଗ କରିଥିଲା କଂଗ୍ରେସ।

୨୦୨୦ ସେପ୍ଟେମ୍ବର ୧୪ରେ ଜଣେ ଦଳିତ ବାଳିକାଙ୍କୁ ୪ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିଲେ। ଘଟଣାର ୧୫ ଦିନ ପରେ ଅର୍ଥାତ ୨୯ ତାରିଖରେ ପୀଡିତା ଆଖିବୁଜିଥିଲେ। ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମାମଲାରେ ଗତ ୨୦୨୩ ମାର୍ଚ୍ଚ ୨ରେ ଏକ ସ୍ପେସାଲ କୋର୍ଟ ଅନ୍ୟତମ ଅଭିଯୁକ୍ତ ସନ୍ଦୀପକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୫୦ ହଜାର ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲେ। ବଡ଼କଥା ହେଉଛି ଏହି ଚାଞ୍ଚଲ୍ୟକର ଘଟଣାରେ କୋର୍ଟ ୩ ଜଣଙ୍କୁ ଦୋଷମୁକ୍ତ କରିଥିଲେ। କୋର୍ଟଙ୍କ ଏହି ରାୟ ନେଇ ଅସନ୍ତୁଷ୍ଟ ହୋଇଥିଲେ ପରିବାର। ପୀଡିତାଙ୍କ ପରିବାରକୁ ରାଜ୍ୟ ସରକାର ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ବି ବର୍ତ୍ତମାନ ସୁଦ୍ଧା ପାଳନ ହୋଇନାହିଁ।

 

ମହାରାଷ୍ଟ୍ର ମହାୟୁତିରେ ଦ୍ବିତୀୟ ପର୍ଯ୍ୟାୟ ସସପେନ୍ସ; ମନ୍ତ୍ରିମଣ୍ଡଳ ନେଇ ଦିଲ୍ଲୀରେ ଅଙ୍କକଷା

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ମହାୟୁତିରେ ପ୍ରଥମ ପର୍ଯ୍ୟାୟ ସସପେନ୍ସ ଓଭର। ଏବେ ଦ୍ବିତୀୟ ପର୍ଯ୍ୟାୟ ସସପେନ୍ସ । ଅର୍ଥାତ ମନ୍ତ୍ରିମଣ୍ଡଳ ଗଠନ ନେଇ ସସପେନ୍ସ। ମନ୍ତ୍ରିମଣ୍ଡଳ ନେଇ ଦିଲ୍ଲୀରେ ଅଙ୍କକଷା ଚାଲିଛି। ଏନସିପି ନେତା ପ୍ରଫୁଲ୍ଲ ପଟେଲ ସହ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ କରିଛନ୍ତି ଆଲୋଚନା। ଏହି ଭେଟଘାଟରେ ଉପସ୍ଥିତ ନଥିଲେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଗତକାଲି ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଭେଟିଥିଲେ ଫଡଣବିସ। ତେବେ ସେହି ଭେଟଘାଟରେ ଉପସ୍ଥିତ ନଥିଲେ ଏକନାଥ ସିନ୍ଦେ। ପ୍ରଥମ ପର୍ଯ୍ୟାୟରେ ସାଲିସ କରିବାକୁ ବାଧ୍ୟ ହୋଇଥିଲେ ସିନ୍ଦେ। ପାଇଥିଲେ ଉପମୁଖ୍ୟମନ୍ତ୍ରୀ ପଦ। ଅଜିତ ପାୱାର ବି ହୋଇଥିଲେ ଡେପୁଟୀ।

ହେଲେ ବର୍ତ୍ତମାନ ବିଜେପି, ଶିବସେନା ଓ ଏନସିପି ମଧ୍ୟରେ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବଢିଛି ସସପେନ୍ସ। ଦୁଇ ସହଯୋଗୀ ଦଳ ବିଜେପି ନିକଟରେ ମନ୍ତ୍ରୀ ପଦ ବାର୍ଗେନ କରିଥିଲେ। ଗୃହମନ୍ତ୍ରୀ ପଦ ଲାଗି ସିନ୍ଦେ ଆଶାୟୀ ଅଛନ୍ତି। ତେବେ ଏହି ପଦ ମିଳିବା ସମ୍ଭବ ହୋଇ ନପାରେ। କାରଣ ଫଡଣବିସ ମୁଖ୍ୟମନ୍ତ୍ରୀ ଥିବାବେଳେ ଗୃହମନ୍ତ୍ରୀ ପଦ ସେ ସମ୍ଭାଳିଥିଲେ। ଶିବସେନାକୁ ନଗର ଉନ୍ନୟନ, ପୂର୍ତ୍ତ ଓ ରାଜସ୍ୱ ବିଭାଗ ମିଳିବା ସମ୍ଭାବନା ରହିଛି। ଏନସିପି ଅର୍ଥ ବିଭାଗ ମାଗୁଥିବାବେଳେ ଏହା ବି ବିଜେପି ଲାଗି କଷ୍ଟକର ହୋଇପାରେ। ତେବେ ଅର୍ଥ ବିଭାଗ ଉପରେ ଶିବସେନାର ଆଖି ଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ଆଶଙ୍କା ରହିଛି। ଗତ ମାସରେ ହୋଇଥିବା ବୁଝାମଣା ଅନୁସାରେ ବିଜେପିକୁ ୨୨, ଶିବସେନାକୁ ୧୨ ଓ ଏନସିପିକୁ ୯ ମନ୍ତ୍ରୀ ପଦ ମିଳିପାରେ। ଆସନ୍ତା ୧୬ରୁ ୨୧ ଯାଏ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ। ତା ପୂର୍ବରୁ ମନ୍ତ୍ରୀ ପଦ ବଣ୍ଟନ ସରିବା ଆଶା କରାଯାଉଛି।

ସଂସଦ ଅଧିବେଶନକୁ ପୁଣି ବିରୋଧୀଙ୍କ ବୟକଟ

ନୂଆଦିଲ୍ଲୀ: ସଂସଦ ଅଧିବେଶନକୁ ପୁଣି ବୟକଟ୍। ଏନଡିଏ ସରକାରର ମନମାନି ବିରୋଧରେ ସଂସଦ ଭବନ ବାହାରେ ବିକ୍ଷୋଭ କରିଛନ୍ତି ବିରୋଧୀ ଦଳ ସାଂସଦ। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଇଣ୍ଡିଆ ମେଣ୍ଟର ସାଂସଦମାନେ ସଂସଦ ଭବନ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି। ଦେଶକୁ ବିକିବାକୁ ଦିଆଯିବ ନାହିଁ ପ୍ଲାକାର୍ଡରେ ଦର୍ଶାଇଛନ୍ତି ସାଂସଦ।

ସଂସଦ ଅଧିବେଶନ ଆରମ୍ଭ ଦିନଠାରୁ ଆଦାନୀ, ଜର୍ଜ ସୋରସ, ଚାଷୀଙ୍କୁ ଏମଏସପି, ସମ୍ଭଲ ହିଂସା ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଚାଲିପାରୁନାହିଁ ଗୃହକାର୍ଯ୍ୟ। ବିରୋଧୀଙ୍କ ସ୍ବର ଚାପିଦେବା ଲାଗି ସରକାର ଉଦ୍ୟମ କରୁଛନ୍ତି ବୋଲି କରାଯାଇଛି ଅଭିଯୋଗ। ସେପଟେ ଇଣ୍ଡିମେଣ୍ଟର ସାଂସଦଙ୍କୁ ବି ଟକ୍କର ଦେଇଛନ୍ତି ଏନଡିଏ ସାଂସଦ। ସେମାନେ ବି ପୋଷ୍ଟର ଧରି କରିଛନ୍ତି ପ୍ରତିବାଦ ।

ରାଜଧାନୀରେ ଯୁବକଙ୍କ ଆତଙ୍କରାଜ; ବସ ଡ୍ରାଇଭରଙ୍କୁ ମାଡ ମାରିବା ସହ ଯାତ୍ରୀଙ୍କୁ ଓହ୍ଲାଇଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ । ବସ ଡ୍ରାଇଭରଙ୍କୁ ମାଡ ମାରିବା ସହ ଯାତ୍ରୀଙ୍କୁ ଓହ୍ଲାଇଦେଲେ ଦୁର୍ବୃତ୍ତ । ଘଟଣା ଘଟିଥିଲା ସତସଙ୍ଗ ବିହାର ସମ୍ମୁଖ ମୁଖ୍ୟ ରାସ୍ତାରେ। ଗାଡି ସାଇଡମରାକୁ ନେଇ ଅଧଘଣ୍ଟା ଧରି ରାସ୍ତା ଉପରେ ଆତଙ୍କ ରଚିଲେ ଯୁବକମାନେ। ବସକୁ ଅଟକାଇ ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ବସ ଭଙ୍ଗାରୁଜା କରି ଯାତ୍ରୀଙ୍କୁ ଗାଡିରୁ ଓହ୍ଲାଇ ଦେଇଥିବା ଦେଖିବାକୁ ମିଳିଛି । ଖବର ପାଇ ସହିଦନଗର ଥାନା ପୋଲିସ ଆକ୍ରମଣ କରିଥିବା ୫ ଜଣକୁ ଅଟକ ରଖି ତଦନ୍ତ କରୁଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ଇରାନରେ କଠୋର ହେଲା ହିଜାବ ନୀତି; ନିୟମକୁ ଉଲ୍ଲଂଘନ କଲେ ମୃତ୍ୟୁଦଣ୍ଡ କିମ୍ବା ୧୫ ବର୍ଷ ଯାଏ ଜେଲଦଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଉପସାଗରୀୟ ଉତ୍ତେଜନା ମଧ୍ୟରେ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଖୋମେନୀଙ୍କ କଠୋର ହିଜାବ ନୀତି । ହିଜାବ ନିୟମକୁ ଅଧିକ କଡା କରିଛନ୍ତି ସୁପ୍ରିମ ଲିଡର। ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କୁ ମୃତ୍ୟୁଦଣ୍ଡ କିମ୍ବା ୧୫ ବର୍ଷ ଯାଏ ଜେଲଦଣ୍ଡ ବ୍ୟବସ୍ଥା କରାଯାଇଛି । ପବିତ୍ରତା ଓ ହିଜାବ ସଂସ୍କୃତିକୁ ଏଣିକି କଡା ଭାବେ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । ନଗ୍ନତା ବା ଶାଳୀନତାବିହୀନ ପୋଷାକ ପିନ୍ଧିଲେ ଏହି ଦଣ୍ଡର ସାମ୍ନା କରିବାକୁ ପଡିବ ।

ଇରାନ ପ୍ରସ୍ତୁତ କରିଥିବା ନୂଆ ଆଇନର ଧାରା ୬୦ ଅନୁସାରେ, ଯେଉଁମାନେ ଆଇନର ଉଲ୍ଲଂଘନ କରିବେ, ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହିବେ ସେମାନଙ୍କୁ ଅର୍ଥଦଣ୍ଡ, ମାଡ଼, ପ୍ରାୟ ୧୫ବର୍ଷର ଜେଲଦଣ୍ଡ ଓ ମୃତ୍ୟୁଦଣ୍ଡ ଆଦି ଭୋଗିବାକୁ ପଡିବ। ଅର୍ଥଦଣ୍ଡର ପରିମାଣ ସର୍ବାଧିକ ୧୨,୫୦୦ ପାଉଣ୍ଡ ରହିଛି । ୧୯୭୯ରେ ଇସଲାମିକ ବିପ୍ଲବ ପରଠାରୁ ପ୍ରଚଳିତ ନିୟମ ଅନୁସାରେ ସର୍ବସାଧାରଣ ସ୍ଥାନରେ ମହିଳାମାନେ ନିଜ କେଶକୁ ଆବରଣ କରିବାର ଆବଶ୍ୟକତା ରହିଛି । ୨୦୨୨ ସେପ୍ଟେମ୍ବର ୧୬ରେ ପୋଲିସ ହେପାଜତରେ କୁର୍ଦ୍ଦ ମହିଳା ମାସା ଆମିନଙ୍କ ମୃତ୍ୟୁ ଘଟିବା ପରେ ଦେଶରେ ବ୍ୟାପକ ଆନ୍ଦୋଳନ ହୋଇଥିଲା। ଏହି ବିଶ୍ବଚର୍ଚ୍ଚିତ ଘଟଣାର ଦୁଇ ବର୍ଷ ପରେ ଇରାନ ସରକାର ହିଜାବ ନିୟମକୁ ଅଧିକ କଡା କରିଛନ୍ତି । ଡ୍ରେସ କୋଡକୁ ଅବମାନନା କରିବା ଅଭିଯୋଗରେ ମୋରାଲିଟି ପୋଲିସ ପକ୍ଷରୁ ତାଙ୍କୁ ତେହରାନରେ ଗିରଫ କରାଯାଇଥିଲା। ଆନ୍ଦୋଳନରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିଲା ।

ଅନ୍ୟପଟେ ଇରାନର ନୂଆ ଆଇନକୁ କଡା ସମାଲୋଚନା କରିଛି ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ । ଡ୍ରେସ କୋଡକୁ ଉଲ୍ଲଂଘନ କରୁଥିବା ମହିଳାଙ୍କୁ ଶାସ୍ତି ଦେବା ଲାଗି ବିଭିନ୍ନ ସ୍ଥାନରେ ହିଜାବ କ୍ଲିନିକ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି ।

ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା; ନିକିତାଙ୍କ ମା’, ଭାଇ ଓ ମାମୁଁ ଫେରାର

ନୂଆଦିଲ୍ଲୀ: AI ଇଞ୍ଜିନିୟର୍‌ ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ବେଙ୍ଗାଲୁରୁ ପୁଲିସ ଅତୁଲଙ୍କ ପତ୍ନୀ ନିକିତା ସିଂହାନିଆ, ତାଙ୍କ ମାଆ, ଭାଇ ଓ ମାମୁଁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ବେଙ୍ଗାଲୁରୁ ପୁଲିସ ଜୌନପୁରରେ ପହଞ୍ଚିଥିଲା। କିନ୍ତୁ ପୁଲିସ ପହଞ୍ଚିବା ପରେ ନିକିତାଙ୍କ ମା’ ଓ ଭାଇ ଘରୁ ଫେରାର ହୋଇଯାଇଥିଲେ

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ନିକିତାଙ୍କ ଅଭିଯୁକ୍ତ ମା’ ଓ ଭାଇ ଘରେ ତଲା ପକାଇ ଫେରାର ହୋଇଯାଇଛନ୍ତି। ଗିରଫ ଭୟରେ ଅନୁରାଗ ସିଙ୍ଘାନିଆ ଏବଂ ନିଶା ସିଙ୍ଘାନିଆ ଫେରାର ହେବା ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। । ଘଟଣାର ତଦନ୍ତ ଜାରି ରହିଛି।

ପୁଅ ପାଇଁ ମୁଁ ହଜାର ଥର ବଳିଦାନ ଦେଇପାରିବି: ଅତୁଲ

ବେଙ୍ଗାଲୁରୁ: ବେଙ୍ଗାଲୁରୁ AI ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା। ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତାଙ୍କ ପତ୍ନୀ ଏବଂ ଶାଶ୍ୱୁଘର ନିର୍ଯ୍ୟାତନା ଦେଉଥିବା ଏବଂ ନ୍ୟାୟ ବ୍ୟବସ୍ଥାରେ ତ୍ରୁଟି ଅଭିଯୋଗ କରି ୨୩ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖି ଅତୁଲ ଆତ୍ମହତ୍ୟା କରିଥିଲେ। ଏହି ସୁଇସାଇଡ୍ ନୋଟ୍ ର ଗୋଟେ ପୃଷ୍ଠାରେ ସେ ତାଙ୍କ ପୁଅଙ୍କ ବିଷୟରେ ଲେଖିଛନ୍ତି ।

ଅତୁଲ ଲେଖିଛନ୍ତି, ପୁଅ ତୋ ପାଇଁ ମୁଁ ମୋ ନିଜର ହଜାର ଥର ବଳିଦାନ ଦେଇପାରିବି। ଯେବେ ମୁଁ ତୁମକୁ ପ୍ରଥମ ଥର ଦେଖିଥିଲି, ସେତେବେଳେ ଭାବିଥିଲି ମୁଁ ମୋ ପୁଅ ପାଇଁ ଯେକୌଣସି ଦିନ ବି ଜୀବନ ଦେଇପାରିବି। ବର୍ତ୍ତମାନ ତୁମ ଚେହେରା ବି ମୋର ମନେନାହିଁ । ତୁମକୁ ଦେଖିବା ପାଇଁ ଯନ୍ତ୍ରଣା ପାଉଛି। ଏଥିରେ ତୁମକୁ ଦୁଃଖ ହେବ କିନ୍ତୁ ସତ କଥା ହେଉଛି ମୋତେ ଏମିତି ଲାଗୁଛି ତମେ ମୋ ଦ୍ୱାରା ହୋଇଥିବା ଏକ ଭୁଲ। କିନ୍ତୁ ତୁମକୁ ମୋସହ କେହି ରଖେଇ ଦେବେ ନାହିଁ।

ଅତୁଲ ସୁଭାଷ ତାଙ୍କ ପୁଅକୁ ଲେଖିଛନ୍ତି, “ଯେପର୍ଯ୍ୟନ୍ତ ମୁଁ ଜୀବିତ ଅଛି ଏବଂ ଟଙ୍କା ରୋଜଗାର କରୁଛି,  ତୁମ ମାଆ, ଆଈ ଏବଂ ମାମୁଁ ମୋତେ ହଇରାଣ କରିବେ। ମୋ ଠାରୁ ଆହୁରି ଅଧିକ ଟଙ୍କା ନେବେ ପାଇଁ ସେମାନେ ମୋତେ ହଇରାଣ କରିବେ।

ଆତ୍ମହତ୍ୟା ନୋଟରେ ଅତୁଲ ଆହୁରି ଲେଖିଛନ୍ତି, “ମୁଁ ମୋ ବାପାଙ୍କ ପାଇଁ ତୁମ ଭଳି ୧୦୦ ପୁଅକୁ ବଳିଦାନ ଦେଇପାରେ । ଏବଂ ତୁମ ପାଇଁ  ମୁଁ ମୋ ନିଜକୁ ଏକ ହଜାର ଥର ବଳିଦାନ ଦେଇପାରେ । କିନ୍ତୁ ମୁଁ ମୋ ବାପାଙ୍କର ନିର୍ଯାତନାର କାରଣ ହେବାକୁ ଚାହୁଁନାହିଁ । ମୁଁ ଜାଣି ନାହିଁ ଆଗକୁ ଯାଇକି ତମେ ବାପାର ମୂଲ୍ୟ ବୁଝିପାରିବ କି ନାହିଁ । କିନ୍ତୁ ବାପର ମୂଲ୍ୟ ମୁଁ ବୁଝିଛି । ବାପା ହେବା ସୌଭାଗ୍ୟର କଥା । ମୋ ବାପା ମୋ ପାଇଁ ଗର୍ବ । ବାପା ପୁଅଙ୍କ ସମ୍ପର୍କ ସବୁଠୁ ନିଆରା ହୋଇଥାଏ । କାସ୍ ତମେ ମୋ ସହିତ ଥାନ୍ତ ବୋଲି ଅତୁଲ ତାଙ୍କ ସୁଇସାଇଡ୍ ନୋଟରେ ପୁଅ ପାଇଁ ଲେଖିଛନ୍ତି।

ଭିଣେଇ ଟଙ୍କାରେ ଅତୁଲଙ୍କ ଶଳା ଆରମ୍ଭ କରିବାକୁ ଚାହୁଁଥିଲେ କ୍ଲାଉଡ୍ କିଚେନ, ଯେଉଁଥିପାଇଁ ଗଲା ଅତୁଲଙ୍କ ଜୀବନ

ବେଙ୍ଗାଲୁରୁ: ଏଆଇ ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷ ମାମଲାରେ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅଭିଯୋଗ ଅନୁଯାୟୀ, ଅତୁଲଙ୍କ ପତ୍ନୀ ନିକିତା ସିଂହାନିଆ ତାଙ୍କ ମା’ଙ୍କ କଥାରେ ପଡି ତାଙ୍କୁ ୬୮ ଲକ୍ଷ ଟଙ୍କା ମାଗିଥିଲେ। ତାହା ବି କେବଳ ଭାଇଙ୍କ ବ୍ୟବସାୟ  ଓ ଘର କିଣିବା ପାଇଁ। ଅତୁଲ ପ୍ରଥମେ ୧୬ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ନିକିତାଙ୍କ ଦାବି ଶେଷ ହେବାର ନାଁ ନେଉନଥିଲା। ତାଙ୍କଠାରୁ ଶ୍ୱସୁର ଘର ଲୋକ କେମିତି ଟଙ୍କା ହଡ଼ପ କରିବାକୁ ଚାହୁଁଥିଲେ,ସେବାବଦରେ  ଅତୁଲ ଭିଡିଓରେ କହିଛନ୍ତି।

ଭିଡିଓରେ ଅତୁଲ କହିଛନ୍ତି, ବାପାଙ୍କ ମୃତ୍ୟୁ ପରେ ନିକିତା ଟଙ୍କା ମାଗିବା ଆରମ୍ଭ କରିଥିଲେ। ୨୦୨୦ ମେ ମାସରେ ନିକିତା ପ୍ରଥମେ ମୋଠାରୁ ୩ ଲକ୍ଷ ଟଙ୍କା ମାଗିଥିଲେ। ସେ ତାଙ୍କ ପରିବାର  ସହ ପୋଷାକ ବ୍ୟବସାୟ କରିବାକୁ ଚାହୁଁଥିଲେ । ଦୋକାନ ପାଇଁ ଆଗୁଆ ସାମଗ୍ରୀ କିଣିବୁ ବୋଲି କହି ସେ ମୋତେ ଟଙ୍କା ମାଗିଥିଲେ। ମୁଁ ତାଙ୍କୁ କହିଥିଲି ଯେ ମୋ ପାଖରେ ଟଙ୍କା ନାହିଁ ।

କିନ୍ତୁ ସେମାନେ ପରବର୍ତ୍ତୀ ବର୍ଷ ପାଇଁ ଦୋକାନର ସାମଗ୍ରୀ କିଣିବା ପାଇଁ ମୋ ଉପରେ ବାରମ୍ବାର ଚାପ ପକାଉଥିଲେ ବୋଲି ଅତୁଲ ଭିଡିଓରେ କହିଛନ୍ତି ।  ମାର୍ଚ୍ଚ ୨୦୨୧ରେ ସେ ପୁଣି ଥରେ ୧୫ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ବି ସେ ନିକିତାଙ୍କୁ  ୯ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ୨୦୨୧ ଏପ୍ରିଲରେ ୪ ଲକ୍ଷ ଟଙ୍କା ପଠାଯାଇଥିଲା। ଅର୍ଥାତ୍ ନିକିତାଙ୍କ ପିତାମାତାଙ୍କୁ ମୋଟ ୧୬ ଲକ୍ଷ ଟଙ୍କା ଅତୁଲ ଦେଇଥିଲେ। ତା’ପରେ ହଠାତ୍ ସେମାନେ ମୋତେ ୫୦ ଲକ୍ଷ ଟଙ୍କା ମାଗିଥିଲେ ବୋଲି ଅତୁଲ ଭିଡିଓରେ ଦାବି କରିଛନ୍ତି ।

ବାସ୍ତବରେ ନିକିତାଙ୍କ ପରିବାର ପୂର୍ବରୁ ଯେଉଁ ଅଞ୍ଚଳରେ ରହୁଥିଲେ, ତାହା ଏତେ ଭଲ ନଥିଲା। ଅତୁଲଙ୍କ ଅନୁସାରେ ତାଙ୍କ ଶ୍ୱସୁର ଘର ଲୋକ ଏକ ଭଲ ସ୍ଥାନ (ଜୌନପୁରର ମୁଖ୍ୟ ବଜାର)ରେ ଘର କିଣିବାକୁ ଚାହୁଁଥିଲେ। ଶାଳକ ପୀୟୂଷ ଓ ଅନୁରାଗ ସିଂହାନିଆ ସେହି ଅଞ୍ଚଳରେ ରହିବାପାଇଁ ଚାହୁଁ ନଥିଲେ। ସେଥିପାଇଁ ନିକିତା ଟଙ୍କା ପଠାଇବା ପାଇଁ ମୋ ଉପରେ ଚାପ ପକାଉଥିଲେ। ଯାହାଦ୍ୱାରା ମୋ ଟଙ୍କାରେ ସେମାନେ ଭଲ ସ୍ଥାନରେ ଘର କିଣିପାରିବେ । ତାହା ବି ସେହି ସ୍ଥାନରେ ଯେଉଁଠି ତଳେ ଦୋକାନ ଥିବ ଏବଂ ଉପରେ ଘର ଥିବ । ନିକିତା,ଅତୁଲଙ୍କୁ କହିଥିଲେ ଯେ, ସେମାନେ ଗୋଟିଏ ୧ କୋଟି ଟଙ୍କାର ଘର ଦେଖିଛନ୍ତି । ତୁମେ ୫୦ ଲକ୍ଷ ପଠାଅ। ଆମେ ବାକି ବ୍ୟବସ୍ଥା କରିବୁ।

ଅତୁଲଙ୍କ ଅନୁସାରେ ସେ ପ୍ରଥମେ ପୂର୍ବରୁ ଦେଇଥିବା ଟଙ୍କା ଫେରାଇବାକୁ କହିଥିଲେ । କାରଣ ବ୍ୟବସାୟରେ ଆମେ ୧୦ ଲକ୍ଷ ଲାଭ ହେଉଥିବା କଥା ତାଙ୍କୁ ନିକିତା କହିଥିଲେ । କିନ୍ତୁ ନିକିତାଙ୍କ ପରିବାର ଲୋକ କହିଥିଲେ ଯେ, ଆମେ ବର୍ତ୍ତମାନ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛୁ। ବାକି ଘର କିଣିବା ପରେ ଆୟ ୫୦ ଲକ୍ଷ ଟଙ୍କା ହେବ। ଅତୁଲ କିନ୍ତୁ ମୁଁ ଟଙ୍କା ଦେବାକୁ ସ୍ପଷ୍ଟ ମନା କରିଦେଇଥିଲେ । ତେଣୁ ଉଭୟ ପତ୍ନୀ ଓ ଶାଶୂ  ତାଙ୍କ ସହ ଝଗଡ଼ା କରିବା ଆରମ୍ଭ କରିଥିଲେ। ଅତୁଲଙ୍କ ଅନୁସାରେ ,ଏପ୍ରିଲ ୨୫, ୨୦୨୧ରେ ସେମାନେ ମୋତେ ଦେଢ଼ ଲକ୍ଷ ଟଙ୍କା ଫେରାଇଥିଲେ। ସେତେବେଳେ ମୁଁ କହିଲି ଯେ ମୁଁ ମୋର ସମସ୍ତ ଟଙ୍କା ଚାହୁଁଛି । ଏହା ଉପରେ ଶାଶୂ କହିଥିଲେ ନିକିତା ନୂଆ କମ୍ପାନୀରୁ ରୋଜଗାର କରୁଥିବା ଟଙ୍କା ତୁମକୁ ଦେବ ।

ଅନୁରାଗଙ୍କ ବ୍ୟବସାୟ

ଭିଡିଓରେ ଅତୁଲ କହିଛନ୍ତି ଯେ, ତାଙ୍କ ଶ୍ୱଶୁର ଘର ଲୋକ  ଚାହୁଁଥିଲେ ଯେ, ମୁଁ ଅନୁରାଗ ସିଂହାନିଆଙ୍କୁ ବେଙ୍ଗାଲୁରୁ ନିମନ୍ତ୍ରଣ କରିବି। ତାଙ୍କୁ ମୋ ସହିତ ରଖିବି। ସେ ଏଠାରେ ଏକ କ୍ଲାଉଡ୍ କିଚେନ (ଜୋମାଟୋ-ସ୍ୱିଗି) ଆରମ୍ଭ କରିବାକୁ ଚାହୁଁଥିଲେ। ସେମାନେ ଚାହୁଁଥିଲେ ଯେ ମୁଁ ଏଥିପାଇଁ ବିନିଯୋଗ କରିବି । ମୁଁ ଏହାକୁ ମନା କରିଦେଲି । ତା’ପରେ ମୋ ଶାଶୂ ଆମ ଘରକୁ ଆସିଲେ। ସେ କହିବା ଆରମ୍ଭ କଲେ ଯେ କରୋନାରେ ମୋତେ ନିଶ୍ୱାସ ନେବାରେ ଅସୁବିଧା ହେଉଛି । ଯେତେବେଳେ ଆମେ ତାଙ୍କୁ ଯାଞ୍ଚ କଲୁ, ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା। ତାଙ୍କର କୌଣସି ରୋଗ ନଥିଲା। ଏହା କେବଳ ଏକ ଡ୍ରାମା ଥିଲା। କାରଣ ଏଠାକୁ ଆସିବା ପରେ ସେ ଆଉ କିଛି କରିବାକୁ ଯାଉଥିଲେ।

ଏଠାରେ ପୁଣି ସେ ମୋଠାରୁ ଟଙ୍କା ମାଗିବା ଆରମ୍ଭ କଲେ । ନିକିତା ଯେଉଁ ଟଙ୍କା ରୋଜଗାର କରିବେ ତାହା ଉପରେ ଆମର ଅଧିକାର ଅଛି ବୋଲି ସେ କହିବା ଆରମ୍ଭ କରିଥିଲେ। ଆମେ ତାଙ୍କୁ ପାଠ ପଢାଇଛୁ। ସେଥିପାଇଁ ସେ ଆମକୁ ଟଙ୍କା ଦେବେ। ତୁମକୁ ନହେଁ ।  ମୁଁ ଏହାକୁ ବିରୋଧ କରିଥିଲି। ସେମାନଙ୍କ ଚାପରେ ପରେ ଏଥିରେ ମୁଁ ରାଜି ବି ହୋଇଥିଲି ଯେ ମୁଁ ଅନୁରାକୁ ମୋ ଘରକୁ ଡାକିବି। ମୁଁ ତାଙ୍କ ଷ୍ଟାର୍ଟଅପ୍ ରେ ମଧ୍ୟ ତାଙ୍କୁ ସାହାଯ୍ୟ କରିବି। କିନ୍ତୁ ପ୍ରଥମେ ମୋର ପୁରୁଣା ଟଙ୍କା ଫେରାଇ ଦିଅନ୍ତୁ। ୨୦୨୧ ମେ’ ୧୪ ତାରିଖରେ ସେମାନେ ହଠାତ୍ ଜୌନପୁର ଫେରିଥିଲେ। ରାସ୍ତାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ମୁଁ ତାଙ୍କୁ ଏକ କ୍ୟାବ୍ ବୁକ୍ କରିଥିଲି। କିନ୍ତୁ ଘରକୁ ଫେରିବା ମାତ୍ରେ ନିକିତା ମୋ ବିରୋଧରେ ମାମଲା ରୁଜୁ କରିଥିଲେ।

 

ବନ୍ଧୁକ ମୁନରେ ଦୋକାନୀଙ୍କୁ ଲୁଟ୍; ଦୋକାନୀଙ୍କଠାରୁ ଲୁଟିନେଲେ ୮୦ ହଜାର ଟଙ୍କା

ମୟୂରଭଞ୍ଜ: ବନ୍ଧୁକ ମୁନରେ ଦୋକାନୀଙ୍କୁ ଲୁଟିଲେ। ମୟୂରଭଞ୍ଜ ଠାକୁରମୁଣ୍ଡା ଅଂଚଳରେ ଘଟିଛି ଏ ଲୁଟ ଘଟଣା। ହାଣ୍ଡିଫୁଟା ଛକ ନିକଟରେ ସାର ଦୋକାନ ଉପରେ ୭ ଜଣ ଡକାୟତ ଅଚାନକ ଆକ୍ରମଣ କରି  ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି।

ସୂଚନା ଅନୁଯାୟୀ, ୩ଟି ମୋଟର ସାଇକେଲରେ ୭ ଜଣ ଡକାୟତ ଆସି ଦୋକାନ ଆଗରେ ଠିଆ ହୋଇଥିଲେ । ଦୋକାନ ଘର ଭିତରକୁ ପଶି କିଛି ସାମଗ୍ରୀ ମାଗିଥିଲେ । ଏହି ସମୟରେ ଦୋକାନୀଙ୍କୁ ୨ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟ ଆରମ୍ଭ କରିଥିଲେ । ଦୋକାନୀ ଜଣଙ୍କ ଦୁର୍ବୃତ୍ତ ହାତକୁ ପିଟିବା ଫଳରେ ବନ୍ଧୁକ ଖସି ଗୁଳି ବାହାରି ଯାଇଥିଲା। ଅନ୍ୟ ମାନେ ଘର ଭିତରେ ପଶି ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ଆକ୍ରମଣ କରିଥିଲେ। ମହିଳା ଜଣକ କୌଶଳକ୍ରମେ ଖସିଯାଇ ଲୋକଙ୍କୁ ବଡ଼ ପାଟିରେ ଡାକିଥିଲେ। ସାମ୍ନା ଘର ଲୋକ ଆସିଯିବାରୁ ଡକାୟତ ତାଙ୍କୁ ମାଡ଼ ଦେବା ସହ ସାର ଦୋକାନୀକୁ ଲୁହା ରଡ଼ରେ ମୁଣ୍ଡକୁ ପିଟି ପିଟି ଦେଇଥିଲେ । ଏହାପରେ ଘରୁ ୮୦ ହଜାର ଟଙ୍କା ନେଇ  ଦୃର୍ବୃତ୍ତମାନେ ଚାଲି ଯାଇଥିଲେ । ଦୋକାନୀଙ୍କୁ ଆହତ ଅବସ୍ଥାରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଚିକିତ୍ସିତ ହେବା ପରେ ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି ।